୬୫ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ବିୟୋଗ

1 min read

ଭୁବନେଶ୍ୱର: ସୂର୍ଯ୍ୟାସ୍ତ ପରେ ସ୍ୱର୍ଣୀମ ଆକାଶ ଆଭାସ ଦିଏ ପ୍ରଭାବର । କୁହେ ଏମିତି କାହାଣୀ ଯାହା ଯୁଗେ ଯୁଗେ ଉଦାହରଣ ପାଲଟି ବଞ୍ଚିରହେ । ସେମିତି ଜଣେ ଲୋକ ପ୍ରତିନିଧି ଥିଲେ ପ୍ରଦୀପ ମହାରଥୀ । ଥରେ କି ଦୁଇ ଥରେ ନୁହେଁ, ସାତ-ସାତ ଥର ବିଧାୟକ ହୋଇ ପ୍ରମାଣ କରିଛନ୍ତି ନିଜ ଲୋକସମ୍ପର୍କକୁ । ଆଜି ସେ ଇହଲୀଳା ସମ୍ୱରଣ କରିଛନ୍ତି । ଶୋକସାଗରରେ ଭସାଇ ସେ ଏବେ ଆରପାରିରେ । ୬୫ ବର୍ଷ ବୟସରେ ପ୍ରଦୀପ ମହାରଥୀଙ୍କର ବିୟୋଗ ଘଟିଛି ।

୧୯୮୫ ମସିହାରୁ ନିଜ ରାଜନୀତିକ ବିଜୟ ଯାତ୍ରା ଆରମ୍ଭ କରିଥିଲେ । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ବାରମ୍ବାର ନିର୍ବାଚିତ ହୋଇ ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗରୁ ବିଧାୟକ ହୋଇଛନ୍ତି, ପ୍ରଦୀପ । ରାଜ୍ୟ ସରକାରଙ୍କ କ୍ୟାବିନେଟରେ କୃଷି, ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗରେ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ।

ସବୁଠାରୁ ବଡ଼ କଥା ସେ ହେଲେ ଲୋକଙ୍କ ନେତା । ରାଜଧାନୀର ଚାକଚକ୍ୟ ତାଙ୍କୁ କେବେ ବାନ୍ଧି ରଖିପାରୁନଥିଲା । ବିଧାନସଭା ହେଉ କିମ୍ୱା ସଚିବାଳୟ, କାମ ସରି ପ୍ରତି ଦିନ ଫେରନ୍ତି ନିଜ ଲୋକଙ୍କ ପାଖକୁ । ସକାଳୁ ଉଠୁ ଲୋକଙ୍କ ଗହଳିରେ ସମୟ କାଟନ୍ତି । ତାଙ୍କରି ସହ ମଉଜ ମଜଲିସ କରନ୍ତି ପୁଣି ଲୋକ ଦୁଃଖରେ ଭାଗିଦାରୀ ହୁଅନ୍ତି । ତୃଣମୂଳସ୍ତରରୁ ରାଜନୀତି କରି ଲୋକପ୍ରିୟତା ପାଇଥିବା କ୍ୱଚିତ୍ ନେତାଙ୍କ ମଧ୍ୟରୁ ସେଥିଲେ ଜଣେ । ଭାରି ଚାଲାକ୍, ସ୍ପଷ୍ଟଭାଷୀ ଓ ଲୋକପ୍ରିୟ ନେତାଙ୍କ ଭିତରେ ସେ ସବୁବେଳେ ଗଣିତ ହେବେ ।

 

Leave a Reply