spot_img
Home Blog Page 6481

କରୋନା ମୁକାବିଲା: ‘ଅକ୍ସିଜେନ୍‌ର ଅଭାବ ନାହିଁ, ଭଲ ସ୍ଥିତିରେ ରହିଛି ଭାରତ’, ଖୁବ୍‌ଶୀଘ୍ର ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭୂତାଣୁ । ଏହାକୁ ପ୍ରତିହତ କରିବା ପାଇଁ ଚାଲିଛି ଟିକା ପ୍ରସ୍ତୁତି । ଟିକା ପ୍ରସ୍ତୁତ କରୁଥିବା ତିନିଟି କମ୍ପାନୀ ଏବେ ହ୍ୟୁମାନ ପରୀକ୍ଷଣ ପାଇଁ ଜୋରସୋରରେ କାମ ଜାରି ରଖିଛନ୍ତି । କାଡିଲା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟ ପାଇଁ ଆଉ କିଛି ସମୟ ଲାଗିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍‌ଶୀଘ୍ର ଆରମ୍ଭ ହେବ । ସେହିଭଳି ପୁନେର ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟକୁ ଅପେକ୍ଷା ରହିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ।

ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ଅମ୍ଳଜାନ ଉତ୍ପାଦନ ୬ ହଜାର ୯୦୦ ମେଟ୍ରିକ ଟନରୁ ଅଧିକ ରହିଛି ।  ତେଣୁ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଦେଶରେ ପ୍ରଚୁର ପରିମାଣର ଅକ୍ସିଜେନ୍‌ ମହଜୁଦ୍‌ ରହିଛି । ସେହିଭଳି ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେବା ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଏଯାବତ୍ ୩୮ ଲକ୍ଷ ୫୦ ହଜାର ଲୋକ ସୁସ୍ଥ ହୋଇସାରିଲେଣି । ଏମିତିକି କରୋନା ଟେଷ୍ଟିଂ ହାର ମଧ୍ୟ ବୃଦ୍ଧି କରାଯାଇଛି । ଗତ ସପ୍ତାହକ ମଧ୍ୟରେ ୭୬ ଲକ୍ଷ ଟେଷ୍ଟ କରାଯାଇଛି ।

ଅନ୍ୟପଟେ ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି, ଭାରତରେ ତିନୋଟି ଟିକା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ରହିଛି । କାଡିଲା ଏବଂ ଭାରତ ବାୟୋଟେକ୍ ଟିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ କରିଛି ଏବଂ ଅନୁମୋଦନ ପରେ ୧୪ଟି ସ୍ଥାନରେ ୧୫୦୦ ରୋଗୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।

ତେବେ ପ୍ଲାଜ୍‌ମା ଥେରାପିକୁ ନେଇ ଭାର୍ଗବ କହିଛନ୍ତି ଯେ, ବିଭିନ୍ନ ଭୂତାଣୁ ସଂକ୍ରମଣ ପାଇଁ ପ୍ଲାଜମା ଥେରାପି ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ରୂପରେ ବ୍ୟବହାର କରାଯାଉଛି ।

ଓଡ଼ିଶା କଂଗ୍ରେସ : ଚେଲ୍ଲା କୁମାରଙ୍କ ନିଯୁକ୍ତି କେତେ ପରିବର୍ତ୍ତନ ଆଣିପାରିବ…

୧୫ ।୯(ଦତ୍ତାତ୍ରେୟ ନାୟକ)- ରାଜ୍ୟ କଂଗ୍ରେସର ବିଦ୍ରୋହୀ ବାୟୁମଣ୍ଡଳ  ଦଳ ପାଇଁ ଏକ ବଡ଼ ସମସ୍ୟା । କିଏ ନେତା, କାହାରିକୁ ଜଣାନାହିଁ । ବିରୋଧ ବେଳେ ସଭିଏଁ ସ୍ୱର ଉଠାଇବାକୁ ବାହାରି ଆସିବେ, ହେଲେ ଦାୟିତ୍ୱ ପାଇଁ ଦକ୍ଷତା କାହାରି ପାଖେ ଥିବା ଭଳି ମନେ ହୁଏ ନାହିଁ । ନିରଞ୍ଜନ ପଟ୍ଟନାୟକ ସଭାପତି ଥାଇ ବି ନ ଥିବା ପରି ମନେ ହେଉଛନ୍ତି । ସେ ଦାୟିତ୍ୱ ନେବା ପୂର୍ବରୁ ଯେପରି ରୀତିମତ ନିଜ ଅନୁଗତଙ୍କୁ ନେଇ ଦିଲ୍ଲୀ ଦରବାରରେ ହାଜିର ହେଉଥିଲେ । ଏବେ ଠିକ୍ ସେମିତି ତାଙ୍କ ବିରୋଧରେ ବିଭିନ୍ନ ଗୋଷ୍ଠୀ ଦିଲ୍ଲୀ ଦରବାରରେ ହାଜିରା ପକାଉଛନ୍ତି । ଏହି କଥା ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଚାଲି ଆସିଛି । ହେଲେ ଏ ସବୁ ମଧ୍ୟରେ କଂଗ୍ରେସ ସମ୍ପର୍କରେ ଆଲୋଚନା ନେଇ ଆବଶ୍ୟକତା ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଲାଣି । କେତେକଙ୍କ ମତରେ କଂଗ୍ରେସ ରାଜ୍ୟରେ ନିଜର ରାଜନୈତିକ ସ୍ଥିତି ହରାଇଛି । ଏ ସମ୍ପର୍କରେ କୌଣସି ଆଲୋଚନାର ଆବଶ୍ୟକତା ନାହିଁ ବୋଲି ମତ ଦେଉଛନ୍ତି ।

ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ଏକ ପରିବର୍ତ୍ତନ ହୋଇଛି । ଏହି ଆଧାରରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ହଟାଇ ଦିଆଯାଇଛି । ଓଡ଼ିଶା ବଦଳରେ ତାଙ୍କୁ ଆସାମ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିତେନ୍ଦ୍ର ସିଂ ପ୍ରଭାରୀ ହେବା ପରେ ଓଡ଼ିଶାକୁ ଭଲରେ ଚିହ୍ନିଗଲେ । ଓଡ଼ିଶାବାସୀ ବି ତାଙ୍କୁ । ତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ନେତା ଉଞ୍ଚାଉଞ୍ଚି ହେଲେ । ଦାବି ଜଣାଇବା ଆଳରେ ପତିଆରା ଦେଖାଇଲେ । କଂଗ୍ରେସ ଭବନରେ ବାଉନସର ପସିଲେ ।  ତେବେ ପ୍ରଶ୍ନ ଏହା ଜିତେନ୍ଦ୍ର ସିଂହ ଓଡ଼ିଶା ଦାୟିତ୍ୱ ନେଇ କଲେ କ’ଣ? କେତେ କାମ କଲେ, ସେନେଇ କାହାକୁ ରିପୋର୍ଟ କଲେ । ସେ ରିପୋର୍ଟ ଆଧାରରେ ଜଣାଯିବ ସେ ରାଜ୍ୟ କଂଗ୍ରେସ ପାଇଁ ସେ କେତେ କାମ କରିଛନ୍ତି । ହାଇକମାଣ୍ଡ ଓ ରାଜ୍ୟ ସଙ୍ଗଠନ ଭିତରେ ସେ ଯୋଗସୂତ୍ର । ଯଦି ହଁ, ତେବେ ଥରୁଟିଏ ବି ଦଳର ବିଦ୍ରୋହୀଙ୍କୁ ବସାଇ ଆଲୋଚନା କରିପାରିଲେ କି ? ନା’ । ଆରମ୍ଭ ଦିନରୁ ତାଙ୍କ ମୁହଁରେ ଗୋଟିଏ କଥା ‘ ନିରଞ୍ଜନ ଦାୟିତ୍ୱରେ ରହିବେ । ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ’  । ପ୍ରଭାରୀଙ୍କ ଏହି ହାବଭାବ ହିଁ ଭୁଲ ଥିଲା । ପ୍ରଭାରୀ ଓଡିଶା ଆସିବା ପୂର୍ବରୁ ତାଙ୍କର ପିସିସିଙ୍କ ସହ କ୍ଷୀରନୀରର ସମ୍ପର୍କ ଲାଗିଯାଉଛି । ତେଣୁ ଦଳ ଭିତରେ ଓ ବାହାରେ କ’ଣ ଚାଲୁଛି ତାଙ୍କୁ ଜଣାପଡୁନାହିଁ । ରାଜ୍ୟ କଂଗ୍ରେସକୁ ସଜାଡ଼ିବା ପାଇଁ ସେ ଯେଉଁ ରାସ୍ତା ଧରିଥିଲେ ତାହା ଖାଲି ଯେ ଭୁଲ ଥିଲା ତାହା ନୁହେଁ ବରଂ ବିଦ୍ରୋହୀଙ୍କର ଆକ୍ରୋଶ ମଧ୍ୟ ବଢାଇଥିଲା ।

ଯେତେବେଳେ ଜିତେନ୍ଦ୍ର ଦାୟିତ୍ୱ ନେଇଥିଲେ , ସେ ସମୟରେ ଜୋନସ୍ତରୀୟ ସଭାପତି ନିଯୁକ୍ତ କରିଥିଲେ । ନିଜ ଅନୁସାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ପିସିସି ସଭାପତି ଚାହୁଁଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଥିଲେ । ହେଲେ ତା’ର ଫଳାଫଳ କଂଗ୍ରେସକୁ କ’ଣ ମିଳିଲା ସମସ୍ତଙ୍କୁ ଜଣା । ତାଙ୍କର ମୂଲ୍ୟାୟନ କରି ଏଆଇସିସି କ’ଣ ତାଙ୍କୁ ଆସାମ ଦାୟିତ୍ୱ ଦେଲା କି? କାରଣ ଓଡ଼ିଶା ପୂର୍ବରୁ ଆସାମରେ ବିଧାନସଭା ନିର୍ବାଚନ ହେବାର ଅଛି । ସେ ଛାଡି ଯାଇଥିବା କାର୍ଯ୍ୟ ପରବର୍ତ୍ତୀ ପ୍ରଭାରୀ ଚେଲା କୁମାର ଆଗକୁ ନେବେ ତ । ନାଁ ସେ ନିଜ ଅନୁସାରେ କାର୍ଯ୍ୟ କରିବେ । ତେଣୁ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତି ନିରଞ୍ଜନ ବିଫଳ ହୋଇଛନ୍ତି କହିଲେ କିଛି ଭୁଲ୍ ହେବ ନାହିଁ ।

ଏବେ ଆସିବା ଚେଲା କୁମାରଙ୍କ ନିଯୁକ୍ତ ପ୍ରସଙ୍ଗକୁ । ଚେଲ୍ଲା କୁମାର । ଦି’ ଦି’ ଥର ସାଂସଦ । ନିର୍ବାଚନରେ ସଫଳ ହେଲେ ବି ପ୍ରଭାରୀ ଭାବେ ସେ ମଧ୍ୟ ବିଫଳ । ଏହା ଆମେ ନୁହେଁ , ତାଙ୍କ ପୂର୍ବ ରେକର୍ଡ କହୁଛି । ଗୋଆରେ କଂଗ୍ରେସ ଚାହିଁଥିଲେ ସରକାର କରି ପାରିଥାଆନ୍ତା, ହେଲେ ତାହା ହୋଇ  ନ ଥିଲା । ଏହାର କାରଣ ଦିଗବିଜୟ ସିଂଙ୍କ ଦୂରଦର୍ଶିତା ଅଭାବ । ଏହାର ଫଳ ସ୍ୱରୂପ ତାଙ୍କୁ ପରବର୍ତ୍ତୀ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରୁ ବିଦା କରାଗଲା । ତାଙ୍କ ପରେ ଚେଲା କୁମାର ଦାୟିତ୍ୱ ଗ୍ରହଣ କଲେ । ଆଉ ଚେଲ୍ଲାଙ୍କ ସମୟରେ ହିଁ ଡର୍ଜନ ଡର୍ଜନ  କଂଗ୍ରେସ ନେତା ବିଜେପିରେ ଅନାୟସରେ ମିଶିଗଲେ । ତେଣୁ ଏହା ବିଫଳତା କି ସଫଳତା , ସେ କଥା ସମସ୍ତଙ୍କୁ ଜଣା । ବିଫଳତା ପାଇଁ ଗୋଆ ଦାୟିତ୍ୱରୁ ମୁକ୍ତ କରାଯିବା କଥା ଠିକ୍ ଲାଗୁଛି । ହେଲେ କେଉଁ ସଫଳତା ପାଇଁ ଚେଲ୍ଲାଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଲା, ତାହା ଏବେ ପ୍ରଶ୍ନ ।  କଂଗ୍ରେସ ଯେଉଁ ସମସ୍ୟା ଦେଇ ଗତି କରୁଛି ତା’ ପାଇଁ ଏକ ନିହାତି ନିରପେକ୍ଷ ଓ ଦକ୍ଷ ପ୍ରଭାରୀ ଆବଶ୍ୟକତା ରହିଛି । ଯିଏ ଅସନ୍ତୁଷ୍ଟଙ୍କ ସହ ଆଲୋଚନା କରି ସମସ୍ୟା ପାଇଁ ବାଟ ଖୋଜିବେ । କଂଗ୍ରେସ କର୍ମୀଙ୍କୁ ଯେଉଁ ଏକତ୍ରୀତ କଂଗ୍ରେସ ଦେଖିବାର ଅଛି, ତାହା ଦେଖିବା ସମ୍ଭବ ହେବ । ହେଲେ ରାହୁଲଙ୍କ ରାବାବ୍ ଏବେ ଅଲଗା । ରାଜ୍ୟରେ ନେତୃତ୍ୱ ବଦଳାଇବା ସପକ୍ଷରେ ସେ ନାହାଁନ୍ତି । ତାଙ୍କ ବିଶ୍ୱାସ ବରିଷ୍ଠ ରହିବା ହିଁ ଭଲ । ସେଇଥିପାଇଁ ତ ରାହୁଲ ନିରଞ୍ଜନ ବିରୋଧୀ ସ୍ୱରକୁ ସଂପ୍ରସାରଣ କରିବାର ସୁଯୋଗ ମଧ୍ୟ ଦେଇନାହାନ୍ତି । ଅର୍ଥାତ୍ ଚେଲ୍ଲା କୁମାରଙ୍କୁ ନିରଞ୍ଜନଙ୍କ ରାଜନୀତିରେ ହାତ ନମାରି କଂଗ୍ରେସକୁ ସୁଧାରିବାକୁ ପଡିବ । କେମିତି ହେବ? କେବଳ ପ୍ରଭାରୀଙ୍କ ନାଁ ବଦଳିଗଲେ ତ ହେବ ନାହିଁ ନା । ବିଦ୍ରୋହୀଙ୍କର ଏକ ସନ୍ତୁଳିତ ଦାବିକୁ ମାନିବାକୁ ମଧ୍ୟ ପଡ଼ିପାରେ । ଏସବୁ ପାଇଁ ଏ ଚେଲ୍ଲା କୁମାର ସମର୍ଥ ହେଉଛନ୍ତି କି ନାହିଁ, ତାହା ସମୟ କହିବ ।

ଏସବୁ ବାଦ୍ ଦେଲେ ରାଜନୈତିକ ଦଳର ମୁଖ୍ୟ ସାଧନ ସଙ୍ଗଠନ ହୋଇଥାଏ । ୨୦ ବର୍ଷର କ୍ଷମତା ବିଜେଡିକୁ ରାଜ୍ୟରେ ଘରେ ଘରେ ପରିଚିତ କରିଛି । ଯାହାଦ୍ୱାରା ନେତାମାନେ ଦଳରୁ ଚାଲିଗଲେ କିମ୍ବା ସେମାନଙ୍କ ଆସନ ପରିବର୍ତ୍ତନ ହେଲେ ,ତାହା ଦଳ ଉପରେ କୌଣସି ନକରାତ୍ମକ ପ୍ରଭାବ ପକାଉନାହିଁ । ହେଲେ କଂଗ୍ରେସ ବର୍ତ୍ତମାନ ପ୍ରତିନିଧିମାନେ ନିଜସ୍ୱ ଉଦ୍ୟମରେ ଜିତିଛନ୍ତି । ସେହି ହିସାବରେ ଦେଖିଲେ ସୁର ରାଉତରାୟଙ୍କ ପରେ ଜଟଣୀ କଂଗ୍ରେସ ଏକତ୍ରିତ ରହିବା ଏକ ବିରାଟ ପ୍ରଶ୍ନ । ୨୦୦୯ରେ ତାରାପ୍ରସାଦ ବାବିନୀପତି ବିଜେପିରୁ ଲଢି ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିଲେ । ମହମ୍ମଦ ମୋକ୍କିମ, ନରସିଂହମିଶ୍ର, ସନ୍ତୋଷ ସିଂ ସାଲୁଜା, ରମେଶ ଜେନାଙ୍କୁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ କଂଗ୍ରେସ ସଙ୍ଗଠନ ରହିଛି ବୋଲି କହିବା ବି ଶତପ୍ରତିଶତ ଠିକ୍ ହେବ ନାହିଁ । ତେଣୁ ରାଜ୍ୟରେ ଏକ ଦଳୀୟ ସଙ୍ଗଠନ କରିବାକୁ ପଡିବ, ଯାହା ନେତାଙ୍କ ଯିବା ଆସିବାକୁ ପ୍ରଭାବିତ କରିବ ନାହିଁ । ଏ ଦିଗରେ କଂଗ୍ରେସ କାର୍ଯ୍ୟ କଲେ ପୂର୍ବ ଭୋଟବ୍ୟାଙ୍କ ଫେରିବ ବୋଲି ଆଶା କରାଯାଇପାରେ ।

ରାଜ୍ୟରେ ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା, ୧ ଲକ୍ଷ ୨୫ ହଜାର ପାର୍…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗୁଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟାରେ ମଧ୍ୟ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏହି କ୍ରମରେ ଆଜି ରାଜ୍ୟରେ ୩୭୧୪ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୩୯୭ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରୁ ୩୭୫, ଯାଜପୁରରୁ ୨୪୨, ପୁରୀରୁ ୨୦୧, ମୟୂରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୧୭, ବାଲେଶ୍ୱରରୁ ୧୧୫, କୋରାପୁଟରୁ ୧୧୫, କନ୍ଧମାଳରୁ ୧୦୦, ଜଗତସିଂହପୁରରୁ୯୩, ଗଞଜାମରୁ ୯୨, କେନ୍ଦ୍ରାପଡ଼ାରୁ ୮୮, ସୋନପୁରରୁ ୮୪ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ବଲାଙ୍ଗିରରୁ ୭୫, ସୁନ୍ଦରଗଡ଼ରୁରୁ ୮୪, ଅନୁଗୁଳରୁ ୭୨, ସମ୍ୱଲପୁରୁ ୭୧, ନୟାଗଡ଼ରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ ୫୯, ନୂଆପଡ଼ାରୁ ୫୩, କଳାହାଣ୍ଡିରୁ ୪୮, ଦେଓଗଡରୁ ୪୩, ଗଜପତିକରୁ ୩୮, ଭଦ୍ରକରୁ ୩୪, ଢେଙ୍କାନାଳରୁ ୩୪, ମାଲକାନଗିରିରୁ ୨୨, ବୌଦ୍ଧରୁ ୧୯, ରାୟଗଡ଼ାରୁ ୧୭ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ ହୋଇଛନ୍ତି ।

ପାକିସ୍ତାନ ତ୍ରୁଟିପୂର୍ଣ୍ଣ ମାନଚିତ୍ର ଦେଖାଇବାରୁ SCO ବୈଠକ ଛାଡ଼ିଲା ଭାରତ

ନୂଆଦିଲ୍ଲୀ: Shanghai Cooperation Organisationର ଅଧ୍ୟକ୍ଷ ଋଷ ଦ୍ୱାରା ଆୟୋଜିତ ସଦସ୍ୟ ଦେଶ ଗୁଡ଼ିକର ରାଷ୍ଟ୍ରୀୟ ସୁରକ୍ଷା ଏନଏସଏ ବୈଠକରେ ମଙ୍ଗଳବାରକୁ ପାକିସ୍ତାନ ଏନଏସଏ ଜାଣିଶୁଣି ଏକ ତ୍ରୁଟିପୂର୍ଣ୍ଣ ମାନଚିତ୍ର ଉପସ୍ଥାପନା କରିଛି, ଯାହାକୁ ନେଇ ପାକିସ୍ତାନ ନିକଟରେ ପ୍ରଚାର ପ୍ରସାର କରୁଛି । ତେବେ ଏହି ସୂଚନା ଦେଇଛି ବିଦେଶ ମନ୍ତ୍ରଣାଳୟ ।


ବିଦେଶ ମନ୍ତ୍ରଣାଳୟର କହିବା ଅନୁସାରେ ଏହା ଏକ ଆଇନ ବିରୁଦ୍ଧ କାର୍ଯ୍ୟ । ତେବେ ପାକିସ୍ତାନର ଏଭଳି କାରନାମାକୁ ବିରୋଧ କରି ଭାରତ ତତକ୍ଷଣାତ ଉକ୍ତ ବୈଠକ ଛାଡ଼ିଦେଲା । ଏହାପରେ ମଧ୍ୟ ପାକିସ୍ତାନ ଭୁଲ ମାନଚିତ୍ର ପ୍ରଦର୍ଶନ ଜାରି ରଖିଥିଲା ।

ଖବର ଅନୁସାରେ ଋଷ୍ ମହାସଂଘର ରାଷ୍ଟ୍ରୀୟ ସୁରକ୍ଷା ସମିତିର ସଚିବ ନିକୋଲାଇ ପତ୍ରୁଶେବ ଏହି ବାର୍ତ୍ତା ପଠାଇଛନ୍ତି କି ପାକିସ୍ତାନ ଯାହା କଲା ଋଷ୍ ତାକୁ ସମର୍ଥନ କରୁନାହିଁ । ଆଶା କରୁଛୁ କି ପାକିସ୍ତାନର ଉସୁକାଇବା ସ୍ୱଭାବ Shanghai Cooperation Organisationରେ ଭାରତର ସହଯୋଗୀତାରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହା ସହିତ ଭାରତ ସହିତ ବ୍ୟକ୍ତିଗତ ସମ୍ପର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

IPL କାଉଣ୍ଟଡାଉନ୍ ଷ୍ଟାର୍ଟ, ଭାରତରେ ୮ଟି ଭାଷାରେ ହେବ ସିଧାପ୍ରସାରଣ

ନୂଆଦିଲ୍ଲୀ: ଆଉ ତିନି ଦିନ ପରେ ଆଇପିଏଲ । ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ବିଳମ୍ବରେ ହେଉ ପଛେ ଦର୍ଶକ ବେଶ୍‌ ଉତ୍ସାହିତ । ତେବେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା ଚଳାଇଛି ବିସିସିଆଇ । ଚଳିତ ଥର ଆଇପିଏଲର ସିଧାପ୍ରସାରଣ ସାରା ବିଶ୍ୱର ଦର୍ଶକ ଯେପରି ଘରେ ବସି ଦେଖିପାରିବେ, ସେ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥର ଭାରତରେ ୮ଟି ଭାଷାରେ ଆଇପିଏଲର ଧାରାବିବରଣୀ ଦିଆଯିବ । ଯାହାର ଭରପୂର ମଜା ଉଠାଇପାରିବେ କ୍ରିକେଟ୍ ପ୍ରେମୀ ।

ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ । ଷ୍ଟାଡ଼ିୟମକୁ ଯାଇ ମ୍ୟାଚ ଦେଖିହେବନି କିନ୍ତୁ ଘରେ ବସି ଟିଭି ମାଧ୍ୟମରେ ଏହାକୁ ଦେଖି ପାରିବେ ଦର୍ଶକ । ଏଥର ଦୁନିଆର ସବୁଠୁ ଅଧିକ ଦେଶ ପ୍ରଥମ ଥର ପାଇଁ କୌଣସି ଏକ କ୍ରିକେଟ ପ୍ରତିଯୋଗିତାକୁ ଦେଖିବାର ବ୍ୟବସ୍ଥା ହୋଇଛି । ଆଇପିଏଲର ସିଧା ପ୍ରସାରଣ ଏଥର ୧୨୦ ଦେଶରେ ଦେଖିବାକୁ ମିଳିବ । ବିଶ୍ବର ସବୁ ସ୍ଥାନରେ କିପରି ଏଥର ଆଇପିଏଲର ପ୍ରସାରଣ ପହଞ୍ଚି ପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ପାକିସ୍ତାନରେ ଆଇପିଏଲର ସିଧା ପ୍ରସାରଣ ହେବ ନାହିଁ ।

ସେପଟେ ଭାରତୀୟ ଉପମହାଦେଶରେ ପ୍ରସାରଣକାରୀ ସଂସ୍ଥା ଷ୍ଟାର ଇଣ୍ଡିଆର ବିଭିନ୍ନ ଚ୍ୟାନେଲ ଦ୍ବାରା କ୍ରିକେଟ ପ୍ରେମୀ ଦର୍ଶକ ଆଇପିଏଲ ଦେଖିପାରିବେ । କେବଳ ଇଂରାଜୀ କି ହିନ୍ଦୀ ଭାଷା ନୁହେଁ ଆଞ୍ଚଳିକ ଭାଷାରେ ମଧ୍ୟ ଏଥର ଆଇପିଏଲର ମଜା ଉଠାଇପାରିବେ ଦର୍ଶକ । ଇଂରାଜୀ ଓ ହିନ୍ଦୀ ସହ ତେଲଗୁ, ତାମିଲ, କନ୍ନଡ଼, ବେଙ୍ଗଲୀ, ମାଲାୟଲମ ଓ ମରାଠୀ ଭାଷାରେ ଧାରା ବିବରଣୀ ପ୍ରସାରଣ ହେବ । ଏହାସହ ହଟଷ୍ଟାରରେ ମଧ୍ୟ କ୍ରିକେଟ ପ୍ରେମୀ ଲାଇଭ୍ ମ୍ୟାଚ ଦେଖିପାରିବେ ।

ମହାରାଷ୍ଟ୍ର: ପ୍ରତ୍ୟେକ ମୃତ ଶରୀରର ହେବ କରୋନା ଟେଷ୍ଟ

ମୁମ୍ବାଇ: ମହାରାଷ୍ଟ୍ରର ସରକାରୀ ହସ୍ପିଟାଲରେ ଏବେ ପ୍ରତ୍ୟେକଟି ମୃତ ଶରୀରର କରୋନା ଟେଷ୍ଟ କରାଯିବ । ତେବେ ବ୍ୟକ୍ତି ଜଣଙ୍କର ମୃତ୍ୟୁ କରୋନାରେ ହୋଇଛି ନା ଅନ୍ୟ କୌଣସି କାରଣରୁ ହୋଇଛି ତାହା ଜାଣିବା ପାଇଁ ଏହି ଟେଷ୍ଟ କରାଯିବ । ଯଦି ରିପୋର୍ଟ ନେଗେଟିଭ ଥାଏ ତେବେ ମୃତ ଶରୀରରକୁ ଖୁବଶୀଘ୍ର ପରିବାର ସଦସ୍ୟକୁ ହସ୍ତାନ୍ତର କରିଦିଆଯିବ । ସୂଚନାଯୋଗ୍ୟ କରୋନା ରୋଗୀଙ୍କ ମୃତ ଶରୀରର ଅନ୍ତିମସଂସ୍କାର ସରକାରୀ ଏବଂ କରୋନା ଗାଇଡଲାଇନ୍ସ ଅନୁସାରେ କରାଯାଏ ଏବଂ ଏଥିରେ ଖୁବ ବିଳମ୍ବ ହୁଏ । ଗଣମାଧ୍ୟମର ଖବର ଅନୁସାରେ ମହାରାଷ୍ଟ୍ର ସରକାର ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି ।


ସୂଚନାଯୋଗ୍ୟ ମହାରାଷ୍ଟ୍ରରେ କରୋନା ସ୍ଥିତି ଖୁବ ଗମ୍ଭୀର । ସରକାରୀ ହସ୍ପିଟାଲ ଗୁଡ଼ିକର ଶବ ଗୃହ ମଧ୍ୟ ଭର୍ତ୍ତି ହୋଇଯାଉଛି । ତେବେ ଉକ୍ତ ସ୍ଥିତିକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ମୃତ ଶରୀରର ଆଣ୍ଟିଜେନ ଟେଷ୍ଟ ହେବ । ଏହି ରିପୋର୍ଟ ପ୍ରାୟ ୧ ଘଣ୍ଟା ମଧ୍ୟରେ ଆସୁଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଖୁବ ସହଜ ହେବ ।

କରୋନା ପାଇଁ ସାଂସଦଙ୍କ ଦରମା କମିଲା

ନୂଆଦିଲ୍ଲୀ: କମିଲା ସାଂସଦଙ୍କ ବେତନ । ଏନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ବିଲ୍‌ ପାରିତ ହୋଇଛି । ଆଗାମୀ ଏକ ବର୍ଷ ପାଇଁ ସାଂସଦମାନେ କମ୍‌ ଦରମା ପାଇବେ । ପ୍ରାୟ ୩୦ ପ୍ରତିଶତ ଲେଖାଏଁ ସାଂସଦ ମାନଙ୍କ ଦରମ କାଟ କରାଯିବ ବୋଲି ଆଜି ସଂସଦରେ ସଦସ୍ୟଙ୍କ ଦରମା ଓ ପେନସନ୍ (ସଂଶୋଧନ) ବିଲ ପାରିତ ହୋଇଛି । କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଲ୍‌ ଆଗତ କରିଥିଲେ । ଏହି ବିଲ୍‌କୁ ଅନେକ ସାଂସଦ ସମର୍ଥନ କରିଥିଲେ ମଧ୍ୟ ସାସଦ ନିଧି ନକାଟିବା ପାଇଁ କିଛି ସାସଦ ଦାବି କରିଥିଲେ ।

Parliament

କରୋନା ଯାେଗୁଁ ଦେଶର ଅର୍ଥନୈତିକ କ୍ଷେତ୍ରରେ ଆସିଛି ବଡ଼ ପରିବର୍ତ୍ତନ । ଆରମ୍ଭରୁ ଘରୋଇ ଓ ସରକାରୀ କର୍ମଚାରୀଙ୍କ ଦରମା କାଟ କରାଯାଉଥିବା ବେଳେ ଏବେ ସାଂସଦମାନଙ୍କ ଦରମା ମଧ୍ୟ କାଟ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ବଢିଲା ସୁନା ରୁପା ଦର, ଜାଣନ୍ତୁ ଆଜିର ମୂଲ୍ୟ

0

ନୂଆଦିଲ୍ଲୀ: ସୁନା ରୂପା ପ୍ରତି ରୁଚି ସର୍ବଦା ରହୁଥିଲେ ମଧ୍ୟ ବଜାରରେ ଏହାର ଦରଦାମ ଲୋକଙ୍କ ଚିନ୍ତା ବଢାଉଛି । ମଙ୍ଗଳବାରକୁ ଦେଶରେ ସୁନା ଏବଂ ରୁପାର ଦରଦାମ ବୃଦ୍ଧି ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦର ୪୨୨ ଟଙ୍କା ବୃଦ୍ଧି ହୋଇଛି । ତେବେ ୧୦ ଗ୍ରାମ ସୁନାର ମୂଲ୍ୟ ରହିଛି ୫୩,୦୧୯ ଟଙ୍କା । ରୂପା କଥା ଯଦି ଆଲୋଚନା କରିବା ତେବେ ଏହାର ମୂଲ୍ୟ ୧୦୧୩ ଟଙ୍କା ବୃଦ୍ଧି ହୋଇଛି । ତେବେ ଏକ କିଲୋ ରୂପାର ଦାମ ରହିଛି ୭୦,୭୪୩ ଟଙ୍କା ।


ସୂଚନା ମୁତାବକ ଦିଲ୍ଲୀରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୨୨ ଟଙ୍କା ବୃଦ୍ଧି ହୋଇଛି । ଚଳିତ ବର୍ଷ ୩୦ ପ୍ରତିଶତ ସୁନା ଦର ବୃଦ୍ଧି ହୋଇଛି । ଗତ ସୋମବାରକୁ ସୁନା ମୂଲ୍ୟ ୫୨,୪୬୨ ଟଙ୍କା ଥିବାବେଳେ ଚାହିଦାକୁ ନଜରରେ ରଖି ରୂପା ମୂଲ୍ୟ ୨୨୨ ଟଙ୍କା ବଢି କିଲୋ ପିଛା ୬୯,୫୯୦କୁ ବୃଦ୍ଧି ହୋଇଥିଲା । ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ମାର୍ଚ୍ଚ ମାସ ଠାରୁ ସୁନା ଦର ଲଗାତାର ଭାବରେ ବଢି ଚାଲିଛି ।

ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ବଢୁଛି । ତେଣୁ କରୋନା ସଙ୍କଟ ବଢୁଥିବାରୁ ନିବେଶକମାନେ ଏହି ସ୍ୱଳ୍ପ ବିପଦପୂର୍ଣ୍ଣ ମୂଲ୍ୟବାନ ଧାତୁରେ ବିନିଯୋଗ କରିବାକୁ ଆକର୍ଷିତ ହୋଇଛନ୍ତି ।

କରୋନା ମହାମାରୀ ବେଳେ ବଢ଼ିଛି ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ

ଭୁବନେଶ୍ୱର: କୋଭିଡ ମହାମାରୀର ପ୍ରଭାବ ଆମର ଅର୍ଥନୀତି ଉପରେ ପଡ଼ିବା ସତ୍ତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ବଢ଼ିଛି । ପ୍ରାୟ ୬ ପ୍ରତିଶତ ବୃଦ୍ଧି ପାଇଛି ଦୁଗ୍ଧ ଏବଂ ଅଣ୍ଡା ଉତ୍ପାଦନ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହାନିର୍ଦ୍ଦେଶକ ତଥା କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଏହି ମହାମାରୀ କରୋନା, କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ । ଏନେଇ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇ-ଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ମହାପାତ୍ର ସୂଚନା ଦେଇଛନ୍ତି ।

କୃଷି କ୍ଷେତ୍ରରେ ବିବିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ, ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏଏସର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

ଚିକିତ୍ସାଳୟ ସାମ୍ନାରେ ହୃଦୟ ବିଦାରକ ଦୃଶ୍ୟ, ଦେଖିଲେ ଆଖରୁ ଲୁହ ଝରି ଆସିବ ! କରୋନା ହଜାଇ ଦେଲା ମାନବିକତା

ଢ଼େଙ୍କାନାଳ: କରୋନା ମହାମାରୀ ସମୟରେ ବାହାର ଲୋକଙ୍କ କଥା ଦୂରେ ଥାଉ ନିଜ ଲୋକ ବି ଭୁଲି ଯାଉଛନ୍ତି । ଏମିତିକି କରୋନା ରୋଗୀଙ୍କ ମୃତ୍ୟୁ ବେଳେ ନିଜ ପରିବାର ଲୋକ ବି ତାଙ୍କ ନିକଟକୁ ଆସୁନଥିବା ଅନେକ ଖବର ସାମ୍ନାକୁ ଆସିଛି । ଜଣେ ମୃତକଙ୍କ କୋକେଇ ଉଠାଇବା ପାଇଁ ୪କାନ୍ଧ ମଧ୍ୟ ମିଳୁନଥିବା ଖବର ମଧ୍ୟ ଅନେକ ସ୍ଥାନରୁ ଆସିଛି । କରୋନା ଯୋଗୁଁ କିଭଳି ନିଜର ମାନବିକତା ହରାଇ ବସୁଛନ୍ତି ଲୋକ, ସେନେଇ ଏକ ଘଟଣା ଏବେ ସମସ୍ତଙ୍କୁ ବିଚଳିତ କରିଛି ।

ଜଣେ କରୋନା ରୋଗୀକୁ କେହି ସାହାଯ୍ୟ କରିବା ତ ଦୂରର କଥା ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀ ମଧ୍ୟ ରୋଗୀଠାରୁ  ଦୂରେଇ ରହୁଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଢ଼େଙ୍କାନାଳ ଜିଲ୍ଲାରୁ ।  କରୋନା ପାଇଁ ହଟହଟା ହେଲେ ରୋଗୀ । କେହି ପଚାରିଲେନି କି ପାଖକୁ ଆସିଲେନି ।  ଛଟପଟ ହୋଇ ଚାଲିଗଲା ଜୀବନ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଘଟିଯାଇଛି । ଯାହାର ଭଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ ।

ଜଣେ ବ୍ୟକ୍ତି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ସାମନାରେ ପଡ଼ି ରହିଛନ୍ତି ଓ ଅନ୍ୟ ଜଣେ ମହିଳା ତାଙ୍କ ଛାତିକୁ ବାରମ୍ଵାର ପମ୍ପିଂ କରୁଛନ୍ତି । ଆଉ ରୋଗୀ ଜଣକୁ ଚିକିତ୍ସା କରାଇବା ପାଇଁ ନେହୁରା ହେଉଛନ୍ତି । ହେଲେ, ପାଖରେ ଥିବା ସିକ୍ୟୁରିଟି ଗାର୍ଡ କି କୌଣସି କର୍ମଚାରୀ ସାହାଯ୍ୟର ହାତ ବଢାଉନାହାଁନ୍ତି । ସମସ୍ତେ ସାଜିଛନ୍ତି ଦେଖଣାହାରୀ ।

ସେପଟେ ଅସହାୟ ହୋଇ ମହିଳା ଜଣକ ଭୋ ଭୋ ହୋଇ କାନ୍ଦୁଛନ୍ତି ଓ ବିକଳ ହୋଇ ସାହାଯ୍ୟ ମାଗୁଛନ୍ତି । ବ୍ୟକ୍ତି ଜଣକ ଅନୁଗୁଳର ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି । ସେ ଗତକାଲି କୋଭିଡ୍‌‌ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କୋଭିଡ୍‌ ପଜିଟିଭ ବାହାରିବା ପରେ ବ୍ୟକ୍ତି ଜଣକ ହଠାତ୍ ତଳେ ପଡିଯାଇଥିଲେ । କିନ୍ତୁ କୋଭିଡ ରୋଗୀ ଜାଣି ଆଉ କେହି ପାଖ ମାଡିନଥିଲେ । ସେପଟେ ବ୍ୟକ୍ତି ଜଣଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା ।