ଏଣିକି ବଜାରରେ ମିଳିବ କରୋନା ଔଷଧ: ଜାଣନ୍ତୁ କିଭଳି ପାଇବେ ମେଡିସିନ୍

1 min read

ଭୁବନେଶ୍ୱର: କରୋନାକୁ ନେଇ ଗୁଡ୍‌ ନ୍ୟୁଜ୍‌ । ବିଦେଶୀ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଦେଶୀ ଟିକା ଆଶା ସଞ୍ଚାର କରିଛି । ପରୀକ୍ଷାରେ ଦେଶୀ ଟିକା ପାସ କରିଛି ବୋଲି ଗବେଷଣାକାରୀ ସଂସ୍ଥା ଭାରତ ବାୟୋଟେକ କହିଛି । କରୋନା ଔଷଧ ବଜାରରେ ବିକ୍ରି ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ଦେବା ପରେ NDC ଓଡ଼ିଶା ମଧ୍ୟ ଅନୁମତି ପ୍ରଦାନ କରିଛି । ଆଉ ଏକ ଭଲ ଖବର ହେଲା ଦେଶରେ ୭୭ ଦଶମିକ ୭ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ସ୍ୱାସ୍ଥ୍ୟ  ମନ୍ତ୍ରାଳୟ କହିଛି ।

କରୋନାକୁ ନେଇ ପ୍ରତିଦିନ ନିରାଶାଜନକ ଖବର ଆସୁଥିବାବେଳେ ଆଜି ଆସିଛି ଖୁସି ଖବର । ଏଣିକି ଦୋକାନରେ ମିଳିବ ଫେଭିପିରାଭିର ଟାବଲେଟ ଓ ରେମଡେସିଭିର ଇଞ୍ଜେକସନ । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ଦେବା ପରେ ଏନେଇ ନିର୍ଦ୍ଦେଶନାମା ଜାରିକରିଛି NDC ଓଡ଼ିଶା । ଔଷଧ ଲାଇସେନ୍ସ ଥିବା ଦୋକାନରେ ଏହା ବିକ୍ରି ହୋଇପାରିବ । କେଉଁ ଦୋକାନରେ ମିଳିବ ତାହା ସ୍ଥିର କରିବେ ଡ୍ରଗ୍ସ ଇନିସପେକ୍ଟର । କେବଳ ମେଡିକାଲ ବିଶେଷଜ୍ଞଙ୍କ ସୁପାରିସରେ ମିଳିବ ଔଷଧ ।

ଔଷଧ ବିକ୍ରି ପୂର୍ବରୁ ପ୍ରେସକ୍ରିପସନର କପି ରଖିବେ ଦୋକାନୀ । କିଣୁଥିବା ଲୋକର ସମସ୍ତ ତଥ୍ୟ ମଧ୍ୟ ଦୋକାନୀ ରଖିବେ । କେବଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରେମଡେସିଭିର ଇଞ୍ଜେକସନ୍‌ ବିକ୍ରି ହେବ । ସେପଟେ ଉଜ୍ଜୀବିତ ହୋଇଛି ଆଶା । ପରୀକ୍ଷଣରେ ଦେଶୀ ଟିକା ପାସ କରିଛି । ଦେଶରେ କରୋନା ଟିକାର ପରୀକ୍ଷଣ ସଫଳ ହୋଇଛି ବୋଲି ଗବେଷଣାକାରୀ କମ୍ପାନୀ ଭାରତ ବାୟୋଟେକ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ ଟିକା ପଶୁଙ୍କ ଉପରେ ପରୀକ୍ଷଣ ହୋଇଥିଲା । ଟିକା ଦିଆଯିବା ପରେ ପଶୁଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି ।

ସେମାନଙ୍କର ରୋଗପ୍ରତିରୋଧକ ଶକ୍ତିରେ ମଧ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି ବୋଲି କହିଛି ଭାରତ ବାୟୋଟକ । ଦେଶରେ ପ୍ରତେକ ଦିନ ୯୦ ହଜାରରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ କୋଭାକ୍ସିନର ସଫଳ ପରୀକ୍ଷଣ ନୂଆ ଆଶା ସଂଞ୍ଚାର କରିଛି । ତେବେ ଖୁବଶୀଘ୍ର ଆଇସିଏମଆର ଏହାର ପରୀକ୍ଷଣ ନେଇ ରିପୋର୍ଟ ଦେବ । ତେବେ ସେପଟେ ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩. ୬ ନିୟୁତରୁ ଅଧିକ ଅର୍ଥାତ ୭୭. ୭ ପ୍ରତିଶତ କରୋନା ଭାଇରସ୍ ଆକ୍ରାନ୍ତ ରୋଗୀ ସୁସ୍ଥ ହେଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶ ରାଜ୍ୟର ବୋଲି ସରକାର କହିଛନ୍ତି ।

Leave a Reply