ତିର୍ତ୍ତୋଲ ନିର୍ବାଚନ ପୂର୍ବରୁ ବନ୍ଧାହେଲେ କ୍ରିମିନାଲ, ଟାର୍ଗେଟରେ ୧୫୦୦ ଅସାମାଜିକ ବ୍ୟକ୍ତି

ତିର୍ତ୍ତୋଲ: ତିର୍ତ୍ତୋଲ ମୁକୁଟ ପିନ୍ଧିବା ପାଇଁ ଲାଗିଛି ସମ୍ମାନର ବାଜି ।  ରାତି ପାହିଲେ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ତିର୍ତ୍ତୋଲବାସୀ । ୩୭୩ ବୁଥରେ ୨ଲକ୍ଷ୩୯ ହଜାର ୧୫୩ ଭୋଟର ଭୋଟ ଦେବେ । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ଚିହ୍ନଟ ହୋଇଥିବା ୧୫୫ଟି  ବୁଥ ଉପରେ ଜିଲ୍ଲା ପ୍ରଶାସନର କଡା ନଜର ରହିଛି । ନିର୍ବାଚନକୁ ଶାନ୍ତି ଶୄଙ୍ଖଳା ପରିଚାଳନା କରିବା ସହ କୋଭିଡ କଟକଣା ଭିତରେ ମତଦାନ ପରିଚାଳନା ପାଇଁ ପ୍ରସ୍ତୁତ ଅଛି ଜିଲ୍ଲା ପ୍ରଶାସନ । ପୋଲିଂ ବୁଥରେ ମତଦାନ ପାଇଁ ପ୍ରସ୍ତୁତ ଅଛନ୍ତି ପୋଲିଂ ଅଧିକାରୀ । ସକାଳ ୫ ଟା ୩୦ରେ ମକ୍ ପୋଲ କରାଯିବ । ପ୍ରିଜାଇଡିଂ ଅଫିସର , ପୋଲିଂ ଅଧିକାରୀ ଓ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ଆଶା କର୍ମୀ ରହିବେ । ୭ଟାରେ ଆରମ୍ଭ ହେବ ମତଦାନ ।

ପୋଲିଂ ବୁଥ ବାହାରେ ଆଶା କର୍ମୀ ପ୍ରତି ଭୋଟରଙ୍କର ତାପମାତ୍ରା ଯାଞ୍ଚ କରିବେ । ନିର୍ଦ୍ଧାରିତ ତାପମାତ୍ରା ଠାରୁ ଯାହାର ଅଧିକ ତାପମାତ୍ରା ରହିବ ତାଙ୍କୁ ମତଦାନ ପାଇଁ ସ୍ୱତନ୍ତ୍ର ସମୟ ଦିଆଯିବ । ସନ୍ଧ୍ୟା ୫ରୁ୬ ମଧ୍ୟରେ ଏହି ଭୋଟର ମତଦାନ କରିପାରିବେ । ଭୋଟରଙ୍କ ସମେତ ପୋଲିଂ ଅଧିକାରୀ ବି ପିପିଇ କିଟ ପିନ୍ଧିବେ । ଆଜି ସମସ୍ତ ପୋଲିଂ ବୁଥକୁ ବିଶୋଧନ କରାଯାଇଛି । ଏହାସହ ସାମାଜିକ ଦୂରତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଅସାମାଜିକଙ୍କୁ ସାବାଡ କରିବା ପାଇଁ ପୋଲିସ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ପୋଲିସ ବିଭାଗର ପ୍ରସ୍ତୁତି ସରିଛି । ତିର୍ତ୍ତୋଲର ୧୫୦୦ ଜଣ ଅସାମାଜିକ ଲୋକଙ୍କ ତାଲିକା କରିବା ସହ ୭୫ ଓ୍ୱାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଆୟୋଜନ କରିବା ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି ।

ନିର୍ବାଚନ ମଣ୍ଡଳୀର ୩୭୩ ବୁଥକୁ ପୋଲିଂ ଅଧିକାରୀ ପହଞ୍ଚି ସାରିଛନ୍ତି । ୧୫୫ ସମ୍ବେଦନଶୀଳ ବୁଥ ମଧ୍ୟରୁ  ୩୭ ବୁଥରେ ଓ୍ୱେବ କାଷ୍ଟିଂ ସହ ସିସିଟିଭି ର ବ୍ୟବସ୍ଥା କରାଯାଇଛି । ୩୨ ପୋଲିସ ପେଟ୍ରୋଲିଂ ୟୁନିଟ ତିର୍ତ୍ତୋଲର ସୀମାରେ ନିୟୋଜିତ ରହିବା ସହ ସମ୍ବେଦନଶୀଳ ବୁଥରେ ପଇନ୍ତରା ମାରିବେ । ଏନେଇ କେନ୍ଦ୍ରାଞ୍ଚଳ ଡିଆଇଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଥାନା ଓ ବୁଥ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave a Reply