spot_img
Home Blog Page 6419

ଗାଁ ପୋଖରୀ ଶୁଖିଯାଇଥିଲା,ପାହାଡ କାଟି ପାଣି ଆଣିବାକୁ ଅଣ୍ଟା ଭିଡିଲେ ମହିଳା..

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳର ଆଗ୍ରୋଥ ଗାଁ । ପାହାଡିଆ ଭୂମିରେ ଅବସ୍ଥିତ ଗାଁରେ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ନ ଥିଲା । ଗାଁରେ ଥିବା ପୋଖରୀ ଓ ଅନ୍ୟାନ୍ୟ ଜଳାଶୟ ଶୁଖି ଯାଉଥିଲା । ବର୍ଷ ବର୍ଷ ଧରି କୌଣସି ପ୍ରକାରର ସମାଧାନର ରାସ୍ତା ବାହାରି ପାରୁ ନଥିଲା । ହେଲେ ୧୮ ମାସ ତଳେ ସାମୂହିକ ଭାବେ ନିଆଯାଇଥିବା ନିଷ୍ପତ୍ତି ସେହି ଗାଁକୁ ଜଳ ଯୋଗାଇବାରେ ସହାୟତା କରିଛି ।

ସେହି ଗାଁର ମହିଳାମାନେ ସାଧାରଣତଃ ପାଣି ଆଣିବା କାର୍ଯ୍ୟ କରିଥାନ୍ତି । ତେଣୁ ପୁରୁଷମାନଙ୍କ ଅପେକ୍ଷା ସର୍ବାଧିକ ଭାବେ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଗାଁର ସବୁ ମହିଳାମାନେ ଏହାର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କଲେ । ପରସ୍ପର ସହ ଆଲୋଚନା କରିବା ପରେ ସେହି ଗାଁର ପ୍ରାୟ ୨୫୦ ମହିଳା ଏକାଠି ହୋଇଥିଲେ । କୌଣସି ପ୍ରଶାସନିକ ସହଯୋଗ ନ ନେଇ ନିଜସ୍ୱ ଉଦ୍ୟମରେ ପାହାଡ଼ କାଟି ଜଳ ଯେପରି ମିଳିପାରିବ, ସେ ନେଇ କାମ କରିବା ଆରମ୍ଭ କରି ଦେଇଥିଲେ ।

ଯେତେବେଳେ ମହିଳାମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ସେତେବେଳେ ଗାଁର କିଛି ସେମାନଙ୍କୁ ଟାହିଟାପରା କରିଥିଲେ । ହେଲେ ଏହା ମହିଳାମାନଙ୍କୁ ହତୋତ୍ସାହିତ କରିପାରି ନ ଥିଲା । କୌଣସି ସମାଲୋଚନାର ବଶବର୍ତ୍ତୀ ନ ହୋଇ ସେମାନେ ନିଜ କାର୍ଯ୍ୟ ଜାରି ରଖିଥିଲେ । ଖରା,ବର୍ଷା, ଶୀତ, କାକରକୁ ଖାତିର ନ କରି ନିୟମିତ ଭାବେ କାର୍ଯ୍ୟ କରିଚାଲିଲେ । ଦିନୱାରୀ ନିଜ ନିଜ ଭିତରେ କାମ ବାଣ୍ଟି ପାହାଡ କାଟିବାରେ ଲାଗିଲେ । କିଛି ମହିଳା କାଟିବା କାର୍ଯ୍ୟ କରୁଥିବା ବେଳେ କେତେଜଣ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଣ କାର୍ଯ୍ୟ କରୁଥିଲେ । ଏପରିକି କେତେକ ମହିଳା ଅନ୍ୟ ମହିଳାଙ୍କ ପିଲାମାନଙ୍କ ଯତ୍ନ କଥା ବୁଝୁଥିଲେ ।

ଏହିପରି ଭାବେ ୧୮ ମାସର ପରିଶ୍ରମ ପରେ ଟାଙ୍ଗରା ଭୂମିରେ ପାଣି ଗଡିଲା । ମହିଳା ମାନଙ୍କ ପରିଶ୍ରମ ଫଳରେ ଏବେ ଗାଁର ପୋଖରୀକୁ ଜଳ ଯୋଗାଣ ହୋଇପାରିଛି । ଏନେଇ ଆଗ୍ରୋଥ ଗାଁର ମହିଳା ବବିତା ରାଜପୁତ କହିଛନ୍ତି ଯେ, ୧୮ ମାସ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ସୁଫଳ ମିଳିଛି । ପୂର୍ବରୁ ଗାଁର ପୋଖରୀକୁ ପାଣି ଆସୁ ନ ଥିବାରୁ ୫୦୦ ମିଟର ପାହାଡ କାଟିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ କାଟିକା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଏହି କାର୍ଯ୍ୟ ସରିଛି, ଗାଁକୁ ପାଣି ଆସିବାରେ ଆଉ କୌଣସି ଅସୁବିଧା ହେଉ ନ ଥିବା ବବିତା କହିଛନ୍ତି ।

କ୍ଷମତାକୁ ଆସିଲେ ୧୦ ଲକ୍ଷ ରୋଜଗାର ଦେବା ନେଇ ଘୋଷଣା କଲେ ତେଜସ୍ୱୀ ଯାଦବ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଏହା ପରେ ଉତ୍ସାହିତ ହୋଇଛନ୍ତି ସମସ୍ତ ରାଜନୈତିକ ଦଳ । ୨୦୧୫ରେ ନୀତିଶ କୁମାରଙ୍କ ଜେଡି(ୟୁ) ସହ କ୍ଷମତା ଦଖଲ କରିଥିବା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡ଼ି) ୨୦୧୭ରେ ନାଟକୀୟ ଭାବେ ବିରୋଧୀ ଦଳ ହୋଇଥିଲା । ତେଣୁ ଚଳିତ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଦଳ ପକ୍ଷରୁ ବ୍ୟାପକ ଘୋଷଣା କରାଯାଉଛି । ବିଶେଷ କରି ବିହାରର ଯୁବବର୍ଗକୁ ଆଖି ଆଗରେ ରଖି ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ ଘୋଷଣା କରିଛନ୍ତି ।

ରବିବାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ତେଜସ୍ୱୀ କହିଛନ୍ତି ଯେ,ଚଳିତ ନିର୍ବାଚନରେ ଯଦି ଆରଜେଡ଼ି କ୍ଷମତାସୀନ ହୁଏ । ତେବେ ସର୍ବପ୍ରଥମେ କିଭଳି ଭାବେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବ, ସେ ନେଇ ନିଷ୍ପତ୍ତି ନେବେ । ନିର୍ବାଚନ ଘୋଷଣା ହେବର ଯଥେଷ୍ଟ ପୂର୍ବରୁ ଲାଲୁ ନନ୍ଦନ ଏହି ଯୁବ ବର୍ଗକୁ ଫୋକସ୍ କରିବାରେ ଲାଗିଛି । ଖାସ୍ ଏଥିପାଇଁ ପ୍ରସ୍ତୁତ କରିଥିଲେ ଏକ ୱେବ ପୋର୍ଟାଲ । ଗତ ଅଗଷ୍ଟ ୫ରୁ ଏଥିରେ ବେରୋଜଗାର ତଥା ନିଯୁକ୍ତି ଥିବା ଯୁବକଯୁବତୀଙ୍କୁ ନିଜ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଥିଲା ।

ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ୯,୪୭, ୩୨୪ ଜଣ ପଞ୍ଜିକୃତ କରିସାରିଛନ୍ତି । ସେହିପରି ଜାରି କରାଯାଇଥିବା ନମ୍ବରରେ ପ୍ରାୟ ୧୩ ଲକ୍ଷ ୧୧ ହଜାର ୬୨୬ ଜଣ ମିସ୍ କଲ୍ ପ୍ରଦାନ କରିସାରିଛନ୍ତି । ଏହି ସଂଖ୍ୟା ହିଁ ରାଜ୍ୟରେ ଥିବା ବେକାରୀ ସମସ୍ୟାକୁ ଦର୍ଶାଉଥିବା ଯାଦବ ଅଭିଯୋଗ କରିଛନ୍ତି । ଖାଲିଥିବା ପଦବୀର ଉଦାହରଣ ଦେଇ ତେଜସ୍ୱୀ କହିଛନ୍ତି ଯେ, ରାଜ୍ୟରେ ଅଢେଇ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ରହିଛି । ବିହାର ପୋଲିସ ସେବାରେ ପ୍ରାୟ ୫୦ ହଜାର ପଦବୀ ଖାଲି ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗକୁ ଯଦି ଲକ୍ଷ୍ୟ କରାଯାଏ, ତେବେ ଜାତୀୟ ହାର ତୁଳନାରେ ବହୁ ସଂଖ୍ୟକ ପଦବୀ ଖାଲି ରହିଛି ।

ଏହି ସବୁ ବିଭାଗରେ ପ୍ରାୟ ୫ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଛି । ସେହିପରି ଅନ୍ୟାନ୍ୟ ବିଭାଗରେ ୪ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଥିବା ତେଜସ୍ୱୀ କହିଥିଲେ । ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେବା ସାଧାରଣ କଥା । ହେଲେ କ୍ଷମତା ପରେ ତାହାକୁ ବାସ୍ତବରୂପ ଦେବା ଭିନ୍ନକଥା । ତେଣୁ ତେଜସ୍ୱୀଙ୍କ ଏହି ଘୋଷଣା ତାଙ୍କୁ ଭୋଟ ରାଜନୀତିରେ କେତେ ସଫଳତା ଦେଉଛି, ତାହା ସମୟ କହିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

IPL 2020: ପରିବାର ସଦସ୍ୟଙ୍କ ଦେହାନ୍ତ ପରେ ବି ମ୍ୟାଚ୍ ଖେଳୁଥିଲେ ଶେନ୍ ୱାଟସନ୍, କ୍ରୀଡ଼ାପ୍ରେମୀଙ୍କ ପ୍ରଂଶସା

ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗ୍ସର ବ୍ୟାଟ୍ସମ୍ୟାନ୍ ଶେନ୍ ୱାଟସନ୍ IPL 2020 ସିଜିନରେ ଏବେ ଯାଏଁ ଖରାପ ପ୍ରଦର୍ଶନ ପାଇଁ ଚିନ୍ତିତ ଅଛନ୍ତି । ତେବେ ବହୁତ କମ୍ ଲୋକଙ୍କୁ ଜଣା ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏବେ ବ୍ୟକ୍ତିଗତ କାରଣରୁ ଦୁଃଖରେ ଅଛନ୍ତି । ଶେନ୍ ୱାଟସନ୍ ନିଜେ ଏହି କଥା ଖୁଲାସା କରିଛନ୍ତି । ୱାଟସନଙ୍କ ଆଇଙ୍କ ଦେହାନ୍ତ ପରେ ମଧ୍ୟ ସେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମ୍ୟାଚ ଖେଳିଥିଲେ । ଯାହା ପରେ ସୋସିଆଲ୍ ମିଡିଆରେ ଲୋକ ତାଙ୍କୁ ଯୋଦ୍ଧା କହୁଛନ୍ତି ।

ଶେନ୍ ୱାଟସନ୍ କହିଛନ୍ତି- ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଦୁଇ ଦିନ ପୂର୍ବରୁ ହିଁ ତାଙ୍କ ଆଇ ରିଚିଙ୍କ ମୃତ୍ୟୁ ହୋଇଥିଲା । ଯାହାପରେ ସେ ତାଙ୍କ ପରିବାରକୁ ଘରକୁ ପଠାଇ ଦେଇଥିଲେ । କହିଥିଲେ- ମୋତେ ଜଣା ମୋ ମାଆଙ୍କ ପାଇଁ ତାଙ୍କ ମାଆ କେତେ ଜରୁରୀ ଥିଲେ । ମୁଁ ଦୁଃଖିତ ଯେ ଏବେ ତାଙ୍କ ପାଖକୁ ଯାଇ ପାରୁନାହିଁ ।

ଶେନ୍ ୱାଟସନଙ୍କ ଏହି ଖୁଲାସା ପରେ ସୋସିଆଲ୍ ମିଡିଆରେ ଲୋକ ତାଙ୍କୁ ପ୍ରକୃତ ଖେଳାଳି, ଯୋଦ୍ଧା କହୁଛନ୍ତି । ତାଙ୍କ ପ୍ରଂଶସକ ୱାଟସନଙ୍କୁ ସମ୍ମାନ ଦେଇ ପୋଷ୍ଟ କରୁଛନ୍ତି । ଚଳିତ ଆଇପିଏଲ୍ ସିଜିନରେ ୱାଟସନ ଏବେ ଯାଏଁ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିନାହାଁନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ଏହା ପୂର୍ବ ୨ ମ୍ୟାଚରେ ୱାଟସନ୍ ୧୪ ଓ ୩୩ ରନ୍ କରିଥିଲେ । ଏହା ପୂର୍ବରୁ କମେଣ୍ଟର ଡିନ୍ ଜୋନ୍ସଙ୍କ ମୃତ୍ୟୁରେ ବି ୱାଟସନ୍ ଇମୋସନାଲ ହୋଇ ପଡ଼ିଥିଲେ ।

ପୂର୍ବ ଲଦାଖ୍‌ରେ ଶକ୍ତି ବଢ଼ାଉଛି ଭାରତ: ଟି-୯୦ ଭୀଷ୍ମ ଟ୍ୟାଙ୍କ ସମେତ ଅନ୍ୟ ଯୁଦ୍ଧାସ୍ତ୍ର ନିୟୋଜିତ

0

ଲଦାଖ୍‌: ପୂର୍ବ ଲଦାଖରେ ଶକ୍ତି ବଢ଼ାଉଛି ଭାରତ  । ସୀମାରେ ଆଉ ପୂର୍ବ ଭଳି ସ୍ଥିତି ନାହିଁ  । ଲେହରୁ ୨୦୦ କିଲୋମିଟର ଦୂରରେ ବି ଟ୍ୟାଙ୍କ ସହ ବିଭିନ୍ନ ଯୁଦ୍ଧାସ୍ତ୍ର ମୁତୟନ କରି ପ୍ରସ୍ତୁତ ରହିଛି ଭାରତ  । ଯେକୌଣସି ମୁହୁର୍ତ୍ତରେ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ରହିଛି  । ଭାରତର ପ୍ରସ୍ତୁତ ଦେଖି ଜଣାପଡ଼ୁଛି ଯେ ଏଥର ଚୀନ ଭୁଲରେ ବି ଭୁଲ କଲେ ଶୋଚନୀୟ ସ୍ଥିତିର ସାମ୍ନା କରିବ  । ୧୬ ହଜାରରୁ ୧୮ ହଜାର ଫୁଟ ଉଚ୍ଚତାରେ ମଧ୍ୟ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନା ସେଠାରେ କ୍ୟାମ୍ପ ପକାଇ ଆସନ୍ତା ଶୀତ ଦିନ ପାଇଁ ପ୍ରସ୍ତୁତ ଥିବା ବେଳେ ଟ୍ୟାଙ୍କ, କ୍ଷେପଣାସ୍ତ୍ର ମୁତୟନ ରହିଛି  । ଆବଶ୍ୟକ ପଡିଲେ କିଛି ମିନିଟ ଭିତରେ ସୀମା ଭିତରକୁ ପ୍ରବେଶ କରି ଟ୍ୟାଙ୍କ ଶତ୍ରୁପକ୍ଷକୁ ଧୁଳିସାତ କରିଦେବ  । ଭାରତ ଓ ଚୀନ ମଧ୍ୟରେ କୋର କମାଣ୍ଡର ସ୍ତରୀୟ ବୈଠକରେ କୌଣସି ଫଳ ନମିଳିବାରୁ ଭାରତ ଏଥର ସବୁ ସ୍ଥିତି ପାଇଁ ସଜାଗ ରହିଛି  ।

ଆଦିତ୍ୟ ଦାସଙ୍କ ବାନ୍ଧବୀ ଚିନ୍ମୟୀଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଦାସଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ଜେରାରେ ତାଙ୍କର ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଚିନ୍ମୟୀଙ୍କର ଭୂମିକା କିଭଳି ରହିଛି ସେ ନେଇ ତାଙ୍କୁ ଉତ୍ତର ମଗାଯାଇଥିଲା ।

ଅନ୍ୟପକ୍ଷରେ ଚିନ୍ମୟୀଙ୍କ ଓକିଲ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଚିନ୍ମୟୀଙ୍କ ବୟସ ମାତ୍ର ୨୧ ବର୍ଷ । ସେ ସାଇକୋ ନୁହନ୍ତି । ଅଯଥା ତାଙ୍କୁ ସାଇକୋ ସଜାଇବାର ଅପଚେଷ୍ଟା ନକରାଯାଉ । ସେହିଭଳି  ଚିନ୍ମୟୀ ଜେରା ସରିବା ପରେ ତାଙ୍କ ଓକିଲ ଚିନ୍ମୟୀଙ୍କ ପକ୍ଷ ସ୍ପଷ୍ଟ କରିଛି ।

ଓକିଲ କହିଛନ୍ତି ଯେ ଚିନ୍ମୟୀଙ୍କ ଷ୍ଟେଟମେଣ୍ଟ୍ ରେକର୍ଡ କରିବା ପାଇଁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ମିଳିବା ପରେ ଚିନ୍ମୟୀ ପହଞ୍ଚିଥିଲେ । ଚିନ୍ମୟୀ ମହାପାତ୍ର କେବେ ଆଦିତ୍ୟଙ୍କ ସହ ସମ୍ପର୍କକୁ ଆସିଲେ, ପରିବାର ସହ ମିଳାମିଶା କେମିତି ଥିଲା ଓ କେବେ ଦୁହିଁଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଲା ସେ ନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନ କରିଥିଲା । କ୍ରାଇମବ୍ରାଞ୍ଚ ଚିନ୍ମୟୀଙ୍କ ଉତ୍ତରରେ ସନ୍ତୁଷ୍ଟ ଥିବା କଥା ତାଙ୍କ ଓକିଲ କହିଛନ୍ତି ।ସେହିଭଳି ଚିନ୍ମୟୀଙ୍କ ଓକିଲ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଚିନ୍ମୟୀଙ୍କ ତରଫରୁ ସୋତପ୍ରୋତ ଭାବେ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି । କ୍ରାଇମବ୍ରାଞ୍ଚ ତଥ୍ୟ ଆଧାରରେ ଆଗାମୀ ତଦନ୍ତ ଜାରି ରଖିବ ବୋଲି ସଲେ ସ୍ପଷ୍ଟ କରିଛନ୍ତି ।

ଏନ୍‌ଆଇଏ ହାତରେ ଧରାପଡ଼ିଲା ଆଉ ଜଣେ ଆତଙ୍କବାଦୀ

0

କୋଲକାତା: ପୁଣି ଜଣେ ଆତଙ୍କବାଦୀ ଗିରଫ । କେରଳ, କୋଲକାତାରୁ  ଅଲ୍ କାଏଦାର ଆତଙ୍କବାଦୀ ଧରାପଡ଼ିବାର କିଛି ଦିନ ପରେ ଏବେ ମୁର୍ସିଦାବାଦରୁ ଆଉ ଜଣେ ଆତଙ୍କବାଦୀ ଧରାପଡ଼ିଛନ୍ତି ।

          ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନରେ ଏହି ଆତଙ୍କବାଦୀ ଜଣଙ୍କ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତ ଆତଙ୍କବାଦୀ ଜଣଙ୍କ ହେଉଛି ସଲିମ୍ ଅନ୍‌ସାରୀ । ସେ ମୁର୍ସିଦାବାଦର ବାସିନ୍ଦା । ଗିରଫ ପରେ ଶନିବାର ତାକୁ ମୁର୍ସିଦାବାଦ ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଏବଂ କୋର୍ଟ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନୂଆଦିଲ୍ଲୀ ସ୍ଥିତି ଏନ୍‌ଆଇଏ କୋର୍ଟରେ ହାଜର କରାଯିବ । ଏ ନେଇ ଖବରସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ରହିଛି ।

NIAର ବଡ଼ ଧରଣର ରେଡ, ଅଲ କାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ କଲା ଗିରଫ

          ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ୱର ୧୯ ତାରିଖରେ ଏନ୍‌ଆଇଏ ଦେଶରେ ସକ୍ରିୟ ଥିବା ଅଲ୍ କାଏଦା ଅଲ୍ କାଏଦର  ଏକ ବଡ଼ ରାକେଟକୁ ଠାବ କରିଥିଲା ଏନ୍‌ଆଇଏ । ଏହି ରେଡରେ ଦେଶର ବିଭିନ୍ନ ସ୍ଥାନରୁ ୯ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ।

ରାଜ୍ୟରେ ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନସ୍ଥଳୀ, ରାଜ୍ୟରେ ହେବ ୫ Eco Retreat

ଭୁବନେଶ୍ୱର:  ଅକ୍ଚୋବର ମାସରୁ କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ପୁଣି ଖୋଲିବ । ପର୍ଯ୍ୟଟକ ଏହି ସବୁ ସ୍ଥାନକୁ ପରିଦର୍ଶନ କରି ପାରିବେ । କିନ୍ତୁ ସେମାନଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ମାନିବାକୁ ପଡିବ । ଏସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ । ଏହା ସହ  କୋଣାର୍କ ଇକୋ ରିଟ୍ରିଟର ସଫଳତା ପରେ ରାଜ୍ୟ ସରକାର ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହାତକୁ ନେବେ । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଘୋଷଣା କରିଛନ୍ତି । ରାଜ୍ୟକୁ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ଜଣାଇଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ୫ଟି ନୂଆ ଇକୋ ରିଟ୍ରିଟ୍ ପ୍ରସ୍ତୁତ ହେବ । ବଡ଼ମୂଳ, ଭିତରକନିକା, ଦାରିଙ୍ଗବାଡି, କେଣାର୍କ ଓ ହୀରାକୁଦରେ ଇକୋ ରିଟ୍ରିଟର ଆୟୋଜନ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର. ଯାଦବ।ତେବେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି । କରୋନା ବେଳେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ହେତୁ ଏବେ ପୁଣି ଥରେ ଏହାକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

‘ମନ୍ କି ବାତ୍’: ‘କୃଷି ବିଲ୍ କୃଷକର ଆୟକୁ ଦୁଇଗୁଣ କରିବ’

ନୂଆଦିଲ୍ଲୀ: ଆଜି ମନ କି ବାତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆରମ୍ଭରୁ ହିଁ ସେ ଦେଶର କୃଷି ବିଲ୍ ଓ ଚାଷୀଙ୍କ ପ୍ରସଙ୍ଗରେ କହିଥିଲେ । କୃଷି ବିଲ୍ ଚାଷୀଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ । ଚାଷୀଙ୍କ ଆୟ ଦୁଇ ଗୁଣା କରିବ ବୋଲି ମୋଦି କହିଛନ୍ତି । କରୋନା ସମୟରେ ବିଭିନ୍ନ କ୍ଷେତ୍ରରେ ଶୋଚନୀୟ ସ୍ଥିତି ଥିବା ବେଳେ କୃଷି କ୍ଷେତ୍ରରେ କିନ୍ତୁ ସ୍ଥିତି ଅପରିବର୍ତ୍ତିତ ଥିଲା ।

ଚାଷୀଙ୍କ ଉନ୍ନତି ହେଲେ ଆତ୍ମନିର୍ଭର ଭାରତର ମୁଳଦୁଆ ପଡିବ ବୋଲି ମୋଦି କହିଛନ୍ତି । ଏହି ବିଲ୍ ଯୋଗୁଁ ଦୀର୍ଘ ବର୍ଷ ଧରି ଚାଷୀଙ୍କ ଆଗରେ ଥିବା ବାଧାକୁ ସରକାର ନଷ୍ଟ କରିଛନ୍ତି । ଏବେ ସେମାନେ ନିଜ ସାମଗ୍ରୀ ଦେଶରେ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ ।ଏଣୁ ଏହାକୁ ଚାଷୀ ବିରୋଧୀ ବୋଲି କହିବା ଏକଦମ ଭୁଲ୍ । ଚାଷୀର ଆୟକୁ ବଢାଇ ତାଙ୍କୁ ନାର୍ଯ୍ୟ ଦାବି ଦେବା ଲକ୍ଷରେ ଏହି ବିଲ୍ ଅଣାଯାଇଛି । ଏଥିସହ କରୋନା କାଳରେ ସତର୍କ ରହିବା ସହ ସାମାଜିକ ଦୁରତା ରକ୍ଷା କରିବା ପାଇଁ ମୋଦି ଅପିଲ କରିଛନ୍ତି ।

ଚିନ୍ତା ବଢାଉଛି ଖୋର୍ଦ୍ଧା; ଆଜି ରାଜ୍ୟରେ ୩୯୨୨ ସଂକ୍ରମିତ ଚିହ୍ନଟ…

ଭୁବନେଶ୍ୱର: ରାଜ୍ୟରେ ଶେଷ ୨୪ ଘଣ୍ଟାରେ ୩୯୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩୦୯ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ରହିଛି ୧୬୧୩ । ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ମାତ୍ରା ସବୁଠାରୁ ଆଗରେ ରହିଥିବା ବେଳେ ଆଜି ମଧ୍ୟ ଖୋର୍ଦ୍ଧାରେ ସଂକ୍ରମଣ ଅଧିକ ରହିଛି ।

ଖୋର୍ଦ୍ଧାରେ ୮୧୮, ଅନଗୁଳରୁ ୨୦୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୧୫୪, ଭଦ୍ରକରୁ ୫୧, ବଲାଙ୍ଗିରରୁ ୮୫, ବୌଦ୍ଧରୁ ୪୮, କଟକରୁ ୩୮୦, ଦେଓଗଡ଼ରୁ ୮, ଢେଙ୍କାନାଳରୁ ୭୬, ଗଜପତିରୁ ୨୨, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୦୩, ଝାରସୁଗୁଡ଼ାରୁ ୧୦୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କେନ୍ଦ୍ରପଡ଼ାରୁ ୧୦୭, କେନ୍ଦୁଝରରୁ ୨୧୨, କୋରାପୁଟ ଓ ମାଲକାନଗିରିରୁ ୬୯ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୧୧୪, ପୁରୀରୁ ୧୮୪, ରାୟଗଡ଼ାରୁ ୪୮, ସମ୍ୱଲପୁରରୁ ୧୧୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୧୦୩  । ଉଲ୍ଲେଖଯୋଗ୍ୟ ସଂକ୍ରମଣର ସଂଖ୍ୟା ୨ ଲକ୍ଷ ୯ହଜାର ୩୭୪ରେ ପହଞ୍ଚିଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୮,୩୩୧ ।

ପୁରୀ-କୋଣାର୍କକୁ ଗଡ଼ିଲା ମୋ ବସ୍, ରାଜଧାନୀରୁ ପୁରୀକୁ ଭଡ଼ା ୭୦…

ଭୁବନେଶ୍ୱର: କଟକଣା କୋହଳ ପରେ ଗଡିଲା ମୋ ବସ୍ । ଆଜି ଭୁବନେଶ୍ବରରୁ ପୁରୀ ଓ କୋଣାର୍କକୁ ଗଡିଛି ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ମୋ ବସ୍ ଗଡିଛି । ସକାଳ ୬ଟା ୩୦ ମିନିଟରୁ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଛାଡିଥିଲା ପ୍ରଥମ ବସ୍ ସେହିଭଳି ଦ୍ବିତୀୟ ବସଟି ସକାଳ ୬ଟା ୪୦ ମିନିଟରୁ କୋଣାର୍କ ଅଭିମୁଖେ ବାହାରିଥିଲା ଆଉ ଏକ ବସ୍ ।

ଭୁବନେଶ୍ବରରୁ ପୁରୀକୁ ୭୦ଟଙ୍କା ଓ କୋଣାର୍କକୁ ୬୦ଟଙ୍କା ଟିକେଟର ଦାମ ରଖାଯାଇଛି । ସଂକ୍ରମଣ ଦୃଷ୍ଟିରୁ ମୋ ବସରେ ନିୟମିତ କରାଯାଉଛି ବିଶୋଧନ । ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଚଢିବାକୁ ମନା କରାଯାଉଛି । ୫୦ ନମ୍ବର ରୁଟ ମାଷ୍ଟରକ୍ୟାଣ୍ଟିନ, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ, ମାଳୀପାଟପୁର ଓ ପୁରୀରେ ରହିବ ।

ଠିକ ସେହିପରି ୭୦ ନମ୍ବର ରୁଟର ସମସ୍ତ ମୁଖ୍ୟ ବସଷ୍ଟପ ଦେଇ ମୋ ବସ ଯାତ୍ରା କରିବ । ପୁରୀ ଓ କୋଣାର୍କ ଓଡିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ରଭାବେ ବିଶ୍ୱରେ ପରିଚିତ । ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ସମେତ ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଲୋକେ ଏହାଦ୍ୱାରା ଅଧିକ ଲାଭବାନ ହେବେ ବୋଲି ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ।