spot_img
Home Blog Page 6651

ବସ୍ତିରେ ସଂକ୍ରମଣ ରୋକିବା ପାଇଁ ବିଏମସିର ପ୍ରୟାସ, ପ୍ରତି ବସ୍ତିକୁ ସ୍ୱଚ୍ଛତା ମିଶନ ପାଇଁ ୫ ହଜାର…

ଭୁବନେଶ୍ୱର: ରାଜଧାନୀ ସଂକ୍ରମଣ ମାତ୍ରା କ୍ରମାଗତ ଭାବେ ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ବିଶେଷ ଭାବେ ଅନଲକ୍ ୪.୦ ପରେ ଭୁବନେଶ୍ୱରରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲା । ତେବେ ରାଜଧାନୀର ବସ୍ତି ଅଞ୍ଚଳରେ ସଂକ୍ରମଣ କମାଇବା ପାଇଁ ବିଏମସି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ସମୁଦାୟ ୪୨୮ଟି ବସ୍ତି ଥିବା ବେଳେ ସବୁ ବସ୍ତିରେ ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏଥିପାଇଁ ପ୍ରତି ବସ୍ତି କମିଟିକୁ ବିଏମସି ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ସେହିଭଳି ରାଜଧାନୀର ପ୍ରାୟ ସମସ୍ତ ବସ୍ତିରେ କରୋନା ସଂକ୍ରମଣ ହୋଇ ସାରିଥିବା ବେଳେ କେବଳ ୧୭ ନମ୍ୱର ଓାର୍ଡର ତାରିଣୀ ବସ୍ତିରେ ଏଯାବତ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ସୂଚନାଯୋଗ୍ୟ ଯେ ବିଏମସି ସ୍ୱଚ୍ଛତା ମିଶନ ଏହି ବସ୍ତିରୁ ହିଁ ପ୍ରଥମେ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଥିଲା ।

ବସ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ବିଏମସିର ପଦକ୍ଷେପକୁ ବସ୍ତିବାସିନ୍ଦାମାନେ ପ୍ରଶଂସା କରିଛନ୍ତି । ତେବେ ବସ୍ତିକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ବାସିନ୍ଦାଙ୍କର ଅଟେ । ନିଜ ପରିବେଶକୁ ପରିସ୍କାର ରଖିପାରିଲେ କରୋନା ସଂକ୍ରମଣରୁ ରକ୍ଷା ପାଇହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

କୋଲାବ ଜଳ ଭଣ୍ଡାର ବିଚ୍ଛିନ୍ନାଞ୍ଚଳ ଲୋକଙ୍କର ସରୁନି ଦୁଃଖ, ଏବେବି ବିପଦପୂର୍ଣ୍ଣ ଭାବେ ମେଡିକାଲ ଯାଉଛନ୍ତି ରୋଗୀ

0

କୋରାପୁଟ: ବିଛିନ୍ନାଞ୍ଚଳ ପାଇଁ ଆସିଥିବା ବୋଟ୍ ଆମ୍ବୁଲାନ୍ସ ଆସିବା ଦିନରୁ ଅଚଳ । ୬ ମାସ ପରେ ବି ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ଲୋକେ । ଲମତାପୁଟ ସି୍ଦିଘାଟ ଥିବା ବୋଟ ଆମ୍ବୁଲାନ୍ସ ୬ ମାସ ହେଲା ପଡି ଖତ ଖାଉଛି । ଏପଟେ ଲୋକେ ବାଧ୍ୟହୋଇ ଦେଶୀଡଙ୍ଗାରେ ରୋଗୀଙ୍କୁ ନେବାଆଣିବା କରୁଛନ୍ତି । ରାତିଅଧରେ ଡଙ୍ଗା ଚଳାଚଳ କରୁନଥିବାରୁ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି ।

କୋଲାବ ଜଳ ଭଣ୍ଡାର ଭିତରେ ବିଛିନ୍ନାଞ୍ଚଳ ଭାବେ ରହିଛି ୪ଟି ପ଼଼ଞ୍ଚାୟତ । ସେମାନଙ୍କ ଯିବା ଆସିବାର ଏକ ମାତ୍ର ସାହା ଦେଶୀ ଡଙ୍ଗା । ତେବେ ଏହି ୪ଟି ପଞ୍ଚାୟତର ୩୦ ହଜାର ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଯୋଗାଇଥିଲେ ଗୋଟିଏ ବୋଟ୍ ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସ ମଧ୍ୟ ସିନ୍ଦିଗୁଡା ଘାଟରୁ ଚାଲିବା ପାଇଁ ସ୍ଥିର ହୋଇଥିଲା । ହେଲେ ଆସିବା ଦିନଠୁ ପଡି ରହିଛି ଏହି ଆମ୍ବୁଲାନ୍ସ । ଫଳରେ ଲୋକେ ଉପାୟଶୁନ୍ୟ ହୋଇ ପୁଣି ରୋଗୀଙ୍କୁ ମେଡିକାଲ ନେବାପାଇଁ ଦେଶୀ ଡଙ୍ଗାର ସାହାରା ଲୋଡୁଛନ୍ତି । ଏଥିପ୍ରତି ସରକାର ନଜର ଦେବାକୁ ଦାବି କରିଛନ୍ତି ବିଛିନ୍ନାଞ୍ଚଳବାସିନ୍ଦା ।

ବେଳେ ବେଳେ ଠିକ୍ ସମୟରେ ରୋଗୀ ମେଡିକାଲରେ ପହଞ୍ଚି ନପାରିବାରୁ ମୃତ୍ୟୁ ଘଟୁଛି । ଏମିତିକି ଆମ୍ବୁଲାନ୍ସ ସେବା ନଥିବାରୁ ପ୍ରସୂତିଙ୍କ ଅଧବାଟରେ ପ୍ରସବ ହେଉଛି । ଏନେଇ ବହବୁବାର ପାଣି ଘେରରେ ଥିବା ଲୋକଙ୍କ ପାଇଁ ବୋଟ୍ ଆମ୍ବୁଲାନ୍ସ ଟିଏ ଦାବି ହୋଇଛି । ହେଲେ ଏଥିପ୍ରତି ପ୍ରଶାସନର କୌଣସି ନିଘା ନଥିବା ଅଭିଯୋଗ ହୋଇଛି । ସେପଟେ ବୋଟ ଆମ୍ବୁଲାନ୍ସରେ ଥିବା କିଛି ତୃଟିକୁ ମରାପତି କରାଯାଇ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ।

ତିର୍ତ୍ତୋଲ : ଏଥର ବି ଏକତରଫା ହେବ ନା ଲଢେଇ ଜମିବ ?

ତିର୍ତ୍ତୋଲ: ଜଗତସିଂହପୁର ଅଣକଂଗ୍ରେସ ରାଜନୀତିର ଏକ ପରିଚିତ ନାମ ବିଷ୍ଣୁ ଚରଣ ଦାସ । ଏକାଧିକଥର ବିଧାନସଭାରେ ବିଜୟୀ ହେବା ସହ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ହୋଇପାରିଥିଲେ । ଏକଦା ତାଙ୍କୁ ସମ୍ମାନଜନକ ଯୋଜନା ବୋର୍ଡ ଉପାଧ୍ୟକ୍ଷଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା । ଘଟଣାକ୍ରମରେ ସ୍ୱାସ୍ଥ୍ୟଗତ କାରଣୁ ନିକଟରେ ଦାସ ପ୍ରାଣ ହରାଇଥିଲେ । ବିଷ୍ଣୁଙ୍କ ବିୟୋଗ ପରେ ତିର୍ତ୍ତୋଲ ଆସନ ଖାଲି ହୋଇଛି । ଆଗାମୀ ନଭେମ୍ବର ୩ରେ ବାଲେଶ୍ୱର ବିଧାନସଭା ଆସନ ସହ ଏହି ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଏହି ଆସନର ଇତିହାସକୁ ଯଦି ଲକ୍ଷ୍ୟ କରାଯାଏ । ତେବେ ବିଗତ କିଛି ଥର ଏଠାରେ ଏକତରଫା ଫଳାଫଳ ହେଉଛି । ତେଣୁ ଆଗାମୀ ନିର୍ବାଚନରେ ଏହି ଏକତରଫା ଫଳାଫଳର ପୁନରାବୃତ୍ତି ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି । ଗତ ନିର୍ବାଚନ ଅର୍ଥାନ ୨୦୧୯ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକ ୨୩ ୭୪୦ ଖଣ୍ଡ ଭୋଟ ପାଇଥିଲେ । ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ନିକଟତମ ପ୍ରାର୍ଥୀଙ୍କଠାରୁ ପ୍ରାୟ ୪୦,୪୭୭ ଖଣ୍ଡ ଅଧିକ ରହିଥିଲା ।

ଏହା କେବଳ ୨୦୧୯ ନୁହେଁ ୨୦୧୪ ଏବଂ ୨୦୦୯ରେ ମଧ୍ୟ ସମାନ ଫଳ ଦେଖିବାକୁ ମିଳିଥିଲା । ୨୦୧୪ରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୮୮,୯୫୩ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ୫୩, ୫୦୫ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୧୪, ୫୧୬ ଖଣ୍ଡ ଭୋଟ ପାଇଥିଲେ ।  ରାଜଶ୍ରୀ ପ୍ରାୟ ୩୫,୪୪୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ରନାଥ ଭୋଇ ୮୨,୨୮୨ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ରାଜ କିଶୋର ବେହେରା ୪୮,୧୦୦ ଖଣ୍ଡ ଏବଂ ଭାଜପା ଲତାମଣୀ ଦାସ ୪୫୧୪ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ରବୀନ୍ଦ୍ର ନାଥ ୩୪,୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ତେଣୁ ପୂର୍ବ ୩ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡି ହାରାହାରି ୩୬ ହଜାର ଭୋଟରେ ଆଗୁଆ ରହୁଛି ।

ଅପରପକ୍ଷେ ୨୦୦୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ୱାଳ ଜିତିଥିବା ବେଳେ ୨୦୦୦ରେ ବିଜେଡିରୁ ଦେବାଶିଷ ସାମନ୍ତରାୟ ବିଜୟୀ ହୋଇଥିଲେ । ୨୦୦୯ରେ ଏହି ନିର୍ବାଚନମଣ୍ଡଳୀର ସୀମା ପୁର୍ନ ନିର୍ଦ୍ଧାରଣ କରାଯାଇସାରିଛି । ଏକଦା ଏହି ବିଧାନସଭା ଆସନରୁ ରାଜ୍ୟ ରାଜନୀତିର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଜୟୀ ହୋଇ ବିଧାନସଭା ଯାଉଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଅନ୍ୟତମ । ତାଙ୍କୁ ବାଦ ଦେଲେ ପ୍ରତାପ ମହାନ୍ତି, ନିତ୍ୟାନନ୍ଦ ସାମନ୍ତରାୟ ଏବଂ ନିଶାମଣୀ ଖୁଣ୍ଟିଆ ପ୍ରମୁଖ ବିଜୟୀ ହୋଇଥିଲେ ।

 

୧୯୫୧ରୁ ୨୦୧୯ ଯାଏ ମୋଟ ୧୬ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ସର୍ବାଧିକ ୭ଥର(୧୯୫୧,୧୯୬୧,୧୯୮୦,୧୯୮୫,୧୯୯୦,୧୯୯୫ ଏବଂ ୨୦୦୪)ରେ ବିଜୟ ଲାଭ କରିଥିଲା । ସେହିପରି ବିଜେଡ଼ି ୨୦୦୦,୨୦୦୯,୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲା । ୧୯୭୧ ଏବଂ ୧୯୭୪ରେ ଉତ୍କଳ କଂଗ୍ରେସ, ପ୍ରଜାସୋସିଆଲିଷ୍ଟ ପାର୍ଟି ୧୯୫୭ ଏବଂ ୧୯୬୭ ଏବଂ ଜନତା ପାର୍ଟି ୧୯୭୭ରେ ବିଜୟୀ ହୋଇଥିଲା । ତେଣୁ ଉପନିର୍ବାଚନ ହେବାକୁ ତିର୍ତ୍ତୋଲ ଏକତରଫା ରେଜଲ୍ଟ ହେଉଛି କି ଇତିହାସ କଡ଼ ଲେଉଟାଉଛି, ତାହା ଦେଖିବାକୁ ବାକି ରହିଲା ।

 

ଗାନ୍ଧିଜୀଙ୍କ ତିନି ମାଙ୍କଡ ପରେ ଯୋଡି ହେଲା ଚତୁର୍ଥ ମାଙ୍କଡ: ଖରାପ କଥା ଚିନ୍ତା ନକରିବାକୁ ଦେଉଛି ବାର୍ତ୍ତା

ଭୁବନେଶ୍ୱର: ଖରାପ କଥା ଦେଖିବିନି, ଖରାପ କଥା ଶୁଣିବିନି, ଖରାପ କଥା କହିବିନି । ସତ୍ୟ ଓ ଅହିଂସାର ଲଢେଇରେ ମହାତ୍ମା ଗାନ୍ଧୀଙ୍କ ଏହି ତିନୋଟି ମାଙ୍କଡ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକଙ୍କୁ ଅହିଂସାର ପଥ ଆପଣେଇବାକୁ ପ୍ରୋତ୍ସାହନ ଦେଇଥିଲେ । ଗାନ୍ଧୀଜୀଙ୍କୁ ଏହି ତିନୋଟି ମାଙ୍କଡର ମୂର୍ତ୍ତୀ ଦେଇଥିଲେ ଚୀନର ପ୍ରତିନିଧି ମଣ୍ଡଳ ।

ଗାନ୍ଧୀଜୀ ଏହି ମୂର୍ତ୍ତୀଗୁଡିକୁ ନିଜର ପେପର ୱେଟ ଭାବେ ବ୍ୟବହାର କରୁଥିଲେ । କିନ୍ତୁ ଏହାର ଉଦ୍ଦେଶ୍ୟ ସେ ତାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ବୁଝାଇଥିଲେ । ଧିରେ ଧିରେ ତାଙ୍କ ଆଶ୍ରମର ଅନ୍ତେବାସୀମାନେ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇଯାଇଥିଲେ । ଏବେ କିନ୍ତୁ ଜଣେ ଶିକ୍ଷାବିତ ଚତୁର୍ଥ ମାଙ୍କଡର ଚିତ୍ରଣ କରିଛନ୍ତି । ଚତୁର୍ଥ ମାଙ୍କଡଟି ମୁଣ୍ଡରେ ହାତ ଦେଇ ବସିଛି । ଅର୍ଥାତ ଖରାପ କଥା ଚିନ୍ତା କରିବିନି ।

ରେଜିଷ୍ଟ୍ରାର ଅଫ କପିରାଇଟସ ଠାରୁ କପିରାଇଟ ପାଇଥିବା ଏହି ଶିକ୍ଷାବିତ ହେଲେ ପ୍ରଫେସର ସଂଜୟ ଶତପଥୀ । ଦୀର୍ଘ ବର୍ଷକାଳ ଏହା ଉପରେ ଅଧ୍ୟୟନ କରି ତଥ୍ୟ ପ୍ରମାଣ ସହ ସେ ରେଜିଷ୍ଟ୍ରାର ଅଫ କପିରାଇଟସଙ୍କ ନିକଟରେ କପିରାଇଟ ପାଇଁ ଆବେଦନ କରିଥିଲେ । ତାଙ୍କ ଏହି ଗବେଷଣା ଏବଂ ସମ୍ମାନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୁର୍ଗାଙ୍କ ରୂପ ଧାରଣ କରିବାରୁ ସାଂସଦଙ୍କୁ ହତ୍ୟା ଧମକ ! ନୂସରତଙ୍କ ପାଇ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କୁ ପୁଣି ହତ୍ୟା ଧମକ । ନିକଟ ଅତୀତରେ ନୁସରତ ଜାହାଁ ଦୁର୍ଗାଙ୍କ ଅବତାର ଧାରଣ କରି ଫଟୋ ସୁଟ୍‌ କରିଥିଲେ, ଏହା ପରେ ତାଙ୍କୁ ଲଗାତାର ହତ୍ୟା ଧମକ ଦିଆଯାଉଛି । ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ସେ ଏବେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।

ଜଣେ ସୋସିଆଲ ମିଡିଆ ୟୁଜର୍ସ ନୁସରତ ଜାହାଁଙ୍କୁ ଧମକ ଦେଇ ଲେଖିଛନ୍ତି ଯେ, ତୁମର ମୃତ୍ୟୁ ସମୟ ଆସିସାରିଛି, ତୁମେ ନିଜ ଶରୀରକୁ ଢ଼ାଙ୍କି ପାରୁ ନାହଁ କାହିଁକି ? ଏହା ବ୍ୟତୀତ ଜଣେ ୟୁଜର୍ସ ନୁସରତ ଜାହାଁଙ୍କୁ ତାଙ୍କ ନାଁ ପରିବର୍ତ୍ତନ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ନୁସରତ ଜାହାଁ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି । ତାଙ୍କ ବିବାହ ସମୟରେ ମଧ୍ୟ ଅନେକ ବିବାଦ ଉପୁଜିଥିଲା ଏବଂ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଏଭଳି ଧମକ ମିଳିବା ପରେ ସାଂସଦଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସେ ଏବେ ବିଦେଶରେ ଅଛନ୍ତି । ତେଣୁ ସେ ବିଦେଶ ମନ୍ତ୍ରାଳୟ ଏବଂ ପଶ୍ଚିମ ବଙ୍ଗ ସରକାରକୁ ସୁରକ୍ଷା ମାଗିଛନ୍ତି । ଏନେଇ ନୁସରତଙ୍କ ଜଣେ ନିକଟତର ସୂଚନା ଦେଇଛନ୍ତି ।

ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସହିତ ବିଦେଶ ମନ୍ତ୍ରଣାଳୟ ଯୋଗାଯୋଗରେ ଅଛି । ଏହାସହ ନୁସରତଙ୍କ ପାଇଁ ସୁରକ୍ଷା କଡ଼ା କଡ଼ି କରିବା ନେଇ ଆଲୋଚନା ହେଉଛି।

ତେବେ ପୂର୍ବରୁ ମଧ୍ୟ ନୁସରତ ଜାହାଁଙ୍କ ସହ ଏଭଳି ଘଟଣା ଘଟିସାରିଛି । ଯେତେବେଳେ ସେ ଦୁର୍ଗା ପୂଜାରେ ଭାଗ ନେଇଥିଲେ, ସିନ୍ଦୁର ନିନ୍ଧି ସଂସଦକୁ ଆସିଥିଲେ ଏବଂ ଯେତେବେଳେ ନୁସରତ ବିବାହ କରିଥିଲେ, ସେହି ସମୟରେ ମଧ୍ୟ ତାଙ୍କୁ ଏଭଳି ଧମକ ମିଳିଥିଲା ଏବଂ ଅନେକ ବିବାଦ ଉପୁଜିଥିଲା ।

ବିଧାନସଭା ପ୍ରଥମ ଦିନ: ଟାର୍ଗେଟରେ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍, କଂଗ୍ରେସର ହଙ୍ଗାମା…

ଭୁବନେଶ୍ୱର: ବିଧାନସଭାର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ହଙ୍ଗାମା ଦେଖା ଦେଇଛି । କଂଗ୍ରେସ ବିଧାନସଭାରେ ସରକାରଙ୍କର ଏହି ବିଲ କଡ଼ା ଭାଷାରେ ସମାଲୋଚନା କରିଛି ଓ ତୀବ୍ର ବିରୋଧ କରିଛି । କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଲର ବିରୋଧରେ ମତପୋଷଣ କରି କହିଛନ୍ତି ଯେ, ଏହି ବିଲ୍ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ସ୍ୱୟଂଶାସନ କମିବ ।

ବିଲର ଉଦ୍ଦେଶ୍ୟ ଏଭଳି ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ସରକାର ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପତ୍ର ନହଲୁ ବୋଲି ସରକାର ଚାହୁଁଛନ୍ତି । ଏଣୁ ଏହି ବିଲ୍ ଆଣି ବିଶ୍ୱବିଦ୍ୟାଳୟର କର୍ତ୍ତୃତ୍ୱ କମାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ।   ସେହିଭଳି ଏବେ କରୋନା ସମୟ । କରୋନାଠାରୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥାଇପାରେ । ସରକାର କରୋନା ମୁକାବିଲା ଉପରେ ଧ୍ୟାନ ନଦେଇ ବିଶ୍ୱବିଦ୍ୟାଳୟ ବିଲକୁ ପାରିତ କରିବା ପାଇଁ ଏତେ ବ୍ୟସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏଣୁ ଏହାକୁ ତରବରିଆ ଭାବେ ପାସ୍ ନକରିବା ପାଇଁ ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ନରସିଂହ ମିଶ୍ରଙ୍କର ଏଭଳି ମନ୍ତବ୍ୟକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିରୋଧ କରିଛନ୍ତି । ତାଙ୍କ କହିବା କଥା ଯେ, ବିଶ୍ୱବିଦ୍ୟାଳୟ ଆଇନ ଆସିଲେ, ବିଶ୍ୱବିଦ୍ୟାଳୟର ସ୍ୱଂୟ ଶାସନ ସାମାନ୍ୟତମ ମଧ୍ୟ ପ୍ରଭାବିତ ହେବ ନାହିଁ । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ୟୁନିଭରସିଟି ଆକ୍ଟ ଆଧାରରେ ପରିଚାଳିତ ହେବ । ଏହି ବିଲ୍ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଅଭିବୃଦ୍ଧିରେ ସହାୟକ ହେବା ସହ ଯୁଗାନ୍ତକାରୀ ହେବ । ସେହିଭଳି ଶିକ୍ଷା କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବା ଯାଇ ଶ୍ରୀ ସାହୁ କହିଥିଲେ ଯେ, ତିନି ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।

Cat Que Virus: କ୍ୟାଟ୍ କ୍ୟୁଟ୍ ଭାଇରସକୁ ନେଇ ICMRର ଚେତାବନୀ, ଭାରତରେ ମଚେଇ ପାରେ ହାହାକାର

ନୂଆଦିଲ୍ଲୀ: ଗୋଟେ ପଟେ ସମଗ୍ର ବିଶ୍ୱ କରୋନା ଭାଇରସ ସହ ଲଢ଼େଇ କରୁଥିବାବେଳେ ଅନ୍ୟପଟେ ଚୀନର ଆଉ ଏକ ଭାଇରସ ବିଶ୍ୱବ୍ୟାପୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଆଉ ଏକ ଭାଇରସ ( Cat Que Virus ) ଭାରତକୁ ଆକ୍ରମଣ କରିପାରେ ବୋଲି ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) ଭାରତ ସରକାରଙ୍କୁ ଚେତାଇ ଦେଇଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ଭାଇରସ ଆପଣଙ୍କ ଶରୀରରେ ଜ୍ୱର ସହ  Febrile Illnesses, Meningitis ଏବଂ Paediatric Encephalitis ଭଳି ସମସ୍ୟା ସୃଷ୍ଟି କରିପାରେ ।

 

 Cat Que Virus ଉପସ୍ଥିତିର ମିଳିଲା ପ୍ରମାଣ

ICMR ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚୀନ ଏବଂ ଭିଏତନାମାରେ Cat Que Virus ର ଉପସ୍ଥିତି ବିଷୟରେ ଜଣାପଡ଼ିଛି । ସେଠାରେ କ୍ୟୁଲେକ୍ସ ମଶା ଏବଂ ଘୁଷୁରୀଙ୍କ ଦେହରେ ଏହି ଭାଇରସ ଦେଖିବାକୁ ମିଳିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଭାରତରେ ମଧ୍ୟ କ୍ୟୁଲେକ୍ସ ମଶା ଦେହରେ Cat Que Virus ଭଳି କିଛି ଭାଇରସ ଦେଖିବାକୁ ମିଳିଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ସିକ୍ୟୁବି ମୂଳତଃ ଘୁଷୁରୀଙ୍କ ଦେହରେ ଦେଖିବାକୁ ମିଳିଥାଏ ଏବଂ ଚୀନରେ ଗୃହପାଳିତ ଘୁଷୁରୀଙ୍କ ଦେହରେ ଏହି ଜୀବାଣୁ ବିରୁଦ୍ଧରେ ଆଣ୍ଟିବଡି ଦେଖିବାକୁ ମିଳିଛି । ଏହାର ଅର୍ଥ Cat Que Virus ଚୀନର ସ୍ଥାନୀୟ ଅଞ୍ଚଳରେ ନିଜର ପ୍ରକୋପ ବିସ୍ତାର କରିବା ଆରମ୍ଭ କରିସାରିଛି ।

 

୮୮୩ଟି ନମୂନାରୁ ୨ଟି ପଜିଟିଭ ମାମଲା

ବୈଜ୍ଞାନିକମାନେ ବିଭିନ୍ନ ରାଜ୍ୟରୁ ୮୮୩ ଜଣଙ୍କ ନମୁନା ସଂଗ୍ରହ କରିଥିଲେ ଏବଂ ଦୁଇଟି ଭାଇରସ ବିରୁଦ୍ଧରେ ଆଣ୍ଟିବଡି ପାଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇଜଣ ବ୍ୟକ୍ତି ଗୋଟିଏ ସମୟରେ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଜୁନ୍ ମାସରେ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ଅନୁସନ୍ଧାନରେ କୁହାଯାଇଛି ଯେ, ମଣିଷର ସେରମ୍ ନମୁନାରେ ଆଣ୍ଟି- CQV IgG ଆଣ୍ଟିବଡି ଚିହ୍ନଟ ଏବଂ ମଶାମାନଙ୍କରେ CQV ର ନକଲ ଦର୍ଶାଏ ଯେ ଏହି ରୋଗ ଭାରତରେ ନିଜ କାୟା ବିସ୍ତାର କରିବାର କ୍ଷମତା ରଖିଛି  । ଏଭଳି ପରିସ୍ଥିତିରେ ମଣିଷ ଏବଂ ଘୁଷୁରୀର ଅଧିକ ସେରମ୍ ନମୁନା ପରୀକ୍ଷା କରାଯିବା ଉଚିତ୍ ଯାହା ଦ୍ୱାରା ଏହା ଜାଣିହେବ ଯେ, ଏହି ଭାଇରସ ଆମ ଶରୀରେ ପୂର୍ବରୁ ରହିଛି ନା ନାହିଁ ।

 

ଜଣେ ବୈଜ୍ଞାନିକଙ୍କ କହିବା ଅନୁୟାୟୀ, ଭାରତ ପ୍ରସଙ୍ଗରେ ପରିସଂଖ୍ୟାନ ଦର୍ଶାଏ ଯେ କେତେକ ମଶା CQV ପ୍ରତି ସମ୍ବେଦନଶୀଳ । ଏହିପରି ଭାବରେ ମଶାମାନେ CQV ସଂକ୍ରମଣର କାରଣ ହୋଇପାରନ୍ତି ।

ଉଚ୍ଚ ନ୍ୟାୟାଳୟର ଶୁଣାଣି : ସ୍କୁଲ ଫି’ରେ ମିଳିବ ରିହାତି, ୭ଟି ସ୍ଲାବରେ ରିହାତି ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ବେଳେ ସ୍କୁଲ ଫି ଛାଡ ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା ।  ଫି’ ଛାଡ଼ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଆଡଭୋକେଟ ଜେନେରାଲଙ୍କ ମାଧ୍ୟମରେ MOU ଦାଖଲ ମୁତାବକ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ନେଇ ସହମତି ପ୍ରକାଶ ପାଇଛି ।  ବାର୍ଷିକ ୬ହଜାର ଟଙ୍କା ପର୍ଯ୍ୟନ୍ତ ଫି’ରେ ରିହାତି ନାହିଁ ।

ସେହିପରି ୧ଲକ୍ଷରୁ ଅଧିକ ଟଙ୍କା ବାର୍ଷିକ ଫିରେ ୨୬ ପ୍ରତିଶତ ଛାଡ଼ ହେବ । ଏଥିସହ ରେସିଡେନ୍ସିଆଲ ସ୍କୁଲରେ ସର୍ବାଧିକ ୩୦% ପର୍ଯ୍ୟନ୍ତ ଛାଡ଼ ହୋଇପାରିବ ବୋଲି ହାଇକୋର୍ଟ ତାଙ୍କ ଶୁଣାଣିରେ ଜଣାଇଛନ୍ତି । ଶୁଣାଣି ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶକୁ ପାଳନ କରି । ସମସ୍ତ ପକ୍ଷ ସେକ୍ରେଟାରୀ ସ୍କୁଲ ଆଣ୍ଡ ମାସ ଏଜୁକେସନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପଦାର୍ପଣ କରି ତାଙ୍କର ପକ୍ଷ ରଖିଥିଲେ ଏବଂ ସମସ୍ତ ପକ୍ଷଙ୍କ ସହମତିରେ ଗୋଟେ M.O.U ସାଇନ କରାଯାଇଥିଲା ।

ରିପୋର୍ଟକୁ ମାନ୍ୟବର ହାଇକୋର୍ଟରେ ଦାଖଲ କରାଗଲା ଏବଂ ଅଭିଭାବକ ମହାସଂଘ ତରଫରୁ ଶ୍ରୀ ଭି ନରସିଂହ ଏବଂ ବିଭୁତି ଭୂଷଣ ଚୌଧୁରୀ ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ଆଡ଼ଭକେଟ ଜେନେରାଲ ପକ୍ଷ ରଖିଥିଲେ ।

 

 

କେତେ ଫି’ରେ କେତେ ଛାଡ ?

ବାର୍ଷିକ ସ୍କୁଲ ଦରମା ଯଦି ୬ ହଜାର ଟଙ୍କାରୁ କମ ହୋଇଥିବ ତେବେ କୌଣସି ରିହାତି ମିଳିବ ନାହିଁ

ବାର୍ଷିକ ଫି’ ୬ ହଜାର୧ରୁ  ୧୨ହଜାର୧ ହୋଇଥିଲେ ୭.୫ ପ୍ରତିଶତ ଛାଡ ମିଳିବ

୧୨ହଜାର ୧ରୁ ୨୪ ହଜାର ହୋଇଥିଲେ ୧୨ ପ୍ରତିଶତ ରିହାତି

୨୪ ହଜାର ୧ଟଙ୍କାରୁ ୪୮ ହଜାର ହୋଇଥିଲେ ୧୫ ପ୍ରତିଶତ ରିହାତି

୪୮ ହଜାର ୧ରୁ ୭୨ ହଜାର ହୋଇଥିଲେ ୨୦ ପ୍ରତିଶତ

୭୨ ହଜାର ୧ରୁ ୧ ଲକ୍ଷ ହୋଇଥିଲେ ୨୫ ପ୍ରତିଶତ ରିହାତି

ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ହୋଇଥିଲେ ୨୬ ପ୍ରତିଶତ ରିହାତି ମିଳିବ

ହଷ୍ଟେଲ ଫି’ରେ ୫୦ ପ୍ରତିଶତ ରିହାତି

ଗଣଦୁଷ୍କର୍ମ ପରେ ଜିଭ କାଟିଲେ,ମେରୁଦଣ୍ଡ ଭାଙ୍ଗିଲେ..ବର୍ବରତାର ଏମିତି କାହାଣୀ ଯାହା କେବେ ଶୁଣିନଥିବେ

ନୂଆଦିଲ୍ଲୀ : ଦି’ ସପ୍ତାହ ତଳେ ଉତ୍ତରପ୍ରଦେଶର ହାଥରସ ଅଞ୍ଚଳର ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଗ୍ରାମର ୩ ଜଣ ଯୁବକ ଏଭଳି କରିଥିଲେ । ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଏହାପରେ ଦୁଷ୍କର୍ମକାରୀମାନେ ତାଙ୍କର ଜିଭ କାଟିବା ସହ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ।

ଗୁରୁତର ଅବସ୍ଥାରେ ମହିଳାଜଣଙ୍କୁ ଦିଲ୍ଲୀର ସଫଦରଗଞ୍ଜ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବା ପରଠାରୁ ପ୍ରାୟ ୧୫ ଦିନ ଶାରିରୀକ କଷ୍ଟ ସହ ସଂଘର୍ଷ କରି ଯୁବତୀ ଜୀବନ ଛାଡ଼ିଛନ୍ତି । ଯେତିକି ସମୟ ଡ଼ାକ୍ତରଖାନାରେ ଥିଲେ ଦୋଷୀମାନଙ୍କ ସମ୍ପର୍କରେ ଠାରରେ ସୂଚନା ଦେବାକୁ ଚେଷ୍ଟା କରିଥିଲେ । ଘଟଣାର ୯ ଦିନ ପରେ ପିଡୀତାଙ୍କର ଚେତା ଆସିଥିଲା ।

ଚେତା ଆସିବା ପରେ ହିଁ ତାଙ୍କରଠାରୁ ପୋଲିସ ବୟାନ ରେକର୍ଡ କରିଥିଲା । ଏହାପରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ପୀଡିତା ଜଣକ ଦଳିତ ସମାଜର ହୋଇଥିବା ବେଳେ ଦଳିତ ସମାଜ ନ୍ୟାୟ ଦାବିରେ ଆନ୍ଦୋଳନ ଆରମ୍ଭ କରିସାରିଛି । ଆଜି ତାଙ୍କ ଶବକୁ ତାଙ୍କ ଗାଁ ନିଆଯିବ । ଏଭଳି ସ୍ଥଳରେ ସେଠାରେ ପରିସ୍ଥିତି ସଙ୍ଗିନ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ପୀଡିତା ଜଣକ ବାଲ୍ମୀକି ସମାଜରୁ ହୋଇଥିବା ହେତୁ ବାଲ୍ମୀକି ସମାଜର ଲୋକେ ଆନ୍ଦୋଳନ କରିବାର ସମ୍ଭାବନା ରହିଛି ।

ବାଲେଶ୍ୱର ଉପନିର୍ବାଚନ: କ’ଣ କହୁଛି ଇତିହାସ, ସର୍ବାଧିକ ଥର କେଉଁ ଦଳ ଜିତିଛି ଏହି ଆସନ…ଜାଣନ୍ତୁ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ନେତା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି । ଏହା ପରେ ଉକ୍ତ ଆସନ ଖାଲି ପଡିଥିଲା । ଯାହାର ଉପନିର୍ବାତନ ନେଇ ମଙ୍ଗଳବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୩ରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେହିପରି ସେହି ମାସ ୧୦ରେ ଭୋଟ ଗଣତି ମଧ୍ୟ କରାଯିବ । ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ବାଲେଶ୍ୱର ସମେତ ତିର୍ତ୍ତୋଲରେ ମଧ୍ୟ ଆଚରଣ ବିଧି ଲାଗୁ ହୋଇଛି ।

ତିର୍ତ୍ତୋଲ ଅପେକ୍ଷା ବାଲେଶ୍ୱର ଆସନକୁ ନେଇ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଅଧିକ ରହିଛି । ବିଗତ କିଛିବର୍ଷର ରାଜନୀତିକୁ ଯଦି ଅନୁଶୀଳନ କରାଯାଏ, ତେବେ ଉପନିର୍ବାଚନରେ ବିଜେଡି ହାରିନାହିଁ । ହେଲେ ଏହି ଆସନଟି ଭାଜପା ନିକଟରେ ରହିଛି । ଏହି ଆସନ ଥିବା ଲୋକସଭା ଆସନରୁ ଜିତି ପ୍ରତାପ ଷଡଙ୍ଗୀ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ତେଣୁ ବାଲେଶ୍ୱର ଲଢେଇ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେହିପରି ବାଲେଶ୍ୱର ଲୋକସଭା ଏବଂ ବିଧାନସଭାରେ ୨୦୧୯ରେ ପରାଜୟ ଗ୍ରହଣ କରିଥିବା ବିଜେଡି ଏହାକୁ ଜିତି ନିଜ ଆସନ ସଂଖ୍ୟା ଆଉ ଗୋଟିଏ ବୃଦ୍ଧି କରିବାକୁ ଚାହିଁବ । ଏକଦା ସମଗ୍ର ବାଲେଶ୍ୱର ଜିଲାକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଥିଲା । ହେଲେ ଗତ ଲୋକ ସଭା ନିର୍ବାଚନରେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନଭଜ୍ୟୋତି ପଟ୍ଟନାୟକ ଅମାନତ ରକ୍ଷା କରିପାରି ନ ଥିଲେ । ବାଲେଶ୍ୱର ବିଧାନସଭା ଆସନରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା । ତେଣୁ ଆଗାମୀ ନିର୍ବାଚନ ଦ୍ୱିମୁଖୀ ଲଢେଇ(ବିଜେଡି-ବିଜେପି) ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି ।

ତେବେ କଣ କହୁଛି ବାଲେଶ୍ୱର ଆସନର ଇତିହାସ । ୧୯୫୧ରୁ ୨୦୧୯ ମଧ୍ୟରେ ୧୬ ଥର ନିର୍ବାଚନ ହୋଇଛି । ଏଥିରେ କଂଗ୍ରେସ ୪, ଭାଜପା ୨ ଥର , ଓଡ଼ିଶା ଗଣପରିଷଦ ଏବଂ ସ୍ୱାଧୀନପ୍ରାର୍ଥୀ ଥରେ ଥରେ  ବିଜୟୀ ହୋଇଛନ୍ତି । ସେହପରି ସିପିଆଇ ୩ ଥର ବିଜୟୀ ହୋଇଥିବା ବେଳେ ପ୍ରଜାସୋସିଆଲିଷ୍ଟ ପାର୍ଟି ୨ ଥର ବିଜୟୀ ହୋଇଛି । ସେହିପରି ବିଜେଡି ୨ ଥର ଏବଂ ଜନତା ପାର୍ଟି ଥରେ ବିଜୟୀ ଲାଭ କରିଛି । ୧୯୯୭ରେ ବିଜେଡି ଗଠନ ହେବା ପରେ ୨୦୦୦ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ଏବଂ ୨୦୦୪ରେ ବିରୋଧୀ ମେଣ୍ଟ ଓଜିପିର ପ୍ରାର୍ଥୀ ଅରୁଣ ଦେ ବିଜୟୀ ହୋଇଛନ୍ତି । ସେହିପରି ୨୦୦୯ ଏବଂ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜୟୀ ହୋଇଥିଲେ । ଶେଷଥର ୨୦୧୯ରେ ଏହି ଆସନରୁ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ ।

ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଦତ୍ତ ପ୍ରାୟ ୪୭.୨୬ ପ୍ରତିଶତ ଭୋଟ ସହ ୭୪,୮୧୫ ଭୋଟ ପାଇଥିଲେ । ସେହିପରି ବିଜେଡି ପ୍ରାର୍ଥୀ ୩୮.୭୯ ପ୍ରତିଶତ ଭୋଟ ସହ ୬୧,୪୦୯ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ ୧୨.୪୫ ପ୍ରତିଶତ ଭୋଟ ସହ ୧୯୭୦୪ ଖଣ୍ଡ ଭୋଟ ପାଇଥିଲେ । ଉପନିର୍ବାଚନରେ ଦ୍ୱିମୁଖୀ ଲଢେଇ ହେଲେ କଂଗ୍ରେସ ଭୋଟ ଅନ୍ୟ ଦଳକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଏହା ପୂର୍ବ ଅର୍ଥାତ ୨୦୧୪ରେ ଏହି ଆସନ ପାଇଁ ଚର୍ତୁକୋଣୀୟ ପ୍ରତିଯୋଗିତା ହୋଇଥିଲା । କଂଗ୍ରେସରୁ ଅରୁଣ ଦେ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ବିଦ୍ରୋହୀ ଭାବେ ମାନସ ଦାସ ପଟ୍ଟନାୟକ ନିର୍ବାଚନ ଲଢିଥିଲେ ।