spot_img
Home Blog Page 6464

ଦେଶରେ ୨୪ଘଣ୍ଟାରେ ୯୩ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫୩ ଲକ୍ଷ ପାର କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ପ୍ରତିଦିନ ବିପୁଳ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯୩ ହଜାର ୩୩୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୨୪୭ ଜଣଙ୍କର ମୃତ୍ୟୁ ହୋଇଛି । ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ସାଧାରଣ କଥା ହୋଇଗଲାଣି । ତେବେ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୫୩ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ୪୨ ଲକ୍ଷ ୮ ହଜାର ୪୩୨ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ହେଉଛି ଏକ ମାତ୍ର ଭଲ ଖବର ଯାହା କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି । ଦେଶରେ ଏବେ କୋଭିଡ -୧୯ର  ହାର ୭୮.୮୬ ପ୍ରତିଶତ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫କୁ ବୃଦ୍ଧି ପାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମହାମାରୀରେ ୮୫ ହଜାର ୬୧୯ ଜଣଙ୍କର ମୃତ୍ୟୁ ହୋଇଛି ।

ତଥ୍ୟ ଅନୁଯାୟୀ, କୋଭିଡ -୧୯ କାରଣରୁ ମୃତ୍ୟୁ ହାର ଆହୁରି ହ୍ରାସ ପାଇଛି । ମୃତ୍ୟୁ ହାର ୧.୬୨ ପ୍ରତିଶତକୁ ଖସି ଆସିଛି । ମନ୍ତ୍ରଣାଳୟ କହିଛି ଯେ ଦେଶରେ ଏବେ ୧୦ ଲକ୍ଷ ୧୩ ହଜାର ୯୬୪ କୋଭିଡ -୧୯ ରୋଗୀ ଚିକିତ୍ସିତ ହେଉଛନ୍ତି । ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୧୯.୫୨ ପ୍ରତିଶତ ଅଟେ ।

NIAର ବଡ଼ ଧରଣର ରେଡ, ଅଲ କାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ କଲା ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏର ବଡ଼ ସଫଳତା । ଅଲ କାଏଦାର ଏକ ବଡ଼ ନେଟୱାର୍କର ପର୍ଦାଫାସ କରିଥିବା ଦାବି କରିଛି ଏନ୍‌ଆଇଏ । ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ । ଏନଆଇଏର ଏହି ରେଡ ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି। କୁହାଯାଉଛି ଯେ ଅଲ-କାଏଦା ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୂଆ ମାମଲାକୁ ଆଧାରକରି ଚଢ଼ାଉ କରାଯାଇଛି । କେରଳର ଏରନାକୁଲମରେ ଏବଂ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି।

ଏନଆଇଏ କେରଳର ଏର୍ନାକୁଲମରୁ ୩ ଜଣଙ୍କୁ ଗିରଫ କରିଥିବାବେଳେ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଏମାନଙ୍କ ଟାର୍ଗେଟରେ ଅନେକ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକ ରହିଥିଲା । ଗିରଫ ହୋଇଥିବା ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି କୁହାଯାଉଛି । ଏମାନେ ସମସ୍ତେ ଶ୍ରମିକ ଅଟନ୍ତି । ଆତଙ୍କବାଦୀ ଷଡ଼ଯନ୍ତ୍ର ବିଷୟରେ ଭିତିରି ଖବର ପାଇବା ପରେ ଏମାନଙ୍କ ଉପରେ ନଜର ରଖାଯାଇଥିଲା।

ଆଜି ସକାଳେ ଏରନାକୁଲମ୍ ଏବଂ ମୁର୍ସିଦାବାଦର ଅନେକ ସ୍ଥାନରେ ଏନଆଇଏ ଆକ୍ରମଣ କରିଥିଲା । ​​ ଅଲ-କାଏଦାର ପାକିସ୍ତାନ ପ୍ରାୟୋଜିତ ମଡ୍ୟୁଲ ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ପଶ୍ଚିମବଙ୍ଗ ଏବଂ କେରଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଅଲ-କାଏଦା ସଦସ୍ୟଙ୍କ ଆନ୍ତରାଜ୍ୟ ମଡ୍ୟୁଲ ବିଷୟରେ ଏନଆଇଏ ଜାଣିବା ପରେ ଏହି ଚଢ଼ାଉ କରାଯାଇଥିଲା । ଲୋକଙ୍କୁ ହତ୍ୟା କରିବା ପାଇଁ ଏହି ଗୋଷ୍ଠୀ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା । ଏନେଇ ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ।

ଭାରତ କୋଭିଡ-୧୯ ମାନଚିତ୍ର: ସାଉଥ ଜୋନରେ ସର୍ବାଧିକ ମାମଲା ଥିବାବେଳେ, ପଶ୍ଚିମରେ ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ: କରୋନା କାୟାରେ ଏବେ ସାରା ବିଶ୍ୱ କବଳିତ । ଏହି ମହାମାରୀ ଜାଲରେ ଛନ୍ଦି ହୋଇଥିବା ଦେଶ ମଧ୍ୟରୁ ଭାରତ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସେପ୍ଟେମ୍ବର ମାସ ସୁଦ୍ଧା ଭାରତରେ ମୋଟ ୫୧,୨୨, ୮୪୬ କୋଭିଡ- ୧୯ ମାମଲା ରେକର୍ଡ ହୋଇଛି, ଯେଉଁଥିରୁ ପ୍ରାୟ ୭୯% ସୁସ୍ଥ ହୋଇସାରିଛନ୍ତି । ଏଯାବତ ମୋଟ ୬.୧ କୋଟି କରୋନା ଟେଷ୍ଟ କରାଯାଇଛି ଏବଂ ୮୩,୨୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତ୍ୟୁ ହାର ୧.୬% ଥିବାବେଳେ ଟେଷ୍ଟ ପଜିଟିଭିଟି ହାର ୮.୫% ରେ ରହିଛି । ଦେଶର କୋଭିଡ୍ -୧୯ ତଥ୍ୟର ଏକ ଜୋନ୍-  ୱାରୀ ବିଶ୍ଳେଷଣ ଏମିତି କିଛି ଆକର୍ଷଣୀୟ ସଂଖ୍ୟା ସାମ୍ନାକୁ ଆସିଛି ଯାହା ଏବେ ଆମେ ତଳେ ଦର୍ଶାଇବାକୁ ଯାଉଛୁ ।

ଆମେ ଦେଶକୁ ପାଞ୍ଚଟି ଜୋନରେ ବିଭକ୍ତ କରିଛୁ:

୧. ଉତ୍ତର- ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଚଣ୍ଡିଗଡ଼ ଏବଂ ଲଦାଖ

୨. ଦକ୍ଷିଣ- ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, କେରଳ, ପଡୁଚେରୀ, ଆଣ୍ଡାମାନ ଓ ନିକୋବର ଦୀପ

୩. ପଶ୍ଚିମ- ମହାରାଷ୍ଟ, ଗୁଜୁରାଟ, ରାଜସ୍ଥାନ, ଗୋଆ, ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଡ୍ୟୁ

୪. ପୂର୍ବ- ୱେଷ୍ଟ ବେଙ୍ଗଲ, ବିହାର, ଝାଡଖଣ୍ଡ, ଆସାମ, ସିକିମ୍, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଓଡ଼ିଶା

୫. ମଧ୍ୟ- ମଧ୍ୟ ପ୍ରଧ୍ୟପ୍ରଦେଶ ଏବଂ ଚଣ୍ଡିଗଡ଼

ଦକ୍ଷିଣ ଜୋନରେ ସର୍ବାଧିକ ମାମଲା ରହିଛି

ଦେଶର ଦକ୍ଷିଣ ଜୋନ୍ ରେ ମୋଟ କରୋନା ମାମଲା ୩୭.୧୯% ରହିଛି । ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫,୯୨,୭୬୦ ମାମଲା ଥିବାବେଳେ ଏହା ପଛରେ  ୫,୧୯,୮୬୦ ମାମଲା ସହିତ ରହିଛି ତାମିଲନାଡୁ । ୧ ମିଲିୟନ ଜନସଂଖ୍ୟା ଦୃଷ୍ଟିରୁ ଦକ୍ଷିଣରେ ୭,୦୫୬ ଟି ଟପ୍ ମାମଲା ରହିଛି ।

୩୩.୬୭ ଏବଂ ୩୪.୭୮ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର ଏବଂ ପୂର୍ବ ଜୋନ ରାଜ୍ୟ ଗୁଡ଼ିକ ତୁଳନାତ୍ମକ ଭାବରେ କରୋନା ମହାମାରୀରେ ଭଲ ପ୍ରଦର୍ଶନ କରିଛନ୍ତି  । ପ୍ରତ୍ୟେକ ଜନସଂଖ୍ୟାର ଏକ ଚତୁର୍ଥାଂଶ ସହିତ, ଏହି ରାଜ୍ୟ ଗୁଡ଼ିକରେ କରୋନା ମାମଲା ମାତ୍ର ୧୭% ଏବଂ ୧୬% ରହିଥିବା ଦେଖାଦେଇଛି । ଅନ୍ୟପଟେ ମଧ୍ୟପ୍ରଦେଶ ଏବଂ ଛତିଶଗଡର ରାଜ୍ୟକୁ ନେଇ ଗଠିତ କେନ୍ଦ୍ରୀୟ ଜୋନରେ ପ୍ରତି ମିଲିୟନରେ ସର୍ବନିମ୍ନ ମାମଲା ଦେଖିବାକୁ ମିଳିଛି । ପଶ୍ଚିମ ଜୋନରେ ମହାରାଷ୍ଟ୍ରରରେ ଚାରି-ପଞ୍ଚମାଂଶ (୮୨%) ରୁ ଅଧିକ ମାମଲା ରହିଛି ।

ଯଦି ଆମେ ରିକଭରୀ ରେଟ କଥା କହିବା ତେବେ କେନ୍ଦ୍ରୀୟ ଜୋନରେ ସର୍ବନିମ୍ନ ୬୩% ରିକଭରୀ ରେଟ ରହିଛି । ସେହିପରି ଛତିଶଗଡରେ ଅଧାରୁ ଅଧିକ ସକ୍ରିୟ ମାମଲା ଅଛି । ଦକ୍ଷିଣ ଏବଂ ପୂର୍ବ ଜୋନରେ ୮୩% ସହିତ ସବୁଠାରୁ ଭଲ ରିକଭରୀ ହାର ରହିଛି । ଅନ୍ୟ ପ୍ରମୁଖ ରାଜ୍ୟ ତୁଳନାରେ ବିହାରରେ (ପୂର୍ବ ଜୋନ୍) ୯୧.୨% ସହିତ ସବୁଠାରୁ ଅଧିକ ରିକଭରୀ ରେଟ ରହିଛି । ଏହାପଛରେ ୮୯.୪% ସହିତ ରହିଛି ତାମିଲନାଡୁ ( ଦକ୍ଷିଣ ଜୋନ୍) ଏବଂ ପଶ୍ଚିମବଙ୍ଗରେ ରିକଭରୀ ରେଟ ରହିଛି ୮୬.୭% (ପୂର୍ବ ଜୋନ୍) ।

ପଶ୍ଚିମ ଜୋନରେ ରହିଛି ସବୁଠାରୁ ଅଧିକ ପଜିଟିଭ ରେଟ୍

ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ସାମୂହିକ ଭାବରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସର୍ବାଧିକ କରୋନା ଟେଷ୍ଟିଂ କରିଛନ୍ତି | ମୋଟ ଉପରେ, ସାଉଥ୍ ଜୋନ୍ ୧ ମିଲିୟନ୍ ଜନସଂଖ୍ୟାରେ ୭୨,୬୯୨ଟି ନମୁନା ପରୀକ୍ଷା କରିଛି ଏବଂ ତା’ପରେ ଉତ୍ତର ଜୋନ ୪୫,୬୧୯, ପୂର୍ବ ଜୋନ ୪୫,୦୯୦ ଏବଂ ପଶ୍ଚିମ ଜୋନ ୪୪,୬୬୫ଟି ନମୁନା ପରୀକ୍ଷା କରିଛି । ମଧ୍ୟପ୍ରଦେଶ (୨୧,୧୦୦) ଏବଂ ଛତିଶଗଡ଼ (୨୯,୫୦୦) ରେ ଜନସଂଖ୍ୟା ତୁଳନାରେ ସବୁଠୁ କମ ନମୁନା ପରୀକ୍ଷା କରାଯାଇଛି ।  ସେହିପରି, ସେଣ୍ଟ୍ରାଲ୍ ଜୋନ ଏହି ଗଣନାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି ।

୨୦.୪% ସହିତ ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ପଜିଟିଭ ମାମଲାର ରହିଛି । ଏହାର ଅର୍ଥ ହେଉଛି ସାମଗ୍ରିକ ଭାବରେ, ରାଜ୍ୟରେ ପରୀକ୍ଷିତ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ କୋଭିଡ -୧୬ ପଜିଟିଭ ଅଟେ । ଏହା ଏକ ଅତ୍ୟନ୍ତ ଉଗବେଗଜନକ ସଂଖ୍ୟା ଏବଂ ଜାତୀୟ ପଜିଟିଭିଟି ହାରଠାରୁ ଦୁଇଗୁଣ ଅଧିକ ।

ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ସମସ୍ତ ପାଞ୍ଚଟି ଜୋନ ମଧ୍ୟରୁ ପଶ୍ଚିମ ଜୋନର ପଜିଟିଭିଟି ହାର ସର୍ବାଧିକ ୧୧.୪୧% ରହିଛି, ଯଦିଓ ରାଜସ୍ଥାନ ( ୩.୯%) ଏବଂ ଗୁଜୁରାଟ (୩.୩%) ଦେଶର ସର୍ବନିମ୍ନ ସକରାତ୍ମକ ହାର ମଧ୍ୟରେ ରହିଛି । ଗୋଆରେ ମଧ୍ୟ ହାଇ ପଜିଟିଭିଟି ରେଟ ୧୧.୪% ରହିଛି ଯାହା ଜୋନର ହାରାହାରି ପଜିଟିଭ ରେଟ ସହିତ ସମାନ ।

ଏହି ପାରାମିଟରରେ ଆନ୍ଧ୍ରପ୍ରଦେଶ (୧୨.୩%) ଏବଂ କର୍ଣ୍ଣାଟକ (୧୨.୨%) ସହିତ ସାଉଥ୍ ଜୋନରେ ୯.୭୧% ହାଇ ପଜିଟିଭିଟି ରେଟ ରହିଛି । ଉତ୍ତର ଏବଂ ପୂର୍ବ ଜୋନରେ ଏହି ଭାଇରସର ସଂକ୍ରମଣ କମ୍ ଥିବା ଦେଖାଦେଇଛି । ମିଜୋରାମ (୨.୮%), ବିହାର ଏବଂ ଅରୁଣାଚଳ ପ୍ରଦେଶ (୩.୧%) ଏବଂ ମେଘାଳୟ (୩.୫%) ପୂର୍ବ ଜୋନର ସର୍ବନିମ୍ନ ପ୍ରଭାବିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ (୪.୨%) ଉତ୍ତର ଜୋନ୍ ପାଇଁ ସାମଗ୍ରିକ ପଜିଟିଭିଟି ରେଟକୁ କମ୍ ରଖିଛି ।

ପଶ୍ଟିମ ଜୋନରେ ସର୍ବାଧିକ ମୃତ୍ୟୁ ହାର ଥିବାବେଳେ ପୂର୍ବରେ ସର୍ବନିମ୍ନ

ପଶ୍ଚିମ ଜୋନରେ ଦେଶରେ ସର୍ବାଧିକ Covid-19 ମୃତ୍ୟୁ ରେକର୍ଡ କରାଯାଇଛି ଏବଂ ଏହା ମୋଟ ମୃତ୍ୟୁହାରର ପ୍ରାୟ ୪୩% ଅଟେ । ମହାରାଷ୍ଟ୍ରରେ ୩୦,୮୮୩ଟି କୋଭିଡ ୧୯ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ।

ଏହି ତାଲିକାରେ ତାମିଲନାଡୁ (୮,୫୫୯), କର୍ଣ୍ଣାଟକ (୭,୫୩୬) ଏବଂ ଆନ୍ଧ୍ରପ୍ରଦେଶ (୫,୧୦୫) ରହିଛନ୍ତି  । ଏହି ରାଜ୍ୟ ଗୁଡ଼ିକ ଦକ୍ଷିଣ ଜୋନର ମୃତ୍ୟୁ ସଂଖ୍ୟା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୋଟ ଉପରେ ଦକ୍ଷିଣ ଭାରତରେ କରୋନା ମୃତ୍ୟୁ ହାର ଦେଶରେ ମୋଟ କରୋନା ମୃତ୍ୟୁର ପ୍ରାୟ ୨୮% ପ୍ରତିଶତ ଅଟେ ।

ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇ ପୂର୍ବ ଜୋନ ଏକ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି । ପୂର୍ବ ଜୋନରେ ପ୍ରତି ମିଲିୟନ୍ ଜନସଂଖ୍ୟାରେ ମାତ୍ର ୨୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ବିହାରରେ ଏକ ମିଲିୟନ ଲୋକଙ୍କ ତୁଳନାରେ ମାତ୍ର ୭ ଜଣଙ୍କର ମୃତ୍ୟୁ ହୋଇଛି ।

ସେଣ୍ଟ୍ରାଲ୍ ଜୋନରେ ପ୍ରତି ମିଲିୟନରେ ୨୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି ଏବଂ ଏହା ପରେ ଉତ୍ତର (୪୪) ଏବଂ ଦକ୍ଷିଣ (୮୬) ରହିଛି । ପଶ୍ଚିମ ଜୋନରେ ପ୍ରତି ମିଲିୟନ ଜନସଂଖ୍ୟାରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ହେଉଛି ସବୁଠାରୁ ଅଧିକ ପ୍ରଭାବିତ ପ୍ରମୁଖ ରାଜ୍ୟ ଯେଉଁଠି ୧ ମିଲିୟନ ଜନସଂଖ୍ୟାରେ ୨୫୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ହାର ଦୃଷ୍ଟିରୁ, ଇଷ୍ଟ ଜୋନ୍ ହେଉଛି ଏକମାତ୍ର ଜୋନ୍ ଯେଉଁଥିରେ ମୃତ୍ୟୁ ହାର ୧% ରୁ  ମଧ୍ୟ କମ୍ ରହିଛି । ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ଓଡିଶା, ବିହାର, ମଣିପୁର, ମେଘାଳୟ, ସିକ୍କିମ ଏବଂ ଝାଡଖଣ୍ଡର ମୃତ୍ୟୁ ହାର ୧% ରୁ କମ ରହିଛି ।  ପଶ୍ଚିମ ଜୋନରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସର୍ବାଧିକ ମୃତ୍ୟୁ ହାର ୨.୬ % ରହିଛି ।

ସ୍ଥାନୀୟ ପ୍ରଶାସନକୁ ଅମାନିଆଙ୍କ ବାରମ୍ବାର ଚ୍ୟାଲେଞ୍ଜ, ମେଲୋଡି ପରେ ଏବେ ଭସାଣୀ ଶୋଭାଯାତ୍ରା

ଜଳେଶ୍ୱର: ରାଜ୍ୟରେ ଏବେ ବେଲଗାମ କରୋନା ସଂକ୍ରମଣ । ପ୍ରତିଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ କଡ଼ା ପଦକ୍ଷେକ ନେଉଛନ୍ତି । କରୋନା କଟକଣାକୁ ଭାଙ୍ଗିଲେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯାଉଛି । କିନ୍ତୁ ସୁଧୁରୁ ନାହାନ୍ତି ଅମାନିଆ । ସେ ତାଙ୍କ କାର୍ଯ୍ୟରେ ବିଲକୁଲ ବି ହେଳା କରୁନାହାନ୍ତି । ବାରମ୍ବାର କରୋନା କଟକଣାକୁ ଭାଙ୍ଗିବାରେ ବ୍ୟସ୍ତ । ମେଲୋଡ଼ି ପରେ ଏବେ ଭସାଣୀ ସୋଭାଯାତ୍ରା କଲେ ଅମାନିଆ । ବ୍ରାସବ୍ୟାଣ୍ଡ ବଜାଇଲେ ଏବଂ ନିର୍ଧୁମ ନାଚିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବାଲିଆପାଳ ବ୍ଲକରେ । କୋରାନା ସଂକଟରେ ବାଲେଶ୍ୱର ବାଲିଆପାଳ ବ୍ଲକରେ ଜମିଲା ଭସାଣୀ ଶୋଭାଯାତ୍ରା । ଡିଜେ ଗୀତରେ ଚାଲିଥିଲା ନାଚଗୀତର ଆସର ।

ମାସ୍କ ପିନ୍ଧିବା ହେଉ ଅବା ସାମାଜିକ ଦୂରତା ରକ୍ଷା କିଛିବି ମାନି ନଥିଲେ ଅମାନିଆ । ଖୁଲମଖୁଲା ରାସ୍ତା ଉପରେ ଚାଲିଥିଲା କୋଭିଡ ନିୟମର ଉଲଂଘନ । ଚୋଉମୁଖ ପଞ୍ଚାୟତର ଟାୱାର ଛକ ନିକଟରେ ଚାଲିଥିଲା ଏମିତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏନେଇ ପ୍ରଶାସନ ପାଖରେ ଖବର ନଥିବା ବେଳେ, ସବୁ ଜାଣିଶୁଣି ପୋଲିସ ଚୁପ ରହିଥିବା ଅଭିଯୋଗ ହୋଇଛି । ଲାଗୁଛି ଯେମିତି ସ୍ଥାନୀୟ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅମାନୀଆ । କାରଣ ବିଶ୍ୱକର୍ମା ପୂଜାରେ ମେଲୋଡ଼ି ପରେ ଏବେ ଭସାଣୀ । ଗୋଟିଏ ପରେ ଗୋଟିଏ କଟକଣାକୁ ଉଲଙ୍ଘନ କରୁଛନ୍ତି ଏମାନେ ।

ଆଜିଠୁ ବିଦେଶରେ ବାଜିବ IPL ବିଗୁଲ, ବିନା ଦର୍ଶକରେ ହେବ T-20 ମ୍ୟାଚ୍‌

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ଦିନର ଅପେକ୍ଷା ପରେ ଦୁଲୁକିବ କ୍ରିକେଟ ଷ୍ଟାଡିୟମ । ଜମିବ ଫଟାଫଟ ଟି-୨୦ ମ୍ୟାଚ୍‌ର ଆସର । ବିଦେଶରେ ବାଜିବ ଆପିଏଲ ବିଗୁଲ । ଆଜିଠାରୁ ଆରବ ଏମିରେଟ୍ସ (ୟୁଏଇ) ରେ ହେବ ୧୩ ତମ ଆଇପିଏଲର ମ୍ୟାଚ୍‌ । ଆଇପିଏଲ୍ ଇତିହାସର ଦୁଇଟି ସଫଳ ଦଳ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଅନ୍ୟତମ ଷ୍ଟ୍ରଙ୍ଗ ଦାବିଦାର ଚେନ୍ନାଇ ସୁପର କିଙ୍ଗ୍ସ ଆଜି ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ । ଉଭୟ ଦଳ ଲିଗ୍ ପାଇଁ ବିଜୟ ସହ ଆରମ୍ଭ କରିବାକୁ ଚାହାଁନ୍ତି । କିନ୍ତୁ ମ୍ୟାଚକୁ ହାତେଇବା‌ ଏତେ ସହଜ ହେବ ନାହିଁ ।

ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭.୩୦ ରେ ମ୍ୟାଚ୍ ଆରମ୍ଭ ହେବ । ୟୁଏଇ ହେଉଛି ସେହି ସ୍ଥାନ ଯେଉଁଠାରେ ଅନେକ ଖେଳାଳି ଏପର୍ଯ୍ୟନ୍ତ ଖେଳି ନାହାଁନ୍ତି ଏବଂ ପ୍ରଥମ ଥର ପାଇଁ ପିଚରେ ଭାଗ୍ୟ ପରୀକ୍ଷା କରିବେ । ନୂଆ ଖେଳୀଙ୍କ ପାଇଁ ସେହି ପିଚ୍‌ରେ କ୍ଲିକ କରିବା ବହୁତ କଷ୍ଟ ହେବ । କାରଣ ଫରେନ ପିଚ୍‌ରେ ଅଧିକ ବାଉନ୍ସ ରହିଥାଏ  । ବାଉନ୍ସକୁ ଟକ୍କର ଦେବା ଭାରତୀୟ ନୂଆ ଖୋଳୀଙ୍କ ପାଇଁ କଷ୍ଟ ହୋଇପାରେ । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ଥର ଯେ ସମଗ୍ର ଆଇପିଏଲ ଭାରତ ବାହାରେ ଅନୁଷ୍ଠିତ ହେଉଛି । ଏହାପୂର୍ବରୁ ୨୦୦୯ ରେ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଆୟୋଜିତ ହୋଇଥିଲା । ସେହି ସମୟରେ ୨୦୧୪ ରେ, ଆଇପିଏଲର ପ୍ରଥମାର୍ଦ୍ଧ ୟୁଏଇରେ ଖେଳାଯାଇଥିଲା ।

ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍‌

ତେବେ କୋଭିଡ -୧୯ କାରଣରୁ ଏଥର ଆଇପିଏଲ ଦର୍ଶକଙ୍କ ବିନା ଖାଲି ଷ୍ଟାଡିୟମରେ ଖେଳାଯିବ । ଦର୍ଶକମାନେ ସର୍ବଦା ଆଇପିଏଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି କିନ୍ତୁ ଏଭଳି ପରିସ୍ଥିତିରେ ଆଇପିଏଲ୍ ଖେଳିବା ଏବଂ ଟିଭିରେ ଦେଖିବା ଟିକେ ଅଜବ ହେବ । ଯଦିଓ ଏହାକୁ ଟିଭିରେ କୋଟି କୋଟି ଲୋକ ଦେଖିବେ କିନ୍ତୁ ଷ୍ଟାଡିୟମରେ ଆଉ ଘୋଘା ସୁଭିବନାହିଁ ।

ଓଟିଭି MDଙ୍କ ପାଇଁ ବଢ଼ିଲା ଅଡ଼ୁଆ: ଗିରଫ ଦାବି କଲା ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ୱିମେନ୍ ଫୋରମ୍

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ଛନ୍ଦି ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ଆଜି ଓଟିଭି ଏମ୍‌ଡିଙ୍କ ଅଡୁଆ ପୁଣି ବଢିଛି । ତାଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହୋଇଛି । OTV ଏମ୍‌ଡିଙ୍କ ଗିରଫ ଦାବି କରିଛି ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ ଫୋରମ୍ । ପୀଡିତାଙ୍କ ମା’ଙ୍କ ଉପରେ ଚାପ ପକାଇବା ସହ ତଥ୍ୟ ଲୁଚାଇ ଅଭ୍ୟାସଗତ ଭାବେ ଭୁଲ କରିଛନ୍ତି OTV ଏମ୍‌ଡି । ନିଜ କର୍ମଚାରୀଙ୍କୁ OTV ଏମ୍‌ଡି ଘଣ୍ଟ ଘୋଡାଇଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କୁ ଗିରଫ କରିବାକୁ ଦାବି କରିଛି ଫୋରମ  । ଏହା ପୂର୍ବରୁ ମହିଳା କମିଶନ ମଧ୍ୟ ୨୧ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ସମନ ଜାରି କରିଛି  । ସେପଟେ ଆଜି ମହିଳା ଥାନାରେ ହାଜର ହୋଇ ପକ୍ଷ ରଖିଛନ୍ତି ଓଟିଭି ଏଚ୍‌ଆର ହେଡ୍ । ତାଙ୍କୁ ସାଢେ ତିନି ଘଣ୍ଟା ଧରି ଜେରା କରାଯାଇଛି  । ଗତକାଲି ଏହି ମାମଲାରେ ଓଟିଭିର ସହକାରୀ ଏଚ୍‌ଆର ମୁଖ୍ୟଙ୍କୁ ପୋଲିସ ଜେରା କରିଥିଲା । ପୂର୍ବରୁ ଇନ୍‌ପୁଟ୍‌ ଓ ଆଉଟ୍‌ପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଇଛି ।

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ୮ଟି ସ୍ଥାନରେ ଚଢ଼ାଉ, ୨ ଅତିରିକ୍ତ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲା । ୮ଟି ସ୍ଥାନରେ ସିବିଆଇର ଚଢାଉ । ଭୁବନେଶ୍ୱର,କଟକ ଓ ଥାନାରେ ଚଢ଼ାଉ ।  ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ଚଢାଉ ହୋଇଥିବାବେଳେ ତତକାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ରବି ନନ୍ଦଙ୍କ ଘରେ ଚଢାଉ ହୋଇଛି । ସେହିଭଳି ସ୍ୱାଗତିକ ଇନ୍‌ ଫ୍ରା ଲିମିଟେଡର ପ୍ରଶାନ୍ତ ପଟ୍ଟନାୟକଙ୍କ ଘରେ ରେଡ ହୋଇଛି । ଆଭେନ୍ୟୁ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ରେଡ କରିଛି ସିବିଆଇ । ଅପରପକ୍ଷରେ ଚିଟ ଫଣ୍ଡ ମାମଲା ନେଇ CBI ପକ୍ଷରୁ ଚାର୍ଜସିଟ ଦାଖଲ ହୋଇଛି । ଭିନ୍ନଭିନ୍ନ ମାମଲାରେ ୨ଟି ଅତିରକ୍ତ ମାମଲା ଦାଖଲ କରିଛି CBI । ପ୍ରଥମ ମାମଲାରେ CBI ପକ୍ଷରୁ ୨୫ ଜଣଙ୍କ ନାମରେ ମାମଲା ରହିଛି । ଦିଲ୍ଲୀର ଏକ ଘରୋଇ କମ୍ପାନୀ ସହ ଶଖା କମ୍ପାନୀଗୁଡିକ ନାମରେ ମାମଲା ରହିଥିବାବେଳେ ଦ୍ୱିତୀୟ ମାମଲାରେ ଦିଲ୍ଲୀ ପଶ୍ଚିମ ବିହାରର ଏକ କମ୍ପାନୀ ନାମରେ ମାମଲା ରହିଛି । ଘରୋଇ କମ୍ପାନୀ MDଙ୍କ ସହ ଅନ୍ୟ ୨ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି ।

ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଲେନିନ୍: କହିଲେ, ନିର୍ବାଚନ ପୂର୍ବରୁ ରେଡ୍ କରୁଛି ସିବିଆଇ

ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଲେନିନ୍: କହିଲେ, ନିର୍ବାଚନ ପୂର୍ବରୁ ରେଡ୍ କରୁଛି ସିବିଆଇ

ଭୁବନେଶ୍ଵର: ଦୀର୍ଘ ଦିନର ନିରବତା ପରେ ଚିଟଫଣ୍ଡ ମାମଲାରେ ସକ୍ରିୟ ହୋଇ ଉଠିଛି ସିବିଆଇ । ଶୁକ୍ରବାର ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ୍ କରିଛି। ସିବିଆଇର ଏହି ଅଚାନକ ରେଡ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳ ମୁଖପାତ୍ର ଲେନିନ୍ ମହାନ୍ତ । ସେ କହିଛନ୍ତି , ଦୀର୍ଘ ୭ ବର୍ଷ ଧରି ସିବିଆଇ ଓଡ଼ିଶାରେ ଚିଟଫଣ୍ଡ ମାମଲାର ତଦନ୍ତ କରୁଛି । ବିଶେଷ କରି ଉପ-ନିର୍ବାଚନ, ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପୂର୍ବ ସିବିଆଇର ସକ୍ରିୟତାକୁ ଦେଖିବାକୁ ମିଳୁଥିବା କହିଛନ୍ତି ଲେନିନ୍ । ଆଉ ସିବିଆଇର ଏଭଳି କାର୍ଯ୍ୟପନ୍ଥା ନେଇ ଓଡ଼ିଶାବାସୀ ଚକିତ ଥିବା ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର  ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌ ମାରିଛି ।

ସି-ସୋର୍‌ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପକ୍ଷରୁ ଦେବୀ ମିଶ୍ରଙ୍କ ଭୁବନେଶ୍ବର ୟୁନିଟ୍‌-୧ରେ ଥିବା ସରକାରୀ ବାସଭବନ ସହିତ ନରସିଂହପୁର, ଡମକଟାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଛି । ସି-ସୋର୍‌ ମହାନଦୀ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଖୋଳତାଡ଼ କରୁଥିବା ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ୨ଘଣ୍ଟା ଧରି ଜେରା କରିବା ସହ ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ସି-ସୋର ଚିଟଫଣ୍ଡ ଲିଙ୍କ ନେଇ ୨୦୧୩ ମସିହାରୁ ତଦନ୍ତ ଚଳାଇଥିବା ସିବିଆଇ ପୂର୍ବରୁ ମଧ୍ୟ ଦେବୀ ମିଶ୍ରଙ୍କୁ ପଚରା ଉଚରା କରିଥିଲା । ତେବେ ଆଜିର ରେଡ୍‌ ପରେ ପୂର୍ବତନ ମନ୍ତ୍ରୀଙ୍କ କହିବା କଥା ସି-ସୋରକୁ  ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ଦିଆଯିବା ବେଳେ ସେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ତେବେ ଏ ନିଷ୍ପତି ତାଙ୍କର ନିଜସ୍ୱ ନଥିଲା, ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା ।

ସିବିଆଇ ତଦନ୍ତ ଓ ନର୍ବାଚନ ତାରିଖ ମଧ୍ୟରେ ଅଳ୍ପ ଦିନର ବ୍ୟବଧାନ

ରାଜ୍ୟରେ ୭୦% ରୋଗୀ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି

ଭୁବନେଶ୍ୱର: କରୋନା ରୋଗୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ବଢ଼ିଛି । ପୂର୍ବଭଳି କରୋନା ରୋଗୀଙ୍କୁୁ ନେଇ ଲୋକେ ଆତଙ୍କିତ ହେଉନାହାନ୍ତି ଏବଂ ଘୃଣା ଭାବ ମଧ୍ୟ ଲୋକଙ୍କ ମଧ୍ୟରେ କମିଛି । ପୂର୍ବରୁ କୌଣସି କଲୋନୀ କିମ୍ୱା ଆପାର୍ଟମେଣ୍ଟରେ ରୋଗୀ ଚିହ୍ନଟ ହେବା ପରେ ସଙ୍ଗେ ସଙ୍ଗେ ସେଠାରୁ ନେବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଫୋନ୍ କରୁଥିଲେ । କିନ୍ତୁ ଏବେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିସାରିଛି । ହୋମ୍ ଆଇସେୋଲେସନ୍‌ରେ ରହି ଲୋକେ ସୁବିିଧାରେ ଆରୋଗ୍ୟ ଲାଭ କରୁଥିବା ବେଳେ ଲୋକେ ମଧ୍ୟ ଏନେଇ ପୂର୍ବ ଭଳି ଅମଙ୍ଗ ହେଉନାହାନ୍ତି । ମନ୍ତ୍ରୀ, ବିଧାୟକ, ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନରେ ରହୁଛନ୍ତି ।  ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

ଶୁକ୍ରବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରଫେସର ଅମରେନ୍ଦ୍ର ମହାନ୍ତି କହିଛନ୍ତି ଯେ, ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନଥିବା ଏବଂ କମ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ । ହୋମ ଆଇସୋଲେସରେ ଥିବା ବେଳେ ଲକ୍ଷଣ ବୃଦ୍ଧି ପାଇଲେ ସ୍ୱାସ୍ଥ୍ୟ ହେଲ୍ପ ଲାଇନ୍ ନମ୍ୱରେ କଲ୍ କରି ଆବଶ୍ୟକ ପରାମର୍ଶ ପାଇପାରିବେ । ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମାଗଣାରେ କିଟ ଦିଆଯାଉଛି । ଏଥିରେ ଜର, ଥଣ୍ଡା, କାଶ ପାଇଁ ଔଷଧ ଦିଆଯାଉଛି ଏବଂ  ପୁସ୍ତିକା ଓ ଫୋନ ନମ୍ବର ଦିଆଯାଇଛି । ଘରେ ରହିଲେ ରୋଗୀ ପରିବାର ଲୋକଙ୍କଠାରୁ ଭଲ ସେବା ପାଇପାରିବେ । କମ ଲକ୍ଷଣ ଥିବା ରୋଗୀ ହସ୍ପିଟାଲରେ ରହିବାର ଆବଶ୍ୟକତା ନାହିଁ । ହସ୍ପିଟାଲରେ ରହିଲେ ଅନ୍ୟ ଗୁରୁତର ରୋଗୀଙ୍କୁ ଦେଖି ସେମାନଙ୍କ ମନୋବଳ ଭାଙ୍ଗିଯାଏ । ତେଣୁ ହୋମ ଆଇସୋଲେସନରେ ରହି କୋଭିଡ ବିରୋଧରେ ଲଢ଼େଇ ଜାରି ରଖିପାରିବା । ଘରେ ଅନ୍ୟମାନଙ୍କ ଠାରୁ ଅଲଗା ରଖି ସତର୍କ ରହିବା ଦରକାର । ଘରେ ଏକ ସ୍ୱତନ୍ତ୍ର କୋଠରୀ, ଏକ ଶୌଚାଳୟ ଓ ସେବା କରିବା ପାଇଁ ଜଣେ ଲୋକ ଥିଲେ ହୋମ ଆଇସୋଲେନରେ ରହିହେବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଡିଏମ୍‌ଇଟି ଡ. ସିବିକେ ମହାନ୍ତି କହିଛନ୍ତି ଯେ, ମେଡିକାଲରେ ଚିକିତ୍ସାଧୀନ ଥିବା ରୋଗୀ ଓ ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀଙ୍କ ପ୍ରତି ଆମର ସମାନ ଦାୟିତ୍ୱ ରହିଛି ।

ହ୍ୱାଟସ୍ଆପ୍ ଯୋଗେ ପ୍ରଶ୍ନ ପଚାରିବେ ଲୋକେ: ଉତ୍ତର ରଖିବେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆଦର୍ଶ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସହ 5-T ସଚିବଙ୍କ ଆଲୋଚନା ପରେ ତିଆରି ହୋଇଥିଲା ପରିବର୍ତ୍ତନର ରୋଡମ୍ୟାପ୍

ଭୁବନେଶ୍ୱର, ରାଜ୍ୟରେ ମେଧାବୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆଦର୍ଶ ବିଶ୍ୱବିଦ୍ୟାଳୟ ଯୋଜନା ପରିକଳ୍ପନା କରାଯାଇଥିଲା । ଅତି ସଫଳତାର ଏହି କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି । ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହା ମେଧାବୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପରି ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷାକୁ ସର୍ବାଗ୍ରେ ପ୍ରାଥମିକତା ଦେଇ ଆସିଛନ୍ତି । ଏହି କ୍ରମରେ ଉକ୍ତଧାରାକୁ ଆଉଟିକେ ଆଗକୁ ନେବାକୁ ଅଣ୍ଟା ଭିଡିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ ।

ନୂଆକରି ନିଆଯିବାକୁ ଥିବା ପଦକ୍ଷେପ ସେତେବେଳେ ସମ୍ଭବ ହୋଇପାରିଲା, ଯ଼େତେବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ନିଜେ ଏ ନେଇ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଏନେଇ ପ୍ରାୟ ୩ ଘଣ୍ଟା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ମତାମତକୁ ଆଧାର କରି ଏପରି ନିଆରା ପଦକ୍ଷେପ ନେବାକୁ ଉଚିତ ମଣିଲେ । ଏହି ଶିକ୍ଷା ବିପ୍ଲବ ରାଜ୍ୟରେ ମେଧା ଗଠନ ସଶକ୍ତ ଭାବେ ସହାୟକ ହେବ ବୋଲି ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପଦକ୍ଷେପ କଣ ରହିଛି ।  ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ଦେବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରଶିକ୍ଷକଗଣ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ କିମ୍ବା ଅତିରିକ୍ତ ଦାୟିତ୍ୱରେ ଆସି ବିଭିନ୍ନ  ବିଷୟରେ ଶିକ୍ଷା ଦେଇ ପାରିବେ । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଅଧୀନରେ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପରିଚାଳିତ ହେଉଛି । ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ସିବିଏସଇ ଢାଞ୍ଚାରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ଚଳିତ ଏବଂ ଗତବର୍ଷ ଏହି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ନେଇଥିବା ୩୫୦ ଛାତ୍ରଛାତ୍ରୀ ପ୍ରାୟ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ପିଲା ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଭବିଷ୍ୟତରେ ମେଡିକାଲ,ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଛନ୍ତି  । ହେଲେ ଏଥିପାଇଁ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ରହିଛି ।

ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତିଯେ,  ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ବହୁତ କର୍ମଚାରୀ, ଅଧିକାରୀଗଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଅନେକ ଏଭଳି କାର୍ଯ୍ୟକୁ ପ୍ରତିବଦ୍ଧତା ଭାବରେ ଗ୍ରହଣ କରିଥାନ୍ତି  । ତେଣୁ ଏଥିପାଇଁ ତୁରନ୍ତ ଆବେଦନ ଆମନ୍ତ୍ରଣ କରାଯାଇଛି । ବିଶେଷକରି ଛାତ୍ରଛାତ୍ରୀ ମାନଙ୍କୁ ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ,ଜୀବ ବିଜ୍ଞାନ,ଇଂରାଜୀ,ଗଣିତ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଅଫଲାଇନ କିମ୍ବା ଅନଲାଇନ ପ୍ରଶିକ୍ଷଣ ଦେବାକୁ ହେବ ।

ଆଗ୍ରହୀ ବ୍ୟକ୍ତିମାନେ ନିର୍ଦ୍ଧାରିତ ଫର୍ମରେ ସେମାନଙ୍କ ଉପରସ୍ଥ କର୍ତ୍ତୃପକ୍ଷଙ୍କ ଜରିଆରେ ଓଡ଼ିଶ ଆଦର୍ଶ ବିଦ୍ୟାଳୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆବେଦନ କରିପାରିବେ । ଏହାର ସବିଶେଷ ତଥ୍ୟ https://www.oav.edu.in/ ଓ୍ୱେବସାଇଟରେ ଉପଲବ୍ଧ ହେଉଛି । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମୃଦ୍ଧ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।