spot_img
Home Blog Page 6480

ଚଳିତ ମାସ ୨୦ରୁ ବିଧାନସଭା ଶୀତ ଅଧିବେଶନ, ଆସିବ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୩୧ ଯାଏଁ ଚାଲୁ ରହିବ । ଏହି ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରଖାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ । ଶନିବାର ଓ ରବିବାର ମଧ୍ୟ ବିଧାନସଭା ଚାଲିବ । ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୦ରେ ହିଁ  ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରାଯିବ  ।

ଏ ସଂକ୍ରାନ୍ତରେ ଏକ ବିଧିବଦ୍ଧ ବିଜ୍ଞପ୍ତି ବୁଧବାର ଗଣମାଧ୍ୟମର ହସ୍ତଗତ ହୋଇଛି । ପୂର୍ବରୁ କୋଭିଡ଼ କଟକଣା ସହ ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୨୯ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ । ଗତ ମୌସୁମୀ ଅଧିବେଶନରେ ସମସ୍ତ ବିଧାୟକ, ସେମାନଙ୍କ ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଧାନସଭାର କର୍ମଚାରୀଙ୍କର କୋଭିଡ଼ ଟେଷ୍ଟିଂ କରାଯାଇଥିଲା । କୋଭିଡ଼ ସଂକ୍ରମିତ ନ ଥିବା ବିଧାୟକ ହିଁ ଗୃହକୁ ପ୍ରବେଶ କରିଥିଲେ । ଗୃହ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବା ସହ କାଚ ଲଗାଯାଇଥିଲା । ଦର୍ଶକ ଗ୍ୟାଲେରୀକୁମଧ୍ୟ ବିଧାୟକମାନଙ୍କ ପାଇଁ ବ୍ୟବହାର ହୋଇଥିଲା ।

କୋଭିଡ଼ ଯୋଗୁ ବିଧାନସଭା ଆସିବା ବାଧ୍ୟତାମୂଳକ ନ ଥିଲା । ଯେଉଁମାନେ ଚାହିଁଥିଲେ, ସେମାନଙ୍କୁ ଜିଲା ମୁଖ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡା ଯାଉଥିଲା । ସୁରୁଖୁରରେ ଅଧିବେଶନ ପରିଚାଳନା ହୋଇଥିବାରୁ ଦଳମତ ନିର୍ବିଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମସ୍ତେ ସାଧୁବାଦ୍ ଜଣାଇଥିଲେ ।

 

ପର୍ଯ୍ୟଟକ ବେଶରେ ମହିଳା ଗଞ୍ଜେଇ ବେପାରୀ, ଟୁରିଷ୍ଟ ବ୍ୟାଗରେ ଟ୍ରେନରେ କରୁଛନ୍ତି ଚାଲାଣ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ । ଟ୍ରାଭେଲ ବ୍ୟାଗରେ ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ୨ ମହିଳା ଗିରଫ । ଭୁବନେଶ୍ୱର ଓ ଆରପିଏଫ କ୍ରାଇମବ୍ରାଞ୍ଚ ଖୋର୍ଦ୍ଧାରୋଡ୍ ମିଳିତ ଚଢାଉରେ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଭୁବନେଶ୍ୱରରୁ ନୂଆଦିଲ୍ଲୀ ଚାଲାଣ ବେଳେ ରେଳ ଷ୍ଟେସନରୁ ବିପୁଳ ପରିମାଣର ଗଞ୍ଜେଇ ଧରାପଡ଼ିଛି । ରାଜଧାନୀ ଏକ୍ସପ୍ରେସରେ ଯିବା ପାଇଁ ଟ୍ରାଭେଲ ବ୍ୟାଗରେ ଗଞ୍ଜେଇ ଧରି ଟୁରିଷ୍ଟ ବେଶରେ ଆସିଥିବା ସୁରାକ ମିଳିଥିଲା ।

RPF Seized Cannabis Worth 4 Lakhs From Bhubaneswar Railway Station, Held 3

ସୂଚନା ପାଇବା ପରେ ବ୍ୟାଗେଜ ସ୍କାନର ଚେକିଂକୁ ଜୋରଦାର କରି ନଜର ରଖିଥିଲା ଟିମ୍ । ଷ୍ଟେସନକୁ ଏଣ୍ଟ୍ରି ବେଳେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ ଟିମ । ଦୁଇଜଣ ମହିଳା ସହ ଜଣେ ଯୁବକକୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୪୧ କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ବେନ, ବାସନ୍ତୀ ଦାସ, ଉନ୍ନତି ମଣ୍ଡଳ । ସମସ୍ତେ ପଶ୍ଚିମବଙ୍ଗର ମାଲଦା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଦୀପାବଳି ପାଇଁ ରାସ୍ତାକଡ଼ରେ ବିକି ପାରିବେନି ଦୀପ, ମହମବତୀ

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ତେବେ, ବିଶ୍ୱ ସ୍ତରରେ ଦେଖିଲେ ପୁଣି ଥରେ କରୋନା ଫେରୁଛି । ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ସଂକ୍ରମଣ ବଢ଼ିଛି । ଶୀତ ଦିନ କୋଭିଡ୍ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି । ତେଣୁ ସତର୍କ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆଗକୁ ଦୀପାବଳି ଆସୁଛି । ଦୀପାବଳିରେ ବିଏମସିର ଗାଇଡଲାଇନ୍ ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

BMC Put Restrictions On Road Site Selling Of Mahambati And Diwa Amid Corona

ବାଣ ବିକ୍ରି ଓ ଫୁଟାଇବା ଲାଗି ରାଜଧାନୀରେ କଟକଣା ଲାଗୁ ହୋଇଛି । ଯଦି କୌଣସି ବ୍ୟବସାୟୀ କିମ୍ବା ବ୍ୟକ୍ତି ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେବ । ଏପରିକି କେହି ରୋଡ୍ ସାଇଡରେ ଦୀପ, ମହମବତୀ ମଧ୍ୟ ବିକି ପାରିବେ ନାହିଁ । ବିକ୍ରି ନେଇ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯାଇଛି । ସେଥିପାଇଁ ଅନୁମତି ନେବାକୁ ପଡ଼ିବ । ଅସ୍ଥାୟୀ ଦୋକାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି, ଜେଡିସି ପାଖରେ ଆବେଦନ କରିବାକୁ ପଡ଼ିବ । ଚେକିଂ ଓ ଅନୁଧ୍ୟାନ ପାଇଁ ୫ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି ।

BMC Put Restrictions On Road Site Selling Of Mahambati And Diwa Amid Corona

ସେହଭଳି ବିବାହ ଋତୁକୁ ଲକ୍ଷ୍ୟ କରି ହୋଟେଲ ଏବଂ ମଣ୍ଡପ ପାଇଁ ଏସଓପି ଜାରି ହୋଇଛି । ବାହାଘରରେ ୨୦୦ ଜଣ ଯୋଗ ଦେଇପାରିବେ । ଥଣ୍ଡା, ଜ୍ୱର ଭଳି କିଛି ଲକ୍ଷଣ ଥିଲେ ବାହାଘରରେ ସାମିଲ୍ ହୋଇପାରିବେ ନାହିଁ । ବିବାହ ମଣ୍ଡପରେ ସାନିଟାଇଜର ରଖିବା ସହ ୨ ମିଟର ସାମାଜିକ ଦୂରତା ରକ୍ଷା କରାଯିବ । ଥାନାରୁ ଓ ସ୍ଥାନୀୟ ଅଧିକାରୀ ଦେଇଥିବା ଅନୁମତି ଅନୁସାରେ ବିଏମସି ମନିଟର କରିବ । ବିଏମସି କର୍ମଚାରୀ ଯାଇ ଚେକିଂ କରିବେ ।

‘କୋଭିଡ ସଂକ୍ରମଣରୁ ମୁକ୍ତ ହେବା ପରେ ସ୍ୱାସ୍ଥ୍ୟ ପ୍ରତି ରୁହନ୍ତୁ ସତର୍କ’

ଭୁବନେଶ୍ୱର:ରାଜ୍ୟରେ କୋଭିଡ଼ ସଂକ୍ରମଣ ହ୍ରାସ ପାଇଛି । ହେଲେ କୋଭିତ ସଂକ୍ରମଣ ପରବର୍ତ୍ତୀ ସ୍ୱାସ୍ଥ୍ୟବସ୍ଥା ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ସଂକ୍ରମଣରୁ ମୁକ୍ତ ହେବା ପରେ କିପରି ସ୍ୱାସ୍ଥ୍ୟର ଯତ୍ନ ନିଆଯିବ, ସେ ନେଇ ଡାକ୍ତରୀ ପରାମର୍ଶ ଜାରି ରହିଛି । ସେହିକ୍ରମରେ ବୁଧବାର କର କ୍ଲିନିକ ଡାକ୍ତର ନୀରଜ ମିଶ୍ର ଏବଂ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲର ଡାକ୍ତର ମାନସ ନାୟକ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି ।

Bharat Biotech Covaxin Adjuvant Alhydroxiquim For Better Immune Response
ଡାକ୍ତର ନୀରଜ ମିଶ୍ର କହିଛନ୍ତି ଯେ, କୋଭିଡ ସଂକ୍ରମଣରୁ ମୁକ୍ତ ହୋଇଥିବା କେତେକ ରୋଗୀ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ଆମ ରାଜ୍ୟର ପ୍ରାୟ ୩୫ ପ୍ରତିଶତ ରୋଗୀ ୧୮ରୁ ୩୫ ବୟସ ମଧ୍ୟରେ । ସେହିପରି ୫୦ରୁ ଅଧିକ ବୟସ୍କ ରୋଗୀମାନେ ମଧ୍ୟ ଜଟିଳତା ଅନୁଭବ କରୁଛନ୍ତି ।ବିଶେଷ କରି ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ, ମେଦ ବହୁଳତା ଇତ୍ୟାଦି ରହିଛି । ସେମାନେ କୋଭିଡ ପରବର୍ତ୍ତୀ ସମସ୍ୟା ଭୋଗୁଛନ୍ତି ବୋଲି ଡାକ୍ତର କହିଥିଲେ । ସେହିଭଳି କେତେକଙ୍କୁ ହାଲିଆ ହେବା, କାମ କରିବାକୁ ଇଚ୍ଛା ନ ହେବା, ସ୍ୱାଦ ଓ ଘ୍ରାଣ ଶକ୍ତି ଚାଲିଯିବା ସମସ୍ୟା ଜାରି ରହିବ । ୟୁରୋପରେ ଅର୍ଥନୀତି ଗତିବିଧି ଜାରି ରହିବାରୁ ପବ୍ , ବାର, ସୁଇମିଂପୁଲ, ସ୍କୁଲ-କଲେଜ ଇତ୍ୟାଦି ଖୋଲି ଗଲା । ସାମାଜିକ ଦୂରତା ଭାଙ୍ଗିବା ଦ୍ୱାରା ୟୁରୋପରେ ସଂକ୍ରମଣର ଦ୍ୱିତୀୟ ଲହର ଆସିଥିବା କୁହାଯାଉଛି । ତେଣୁ ଆମକୁ ମଧ୍ୟ ସତର୍କ ରହିବାକୁ ପଡିବ ।

ସେହିପରି ଡାକ୍ତର ମାନସ ନାୟକ କହିଥିଲେ ଯେ, ଭଲ ହୋଇଯିବା ପରେ କେତେକ ସାଧାରଣ ସମସ୍ୟା ନେଇ କୋଭିଡ ସଂକ୍ରମିତ ରୋଗୀ ଡାକ୍ତରଖାନା ଆସୁଛନ୍ତି । ସାମାନ୍ୟ ପରାମର୍ଶ ନେବା ପରେ ସେମାନେ ଠିକ୍ ହୋଇ ଯାଉଛନ୍ତି । କେତେକ ମନସ୍ତତ୍ତ୍ୱ ଦୃଷ୍ଟିକୋଣରୁ ଭାଙ୍ଗି ପଡୁଛନ୍ତି । ତେଣୁ ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି । ଯେଉଁମାନେ କୋଭିଡ଼ ସଂକ୍ରମିତ ଥିବା ସମୟରେ ଭେଣ୍ଟିଲେଟର, ଅକ୍ସିଜେନ ଇତ୍ୟାଦି ଆବଶ୍ୟକ କରୁଥିଲେ । ସେମାନଙ୍କୁ କୋଭିଡ଼ ପରବର୍ତ୍ତୀ ଚିକିତ୍ସା ଅଧିକ ଆବଶ୍ୟକ ହେଉଅଛି ।

 

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୋଲିସକୁ ପୁଣି ସଫଳତା । କମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ୩ଟି ବନ୍ଧୁକ, ଗୋଟିଏ ଆଇଇଡି ବୋମା, ଗୁଳି ସମେତ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ଗତ କିଛି ଦିନ ଧରି ଆନ୍ଧ୍ର-ଓଡ଼ିଶା ଓ ବିଏସଏଫ ମିଳିତ ଅପରେସନ ଜାରି ରଖିଛନ୍ତି ।

Police Seized Heavy Mao Weapons From Swabhiman Area Of Malkangiri

ସ୍ୱାଭିମାନ ଅଞ୍ଚଳରେ ଥିବା ଗୋରାସେତୁ ଜଙ୍ଗଲରେ ସର୍ଚ୍ଚ ଅପରସେନ କରାଯାଇଥିଲା । ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମାଓବାଦୀ ଠୁଳ କରିଥିଲେ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସପି ଋଷିକେଶ ଖିଲାରୀ ।

ଅହମଦାବାଦର ଏକ ଟେକ୍ସଟାଇଟ ଗୋଦାମରେ ଅଗ୍ନିକାଣ୍ଡ, ୯ ମୃତ

ଅହମଦାବାଦ: ଗୁଜୁରାଟ ଅହମଦାବାଦର ଏକ ଟେକ୍ସଟାଇଲ ଗୋଦାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏଯାବତ ୯ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନା ମୁତାବକ ଅଗ୍ନିକାଣ୍ଡ ଯୋଗୁଁ ବିଲଡିଂର ଏକ ଅଂଶ ଭୁଶୁଡ଼ି ପଡ଼ିବା କାରଣରୁ ଏହି ୯ ଜଣଙ୍କର ମୃତ୍ୟୁ ହୋଇଛି । ବିଲଡ଼ିଂ ଭଗ୍ନାବଶେଷ ଭିତରେ ଆହୁରି ଅନେକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅହମଦାବାଦର ପିପଲାଜ ରୋଡର ନାନୁକାକା ଇଷ୍ଟେଟରେ ସ୍ଥିତ ଏହି ଗୋଦାମରେ ନିଆ ଲାଗିବା ପରେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି । ଅହମଦାବାଦ ଅଗ୍ନି ଏବଂ ଜରୁରୀକାଳୀନ ସେବା ମୁଖ୍ୟଙ୍କ କହିବା ଅନୁଯାୟୀ, ପ୍ରଥମେ ପାଖରେ ଥିବା ଏକ କେମିକାଲ ୟୁନିଟରେ ବିସ୍ଫୋରଣ ହୋଇଥିଲା । ଏହାପରେ ଏହି ଟେକ୍ସଟାଇଲ ଗୋଦାମର କାନ୍ଥ ଭୁଶୁଡ଼ିବା ସହ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ୧୨ ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁଯାୟୀ ସେହି ୟୁନିଟରେ ଫାୟାର ସେଫ୍ଟି ସିଷ୍ଟମ ମଧ୍ୟ ନଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କେମିକାଲ ୟୁନିଟରେ ପ୍ରଥମେ ଲଗାତାର ପାଞ୍ଚଟି ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଫରେନସିକ ଯାଞ୍ଚ ଚାଲିଛି ।  ଦମକଳ ବିଭାଗ ସୂଚନା ଅନୁଯାୟୀ ଧ୍ୱଂସାବଶେଷ ଭିତରୁ ପ୍ରାୟ ୧୨ ଜଣଙ୍କୁ ଉଦ୍ଧାର କରାଯାଇ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କରୋନା କାଳରେ ପର୍ଯ୍ୟଟକଙ୍କ ଉପରେ ଫୋକସ୍, ମିଳିବ ସବୁ ସୁବିଧା

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । କୋଭିଡ ସମୟରେ କୌଣସି ପର୍ଯ୍ୟଟକଙ୍କ ଅସୁବିଧା ନହେବାକୁ ନେଇ ହୋଟେଲ ଓ ରେଷ୍ଟୁରାଣ୍ଟର କର୍ମକର୍ତ୍ତାକୁ ଧ୍ୟାନ ଦେବାକୁ କହିଲେ ମୁଖ୍ୟ ଶାସନ ସଚିବ । ଆଜି ଲୋକସେବା ଭବନର କନକ୍ଲେଭ ହଲରେ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ।

Delegates Will Not Face Any Obstacle In Visit Time To Odisha Amid Covid19

ଉଦ୍‌ବୋଧନରେ ଶ୍ରୀ ତ୍ରିପାଠୀ କହିଥିଲେ, ଚଳିତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପଡ଼ିଛି । ଏବଂ ବହୁ କ୍ଷତି ହୋଇଛି । ଏହି ଶିଳ୍ପଗୁଡ଼ିକୁ କିପରି ଅଧିକ କ୍ରିୟାଶୀଳ କରାଯିବ ଏବଂ ପର୍ଯ୍ୟଟକ ମାନେ ଯେପରି ଆତ୍ମସନ୍ତୋଷ ଲାଭ କରିପାରିବେ ସେନେଇ ଦୃଷ୍ଟି ଦେବାକୁ କହିଥିଲେ ଶ୍ରୀ ତ୍ରିପାଠୀ । ଓଡ଼ିଶାରେ କୋଭିଡ୍ ପରିଚାଳନା ସନ୍ତୋଷ ଜନକ ହୋଇଥିବା ବେଳେ ଏହି ଦୁଃସମୟରେ ପର୍ଯ୍ୟଟକ ମାନଙ୍କୁ ଉତ୍ତମସେବା ଯୋଗାଇଦେବାକୁ ଶ୍ରୀ ତ୍ରିପାଠୀ କହିଥିଲେ ।

ଅଧିକ ମାତ୍ରାରେ କାଢ଼ା ପିଉଛନ୍ତି କି ? ଇମ୍ୟୁନିଟି ସିଷ୍ଟମ ଉପରେ ପଡ଼ିପାରେ ପ୍ରଭାବ

କରୋନା ଭାଇରସ ମହାମାରୀ ଭୟରେ ଲୋକମାନେ ନିଜକୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏହି ଉପାୟ ଗୁଡ଼ିକ ମଧ୍ୟରୁ ସବୁଠୁ ସାଧାରଣ ହେଉଛି କାଢ଼ା ସେବନ କରିବା । ଲୋକମାନେ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଦିନକୁ ତିନି ଚାରି ଥର କାଢ଼ା ପିଉଛନ୍ତି । ଆୟୁର୍ବେଦରେ ମଧ୍ୟ କାଢ଼ା ପିଇବାର ଅନେକ ସୁଫଳ ବିଷୟରେ ବର୍ଣ୍ଣନା କରାଯାଇଛି କିନ୍ତୁ ଲୋକମାନେ ଆଜି କାଲି ନିଜ ମନ ମୁତାବକ କାଢ଼ା ପିଇବାରେ ଲାଗିଛନ୍ତି । ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ କାଢ଼ା ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ତେବେ ଜାଣନ୍ତୁ କାଢ଼ା ପିଇବାର ସଠିକ ପ୍ରକ୍ରିୟା ବିଷୟରେ…

କାଢ଼ା ପିଇବାର ଭୁଲ ଉପାୟ:

କୌଣସି ଜିନିଷକୁ ଅତି ମାତ୍ରାରେ କରିବା କ୍ଷତି ପହଞ୍ଚାଇଥାଏ । ଏବଂ ଏହି କଥା କାଢ଼ା ଉପରେ ମଘ୍ୟ ଲୋଗୁ ହୋଇଥାଏ । ନ୍ୟୁୟର୍କର ଜଣେ ଆୟୁର୍ବେଦିକ ଡାକ୍ତର ନିଧି ପାଣ୍ଡେଙ୍କ କହିବା ଅନୁଯାୟୀ ଯଦି କାଢ଼ାକୁ ଠିକ ଭାବରେ ପିଆନଯାଏ ତେବେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । କାଢ଼ାକୁ ଅତିମାତ୍ରାରେ ଫୁଟାଇବା ବା ଏହାକୁ ଅତିମାତ୍ରାରେ ପିଇବା ଦ୍ୱାରା ୟୁରିନ ଇନଫେକସନ, ଚର୍ମ ଶୁଷ୍କ ହୋଇଯିବା, ବ୍ରଣ, ଆସିଡିଟି ଏବଂ ମୁହଁ ଶୁଖିଯିବା ଭଳି ସମସ୍ୟା ଦେଖାଦେଇପାରେ । ଯଦି ଆପଣ କାଢ଼ା ପିଇ ଏହାର ଲାଭ ଉଠାଇବାକୁ ଚାହୁଛନ୍ତି ତେବେ ଏହାକୁ ସଠିକ ମାତ୍ରାରେ ଏବଂ ସଠିକ ଭାବରେ ପିଅନ୍ତୁ ।

୧. କାଢ଼ାକୁ ଅଧିକ ଫୁଟାନ୍ତୁ ନାହିଁ:

କାଢ଼ାରେ ପଡ଼ୁଥିବା ମସଲା ଗୁଡ଼ିକୁ ଅଧିକ ଫୁଟାଇବା ଦ୍ୱାରା ଏହାର ପ୍ରଭାବ ଅଧିକ ରହିନଥାଏ । ଏହାକୁ ଅଧିକ ଫୁଟାଇବା ଦ୍ୱାରା କାଢ଼ା ପିତା ଲାଗିଥାଏ ଏବଂ ପିଇବା ପରେ ପେଟରେ ଜଳାପୋଡ଼ା ଏବଂ ଆସିଡିଟି ହୋଇଥାଏ । କାଢ଼ାରେ ମସଲା ଗୁଡ଼ିକୁ କିଛି ମିନିଟ ପାଇଁ ଫୁଟାଇବା ବା ଷ୍ଟିମ ଦେବା ଯଥେଷ୍ଟ ଅଟେ ।

୨. କେବଳ ଅଧ କପ କାଢ଼ା ପିଅନ୍ତୁ:

ଆପଣ କାଢ଼ାକୁ ଗୋଟିଏ ଦିନରେ ତିନି ଚାରି ଥର ପିଉଛନ୍ତି କି ? ତେବେ ଏହି ଅଭ୍ୟାସକୁ ତୁରନ୍ତ ଛାଡ଼ନ୍ତୁ । ଗୋଟିଏ ଦିନରେ କେବଳ ଅଧ କପ କାଢ଼ା ପିଅନ୍ତୁ । ଶୀତ ଦିନରେ ଏହାକୁ ବଢ଼ାଇ ଦୁଇ କପ କାଢ଼ା ପିଇପାରିବେ ।

୩. ଥଣ୍ଡା ମସଲା ପକାନ୍ତୁ:

 

କାଢ଼ାରେ ପଡ଼ୁଥିବା ପ୍ରାୟ ସମସ୍ତ ମସଲା ଗରମ ହୋଇଥାଏ । ତେଣୁ କାଢ଼ାରେ କିଛି ଥଣ୍ଡା ମସଲା ପକାନ୍ତୁ ଯେମିତିକି  ମୁଲେଠୀ, ଅଳେଇଚ ଏବଂ ଗୋଲାପ ପତ୍ର । ଏହି ମସଲା ପେଟ ସହ ଜଡ଼ିତ ସମସ୍ୟା ଦୂର କରିବ ।

୪. ଥଣ୍ଡା ଜିନିଷ ସେବନ କରନ୍ତୁ:

 

କାଢ଼ା ପିଇବା ଦ୍ୱାରା ଦେହ ଗରମ ହୋଇଯାଇଥାଏ । ଯେଉଁ କାରଣରୁ ବ୍ରଣ ଏବଂ ଚର୍ମ ଶୁଷ୍କ ହୋଇପାରେ । ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ କିଛି ଥଣ୍ଡା ଜିନିଷ ଖାଆନ୍ତୁ ଯେମିତିକି କମଳା ।

୫.  ପ୍ରଚୁର ପରିମାଣରେ ପାଣି ପିଇନ୍ତୁ:

ପ୍ରତିଦିନ କାଢ଼ା ପିଉଥିଲେ ନିଜ ଶରୀରକୁ ହାଇଡ୍ରେଡ ରଖନ୍ତୁ । ପେଟକୁ ଥଣ୍ଡା ରଖିବା ପାଇଁ ପାଣିରେ ପୁଦିନା ପତ୍ର ମିଶାଇ ଏବଂ ପଇଡ଼ା ପାଣି ପିଅନ୍ତୁ ।

୬. ପ୍ରତିଦିନ କାଢ଼ା ପିଅନ୍ତୁ ନାହିଁ:

କାଢ଼ା ଶରୀରରେ ଗରମ ଉତ୍ପନ୍ନ କରୁଥିବାରୁ ଏହାକୁ ପ୍ରତିଦିନ ପିଇବା ଉଚିତ ନୁହେଁ । ଆପଣ ଏହାକୁ ତିନି ସପ୍ତାହ ଲଗାତାର ପିଇବା ପରେ ଦୁଇ ସପ୍ତାହ ବ୍ରେକ ନିଅନ୍ତୁ । ଏହାଦ୍ୱାର ଆପଣଙ୍କ ପେଟ ଏବଂ ଶରୀର ଉପରେ ଅଧିକ ଭାର ପଡ଼ିବ ନାହିଁ ।

ଜଙ୍ଗଲରେ ବଣୁଆ ହାତୀଙ୍କୁ ବୁଦ୍ଧି ଶିଖାଇଲେ ଗାଈ ଗୋଠ, ଦେଖନ୍ତୁ ଭିଡିଓ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବଣୁଆ ହାତୀଙ୍କ ଉପଦ୍ରବ । କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବି ହାତୀ ଚଳାଇଛନ୍ତି ଉତ୍ପାତ । କେତେବେଳେ ବିଲରେ ଧାନ ଫସଲକୁ ଦଳି ନଷ୍ଟ କରି ଦେଉଛନ୍ତି ଆଉ କେବେ ଭାଙ୍ଗୁଛନ୍ତି ଘରଦ୍ୱାର । ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହୋଇ ପଡ଼ିଲେଣି ଲୋକ । ପ୍ରାୟ ୨୦ ଦିନ ହେଲାଣି ଅଞ୍ଚଳରେ ଏଭଳି ଭାବେ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି ।

Cows Vs Elephants See Videos From Karanjia

ହାତୀପଲଙ୍କ ଉତ୍ପାତ ମଧ୍ୟରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଗାଁ ନିକଟ ଜଙ୍ଗଲ ମଧ୍ୟ ଦେଇ ହାତୀପଲ ପାର୍ ହେଉଥିବା ବେଳେ ହଡ଼ବଡ଼େଇ ଯାଇଛନ୍ତି । ହାତୀପଲ ଜଙ୍ଗଲରୁ ଆସି ତଟାସାହି ନିକଟରେ ରୁଣ୍ଡ ହୋଇଥିବା ବେଳେ ଗାଈ ଗୋଠ ସେମାନଙ୍କୁ ତଡ଼ି ଦେଇଛନ୍ତି । ଗାଇଗୋଠକୁ ଦେଖି ହାତୀପଲ ପ୍ରଥମେ ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ । ପରେ ଗାଁ ଲୋକ ଆସି ହୋହାଲ୍ଲା କରିବାରୁ ହାତୀପଲ ପଳାଇଥିଲେ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ୪ ମାସ ବିତିଲାଣି । ଏଯାଏଁ ମୃତ୍ୟୁର ରହସ୍ୟ ଜଣାପଡ଼ିନି । ଜିଆରପି ପରେ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସେପଟେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ପତ୍ନୀ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାରେ ଗତ ଶୁଣାଣି ବେଳେ କୋର୍ଟ କ୍ରାଇମବ୍ରାଞ୍ଚକୁ ତଦନ୍ତ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ, ଆଜି ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଦାଖଲ କରିପାରି ନାହିଁ ।

Social Worker Aaditya Dash Case, High Court Seeks Investigation Report

ଗତ ସେପ୍ଟେମ୍ବର ୧୧ରେ ହାଇକୋର୍ଟ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆବେଦନ ଉପରେ ନିର୍ଦ୍ଦେଶ ଦେଇଥିଲେ । ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଦାଖଲ କରିପାରି ନାହିଁ । ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୧ ତାରିଖର ମଧ୍ୟରେ ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Social Worker Aaditya Dash Case, High Court Seeks Investigation Report

ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଗଷ୍ଟ ୨୭ରେ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ସାଙ୍ଗ ବିକାଶ, ପପୁ ଓ ଦୀପକଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା । ଏହାପରେ ମାମଲାର ସିବିଆଇ ତଦନ୍ତ ଦାବି କରି ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଚକୁ ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ମିଳିଥିବା ବେଳେ ବିଦ୍ୟାଶ୍ରୀ, ପପୁ, ବିକାଶ ଓ ଦୀପକଙ୍କ ପୂର୍ବ ଓ ପର ବୟାନରେ ତାଳମେଳ ଥିବା ଜଣାପଡ଼ିଛି । କୋର୍ଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ ପରେ ଜଣାପଡ଼ିବ ମାମଲା କେଉଁ ମୋଡ଼ ନେଉଛି । ନା ସସପେନ୍ସ ଭିତରେ ରହିଯାଉଛି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ।