ସିବିଆଇ ତଦନ୍ତ ଓ ନର୍ବାଚନ ତାରିଖ ମଧ୍ୟରେ ଅଳ୍ପ ଦିନର ବ୍ୟବଧାନ

1 min read

ଭୁବନେଶ୍ୱର: ୨୦୧୩ରେ ଆରମ୍ଭ ହୋଇଥିବା ତଦନ୍ତ, ଏଯାଏଁ ସରୁନି । ନିର୍ବାଚନ ଆସିଲେ ସକ୍ରିୟ ହେଉଛି ସିବିଆଇ । ଆଜି ପୁଣି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ସିବିଆଇ ପଚରାଉଚରା ଘଟଣାରୁ ତାହା ପ୍ରମାଣିତ ହୋଇଛି । ଆଗକୁ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଥିବାରୁ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପଶିଛି । ଦେବୀଙ୍କଠାରୁ ସିସୋର ଟୁରିଜିମ୍ ପ୍ରୋଜେକ୍ଟ ସମ୍ପର୍କିତ ଦସ୍ତାବିଜ ମାଗାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଏଭଳି ଅତର୍କିତ ଚଢାଉ ରାଜନୈତିକ ଅଭିସନ୍ଧି ଯୁକ୍ତ ବୋଲି ଇସାରା କରିଛି କଂଗ୍ରେସ ।

ସକାଳ ୮ଟାରେ ସିବିଆଇର ୬ ଜଣିଆ ଟିମ୍ ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ ୧ ସରକାରୀ ବାସଭବନରେ ଚଢାଉ କଲା । ଏକ ସମୟରେ ଦେବୀଙ୍କ ନରସିଂହପୁର ପୈତୃକ ବାସଭବନରେ ବି ଚଢାଉ ହେଲା । ଦେବୀ ମିଶ୍ରଙ୍କୁ ସିସୋର ଲିଜ ନେଇଥିବା ମହାନଦୀ ବୋଟିଂ ପ୍ରେଜେକ୍ଟର ଦସ୍ତାବିଜ ମାଗିଥିଲା ସିବିଆଇ । ୨୦୦୮-୦୯ରେ ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ସିସୋର ଏହି ପ୍ରକଳ୍ପ ହାତେଇଥିଲା । ପୂର୍ବରୁ ମଧ୍ୟ ଦେବୀ ମିଶ୍ରଙ୍କୁ ସିବିଆଇ ଡାକିଥିଲା । ସିବିଆଇ କାର୍ଯ୍ୟାଳୟ ଯାଇ ସମସ୍ତ ତଥ୍ୟ ବି ଦେଇଥିଲେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ।

ସିସୋର ଟୁରିଜିମ ପ୍ରକଳ୍ପ ସରକାରୀ ବ୍ୟବସ୍ଥା ମଧ୍ୟରେ ହୋଇଥିଲା । ଏସମ୍ପର୍କିତ ତଥ୍ୟ ପର୍ଯ୍ୟଟନ ବିଭାଗ ଠାରୁ ସିବିଆଇ ପୂର୍ବରୁ ସଂଗ୍ରହ କରିସାରିଛି । କରୋନା ସଂକ୍ରମିତ ହୋଇ ଘରେ ଥିଲେ ଦେବୀ । ହେଲେ ସିବିଆଇକୁ ସବୁ ପ୍ରକାର ସହଯୋଗ କରିଥିଲେ । ୨୦୧୩ ମସିହାରୁ ତଦନ୍ତ ଚଳାଇଛି ସିବିଆଇ । ୨୦୧୪ ନିର୍ବାଚନ ସମୟରେ ବେଶ୍ ସକ୍ରିୟ ହୋଇଥିଲା ତଦନ୍ତ । ଯାହା ଧୀରେ ଧୀରେ ଧୀମେଇଲା । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ସିବିଆଇ ତଦନ୍ତ ଉଡ଼ାଣ ଭରିଲା । ଜଣେ ପରେ ଜଣେ ବିଜେଡି ନେତାଙ୍କୁ ସିବିଆଇ ଅଫିସ୍ ଡକାଗଲା । ସେ ସମୟରେ ଦେବୀ ମିଶ୍ର ମଧ୍ୟ ସିବିଆଇ ପାଖରେ ହାଜର ହୋଇ ସିସୋର ସଂପର୍କିତ ଦସ୍ତାବିଜ ଦାଖଲ କରିଥିଲେ । ଶେଷ ଥର ପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ଦୁଇ ଜଣ ବିଜେଡି ବିଧାୟକଙ୍କୁ ସମନ କରିଥିଲା ସିବିଆଇ ।

ତେବେ ସିବିଆଇର ଏପରି ଆଚରଣକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ।  ଠିକ୍ ନିର୍ବାଚନ ପୂର୍ବରୁ କାହିଁକି ସକ୍ରିୟ ହୁଏ ସିବିଆଇ ?

କାହା ନିୟନ୍ତ୍ରଣରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ?  କିଛି ବର୍ଷ ବ୍ୟବଧାନ ପରେ ସମାନ ଦସ୍ତାବିଜ ମାଗିବାର କାରଣ କଣ ?  ୭ ବର୍ଷର ତଦନ୍ତରୁ କଣ ପାଇଛି ସିବିଆଇ ?

ଏଯାଏ ସମନ ପାଇଥିବା ସମସ୍ତ ବିଜେଡି ନେତା  ସିବିଆଇକୁ ସହଯୋଗ କରିଛନ୍ତି । ଯାହା ପଚରା ଯାଇଛି କହିଛନ୍ତି ଓ ଯେଉଁ ଦସ୍ତାବିଜ ମଗାଯାଇଛି ଦେଇଛନ୍ତି । ହେଲେ ସବୁ ସମୟରେ ସିବିଆଇର ତଦନ୍ତ ଓ ନିର୍ବାଚନ ତାରିଖ ଭିତରେ ଅଳ୍ପ ଦିନର ବ୍ୟବଧାନ ଥିବାରୁ, ରାଜନୈତିକ ନିୟନ୍ତ୍ରଣର ଦୁର୍ଗନ୍ଧ ନେଇ ଚର୍ଚ୍ଚା ହେଉଛି ।

Leave a Reply