spot_img
Home Blog Page 6470

ସେପ୍ଟେମ୍ବର ୩୦ ଯାଏଁ ବଢ଼ିଲା ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ନେଇ ରାଜ୍ୟରେ ଆଜିଠୁ ଅନ୍‌ଲକ୍ ୪ ଲାଗୁ ହୋଇଛି । ଅନ୍‌ଲକ୍‌ ୪ରେ ରାଜ୍ୟରେ କିଛି କଟକଣା ଉପରେ କୋହଳ କରାଯାଇଛି । କିନ୍ତୁ, ପୂର୍ବ ଭଳି ପୁରୀ ସ୍ୱର୍ଗଦ୍ୱାରରେ ଯେଉଁ କଟକଣା ଥିଲା ତାହା ଏବେ ପର୍ଯ୍ୟନ୍ତ ବଳବତ୍ତର ରହିଛି । ସ୍ୱର୍ଗଦ୍ୱାରରେ କଟକଣା ଅନୁଯାୟୀ ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାରୁ ଶବ ଦାହ ଉପରେ ରୋକ ଲାଗିଥିଲା । ଉକ୍ତ କଟକଣାକୁ କରୋନା ପାଇଁ ଆଉ ମାସେ ବଢ଼ାଇ ଦିଆଯାଇଛି । ସେପ୍ଟେମ୍ବର ୩୦ ଯାଏଁ ସ୍ୱର୍ଗଦ୍ୱାରରେ ବାହାରୁ ଆସୁଥିବା ମୃତଦେହ ଦାହ କରାଯାଇ ପାରିବ ନାହିଁ ।

ସେପଟେ ପୁରୀରେ କରୋନା ସଂକ୍ରମଣ ସାଢ଼େ ୩ ହଜାର ପାର ହୋଇଛି । ପ୍ରତିଦିନ ୧୦୦ରୁ ଅଧିକ କରୋନା ସଂକ୍ରମଣ ମାମାଲା ପୁରୀ ଜିଲ୍ଲାରୁ ଚିହ୍ନଟ ହେଉଛି । ଆଜି ୧୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୭୦୮ ଜଣ ଏବେ ସୁସ୍ଥ ହୋଇଥିବା ବେଳେ ୯୧୦ ଜଣ ଏବେ ରାଜ୍ୟରେ କରୋନା ସକ୍ରିୟ ରହିଛନ୍ତି । କରୋନାରେ ପୁରୀ ଜିଲ୍ଲାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।

‘କଟକଣା କୋହଳ ପରେ ବସ୍ ସେବା ସ୍ୱାଭାବିକ ହେବ’

ଭୁବନେଶ୍ୱର : ଅନଲକ୍ -୪ରେ ରାଜ୍ୟ ସରକାର କଟକଣାକୁ ଅତି କୋହଳ କରିଛନ୍ତି  । ଲକଡାଉନ୍ ଓ ସଟଡାଉନ୍ କଟକଣା ବି ସେପ୍ଟେମ୍ୱର ମାସ ପାଇଁ ବନ୍ଦ ରହିଛି । ରାତ୍ରିକର୍ଫ୍ୟୁକୁ ସରକାର ଉଠାଇ ସାରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ ବୋଲି ରାଜ୍ୟ ପରିବବନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବାନୁମାନ କରିଛନ୍ତି । ସେ ଆଶାବ୍ୟକ୍ତ କରିଛନ୍ତି ଯେ ଏଣିକି ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ  ହେବ ।

ତେବେ କଟକଣା ବେଳେ ମଧ୍ୟ ସରକାରୀ ଓ ବେସରକାରୀ ବସ ସେବା ଚାଲୁ ରହିଥିଲା । ମାତ୍ର ସାଧାରଣ ଲୋକେ କରୋନା ଓ କଟକଣା ଆକଟରେ ଯାତ୍ରା କରିବାରେ ଇଚ୍ଛୁକ ନଥିଲେ । ଯାହା ଫଳରେ କାଁ ଭାଁ ବସ୍ ସେବା ଚାଲିଥିଲା । ପୁରୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ୱଲପୁର ଭଳି ଗହଳି ସ୍ଥାନକୁ ମଧ୍ୟ ଦିନକୁ ଅତି ବେଶୀରେ ଗୋଟିଏ ଦୁଇଟି ବସ ଚାଲୁଥିଲା । ଯାତ୍ରୀ ନହେବା ହେତୁ ଘରୋଇ ବସ୍ ମାଲିକମାନେ ଅନୁମତି ଥାଇ ମଧ୍ୟ ବସ୍ ଚଳାଉନଥିଲେ । ଅନ୍ୟପକ୍ଷରେ ସରକାରୀ ବସ୍ ସେବା ବିନା ଯାତ୍ରୀରେ ମଧ୍ୟ ସେବା ଚାଲୁ ରଖିଥିଲେ ।

 

ତେବେ ଏବେ ସ୍ଥିତି ବଦଳିବା ନେଇ ଆଶା ସଞ୍ଚାର ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ତରଫରୁ ବସ୍ ଯାତ୍ରା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ୍ ଗାଇଡଲାଇନ ଆଧାରରେ ଯାତ୍ରୀମାନେ ବସରେ ଯାତ୍ରା କରିପାରିବେ । ସେହିଭଳି ବସ୍ ମାଲିକମାନଙ୍କ ଦାବିକୁ ମାନି ସରକାର ଟ୍ୟାକ୍ସ ସ୍ଲାବରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ଆଡମିଶନ ପାଇଁ ଟଙ୍କା ମାଗିଲା ପୁଅ,ଭାଇ ସହ ମିଶି ବାପା ମାରିଲେ ମାଡ !

ଗ୍ରେଟର ନୋଏଡ଼ା: ଗ୍ରେଟର ନୋଏଡ଼ାରେ ସାମ୍ନାକୁ ଆସିଛି ଜଣେ ବାପାର ନୃଶଂସ ଚେହେରା । ପ୍ରତ୍ୟେକ ବାପାମା’ ନିଜ ପିଲାର ଉଜ୍ୱଳ ଭବିଷ୍ୟତ କାମନା କରୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ବିପରୀତ କାମ କରି ଚର୍ଚ୍ଚାକୁ ଆସିଛନ୍ତି । ଖବର ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ପୁଅ ତାଙ୍କୁ ଆଡମିଶନ ପାଇଁ ଟଙ୍କା ମାଗିଥିଲେ । ଟଙ୍କା ତ ଦେବା ଦୂର କଥା ବରଂ ଟଙ୍କା ପରିବର୍ତ୍ତେ ନିଜ ଭାଇ ସହିତ ମିଶି ପୁଅକୁ ମାଡ଼ ମାରିଛନ୍ତି ଉକ୍ତ ବ୍ୟକ୍ତି । ଯାହାପରେ ଛାତ୍ର ଜଣକ ପୋଲିସକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି ।

ସୂଚନା ଅନୁଯାୟୀ କୌଣସି ସମସ୍ୟା କାରଣରୁ ଉକ୍ତ ଛାତ୍ରଙ୍କ ବାପା ମା’ ଅଲଗା ଅଲଗା ରହୁଛନ୍ତି । ଛାତ୍ରର କହିବା ଅନୁସାରେ ସେ ଜାତୀୟ ସ୍ତରରେ ଫୁଟବଲ ଖେଳି ସାରିଛନ୍ତି । କିନ୍ତୁ ନିକଟରେ ଆଡ଼ମିଶନ ପାଇଁ ସେ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ଦେବା ପରିବର୍ତ୍ତେ ତାଙ୍କ ବାପା ରାଗି ଯାଇ ତାଙ୍କ ଭାଇ ସହିତ ମିଶି ପୁଅକୁ ମାଡ଼ ମାରିଛନ୍ତି । ଛାତ୍ରର ବୟାନ ଅନୁଯାୟୀ ସେ ତାଙ୍କ ମା’ଙ୍କ ସହିତ ରୁହନ୍ତି ।

ନିଜ ପୁଅର ଭବିଷ୍ୟତ କଥା ଚିନ୍ତା କରିବା ପରିବର୍ତ୍ତେ ଜଣେ ବାପା ହୋଇ ପୁଅକୁ ଏଭଳି ନୃଶଂସ ଭଳି ମାଡ଼ ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ସୁଧୁରୁନି ବନ୍ୟାସ୍ଥିତି: ଅଧା ରାଜ୍ୟ ଏବେ ବି ଜଳମଗ୍ନ, କୁମ୍ଭୀର ଭୟରେ ଗ୍ରାମବାସୀ

ଭୁବନେଶ୍ୱର:  ଅଧା ରାଜ୍ୟ ଏବେ ବି ଜଳମଗ୍ନ । ଏବେ ବି ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରଭାବିତ ହେଉଥିବା ବେଳେ କଟକ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ମହାନଦୀରେ ବନ୍ୟା ପାଇଁ ବିଶେଷ ପ୍ରଭାବିତ ହୋଇଛି କଟକ ଜିଲ୍ଲାର ବାଙ୍କି ଅଞ୍ଚଳ । ଉତ୍ତର ବାଙ୍କି ବ୍ଲକର ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଓସ୍ତିଆ ଗାଁର ୭ଶହ ପରିବାର ପାଣି ଘେରରେ ଫଶି ରହିଥିଲେ ମଧ୍ୟ ପ୍ରଶାସନ ଏଯାଏଁ ପହଞ୍ଚି ପାରିନାହିଁ । ବନ୍ୟା ଜଳ ମହାନଦୀରେ ଆସିବା ଦ୍ୱାରା ଉତ୍ତର ବାଙ୍କି ବ୍ଲକର ହୁଳୁହୁଳା ନାଳ ଦେଇ ତିଗିରିଆ, ଆଠଗଡ ଓ ଉତ୍ତର ବାଙ୍କି ବ୍ଲକର ପାଖାପାଖି ୧୦ରୁ ଅଧିକ ପଞ୍ଚାୟତର ଚାଷଜମି ଗତ ୫ରୁ ୬ଦିନ ଧରି ଜଳମଗ୍ନ ହୋଇଛି । ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ରୁ ୫ଫୁଟର ବନ୍ୟା ଜଳ ଚାଲିଛି । ସେପଟେ ଉତ୍ତର ବାଙ୍କୀର ଓସ୍ତିଆ ଗାଁରେ ବୁଡ଼ିଛି ମନ୍ଦିର । ଆଉ ପାଣି ଘେରରେ ରହିଛନ୍ତି ଠାକୁର ।

ସେହିଭଳି ଯାଜପୁରରେ କମୁଛି ବନ୍ୟା ପାଣି, ହେଲେ ବଢ଼ୁଛି ଦୁର୍ଦ୍ଦଶା । ଦଶରଥପୁର ଦତ୍ତପୁରରେ ବନ୍ୟା ସ୍ଥିତି ସୁଧୁରିଥିବା ବେଳେ ଘାଇ ସୃଷ୍ଟି ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଚାଷ ଜମିରେ ଏବେବି ଲହଡି ମାରୁଛି ପାଣି ।

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସୀମାନ୍ତରେ ନଦୀ ନାଳ ଘେରା ଭିତରେ ଥିବା ଗାଁ ନଳଦିଆ ଗାଁର ଅବସ୍ଥା ନ କହିଲେ ଭଲ । ସାମାନ୍ୟ ବନ୍ୟା ଆସିଲେ ଏଗାଁର କୃଷି ଉପରେ ନିର୍ଭର କରୁଥିବା ଲୋକମାନଙ୍କର ଆର୍ଥିକ ମେରଦଣ୍ଡକୁ ଦୋହଲେଇ ଦେଇଥାଏ । ବିଲବାଡ଼ିରେ ଆକାତକାତ ପାଣି ଆଉ ଗାଁ ଦାଣ୍ଡରେ କେଉଁଠି ଆଣ୍ଠୁଏ ତ କେଉଁଠି ପେଟେ ଲେଖାଏଁ ପାଣି ପ୍ରବାହିତ ହେଉଛି । ବନ୍ୟା ସମୟରେ କୁମ୍ଭୀର ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ବିଧାୟକ ପହଞ୍ଚି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଦେବା ସହିତ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଧନୁଆ ନଦୀରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜଳବନ୍ଦୀ ହୋଇଛି ବାଲିପାଟଣା ବ୍ଲକର ପାଞ୍ଚ ପଞ୍ଚାୟତ । ଏହି ପଞ୍ଚାୟତର ପ୍ରାୟ ୫୦ ଖଣ୍ଡ ଗାଁରେ ପଶିଛି ପାଣି । ପାଦଚଲା ରାସ୍ତାରେ ଚାଲୁଛି ଡଙ୍ଗା । ପ୍ରଶାସନ ପକ୍ଷରୁ ମେଶିନ୍ ଡଙ୍ଗା ସାହାର୍ଯ୍ୟରେ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ, ଶେଷକୃତ୍ୟ ବେଳେ ପିପିଇକିଟ୍‌ ପିନ୍ଧିଲେ ପରିଜନ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲିନ ହେଲେ ପ୍ରଣବ । ନୂଆଦିଲ୍ଲୀସ୍ଥିତ ଲୋଧିଘାଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହା ପୂର୍ବରୁ ତାଙ୍କ ପ୍ରାର୍ଥିବ ଶରୀରକୁ ରାଜାଜୀ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା । ସେଠରେ ବନ୍ଧୁ ଓ ପ୍ରିୟ ଜନ ତାଙ୍କର ଶେଷ ଦର୍ଶନ କରିଥିଲେ ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟାନ୍ୟ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କ୍ୟାବିନେଟ ବୈଠକରେ ମଧ୍ୟ ପ୍ରଣବ ଦାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ରାଜକୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ପିପିଇକିଟ୍‌ ପିନ୍ଧିଥିଲେ । ଏମିତିକି ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ମଧ୍ୟ ପିପିଇକିଟ୍‌ ପିନ୍ଧି ଶେଷକୃତ୍ୟ ସମ୍ପନ୍ନ କରିଥିବା ଦେଖାଯାଇଛି ।

ଅନ୍ୟପଟେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଶୋକ ବ୍ୟକ୍ତ କରାଯାଇଛି । ପ୍ରଣବ ମୁଖାର୍ଜୀ ଭାରତର ଜଣେ ଅଭିଜ୍ଞ ରାଜନେତା । ପାଞ୍ଚ ଦଶନ୍ଧିର ରାଜନୈତିକ ଜୀବନରେ ସେ ଚୀନ୍-ଭାରତ ସମ୍ପର୍କରେ ଏକ ସକରାତ୍ମକ ଅବଦାନ ରଖିଥିଲେ । ଚୀନ୍ ଓ ଭାରତ ମଧ୍ୟରେ ବନ୍ଧୁତା ଏବଂ ଭାରତ ପାଇଁ ଏହା ଏକ ବଡ କ୍ଷତି ବୋଲି କହିଛି ଚୀନ୍‌ ।

ପ୍ରଧାନମନ୍ତ୍ରୀଙ୍କ‘ମନ କି ବାତ’କୁ କାହିଁକି ମିଳୁଛି ଡିସଲାଇକ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଭିଡ଼ିଓକୁ ୟୁଟ୍ୟୁବରେ ଏକାଧିକ ଡିସଲାଇକ ମିଳିବା ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ଅନ୍ୟ ପକ୍ଷରେ ଏହାକୁ ନେଇ ଭାରତୀୟ ଜନତା ପାର୍ଟିର ବୟାନ୍‌ ମଧ୍ୟ ସାମ୍ନାକୁ ଆସିଛି । ୟୁଟ୍ୟୁବରେ ‘ମନ କି ବାତ’ ଭିଡ଼ିଓକୁ ଡିସଲାଇକ କରିବା ପାଇଁ ସଙ୍ଗଠିତ ଭାବରେ ପ୍ରୟାସ କରାଯାଉଥିବା କହିଛନ୍ତି  ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ । ଏହା ମଧ୍ୟ ସେ ବୟାନରେ କହିଛନ୍ତି କି ଭିଡ଼ିଓରେ ହେଉଥିବା ଡିସଲାଇକର ୨ ପ୍ରତିଶତ କେବଳ ଭାରତର ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡ଼ିଓ ଶୋ’ର ଅଗଷ୍ଟ ଏପିସୋଡ ୟୁଟ୍ୟୁବ ଚ୍ୟାନେଲରେ ସବୁଠାରୁ ଅଧିକ ଡିସଲାଇକ ଭିଡ଼ିଓ ମଧ୍ୟରୁ ଗୋଟିଏ ହୋଇ ଯାଇଛି । ସୋମବାର ଦ୍ୱିପ୍ରହର ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୟୁଟ୍ୟୁବରେ ୨.୨ ମିଲିୟନ ଭ୍ୟୁଜ ମଧ୍ୟରୁ ୫.୯୫ ଲକ୍ଷ ଡିସଲାଇକ ଏବଂ ମାତ୍ର ୮୭ ହଜାର ଲାଇକ୍ସ ମିଳିଥିଲା ।

ସୂଚନାଯୋଗ୍ୟ ରବିବାରକୁ ପିଏମ ମୋଦିଙ୍କ ୬୮ ତମ ‘ମନ କି ବାତ’ ସମ୍ବୋଧନ ଥିଲା । ଏହି କାର୍ଯ୍ୟକ୍ରମ ପରେ ଟ୍ୱିଟରରେ  #Mann Ki Nahi Students Ki Baat  ହ୍ୟାଶଟ୍ୟାଗ ଟ୍ରେଣ୍ଡ କରିବାକୁ ଲାଗିଲା । ବାସ୍ତବରେ ଏବେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଏବଂ କେତେକ ରାଜନୈତିକ ଦଳ ଜେଇଇ.ଏନଇଇଟି ପରୀକ୍ଷା ଆୟୋଜନକୁ ବିରୋଧ କରୁଛନ୍ତି । ତେବେ ମନ କି ବାତକୁ ଡିସଲାଇକ ମିଳିବା ପରେ ଛାତ୍ରଛାତ୍ରୀ ନିଜର ପ୍ରତିକ୍ରିୟା ଦେଖାଇଛନ୍ତି ବୋଲି କୁହାଯାଉଛି ।

ବିଜେପି ଆଇଟି ସେଲ ମୁଖ୍ୟ ଉକ୍ତ ଘଟଣାକୁ ପରିକଳ୍ପିତ ଯୋଜନା କହୁଥିବା ବେଳେ କଂଗ୍ରେସ ଉକ୍ତ ଘଟଣାରେ ଉତ୍ସବ ପାଳନ କରୁଛି ।

JEE-NEET: ଶେଷ ହେଲା ପ୍ରଥମ ସିପ୍ଟ, ଆୟୋଜନକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଖୁସି

ଭୁବନେଶ୍ୱର: ଶେଷ ହେଲା ପ୍ରଥମ ଦିନର ପ୍ରଥମ ସିଫ୍ଟ JEE ପରୀକ୍ଷା । ପ୍ରସ୍ତୁତି ସହିତ ପ୍ରଶ୍ନ ସହଜ ପଡ଼ିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ପରୀକ୍ଷାକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଜେଇଇ ଯୁଗ୍ମ ପ୍ରବେଶିକା ପରୀକ୍ଷା । ମହାମାରୀ ସମୟରେ ପରୀକ୍ଷା ଆୟୋଜନକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

JEE NEET

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ଯେଉଁଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏହି ପରୀକ୍ଷା ପର୍ଯ୍ୟାୟ କ୍ରମେ ଦିନକୁ ଦୁଇଟି ସିଫ୍ଟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ଚଳିତ ବର୍ଷ ମୋଟ ୩୮ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ୭ଟି ପ୍ରମୁଖ ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ କେବଳ ୬ଟି କେନ୍ଦ୍ରରେ ୧୬ହଜାର ପରୀକ୍ଷାର୍ଥୀ ଅଛନ୍ତି । ଜିଲ୍ଲା ପ୍ରଶାସନ ଓ ବିଏମସି ପକ୍ଷରୁ ପରୀକ୍ଷା ପରିଚାଳନା ତଦାରଖ କରାଯାଇଥିବା ବେଳେ ‘ଓଡିଶା ମୋ ପରିବାର’ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇ ସାନିଟାଇଜ଼ର, ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି ।

ତେବେ ରାଜ୍ୟରେ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ରହିବା ଖାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଯାତାୟତ ଖର୍ଚ୍ଚ ମଧ୍ୟ ସରକାର ବହନ କରିଛନ୍ତି । କେବଳ ପରୀକ୍ଷାର୍ଥୀ ନୁହଁନ୍ତି ସେମାନଙ୍କ ଅଭିଭାବକଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସବୁ ସୁବିଧା ଯୋଗାଇଦିଆଯାଇଛି । ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ପିଉସାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ସରକାରଙ୍କୁ ଅନୁରୋଧ କଲେ ରୈନା

0

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ନିଜ ପିଉସାଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିବା ଅପରାଧୀଙ୍କୁ ଧରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୋଲିସକୁ ନିବେଦନ କରିଛନ୍ତି । ଅଗଷ୍ଟ ୧୯ ତାରିଖରେ  ପଞ୍ଜାବର ପଠାନକୋଟ ସ୍ଥିତ ସୁରେଶ ରୈନାଙ୍କ ପିଉସୀଙ୍କ ଘରେ ‘କାଲେ କାଛେଓ୍ୱାଲା’ ନାମକ ଏକ ଲୁଟେରା ଗ୍ୟାଙ୍ଗ ଆକ୍ରମଣ କରିଥିଲେ । ଘରର ପୂରା ପରିବାର ଛାତ ଉପରେ ଶୋଇଥିବା ସମୟରେ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା ଏହି ଗ୍ୟାଙ୍ଗ୍‌ । ଆକ୍ରମଣରେ ସୁରେଶ ରୈନାଙ୍କ ପିଉସା ଅଶୋକ କୁମାରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।  ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଶୋକଙ୍କ ୮୦ ବର୍ଷୀୟ ମା ସତ୍ୟା ଦେବୀ,ତାଙ୍କ ପତ୍ନି ଆଶା ଦେବୀ,ପୁଅ ଅପିନ ଏବଂ କୁଶାଲ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାହାପରେ ସତ୍ୟାଦେବୀ ଘରକୁ ଫେରିଥିଲେ ।

ଖବର ଅନୁଯାୟୀ ରୈନାଙ୍କ ପିଉସୀଙ୍କ ସ୍ୱାସ୍ଥାବସ୍ଥା ଗମ୍ଭୀର ରହିଛି ଏବଂ ସେ ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି । ଏହା ମଧ୍ୟରେ ଏତେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ । ଅଭିଯୁକ୍ତକୁ ଯାଥାଶୀଘ୍ର ଗିରଫ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି ରୈନା। ଯାହାକୁ ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ।

 

ସୁରେଶ ରୈନା ଟ୍ୱିଟ କରି ଜଣାଇଛନ୍ତି କି, ପଞ୍ଜାବରେ ମୋ ପରିବାର ସହିତ ଯାହା ହେଲା ତାହା ଖୁବ ଭୟାନକ ଥିଲା । ଏହା ସହିତ ତାଙ୍କ ପିଉସାଙ୍କ ମୃତ୍ୟୁ ହୋଇଥିବା ଏବଂ ଦୁଇ  ଭାଇ ଗମ୍ଭୀର ଆହତ ହୋଇଥିଲେ, କିନ୍ତୁ ଗତ ସୋମବାରକୁ ଜୀବନ ମରଣ ସହିତ ଲଢି ଜଣେ ଭାଇର ମୃତ୍ୟୁ ହୋଇଥିବା ସେ ଲେଖିଛନ୍ତି । ପିଉସୀ ଏବେ ମଧ୍ୟ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଥିବା କଥା ଟ୍ୱିଟରରେ ଲେଖିଛନ୍ତି ରୈନା ।

 

 


ସୂଚନାଯୋଗ୍ୟ ଯେ, ପିଉସାଙ୍କ ପରିବାର ଉପରେ ଆକ୍ରମଣ ଖବର ପାଇଁ ରୈନା ଆଇପିଏଲ ମ୍ୟାଚ୍ ଛାଡି ଭାରତ ଚାଲି ଆସିଥିଲେ । ତେବେ ଚେନ୍ନାଇ ସୁପର କିଙ୍ଗସର ମାଲିକ ତଥା ବିସିସିଆଇର ପୂର୍ବତନ ମୁଖ୍ୟ ଶ୍ରିନିବାଶନ ପରେ ଏକ ବକ୍ତବ୍ୟରେ କହିଥିଲେ ଯେ,ରୈନା ହୋଟେଲ ରୁମକୁ ନେଇ ଅସନ୍ତୁଷ୍ଟ ଥିଲେ ତେଣୁ ସେ ଦୁବାଇରୁ ଭାରତ ଫେରି ଯାଇଛନ୍ତି । ରୈନା ଯଦି ମ୍ୟାଚ୍ ଖେଳିବାକୁ ପୁଣି ଫେରନ୍ତି ନାହିଁ ତେବେ ତାଙ୍କୁ ବାର୍ଷିକ ଦରମା ୧୧ କୋଟି ଟଙ୍କା ହରେଇବାକୁ ପଡିବ ବୋଲି ସେ ଚେତାବନୀ ଦେଇଥିଲେ ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ମୁତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ସନ୍ଦେହ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥିବା ସେ ସନ୍ଦେହ କରିଛନ୍ତି । ଆଦିତ୍ୟଙ୍କ ବିବାହ ପୂର୍ବରୁ ବ୍ଲାକମେଲ୍ କରୁଥିଲେ ସଂପୃକ୍ତ ମହିଳା ଜଣଙ୍କ । ମହିଳା ଜଣଙ୍କ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । ସଂପୁକ୍ତ ମହିଳାଙ୍କ ବାବଦରେ କ୍ରାଇମବ୍ରାଞ୍ଚକୁ ସଂପୂର୍ଣ୍ଣ ତଥ୍ୟ ଦିଆହୋଇଛି । ମହିଳା ଜଣଙ୍କ କାହିଁକି ବ୍ଲାକମେଲ କରୁଥିଲେ, ସେନେଇ ଅବଗତ କରାଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କଲେ, ରହସ୍ୟ ଖୁଲାସା ହେବ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି ।

ଆଦିତ୍ୟଙ୍କୁ ଜଣେ ମହିଳା ଏକ ତରଫ ପ୍ରେମ କରୁଥିଲେ ଏବଂ ମହିଳା ଜଣଙ୍କ ବିଷୟରେ ସମସ୍ତ ତଥ୍ୟ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ । ମହିଳା ଜଣଙ୍କ ବାରମ୍ବାର ଆଦିତ୍ୟଙ୍କୁ ବ୍ଲାକମେଲ କରୁଥିବା ଆଦିତ୍ୟଙ୍କ ବାପା ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ଆଦିତ୍ୟଙ୍କୁ ଏକ ତରଫା ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଆଦିତ୍ୟ ଏଥିରେ ରାଜି ନଥିବାରୁ ମହିଳା ଜଣଙ୍କ ତାଙ୍କୁ ବାରମ୍ବାର ବ୍ଲାକମେଲ କରୁଥିଲେ । ତେବେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଏହି ସାଇକୋ ଲେଡିର ସଂପୃକ୍ତି ଥିବା ସନ୍ଦେହ କରି ଆଜି ଆଦିତ୍ୟଙ୍କ ବାପା ସେହି ମହିଳାଙ୍କ ବିଷୟରେ ସମସ୍ତ ତଥ୍ୟ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ।

 

ବ୍ଲାକ ଟପ୍ ଉପରେ କବଜା ସହିତ ଭାରତୀୟ ସୈନ୍ୟ ହଟାଇଲା ଚୀନ କ୍ୟାମେରା ଏବଂ ସର୍ଭିଲାନ୍ସ ସିଷ୍ଟମ

0

ନୂଆଦିଲ୍ଲୀ: ଲାଇନ ଅଫ୍ ଆକଚୁଆଲ କଣ୍ଟ୍ରୋଲରେ ଚୀନର ଷଡ଼ଯନ୍ତ୍ରକୁ ବିଫଳ କରିବା ସହିତ ବ୍ଲାକ ଟପ୍ ପୋଷ୍ଟକୁ କବଜା କରିଛି ଭାରତୀୟ ସେନା। ୨୯-୩୦ ଅଗଷ୍ଟ ରାତିରେ ଚୀନ ସୈନ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଯାହାର ଜବାବରେ ଭାରତୀୟ ସେନା ନା କେବଳ ବ୍ଲାକ ଟପ୍ ପୋଷ୍ଟକୁ କବଜା କରିଛି ବରଂ ଚୀନ ସେନାର କ୍ୟାମେରା ଏବଂ ସର୍ଭିଲାନ୍ସ ଉପକରଣ ଗୁଡ଼ିକ ମଧ୍ୟ ସେଠାରୁ ହଟାଇ ଦେଇଛି ।

ବାସ୍ତବରେ, ଚୀନ ଆର୍ମି ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ବ୍ଲାକ୍ ଟପ୍ ପୋଷ୍ଟରେ କ୍ୟାମେରା ଏବଂ ସିସିଟିଭି ସିଷ୍ଟମ ଲଗାଇଥିଲା । ଏହି ପୋଷ୍ଟକୁ ଭାରତୀୟ ସେନା କାବୁ କରି କ୍ୟାମେରା ଏବଂ ସିସିଟିଭି ଉପକରଣକୁ ଉଚ୍ଛେଦ କରିଛି ।

ସୂଚନା ଅନୁଯାୟୀ ବ୍ଲାକ୍ ଟପ୍ ପୋଷ୍ଟରେ କ୍ୟାମେରା ଏବଂ ସିସିଟିଭି ସିଷ୍ଟମ ଲଗାଯିବା ପରେ ମଧ୍ୟ ଭାରତୀୟ ସେନା ଚୀନ୍ ସେନାକୁ ପଛକୁ ଘୁଂଚିବାକୁ ବାଧ୍ୟ କରିଥିଲା ଏବଂ ଏହି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦଖଲ କରିଥିଲା । ଭାରତୀୟ ସେନା ବ୍ଲାକ୍ ଟପ୍ ପୋଷ୍ଟରୁ କ୍ୟାମେରା ଏବଂ ସିସିଟିଭି ସିଷ୍ଟମ ହଟାଇ ଦେଇଛି ।

ସୂତ୍ରରୁ ପ୍ରକାଶ ଯେ ଚୀନ୍ ଏହାର ସୀମା ନୀରିକ୍ଷଣ ପ୍ରଣାଳୀକୁ ସ୍ୱୟଂଚାଳିତ କରିଛି ଏବଂ ଭାରତୀୟ ସୈନ୍ୟମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ କ୍ୟାମେରା ଏବଂ ସେନ୍ସର ନିୟୋଜିତ କରିଛି । ଚୀନ୍ ସେନା ଭାରତୀୟ ସେନାର ଉଚ୍ଚତା ଏବଂ ଗତିବିଧି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଥିଲା।

ଉଚ୍ଚତାକୁ କାବୁ କରିବାକୁ ଚୀନ୍‌ର ଉଦ୍ଦେଶ୍ୟ ହୃଦୟଙ୍ଗମ କରି ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଅପରେସନ୍ ୟୁନିଟ୍ ଏବଂ ଶିଖ୍ ଲାଇଟ୍ ପଦାତିକ କର୍ମଚାରୀଙ୍କ ସମେତ ଆଣ୍ଟି ଟ୍ୟାଙ୍କ୍ ଗାଇଡ୍ କ୍ଷେପଣାସ୍ତ୍ର ଗତ ସପ୍ତାହରେ ନିୟୋଜିତ ହୋଇଛି । ଏହି ୟୁନିଟ୍ ଚାଇନାର ଯେକୌଣସି କାର୍ଯ୍ୟର ଜବାବ ଦେବାକୁ ସକ୍ଷମ ଅଟେ ।

କଣ ଥିଲା ପୁରା ମାମଲା ?

ଲଦାଖରେ ଦୁଇ ଦେଶ ମଧ୍ୟରେ ଶେଷ ସଂଘର୍ଷ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଏକ ଶିଖରରେ ଘଟିଥିଲା। ବ୍ଲାକ୍ ଟପ୍ ନାମକ ଏହି ଶିଖରଟି LAC ର ଅର୍ଥାତ୍ ଭାରତୀୟ ସୀମା, କିନ୍ତୁ ଏହା କୌଣସି ଦେଶ ଦଖଲରେ କରିନଥିଲା । ଚୀନ୍ ଏହି ଶିଖରକୁ କାବୁ କରିବାକୁ ଉଦ୍ୟମ କରିଥିଲା, ଯାହା ଭାରତୀୟ ସୈନିକଙ୍କ ଦ୍ୱାରା ବିଫଳ ହୋଇଥିଲା ।