spot_img
Home Blog Page 6382

ଲିଭିଲା ପ୍ରଦୀପ-ନିଶବ୍ଦ ରାଜନୀତି

ଭୁବନେଶ୍ୱର: ବିୟୋଗ ପରେ ସଭିଁଙ୍କ ଆଖି ଛଳଛଳ । କେହି ଗ୍ରହଣ କରିପାରୁନାହାଁନ୍ତି ଯେ, ପ୍ରଦୀପ ଆଉ ନାହାନ୍ତି ବୋଲି । ଓଡ଼ିଶା ରାଜନୀତିର ବରିଷ୍ଠ ନେତା, ସାଢେ ତିନି ଦଶନ୍ଧୀର ବିଜୟୀ ଜନନେତା ଏବେ ଆଉ ନିର୍ବାଚନୀ ରାଲ୍ଲୀରେ ଦେଖିବାକୁ ମିଳିବେନି । ଦଳୀୟ କାର୍ଯ୍ୟାଳୟରେ କି ବିଧାନସଭା ପରିସରରେ ତାଙ୍କ ସ୍ୱର ଶୁଭିବନି ।

ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ଓଡ଼ିଶା ରାଜନୀତି ପାଇଁ ଏକ ଦୁଃଖଦ ଦିନ । ଏବେ ତାଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ଶୋକର ପରିବେଶ ସୃଷ୍ଟି ହୋଇଛି । ତାଙ୍କ ମରଶରୀରକୁ ଏବେ ପ୍ରଥମେ ବିଧାନସଭା ଓ ପରେ ବିଜେଡି କାର୍ଯ୍ୟାଳୟକୁ ନେବାର ବ୍ୟବସ୍ଥା ହୋଇଛି । ବିଧାନସଭା ପରିସରରେ ମରଶରୀରରେ ପହଞ୍ଚିସାରିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅନେକ ବିଧାୟକ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରୁଛନ୍ତି ।

ଏହାପରେ ତାଙ୍କ ମରଶରୀର ଦଳୀୟ କାର୍ଯ୍ୟାଳୟକୁ ଯିବ । କର୍ମୀମାନେ ସେଠାରେ ଅପେକ୍ଷା କରି ରହିଛନ୍ତି । ରାଜଧାନୀ କାର୍ଯ୍ୟାଳୟରେ ମହାରଥିଙ୍କ ଶେଷ ଦର୍ଶନ ସରିବା ପରେ ତାଙ୍କୁ ନିଜସ୍ୱ ବାସଗୃହକୁ ନିଆଯିବ । ସେଠାରୁ ଅଞ୍ଚଳବାସୀଙ୍କୁ ଭାବବିହ୍ୱଳ ବିଦାୟ ଦେଇ ସ୍ୱର୍ଗଦ୍ୱାର ମୁହାଁଇବେ ପାଉଁଶ ପାଲଟିବା ପାଇଁ ।

ଦୀର୍ଘ ସାତ ମାସ ପରେ ଆଜିଠୁ କଟକଣା ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଆଜିଠୁ ଖୋଲିବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ  । ଦୀର୍ଘ ସାତ ମାସ ପରେ ଖୋଲିବ ନନ୍ଦନକାନନ ସହିତ ବଟାନିକାଲ ଗାର୍ଡେନ । ତେବେ ସୁରକ୍ଷା ଦୃଷ୍ଟିରୁ ସଫାରି ଓ ବୋଟିଂକୁ ବନ୍ଦ କରାଯାଇଛି । କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ବନ୍ଦ କରାଯାଇଥିଲା  । ତେବେ ଏବେ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ଅନେକ କଟକଣା ରଖାଯାଇଛି  । ପର୍ଯ୍ୟଟକଙ୍କ ପାଇଁ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତାରୁ ଗୁରୁତ୍ୱ ଦିଆଯାଇଛି । ଟିକେଟ କାଉଣ୍ଟରରେ ପ୍ରତି ଦୁଇ ଫୁଟ ଦୂରତାରେ ଗୋଲେଇ ଟ୍ରାକ କରାଯାଇଛି ।

ଦୈନିକ ୧୫୦୦ ପ୍ରଯ୍ୟଟକ ଉଦ୍ୟାନ ବୁଲିବାକୁ ଅନୁମତି ମିଳିବ । ନନ୍ଦନକାନନ ମଧ୍ୟକୁ ପ୍ରବେଶବେଳେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯିବ  । ଥଣ୍ଡା କିମ୍ବା ଜ୍ୱର ଥିଲେ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ । ବ୍ୟାରିକେଡ ଠାରୁ ଏକ ଫୁଟ ଦୂରତାରେ ରହି ପର୍ଯ୍ୟଟକ ମାନେ ଜୀବଜନ୍ତୁଙ୍କୁ ଦେଖିପାରିବେ  । କଟକଣାକୁ କଡାରଡି ରୁପେ ପାଳନ କରିବାକୁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି  ।

କେଉଁ ରାଶିର ବ୍ୟକ୍ତିଙ୍କର ଆଜି ହେବ ଧନ ଲାଭ? ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୦୪ ଅକ୍ଟୋବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୧୯ ଦିନ, ଆଶ୍ୱିନ ମଳମାସ କୃଷ୍ଣପକ୍ଷ ,ତୃତୀୟାତିଥି

– ମେଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

– ଅଶ୍ୱିନୀ ନକ୍ଷତ୍ର

-ଘାତଚନ୍ଦ୍ର- ମେଷ ରାଶି ପାଇଁ

– ଘାତ ବାର- ମେଷ ରାଶିର

ଯୋଗିନୀ ଆଗ୍ନେୟରେ ରହିବେ

ତେଣୁ ଆଗ୍ନେୟ କୋଣକୁ ଯାତ୍ରା ନିଷେଧ

– ଶୁଭ ସମୟ –

ଦିନ ୧୦ଟା ୫୫ ରୁ ଦିନ ୨ଟା ୨୫

ଦିନ ୩ଟା ୫୫ ରୁ ଦିନ ୪ଟା ୧୫ ମିନିଟ୍

– ଅଶୁଭ ସମୟ –

ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି ବୋଇତାଳୁ ଓ ପୋଟଳ ଖାଇବା ମନା

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ସ୍ୱାସ୍ଥ୍ୟ ଖରାପକୁ ନେଇ ମନ ଭଲ ରହିବ ନାହିଁ, କର୍ମରେ ବାଧା ରହିବ

ଦ୍ୱିଜା ନକ୍ଷତ୍ର – ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ, ଗୁପ୍ତଶତ୍ରୁ ପରାସ୍ତ ହେବେ

କୃତ୍ତିକା ନକ୍ଷତ୍ର – ନୂତନ କାମ ପାଇଁ ସୁଯୋଗ ଆସିବ, ଅନେକ ଦିନରୁ ଅପେକ୍ଷାରେ ଥିବା କାମ ସହଜରେ ହୋଇଯିବ

ଲାଲ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ନାହିଁ, ଧଳା ରଙ୍ଗ ବସ୍ତ୍ର ଧାରଣ କରିଲେ ଶୁଭ ରହିବ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ସହଜରେ ସମସ୍ତ କାମ ହୋଇଯିବା ଦ୍ୱାରା ମନ ଖୁସି ରହିବ, ଅପରାହ୍ନରେ ଶୁଭ ଖବର ପାଇବେ

ରୋହିଣି ନକ୍ଷତ୍ର – ଆପଣଙ୍କର ଆଶା ପୂରଣ ହେବ ନାହିଁ, ଆୟବ୍ୟୟ ସମାନ ରହିବ

ମୃଗଶିରା ନକ୍ଷତ୍ର – ପୁରୁଣା ବନ୍ଧୁଙ୍କ ସହିତ ସମୟ କାଟନ୍ତୁ, ମନ ଖୁସି ରହିବ

ହଳଦୀ ଟିକା ମଥାରେ ଲଗାନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ପାରିବାରିକ ଜୀବନରେ ସୁଖ,ଶାନ୍ତି ପାଇବେ, ଦୁର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ

ଆର୍ଦ୍ରା ନକ୍ଷତ୍ର – ପଛ କଥାକୁ ନେଇ ସମାଲୋଚିତ ହୋଇପାରନ୍ତି, ପ୍ରେମରେ ସଂପକର୍ଜ୍ଞ ଖରାପ ହୋଇପାରେ

ପୂନର୍ବସୁ ନକ୍ଷତ୍ର – ମାନ ସମ୍ମାନ ସହିତ ଧନ ଲାଭ ହେବ, ପରିବାରରେ ଶାନ୍ତି ରହିବ

ଜଗନ୍ନାଥ ପ୍ରଭୁଙ୍କୁ ତୁଳସୀ କିଛି ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଗୁରୁଜନଙ୍କର ଆଶିର୍ବାଦ ଏବଂ ପରାମର୍ଶ ନିଅନ୍ତୁ କାମରେ ସଫଳତା ମିଳିବ

ପୁଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବେ, ଦାମ୍ପତ୍ୟ ଜୀବନରେ ମତପାର୍ଥକ୍ୟ ରହିବ

ଅଶ୍ଲେଷା ନକ୍ଷତ୍ର – ଭୂମି କିମ୍ବା ବାହନ କିଣିବାର ସୁଯୋଗ ପାଇବେ, ଅନେକ ଦିନର ଆଶା ପୂରଣ ହେବ

ଧଳାଫୁଲ ଘରର ମୁଖ୍ୟ ଦ୍ବାରରେ ରଖନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଅତୀତର ଘଟଣାକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ,ଆଶଙ୍କା ମଧ୍ୟରେ ସମୟ କଟିବ

ପୂର୍ବାଫାଲଗୁନି ନକ୍ଷତ୍ର – କମ ପରିଶ୍ରମରେ ଅଧିକ ଲାଭ ମିଳିବ, ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ଉତ୍ତରାଫାଲଗୁନୀ ନକ୍ଷତ୍ର – ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା, ମାନ,ସମ୍ମାନ ବଢିବ, ବନ୍ଧୁଙ୍କର ସହଯୋଗ ପାଇବେ

ପିତାଙ୍କୁ ଆଜି ମିଠା ଖାଇବାକୁ ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ନୂଆ ଯୋଜନା କରନ୍ତୁ, ଲାଭବାନ ହେବେ

ହସ୍ତା ନକ୍ଷତ୍ର – ସହକର୍ମୀ କିମ୍ବା ବନ୍ଧୁଙ୍କ ସହିତ ବିବାଦ ଦେଖାଦେଇପାରେ, କାମ ସବୁ ଅଧାରେ ଅଟକି ଯିବ

ଚିତ୍ରା ନକ୍ଷତ୍ର – ପରିବାରରେ ସୁସ୍ଥ ବାତାବରଣ ରହିବ, ମନ ଖୁସି ରହିବ

ଛୋଟ ପିଲାଙ୍କୁ ଚକଲେଟ୍ ଉପହାର ଦିଅନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଜୀବନସାଥିଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ

ସ୍ୱାତୀ ନକ୍ଷତ୍ର – ମାନସିକ ବିଶାଦ ଦୁର ହେବ, ଦାମ୍ପତ୍ୟ ଜୀବନରେ ଥିବା କଳହ ଦୁର ହେବ

ବିଶାଖା ନକ୍ଷତ୍ର – ପରିବାରର ସହଯୋଗ ପାଇବେ, କର୍ମକ୍ଷେତ୍ରରେ ସଫଳତା ମିଳିବ

ଭାଇଭଉଣୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ, ସଫଳତା ପାଇବେ

ଅନୁରାଧା ନକ୍ଷତ୍ର – କୌଣସି ଅର୍ଥ କାରବାର କରନ୍ତୁ ନାହିଁ, ବ୍ୟବସାୟରେ ସଫଳତା ମିଳିବ ନାହିଁ

ଜ୍ୟେଷ୍ଠା ନକ୍ଷତ୍ର – ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ମିଳିବ

ମୟୁର ଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ନିଜ କାମକୁ ନେଇ ଅବିଶ୍ବାସର ଶିକାର ହେବେ,ସତର୍କ ରୁହନ୍ତୁ

ପୂର୍ବାଷାଢା ନକ୍ଷତ୍ର – ପୁରାତନ ରୋଗରୁ କିଛି ଉପଶମ ପାଇପାରନ୍ତି, କର୍ମକ୍ଷେତ୍ରରେ ସହଯୋଗ ମିଳିବ

ଉତ୍ତରାଷାଢା ନକ୍ଷତ୍ର – ପରିବାର ମଧ୍ୟରେ ବୁଝାମଣା ରହିବ, ନ ହେବା କାମ ସହଜରେ ହୋଇଯିବ

ଶ୍ରୀଗଣେଶଙ୍କୁ ୧୧ କେରା ଦୁର୍ବା ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟରେ ଉନ୍ନତି ହେବ, କାମ ପ୍ରତି ଆଗ୍ରହ ବଢିବ

ଶ୍ରବଣା ନକ୍ଷତ୍ର – ନିଜ ଲୋକମାନେ ଶତ୍ରୁପରି ବ୍ୟବହାର କରିପାରନ୍ତି, ଧନହାନୀ,ପ୍ରାଣପୀଡା ରହିଛି

ଧନିଷ୍ଠା ନକ୍ଷତ୍ର – ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ନିଜ କାମ ପାଇଁ ପ୍ରଶଂସା ପାଇବେ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଦୁଃସାହାସିକ ପଦକ୍ଷେପ ନେଇ ସଫଳ ହେବେ, କର୍ମକ୍ଷେତ୍ରରେ ମାନସମ୍ମାନ ବଢିବ

ଶତଭିଷା ନକ୍ଷତ୍ର – ନିଜର ଭୁଲ୍ ପାଇଁ ଅନୁତପ୍ତ ହେବେ, ସଂଯମତା ରଖି କଥା କୁହନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର – ନିଜ ଲକ୍ଷରେ ସଫଳତା ପାଇଁ ସାହାଯ୍ୟ,ସହଯୋଗ ମିଳିବ

ପଶୁ,ପକ୍ଷୀଙ୍କୁ ଡାଲି ଖାଇବାକୁ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଭଲ କାମ କରି ସମାଜରେ ପ୍ରଶଂସିତ ହେବେ, ଆଗକୁ ବଢିବା ପାଇଁ ମନୋବଳ ରହିବ

ଉତ୍ତରଭାଦ୍ର ନକ୍ଷତ୍ର – ଅଚିହ୍ନା ଅଯଣା ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିଲେ ନିଜ ପାଇଁ ଭଲ ରହିବ

ରେବତୀ ନକ୍ଷତ୍ର – ସ୍ଥଗିତ ଥିବା କାମ ତ୍ବାରାନ୍ବିତ ହେବ, ଆର୍ଥିକ ଲାଭର ସୁଯୋଗ ମିଳିବ

ଶ୍ରୀବିଷ୍ଣୁଙ୍କୁ ଲାଲ ଗୋଲାପ ଫୁଲ ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

୬୫ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ବିୟୋଗ

ଭୁବନେଶ୍ୱର: ସୂର୍ଯ୍ୟାସ୍ତ ପରେ ସ୍ୱର୍ଣୀମ ଆକାଶ ଆଭାସ ଦିଏ ପ୍ରଭାବର । କୁହେ ଏମିତି କାହାଣୀ ଯାହା ଯୁଗେ ଯୁଗେ ଉଦାହରଣ ପାଲଟି ବଞ୍ଚିରହେ । ସେମିତି ଜଣେ ଲୋକ ପ୍ରତିନିଧି ଥିଲେ ପ୍ରଦୀପ ମହାରଥୀ । ଥରେ କି ଦୁଇ ଥରେ ନୁହେଁ, ସାତ-ସାତ ଥର ବିଧାୟକ ହୋଇ ପ୍ରମାଣ କରିଛନ୍ତି ନିଜ ଲୋକସମ୍ପର୍କକୁ । ଆଜି ସେ ଇହଲୀଳା ସମ୍ୱରଣ କରିଛନ୍ତି । ଶୋକସାଗରରେ ଭସାଇ ସେ ଏବେ ଆରପାରିରେ । ୬୫ ବର୍ଷ ବୟସରେ ପ୍ରଦୀପ ମହାରଥୀଙ୍କର ବିୟୋଗ ଘଟିଛି ।

୧୯୮୫ ମସିହାରୁ ନିଜ ରାଜନୀତିକ ବିଜୟ ଯାତ୍ରା ଆରମ୍ଭ କରିଥିଲେ । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ବାରମ୍ବାର ନିର୍ବାଚିତ ହୋଇ ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗରୁ ବିଧାୟକ ହୋଇଛନ୍ତି, ପ୍ରଦୀପ । ରାଜ୍ୟ ସରକାରଙ୍କ କ୍ୟାବିନେଟରେ କୃଷି, ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗରେ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ।

ସବୁଠାରୁ ବଡ଼ କଥା ସେ ହେଲେ ଲୋକଙ୍କ ନେତା । ରାଜଧାନୀର ଚାକଚକ୍ୟ ତାଙ୍କୁ କେବେ ବାନ୍ଧି ରଖିପାରୁନଥିଲା । ବିଧାନସଭା ହେଉ କିମ୍ୱା ସଚିବାଳୟ, କାମ ସରି ପ୍ରତି ଦିନ ଫେରନ୍ତି ନିଜ ଲୋକଙ୍କ ପାଖକୁ । ସକାଳୁ ଉଠୁ ଲୋକଙ୍କ ଗହଳିରେ ସମୟ କାଟନ୍ତି । ତାଙ୍କରି ସହ ମଉଜ ମଜଲିସ କରନ୍ତି ପୁଣି ଲୋକ ଦୁଃଖରେ ଭାଗିଦାରୀ ହୁଅନ୍ତି । ତୃଣମୂଳସ୍ତରରୁ ରାଜନୀତି କରି ଲୋକପ୍ରିୟତା ପାଇଥିବା କ୍ୱଚିତ୍ ନେତାଙ୍କ ମଧ୍ୟରୁ ସେଥିଲେ ଜଣେ । ଭାରି ଚାଲାକ୍, ସ୍ପଷ୍ଟଭାଷୀ ଓ ଲୋକପ୍ରିୟ ନେତାଙ୍କ ଭିତରେ ସେ ସବୁବେଳେ ଗଣିତ ହେବେ ।

 

ଡୋନାଲ୍ଡ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିନ୍‌ପିଙ୍ଗ୍

ବେଜିଂ: କରୋନା ସଂକ୍ରମିତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ମାଲେନିଆ ଟ୍ରମ୍ପଙ୍କୁ ସମେବଦନା ବାର୍ତ୍ତା ପଠାଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ । ଏଥିସହିତ ଟ୍ରମ୍ପ ଦମ୍ପତ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଜିନପିଙ୍ଗ୍ । ବାଣିଜ୍ୟ, ବୈଷୟିକ ଓ ନିରାପତ୍ତା ବିବାଦ, ହଂକଂ ଉପରେ ବେଜିଙ୍ଗ୍‌ର ନିୟନ୍ତ୍ରଣ କଠୋର ହେବା ଏବଂ ସିନ୍‌ଜିଆଙ୍ଗ୍‌ର ଉତ୍ତରପଶ୍ଚିମ ଅଞ୍ଚଳରେ ଚୀନା ମୁସଲମାନଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ପ୍ରସଙ୍ଗରେ ଚୀନ୍-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ମୁହାଁମୁହିଁ ହୋଇଛନ୍ତି । ଏହା ସହିତ ଗତ ଡିସେମ୍ୱରରେ ଉହାନରୁ କରୋନା ଭାଇରସର ଠିକଠାକ୍ ମୁକାବିଲା ନକରି ଏହାକୁ ବିସ୍ତାର କରାଇଥିବା ଅଭିଯୋଗ କରିଥିଲା ଆମେରିକା । ଦୁଇ ରାଷ୍ଟ୍ର ମଧ୍ୟରେ ଏଭଳି ତିକ୍ତତା ଲାଗିରହିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ସମେବଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଚୀନ ରାଷ୍ଟ୍ରପତି ।

କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି

ହାଥରସ୍ ଲଜ୍ଜା: ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ମୌ: ବହୁ ସଂଘର୍ଷ ପରେ ହାଥରସରେ ପହଞ୍ଚିଲେ କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତାଙ୍କ ସହ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପୀଡ଼ିତାଙ୍କ ପରିବାରଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କ ସହିତ କଂଗ୍ରେସର ଅନ୍ୟ ୩ ସଦସ୍ୟ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ଦୀର୍ଘ ୧୬୫ କିଲୋମିଟରର ଯାତ୍ରା ପରେ ସନ୍ଧ୍ୟା ୭ଟା ୧୨ ମିନିଟରେ ହଥରାସରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଏବଂ ରାତି ସାଢ଼େ ୮ ଯାଏଁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ହାଥରସ୍ ପ୍ରସଙ୍ଗ : କରୋନା କଟକଣା ପାଇଁ ଯଦି ଶବ ସତ୍କାର ପ୍ରଶାସନ କଲା,ତେବେ ଜୁଇ ଜଳିବା ବେଳେ କେହି PPE କିଟ୍ ପିନ୍ଧି ନଥିଲେ କାହିଁକି ?

ଆଲୋଚନା ବେଳେ ପରିବାର ସଦସ୍ୟମାନେ କେଉଁ କେଉଁ ସବୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ସେ ନେଇ ପଚାରିବୁଝିଥିଲେ । ଏଥିସହିତ ଆର୍ଥିକ ସହାୟତା ମଧ୍ୟ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଦେଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ତବରବରିଆ ଭାବେ ଝିଅକୁ କାହିଁକି ପେଟ୍ରୋଲ ଢ଼ାଳି ଅନ୍ତିମ ସଂସ୍କାର କରାଗଲା, କାହିଁକି ଝିଅର ମୁହଁ ମଧ୍ୟ ଦେଖିବାକୁ ପରିବାର ଲୋକଙ୍କୁ ଅନୁମତି ଦିଆଗଲା ନାହିଁ ଏ ନେଇ ପ୍ରଶ୍ନ ପଚାରିଛନ୍ତି । ଏଥିସହିତ ଘଟଣା ଦିନ ଜିଲ୍ଲାପାଳ ମଧ୍ୟ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ ।

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଅଧା ଘର କରି ସମ୍ପୂର୍ଣ୍ଣ ଟଙ୍କା ଉଠାଉଛନ୍ତି କଣ୍ଟ୍ରାକ୍ଟର

ମୟୂରଭଞ୍ଜ: ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଚଞ୍ଚକତା । ଆବାସ ଯୋଜନାରେ ବାସହରାଙ୍କୁ  ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ହେଲେ ସେମାନଙ୍କୁ ନିର୍ମାଣ କରି ଦିଆଯାଉଥିବା ଘର ବାସୋପଯୋଗୀ ହୋଇପାରୁନାହିଁ । ଏନେଇ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଅଧା ଘର କରି ସମ୍ପୂର୍ଣ୍ଣ ଟଙ୍କା ଉଠାଉଛନ୍ତି କଣ୍ଟ୍ରାକ୍ଟର । ବାସୋପଯୋଗୀ ହୋଇପାରୁନାହିଁ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଚିତ୍ର ମୟୂରଭଞ୍ଜ ଜିଲ୍ଲାରୁ ଆସିଛି । କୁଳିଆଣି ବ୍ଲକ ବଡଜୁଣବଣି ଗାଁରେ ଅନେକ ହିତାଧିକାରୀ ଏହି ଚଞ୍ଚକତାର ଶିକାର ହୋଇଛନ୍ତି । ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳିଛି, ହେଲେ ତାହା ବାସଅନୁପୋଯୋଗୀ । କାହାର ଝରକା କବାଟ ଲାଗି ନାହିଁ ତ କାହାର ଅଧା ଗଢା ହୋଇପଡିଛି । ହେଲେ ଘରର ସମସ୍ତ ଟଙ୍କା କଣ୍ଟ୍ରାକ୍ଟର ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଚଳିତ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ବ୍ଲକରେ ୮୯୨ଟି ଘର ତିଆରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୨ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଇଛି କଣ୍ଟ୍ରାକ୍ଟର । ବ୍ଲକରେ ଏପରି ଅନୀୟମିତତା ହେଉଥିଲେ ମଧ୍ୟ ବିଭାଗୀୟ କରୋନା ଆଳ ଦେଖାଇ ଚୁପ ରହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାରିପଦା ବିଧାୟକ । ତେବେ ଆବାସ ଯୋଜନାରେ ଘର ଅସମ୍ପୂର୍ଣ୍ଣ ରହିଥିବା ବେଳେ କିପରି ସମ୍ପୂର୍ଣ୍ଣ ଟଙ୍କା ଉଠୁଛି ତାହା ଏବେ ପ୍ରଶ୍ନବାତୀ ।

ମୋରାଟୋରିୟମ ଉପରେ ସୁଧ ଦେବେନି ଗ୍ରାହକ; ୫ରୁ ୬ ହଜାର କୋଟି ଭରଣ କରିବେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ମୋରାଟୋରିୟମ ଛାଡ ଉପରେ ସୁଧ ନେଇପାରିବେ ନାହିଁ ଗ୍ରାହକ । ଏଭଳି ମତ ରଖିଛନ୍ତି ସରକାର । କରୋନା ବେଳେ ଆର୍ଥିକ ସଙ୍କଟକୁ ଧ୍ୟାନ ଦେଇ ସରକାର ମୋରାଟୋରିୟମ୍ ବ୍ୟବସ୍ଥା ଲାଗୁ କରିଥିଲେ । ଯାହା ଫଳରେ ସାଧାରଣ ଲୋକଙ୍କୁ ଇଏମଆଇ ଭରିବାକୁ ପଡିନଥିଲା । ତେବେ ଏବେ ସ୍ଥିତି ସାମାନ୍ୟ ଭଲ ହେବା ପରେ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ମୋରାଟରିୟମ ପରିୟଡର ସୁଧ ଦାବି କରିଥିଲେ ।

ପରେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ସୁପ୍ରିମୋକୋର୍ଟ କେନ୍ଦ୍ର ସରକାରଙ୍କୁ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  କେନ୍ଦ୍ର ସରକାରଙ୍କ ସତ୍ୟପାଠ ଅନୁଯାୟୀ, ୨ କୋଟି ଟଙ୍କା ପର୍ଯ୍ୟନ୍ତ MSME ଋଣ, ବ୍ୟକ୍ତିଗତ, ଶିକ୍ଷା , ଗୃହ , କାର , କଞ୍ଜୁମର ଡ୍ୟୁରେବଲ, କ୍ରେଡିଟ୍ କାର୍ଡ ବକେୟା ଆଦି କ୍ଷେତ୍ରରେ ଏହି ନିୟମ ଲାଗୁ  ହେବ । ଏହି ସମୟରେ ଯେଉଁମାନେ କିସ୍ତି ପରିଶୋଧ କରି ସାରିଛନ୍ତି ସେମାନଙ୍କୁ ମଧ୍ୟ ଏହି ସୁଧ ରିହାତିରୁ ଫାଇଦା ମିଳିବ ।

ତେବେ ଏହାର ଚିତ୍ର ସ୍ପଷ୍ଟ ହୋଇ ନାହିଁ  । କରୋନା ପାଇଁ ରିଜର୍ଭ ବ୍ୟାଙ୍କ ଗତ ମାର୍ଚ୍ଚ ମାସରୁ ୬ ମାସ ପାଇଁ ଇଏମ୍ଆଇ ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ  । ଏହି ସୁଧ ଉପରେ ସୁଧ ରିହାତିର ପରିମାଣ ପ୍ରାୟ ୫ରୁ ୬ ହଜାର କୋଟି ହେବ ବୋଲି ବ୍ୟାଙ୍କଗୁଡ଼ିକ ପକ୍ଷରୁ କୁହାଯାଇଛି । ସୁଧ ଉପରେ ସୁଧ ରିହାତି ଦ୍ୱାରା ବ୍ୟାଙ୍କଗୁଡ଼ିକ ଯେଉଁ କ୍ଷତିର ସମ୍ମୁଖୀନ ହେବେ ତାହା କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ଭରଣା କରିବେ ।

ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ବିଜେଡି ଯୁବ ସାଙ୍ଗଠନିକ ବୈଠକ

0

ଭୁବନେଶ୍ୱର: ବିିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ ଏବଂ କ୍ରୀୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ୩୦ଟି ଜିଲ୍ଲା ଏବଂ ୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲାସ୍ତରରୁ ଆରମ୍ଭ କରି ପଂଚାୟତ, ମୁନିସିପାଲିଟି ଏବଂ ଏନ୍‌.ଏ.ସି. ୱାର୍ଡ ସ୍ତରୀୟ ନୂତନ କମିଟି ଗଠନ କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନା ଚକ୍ରରେ ୬ଟି ଜୋନ୍‌ର ଜୋନ୍ ସଭାପତି ଏବଂ ସମସ୍ତ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦିଗରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ସମସ୍ତ ଜିଲ୍ଲା ଯୁବ ସଭାପତି ମାନଙ୍କୁ ନୂତନ କମିଟି ଗଠନ ସମ୍ବନ୍ଧୀୟ ଖସଡା ବିଷୟରେ ପୁଂଖାନୁପୁଂଖଭାବେ ଅବଗତ କରାଯାଇଥିଲା ।

ଏହି ଭର୍ଚୁଆଲ ମିଟିଂକୁ ସଭାପତିତ୍ୱ କରିବା ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ (ଯୁବବ୍ୟାପାର) ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ କହିଥିଲେ କି “ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି କ୍ରୀୟାଶୀଳ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡିଶା ଗଠନ କରିବାର ଆହ୍ୱାନକୁ ସଫଳ କରିବା ଆମର କର୍ତ୍ତବ୍ୟ । ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ମିଟିଂରେ ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ଶ୍ରୀଯୁକ୍ତ ରଂଜିତ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୬୬ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦିନକୁ ଦିନ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ । ଆଜି ୪ ହଜାର ୬୬ ଜଣ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ୧ଳକ୍ଷ ୮୧ ହଜାର ୯୪ ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନା ଭୟ ଭିତରେ ଆସ୍ୱସ୍ତି ଦେଉଛି କରୋନା ସୁସ୍ଥତା ହାର । ତେବେ ନୂଆ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ରହିଛି ଦ୍ୱିତୀୟ ସର୍ବାଧିକ ସ୍ଥାନ । ଯେଉଁଠାରେ ୫୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡ଼ରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡ଼ାରୁ ୧୫୨, ବରଗଡ଼ରୁ ୧୪୧, ନବରଙ୍ଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଞ୍ଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬, ପୁରୀରୁ ୧୦୫, ଝାରସୁଗୁଡ଼ାରୁ ୯୧, ବଲାଙ୍ଗିରରୁ ୮୧, କେନ୍ଦୁଝରରୁ ୬୫, ମାଲକାନାଗିରିରୁ ୬୫, ରାୟଗଡ଼ାରୁ ୬୧, ସୋନପୁରରୁ ୬୧,ଗଞ୍ଜାମରୁ ୬୦, କଳାହାଣ୍ଡିରୁ ୬୦, କୋରାପୁଟରୁ ୬୦, ବୌଦ୍ଧରୁ ୫୯, ଢ଼େଙ୍କାନାଳରୁ ୫୭, ନୟାଗଡ଼ରୁ ୪୧, ଦେବଗଡ଼ରୁ ୧୪, ଗଜପତିରୁ ୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।