spot_img
Home Blog Page 6524

Covaxin ଲଞ୍ଚ ନେଇ ଭାରତ ବାୟୋଟେକ୍ ପକ୍ଷରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ଭାରତ ବାୟୋଟେକ୍ ଟିକା ନେଇ ଏକ ବଡ଼ ଘୋଷଣା କରିଛି । ଭାରତ ବାୟୋଟେକ୍ ଅନୁସାରେ, ୨୦୨୧ ମସିହା ଜୁନ୍ ମାସ ସୁଦ୍ଧା କୋଭାକ୍ସିନ୍ ର ରେଗୁଲେଟୋରୀ ଅନୁମତି ପାଇଁ ଆବେଦନ କରିବ। କମ୍ପାନୀର କହିବାନୁସାରେ, ଦେଶରେ କରୋନା ଟୀକା ନେଇ ଯେଉଁ ପରୀକ୍ଷଣ କରାଯାଉଛି, ଏହାର ଡାଟା ପାଇଁ ପାଖାପାଖି ୬ ମାସ ଲାଗିବ । ଭାରତ ବାୟୋଟେକ୍ ନିର୍ଦ୍ଦେଶକ ସାଇ ପ୍ରସାଦ କହିଛନ୍ତି ଯେ, କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ ହୋଇଛି । ଏବଂ ୨୬ ହଜାରରୁ ଅଧିକ ଲୋକଙ୍କଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।

ସାଇ ପ୍ରସାଦ କହିଛନ୍ତି ଯେ, କରୋନା ଭାଇରସ ଟିକା ପାଇଁ କମ୍ପାନୀ ୪୦୦ କୋଟି ଟଙ୍କା ବିନିଯୋଗ କରିଛି । ସବୁଠୁ ଅଧିକ ଖର୍ଚ୍ଚ ଟିକା ପରୀକ୍ଷଣରେ ହୋଇଛି । ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ପାଖରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ସେ ସବୁବେଳେ ସବୁ ପରୀକ୍ଷା ଉପରେ ନଜର ରଖିଛନ୍ତି । ଏଭଳି ପରିସ୍ଥିତିରେ ସେ ଯେକୌଣସି ମୂହୁର୍ତ୍ତରେ ଅନୁମୋଦନ ଦେଇପାରିବେ । ସେ କହିଛନ୍ତି ଯେ, ଆବଶ୍ୟକ ହେଲେ କିଛି ଇଣ୍ଡଷ୍ଟ୍ରି ସିଧାସଳଖ ମଧ୍ୟ ଟିକା କିଣି ପାରିବେ । ତେଣୁ ଏଭଳି ପ୍ରସଙ୍ଗରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ହେବ ।

ପ୍ରସାଦଙ୍କ କହିବାନୁସାରେ ଭାରତର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ବହୁ ସଂଖ୍ୟକ ଟ୍ରାଏଲ ଆବଶ୍ୟକ। ଟିକା ସୁରକ୍ଷା ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପାଇଁ ଅପେକ୍ଷା କରିଛି । ତେବେ ଆସନ୍ତା ବର୍ଷ ସୁଦ୍ଧା ଚୂଡ଼ାନ୍ତ ଲାଇସେନ୍ସ ଆସିପାରେ । ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ କରୋନା ସଂକ୍ରମଣ ପାଇଁ ଏକ ‘କୋଭିଶିଲ୍ଡ’ ଟିକା ପ୍ରସ୍ତୁତ କରୁଛି। ସେରମ୍ ପ୍ରତିଷ୍ଠାନ ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଚୟନ ଆରମ୍ଭ କରିସାରିଛି।

ଜଗି ଓ ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଲା ‘ପାଥ୍’,ଭୂତ କଂପାନୀଙ୍କ ଜରିଆରେ ୧୮ କୋଟି ହେରଫେର

ନୂଆଦିଲ୍ଲୀ: ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଛି ଗମ୍ଭୀର ଅଭିଯୋଗ । ଉଭୟ ଜାଲ୍ ଦରିଆପାରୀ କଂପାନୀଙ୍କ ଜରିଆରେ ମନି ଲଣ୍ଡ୍ରିଂ ବା ଆର୍ଥିକ ହେରଫେର କରୁଥିଲେ ବୋଲି ଦିଲ୍ଲୀର ଏକ ସାମାଜିକ ସଂଗଠନ ଅଭିଯୋଗ କରିଛି । ପାଥ୍ ନାମକ ଏହି ସାମାଜିକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଏହି ଅଭିଯୋଗ କରିବା ସହିତ ତଦନ୍ତ ତ୍ୱାରନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ନିବେଦନ କରାଯାଇଛି ।

ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଜଗି ଓ ବୈଜୟନ୍ତ ଟ୍ୟାକ୍ସ ଚୋରି ସହିତ ସିଏସଆର ଫଣ୍ଡ୍ ହେରଫରେରେ ସାମିଲ ଅଛନ୍ତି । ବାହାମାସ ଦ୍ୱୀପରେ ଥିବା ତିନୋଟି କଂପାନୀ ଜରିଆରେ ଆର୍ଥିକ ହେରଫେର ହେଉଥିଲା । ଏନେଇ ଫେବ୍ରୁଆରି ମାସରେ ଦିଲ୍ଲୀ ହାଇକୋର୍ଟେରେ ପାଥ୍ ଆବେଦନ କରିଥିଲା । ହାଇକୋର୍ଟ ପ୍ରଥମ ଦୃଷ୍ୟରେ ଏହା ମନି ଲଣ୍ଡ୍ରିଂ ମାମଲା ଲାଗୁଥିବା କହିବା ସହିତ ତଦନ୍ତ ପାଇଁ ଆଦେଶ ଦେଇଥିଲେ ।

ତେବେ ସଂଗଠନର କାହିବା ହେଉଛି ଫେବ୍ରୁଆରୀ ମାସରୁ ତଦନ୍ତ ଆଦେଶ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତୀ ହୋଇନାହିଁ । ତେଣୁ ତଦନ୍ତକୁ ତ୍ୱାରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦେଶ ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି । ପାଥ୍ ଅନୁସାରେ ବାହାମସରୁ ଯେଉଁ ତିନୋଟି କଂପାନୀରୁ ଭାରତ ଟଙ୍କା ଆସୁଥିଲା ସେହି କଂପାନିଗୁଡିକୁ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ଦୁଇଟି କଂପାନୀ ପଣ୍ଡା ଇନଭେଷ୍ଟମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଇ ଲାଇଟ୍ ପ୍ରାଇଭେଟ୍ ଲିମିଟିଟେଡ୍ ନିୟନ୍ତ୍ରଣ କରନ୍ତି ।

ବେନାମୀ ବାହାମସ କଂପାନୀରୁ ଆସୁଥିବା ଟଙ୍କା ମଂଜୁଳା ଦେବୀ ଟ୍ରଷ୍ଟକୁ ଯାଇଥାଏ ବୋଲି ସଂଗଠନ ଅଭିଯୋଗ କରିଛି । ପୁରା କାରବାରରେ ୧୮ କୋଟି ଟଙ୍କା ହେରଫରେ ହୋଇଥିବା କୁହାଯାଉଛି । ଯେଉଁ ବେନାମୀ କଂପାନୀଙ୍କ ଜରିଆରେ ଟଙ୍କା ଆସୁଛି ସେହି କଂପାନୀଙ୍କ ବାବଦରେ ସବିଶେଷ ତଥ୍ୟ ଇଣ୍ଟରନ୍ୟାସନାଲ କନସୋରଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣଲିଷ୍ଟ୍ ୱେବସାଇଟରେ ରହିଥିବା କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ରିଷି ମିଶ୍ର,ପ୍ରେମଶଙ୍କର ଝା,ଅତୁଲ ଗୁଲେରିଆ ଓ ବିଘ୍ନେଶ୍ୱର ଝା ଯୋଗ ଦେଇଥିଲେ ।

ଦଣ୍ଡାଦେଶର ତୁରନ୍ତ ପରେ ଦିଲ୍ଲୀପ ରାୟଙ୍କୁ ଜାମିନ…

ଦିଲ୍ଲୀପ ରାୟଙ୍କୁ ଜାମିନ ମିଳିଛି । କିଛି ସମୟ ପୂର୍ବରୁ ତାଙ୍କୁ ୩ ବର୍ଷ ପାଇଁ କାରଦାଣ୍ଡର ଘୋଷଣା ହୋଇଥିବା ବେଳେ ଦିଲ୍ଲୀପଙ୍କୁ ଏବେ ଜାମିନ ମିଳିସାରିଛି ।  ଜଣେ ଜାମିନଦାର ଓ ଏକ ଲକ୍ଷ ଟଙ୍କା ବେଲବଣ୍ଡରେ ଦିଲ୍ଲୀପଙ୍କୁ କୋର୍ଟ ଜାମିନ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡ ଘୋଷଣା କରିଥିଲେ ।

ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଇପିସି ୧୨୦ ବି, ୪୦୯ ଓ ୪୨୦ରେ ଧାରା ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦିଲ୍ଲୀପଙ୍କ ସମେତ ପାଞ୍ଚ ଜଣକ ବିରୋଧରେ ମଧ୍ୟ ଦଣ୍ଡ ଶୁଣାଣି ହୋଇଥିଲା । ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୯୯୯ରେ କାଷ୍ଟ୍ରନ୍ ଟେକ୍ନୋଲୋଜିକୁ ଝାଡଖଣ୍ଡ ବ୍ରହ୍ମଡିହା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ମାମଲାରେ ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ । ତେବେ ଆଜି ଦିଲ୍ଲୀପଙ୍କ ସମେତ ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଟ୍ରେନରେ କଟି ପରିବାରର ୩ ମୃତ; ଆତ୍ମହତ୍ୟା ସନ୍ଦେହ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଲକ୍ଷ୍ମୀପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରେନ୍‌ରେ କଟି ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସିଙ୍ଗାରାମ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ପରିବାରର ବାପ, ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୪୦ ବର୍ଷୀୟ କୋଦଣ୍ଡ ସାହୁ, ୧୨ ବର୍ଷର ଶ୍ରୀୟା ସାହୁ ଓ ୮ ବର୍ଷର ସିଧୁ ସାହୁ । ଏମାନେ ଡିକିରି କୁରାପାଲ୍ଲୀର ବାସିନ୍ଦା ଅଟନ୍ତି ।

ତେବେ ରେଳଲାଇନ ପାଖକୁ ସେମାନେ କାହିଁକି ଯାଇଥିଲେ ଓ ମୃତ୍ୟୁ ପଛର କାରଣ କଣ ସେନେଇ ଜିଆରପି ପୋଲିସ ଖୋଳତାଡ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ପାରିନଥିଲେ ମଧ୍ୟ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏଥର ଶୀତ ଋତୁରେ ଉଡ଼ିବ କମ୍ ବିମାନ, ଜାଣନ୍ତୁ କେତେ ବିମାନକୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଶୀତ ଋତୁରେ ଦେଶରେ ୧୨ ହଜାର ୯୮୩ ଘରୋଇ ବିମାନ ଉଡିବ । ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ବିମାନ ଉଡ଼ାଣ ନେଇ ତାଲିକା ପ୍ରକାଶ କରିଛି ଡିଜିସିଏ ।  ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କମ ବିମାନ ଉଡ଼ିବ । ତାଲିକାରେ ସ୍ପଷ୍ଟ କରାଯାଇଛି ଯେ, ଏଥର ମାତ୍ର ୪୪ ପ୍ରତିଶତ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି  । କରୋନା ସଂକ୍ରମଣ ଯୋଗୁଁ ଦେଶରେ ବହୁ ବିମାନ ଉଡ଼ାଣ ବନ୍ଦ ଥିବା ବେଳେ ସର୍ତ୍ତ କୋହଳ କରି ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି  ।

ତେବେ ଦେଶର ୯୫ଟି ବିମାନ ବନ୍ଦରରୁ ଉଡ଼ାଣ ହେବ । ଲୋକଙ୍କ ବିମାନ ଯାତ୍ରା ବଢ଼ିଲେ ଆଗାମୀ ଦିନରେ ବିମାନ ସଂଖ୍ୟା ବଢ଼ା ଯାଇପାରେ ବୋଲି ଅନୁମାନ କରାଯାଉଛି  । ଗତବର୍ଷ ଶୀତଋତୁରେ ଦେଶରେ ୨୩ ହଜାର ୩୦୭ ବିମାନ ଉଡ଼ାଣ କରିଥିଲା । ଚଳିତ ବର୍ଷ ଶୀତ ଦିନରେ, ଇଣ୍ଡିଗୋର ୬,୦୦୬ ସାପ୍ତାହିକ ଘରୋଇ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି । ଇଣ୍ଡିଗୋ ଭାରତର ସବୁଠୁ ବଡ଼ ବିମାନ ସେବା ଯୋଗାଉଥିବା କମ୍ପାନୀ । ସେହିପରି ସ୍ପାଇସଷେଟ୍ କୁ ୧୯୫୭ ଏବଂ ଗୋ ଏୟାରକୁ ୧୨୦୩ ସାପ୍ତାହିକ ଘରୋଇ ବିମାନ ଉଡ଼ାଣ ପାଇଁ ମଞ୍ଜୁରୀ ଦିଆଯାଇଛି ।

ଭାରତରେ କରୋନା ମହାମାରୀ ଯୋଗୁଁ ଦୁଇ ମାସର ବ୍ୟବଧାନ ପରେ ମେ ମାସ ୨୫ ତାରିଖରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଏହି ନୂତନ ବ୍ୟବସ୍ତାରେ ସବୁଠାରୁ ଅଧିକ ହ୍ରାସ ସ୍ପାଇସଜେଟର ସାପ୍ତାହିକ ବିମାନରେ ହୋଇଛି । ଯାହା ଗତ ବର୍ଷରୁ ତୁଳନାରେ ୫୫ ପ୍ରତିଶତ କମ ରହିଛି । ଏହା ପରେ ଏୟାର ଇଣ୍ଡିଆର ୫୦ ପ୍ରତିଶତ ବିମାନ କମ ଉଡୁଛି । ଏୟାର ଏଣ୍ଡିଆ ପରେ ଏହି ତାଲିକାରେ  ଇଣ୍ଡିଗୋ ଓ ଗୋ ଏୟାର ରହିଛି ।

Odisha Corona Updates: ସଂକ୍ରମଣ ଖସୁଛି, ଅନୁଗୁଳରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ…

ଭୁବନେଶ୍ୱର: ରାଜ୍ୟରେ ଆଜି ୧୪୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । ୧୪୮୦ ସଂକ୍ରମଣ ମଧ୍ୟରୁ ୮୫୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୬୨୨ ରହିଛି । ତେବେ ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ତାଲିକାରେ ଅନେକ ଦିନ ହେବ ସବୁଠାରୁ ଆଗରେ ରହିଥିବା ବେଳେ ଆଜି ଅନୁଗୁଳ ଜିଲ୍ଲାକୁ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ଦେଖିବାକୁ ମିଳିଛି ।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଖୋର୍ଦ୍ଧାରୁ ୧୧୦, କଟକରୁ ୧୦୬, ସୁନ୍ଦରଗଡରୁ ୯୦, ମୟୂରଭଞ୍ଜରୁ ୧୧୩, କେନ୍ଦୁଝରରୁ ୮୭, ବାଲେଶ୍ୱରରୁ ୮୪, ଯାଜପୁରରୁ ୫୬, କେନ୍ଦ୍ରାପଡାରୁ ୫୧, ଝାରସୁଗୁଡ଼ାରୁ ୫୦, ଜଗସିହପୁରରୁ ୭୨, ବରଗଡ଼ରୁ ୪୯, ନବରଙ୍ଗପୁରରୁ ୪୦, ନୂଆପଡ଼ାରୁ ୪୪, ବଲାଙ୍ଗିରରୁ ୪୪, ପୁରୀରୁ ୪୭ ଓ ଭଦ୍ରକରୁ ୨୪ ଜଣ ପଜିଟିଭ୍ ହୋଇଛନ୍ତି ।

ସେହିଭଳି ବୌଦ୍ଧରୁ ୧୨, ଦେଓଗଡ଼ରୁ ୧୧, ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୨୦, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୭, କୋରାପୁଟରୁ ୩୯, ମାଲକାନଗିରିରୁ ୨୩, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୮, ସମ୍ୱଲପୁରରୁ ୨୯, ସୋନପୁରରୁ ୧୪ ଓ ଷ୍ଟେଟ୍ ପୁଲ୍ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ରାଜ୍ୟରେ ଟେଷ୍ଟିଂ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଏଯାବତ୍ ରାଜ୍ୟରେ ୪୩ ଲକ୍ଷ ୫୪ ହଜାର ୯୫୬ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହୋଇ ସାରିଛି । ସେହିଭଳି ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୭ ହଜାର୨୮୧ ଓ ସମୁଦାୟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ ।

ଦେଶରେ ୫ଶହ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁ, ଗତ ୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଲଗାତର ଭାବେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ଦିନକରେ ୪୫ହଜାର ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବହୁ ମାସ ପରେ ୫ଶହ ତଳକୁ ଖସିଛି । କରୋନାରେ ଦେଶରେ ଆଉ ୪୮୦ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯ଲକ୍ଷ ୯ହଜାର ୯୬୦ରେ ପହଞ୍ଚିଛି । ଏହା ସହ ଆକ୍ଟିଭ କେସ୍ ୬ଲକ୍ଷ ୫୩ହଜାର ୭୧୭ରେ ପହଞ୍ଚିଥିବାବେଳେ, ୭୧ଲକ୍ଷ ୩୭ହଜାର ୨୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୯ହଜାର ୧୪କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୬ଲକ୍ଷ ୪୫ହଜାର ୨୦ ସଂକ୍ରମିତ ହୋଇଥିବା ବେଳେ ୪୩ହଜାର ୨୪୬ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଦ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ଲେଖାଏଁ ହେଲାଣି । ତାମିଲନାଡୁରେ ପଜିଟିଭ ସଂଖ୍ୟା ୭ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ୯୨୪ରେ ପହଞ୍ଚିଛି । ICMR ଅନୁସାରେ, ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ୧୦ କୋଟି ୩୪ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୯.୩୯ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା।

ଏହା ଏକ ଆଶ୍ୱସ୍ତିର ବିଷୟ ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି । ଏବଂ ସକ୍ରିୟ ମାମଲା ମଧ୍ୟ କମିବାରେ ଲାଗିଛି। ଏହା ସହିତ ଭାରତରେ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି । ସକ୍ରିୟ ମାମଲା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ।

ସୁନାବେଶରେ ବଡଦେଉଳେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ବିଜୟା ଦଶମୀ |ଅସତ୍ୟ ଉପରେ ସତ୍ୟର ବିଜୟ ଦିବସ | ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉ ମାନଙ୍କର ସ୍ୱତନ୍ତ୍ର ନୀତିକାନ୍ତି ସହ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ମହାବାହୁ । ଶ୍ରୀଜିଉ ମାନେ ବର୍ଷକୁ ୫ଥର ସୁନାବେଶରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନ ହେଉଛି ଏକ ବିଶେଷ ଦିନ । ହେଲେ ଚଳିତ ବର୍ଷ କିନ୍ତୁ ତାଙ୍କର ଏହି ବେଶ ଦର୍ଶନ କରିବାକୁ ଭକ୍ତ ନାହାନ୍ତି । କୋଭିଡ କଟକଣା ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଛି ।

କେବଳ ସେବାୟତଙ୍କ ଦ୍ବାରା ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି କରାଯାଉଛି । ଆଜିଠାରୁ ମଧ୍ୟ ଵିଧି ପରମ୍ପରା ଅନୁସାରେ ଚଳିତ ବର୍ଷ ପଡୁଥିବା ଚତୁର୍ଦ୍ଧା ବିଗ୍ରହଙ୍କ ନାଗାର୍ଜୁନ ବେଶ ପ୍ରସ୍ତୁତି ନିମନ୍ତେ ଶୁଭ ଅନୁକୂଳ କରାଯାଇଛି | ତେବେ ରାଜରାଜେଶ୍ୱର ବେଶରେ ପ୍ରଭୁଙ୍କ ମହଣ ମହଣ ସୁନାରେ ବେଶ କରାଯାଇଥାଏ । ଉତ୍କଳ ପ୍ରଦେଶର ଶାସକମାନକ ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ମାନୁଥିବା ହେତୁସୁନା ଅଳଙ୍କାରମାନ ଦାନ କରିଥିଲେ । ପ୍ରଭୁଙ୍କ ପାର୍ବଣରେ ଏହି ସୁନାଗୁଡିକ ବ୍ୟବହାର କରାଯାଇଥାଏଷ

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ୱର: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି । ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଇପିସି ୧୨୦ ବି, ୪୦୯ ଓ ୪୨୦ରେ ଧାରା ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦିଲ୍ଲୀପଙ୍କ ସମେତ ପାଞ୍ଚ ଜଣକ ବିରୋଧରେ ହେବ ଦଣ୍ଡ ଶୁଣାଣି ।

ଆଜି ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୯୯୯ରେ କାଷ୍ଟ୍ରନ୍ ଟେକ୍ନୋଲୋଜିକୁ ଝାଡଖଣ୍ଡ ବ୍ରହ୍ମଡିହା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ । ଦିଲ୍ଲୀପଙ୍କ ସମେତ ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ମାଆଙ୍କର ଏହି ମନ୍ଦିରରେ ମନୋସ୍କାମନା ପୂରଣ ପାଇଁ ଭକ୍ତମାନେ ଦେଲେ ୨୮୮ ଛେଳି ବଳି

ସମସ୍ତିପୁର: ସମସ୍ତିପୁରରେ ଆଜି ବି ଲୋକେ ନିଜର ମନୋସ୍କାମନା ପୂରା କରିବା ପାଇଁ ଲୋକେ ବଳି ଦେଉଛନ୍ତି । ବଳି ଦେବାର ପ୍ରଥା ନେଇ ଆଜି ବି ସେଠାର ଲୋକେ ବିଶ୍ୱାସ ରଖିଛନ୍ତି । ସେଠାରେ ଦୁର୍ଗା ମାଆଙ୍କର ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ନିଜ ମାନସିକ ପୂରା କରନ୍ତି । ତେଣୁ ପ୍ରତ୍ୟେକ ବର୍ଷ ସେଠାରେ ଦୁର୍ଗା ପୂଜା ଅବସରରେ ଛେଳି ବଳି ଦିଆଯାଏ । ସେହିଭଳଳି ଭକ୍ତମାନେ ନିଜ ମାନସିକ ପୂରଣ କରିବା ପାଇଁ ଏଥରକ ୨୮୮ ଛେଳି ବଳି ଦେଇଛନ୍ତି । ମହାଷ୍ଟମୀ ରାତିରେ ମାଆଙ୍କ ନିକଟରେ ଛପନ ଭୋଗ ଅର୍ପଣ କରିବା ନୀତି ମଧ୍ୟ ରହିଛି । ସେଦିନ ରାତିରେ ବଳି ପଡ଼ିବାର ପ୍ରଥା ପାଳନ ରହିଥାଏ ।

ସମସ୍ତିପୁର ଜିଲ୍ଲାର ବିଘାପରିନଗର ବ୍ଲକର ମଉ ବଜାର ସ୍ଥିତ ପୁରୁଣା ଦୁର୍ଗା ମନ୍ଦିରରେ ଦୀର୍ଘ ବର୍ଷ ଧରି  ପ୍ରଥା ପାଳନ କରାଯାଉଛି । ସେଠାରେ ଭକ୍ତମାନଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତମାନେ ଛେଳି ବଳି ପକାଇ ଥାନ୍ତି । ଏହି କାରଣ ଯୋଗୁଁ ନବରାତ୍ରୀ ସମୟରେ ଦୁର୍ଗା ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ଜମିଥାଏ ।

ଏହି ଦୁର୍ଗା ମନ୍ଦିର ପ୍ରତ୍ୟେକ ବର୍ଷ ନବରାତ୍ରୀରେ ଆକର୍ଷଣର କେନ୍ଦ୍ର ପାଲଟିଥାଏ । ଗୁରୁଜନଙ୍କ ଅନୁଯାୟୀ, ଏଠାରେ ୨୦୦ ବର୍ଷରୁ ଅଧିକ ସମୟ ଧରି ମାଆଙ୍କର ପୂଜାଅର୍ଚ୍ଚନା ଜାରି ରହିଛି । ମନୋସ୍କାମନା ପୂର୍ଣ୍ଣ ହେବାପରେ ମହାଷ୍ଟମୀ ଏବଂ ନବମୀରେ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ ।

ଏଠାରେ ଭକ୍ତମାନେ ବସ୍ତ୍ର, ଅଳଙ୍କାର, ନାଲି ଓଢ଼ଣି ମାଆଙ୍କୁ ଅର୍ପଣ କରାଯାଏ । ଭକ୍ତଙ୍କ ଅନୁସାରେ ସେଠାରେ ସମସ୍ତ ଇଚ୍ଛା ପୂର୍ଣ୍ଣ ହୁଏ । ନୋକାମନା ଦେବୀ ଭାବରେ ପ୍ରସିଦ୍ଧ, ଏହି ମନ୍ଦିରରୁ କେହି ଖାଲି ହାତରେ ଫେରନ୍ତି ନାହିଁ । ଏଥର ମଧ୍ୟ ଅନେକ ଲୋକଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଛି । ସେଥିପାଇଁ ବର୍ଷ ବର୍ଷ ଧରି ପାଳନ ହେଉଥିବା ଏହି ପ୍ରଥା ବିଶ୍ୱାସରେ ପରିଣତ ହୋଇଛି ।