ଗାଁ ପୋଖରୀ ଶୁଖିଯାଇଥିଲା,ପାହାଡ କାଟି ପାଣି ଆଣିବାକୁ ଅଣ୍ଟା ଭିଡିଲେ ମହିଳା..

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳର ଆଗ୍ରୋଥ ଗାଁ । ପାହାଡିଆ ଭୂମିରେ ଅବସ୍ଥିତ ଗାଁରେ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ନ ଥିଲା । ଗାଁରେ ଥିବା ପୋଖରୀ ଓ ଅନ୍ୟାନ୍ୟ ଜଳାଶୟ ଶୁଖି ଯାଉଥିଲା । ବର୍ଷ ବର୍ଷ ଧରି କୌଣସି ପ୍ରକାରର ସମାଧାନର ରାସ୍ତା ବାହାରି ପାରୁ ନଥିଲା । ହେଲେ ୧୮ ମାସ ତଳେ ସାମୂହିକ ଭାବେ ନିଆଯାଇଥିବା ନିଷ୍ପତ୍ତି ସେହି ଗାଁକୁ ଜଳ ଯୋଗାଇବାରେ ସହାୟତା କରିଛି ।

ସେହି ଗାଁର ମହିଳାମାନେ ସାଧାରଣତଃ ପାଣି ଆଣିବା କାର୍ଯ୍ୟ କରିଥାନ୍ତି । ତେଣୁ ପୁରୁଷମାନଙ୍କ ଅପେକ୍ଷା ସର୍ବାଧିକ ଭାବେ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଗାଁର ସବୁ ମହିଳାମାନେ ଏହାର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କଲେ । ପରସ୍ପର ସହ ଆଲୋଚନା କରିବା ପରେ ସେହି ଗାଁର ପ୍ରାୟ ୨୫୦ ମହିଳା ଏକାଠି ହୋଇଥିଲେ । କୌଣସି ପ୍ରଶାସନିକ ସହଯୋଗ ନ ନେଇ ନିଜସ୍ୱ ଉଦ୍ୟମରେ ପାହାଡ଼ କାଟି ଜଳ ଯେପରି ମିଳିପାରିବ, ସେ ନେଇ କାମ କରିବା ଆରମ୍ଭ କରି ଦେଇଥିଲେ ।

ଯେତେବେଳେ ମହିଳାମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ସେତେବେଳେ ଗାଁର କିଛି ସେମାନଙ୍କୁ ଟାହିଟାପରା କରିଥିଲେ । ହେଲେ ଏହା ମହିଳାମାନଙ୍କୁ ହତୋତ୍ସାହିତ କରିପାରି ନ ଥିଲା । କୌଣସି ସମାଲୋଚନାର ବଶବର୍ତ୍ତୀ ନ ହୋଇ ସେମାନେ ନିଜ କାର୍ଯ୍ୟ ଜାରି ରଖିଥିଲେ । ଖରା,ବର୍ଷା, ଶୀତ, କାକରକୁ ଖାତିର ନ କରି ନିୟମିତ ଭାବେ କାର୍ଯ୍ୟ କରିଚାଲିଲେ । ଦିନୱାରୀ ନିଜ ନିଜ ଭିତରେ କାମ ବାଣ୍ଟି ପାହାଡ କାଟିବାରେ ଲାଗିଲେ । କିଛି ମହିଳା କାଟିବା କାର୍ଯ୍ୟ କରୁଥିବା ବେଳେ କେତେଜଣ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଣ କାର୍ଯ୍ୟ କରୁଥିଲେ । ଏପରିକି କେତେକ ମହିଳା ଅନ୍ୟ ମହିଳାଙ୍କ ପିଲାମାନଙ୍କ ଯତ୍ନ କଥା ବୁଝୁଥିଲେ ।

ଏହିପରି ଭାବେ ୧୮ ମାସର ପରିଶ୍ରମ ପରେ ଟାଙ୍ଗରା ଭୂମିରେ ପାଣି ଗଡିଲା । ମହିଳା ମାନଙ୍କ ପରିଶ୍ରମ ଫଳରେ ଏବେ ଗାଁର ପୋଖରୀକୁ ଜଳ ଯୋଗାଣ ହୋଇପାରିଛି । ଏନେଇ ଆଗ୍ରୋଥ ଗାଁର ମହିଳା ବବିତା ରାଜପୁତ କହିଛନ୍ତି ଯେ, ୧୮ ମାସ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ସୁଫଳ ମିଳିଛି । ପୂର୍ବରୁ ଗାଁର ପୋଖରୀକୁ ପାଣି ଆସୁ ନ ଥିବାରୁ ୫୦୦ ମିଟର ପାହାଡ କାଟିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ କାଟିକା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଏହି କାର୍ଯ୍ୟ ସରିଛି, ଗାଁକୁ ପାଣି ଆସିବାରେ ଆଉ କୌଣସି ଅସୁବିଧା ହେଉ ନ ଥିବା ବବିତା କହିଛନ୍ତି ।

Leave a Reply