କ୍ଷମତାକୁ ଆସିଲେ ୧୦ ଲକ୍ଷ ରୋଜଗାର ଦେବା ନେଇ ଘୋଷଣା କଲେ ତେଜସ୍ୱୀ ଯାଦବ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଏହା ପରେ ଉତ୍ସାହିତ ହୋଇଛନ୍ତି ସମସ୍ତ ରାଜନୈତିକ ଦଳ । ୨୦୧୫ରେ ନୀତିଶ କୁମାରଙ୍କ ଜେଡି(ୟୁ) ସହ କ୍ଷମତା ଦଖଲ କରିଥିବା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡ଼ି) ୨୦୧୭ରେ ନାଟକୀୟ ଭାବେ ବିରୋଧୀ ଦଳ ହୋଇଥିଲା । ତେଣୁ ଚଳିତ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଦଳ ପକ୍ଷରୁ ବ୍ୟାପକ ଘୋଷଣା କରାଯାଉଛି । ବିଶେଷ କରି ବିହାରର ଯୁବବର୍ଗକୁ ଆଖି ଆଗରେ ରଖି ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ ଘୋଷଣା କରିଛନ୍ତି ।

ରବିବାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ତେଜସ୍ୱୀ କହିଛନ୍ତି ଯେ,ଚଳିତ ନିର୍ବାଚନରେ ଯଦି ଆରଜେଡ଼ି କ୍ଷମତାସୀନ ହୁଏ । ତେବେ ସର୍ବପ୍ରଥମେ କିଭଳି ଭାବେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବ, ସେ ନେଇ ନିଷ୍ପତ୍ତି ନେବେ । ନିର୍ବାଚନ ଘୋଷଣା ହେବର ଯଥେଷ୍ଟ ପୂର୍ବରୁ ଲାଲୁ ନନ୍ଦନ ଏହି ଯୁବ ବର୍ଗକୁ ଫୋକସ୍ କରିବାରେ ଲାଗିଛି । ଖାସ୍ ଏଥିପାଇଁ ପ୍ରସ୍ତୁତ କରିଥିଲେ ଏକ ୱେବ ପୋର୍ଟାଲ । ଗତ ଅଗଷ୍ଟ ୫ରୁ ଏଥିରେ ବେରୋଜଗାର ତଥା ନିଯୁକ୍ତି ଥିବା ଯୁବକଯୁବତୀଙ୍କୁ ନିଜ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଥିଲା ।

ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ୯,୪୭, ୩୨୪ ଜଣ ପଞ୍ଜିକୃତ କରିସାରିଛନ୍ତି । ସେହିପରି ଜାରି କରାଯାଇଥିବା ନମ୍ବରରେ ପ୍ରାୟ ୧୩ ଲକ୍ଷ ୧୧ ହଜାର ୬୨୬ ଜଣ ମିସ୍ କଲ୍ ପ୍ରଦାନ କରିସାରିଛନ୍ତି । ଏହି ସଂଖ୍ୟା ହିଁ ରାଜ୍ୟରେ ଥିବା ବେକାରୀ ସମସ୍ୟାକୁ ଦର୍ଶାଉଥିବା ଯାଦବ ଅଭିଯୋଗ କରିଛନ୍ତି । ଖାଲିଥିବା ପଦବୀର ଉଦାହରଣ ଦେଇ ତେଜସ୍ୱୀ କହିଛନ୍ତି ଯେ, ରାଜ୍ୟରେ ଅଢେଇ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ରହିଛି । ବିହାର ପୋଲିସ ସେବାରେ ପ୍ରାୟ ୫୦ ହଜାର ପଦବୀ ଖାଲି ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗକୁ ଯଦି ଲକ୍ଷ୍ୟ କରାଯାଏ, ତେବେ ଜାତୀୟ ହାର ତୁଳନାରେ ବହୁ ସଂଖ୍ୟକ ପଦବୀ ଖାଲି ରହିଛି ।

ଏହି ସବୁ ବିଭାଗରେ ପ୍ରାୟ ୫ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଛି । ସେହିପରି ଅନ୍ୟାନ୍ୟ ବିଭାଗରେ ୪ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଥିବା ତେଜସ୍ୱୀ କହିଥିଲେ । ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେବା ସାଧାରଣ କଥା । ହେଲେ କ୍ଷମତା ପରେ ତାହାକୁ ବାସ୍ତବରୂପ ଦେବା ଭିନ୍ନକଥା । ତେଣୁ ତେଜସ୍ୱୀଙ୍କ ଏହି ଘୋଷଣା ତାଙ୍କୁ ଭୋଟ ରାଜନୀତିରେ କେତେ ସଫଳତା ଦେଉଛି, ତାହା ସମୟ କହିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

Leave a Reply