spot_img
Home Blog Page 6496

ପ୍ରଶ୍ନ ଉଠାଇଲା କଂଗ୍ରେସ: କେନ୍ଦ୍ର ପାଇଁ ରାଜ୍ୟ ବିଜେପିର ଓକିଲାତି

0

ଭୁବନେଶ୍ୱର,(ଚିନ୍ମୟ କୁମାର ମହାପାତ୍ର): ବନ୍ୟାକୁ ନେଇ ରାଜନୀତି ବଢିବାରେ ଲାଗିଛି । ବନ୍ୟାକୁ ୧୫ ଦିନ ଉପରେ ବିତିସାରିଛି । ଏସ୍‌ଆର୍‌ସି ଅବଗତ କରିବା ସତ୍ତ୍ୱେ କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରିବାର ନାଁ ଧରୁନି । ଏପଟେ କିନ୍ତୁ କେନ୍ଦ୍ରକୁ ଅପେକ୍ଷା ନକରି ମୁଖ୍ୟମନ୍ତ୍ରୀ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା ଘୋଷଣା କରିସାରିଲେଣି । କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ବିଜେଡି ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ କ୍ଷତିଗ୍ରସ୍ତ କୃଷକଙ୍କୁ ବେଶ୍‌ ସହାୟକ ହେବ ବୋଲି କୁହାଯାଇଛି l ଯାହାକୁ ନେଇ ସରଗରମ ହୋଇଛି ରାଜନୀତି l

କରୋନା ମହାମାରୀ ଭାଙ୍ଗିଦେଇଛି ଅର୍ଥନୈତିକ ଅଣ୍ଟା । ତଥାପି ରାଜ୍ୟ ସରକାର କିନ୍ତୁ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଅଜାଡି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କରୋନା ସହାୟତା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଲୋକେ କ୍ଷୟକ୍ଷତି ପାଇଁ ଚାହିଁ ବସିଥିବା ବେଳେ କେନ୍ଦ୍ରୀୟ ଟିମ ଆକଳନ କରିବାକୁ ଏଯାଏ ଆସିଲାନି । ଏହାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ l ଉଭୟ ବିଜେଡି ବିଜେପି ଏକ ହୋଇଥିବାରୁ କେନ୍ଦ୍ରୀୟ ଟିମ କାହିଁକି ଆସୁନି ବୋଲି ବିଜେଡି ପ୍ରଶ୍ନ କରନି ବୋଲି କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରଶ୍ନ କରିଛନ୍ତି l

ଅନ୍ୟପକ୍ଷରେ ଏହାକୁ ନେଇ ବିଜେଡି ଜବାବ ରଖିଛି । ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଟିମ ତୁରନ୍ତ ଆସିବା କଥା । ଏତେ ଦିନ ଯାଏ ଟିମ ଆସିନଥିବାରୁ କିଭଳି ବନ୍ୟାର ସଠିକ କ୍ଷୟକ୍ଷତି ଆକଳନ କରିବ ବୋଲି ବିଜେଡି ପ୍ରଶ୍ନ କରିଛି । ଅନ୍ୟପକ୍ଷରେ ବନ୍ୟା ସ୍ଥିତି ଆକଳନ ପାଇଁ କେନ୍ଦ୍ର ଟିମ ନଆସିବା ପରେ କେନ୍ଦ୍ର ପାଇଁ ଓକିଲାତି କରିଛି ରାଜ୍ୟ ବିଜେପି l କହିଛି, କେନ୍ଦ୍ର ଦେଉଥିବା ଅର୍ଥ ସଠିକ ଢଙ୍ଗରେ ଖର୍ଚ୍ଚ କରିବାରେ ଓଡିଶା ସରକାର ବିଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଜଣାନ୍ତୁ । କେନ୍ଦ୍ରୀୟ ଟିମ ଆସିବାର କିଛି ଆବଶ୍ୟକତା ନାହିଁ ।  ଗତ ବନ୍ୟାରେ ରାଜ୍ୟର 8ଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି l

ରାଜ୍ୟରେ ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏବେ ସୁଦ୍ଧା ଏକ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇସାରିଛନ୍ତି ।

ଆଜିର ୩୨୧୭ ଜଣ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୮୧ ଜଣ, କଟକରୁ ୨୭୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବରଗଡ଼ରୁ ୨୧୮, ରାୟଗଡ଼ାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡ଼ାରୁ ୯୬, ନବରଙ୍ଗପୁରରୁ ୭୯, ନୂଆପଡ଼ାରୁ ୭୯, ସୁନ୍ଦରଗଡ଼ରୁ ୭୯, ସମ୍ବଲପୁରରୁ ୭୫, ଅନଗୁଳରୁ ୬୯, କେନ୍ଦ୍ରାପଡ଼ାରୁ ୫୯, ଭଦ୍ରକରୁ ୫୪, ଜଗତସିଂହପୁରରୁ ୫୪, ସୋନପୁରରୁ ୫୩, ବାଲେଶ୍ୱରରୁ ୪୯, ବଲାଙ୍ଗିରରୁ ୪୯, ନୟାଗଡ଼ରୁ ୪୯, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭, ଦେଓଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।

ଏଣିକି ବଜାରରେ ମିଳିବ କରୋନା ଔଷଧ: ଜାଣନ୍ତୁ କିଭଳି ପାଇବେ ମେଡିସିନ୍

ଭୁବନେଶ୍ୱର: କରୋନାକୁ ନେଇ ଗୁଡ୍‌ ନ୍ୟୁଜ୍‌ । ବିଦେଶୀ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଦେଶୀ ଟିକା ଆଶା ସଞ୍ଚାର କରିଛି । ପରୀକ୍ଷାରେ ଦେଶୀ ଟିକା ପାସ କରିଛି ବୋଲି ଗବେଷଣାକାରୀ ସଂସ୍ଥା ଭାରତ ବାୟୋଟେକ କହିଛି । କରୋନା ଔଷଧ ବଜାରରେ ବିକ୍ରି ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ଦେବା ପରେ NDC ଓଡ଼ିଶା ମଧ୍ୟ ଅନୁମତି ପ୍ରଦାନ କରିଛି । ଆଉ ଏକ ଭଲ ଖବର ହେଲା ଦେଶରେ ୭୭ ଦଶମିକ ୭ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ସ୍ୱାସ୍ଥ୍ୟ  ମନ୍ତ୍ରାଳୟ କହିଛି ।

କରୋନାକୁ ନେଇ ପ୍ରତିଦିନ ନିରାଶାଜନକ ଖବର ଆସୁଥିବାବେଳେ ଆଜି ଆସିଛି ଖୁସି ଖବର । ଏଣିକି ଦୋକାନରେ ମିଳିବ ଫେଭିପିରାଭିର ଟାବଲେଟ ଓ ରେମଡେସିଭିର ଇଞ୍ଜେକସନ । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ଦେବା ପରେ ଏନେଇ ନିର୍ଦ୍ଦେଶନାମା ଜାରିକରିଛି NDC ଓଡ଼ିଶା । ଔଷଧ ଲାଇସେନ୍ସ ଥିବା ଦୋକାନରେ ଏହା ବିକ୍ରି ହୋଇପାରିବ । କେଉଁ ଦୋକାନରେ ମିଳିବ ତାହା ସ୍ଥିର କରିବେ ଡ୍ରଗ୍ସ ଇନିସପେକ୍ଟର । କେବଳ ମେଡିକାଲ ବିଶେଷଜ୍ଞଙ୍କ ସୁପାରିସରେ ମିଳିବ ଔଷଧ ।

ଔଷଧ ବିକ୍ରି ପୂର୍ବରୁ ପ୍ରେସକ୍ରିପସନର କପି ରଖିବେ ଦୋକାନୀ । କିଣୁଥିବା ଲୋକର ସମସ୍ତ ତଥ୍ୟ ମଧ୍ୟ ଦୋକାନୀ ରଖିବେ । କେବଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରେମଡେସିଭିର ଇଞ୍ଜେକସନ୍‌ ବିକ୍ରି ହେବ । ସେପଟେ ଉଜ୍ଜୀବିତ ହୋଇଛି ଆଶା । ପରୀକ୍ଷଣରେ ଦେଶୀ ଟିକା ପାସ କରିଛି । ଦେଶରେ କରୋନା ଟିକାର ପରୀକ୍ଷଣ ସଫଳ ହୋଇଛି ବୋଲି ଗବେଷଣାକାରୀ କମ୍ପାନୀ ଭାରତ ବାୟୋଟେକ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ ଟିକା ପଶୁଙ୍କ ଉପରେ ପରୀକ୍ଷଣ ହୋଇଥିଲା । ଟିକା ଦିଆଯିବା ପରେ ପଶୁଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି ।

ସେମାନଙ୍କର ରୋଗପ୍ରତିରୋଧକ ଶକ୍ତିରେ ମଧ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି ବୋଲି କହିଛି ଭାରତ ବାୟୋଟକ । ଦେଶରେ ପ୍ରତେକ ଦିନ ୯୦ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ କୋଭାକ୍ସିନର ସଫଳ ପରୀକ୍ଷଣ ନୂଆ ଆଶା ସଂଞ୍ଚାର କରିଛି । ତେବେ ଖୁବଶୀଘ୍ର ଆଇସିଏମଆର ଏହାର ପରୀକ୍ଷଣ ନେଇ ରିପୋର୍ଟ ଦେବ । ତେବେ ସେପଟେ ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩. ୬ ନିୟୁତରୁ ଅଧିକ ଅର୍ଥାତ ୭୭. ୭ ପ୍ରତିଶତ କରୋନା ଭାଇରସ୍ ଆକ୍ରାନ୍ତ ରୋଗୀ ସୁସ୍ଥ ହେଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶ ରାଜ୍ୟର ବୋଲି ସରକାର କହିଛନ୍ତି ।

ଓଟିଭି ନିର୍ଦ୍ଦେଶିକା ରଖିଲେ ନାହିଁ ଜବାବ: ଆରମ୍ଭ ହେଲା ଖସିଯିବାକୁ ମସୁଧା

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜବାବ ରଖିବାକୁ ୪୮ଘଣ୍ଟାର ମହଲତ ପୂରି ଯାଇଛି । ହେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍‌କୁ ଖାତିର କଲେନି ଓଟିଭିର ନିର୍ଦ୍ଦେଶିକା । ସେପଟେ ଗିରଫଦାରି ଏଡ଼ାଇବାକୁ ଦୁଇ କର୍ମଚାରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଏସବୁ ଭିତରେ ମାମଲାରୁ ଖସି ଯିବାକୁ କମ୍ପାନୀ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି ଜବରଦସ୍ତ ମସୁଧା । ସ୍ପଷ୍ଟୀକରଣ ନାଁରେ ଆଭ୍ୟନ୍ତରୀଣ କମିଟିକୁ ପୀଡିତାଙ୍କ ମାଆଙ୍କୁ ଡକାଯାଇଥିବା କୁହାଯାଉଛି । ହେଲେ ପ୍ରଶ୍ନ, କର୍ମଚାରୀଙ୍କ ଝିଅ ଗଣଦୁଷ୍କର୍ମର ଶିକାର ହେଲେ, କଣ ବିଶାଖା ଗାଇଡଲାଇନ୍ ଅନୁସାରେ କଂପାନୀକୁ ସମାଧାନ କରିବାର ଅନୁମତି ରହିଛି କି?

ମିଡିଆ ବୋଲି ଚାପରେ ପୋଲିସ୍ ନା ନିଜ କର୍ମଚାରୀଙ୍କୁ ଖସାଇ ଦେବାର ଚକ୍ରାନ୍ତରେ ସଫଳ ହେଉଛି ଓଟିଭି । ଆଇନକାନୁନ୍‌କୁ ଏ ପ୍ରଶ୍ନ ପଚାରୁଛି ଓଡ଼ିଶା । କାରଣ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଆଇପିସିର ୩୭୬(ଡିଏ), ୩୭୬(୨), ୫୦୬, ୩୪ ଓ ପୋକ୍ସୋ ଆଇନ୍‌ର ଧାରା ୬ରେ ମାମଲା ରୁଜୁ ହୋଇଛି । ନାବାଳିକାଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ ହୋଇଛି । ପୀଡିତା ସ୍ପଷ୍ଟ ଭାବେ ଅଭିଯୁକ୍ତଙ୍କ ନାଁ କହିଛନ୍ତି । ହେଲେ କମିଶନରେଟ୍ ପୋଲିସର ସ୍ପେଶାଲ୍ ଟିମ୍ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍ ମାରିଛି ।

ସେପଟେ ଖସିଯିବାକୁ ଅଭିଯୁକ୍ତ ଆରମ୍ଭ କରିଛନ୍ତି ମସୁଧା । ଓଟିଭିର ଦୁଇ କର୍ମଚାରୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି  । ପୋଲିସ ଏବଂ ଓଟିଭି କର୍ମଚାରୀ ମିଶି ବାରମ୍ବାର ଦୁଷ୍କର୍ମ କରିଛନ୍ତି ନାବାଳିକାଙ୍କୁ । ଆଉ ଏବେ ଉଭୟ ପୋଲିସ୍ ଓ ମିଡିଆ ହାଉସ୍‌ର ଭୂମିକା ସନ୍ଦେହରେ । କାରଣ ଓଟିଭି କହୁଛି, ଏନେଇ ଆଭ୍ୟନ୍ତରୀଣ କମିଟିରେ ଆଲୋଚନା ହୋଇଛି । ଆଶ୍ଚର୍ଯ୍ୟର କଥା, ଜଣେ କର୍ମଚାରୀଙ୍କ ଝିଅ ଅଫିସ୍ ବାହାରେ ଗଣଦୁଷ୍କର୍ମର ଶୀକାର ହେବା ପରେ ଅଫିସ ଭିତରେ ଥିବା ବିଶାଖା କମିଟି କଣ କରି ପାରିଥାନ୍ତା ? ନିଜ କର୍ମଚାରୀଙ୍କ ଝିଅକୁ ଦୁଷ୍କର୍ମ ହେବା କଥା ଜାଣିଲେ ଚ୍ୟାନେଲର ନିର୍ଦ୍ଦେଶିକା । ହେଲେ ପୋଲିସକୁ ଏକଥା ଜଣାଇବା ପରିବର୍ତ୍ତେ, କାହିଁକି ତାଙ୍କୁ ଅଫିସକୁ ଡାକୁଥିଲେ ? ଏତଲା ପରେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ ହୋଇଛି ।

ହେଲେ ଏଯାଏଁ କାହିଁକି ଗିରଫ୍ କରାଯାଉନାହିଁ ? ୧୬୧ ଷ୍ଟେଟମେଣ୍ଟରେ ପୀଡିତା ପୋଲିସର ନାଁ କହିଛି । ସେହି ପୋଲିସଙ୍କୁ ତଦନ୍ତକାରୀ ଅଧିକାରୀ ଜେରା କଲେଣି କି ?
ପୀଡିତାଙ୍କ ମାଆ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓଟିଭି କାର୍ଯ୍ୟାଳୟକୁ ବାରମ୍ବାରା ଯାଇ ତନାଘନା କରୁଛି । ଏତଲାରେ ନାଁ ଥିବା କିଛି କର୍ମଚାରୀଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ଯେତିକି ବିଳମ୍ବ ହେଉଛି, ଅଭିଯୁକ୍ତ ଆଇନର ଗଳାବାଟରେ ଫିଟିଯିବା ସେତିକି ସହଜ ହେବ ବୋଲି ଆଇନଜୀବୀ ଓ ବରିଷ୍ଠ ପୋଲିସ ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି ।

ନିଟ୍‌ ପାଇଁ ପହଞ୍ଚିଲେ ଛାତ୍ରଛାତ୍ରୀ, ସରକାରଙ୍କ ପକ୍ଷରୁ ଦିଆଗଲା ମାଗଣା ସେବା

ଭୁବନେଶ୍ୱର: ରବିବାର ଆରମ୍ଭ ହେବାକୁ ଥିବା ନିଟ୍‌ ପରୀକ୍ଷା ପାଇଁ ଶନିବାର ମୟୂରଭଞ୍ଜ ଜିଲ୍ଲାର ୪୬ ଜଣ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ପରିବହନ ସେବା ଯୋଗାଇ ଦିଆଯାଇଛି । ସେମାନେ କଟକ-ଭୁବନେଶ୍ୱର- ବାଲେଶ୍ୱରରେ ଯାଇ ପରୀକ୍ଷା ଦେବେ । ଛାତ୍ରଛାତ୍ରୀ ସେଠାରେ ପହଞ୍ଚିବା ପରେ କେଉଁଠି ରିହିବେ ସେନେଇ  ସମସ୍ତ ବନ୍ଦୋବସ୍ଥ ହୋଇସାରିଛି । ଏହି ଛାତ୍ରଛାତ୍ରୀଙ୍କ ସହ ମୋଟ୍‌ ୨୯ ଜଣ ଅଭିଭାବକ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ୪୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨ ଜଣ ପରୀକ୍ଷାର୍ଥୀ କେବଳ କଟକ-ଭୁବନେଶ୍ୱର ଯାଇଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ବାଲେଶ୍ଵର ଜିଲ୍ଲାକୁ ଯାଇଛନ୍ତି । ଏନେଇ ମୟୂରଭଞ୍ଜ ଜିଲ୍ଲାର ନୋଡାଲ ଅଫିସର ତଥା ପୂର୍ଣ୍ଣଚନ୍ଦ୍ର ଆଇଟିଆଇର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

NEET Student FILE PHOTO

ସେହିଭଳି ରାଉରକେଲା ସହରର ୫ଟି ପରୀଷା କେନ୍ଦ୍ର ରହିଛି । ମୋଟ୍ ୧୯୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ସରକାରୀ କଲେଜ ଓ ପରୀଷା କେନ୍ଦ୍ରରେ ୧୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଵେ । ରାଉରକେଲା ସହରର UGI ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ରହିବାର ବ୍ୟବସ୍ଥା ସରକାର କରାଯାଇଛି । କୋଭିଡ୍‌ ନିୟମକୁ ପାଳନ କରାଯାଇ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୁନ୍ଦରଗଡ଼ ଜିଲ୍ଲା ନୋଡାଲ ଅଫିସର ସୂଚନା ଦେଇଛନ୍ତି ।

ଅନ୍ୟପଟେ ନିଟ୍ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଶନିବାର ଓ ରବିବାର ପାଇଁ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି । ଭଦ୍ରକରୁ ଭୁବନେଶ୍ୱରକୁ ଚାଲିବାକୁ ଥିବା ଟ୍ରେନ୍ ୧୨ ତାରିଖ ଅପରାହ୍ନ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ । ଟ୍ରେନ୍ ବୈତରଣୀ ରୋଡ୍, ହରିଦାସପୁର, ନିର୍ଗୁଣ୍ଡି ଓ କଟକ‌ ଷ୍ଟେସନରେ ଅଟକିବ ।

NEET Student File PhotoFILE Photo

କେନ୍ଦୁଝର ଓ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଅପରାହ୍ନ ୪ଟାରେ କେନ୍ଦୁଝରରୁ ବାହାରି ସନ୍ଧ୍ୟା ୭ଟା ୪୫ରେ ଭୁବନେଶ୍ୱରେ ପହଞ୍ଚିବ ଓ ଫେରିବା ପଥରେ ୧୩ ତାରିଖରେ ୭ଟା ୩୦ରେ ରାଜଧାନୀରୁ ଗସ୍ତ ଆରମ୍ଭ କରି ୧୧ଟା ୪୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ । ସେହିଭଳି ରାୟଗଡ଼ା ଓ ଖରିୟାର ରୋଡରୁ ସମ୍ୱଲପୁର ଯିବା ପାଇଁ ଦୁଇ ଯୋଡ଼ା ଟ୍ରେନର ବ୍ୟବସ୍ଥା କରାଯାଇଛି । ବିଶେଷ ଭାବେ ନିଟ୍ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କ ଯାତ୍ରାକୁ ସ୍ୱାଭାବିକ୍‌ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିବେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ଆସନ୍ତାକାଲି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ସାକ୍ଷାତ କରିବେ । ଏହି ସାକ୍ଷାତ ରବିବାର ଅପରାହ୍ନ ୪ଟା ୩୦ରେ ହେବ । ସୂଚନା ମୁତାବକ ଏହି ସାକ୍ଷାତକାରରେ କଙ୍ଗନା ରାଜ୍ୟପାଳଙ୍କ ସାମ୍ନାରେ ବିଏମସି ମୁମ୍ବାଇ ଦ୍ୱାରା ତାଙ୍କ କାର୍ଯ୍ୟାଳୟ ଭଙ୍ଗା ଯାଇଥିବା ଘଟଣା ଏବଂ ସୁରକ୍ଷାକୁ ନେଇ ଆଲୋଚନା କରିବେ । ସୂଚନାଯୋଗ୍ୟ ଏହା ପୂର୍ବରୁ ରାଜ୍ୟପାଳ ଉକ୍ତ ଘଟଣାକୁ ନେଇ ଖପା ହୋଇଯାଇଥିଲେ । ଏହା ବାବଦରେ ଅଜୟ ମେହତାଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ସେ ଏହି ପୂରା ମାମଲା ଉପରେ କେନ୍ଦ୍ରକୁ ଏକ ରିପୋର୍ଟ ମଧ୍ୟ କରିବେ ।


ସୂଚନାଯୋଗ୍ୟ ବିଏମସି ଦ୍ୱାରା କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ କଙ୍ଗନା ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲଗାତର ବିବାଦ ବଢିଚାଲିଛି । ଭଙ୍ଗାରୁଜା ପରେ କଙ୍ଗନା ଉଦ୍ଧବ ଠାକରେଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି । ଏକ ଭିଡ଼ିଓ ଜାରି କରି କଙ୍ଗନା ଉଦ୍ଧବ ଠାକରେଙ୍କୁ କହିଥିଲେ କି ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ ।
ସୂଚନା ଅନୁଯାୟୀ କଙ୍ଗନାଙ୍କ ଘର ଭାଙ୍ଗିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା ଭାଙ୍ଗିବାକୁ ଦାବି କରାଯାଉଛି ।

ବହୁ ପ୍ରତୀକ୍ଷିତ ଆଙ୍କୁଲି-ଇଞ୍ଜିନିୟରିଂ ସ୍କୁଲ ରେଳ ଓଭର ବ୍ରିଜ୍‌ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତିକ୍ଷିତ ଆଙ୍କୁଲି-ଇଞ୍ଜିନିୟରିଂ ଇଞ୍ଜିନିୟରିଂ ସ୍କୁଲ ଛକ ମଧ୍ୟରେ ୨୭.୪୨ କୋଟି ଟଙ୍କାରେ ଏହାକୁ ନିର୍ମାଣ କରାଯାଇଛି । ଖାଲି ସେତିକି ନୁହେଁ ନିୟନ୍ତ୍ରିତ ବଜାର କମିଟି ଦିଗପହଣ୍ଡିର କପା ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପିନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପରେ ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି । କପା କଳ କାରଖାନା ପ୍ରତିଷ୍ଠା ହେଲେ ଏହା ଅନେକ ଲୋକଙ୍କ ଜୀବିକା ନିର୍ବାହ କରିବା ସହ ଚାଷୀଙ୍କ ପାଇଁ ମଧ୍ୟ ବେଶ୍‌ ସହାୟକ ହେବ ବୋଲି କୁହାଯାଇଛି । ଦିଗପହଣ୍ଡି ସମେତ ୭ଟି ବ୍ଲକର କପାଚାଷୀ ଉପକୃତ ହେବେ । ପାଖାପାଖି ୨ ଶହ କୁଶଳି ଓ ଅଣକୁଶଳି କାରିଗର ଏଠାରେ ନିଯୁକ୍ତି ପାଇବେ ।

ସେହିଭଳି ଲାଞ୍ଜିପଲ୍ଲୀ ଅଞ୍ଚଳର ଲୋକମାନଙ୍କ ଯିବାଆସିବା ପାଇଁ ଅସୁବିଧା ହେଉଥିଲା । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବ୍ରିଜ୍ ଦ୍ୱାରା ଅନେକ ଲୋକଙ୍କ ସମସ୍ୟା ଦୂର ହୋଇଛି । ସ୍ଥାନୀୟ ବାସିନ୍ଦା ତଥା ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ ତଥା ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ ବ୍ରହ୍ମପୁରକୁ ଆଧୁନିକ ସହର କରିବାକୁ ଯୋଜନା କରାଯାଉଛି । ଗଞ୍ଜାମରେ କରୋନା ସ୍ଥିତି ସ୍ୱାଭାବିକ ହେଉଛି, କିନ୍ତୁ ବିପଦ ଟଳିନି ।’ ଗଞ୍ଜାମବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଚାଷ ଜମିରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ

0

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗ୍ରାମର ସିମାଞ୍ଚଳ ପାଣିଗ୍ରାହୀଙ୍କ ଧାନ ଜମିରୁ ଶନିବାର ଅପରାହ୍ନରେ କୁମ୍ଭୀର ଉଦ୍ଧାର କରାଯାଇଛି । ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି । କୁମ୍ଭୀରଟି  ନିକଟସ୍ଥ ଘୋଡ଼ାହାଡ଼ ଡ଼୍ୟାମରୁ କେନାଲ ପାଣିରେ ଭାସି ଆସିଥିବା ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡ଼ଗରାୟ କହିଛନ୍ତି । ଉଦ୍ଧାର କୁମ୍ଭୀର ଟି ଗୋ-ମୁହାଁ ପ୍ରଜାତିର । ଲମ୍ବା ପ୍ରାୟ ୫ ଫୁଟ ଏବଂ ବୟସ ପ୍ରାୟ ୩ ବର୍ଷ ହେବ କୁହାଯାଉଛି । ଗାଁର କିଛି ଚାଷୀ ଜମିରେ କାମ କରି ଫେରୁଥିବା ବେଳେ କୁମ୍ଭୀର ଟିକୁ ଦେଖିଥିଲେ । ଖବର ପ୍ରଚାରିତ ହେବାପରେ  ଗାଁର ବହୁ ସଂଖ୍ୟକ ବ୍ୟକ୍ତି କୁମ୍ଭୀର ଦେଖିବାକୁ ସେଠାରେ ପହଞ୍ଚିଥିଲେ । ପଞ୍ଚାୟତ ସମିତି ସଭ୍ୟ ଅରୁଣ ଗୌଡ଼ ଏନେଇ ଜଣାଇବା ପରେ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନବିଭାଗ ପାରା କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଟିକୁ କାବୁ କରି ଗ୍ରାମର ମଠ ଛକକୁ ଆଣିଥିଲେ । ରେଞ୍ଜରଙ୍କ ପରାମର୍ଶ କ୍ରମେ ଘୋଡ଼ାହାଡ଼ ଡ଼୍ୟାମରେ ଛାଡି ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୨ ବର୍ଷ ମଧ୍ୟରେ ଘୋଡ଼ା ହାଡ଼ ଡ଼୍ୟାମ ସଂଲଗ୍ନ ବୁରି ପଦର,ଶଙ୍କର ଖାଳି,କୈଠଖଣ୍ଡି, ଖମାରି ଗାଁ,ଗୋଲଣ୍ଡା,ସେବକ ଟିକର ପଡ଼ା, ଲୁଣୁ ଲୁଣିଆ ପ୍ରଭୃତି ଗାଁ ଗୁଡିକରୁ ୮ ରୁ ଊର୍ଦ୍ଧ୍ୱ କୁମ୍ଭୀରଙ୍କୁ ଉଦ୍ଧାର କରାଯାଇଛି ।

https://www.facebook.com/NandighoshaTV/videos/813397792736900/

 ଗତ ମହାବାତ୍ୟା ଓ ବନ୍ୟା ସମୟରେ ଘୋଡ଼ା ହାଡ଼ ଡ଼୍ୟାମରୁ ବହୁ ସଂଖ୍ୟକ କୁମ୍ଭୀର ଆଖପାଖ ଜନବସତି ଗାଁ ମାନଙ୍କରେ ଥିବା ପୋଖରୀ ଗୁଡ଼ିକୁ ଚାଲିଆସିଥିବା ସହ ସେଠାରେ ସେମାନଙ୍କ ବଂଶ ବିସ୍ତାର କରିଥିବା ସହ ସେସବୁ ପୋଖରୀ ଓ ଜଳାଶୟ ମାନଙ୍କରେ ପ୍ରାୟ ୧୫ ରୁ ଊର୍ଦ୍ଧ୍ୱ କୁମ୍ଭୀର ରହିଥିବା ନେଇ ବନବିଭାଗ କୁମ୍ଭୀର ଗଣନା ରିପୋର୍ଟ ରୁ ଜଣାପଡିଛି।

BIHAR POLLS: ଅଧଘଣ୍ଟାରେ ସରିଲା ଆଲୋଚନା, ହୋଇପାରିଲାନି ଆସନ ବୁଝାମଣା

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଆସନ ଭାଗବଣ୍ଟା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା ଏବଂ ଏନଡିଏର ଅନ୍ୟ ସହଯୋଗୀ ଦଳଙ୍କ ସହ ଆଲୋଚନା କରିଛନ୍ତି । ନଡ୍ଡାଙ୍କ ସହିତ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, ଜାତୀୟ ସାଧାରଣ ସମ୍ପାଦକ  ତଥା ରାଜ୍ୟ ଦାୟିତ୍ୱରେ ଥିବା ଭୂପେନ୍ଦ୍ର ଯାଦବ ଏବଂ ରାଜ୍ୟ ବିଜେପି ସଭାପତି ସଞ୍ଜୟ ଜୈସଓ୍ୱାଲ ନୀତିଶଙ୍କ ଡାକରରେ ତାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ ।

            ମାତ୍ର ଅଧଘଣ୍ଟା ପାଇଁ ଚାଲିଥିବା ବୈଠକରେ ୨ ଦଳର ନେତା ଆସନ ବୁଝାମଣା ନେଇ ଉପୁଜିଥିବା ସମସ୍ୟା ନେଇ ଆଲୋଚନା କରିଥିଲେ । ସେମାନଙ୍କ ସହ ଏନଡିଏର ଅନ୍ୟ ସହଯୋଗୀ ଦଳ ଭାବେ ରାମ ବିଳାସ ପାଶଓ୍ୱାନ ଙ୍କ ଲୋକ ଜନଶକ୍ତି ପାର୍ଟି ମଧ୍ୟ ସାମିଲ ଥିଲା ।

ଗିରଫ ହେଲା ସୌବିକ ଏବଂ ସାମୁଏଲକୁ ଡ୍ରଗ୍ସ ଯୋଗାଉଥିବା ପେଡଲର

            ଅପରପକ୍ଷରେ ଗତକାଲିର ସାମ୍ୱାଦିକ ସମ୍ମିଳନୀରେ ଏନଡିଏରୁ କେହି ଓହରିବେ ନାହିଁ ବରଂ ଆଗକୁ ଆହୁରୀ ଯୋଗଦେବେ ବୋଲି ବିହାର ନିର୍ବାଚନ ଦାୟିତ୍ୱରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଏନଡିଏରେ ସାମିଲ ହୋଇଥିବା ଭିନ୍ନ ଭିନ୍ନ ଦଳକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଦର୍ଶ ଦୃଷ୍ଟିରୁ ଭିନ୍ନ ଭିନ୍ନ ହୋଇପାରନ୍ତି କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ ଏକ । ନଡ୍ଡା, ଯିଏ କି ଗତକାଲି ୨ ଦିନିଆ ବିହାର ଗସ୍ତ ଆରମ୍ଭରେ ପ୍ରଥମ ପାଟଣା ଦେବୀଙ୍କ ନିକଟରେ ପ୍ରଚାର କରି ନିଜ ଗସ୍ତ ଆରମ୍ଭ କରିଥିଲେ । ଯାହାଙ୍କ ନାଁରେ ପାଟଣା ସହରର ନାମକରଣ ହୋଇଛି ।

ଅରପପକ୍ଷରେ ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଥିବା ବେଳେ ନଭେମ୍ୱର ୨୯ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ପେନସନଧାରୀଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱସ୍ତି, ଡିସେମ୍ବର ୩୧ ଯାଏଁ କରିପାରିବେ ଏହି କାମ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ପେନସନଭୋଗୀଙ୍କୁ ବଡ଼ ରାହତ ପ୍ରଦାନ କରିଛନ୍ତି। ଏହା ଅଧୀନରେ, ବର୍ତ୍ତମାନ ସମସ୍ତ ପେନସନଧାରୀମାନେ ୩୧ ଡିସେମ୍ବର ସୁଦ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଦାଖଲ କରିବାକୁ ସକ୍ଷମ ହେବେ ।

ସୂଚନା ଅନୁଯାୟୀ, ପେନସନଧାରୀ ନିଜ ଜୀବନ ପ୍ରମାଣପତ୍ର ନଭେମ୍ବର ୧ରୁ ୩୧ ଡିସେମ୍ବର ମଧ୍ୟରେ ଜମା କରିପାରିବେ । ପର୍ସନାଲ, ଜନ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହା ଘୋଷଣା କରିଛନ୍ତି। ଏହାପୂର୍ବରୁ, ପେନସନ୍ ଜାରି ପାଇଁ ଜୀବନ ପ୍ରମାଣପତ୍ର କେବଳ ନଭେମ୍ବର ମାସରେ ଦାଖଲ କରାଯାଉଥିଲା ।

ମହାମାରୀ ଏବଂ ବୃଦ୍ଧାବୃଦ୍ଧଙ୍କ ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜିତେନ୍ଦ୍ର ସିଂ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କେନ୍ଦ୍ର ସରକାରୀ ପେନସନଭୋଗୀ ନଭେମ୍ବର ୧, ୨୦୨୦ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବର୍ଦ୍ଧିତ ଅବଧି ମଧ୍ୟରେ ବଣ୍ଟନ ପ୍ରାଧିକରଣ ବିନା କୌଣସି ପେନସନଧାରୀ ମାନଙ୍କୁ ପେନସନ୍ ଦିଆଯିବ । ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଜୀବନ ପ୍ରମାଣପତ୍ର ଦାଖଲ ସମୟର ବୃଦ୍ଧି ଯୋଗୁଁ ବୃଦ୍ଧମାନେ ବହୁତ ରାହତ ପାଇବେ ।

ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ମୁତାବକ ବ୍ୟାଙ୍କ ଶାଖା ଗୁଡ଼ିକରେ ଭିଡ଼ରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି ଯେ, ସେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ କ୍ରମେ ପେନସନଧାରୀ ମାନଙ୍କଠାରୁ ଜୀବନ ପ୍ରମାଣପତ୍ର ନେବା ପାଇଁ ଭିଡିଓ ଆଧାରିତ ଗ୍ରାହକ ଚିହ୍ନିବା ପ୍ରକ୍ରିୟା (V-CIP) ର ବ୍ୟବହାର କରନ୍ତୁ  ।