କରୋନା ମୁକାବିଲା: ‘ଅକ୍ସିଜେନ୍‌ର ଅଭାବ ନାହିଁ, ଭଲ ସ୍ଥିତିରେ ରହିଛି ଭାରତ’, ଖୁବ୍‌ଶୀଘ୍ର ଟିକାର ମାନବ ପରୀକ୍ଷଣ

1 min read
Rajesh Bhusan

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭୂତାଣୁ । ଏହାକୁ ପ୍ରତିହତ କରିବା ପାଇଁ ଚାଲିଛି ଟିକା ପ୍ରସ୍ତୁତି । ଟିକା ପ୍ରସ୍ତୁତ କରୁଥିବା ତିନିଟି କମ୍ପାନୀ ଏବେ ହ୍ୟୁମାନ ପରୀକ୍ଷଣ ପାଇଁ ଜୋରସୋରରେ କାମ ଜାରି ରଖିଛନ୍ତି । କାଡିଲା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟ ପାଇଁ ଆଉ କିଛି ସମୟ ଲାଗିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍‌ଶୀଘ୍ର ଆରମ୍ଭ ହେବ । ସେହିଭଳି ପୁନେର ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟକୁ ଅପେକ୍ଷା ରହିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ।

ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ଅମ୍ଳଜାନ ଉତ୍ପାଦନ ୬ ହଜାର ୯୦୦ ମେଟ୍ରିକ ଟନରୁ ଅଧିକ ରହିଛି ।  ତେଣୁ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଦେଶରେ ପ୍ରଚୁର ପରିମାଣର ଅକ୍ସିଜେନ୍‌ ମହଜୁଦ୍‌ ରହିଛି । ସେହିଭଳି ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେବା ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଏଯାବତ୍ ୩୮ ଲକ୍ଷ ୫୦ ହଜାର ଲୋକ ସୁସ୍ଥ ହୋଇସାରିଲେଣି । ଏମିତିକି କରୋନା ଟେଷ୍ଟିଂ ହାର ମଧ୍ୟ ବୃଦ୍ଧି କରାଯାଇଛି । ଗତ ସପ୍ତାହକ ମଧ୍ୟରେ ୭୬ ଲକ୍ଷ ଟେଷ୍ଟ କରାଯାଇଛି ।

ଅନ୍ୟପଟେ ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି, ଭାରତରେ ତିନୋଟି ଟିକା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ରହିଛି । କାଡିଲା ଏବଂ ଭାରତ ବାୟୋଟେକ୍ ଟିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ କରିଛି ଏବଂ ଅନୁମୋଦନ ପରେ ୧୪ଟି ସ୍ଥାନରେ ୧୫୦୦ ରୋଗୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।

ତେବେ ପ୍ଲାଜ୍‌ମା ଥେରାପିକୁ ନେଇ ଭାର୍ଗବ କହିଛନ୍ତି ଯେ, ବିଭିନ୍ନ ଭୂତାଣୁ ସଂକ୍ରମଣ ପାଇଁ ପ୍ଲାଜମା ଥେରାପି ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ରୂପରେ ବ୍ୟବହାର କରାଯାଉଛି ।

Leave a Reply