ଜୟପୁର: ଚରମ ସୀମାରେ ଆନ୍ଧ୍ରର ଦାଦାଗିରି । କୋଟିଆ ଚାଲ୍ ଫେଲ୍ ମାରିବା ପରେ ଏବେ ପଟାଙ୍ଗିରେ ଜଙ୍ଗଲ ଜମି ମାଡ଼ି ବସିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର । ବିବାଦ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଜ ସୀମା ଚିହ୍ନଟ କରିଥିଲେ । ଆଉ ଏବେ ବିବାଦ ଭିତରେ ଆନ୍ଧ୍ର ନେତା ନିଜ ପାରିବାପଣିଆ ଦେଖାଇଲେଣି । ଆନ୍ଧ୍ରପ୍ରଦେଶର ଜନପ୍ରତିନିଧି ରାଲି କରିବା ସହ ଓଡ଼ିଶା ବିରୋଧରେ ନାରାବାଜି କରିଛନ୍ତି । ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁ ଭିତରକୁ ପ୍ରାୟ ଅଢେଇ ଶହ ମିଟର ପଶି ଆସିଛନ୍ତି ଆନ୍ଧ୍ର ବାସିନ୍ଦା । ବିଶାଖପାଟଣା ଡେକାପାରୁ ଓ କଲାପୁଟ ଗାଁର କିଛି ପରିବାର ଜୋର ଜବରଦସ୍ତ ସୁନାବେଡା ଅଞ୍ଚଳର ଜଙ୍ଗଲ ଜମିକୁ ମାଡ଼ିବସି ଚାଷ କରିବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଦୁଇ ସୀମାନ୍ତ ଗାଁ ମଧ୍ୟରେ ବିବାଦ ଦେଖାଦେଇଛି। ବିବାଦ ହେବାରୁ କୋରାପୁଟ ଉପଜିଲ୍ଲାପାଳ ଓ ପଟାଙ୍ଗୀ ବିଧାୟକଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଆନ୍ଧ୍ର ଲୋକ ପୋତିଥିବା ସୂଚନା ଫଳକ ଭାଙ୍ଗିଥିଲେ। ତେବେ ପୁଣି ନିଜେ ଚିହ୍ନଟ କରିଥିବା ସ୍ଥାନରେ ପଥର ରଖି ରାସ୍ତା ଅବରୋଧ କରିଛନ୍ତି ଆନ୍ଧ୍ର ବାସିନ୍ଦା। ରାସ୍ତା ଅବରୋଧକୁ ହଟାଇବାକୁ ସମ୍ବାଇ ପଞ୍ଚାୟତ ସରପଞ୍ଚ ସେଠାରେ ପହଁଚିଥିଲେ। ତାଙ୍କୁ ଧମକଚମକ ଦେଇ ସେଠାରୁ ଫେରାଇ ଦେଇଥିଲେ ଆନ୍ଧ୍ର ଲୋକ । ସେପଟେ ସୀମାରେ ଆନ୍ଧ୍ରର ଏଭଳି ଦାଦାଗିରିକୁ ନିନ୍ଦା କରିଛନ୍ତି କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ । ଆଗକୁ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବା ସହିତ ଓଡିଶାର ଇଞ୍ଚେ ବି ଜମି ଆନ୍ଧ୍ର ନେଇପାରିବ ନାହିଁ ବୋଲି କହିଛନ୍ତି ।
ବ୍ରିକ୍ସ ସମ୍ମିଳନୀରେ ଏହିସବୁ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବ୍ରିକ୍ସ (ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା) ଦେଶ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଅଂଶଗ୍ରହଣ କରିବେ। ଏହିପରି, ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଉଭୟ ମୁହାଁମୁହିଁ ହେବେ । ତେବେ ଗତ ସପ୍ତାହରେ ଦୁହେଁ ଏସସିଓ ବୈଠକରେ ଯୋଗ ଦେଇଥିଲେ।
ମଙ୍ଗଳବାର ଦିନ ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ସହ କରୋନା ମହାମାରୀ ଦ୍ୱାରା କ୍ଷୟକ୍ଷତିର ଆକଳନ ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯିବ । ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବ୍ୟତୀତ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏବଂ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ ମଧ୍ୟ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଛି।
ବ୍ରିକ୍ସ ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଏହାର ଦୁଇ ପ୍ରମୁଖ ସଦସ୍ୟ ଦେଶ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ଉଭୟ ପକ୍ଷ ଉଚ୍ଚ ସୀମାରୁ ସୈନ୍ୟମାନଙ୍କୁ ହଟାଉବା ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ସି କା ସଂଘାଇର (ଏସସିଓ) ବୈଠକରେ ମୁହାଁମୁହିଁ ବୈଠକ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରପତି ପୁତିନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଦ୍ୱାରା ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ୧୭ ନଭେମ୍ବରରେ ଏହି ବୈଠକର ବିଷୟବସ୍ତୁ ହେଉଛି ବିଶ୍ୱ ସ୍ଥିରତା, ସହଭାଗୀ ସୁରକ୍ଷା ଏବଂ ଅଭିନବ ବିକାଶ। ‘
ବ୍ରିକ୍ସକୁ ଏକ ପ୍ରଭାବଶାଳୀ ସଂଗଠନ ଭାବରେ ବିବେଚନା କରାଯାଏ ଯାହା ବିଶ୍ୱର ମୋଟ ଜନସଂଖ୍ୟାର ଅଧାକୁ ପ୍ରତିନିଧିତ୍ୱ କରେ । ବ୍ରିକ୍ସ ଦେଶଗୁଡିକର ଘରୋଇ ଉତ୍ପାଦ (ଜିଡିପି) ୧୬.୬ ଟ୍ରିଲିୟନ ଆମେରିକୀୟ ଡଲାର ଅଟେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଏହି ବୈଠକରେ ଜଡିତ ନେତାମାନେ ପାରସ୍ପରିକ ସହଯୋଗ ଏବଂ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ କରୋନା ମହାମାରୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ। ମନ୍ତ୍ରଣାଳୟ କହିଛି, ବୈଠକରେ ଆଗାମୀ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତ ଅଧ୍ୟକ୍ଷତା କରିବ । ୨୦୨୧ ରେ ହେବାକୁ ଥିବା ୧୩ ତମ ବ୍ରିକ୍ସ ସମ୍ମିଳନୀକୁ ଭାରତ ଆୟୋଜନ କରିବ । ଏହାପୂର୍ବରୁ, ଭାରତ ୨୦୧୨ ଏବଂ ୨୦୧୬ ରେ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛି। ‘
ଖଣ୍ଡଗିରି ଅଞ୍ଚଳରୁ ବାଘ ଛାଲ ଜବତ:ଜଣେ ଗିରଫ
ଭୁବନେଶ୍ୱର: ରାଜଧାନୀରୁ କଲରାପତରିଆ ବାଘଛାଲ ଜବତ । ଖଣ୍ଡଗିରି ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବାଘଛାଲ ବିକ୍ରି ପାଇଁ ୩ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ତା ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ । ଗିରଫ ଅଭିଯୁକ୍ତ ହେଲା ମୟୂରଭଞ୍ଜ ଜିଲ୍ଲା ରାଡଙ୍ଗା ଗାଁର ପ୍ରଶାନ୍ତ କୁାମର ନାୟକ । ବାଘଟିକୁ ଗୁଳି କରି ମାରିଥିବା ସନ୍ଦେହ କରାଯାଉଛି । ବାଘଟିର ଆନୁମାନିକ ବୟସ ୫ରୁ ୭ ବର୍ଷ ହେବ । ଗିରଫ ଅଭିଯୁକ୍ତକୁ ଏସଟିଏଫର ପଚରାଉଚରା ଜାରି । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ଗାଡି ଡିକିରେ ବାଘ ଛାଲ ନେଇ ଆସିଥିଲା ପ୍ରଶାନ୍ତ । ଏସଟିଏଫ ପ୍ରଶାନ୍ତକୁ ଗିରଫ କରିଛି ।
ରାୟଗଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ,୩ ମୃତ, ଏକାଧିକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
ଭଲ ଖବର: କରୋନାକୁ ମାତ୍ ଦେବାରେ ୯୪ ପ୍ରତିଶତ ସଫଳ ଟିକା ସହ ଚାଲିଛି କଥାବାର୍ତ୍ତା
ନୂଆଦିଲ୍ଲୀ: କୋଭିଡ ଟିକା ବିକାଶ ଉପରେ ଆମେରିକାର ବାୟୋଟେକ କମ୍ପାନୀ ମୋଡର୍ନା ସହିତ ଭାରତ ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି । ସୋମବାର, ମୋଡର୍ନା ଦାବି କରିଛନ୍ତି ଯେ କରୋନା ଭାଇରସକୁ ମୂଳରୁ ନଷ୍ଟ କରିବାରେ ତାଙ୍କର ଏହି ଟିକା ୯୪.୫% ସଫଳ ହୋଇଛି। ମୋଡର୍ନା ବ୍ୟତୀତ ଭାରତର ଅନ୍ୟ କମ୍ପାନୀମାନଙ୍କ ସହ ମଧ୍ୟ ଆଲୋଚନା ଚାଲିଛି।

ସୋମବାର ଦିନ ବାୟୋଟେକ କମ୍ପାନୀ ମୋଡର୍ନା କହିଛି ଯେ, କୋଭିଡ -19 ବିପକ୍ଷରେ ଟିକା-ଏମ RNA-1273ର ତୃତୀୟ ପର୍ଯ୍ୟାୟ ଅଧ୍ୟୟନରେ ଏହା ସୁରକ୍ଷା ମନିଟରିଂ ବୋର୍ଡ (DSMB) ଏହି ଟିକାକୁ ୯୪.୫ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ଏଥିପାଇଁ ଭାରତ ସରକାରଙ୍କ ଏକ ସୂତ୍ର କହିଛି ଯେ, ଆମେ କେବଳ ମୋଡର୍ନା ନୁହେଁ, ବରଂ ପିଫାଇଜର, ସେରମ୍ ଇନଷ୍ଟିଚ୍ୟୁଟ୍, ଭରତ ବାୟୋଟେକ୍ ଏବଂ ଜିଡସ୍ କ୍ୟାଡିଲାଙ୍କ ସହ ମଧ୍ୟ ପ୍ରତ୍ୟେକ ଟୀକାକରଣର କ୍ଲିନିକାଲ ପରୀକ୍ଷଣର ପ୍ରଗତି ପାଇଁ ଯୋଗାଯୋଗରେ ଅଛୁ।
ଆବଶ୍ୟକ ପଡ଼ିଲେ ନିୟମକୁ କରାଯିବ କୋହଳ
ନୂଆ ଔଷଧ ଏବଂ କସମେଟିକ୍ ନିୟମ ୨୦୧୯ଅନୁଯାୟୀ, ଯଦି କୌଣସି ଔଷଧ କିମ୍ବା ଟିକା ପରୀକ୍ଷଣ କରାଯାଇଛି ଏବଂ ତାହାକୁ ଭାରତ ବାହାରେ ନିୟାମକ ଅନୁମୋଦନ ମିଳିଥାଏ, ତେବେ ତାକୁ ସୁରକ୍ଷିତ ନିୟାମକ ଅନୁମୋଦନ ପାଇଁ ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ଅଧ୍ୟୟନ କରିବାକୁ ପଡିବ। ଯଦିଓ, ଜରୁରୀକାଳୀନ ଏବଂ ମହାମାରୀ ସମୟରେ, ଆବଶ୍ୟକ ହେଲେ ଏହି ନିୟମଗୁଡିକକୁ କୋହଳ କରାଯାଇପାରିବ ।

ଅନ୍ୟ କମ୍ପାନୀଗୁଡିକ ମଧ୍ୟ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରୁଛନ୍ତି
କେମ୍ବ୍ରିଜ୍, ମେସାଚୁସେଟସ ସ୍ଥିତ ମର୍ଡନାର ଘୋଷଣାର ଏକ ସପ୍ତାହ ପୂର୍ବରୁ ହିଁ ଫାଇଜର ଏବଂ ବାୟୋନୋଟେକ୍ କହିଛି ଯେ, ସେମାନଙ୍କ କୋଭିଡ୍ -19 ଟିକା ଅନ୍ୟ ଗବେଷକଙ୍କ ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଏହାସହ ମୋଡର୍ନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଫେନ୍ ବାନସେଲ କହିଛନ୍ତି ଯେ, ‘ଆମର କୋଭିଡ -19 ଟିକା ବିକାଶରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଜାନୁଆରୀ ଆରମ୍ଭରୁ ଆମେ ଚେଷ୍ଟା କରିବୁ ଯେ ଏହି ଟିକା ପଠାଯିବା ପରେ ବିଶ୍ୱର ଲୋକଙ୍କୁ ରକ୍ଷା କରାଯାଇପାରିବ ।

ତୃତୀୟ ପର୍ଯ୍ୟାୟରେ ରହିଛି ଦେଶୀ ଟିକା
କରୋନା ଭାଇରସ ମହାମାରୀ ମଧ୍ୟରେ ଦେଶୀ ଟିକାକୁ ମଧ୍ୟ ବିକଶିତ କରାଯାଉଛି । ଭାରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ’ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି । ଏହି ଟିକାର ଦୁଇଟି ପର୍ଯ୍ୟାୟରେ ପରୀକ୍ଷାକରଣ ସଫଳ ହୋଇଛି ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ।
ସପ୍ତମ ଶ୍ରେଣୀ ଛାତ୍ରୀକୁ ଡ୍ରାଇଭର ଅପହରଣ କରିଥିବା ଅଭିଯୋଗ
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଂଚଳରେ ନାବାଳିକା ଅପହରଣ ଅଭିଯୋଗ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସ୍ଥାନୀୟ ଜଣେ ଡ୍ରାଇଭର ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଯୁବକ ଜଣଙ୍କ ଏକ ଘରୋଇ ହସ୍ପିଟାଲ ନିକଟରେ ବୁଲୁଥିବା ସୂଚନା ପାଇଥିଲେ ଝିଅର ପରିବାର ଲୋକ । ସେଠାରେ ପହଁଚି ଯୁବକକୁ କାବୁ କରିଥିଲେ । ଝିଅର ପରିବାର ଲୋକ ଉକ୍ତ ଯୁବକଙ୍କୁ ଉତ୍ତର ମଧ୍ୟମ ଦେଇଥିଲେ । ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପିସିଆର ଯୁବକକୁ ଉଦ୍ଧାର କରିଛନ୍ତି । ପୋଲିସ ଉକ୍ତ ଯୁବକକୁ ଅଟକ ରଖି ତଦନ୍ତ କରୁଛି ।
ରାୟଗଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ,୩ ମୃତ, ଏକାଧିକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ସାଢେ ୧୧ଟାରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମୋବାଇଲ ପ୍ରଦାନ କରିବେ । ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲିକମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର । ସ୍ୱାଭିମାନ ଅଞ୍ଚଳରେ ୫ଟି ଟେଲିଫୋନ ଟାଓ୍ୱାର ସ୍ଥାପନ କରାଯାଇଛି । ଗତ ବର୍ଷ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ସ୍ୱାଭିମାନ ଅଞ୍ଚଳକୁ ଫିଟିଥିଲା ବିକାଶର ରାସ୍ତା । ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି ।
ରାୟଗଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ,୩ ମୃତ, ଏକାଧିକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
ରାୟଗଡ଼ା : ରାୟଗଡା-ବିଷମକଟକ ଥାନା ଅନ୍ତର୍ଗତ କୁମ୍ଭାର ଧାମୁଣି ନିକଟରେ ବସ ଦୁର୍ଘଟଣା ,୩ ମୃତ । ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫର୍ଚୁନ ନାମକ ଘରୋଇ ବସଟି ଟିକିରି ରୁ ଭୁବନେଶ୍ୱର ଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବିଳମ୍ବ ଦେଖା ଦେଇଛି । ବସ ତଳେ ଚାପି ହୋଇଛନ୍ତି ଏକାଧିକ ଯାତ୍ରୀ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପୁଣି ଭାରତକୁ ଫେରିବ ପବ୍ଜୀ: ନିର୍ଦ୍ଧାରିତ ସମୟରୁ କିଛିଟା ବିଳମ୍ୱରେ ହୋଇପାରେ ଲଞ୍ଚ
ନୂଆଦିଲ୍ଲୀ: ପବଜୀ ଖେଳାଳିଙ୍କ ପାଇଁ ଖୁସି ଖବର । ପୁଣି ଥରେ ନୂଆ ରୂପରେ ଭାରତକୁ ଫେରିଆ ଏହି ଲୋକପ୍ରିୟ ମୋବାଇଲ ଗେମ୍ । ଏ ନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପବଜୀ ମୋବାଇଲ ଇଣ୍ଡିଆ ନାଁରେ ଏହାକୁ ଭାରତ ବଜାରେ ଲଞ୍ଚ କରାଯିବ । ପବଜୀ ଭାରତରେ ଏକ ଭାରତୀୟ ସହଯୋଗୀ କମ୍ପାନୀ ପ୍ରତିଷ୍ଠା କରିବ, ଯେଉଁଥିରେ ବିଭିନ୍ନ ଶ୍ରେଣୀରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତି ମିଳିବା ସୂଚନା । ଏଥିସହିତ ପବଜୀ ମୋବାଇଲ ଏକ ନୂଆ ଓ୍ୱେବସାଇଟ ଲଞ୍ଚ କରିବା ସହ ପବଜୀର ଟିଜର ସେୟାର କରିଛି । ତେବେ ସେପ୍ୱେମ୍ୱର ମାସରେ ଚୀନ ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପବଜୀ ସମେତ ୧୧୮ଟି ଚୀନ ମୋବାଇଲ ଆପ୍ଳିକେସନ୍ ବ୍ୟାନ୍ କରିଥିଲା ଭାରତ । ଏ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚୀନ୍କୁ ମାତ୍ ଦେବାକୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କିଛି ଲୋକ କହୁଥିବା ବେଳେ କିଛି ଦୁଃଖ ପ୍ରକାଶ କରିଥିଲେ। ତେବେ ଆପରେ କିଛି ପରିବର୍ତ୍ତନ କରାଯାଉଥିବାରୁ ଏହାର ଲଞ୍ଚିରେ ବିଳମ୍ୱ ହୋଇପାରେ ।
ଧାନବିଲରେ ମୃତଦେହ; ପଚି ଯାଇଥିବାରୁ ଚିହ୍ନା ପଡୁନି ଶବ
ଦିଗପହଣ୍ଡି: ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ନିକଟ ଆଡପଡା ଗ୍ରାମ ନିକଟସ୍ଥ ଏକ ଧାନବିଲ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନାହିଁ ତେବେ ମୃତକଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଛି । ଏ ନେଇ ହିଞ୍ଜିଳି ଥାନାରେ ୩୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ହିଂଜିଳି ପୋଲିସ ।

ସୂଚନା ଅନୁଯାୟୀ, ସୋମବାର ସକାଳେ ହିଞ୍ଜିଳି ଥାନା ଓ ପାଟପୁର ଥାନା ମଧ୍ୟ ଡେଙ୍ଗାଡି ଏବଂ ଆଡପଡା ଗ୍ରାମ ଏକ ଧାନ ବିଲ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ବିଲୁଆ, କୁକୁର ଖାଉଥିବା ବେଳେ ଗ୍ରାମର କିଛି ଲୋକ ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତଦେହ ପଚିସଢି ଯାଇଥିବାରୁ ଚିହ୍ନଟ କରିବା ସମ୍ଭବପର ହୋଇପାରିନାହିଁ । ତେବେ ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ସ୍ଥାନୀୟ ଅଂଚଳ ରେ 3 ଦିନ ଭିତରେ ଏଭଳି ୫ଟି ଘଟଣା ଦେଖିବାକୁ ମିଳିଛି । ତେବେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ୱଷ୍ଟ ହେବ ଏବଂ ବିଭିନ୍ନ ଥାନା କେସ ରୁଜୁ ଫାଇଲ ରୁ ଚିହ୍ନଟ କିମ୍ବା DNA ଟେଷ୍ଟ ରୁ ଜଣା ପଡିବ ବୋଲି ସୂଚନା ମିଳିଛି ।

