ଭୋଟିଂ ପାଇ ସରିଛି ସବୁ ପ୍ରସ୍ତୁତି; କୋଭିଡ୍ କଟକଣା ଉପରେ ଜିଲ୍ଲା ପ୍ରଶାସନର ଫୋକସ୍…

1 min read

ବାଲେଶ୍ୱର/ ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପ୍ରଚାର ସରିଛି । ଏବେ ଭୋଟିଂର ସମୟ । କୋଭିଡ୍ ସମୟରେ ଭୋଟିଂ ଏକ ବଡ ଆହ୍ୱାନ । କିଭଳି ଭାବେ ସୁରକ୍ଷିତ ଭାବେ କୋଭିଡ୍ କଟକଣା ମଧ୍ୟରେ ଭୋଟେ ହୋଇପାରିବ ତା’ ଉପରେ ସମସ୍ତଙ୍କ ନଜର ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ  ପ୍ରକାର ପ୍ରସ୍ତୁତି ଶେଷ କରିଛି । ବାଲେଶ୍ୱର ପାଇଁ ୩୪୬ ବୁଥ୍‌ କରାଯାଇଛି  । ୧୮୦୦ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି ।  ପ୍ରତି ବୁଥ୍‌ରେ ଜଣେ ଲେଖାଏଁ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ଏମାନେ କୋଭିଡ ନିୟମ ତଦାରଖ କରିବେ । ପ୍ରତି ଭୋଟରଙ୍କୁ ଆଶାକର୍ମୀ ସାନିଟାଇଜ୍ କରିବେ ।

ତେବେ ବାଲେଶ୍ୱର ସଦରରେ ୬୭ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି  । ଏଠାରେ ସ୍ୱତନ୍ତ୍ର ପ୍ରସ୍ତୁତି ରହିଛି । ମୋଟ୍‌ ୩୪୬ ବୁଥ କରାଯାଇଥିବା ବେଳେ ୧ ହଜାର ୮ଶହ ପୋଲିଂ ଏବଂ ପ୍ରିଜାଇଡିଂ ଅଫିସର ନିୟୋଜିତ ହୋଇଛନ୍ତି।  ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ । ୫ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୨୨ ଜଣ ଇନ୍ସପେକ୍ଟର, ୧୫୨ ଜଣ ଅଫିସର, ୮ ଜଣ ହାବିଲଦାର, ୩୫୨ ଜଣ ଏପିଆର ଫୋର୍ସଙ୍କୁ ନିୟୋଜିତ କରାଯାଇଛି  ।

ସେହିଭଳି ତିର୍ତ୍ତୋଲରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି । ନିର୍ବାଚନ ମଣ୍ଡଳୀର ୩୭୩ ବୁଥକୁ ପୋଲିଂ ଅଧିକାରୀ ପହଞ୍ଚି ସାରିଛନ୍ତି । ନିର୍ବାଚନ ମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ ।  ୩୭ ବୁଥରେ ୱେବ କାଷ୍ଟିଂ ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ୩୨ ପୋଲିସ ପେଟ୍ରୋଲିଂ ୟୁନିଟ୍ ତିର୍ତ୍ତୋଲର ସୀମାରେ ନିୟୋଜିତ ରହିବା ସହ ସମ୍ବେଦନଶୀଳ ବୁଥରେ ପଇନ୍ତରା ମାରିବେ ବୋଲି ଜଗତସିଂହପୁର ଏସ ପି ସୂଚନା ଦେଇଛନ୍ତି ।

Leave a Reply