spot_img
Home Blog Page 6479

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଛିଛି। ଗତଥର ଭଳି ଏହି  ୩ଟି ଯାକ ରାଫେଲ ଯୁଦ୍ଧ ବିମାନ‌ ହରିୟାଣା ସ୍ଥିତ ଅମ୍ବାଲା ଏୟାର ବେସ୍‌ରେ ପହଞ୍ଛିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।

ସୂଚନାନୁସାରେ, ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ଏହି ତିନୋଟି ରାଫେଲ ଯୁଦ୍ଧ ବିମାନ ରାସ୍ତାରେ କୌଣସି ସ୍ଥାନରେ ନଅଟକି ସିଧା ଭାରତରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧ ବିମାନ ବାଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଟକିଥିଲା। ଗତ ଜୁଲାଇ ୨୮ରେ  ଫ୍ରାନ୍ସ ସରକାର ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ‌ ଭାରତକୁ ଦେଇଥିଲେ। ଏହା ବିଧିବଦ୍ଧ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏହି ୫ଟି ରାଫେଲ ଯୁଦ୍ଧ ବିମାନକୁ ବର୍ତ୍ତମାନ ଲଦାଖରେ ମୁତୟନ କରାଯାଇଛି। ଚୀନ ସହ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ ସରକାର ରାଫେଲକୁ ଲଦାଖରେ ହିଁ ମୁତୟନ କରିଛନ୍ତି ।

 

 

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ୫୯,୦୦୦ କୋଟି ଟଙ୍କାରେ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କଣିବାକୁ ଚୁକ୍ତି କରିଥିଲେ।

ଆଖି ଡୋଳାରେ ରହିଛି କି କଳାଦାଗ, ସତର୍କ ହୁଅନ୍ତୁ ଏହା ହୋଇପାରେ କ୍ୟାନସରର କାରଣ

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ।

ଆଇ ଫ୍ରେକଲ୍‌ସ ହେବାର କାରଣ

  • ଆଇ ଫ୍ରେକଲ୍‌ସ ଅନେକ କାରଣରୁ ହୋଇଥାଏ। ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଆଖି ଡୋଳାରେ କଳା ଦାଗ ରହିଥାଏ। ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ।
  • ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ।
  • ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ। ସେହିପରି କିଛି କିଛି ଆଇ ଫ୍ରେକଲ୍‌ସ ଦୃଶ୍ୟମାନ ହୁଅନ୍ତି ନାହିଁ। ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରି ପାରନ୍ତି।

ଲକ୍ଷଣ 

  • ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ।
  • ଯେଉଁମାନଙ୍କର ଆଖି ନୀଳ ସେମାନଙ୍କ ଆଖି ଚେକ୍‌ କରିବା ପରେ ଏହି ଫ୍ରେକଲ୍‌ସ ସଂପର୍କରେ ଜଣାପଡ଼େ।

ଉପଚାର

ଅଧିକାଂଶ ଆଇ ଫ୍ରେକଲ୍‌ସ କୌଣସି କ୍ଷତି ପହଞ୍ଚାଇ ନ ଥା’ନ୍ତି। କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍‌ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍‌ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିଯୋଗୁ ଯେଉଁ କ୍ୟାନ୍‌ସର ହୋଇଥାଏ, ତାକୁ ‘ମେଲାନୋମା’ କୁହାଯାଏ।

ସାରୁଅରେ ହକ୍‌ ଓ ଅହଂକାରର ଲଢେଇ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଷ୍ଟ୍ରୀୟ ଦଳିତ ମହାସଭା

ଭୁବନେଶ୍ୱର: ହକ୍‌ ଓ ଅହଂକାରକୁ ନେଇ ଚାଲିଛି ଲଢେଇ । ଖୋର୍ଦ୍ଧା ସାରୁଅରେ ୪ ଦିନ ହେଲା ନ୍ୟାର୍ଯ୍ୟ ଦାବିକୁ ନେଇ ସଂଗ୍ରାମ ଚାଲିଥିବାବେଳେ ଓଟିଭି କର୍ତ୍ତୃପକ୍ଷ କିନ୍ତୁ ଅହଂକାରରେ ବୁଡ଼ି ରହିଛନ୍ତି । ଆନ୍ଦୋଳନକାରୀଙ୍କ ଦାବି ଶୁଣିବା କଥା ପଛେ , ଆଡ ଆଖିରେ ଅନଉ ନାହାଁନ୍ତି ଜଗି ମଙ୍ଗତଙ୍କ ପଣ୍ଡା । ଏପରି ସ୍ଥିତିରେ ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ସାମିଲ ହୋଇଛି ରାଷ୍ଟ୍ରୀୟ ଦଳିତ ମହାସଭା । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ସହ ଦାବି ପୂରଣ ନହେଲେ ରାଜରାସ୍ତା ଜାମ ହେବ ବୋଲି ଚେତାବନୀ ଦେଇଛି ମହାସଭା । ସେପଟେ ବୈଜୟନ୍ତ ପଣ୍ଡା ଗରିବ ଓ ଶ୍ରମିକ ବିରୋଧୀ ଆଭିମୁଖ୍ୟକୁ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର  ।

ସସ୍ମିତ ପାତ୍ରଙ୍କ ପକ୍ଷରୁ ପିଏମଓ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଟ୍ୱିଟ୍ କରି ଓଟିଭି ମାଲିକ ଓ ମାଲିକାଣୀଙ୍କ କାରନାମା ସଂପର୍କରେ ଅବଗତ କରାଇଛନ୍ତି । ସସ୍ମିତ କହିଛନ୍ତି ଯେ, ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁସାରେ ରାଜ୍ୟରେ ଦଳିତଙ୍କ ଜମି କିଣାଯାଇ ପାରିବ ନାହିଁ । ସାରୁଅରେ ଆଇନ ଆଖିରେ ଧୂଳିଦେଇ ଜମି କିଣି ଜାଲିଆତି କରିଛନ୍ତି ବୈଜୟନ୍ତ । ଜମି କିଣିବା ପାଇଁ ଜୟ ତାଙ୍କ ଦଳିତ ଡ୍ରାଇଭରଙ୍କୁ ମୋହରା କରିଛନ୍ତି । ଯାହା ଦଳିତଙ୍କ ଉପରେ ଅତ୍ୟାଚାର ଆଇନ ଅନୁଯାୟୀ ଜଘନ୍ୟ ଅପରାଧ ବୋଲି ସେ କହିଛନ୍ତି । ଓଡ଼ିଶାରେ ବୈଜୟନ୍ତଙ୍କ ହରକତ ବିଷୟରେ କେନ୍ଦ୍ର ସରକାର ଜାଣିବା ଦରକାର ବୋଲି କହିଛନ୍ତି ସସ୍ମିତ ।

Illegal Boundary Constructed By OTV In Sarua Demolished By Khordha Dist Administration

ଅପରପକ୍ଷରେ ଖୋର୍ଦ୍ଧା ସାରୁଅରେ ଠିକା କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଆନ୍ଦୋଳନ ବୁଧବାର ଚତୁର୍ଥ ଦିନରେ ପହଞ୍ଚିଛି । ୪ ଦିନ ଧରି ଖରାତରାରେ ଫାଟକ ସମ୍ମୁଖରେ ୫ ଦଫା ଦାବିରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ନ୍ୟାୟ ଦାବିରେ ବସି ରହିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଆଡ଼ ଆଖିରେ ଅନାଉନାହାନ୍ତି । ଆନ୍ଦୋଳନକାରୀଙ୍କ  ସହ ସ୍ୱର ମିଳାଇ ଧାରଣାରେ ସାମିଲ ହୋଇଛି ରାଷ୍ଟ୍ରୀୟ ଦଳିତ ମହାସଭା । ଠିକା ଶ୍ରମିକମାନଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ଜମି ଏବଂ ସେମାନଙ୍କ ପ୍ରାପ୍ୟ ତୁରନ୍ତ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଭା । ଅନ୍ୟ ପକ୍ଷରେ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ୫ ଦଫା ଦାବି ଉପରେ ଓଟିଭି ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ କରାଯାଇଛି । ସାତ ଦିନ ଭିତରେ ଏହି ଦାବି ର ସମାଧାନ ପାଇଁ ଶ୍ରମ ବିଭାଗ କମିଶନର ଓଟିଭିକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସମାଧାନ ଅପେକ୍ଷରେ ଶ୍ରମିକଙ୍କ ସମୟ ଗଡି ଚାଲିଛି ।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୫୨୦ ଜଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୫୨୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥତା ସଂଖ୍ୟା ୨ ଲକ୍ଷ ୮୨ ହଜାର ୭୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୮୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧା ପରେ ଦ୍ୱିତୀୟରେ ମୟୂରଭଞ୍ଜରୁ ୧୧୩ ଜଣ, କଟକରୁ ୧୦୨ ଜଣ, ଜଗତସିଂହପୁରରୁ ୯୪ ଜଣ, ଅନୁଗୁଳରୁ ୮୯ ଜଣ, ନୂଆପଡ଼ାରୁ ୭୦, ଝାରସୁଗୁଡାରୁ ୬୮, ସୁନ୍ଦରଗଡରୁ ୬୫, ବଲାଙ୍ଗିର ୬୩, କେନ୍ଦ୍ରାପଡ଼ାରୁ ୫୩, ବାଲେଶ୍ୱରରୁ ୫୦, ଯାଜପୁରରୁ ୪୮, ବରଗଡ଼ରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳ ଓ ସୋନପୁରରୁ ୨୫ ଜଣ ଲେଖାଏଁ, କଳାହାଣ୍ଡି ଓ କୋରାପୁଟରୁ ୨୪ ଜଣ ଲେଖାଏଁ, ବୌଦ୍ଧରୁ ୧୭, ନବରଙ୍ଗପୁର ଓ ନୟାଗଡ଼ରୁ ୧୬ ଜଣ, ଦେବଗଡ଼ ୧୧, ରାୟଗଡ଼ା ୧୦, କନ୍ଧମାଳ ଓ ମାଲକାନଗିରିରୁ ୮ ଜଣ ଲେଖାଏଁ, ଗଜପତିରୁ ୫ ଜଣ ଓ ରାଜ୍ୟପୁଲରୁ ୨୧ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୯୫ ହଜାର ୮୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଲକ୍ଷ ୩୯୯ଟି କେସ୍ ସକ୍ରିୟ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଅଞ୍ଚଳରୁ ୭୫ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଚାନ୍ଦିପୁରରୁ ପିନାକା Mk-Iର ସଫଳ ପରୀକ୍ଷଣ କଲା DRDO

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବୁଧବାର ପିନାକା Mk-Iର ସଫଳ ପରୀକ୍ଷଣ କରାଯାଇଛି । ପିନାକାର ଉନ୍ନତ ସଂସ୍କରଣର ସଫଳ ପରୀକ୍ଷଣ ହୋଇଥିବା ବେଳେ ଏହାର କ୍ଷମତା ବୃଦ୍ଧି ହୋଇଛି । ଏହି ପରୀକ୍ଷଣ ପ୍ରୁଫ ଆଣ୍ଡ ଏକ୍ସପେରିମେଣ୍ଟ ଏଷ୍ଟାବ୍ଲିସମେଣ୍ଟରୁ କରାଯାଇଛି । ଲଗାତାର ୬ଟି ରକେଟ୍ ଉତକ୍ଷେପଣ କରାଯାଇଥିଲା, ଯାହାକି ମିଶନର ଉଦ୍ଦେଶ୍ୟକୁ ସଫଳ କରିଛି । ସଫଳତା ପାଇଁ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁସାରେ ପିନାକା Mk-I ଏବେର ପିନାକାର ଉନ୍ନତ ସଂସ୍କରଣ । ପ୍ରଥମ ପିନାକାରେ ନାଭିଗେସନ୍ ସିଷ୍ଟମ ନଥିଲା । ଅପଗ୍ରେଡ୍ ପିନାକାରେ ନାଭିଗେସନ୍ ସିଷ୍ଟମ ରହିଛି । ଏଥିପାଇଁ ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ନୌବାହନ, ନାଭିଗେସନ୍ ଓ ନିୟନ୍ତ୍ରଣ କିଟ୍ ପ୍ରସ୍ତୁତ କରିଥିଲା ।

ପୂର୍ବ ପିନାକାରେ ଗାଇଡ୍ ଟେକ୍ନୋଲଜି ନଥିଲା । ଏବେ ଏହାକୁ ଅପଗ୍ରେଡ୍ କରାଯାଇ ଗାଇଡିଂ ପ୍ରଣାଳୀ ଦିଆଯାଇଛି । ଲଗାତାର ୬ ରାଉଣ୍ଡରେ ପ୍ରାୟ ୪୫ କିଲୋମିଟର ଦୂରତାକୁ ହୋଇଛି ପରୀକ୍ଷା । ୪୪ ସେକଣ୍ଡ ମଧ୍ୟରେ କରାଯାଇଛି ୬ ରାଉଣ୍ଡ ପରୀକ୍ଷା । ପରୀକ୍ଷା ପାଇଁ ଗୋଟିଏ ଲଞ୍ଚରରେ ୧୨ଟି ରକେଟ୍‌ ଖଞ୍ଜା ଯାଇଥାଏ । କାର୍ଗିଲ ଯୁଦ୍ଧରେ ଏହି ଲଞ୍ଚର ବ୍ୟବହାର କରିଥିଲା ଭାରତୀୟ ସ୍ଥଳସେ । ପୂର୍ବରୁ Mk-I ରକେଟ୍‌ ଲଞ୍ଚରର ଲକ୍ଷ୍ୟଭେଦ କ୍ଷମତା ୪୦ କିଲୋମିଟର ଥିଲା । ଏହାର ବ୍ୟାରେଲ ଲମ୍ଭ ୭.୨ ମିଟର ଓ ମୋଟେଇ ୮.୪ ଇଞ୍ଚ ଅଟେ ।

ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର: ୟୁରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡ଼ିଶାରେ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ- ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବାକୁ ହେଲେ ଆମକୁ କୋଭିଡ୍ ନିୟମ ଯଥା- ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ଜାରି ରଖିବାକୁ ପଡ଼ିବ । ଏଥିରେ ଆଦୌ କୋହଳ କରାଯାଇ ପାରିବ ନାହିଁ । କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Second Wave Of Covid-19 May Affect Odisha After December Second Week

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି  କହିଥିଲେ ।

ଗତ ପୂଜା ସମୟରେ କୋଭିଡ୍ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ  ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Second Wave Of Covid-19 May Affect Odisha After December Second Week

କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଆମର ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ । ମନରେଗା, ମିଶନ ଶକ୍ତି ଏବଂ ସହରୀ ନିଯୁକ୍ତି ରୋଜଗାର ପରି କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଗରିବ ଲୋକଙ୍କ ଆର୍ଥିକ ନିରାପତ୍ତା ଯେପରି ବ୍ୟାହତ ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତ SLBC  ବୈଠକ ସମୟରେ ମିଶନ ଶକ୍ତି, MSME ଓ ଚାଷୀ ମାନଙ୍କୁ ଠିକ୍‌ ସମୟରେ ଋଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଇଥିବା ପରାମର୍ଶ ସଂପର୍କରେ ସ୍ମରଣ କରାଇ ଦେଇ ସଂପୃକ୍ତ ବିଭାଗ ମାନେ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ ।

Second Wave Of Covid-19 May Affect Odisha After December Second Week

କୋଭିଡ୍ ପରିଚାଳନା ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ- ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିଛି ଏବଂ ହସ୍‌ପିଟାଲରେ ICU ଓ ଶଯ୍ୟା ସନ୍ତୋଷଜନକ ରହିଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ପରବର୍ତ୍ତୀ ଯତ୍ନ ପାଇଁ Standard Protocol ପ୍ରସ୍ତୁତ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ସେହିପରି ବ୍ୟାପକ ଟୀକାକରଣକୁ ଦୃଷ୍ଟିରେ ରଖି Cold chain ଓ Database କାମ ଜାରି ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ ।

କୋଭିଡ ପରିଚାଳନା ସଂପର୍କରେ ସ୍ୱତନ୍ତ୍ର ଉପସ୍ଥାପନା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ହଜାର ପରୀକ୍ଷା ହେଉଥିବା ବେଳେ, ଆମ ରାଜ୍ୟରେ ୧ ଲକ୍ଷ ୨ ହଜାର ଟେଷ୍ଟିଂ କରାଯାଇଛି । ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୨ ପ୍ରତିଶତ ଥିବାବେଳେ, ଆମ ରାଜ୍ୟରେ ଏହା ୯୫.୩୨ ପ୍ରତିଶତରେ ପହଞ୍ଚିଛି । ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଁ ୦.୪୬ ପ୍ରତିଶତ ରହିଛି । ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ Steering committee ଗଠନ କରାଯାଇଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଏବଂ ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଟୀକାକରଣ ନିମନ୍ତେ ୩୭୫୨ଟି ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଚିହ୍ନଟ କରାଯାଇଥିବା ବେଳେ ୩ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

Second Wave Of Covid-19 May Affect Odisha After December Second Week

ଭୁବନେଶ୍ୱରରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ହାଇ ରିସ୍କ ଗ୍ରୁପର ସେରୋ ସର୍ଭେ ଗତ ୩ ତାରିଖିରେ ଶେଷ ହୋଇଛି । ବର୍ତ୍ତମାନ କଟକରେ ସେରୋ ସର୍ଭେ ଚାଲିଥିବା ବେଳେ ପୁରୀ, ସମ୍ବଲପୁର ଓ ବାଲେଶ୍ୱରରେ ଆଗାମୀ ଡିସେମ୍ବରରେ କରାଯିବ ବୋଲି ସୂଚନା ଦେଇଥିଲେ ।

ବୈଠକରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଏଠାରେ ପୋଷା କୁକୁର ହେଉଛି ବାୟୁ ସେନା ମୁଖ୍ୟ, ନିଯୁକ୍ତି ଦେଲେ ଖୋଦ ଦେଶର ରାଜା

ଥାଇଲାଣ୍ଡ: ରାଜା ମହାରାଜାମାନଙ୍କ ସଉକ କାହିଁରେ କ’ଣ । ଏବର ଯୁଗରେ ଥାଇଲାଣ୍ଡର ରାଜା ଏହାର ଜୀବନ୍ତ ଉଦାହରଣ । ରାଜାଙ୍କର ୩ ପତ୍ନୀ ଅଛନ୍ତି, ଏହା ସତ୍ବେ ତାଙ୍କ ନିକଟରେ ରହିଛନ୍ତି ୨୦ ଜଣ ସେକ୍ସ ସୋଲଜର (ଯେଉଁମାନଙ୍କୁ ବ୍ୟକ୍ତିଗତ ଅଙ୍ଗରକ୍ଷୀ ମାନ୍ୟତା ଦିଆଯାଇଛି) । ଏବେ ନିକଟରେ ଥାଇ ରାଜା ତାଙ୍କର ପୁଡ଼ୁଲ୍ ପ୍ରଜାତିର ପୋଷା କୁକୁର ‘ଫୁଫୁ’କୁ ଦେଶର ବାୟୁ ସେନା ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ।

କେବଳ ସେତିକି ନୁହେଁ ଏହି କୁକୁର, ନିଜର ବ୍ୟକ୍ତିଗତ ଅଙ୍ଗରକ୍ଷୀ, ପତ୍ନୀ ଓ ଚାକରବାକରଙ୍କୁ ଧରି ଜର୍ମାନ ବୁଲିବାକୁ ଯାଇଛନ୍ତି । ସେଠାରେ ଏକ ପଞ୍ଚତାରକା ହୋଟେଲର ୪ର୍ଥ ମହଲାକୁ ସମ୍ପୂର୍ଣ୍ଣ ଭାବରେ ରାଜା ଓ ତାଙ୍କ ଲୋକଙ୍କ ପାଇଁ ବୁକିଂ କରାଯାଇଛି ।

ଥାଇଲାଣ୍ଡରେ ସରକାରଙ୍କ ନୀତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋ​‌ଷ ଲାଗି ରହିଛି । କେବଳ ସରକାର ନୁହେଁ ରାଜାଙ୍କ ବିରୋଧରେ ଲୋକମାନେ ନିଜର କ୍ରୋଧ ପ୍ରକଟ କରୁଛନ୍ତି ।  ରାଜା ମହା ଭାଜିରାଲୋଙ୍ଗକର୍ଣଙ୍କ ବିରୋଧରେ ମଧ୍ୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଧାନ ଖାନ ଓଚାଙ୍କ ଇସ୍ତଫା ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ଏକ ସମୟରେ ୪ଜଣ ରୁ ଅଧିକ ଲୋକଙ୍କ ସମାବେଶ ଉପରେ ନିଷେଧାଦେଶ ଜାରି ହୋଇଛି, କିନ୍ତୁ ଏହା ସତ୍ତ୍ୱେ ଗତ ଏକ ସପ୍ତାହ ଧରି ବିକ୍ଷୋଭକାରୀମାନେ ଏକତ୍ରିତ ହୋଇ ରାଜତନ୍ତ୍ର ବିରୋଧରେ ଗଣତନ୍ତ୍ର ଦାବି କରି ଆସୁଛନ୍ତି ।

ରାଜତନ୍ତ୍ର ବିରୁଦ୍ଧରେ ଥାଇଲ୍ୟାଣ୍ଡର ଲୋକଙ୍କ କ୍ରୋଧ ମଧ୍ୟ ସ୍ବାଭାବିକ ।  କରୋନା ସଂକ୍ରମଣ ଏବଂ ତାଲାବନ୍ଦ ଯୋଗୁଁ ଦେଶର ଲୋକମାନେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ଥାଇ ରାଜା ତାଙ୍କର ୨୦ ସେକ୍ସ ସୋଲଜର, ୪ ପତ୍ନୀ ଏବଂ ସମସ୍ତ ଚାକରଙ୍କ ସହ ଜର୍ମାନୀ ଗସ୍ତରେ ଅଛନ୍ତି । ଏଠାରେ ଏକ ପଞ୍ଚତାରକା ହୋଟେଲର  ଏକ ପୂରା ମହଲା ରାଜା ଏବଂ ତାଙ୍କ  ସହଯୋଗୀମାନଙ୍କ ପାଇଁ ବୁକ୍ କରାଯାଇଛି ।

ଗାଙ୍ଗୁଲି, କୋହଲି ଓ ତମନ୍ନାଙ୍କ ପାଇଁ ଅଡୁଆ: ନୋଟିସ ଜାରି କଲା ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ଲୋକଙ୍କ ପାଇ ଅହିତକର ଉତ୍ପାଦ ଓ ସେବାକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଆସିଛି ପୂର୍ବତନ କ୍ରିକେଟ ଖେଳାଳି ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଏହି ଦୁହିଁଙ୍କ ବ୍ୟତୀତ ଅଭିନେତ୍ରୀ ତମନ୍ନା ଭାଟିଆ, ଅଭିନେତା ପ୍ରକାଶ ରାଜ ଓ ସୁଦୀପଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ମାଡ଼୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର ଏମାନଙ୍କୁ ନୋଟିସ ଜାରି କରିଛି । ଏମାନଙ୍କ ବିରୋଧରେ ଅନଲାଇନ ଜୁଆ ଖେଳ ଅଭିଯୋଗ ଆସିଛି । ଆଇପିଏଲରେ ଡ଼୍ରିମ ଇଲେଭେନ ବାଛିବା ସଂକ୍ରାନ୍ତ ମାମଲାକୁ ନେଇ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି । ତେବେ କ୍ରିକେଟ୍ ଜୁଆ ଖେଳ ନୁହେଁ କି ବୋଲି  ତାହା ସ୍ପଷ୍ଟ କରିବାକୁ ଅଦାଲତ କହିଛନ୍ତି । ଏହା ସହ ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି ।

 

 

କ୍ରିକେଟ ଖେଳ ଏକ ଜୁଆ କି ନୁହେଁ ପ୍ରଶ୍ନ କରିଛନ୍ତି ଅଦାଲତ । ଏଥିରୁ ଅର୍ଜିତ ଅର୍ଥ କୁଆଡ଼େ ଯାଉଛି ସେ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତର ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ଗତକାଲି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ମାମଲାର ଶୁଣାଣି ପରେ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି । ମଦୁରାଇର ମହମ୍ମଦ ରସଭି ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ତାଙ୍କ ଓକିଲ ନୀଲାମେଗାମ ଏହି ପିଟିସନ ଦାଖଲ କରିଛନ୍ତି ।

କ୍ରିକେଟରେ ବେଟିଂ ଓ ବାଜି ଲଗାଇବା ଯୋଗୁଁ ତାମିଲନାଡ଼ୁରେ ଏବେ ୧୦ ଜଣ ପ୍ରାଣ ହରାଇଛନ୍ତି । ଗତ ମାସରେ ଜଣେ ବ୍ୟକ୍ତି ଅନଲାଇନ ଜୁଆ ଖେଳରେ ୩୦ ଲକ୍ଷ ଟଙ୍କା ହରାଇବା ପରେ ପୁଡ଼ୁଚେରୀରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁପୂବରୁ ଏକ ଅଡ଼ିଓ ବାର୍ତା ତାଙ୍କ ପତ୍ନୀଙ୍କ ନିକଟକୁ ପଠାଇଥିଲେ ଓ ଅନଲାଇନ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି କହିଥିଲେ ।

 

ଏହି ପ୍ରତିନିଧିତ୍ୱ ଏପରି ଏକ ସମୟରେ କରାଯାଇଛି ଯେତେବେଳେ ସାମ୍ପ୍ରତିକ ସମୟରେ ଅନଲାଇନ୍ ଜୁଆ ଯୋଗୁଁ ତାମିଲନାଡୁରେ ଦଶରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅକ୍ଟୋବରରେ, ଜଣେ ବ୍ୟକ୍ତି ଅନ୍ଲାଇନ୍ ଜୁଆରେ ୩୦ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀରେ ନିଜ ଜୀବନ ନେଇଥିଲେ।

ଡାଇବେଟିସ୍‌ ଓ କ୍ୟାନ୍ସର ପାଇଁ ଅନେକ ଉପକାରୀ ଏହି ଗଛ

ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍‌ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। ଏହା ଏକପ୍ରକାର ଇନ୍‌ସୁଲିନ୍‌ ଭଳି କାମ କରିଥାଏ।

ଏହି ଗଛର ନାମ ଏଥିପାଇଁ ସଦାବାହାର ରଖାଯାଇଛି ଯେ, ଏହି ଗଛର ଫୁଲ ବାର ମାସ ଯାଏ ଫୁଟିଥିଏ। ଏଥିପାଇଁ ଏହାକୁ ବାରମାସୀ ବା ସଦ୍‌ପୁଷ୍ପା ମଧ୍ୟ କୁହାଯାଏ। ଏଥିରେ ଅନେକ ଔଷଧିୟ ଗୁଣ ଥିବାରୁ ଏହାକୁ ସଂଜୀବନୀ ମଧ୍ୟ କୁହାଯାଏ।

ସଦାବାହାର ଦ୍ୱାରା କ୍ୟାନ୍ସର ଉପଚାର-

କ୍ୟାନ୍ସର ରୋଗୀଙ୍କୁ ସଦାବାହାର ପତ୍ରର ଚଟଣୀ ଖାଇବାକୁ ଦେଲେ ଅନେକ ଫାଇଦା ମିଳିଥାଏ।

ଏହାର ରସ ବାହାର କରି ମଧ୍ୟ ପିଇପାରିବେ। କିନ୍ତୁ ଏହାକୁ ଖାଲି ପେଟରେ ଖାଇବା କି ପିଇବା ଆବଶ୍ୟକ।

ଡାଇବେଟିସ୍‌ ଉପଚାର

୧.ସଦାବାହାରର ପୂରା ଗଛରେ ପାଖାପାଖି ୧୫୦ ପ୍ରକାର Alkaloid ରହିଥାଏ।

୨.ଏହା ଆମ ଶରୀରରେ ସୁଗାର ଲେବଲ ବା ଶର୍କରା ସ୍ତର କମ୍‌ କରିବା ପାଇଁ ଅନେକ ସାହାଯ୍ୟ କରିଥାଏ।

କାହିଁକି କୁହାଯାଏ ବୁଝ୍ ନ ବୁଝ୍ ପଢ୍ ଗୀତା…

ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା । ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଆରେ ସହଜେ ମିଳେ ନାହିଁ । ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗବତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ  ।

ଆଧ୍ୟାତ୍ମିକ ପୁସ୍ତକ ପଢିଲେ କ’ଣ ଲାଭ ହୁଏ ସେ ନେଇ ଅନେକ ଗବେଷଣା ହୋଇଛି ।

୧. ଜଣେ ବ୍ୟକ୍ତି ଯଦି ଧର୍ମୀୟ କାର୍ଯ୍ୟରେ ମନୋନିବେଶ କରେ ତାହେଲେ ଜୀବନରୁ କ୍ଳାନ୍ତି ଦୂର ହୋଇଯାଇଥାଏ  

୨. ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଲୋକମାନେ ବିଭିନ୍ନ ଚାପରେ ଥିଲେ ମଧ୍ୟ ସେମାନଙ୍କ ମନକୁ ନକରାତ୍ମକ ଚିନ୍ତାଧାରା ସିନଥାଏ ଯାହା ଦ୍ୱାରା ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାଙ୍ଗି ପଡ଼ି ବରଂ ତାକୁ ସାମ୍ନା କରନ୍ତି

୩.  ଧର୍ମ, ପ୍ରାର୍ଥନା ଯୋଗ ଦି ଦ୍ୱାରା ଶାରୀରିକ ମାନସିକ ସ୍ତରରେ ବିକାଶ ଘଟିବା ସହିତ ମାନସିକ ଚାପ କମ୍ ରହିଥାଏ  ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଥିବା ବ୍ୟକ୍ତି ବିଶେଷ ଶାବାଦୀ ହେବା ସହ ସୁସ୍ଥ ଜୀବନଯାପନ କରନ୍ତି  ।

ତେବେ ଏଠାରେ ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ…

ଏକଦା ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଜଣେ ବୃଦ୍ଧଙ୍କୁ ତାଙ୍କ ନାତି ପଚାରିଲେ ଜେଜେ ଆପଣ ସବୁଦିନେ ଧର୍ମ ପୁସ୍ତକ ପଢ଼ି କଣ ଲାଭ ପାଉଛନ୍ତି ? ମୁ ଆପଣଙ୍କ ବହି ପଢ଼ିଲି, କିଛି ବୁଝି ପାରିଲିନି, ସେଗୁଡା ମନେ ବି ରହୁନି । ବୃଦ୍ଧ ଜଣଙ୍କ କହିଲେ ଆମ ବାଡ଼ିପଟେ ଯେଉଁ କୋଇଲା ବୋଝେଇ ବାସ୍କେଟ ଅଛି ତାକୁ ନେଇ ନଈରେ ଫିଙ୍ଗି ଦେବୁ ଆଉ ନଈରୁ ବାସ୍କେଟ ଭର୍ତ୍ତି କରି ପାଣି ଆଣିବୁ । ନାତି ସେୟା କଲେ, ବାସ୍କେଟ ଧରି ନଈକୁ ଗଲେ, କୋଇଲା ଫିଙ୍ଗିଲେ କିନ୍ତୁ ବାଟରେ ପାଣିତକ ବୋହିଗଲା । ବୃଦ୍ଧ କହିଲେ, ଆଉ ଥରେ ଯାଇ ପାଣି ଆଣି ଆସେ , ପାଣି ଆସିବା ନିହାତି ଦରକାର ।

ନାତି ପ୍ରତି ଥର ନିଜ ଦୌଡ଼ିବା ବେଗ ବଢ଼ାଇ ବାରମ୍ବାର ଉଦ୍ୟମ କଲେ, କିନ୍ତୁ ଘର ପର୍ଯ୍ୟନ୍ତ ପାଣି ଆଣିବା ସମ୍ଭବ ହେଲା ନାହିଁ । ଶେଷରେ ବିରକ୍ତ ହୋଇ କହିଲେ ଜେଜେ ଆପଣ ବେକାର ଏହି ବହି ସବୁ ପଢୁଛନ୍ତି, କିଛି ଲାଭ ନାହିଁ, ବେକାର ପରିଶ୍ରମ, ସମୟ ନଷ୍ଟ । ଜେଜେ କହିଲେ, ଗୋଟିଏ ମିନିଟ ଚିନ୍ତା କରି କହ ଲାଭ ହୋଇଛି କି କ୍ଷତି ହୋଇଛି । ନାତି ଏଥର ଆଖି ବୁଜି ଚିନ୍ତା କଲେ, କହିଲେ କିଛି ନାହିଁ , ବେକାର ପରିଶ୍ରମ, ଝାଳ ନାଳ ଆଣ୍ଠିଏ ହୋଇଗଲିଣି ।

ଜେଜେ କହିଲେ, ଧନରେ ବାରମ୍ବାର ଦୌଡ଼ିବା ଦ୍ୱାରା ଅପରିଷ୍କାର ରକ୍ତ ଝାଳ ଆକାରରେ ବାହାରି ଯାଇଛି, ଯାହା ତୋ ଶରୀର ପାଇଁ ଆବଶ୍ୟକ ନଥିଲା । ଜେଜେଙ୍କ କଥା ନାତି ମନକୁ ପାଇଲା । ଜେଜେ କହିଲେ, ସେତିକି ନୁହେଁ; ଆହୁରି ଲାଭ ହୋଇଛି, ପୁଣି ଚିନ୍ତା କରେ । ନାତି ଚିନ୍ତାମଗ୍ନ ଥିବା ବେଳେ ଆଖି ପଡ଼ିଲା ବାସ୍କେଟ ଉପରେ । ଦେଖିଲା ବାସ୍କେଟଟି ବାରଂବାର ଧୋଇ ହୋଇ ସଫା ହୋଇଯାଇଛି, ଯାହା ଅନ୍ୟ କାମରେ ଲାଗିପାରିବ । ନାତି ଏଥର ଜେଜେଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି କହିଲା ଜେଜେ ଆପଣ ଆଖି ଖୋଲି ଦେଲେ ।

ଜେଜେ କହିଲେ ବାରମ୍ବାର ଧର୍ମ ପୁସ୍ତକ ପଢ଼ିଲେ ଆମ ମନରୁ ମଇଳା ଦୂର ହୋଇଯାଏ । ଆମର ଚିନ୍ତା ଶକ୍ତିର ବିକାଶ ଘଟେ, କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ । କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ ସକାଳର ପ୍ରାର୍ଥନା ଦ୍ୱାରା ସବୁ କିଛି ଶୃଙ୍ଖଳିତ ହୋଇଯାଏ, ସର୍ବୋପରି ଆମର ଦିନ ଭଲରେ କଟେ ।