spot_img
Home Blog Page 639

ଦେଶର ପ୍ରାୟ ଅଧା ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା, ଆସିଲା ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ : ଖୋଲିଲା ଦେଶର ମନ୍ତ୍ରୀଙ୍କ ଗୁମର । ପ୍ରାୟ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା ।  ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ର ରିପୋର୍ଟ ଅନୁଯାୟୀ, ଦେଶର ୬୪୩ ମନ୍ତ୍ରୀଙ୍କ ମଧ୍ୟରୁ ୩୦୨ ଜଣ ଅର୍ଥାତ୍ ପ୍ରାୟ ୪୭ ପ୍ରତିଶତ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି, ଯାହାଙ୍କ ଉପରେ ହତ୍ୟା, ଅପହରଣ ଏବଂ ମହିଳା ବିରୋଧୀ ଅପରାଧ ଭଳି ଅନେକ ଗମ୍ଭୀର ଅଭିଯୋଗ ରହିଛି। ସେହିପରି, ୩୦୨ ମନ୍ତ୍ରୀଙ୍କ ମଧ୍ୟରୁ ୧୭୪ ଜଣ ମନ୍ତ୍ରୀଙ୍କ ନାଁରେ ଗୁରୁତର ଅପରାଧିକ ଅଭିଯୋଗର ରହିଛି । ତେଲୁଗୁ ଦେଶମ୍ ପାର୍ଟିର ମନ୍ତ୍ରୀଙ୍କ ବିରୁଦ୍ଧରେ ସର୍ବାଧିକ ସଂଖ୍ୟକ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣା ପଡିଛି।

ADRର ଏହି ରିପୋର୍ଟ କେନ୍ଦ୍ର ଦ୍ୱାରା ସମ୍ପ୍ରତି ଆଗତ ବିଲ୍ ପରେ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ଗମ୍ଭୀର ଅପରାଧିକ ମାମଲା ପଞ୍ଜିକୃତ ହୁଏ, ଯାହାର ଦଣ୍ଡ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇପାରେ ଏବଂ ତାଙ୍କୁ ଲଗାତାର ତିରିଶ ଦିନ ପାଇଁ ହାଜତରେ ରଖାଯାଇଛି, ତେବେ ଏହି ବିଲ୍ ଏପରି ମନ୍ତ୍ରୀମାନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ।

କେଉଁ ଦଳର କେତେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି?

ରିପୋର୍ଟରୁ ଜଣାପଡିଛି ଯେ ୩୩୬ ଜଣ ବିଜେପି ମନ୍ତ୍ରୀଙ୍କ ମଧ୍ୟରୁ ୧୩୬ ଜଣ, ଅର୍ଥାତ୍ ୪୦%, ନିଜ ବିରୁଦ୍ଧରେ ଫୌଜଦାରୀ ମାମଲା ଘୋଷଣା କରିଛନ୍ତି, ଯେଉଁଥିରୁ ୮୮ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି। ଅନ୍ୟପକ୍ଷରେ, ୪୫ ଜଣ କଂଗ୍ରେସ ମନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି, ଯେଉଁଥିରୁ ୧୮ ଜଣ ମନ୍ତ୍ରୀ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି।

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ୪୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି, ଯେଉଁଥିରୁ ୮ ଜଣ ମନ୍ତ୍ରୀ ଗୁରୁତର ଅପରାଧିକ ମାମଲା ସାମ୍ନା କରୁଛନ୍ତି। ଡିଏମକେର ୩୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି, ଯେତେବେଳେ ୧୪ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଗୁରୁତର ମାମଲା ରୁଜୁ ହୋଇଛି। ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟିର ୧୬ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି, ୫ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି।

 

ତେଲୁଗୁ ଦେଶମ ପାର୍ଟିର ମନ୍ତ୍ରୀମାନଙ୍କ ବିରୁଦ୍ଧରେ ସର୍ବାଧିକ ସଂଖ୍ୟକ ଅପରାଧିକ ମାମଲା ରୁଜୁ ହୋଇଛି। ଏହି ଦଳର ୨୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୧୩ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଗମ୍ଭୀର ଅପରାଧ ଅଭିଯୋଗ ରହିଛି। ଯଦି ଆମେ ଜାତୀୟ ସ୍ତର ବିଷୟରେ ଆଲୋଚନା କରିବା, ତେବେ ୭୨ ଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ମନ୍ତ୍ରୀ ନିଜ ବିରୁଦ୍ଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ଏହି ରାଜ୍ୟର ମନ୍ତ୍ରୀମାନଙ୍କ ବିରୁଦ୍ଧରେ କୌଣସି ମାମଲା ନାହିଁ

ଦେଶର ଅଧିକାଂଶ ରାଜନୈତିକ ଦଳର ମନ୍ତ୍ରୀମାନଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ବିହାର, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପୁଡୁଚେରୀର ୬୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। କିନ୍ତୁ, ହରିୟାଣା, ଜମ୍ମୁ ଏବଂ କାଶ୍ମୀର, ନାଗାଲାଣ୍ଡ ଏବଂ ଉତ୍ତରାଖଣ୍ଡର ମନ୍ତ୍ରୀମାନଙ୍କ ନାଁରେ କୌଣସି ଅପରାଧିକ ମାମଲା ରୁଜୁ ନାହିଁ।

 

ଲଗାଣ ବର୍ଷା ଯୋଗୁ ଦେବୀନଗର ନିକଟରେ ଧସିଲା ପାହାଡ଼ ; ଯାତାୟତ ଠପ୍

ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଦେବୀନଗର ନିକଟରେ ଧସିଲା ପାହାଡ଼। ଛେଣ୍ଡିପଦା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପାତ୍ରପଡ଼ା ମା ବାୟାଣୀ ପୀଠରୁ ହଣ୍ଡପାର ଅନୁଗୋଳ- ସମ୍ବଲପୁର ୫୫ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦେବୀ ନଗର ପାହାଡ଼ରେ ଭୂସ୍ଖଳନ ଯୋଗୁଁ ବାୟାଣୀ ପୀଠ ନିକଟସ୍ଥ ରାସ୍ତାରେ ଯାତାୟତ ଠପ ହୋଇଛି  ।

ଏହି ରାସ୍ତା କିଶୋରନଗର ଓ ଆଠମଲ୍ଲିକ ଅଞ୍ଚଳକୁ ସଂଯୋଗ କରୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ତିନିଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ଗତକାଲି ହୋଇଥିବା ବାଦଲଫଟା ବର୍ଷା ଯୋଗୁଁ ଫାକ୍ସନ ନିକଟରେ ଦେବୀନଗର ପାହାଡ଼ରୁ ଅତଡ଼ା ଖସି ରାସ୍ତା ଉପରେ ୫ ଫୁଟ୍ ଉଚ୍ଚର ମାଟି ଜମା ହୋଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରୁ ଯାତାୟାତ ବନ୍ଦ ହୋଇଯାଇଛି। ତୁରନ୍ତ ରାସ୍ତାରୁ ମାଟି ବାହାର କରି ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

‘ତୁମର ଏତେ ସାହସ, ମୁଁ ତୁମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି..’ ମହିଳା ଅଧିକାରୀଙ୍କ ଉପରେ ରାଗିଲେ ଅଜିତ ପାୱାର

ନନ୍ଦିଘୋଷ ବ୍ୟୁରୋ : ମହିଳା ପୋଲିସ ଅଧିକାରୀଙ୍କ ଉପରେ ରାଗିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ । ଭାଇରାଲ ହେଉଛି ଭିଡିଓ ।  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସୋଲାପୁର ଜିଲ୍ଲା ମାଧା ତାଲୁକାର ଡେପୁଟି ଏସ୍ପି ଅଞ୍ଜଳି କୃଷ୍ଣଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ଏବଂ ଭିଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଅଜିତ ପାୱାର ପୋଲିସ ଅଧିକାରୀଙ୍କୁ ପଥର ଖନନ ତୁରନ୍ତ ବନ୍ଦ କରିବାକୁ କହୁଛନ୍ତି। ଧମକପୂର୍ଣ୍ଣ ସ୍ୱରରେ ଅଜିତ ପାୱାର ନିର୍ଦ୍ଦେଶ ପାଳନ ନକଲେ ଅଞ୍ଜଳି କୃଷ୍ଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ କହୁଛନ୍ତି। ଏହି ଘଟଣାଟି ସେପ୍ଟେମ୍ବର ୧ର ବୋଲି କୁହାଯାଉଛି ।

ସୂଚନା ମୁତାବକ, ମାଧା ତାଲୁକାର କୁର୍ଡୁ ଗାଁରେ, ଗ୍ରାମ ରାସ୍ତା ନିର୍ମାଣ ପାଇଁ ବେଆଇନ ଭାବରେ ପଥର ଖନନ କରାଯାଉଥିଲା, ଯାହାର ଏକ ଅଭିଯୋଗ ତହସିଲ ଅଧିକାରୀ ଏବଂ ଡେପୁଟି ଏସପି ଅଞ୍ଜଳି କୃଷ୍ଣଙ୍କୁ ମିଳିଥିଲା। ଅଭିଯୋଗ ପାଇବା ପରେ, ଅଞ୍ଜଳି କୃଷ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ, କିନ୍ତୁ ଅଜିତ ପାୱାରଙ୍କ ସ୍ଥାନୀୟ କର୍ମୀ ବାବା ଜଗତାପ୍ ତାଙ୍କ ମୋବାଇଲରୁ ଅଜିତ ପାୱାରଙ୍କୁ ଫୋନ୍ କରି ଘଟଣାସ୍ଥଳେ ଉପସ୍ଥିତ ଅଞ୍ଜଳି କୃଷ୍ଣଙ୍କ ସହ କଥା କରାଇଥିଲେ।

ସେହି ଫୋନରେ ଅଜିତ ପାୱାର କହୁଛନ୍ତି ଯେ ମୁଁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ତୁମର କାର୍ଯ୍ୟ ବନ୍ଦ କର ଏବଂ ସେଠାରୁ ଚାଲିଯାଅ। ତୁମର ବରିଷ୍ଠ ଅଧିକାରୀ ଡକ୍ଟର ଶେଜରଙ୍କୁ କୁହ ଯେ ଉପମୁଖ୍ୟମନ୍ତ୍ରୀ ନିଜେ ଏହି ଫୋନ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇର ପରିବେଶ ଖରାପ ଏବଂ ଆମକୁ ସେଠାରେ ପ୍ରାଥମିକତା ଦେବାକୁ ପଡିବ। ମୁଁ ତୁମକୁ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛି।

‘ମୁଁ ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବି’

ଏହି ଭିଡିଓରେ ଅଞ୍ଜଳି କୃଷ୍ଣ କୁହୁଛନ୍ତି ଯେ, ମୁଁ କିପରି ଜାଣିବି ଯେ ଆପଣ ଉପମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି ।  ଆପଣ ମୋ ମୋବାଇଲରେ କଲ୍ କରନ୍ତୁ । ଏଥିରେ ଅଜିତ ପାୱାର କହୁଛନ୍ତି ଯେ, ତୁମେ ମୋତେ କଲ୍ କରିବାକୁ କହୁଛ। ମୁଁ ତୁମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି। ଏହା ପରେ ଅଞ୍ଜଳି ଅଜିତ ପାୱାରଙ୍କୁ ତାଙ୍କର ଫୋନ୍ ନମ୍ବର ଦେଉଛନ୍ତି । ଅଜିତ ପାୱାର ଅଞ୍ଜଳି କୃଷ୍ଣଙ୍କ ଫୋନ୍ ନମ୍ବର ଲେଖି କହୁଛନ୍ତି, ଯେ ମୁଁ ତୁମକୁ ଭିଡିଓ କଲ୍ କରିବି। ତାପରେ ତୁମେ ମୋ ମୁହଁ ଚିହ୍ନିବ। ତୁମର ସାହସ ବହୁତ ବଢ଼ିଯାଇଛି।

ଅଜିତ ପାୱାର ତୁରନ୍ତ ଏକ ଭିଡିଓ କଲ୍ କରିଛନ୍ତି  ଏବଂ ଡେପୁଟି ଏସ୍ପି ଅଞ୍ଜଳି କୃଷ୍ଣଙ୍କୁ କାର୍ଯ୍ୟ ବନ୍ଦ କରି ସେଠାରୁ ଚାଲିଯିବାକୁ କହିଛନ୍ତି । ଏହି ସମୟରେ, ଗାଁ ଲୋକ ଏବଂ ଅଜିତ ପାୱାରଙ୍କ କର୍ମୀମାନେ ପୋଲିସ ଏବଂ ତହସିଲ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା କୁହାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

 

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳିବାମନ ବେଶ

ନନ୍ଦିଘୋଷ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳିବାମନ ବେଶ । ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ । ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ଏହି ବେଶ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ତେଣୁ ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି।।

ଲଘୁଚାପ ପ୍ରଭାବରେ କାଲି ପର୍ଯ୍ୟନ୍ତ କାଚିବ ବର୍ଷା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ

ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ପ୍ରଭାବରେ କାଲି ପର୍ଯ୍ୟନ୍ତ କାଚିବ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ  । ସେପଟେ ବକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରେ ସକ୍ରିୟ ରହିଛି । ଯାହା ଫଳାରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ସହିତ ଘଡ଼ଘଡ଼ି ବର୍ଷା ହୋଇଛି। ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଳେଶ୍ବର, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଭଦ୍ରକ, ଅନୁଗୁଳ, ମୟୁରଭଞ୍ଜ, ନବରଙ୍ଗପୁର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛଇ । ଆଜି ଜଗତସିଂହପୁର ,କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେବଗଡ଼, ସୋନପୁର , ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟେ କିମ୍ବା ଦୁଇଟିକୁ ସ୍ଥାନରେ ବର୍ଷା ହେବେ । ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଘଡ଼ଘଡ଼ି ଜନିତ ବଜ୍ରପାତ ହେବା ନେଇ ସତର୍କ ଜାରି କରିଛି ବିଭାଗ  ।

ରାଜଧାନୀ ଦିଲ୍ଲୀରେ ଜଳ ପ୍ରଳୟ, ପାଣିରେ ବୁଡ଼ି ରହିଛି ଏନସିଆରର ଅନେକ ଅଞ୍ଚଳ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଥମୁନି ଜଳବିତ୍ପାତ। ଯମୁନା ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ମୋନାଷ୍ଟ୍ରି ମାର୍କେଟ, ଯମୁନା ବଜାର, ବସୁଦେବ ଘାଟ ସ୍ଥିତି ସଂଗୀନ ହୋଇଛି। ପାଣିରେ ବୁଡ଼ି ରହିଛି ଏନସିଆରର ଅନେକ ଅଞ୍ଚଳ । ରାସ୍ତା, କାର ଏବଂ ଘରେ ପାଣି ପ୍ରବେଶ କରିଛି । ଗୁରୁଗ୍ରାମରେ ବନ୍ୟା ପାଇଁ ଜଳ ନିଷ୍କାସନ ସମସ୍ୟାକୁ ଦାୟୀ କରାଯାଉଛି। ଦିଲ୍ଲୀରେ ଯମୁନା ନଦୀର ଜଳ ଛଅ ଦଶନ୍ଧି ମଧ୍ୟରେ ତୃତୀୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଗୀତା କଲୋନି, ମୟୂର ବିହାର ଫେଜ୍, ଯମୁନା ବଜାର, ରିଙ୍ଗ ରୋଡ୍ , ସିଭିଲ୍ ଲାଇନ୍ସ, ସୋନିଆ ବିହାର, କାଶ୍ମୀର ଗେଟ୍, ବାୱାନା, ମୁକୁନ୍ଦପୁର, ସରିତା ବିହାର ଏବଂ ଜନକପୁରୀ ଅଞ୍ଚଳ ଜଳମଗ୍ନ ହୋଇଛି । ଯମୁନା ବଜାରର ଲୋକମାନଙ୍କୁ ଆଣ୍ଠୁଏ ପାଣି ଦେଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତଳିଆ ଅଞ୍ଚଳରେ ରହୁଥିବା ୧୪ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଆଫଗାନିସ୍ତାନରେ ପୁଣି ଭୂକମ୍ପ ; ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ପୂର୍ବ ଆଫଗାନିସ୍ତାନରେ ପୁଣି ବଡ଼ଧରଣର ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୨। ଗତ ରବିବାରଠାରୁ ଆଫଗାନିସ୍ତାନରେ ଘଟିଥିବା ଭୂକମ୍ପରୁ ଏହା ହେଉଛି ତୃତୀୟ। ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ। ନଙ୍ଗାରହାର ଓ ନଘମାନ ଅଞ୍ଚଳରେ ୧୬୦ କିଲୋମିଟର ଭୂଗର୍ଭରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଗତ ରବିବାର ଘଟିଥିବା ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨ଶହ ହୋଇଥିବାବେଳେ ଭୂକମ୍ପ ପ୍ରବଣ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ ହଜାର ୬୦୦ରୁ ଅଧିକ ଲୋକ ଏହି ଭୂକମ୍ପରେ ଆହତ ହୋଇଥିଲେ। ପ୍ରାୟ ୮୪ ହଜାର ଲୋକ ଏହି ଭୂକମ୍ପରେ ପ୍ରଭାବିତ ହୋଇଥିଲେ। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ପ୍ରଭାବ ଦିଲ୍ଲୀ-ଏନସିଆର ଓ ଜାମ୍ମୁ ଓ କାଶ୍ମୀରରେ ବି ଅନୁଭୂତ ହୋଇଥିଲା। ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳରେ ରହିଥିବା ଆଫଗାନିସ୍ତାନ ସର୍ବଦା ଭୂକମ୍ପପ୍ରବଣ ରହିଆସିଛି।

ବୈତରଣୀରେ ପୁଣି ଆସିଲା ବନ୍ୟା: ତିନି ମାସ ମଧ୍ୟରେ ଏହା ତୃତୀୟ ବନ୍ୟା

ବୈତରଣୀରେ ପୁଣି ଆସିଲା ବନ୍ୟା। ଏଥର ଛୋଟ ଧରଣର ବନ୍ୟା ହୋଇଥିଲେ ବି ବଢ଼ାଇ ଦେଇଛି ଚିନ୍ତା। କାରଣ ଗତ ତିନି ମାସ ମଧ୍ୟରେ ଏହା ବୈତରଣୀରେ ତୃତୀୟ ବନ୍ୟା। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ପାଣି ବଢ଼ିଥିବାରୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀ। ସେହିପରି ଯାଜପୁର ଜିଲ୍ଲା ପୁଣି ଥରେ ବନ୍ୟାର ପ୍ରକୋପ ସହିଛି। ଗତକାଲି ୧୪ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଓ ୪୨ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଯାହା ପ୍ରବଳରୁ ଅତି ପ୍ରବଳ ବର୍ଷା। ଉପର ମହାନଦୀ, ବୈତରଣୀ ଓ ବୁଢାବଳଙ୍ଗରେ ବଢ଼ିଛି ବର୍ଷାର ପରିମାଣ। କେବଳ ବୈତରଣୀରେ ହିଁ ଛୋଟ ଧରଣର ବନ୍ୟା ଥିବାରୁ ଜିଲ୍ଲା ପ୍ରଶାସନକୁ କରାଯାଇଛି ସତର୍କ।

ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବଜାର ଓ ହାଟଠାରୁ ଆରମ୍ଭ କରି ରାସ୍ତା ଘାଟ ଶୂନଶାନ ହୋଇପଡ଼ିଛି। ଗୋଟିଏ ପଟେ ବୈତରଣୀରେ ବନ୍ୟା ଆସିଥିବା ବେଳେ, ଭଦ୍ରକରେ ପ୍ରବାହିତ ସାଳନ୍ଦୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କରିଛି। ଯାହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମନରେ ପଶିଛି ଛନକା। ସେପଟେ ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର ହସନପୁର ଗାଁରେ ଭାଙ୍ଗିଛି ବ୍ରିଜ। ଖରସ୍ରୋତା ନଦୀର ଶାଖା ଦୁଧେଇନାଳରେ ଜଳସ୍ରୋତ ପ୍ରଖର ଥିବାରୁ, ଏହି ସେତୁର ପାରାପେଠି ଓ ଆପ୍ରୋଚ ରୋଡ ଭାଙ୍ଗି ପଡ଼ିଛି। ଫଳରେ ହସନପୁର ଓ ଦୁର୍ଗାପୁରକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଲଗାଣ ବର୍ଷା ଯୋଗୁଁ ଜଳକା ସତର୍କ ସଙ୍କେତ ଉପରେ ଅଛି। ହେଲେ ଏହା ବିପଦ ସଙ୍କେତକୁ ଟପିବନି ବୋଲି ଆକଳନ କରାଯାଇଛି । ସେହିପରି ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିଲେ ବି ମହାନଦୀରେ ବନ୍ୟା ହେବନି।

୩ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା

ଘୋଷଣା ହେଲା ବିଜେଡିର ଜିଲ୍ଲା ସଭାପତିଙ୍କ ନାଁ । ୩ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା । ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା । ନୃସିଂହ ଚରଣ ସାହୁ ହେଲେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି । ସନ୍ଦୀପ ଷଡ଼ଙ୍ଗୀ ହେଲେ ଢେଙ୍କାନାଳ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି । ଝିନ ହିକକା ହେଲେ କୋରାପୁଟ ଜିଲ୍ଲା ବିଜେଡି ସଭାପତି । ଦୁର୍ଗା ମିଶ୍ର ଓ ପ୍ରସାଦ ବିଡିକା କାର୍ଯ୍ୟକାରୀ ସଭାପତି । ଜଗନ୍ନାଥ ସାରକା ହେଲେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି । ଗୟାଧର ପୁଆଲୋ ଓ ରଞ୍ଜିତ ପାଣିଗ୍ରାହୀ ହେଲେ କାର୍ଯ୍ୟକାରୀ ସଭାପତି । ସମସ୍ତଙ୍କ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ  । ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଲେ ସଭାପତି ନବୀନ ପଟ୍ଟନାୟକ । ୧୫ ଜଣ ମହିଳା ନେତ୍ରୀଙ୍କୁ ମହିଳା ବ୍ୟାପାର ଦାୟିତ୍ବ । ସୁମିତ୍ରା ଜେନା – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ରାଜଶ୍ରୀ ମଲ୍ଲିକ – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଲେଖାଶ୍ରୀ ସାମନ୍ତସିଂହାର – ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ସୁଲୋଚନା ଦାସ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ସୁଲତା ଦେଓ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ବର୍ଷା ସିଂହ ବରିହା – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଶର୍ମିଷ୍ଠା ସେଠୀ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଶ୍ରୀମୟୀ ମିଶ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଲୋପାମୁଦ୍ରା ବକ୍ସିପାତ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ମିନତି ବେହେରା – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । କସ୍ତୁରୀ ମହାପାତ୍ର – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ପଦ୍ମିନୀ ଦିଆନ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଦିପାଳୀ ଦାସ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ରଞ୍ଜିତା ସାହୁ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର । ଗିତାଞ୍ଜଳୀ ବସ୍ତିଆ – ସାଧାରଣ ସମ୍ପାଦକ, ମହିଳା ବ୍ୟାପାର ।