spot_img
Home Blog Page 640

ଫେରିବ କି ଜଗନ୍ନାଥଙ୍କ ହଜାର ହଜାର ଏକର ଜମି ! ପ୍ରକ୍ରିୟା ଆରମ୍ଭ କଲେ ସରକାର

ଫେରିବ କି ଜଗାର ହଜାର ହଜାର ଏକର ଜମି ! ନା କେବଳ ଘୋଷଣାରେ ରହିଯିବ ସୀମିତ । ଆଇନ ମନ୍ତ୍ରୀ କହିଲେ, ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ବିଜେଡି କହିଲା ପ୍ରଥମେ ଆଇନ ଆଣ, ଜମି କିଣାବିକା ବନ୍ଦକର । ଜଗନ୍ନାଥଙ୍କ ଜମି ଅଛି । ହେଲେ ଭୂସମ୍ପତ୍ତିର ସଠିକ ଆକଳନ ହୋଇନାହିଁ । ଯେଉଁଠି ଜଗନ୍ନାଥ ଜମି ଅଛି ସେସବୁ କିପରି ମହାପ୍ରଭୁଙ୍କ କାମରେ ଲାଗିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଭିତରେ ଓ ବାହାରେ ଜଗନ୍ନାଥଙ୍କ ୫୮ ହଜାର ଏକର ଜମି ରହିଛି । ପ୍ରାୟ ୩୭ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ କରାଯାଇଛି । ବାକି ହୋଇନାହିଁ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି। ମହାପ୍ରଭୁଙ୍କର ଯେଉଁଠି ଭୂସମ୍ପତ୍ତି ଅଛି ତାର ସଠିକ୍ ଆକଳନ କିପରି ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ଅଛି ସେସବୁ ମହାପ୍ରଭୁଙ୍କ କାମରେ କିପରି ବିନିଯୋଗ ହେବ ସେନେଇ ସରକାର ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କଂଗ୍ରେସ କହିଛି ସରକାର କେବଳ ଘୋଷଣା ନକରି ଜମି କିପରି ଫେରିପାରିବ ସେ ଦିଗରେ ପ୍ରୟାସ କରନ୍ତୁ । ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ନେପାଳ, ଆନ୍ଧ୍ରପ୍ରଦେଶରେ ବି ଜମି ଅଛି । ତାହାକୁ ଫେରସ୍ତ ଆଣନ୍ତୁ ।

ଜଗନ୍ନାଥ ଜମି ଫେରସ୍ତ ଆଣିବାର ଆବଶ୍ୟକତା ରହିଛି ବୋଲି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଛନ୍ତି । ସରକାର ପ୍ରଥମେ ଆଇନ ଆଣନ୍ତୁ , ତାପରେ ଜମି ଫେରାଇବା ପ୍ରକ୍ରିୟା କରିବେ। ଦେଢ ବର୍ଷ ହେବ ସରକାର କେବଳ କହୁଛନ୍ତି । କିନ୍ତୁ କାମ ଧୀମେଇ ଯାଇଛି । ଜଗନ୍ନାଥ ଜମିକୁ ଅଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି । ଏପରିକି ଏହି ଜମିକୁ ବିକ୍ରି ମଧ୍ୟ କରୁଛନ୍ତି । ପ୍ରଥମେ ରାଜ୍ୟ ସରକାର ଏଥିରେ ଅଙ୍କୁଶ ଲଗାଇବା ଦରକାର ବୋଲି ବିଜେଡି କହିଛି । ଜଗନ୍ନାଥଙ୍କର ୬୦ ହଜାର ୪୨୬ ଏକର ଜମି ଅଛି । ସେଥିରୁ ୩୪ହଜାର ୬୧ ଏକର ଜମିର କାଗଜପତ୍ର ରହିଛି । ୬ ବର୍ଷରେ ମାତ୍ର ୪ ହଜାର ଏକର ଜମି ଫେରିଛି । ରାଜ୍ୟର ୨୪ଟି ଜିଲ୍ଲାରେ ଜଗନ୍ନାଥଙ୍କ ଜମି ଥିବା ବେଳେ ୧୦ଟି ଜିଲ୍ଲାରେ ରାଜସ୍ବ ଆଦାୟ ହେଉଛି । ରାଜ୍ୟ ସରକାର ଜଗନ୍ନାଥଙ୍କ ଜମି ଫେରାଇ ଆଣିବେ ନା ଏହା କେବଳ ଘୋଷଣାରେ ରହିଯିବ ତାହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

ସବୁ ଦଳକୁ ଘାରିଛି ସଂଗଠନ ଚିନ୍ତା: ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ତିନି ଦଳର ଶିବିର

ସବୁ ଦଳକୁ ଘାରିଛି ସଂଗଠନ ଚିନ୍ତା । ଦିଲ୍ଲୀରେ ବିଜେପିର କସରତ ଜାରି । ଓଡିଶାରେ ଏଆଇସିସି ଖୋଜୁଛି ଜିଲ୍ଲା ମୁଖିଆ । ସଂଗଠନ ପରେ ଜିଲ୍ଲା ସମୀକ୍ଷା କରୁଛି ବିଜେଡି ।.. ..ସଂଗଠନ ଓ ସରକାର ଏକା ସାଙ୍ଗରେ ଚଳାଇବା ଲାଗି ଶାସକ ବିଜେପିରେ ଚାଲିଛି ଜୋରଦାର କସରତ। ରାଜ୍ୟ ବିଜେପି ମଙ୍ଗୁଆଳଙ୍କ ସହ ଦିଲ୍ଲୀର ଶୀର୍ଷ ନେତୃତ୍ବଙ୍କର ଜାରି ରହିଛି କସରତ । କିଏ ରାଜ୍ୟ ପରିଷଦରେ ସାମିଲ ହେବ? କାହାକୁ ମିଳିବ ନିଗମ ଲଡୁ ? ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ, କିଏ ବାଦ ପଡିବେ ଓ କାହାର ବିଭାଗ ପରିବର୍ତ୍ତିନ ହେବ ସେ ନେଇ ରାଜ୍ୟ ଓ କେନ୍ଦ୍ର ବିଜେପି ନେତୃତ୍ବ ଓଡିଶାରୁ ଦିଲ୍ଲୀଯାଏ ମାନସମନ୍ଥନ ଜାରି ରଖିଛନ୍ତି । ବିଜେପି ପରି କଂଗ୍ରେସକୁ ମଧ୍ୟ ସଂଗଠନ ସଜାଡିବା ଟେନସନରେ ଘାଣ୍ଟି ହେଉଛି । ପ୍ରଥମଥର ଲାଗି ପିସିସି ନୁହେଁ ଏଆଇସିସି ଓଡିଶା ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି । ସଂଗଠନ ସୃଜନ ଅଭିଯାନ ଜରିଆରେ ୩୫ ସାଂଗଠନିକ ଜିଲ୍ଲାକୁ ଏଆଇସିସିର ୩୫ ଜଣ ପର୍ଯ୍ୟବେକ୍ଷକ ଗସ୍ତ କରି ଜିଲ୍ଲା ସଭାପତି ଚୟନ କସରତକୁ ଜୋରଦାର କରିଛନ୍ତି । ଲବି ନୁହେଁ, ଦକ୍ଷ ଲୋକଙ୍କୁ ସଂଗଠନ ଦାୟିତ୍ବ ଦେବାକୁ ଦଳ ଏପରି ନୂଆ ରଣନୀତି ପ୍ରସ୍ତୁତ କରିଥିବା କହିଛି କଂଗ୍ରେସ ।

ସଂଗଠନ ସଜାଡିବା ପ୍ରକ୍ରିୟାରେ ଦୁଇ ଜାତୀୟ ଦଳରୁ ଢେର ଆଗରେ ରହିଛି ବିଜେଡି । ବିଜେଡି ରାଜ୍ୟ ପରିଷଦ, ରାଜ୍ୟ କାର୍ଯ୍ୟକାରିଣୀ, ରାଜନୈତିକ ବ୍ୟାପର କମିଟି, ଯୁବ ଓ ଛାତ୍ର ସଭାପତି, ଅଧିକାଂଶ ସାମ୍ମୁଖ୍ୟ ଗଠନ କରି କାମ ଆରମ୍ଭ କରିଦେଇଛି । ପ୍ରତ୍ୟେକ ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପକୁ ସମୀକ୍ଷା କରିବା ସହ ଲୋକଙ୍କ ସ୍ବର ସାଜି ସମସ୍ୟା ଦୂର କରିବାକୁ ବିଜେଡି ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ରାଜନୈତିକ ସମୀକ୍ଷକ କେ. ରବିଙ୍କ ଯୁକ୍ତି ହେଉଛି ୨୦୨୪ ନିର୍ବାଚନ ପରେ ରାଜ୍ୟର ୩ ପ୍ରମୁଖ ଦଳ ସଂଗଠନ ସଜାଡିବାରେ ଲାଗିଛନ୍ତି । ବିଜେପି ଅଙ୍କ ଛିଣ୍ଡୁନଥିବା ବେଳେ କଂଗ୍ରେସର ନୂଆ ରଣନୀତି ଦଳକୁ ଅଡୁଆରେ ପକାଉଛି । ବିଜେଡିରେ ବି ଯେମିତି ସଂଗଠନ ଚଳଚଞ୍ଚଳ ହେବା କଥା ତାହା ହେଉନାହିଁ ବୋଲି ସମୀକ୍ଷକ କହିଛନ୍ତି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ । ଏହା ପୂର୍ବରୁ ବିଜେପି, ବିଜେଡି ଓ କଂଗ୍ରେସ ସଂଗଠନ ସଜାଡିବାରେ ଲାଗିଛନ୍ତି ।

ସଂଶୋଧିତ GSTକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଜିଏସଟି ସଂଶୋଧନରେ ଗରିବ ଓ ମଧ୍ୟବିତ୍ତ କିଛି ଲାଭ ପାଇବେନି। ପରିବର୍ତ୍ତିତ GSTକୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି। କେନ୍ଦୁପତ୍ର ତୋଳାଳି ଓ ବୁଣାକାରଙ୍କ ଜିଏସଟି ପ୍ରସଙ୍ଗ ଉଠାଇଛି ବିଜେଡି। ରାଜ୍ୟର ୩୦ ଜିଲ୍ଲାରୁ ୨୨ ଜିଲ୍ଲାରେ କେନ୍ଦୁପତ୍ର ତୋଳିବା କାମରେ ଲୋକେ ନିର୍ଭରଶୀଳ। ଏହା ଉପରେ ୧୮% GST ଲାଗୁ ନେଇ ବିଜେଡି ବାରମ୍ବାର ପ୍ରତିବାଦ କରିଛି। ଏବେ ଏହାକୁ ୫ ପ୍ରତିଶତ କରାଯାଇଛି। ହେଲେ ଏହାକୁ ଶୁନ ପ୍ରତିଶତ କରାଗଲା ନାହିଁ। କିଛି ଫିନିସଡ୍ ସାମଗ୍ରୀ ୪୦% ସ୍ଲାବରେ ରହିଛି।କେନ୍ଦୁପତ୍ର ଏଥିରେ ଅନ୍ତର୍ଭୁକ୍ତ ଅଛି। ତେଣୁ ଏହି ୫% ଲଗାଇଲେ ବି ଡବଲ ଟିକସ ଲାଗୁ ହେବ। ଦର ବଢିବାରୁ ଏହାର ପ୍ରଭାବ ତୋଳାଳିଙ୍କ ଉପରେ ପଡିବ। ତେଣୁ ଏହାକୁ ଶୂନ କରାଯାଉ। ଆଉ ଗୋଟେ କଥା ସ୍ପଷ୍ଟ ନାହିଁ ଯେ ଓଡ଼ିଶା ଯେଉଁ ମାସକୁ ହଜାରେ କୋଟି ହରାଇବ ତାହା ଭରଣା କିଏ କରିବ ବୋଲି ବିଜେଡି ପ୍ରଶ୍ନ କରିଛି। ଜିଏସଟି ସ୍ଲାବ କମିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ତେରଛା ବାଣ ମାରିଛି କଂଗ୍ରେସ। ଲୋକେ କଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛି ଦଳ।ଲୋକଙ୍କ ଉପରେ ୩୦ରୁ ଅଧିକ ପ୍ରକାର ଟିକସ ବୋଝ ପଡୁଛି।ଜିଏସଟି ସ୍କାବ କମିବା ଦ୍ଵାରା ଓଡିଶା ଅଧିକ କ୍ଷତିଗ୍ରସ୍ତ ହେବ। ରାଜ୍ୟ ପାଇବ କମ ହରାଇବା ଅଧିକ। ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରଭୁକ୍ତ କରିଥିଲେ ସାଧାରଣ ଲୋକ ଲାଭ ପାଇଥାନ୍ତେ। ସେପଟେ ଏହାକୁ ଲୋକ ଦେଖାଣିଆ ବୋଲି କହିଛି ବାମ ଦଳ ।

ଜିଏସଟି ସ୍ଲାବ କମିବା ଆମେରିକା ଟାରିଫ ଇଫେକ୍ଟ କହିଛି ବ୍ୟବସାୟୀ ମହାସଂଘ। ଖାଦ୍ୟ ସାମଗ୍ରୀ ଉପରେ ୨ ପ୍ରକାର ଟିକସ ଵ୍ୟଵସ୍ଥାକୁ ବିରୋଧ କରିଛି ମହାସଙ୍ଘ। ଟିକସ ଚୋରି ରୋକିବାକୁ ଚାହୁଁଥିଲେ ସରକାର ଗୋଟିଏ ଟିକସ ବ୍ୟବସ୍ଥା କରନ୍ତୁ। ସବୁ ଖାଦ୍ୟ ସାମଗ୍ରୀ ଟିକସ ଶୂନ ପ୍ରତିଶତକୁ ଆଣାଯାଉ ବୋଲି ଦାବି କରିଛି ବ୍ୟବସାୟୀ ମହାସଂଘ। ଆସନ୍ତା ୧୫ରେ ନାଗପୁରରେ ଏ ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ବୈଠକରେ ଆଲୋଚନା ହେବ।ଜିଏସଟି ସ୍ଲାବ କମିବା ଯୋଗୁ କିଛି ମାସ ରାଜ୍ୟଗୁଡିକର କ୍ଷତି ହେବ କିନ୍ତୁ ଆଗକୁ ତାହା ଭରଣା ହୋଇଯିବ ବୋଲି ଅର୍ଥ ବିଶାରଦ କହିଛନ୍ତି। ଜିଏସଟି ସଂସ୍କାରକୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।କହିଛନ୍ତି, ଦେଶରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବାକୁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜିଏସଟିକୁ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବା ବେଳେ ପ୍ରକୃତରେ ଏହା ସାଧାରଣ ବର୍ଗଙ୍କୁ କେତେ ଲାଭ ଦେବ ତା ଉପରେ ସମସ୍ତଙ୍କର ନଜର।

YouTubeରେ ୧ ମିଲିୟନ ଭ୍ୟୁଜରେ କେତେ ଟଙ୍କା ମିଳିଥାଏ ?

ବର୍ତ୍ତମାନର ସମୟରେ ୟୁଟ୍ୟୁବ ଏଣ୍ଟରନଟେନମେଣ୍ଟ ସହ ରୋଜଗାରର ଏକ ସାଧନ ପାଲଟି ଯାଇଛି । ତେଣୁ ଯଦି ଆପଣ ୟୁଟ୍ୟୁବ ଚ୍ୟାନେଲ କରି ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଏକ ମିଲିୟନ ଭ୍ୟୁଜରେ କେତେ ଟଙ୍କା ମିଳେ, ତାହା ଜାଣିବା ନିହାତି ଜରୁରୀ । ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ଏବେ ୟୁଟ୍ୟୁବରେ କଣ୍ଟେଣ୍ଟ ଅପଲୋଡ୍ କରୁଛନ୍ତି । ଲୋକମାନେ ଏହି ପ୍ଲାଟଫର୍ମରେ ଫେମସ ହେବା ସଙ୍ଗେସଙ୍ଗେ ଭଲ ଅର୍ଥ ମଧ୍ୟ ଉପାର୍ଜନ କରିବାରେ ସକ୍ଷମ ହୋଇପାରୁଛନ୍ତି ।

କୌଣସି ଭିଡିଓ ଉପରେ ଏକ ମିଲିୟନ ଭ୍ୟୁଜ୍ ଆସିବା ପରେ ସେଥିରୁ କେତେ ଟଙ୍କା ମିଳେ, ସେନେଇ କିଛି ଫିକ୍ସ ହୋଇନଥାଏ । ଏହା ଭିଡିଓର କଣ୍ଟେଣ୍ଟ, କ୍ୟାଟେଗୋରୀ, ବିଜ୍ଞାପନ ରେଟ ଓ ଫରଫର୍ମାନ୍ସ ସମେତ କିଛି ଜିନିଷ ଉପରେ ନିର୍ଭର କରିଥାଏ । ୟୁଟ୍ୟୁବରେ ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ବିଜ୍ଞାପନ (ads) । ଯେତେବେଳେ କୌଣସି ଦର୍ଶକ କୌଣସି ୟୁଟ୍ୟୁବ ଭିଡିଓରେ ବିଜ୍ଞାପନ ଦେଖିଥାନ୍ତି, ସେ କ୍ଷେତ୍ରରେ ହେଉଥିବା ରୋଜଗାରରୁ ୟୁଟ୍ୟୁବକୁ ଅର୍ଥ ଯାଇଥାଏ । ଏହାଛଡ଼ା କ୍ରିଏଟର୍ସ, ସ୍ପନସରସିପ, ବ୍ରାଣ୍ଡ ପ୍ରମୋସନ ଓ ଏଫିଲିଏଟ ମାର୍କେଟିଂ ଆଦିରୁ ମଧ୍ୟ ପଇସା ରୋଜଗାର କରାଯାଇଥାଏ ।

ୟୁଟ୍ୟୁବ ଭିଡିଓରୁ ହେଉଥିବା ରୋଜଗାର ଅନେକ ଜିନିଷ ଉପରେ ନିର୍ଭର କରେ । ସେଥିମଧ୍ୟରୁ ଗୋଟିଏ ହେଉଛି Cost Per Mille (CPM) । କ୍ରିଏଟର୍ସଙ୍କ ପାଇଁ ଏହାର ଅର୍ଥ ହେଉଛି, ସେମାନଙ୍କର କଣ୍ଟେଣ୍ଟ ଉପରେ ୧୦୦୦ ads ଇମ୍ପ୍ରେସନ ପାଇଁ ବିଜ୍ଞାପନଦାତା କେତେ ପଇସା ଦେଇଥାଏ । ବିଦେଶୀଙ୍କ ତୁଳନାରେ ଭାରତରେ ଏହାର ପରିମାଣ କମ୍ ହୋଇଥାଏ । ଏଠାରେ CPM ପାଖାପାଖି ୪୨-୧୭୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଗେମିଂ ଓ ଫିଟନେଟ ଆଦି କ୍ୟାଟେଗୋରୀ ହିସାବରେ ଅଧିକ ରୋଜଗାର ହୋଇଥାଏ । ଯଦି ଜଣେ କ୍ରିଏଟର୍ସଙ୍କ ଭିଡିଓ ଆମେରିକା, ଇଂଲଣ୍ଡ ସମେତ ଅନ୍ୟ ଦେଶରେ ଲୋକେ ଦେଖିଥାନ୍ତି, ତେବେ ଅଧିକ ରୋଜଗାର ହୋଇଥାଏ । କୌଣସି ଦର୍ଶକ ବିଜ୍ଞାପନ ଦେଖିଲେ, ବା କ୍ଲିକ କଲେ କ୍ରିଏଟର୍ସଙ୍କ ଖାତାରେ ଅଧିକ ପଇସା ଆସିଥାଏ । ଭାରତରେ ସାଧାରର ଭାବେ ଏକ ମିଲିୟନ ଭ୍ୟୁଜ ଉପରେ ୧୦-୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରେ । କିଛି କ୍ରିଏଟର୍ସଙ୍କ ପାଇଁ ଏହା କମ-ଅଧିକ ହୋଇପାରେ । ହାଇ-କ୍ବାଲିଟୀ କଣ୍ଟେଣ୍ଟ ଓ ବ୍ରାଣ୍ଡ ପାର୍ଟନରସିପ ମାଧ୍ୟମରେ କ୍ରିଏଟର୍ସ ନିଜର ଇନକମ୍ ବଢ଼ାଇପାରନ୍ତି ।

ନିଶା ମାଫିଆଙ୍କ ଉପରେ ପୋଲିସର ‘ପ୍ରହାର’: ମାଓବାଦୀଙ୍କ ମେରୁଦଣ୍ଡ ଉପରେ ମାଡ଼

ନିଶା ମାଫିଆଙ୍କ ଉପରେ ପୋଲିସର ‘ପ୍ରହାର’ । ମାଓବାଦୀଙ୍କ ମେରୁଦଣ୍ଡ ଉପରେ ମାଡ଼ । କୋରାପୁଟରୁ ଜବତ ହେଲା ୪୦ ଲକ୍ଷର ଗୁଟଖା । ୩ଟି ଥାନା ଅଞ୍ଚଳରୁ ୪୩୧ କେଜି ଗଞ୍ଜେଇ ଜବତ । ରାଜ୍ୟରେ ନିଶା କାରବାର ଉପରେ ରୋକ ଲଗାଇବାକୁ ଡିଜିପିଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଆରମ୍ଭ ହୋଇଛି ଅପରେସନ ପ୍ରହାର । ଏହି କ୍ରମରେ କୋରାପୁଟ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି ପୋଲିସ୍ । ଜିଲ୍ଲାର କାକିରିଗୁମା ଥାନା ଅଞ୍ଚଳରୁ ୩୯୪ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଶିମିଳିଗୁଡାରୁ ୩୨ କେଜି ଓ ଜୟପୁରରୁ ୫ କେଜି ଗଞ୍ଜେଇ ଜବତ କରାଯାଇଛି । ମାମଲାରେ ଗୋଟିଏ ଟ୍ରକ ଓ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ । ଆସନ୍ତା ଦିନରେ ଅପରେସନ ପ୍ରହାରକୁ ଅଧିକ କ୍ରିୟାଶୀଳ କରାଯିବ କହିଛନ୍ତି କୋରାପୁଟ ଏସପି।

ଅପରେସନ ପ୍ରହାର ମାଧ୍ୟମରେ କେବଳ ଗଞ୍ଜେଇ ନୁହେଁ ବେଆଇନ ମଦ ଓ ଗୁଟଖା କାରବାର ଉପରେ ବି ହୋଇଛି ଚଢାଉ । ଜୟପୁର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗୁଟଖା ଜବତ କରିଛି ପୋଲିସ । ଜବତ ଗୁଟଖାର ଆନୁମାନିକ ମୁଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ । ଗୁଟଖା ଗୁଡିକ କେଉଁଠି ଆସୁଛି କିଏ କିଏ ଏହି କାରବାରରେ ସାମିଲ୍ ଅଛନ୍ତି ତାହା ଉପରେ ତଦନ୍ତ ଚାଲିଥିବା କହିଛନ୍ତି କୋରାପୁଟ ଏସପି । ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନର ନିକଟରେ ନଜର ରଖିଛି ପୋଲିସ୍ । ଆଗକୁ ପାର୍ବଣ ଥିବାରୁ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ନିଶା ମାଫିଆ । ତେବେ ପୋଲିସର ଅପରେସନ ପ୍ରହାର ଫଳରେ ମାଫିଆଙ୍କ ଭିତରେ ଆତଙ୍କ ଖେଳିଥିବାବେଳେ ଗଞ୍ଜେଇ ଜବତ ପରେ ଏହା ମାଓବାଦୀଙ୍କ ଆର୍ଥୀକ ମେରୁଦଣ୍ଡ ଉପରେ ପଡ଼ି ଶକ୍ତ ପ୍ରହାର।

ଜାନୁୟାରୀରୁ ବ୍ରହ୍ମପୁରରୁ ମିଳିବ ବିମାନ ସେବା, ଯାତାୟାତ ହେବ ସୁଗମ

ଜାନୁୟାରୀରୁ ବ୍ରହ୍ମପୁରରୁ ମିଳିବ ବିମାନ ସେବା । ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ଦେଇ ଯାତାୟାତ ହେବ ସୁଗମ । ସମୀକ୍ଷା ପରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆରଡିସି । ଡିସେମ୍ବର ସୁଦ୍ଧା ସମସ୍ତ କାମ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ବିମାନବନ୍ଦର ନିମନ୍ତେ ରନଓ୍ବେ, ପାଚେରୀ, ଅଣ୍ଡରଗ୍ରାଉଣ୍ଡ କେବୁଲିଂ, ପାଣି ପମ୍ପ, କେନାଲର ଦିଗ ପରିବର୍ତ୍ତନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର କାର୍ଯ୍ୟ ଜାରୀ ରହିଛି । 2-B କ୍ୟାଟେଗୋରୀର ଏହି ଏୟାରପୋର୍ଟରେ ରହିଛି ଏକ ହଜାର ୯୦ ମିଟର ରନୱେ । ଆଉ ୫୬ ଏକର ଜମି ଆବଶ୍ୟକତା ଥିବାବେଳେ ସେଥିରୁ 40 ଏକର ସରକାରୀ ଜମି । ସେଥିରୁ ୨୪ ଏକର ଜମି ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଆଉ ୧୬ ଏକର ଜାଗା ପୁଣି କିଣାଯାଇଛି । ୬ ହଜାର ଗଛ କଟାଯାଇଛି । ଡ଼ିସେମ୍ବର ଶେଷ ସୁଦ୍ଧା କାମ ସରିବା ପରେ ଜାନୁୟାରୀ ୨୬ରୁ ବିମାନ ଉଡ଼ିବା ନେଇ ସୂଚନା ଦେଇଛନ୍ତି ଆରଡିସି ।

୨୦୨୩ ମାର୍ଚ୍ଚ ୫ ତାରିଖରେ ପୂର୍ବତନ ସରକାର ଏହାକୁ ପ୍ରତିଷ୍ଠା କରିଥିଲେ । ବ୍ରହ୍ମପୁରରୁ ଭୁବନେଶ୍ବର ଯାତାୟତ କରୁଥିଲା ୯ ସିଟ୍ ବିଶିଷ୍ଟ ବିମାନ । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ଯୋଗୁଁ ଏହା ବନ୍ଦ ଥିଲା । ବର୍ତ୍ତମାନ ବିମାନ ବନ୍ଦର ସମ୍ପ୍ରସାରଣ ନେଇ ପଦକ୍ଷେପ ନିଆଯାଇଥିବାରୁ ଏଠାରୁ ୭୨ରୁ ୧୪୦ ସିଟି ବିଶିଷ୍ଟ ବିମାନ ମଧ୍ୟ ଚଳାଚଳ ହୋଇପାରିବ । ଯାହାକୁ ନେଇ ଉତ୍ସାହିତ ବ୍ରହ୍ମପୁରବାସୀ । ବିଳମ୍ବ ନେଇ ଅଭିଯୋଗ ପରେ ଅଧିକାରୀଙ୍କୁ ନେଇ ସମୀକ୍ଷା କରି କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି ।

ଫେଲ ମାରିଲା ମହାନାଳ ଯୋଜନା: ପାଣିରେ ପଡ଼ିଲା କୋଟି କୋଟି ଟଙ୍କା

ଫେଲ ମାରିଲା ମହାନାଳ ଯୋଜନା । ପାଣିରେ ପଡ଼ିଲା କୋଟି କୋଟି ଟଙ୍କା । କିଛି ଘଣ୍ଟା ବର୍ଷାରେ ବୁଡ଼ିଲା ବାଲେଶ୍ଵର । ଦୟନୀୟ ଅବସ୍ଥାରେ ସହରବାସୀ । ବର୍ଷପୂର୍ତ୍ତି ଉତ୍ସବରେ ମସଗୁଲ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ । ଭଲକରି ଦେଖନ୍ତୁ ଏଇ ଦୃଶ୍ୟକୁ କେମିତି ଉବୁଟୁବୁ ହେଉଛି ବାଲେଶ୍ୱର । କଂଗ୍ରେସଗଳି, କୌଶଲ୍ୟା ମେମୋରିଆଲରୁ ମଠାସାହି ରାସ୍ତା, ଏକତା ନଗର, ନୂଆସାହି ସବୁଠି ଲହଡ଼ି ମାରୁଛି ଡ୍ରେନ ପାଣି । ଏପରିକି ବାଲେଶ୍ୱର ଅସ୍ଥିଶଲ୍ୟ କେନ୍ଦ୍ରରେ ପାଣି ପଶି ହନ୍ତସନ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟ । ହସପିଟାଲ ଭିତରେ ହାତ ଗୋଡ଼ ଟେକି ଚେୟାର ବସିଛନ୍ତି ଲୋକେ । କଂଗ୍ରେସ ଗଳିରେ ପାଣି ପଶି ଯିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖି ହୋଇଛନ୍ତି ଲୋକେ । ବାଲେଶ୍ବରବାସୀ ପାଣି କାଦୁଅରେ ହନ୍ତସନ୍ତ ହୋଇଥିବାବେଳେ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳୁଛି ମ୍ୟୁନିସିପାଲିଟି । ଯାହାକୁ ଲୋକେ କଡ଼ା ସମାଲୋଚନା କରିଛନ୍ତି ।

ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଲୋକଙ୍କ ଦୁର୍ଦ୍ଦଶା ବଢିଛି । ନୂଆସାହି ଉପ ଡାକଘର ମଧ୍ୟରେ ମଙ୍ଗଳବାର ୩ ଫୁଟରୁ ଅଧିକ ପାଣି ପଶି ଯାଇଥିଲା । ଫଳରେ ଡାକଘରରେ ଥିବା ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ୍ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ପୋଷ୍ଟ ଅଫିସରେ ଗଛିତ ଥିବା ଲୋକଙ୍କ ଟଙ୍କା ମଧ୍ୟ ପାଣିରେ ଭିଜି ଯାଇଛି । ପାଣି କମିବା ପରେ ଓଦା ଟଙ୍କା ଓ ଦସ୍ତାବିଜ୍ ସବୁ ଶୁଖାଯାଇଛି । ପୋଷ୍ଟ ଅଫିସରେ ପ୍ରାୟ ୧ ଲକ୍ଷ ୮ ହଜାର ଟଙ୍କା ଗଛିତ ଥିଲା । ସେଥି ମଧ୍ୟରୁ ୧ ଲକ୍ଷ ଟଙ୍କା ଜମାକାରୀ ନେଇଥିବା ବେଳେ ବାକି ଟଙ୍କା ପୋଷ୍ଟ ଅଫିସ ସାରା ମେଲାଇ ଶୁଖାଇବା ଦୃଶ୍ୟ ଦେଖିବାକୁ ମିଳିଛି । ତ୍ରୁଟି ପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ପାଇଁ ବାଲେଶ୍ବରର ତେଲେଙ୍ଗା ସାହି, ଭାସ୍କରଗଞ୍ଜ, ନୂଆସାହି, ଓଟି ରୋଡରେ ଲୋକେ ଜଳବନ୍ଦୀ ଜୀବନ ବିତାଇଛନ୍ତି ।

ନଦୀର ଆଁରେ ମିଶିଯିବ କି ପୂରା ଗାଁ ? ସାଳନ୍ଦୀ ନଦୀଗର୍ଭରେ ଲୀନ ହୋଇଯିବ କି କାନପୁର ?

ନଦୀର ଆଁରେ ମିଶିଯିବ କି ପୂରା ଗାଁ ? ସାଳନ୍ଦୀ ନଦୀଗର୍ଭରେ ଲୀନ ହୋଇଯିବ କି କାନପୁର ? ଏଭଳି ନାନା ଆଶଙ୍କାରେ କାନପୁର ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସା ପଞ୍ଚାୟତର କାନପୁର ଗାଁ । ଏହି ଗାଁରେ ଶତାଧିକ ପରିବାର ବସବାସ କରନ୍ତି । ଗାଁକୁ ଲାଗିକରି ବହିଯାଇଛି ସାଳନ୍ଦୀ ନଦୀ l ଏହି ନଦୀ ଆଁରେ ଲୀନ ହୋଇସାରିଲାଣି ୧୦ରୁ ଅଧିକ ଲୋକଙ୍କ ଘର। ଯାହାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ । ମାଟି ଅତଡ଼ା ଧସିବା ଯୋଗୁଁ ସାଳନ୍ଦୀ ନଦୀକୁ ଲାଗି ରହିଥିବା ଲୋକଙ୍କର ଗୁହାଳ, ପାଇଖାନା ଘର ଆଦି ଭୁଶୁଡ଼ି ପଡ଼ୁଛି । ଫଳରେ ଘରକୁ ଲାଗି ନଦୀଯାଏ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲାଣି । ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଲୋକେ ।

୧୯୯୯ ମସିହା ମହାବାତ୍ୟା ପରେ ବଦଳି ଯାଇଥିଲା ସାଳନ୍ଦୀର ଗତିପଥ । ପ୍ରତିବର୍ଷ ନଦୀ କୂଳ ଖାଉଥିବାରୁ ଭୂସ୍ଖଳନ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ପାର୍ଶ୍ଵରେ ମାତ୍ର କିଛି ମିଟର ଦୂରରେ ଏକ କଂକ୍ରିଟ୍ ୱାଲ୍ ନିର୍ମାଣ କରାଯାଇଥିଲା । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ତାହା ଲୋକଙ୍କ ଘରକୁ ସୁରକ୍ଷା ଦେଇପାରିଲା ନାହିଁ । ପ୍ରତିବର୍ଷ କିଛି କିଛି ଘର ନଦୀଗର୍ଭରେ ଲୀନ ହେଉଥିବାରୁ ସମ୍ପୂର୍ଣ୍ଣ ଗାଁ ନଦୀ ଆଁରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହେଲାଣି । ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଅନ୍ୟପଟେ, କାନପୁରର ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରି ଅନୁମୋଦନ ପାଇଁ ପଠାଯାଇଛି । ଅନୁମୋଦନ ହେଲାପରେ ଆଗାମୀ ୩ ରୁ ୪ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି। ତୁରନ୍ତ ରାଜ୍ୟ ସରକାର କାନପୁରବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ଦୁର୍ଗାପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା: ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର

ଦୁର୍ଗାପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା । ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର । ଗର୍ତ୍ତମୁକ୍ତ ରାସ୍ତା ନେଇ ବିଏମସିର ଡେଡ ଲାଇନ୍ । ପାର୍କିଂ ନଥିଲେ ମୀନା ବଜାର କି ରାବଣ ପୋଡି ପାଇଁ ମିଳିବନି ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ । ମହିଳା ଓ ଶିଶୁ ସୁରକ୍ଷା ନେଇ ସଚେତନ କରିବ ପୋଲିସ । ଆଉ ମାସେ ପରେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମହାମାୟା । ରାଜଧାନୀରେ ଶାନ୍ତି ଶୃଙ୍ଖଳା, ସ୍ବଚ୍ଛତା ନେଇ ବିଏମସି ରଣନୀତି ପ୍ରସ୍ତୁତ କରିଛି । ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ଯ ହେଲେ ନିଆଯିବ କଡ଼ା କାର୍ଯ୍ଯନୁଷ୍ଠାନ । ପ୍ରମୁଖ ରାସ୍ତାରୁ ଗଳିକନ୍ଦି ଗର୍ତ୍ତମୁକ୍ତ କରାଯିବ । ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ କର୍ପୋରେଟରଙ୍କ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା । ସଠିକ ବିଦ୍ଯୁତ ସେବା ଯୋଗାଇ ଦେବା ସହ ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତି କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ୫ ଲକ୍ଷ ଟଙ୍କା ।

ପୂଜାରେ ମୁଖ୍ୟ ରାସ୍ତାରେ ତୋରଣ ଲଗାଇ ପାରିବେ ନାହିଁ ପୂଜା କମିଟି । ସବୁ ଭସାଣ ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ । ପୂଜା ପେଣ୍ଡାଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ । ପୂଜା ପେଣ୍ଡାଲରେ ନିଶାକୁ ନା ଓ ଜୀବନ ଜିନ୍ଦାବାନ୍ଦ ନେଇ ସଚେତନତା ବାର୍ତ୍ତା ବାଣ୍ଟିବ ପୋଲିସ । ବାସିଖାଦ୍ଯ ଓ ଅସ୍ବାସ୍ଥ୍ଯକର ପରିବେଶ ଉପରେ ନଜର ରଖିବ ଫୁଡ୍ ସ୍କ୍ବାଡ । ସେହିଭଳି ଟ୍ରାଫିକ, ପାର୍କିଂ, ଆଇନ ଶୃଙ୍ଖଳା ନେଇ କମିଶନର ପଚାରି ବୁଝିଛନ୍ତି । ଏହାସହ ପୂଜା ପୂର୍ବରୁ ରାସ୍ତରୁ ଗଛ କଟାକୁ ଗୁରୁତ୍ବ ଦିଆଯାଇଛି । ଜୁରୁରୀକାଳି ସ୍ଥିତି ହେଲେ ନିୟନ୍ତ୍ରଣ ପାଇଁ ବିଏମସି ସଜାଗ ଅଛି ବୋଲି କହିଛନ୍ତି କମିଶନର । ବୈଠକରେ ବିଏମସି କମିଶନର, ମେୟର, ଡେପୁଟି ମେୟର, ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ, ପୋଲିସ, ୱାଟକୋ, ଫାୟାର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ ।

ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା

ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ନିଆଗଲା ନିଷ୍ପତ୍ତି। ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ପାଟିତୁଣ୍ଡ ଏବଂ ହୋହଲ୍ଲା। ପୂଜାରେ ପାର୍କିଂକୁ ଗୁରୁତ୍ୱ। ପାର୍କିଂ ନଥିଲେ ପଡିବନି ମିନା ବଜାର, ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି । ସବୁ ଭଷାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ। ପୂଜା ପାଣ୍ଡଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା ର ସଚେତନତା ଵାର୍ତା ବାଣ୍ଟିବ ପୋଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ। ରାସ୍ତା ଖରାପ ନେଇ PWD ର ବିଭାଗୀୟ ଅଧିକାରୀଙ୍କୁ କମିଶନରଙ୍କ ତାଗିଦ। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଦେଲେ ଡେଡ଼ ଲାଇନ। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ୟ ଟଙ୍କା। ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ, ପୋଲିସ, watco, ଫାୟାର, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ।