spot_img
Home Blog Page 6332

‘କୁଲି ନଂ ୧’ର ସୁଟିଂ ସେଟରେ କାହିଁକି ଗାଳି ଶୁଣିଥିଲେ ଷ୍ଟାରକିଡ୍ ସାରା?

ମୁମ୍ବାଇ: ନିକଟରେ ରିଲିଜ ହୋଇଯାଇଛି ସାରା ଅଲ୍ଲି ଖାନ ଏବଂ ବରୁଣ ଧୱନଙ୍କ ଅଭିନୀତ ଫିଲ୍ମ ‘କୁଲି ନଂ-୧’ର ଟ୍ରେଲର । ଏହାର ଟ୍ରେଲରକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିପାରିଛି ।

ଯାହାର ଟ୍ରେଲର ଭର୍ଚୁଆଲ୍ ଲଞ୍ଚରେ ସାରା, ବରୁଣ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସାରା ସୁଟିଂ ସହ ଜଡିତ ଏକ ମଜାଳିଆ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏପରିକି ବରୁଣଙ୍କ ଯୋଗୁଁ ତାଙ୍କୁ ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ଠାରୁ ଗାଳି ଶୁଣିବାକୁ ପଡିଥିଲା ।

ବରୁଣଙ୍କ ପାଇଁ ଗାଳି ଶୁଣିଲି-

ସାରା କୁହନ୍ତି, ଆମେ ସେଦିନ ‘ମେଁ ତୋ ରାସ୍ତେ ସେ ଯା ରାହା ଥା’ ଗୀତର ସୁଟିଂ କରୁଥିଲୁ। ବରୁଣ ଭ୍ୟାନରେ କଷ୍ଟ୍ୟୁମ ଉପରେ କିଛି କାମ କରୁଥିବା ବେଳେ ମୁଁ ସୁଟିଂ ପାଇଁ ପୂରାପୂରି ରେଡୀ ଥିଲି। ହେଲେ ସୁଟିଂରେ ବିଳମ୍ବ ହେଉଥିବାରୁ ଡେଭିଡ୍ ସାର୍ ରାଗିଯାଇଥିଲେ । କିନ୍ତୁ ସେହି ରାଗ ମୋ ଉପରେ ଗାଳି ରୂପେ ପଡିଥିଲା ।

ସାରା ଏବଂ ବରୁଣ ଧୱନ ପ୍ରଥମ ଥର ପାଇଁ ଏକାଠି ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କର ଏହି ଚଳଚ୍ଚିତ୍ର ୧୯୯୫ ମସିହାର ‘କୁଲି ନମ୍ବର୧’ର ରିମେକ୍ । ଯେଉଁ ଫିଲ୍ମର ଲିଡ ରୋଲରେ ଥିଲେ ଗୋବିନ୍ଦା ଏବଂ କରିସ୍ମା କପୁର । ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ଏହି ଫିଲ୍ମ ଡିସେମ୍ବର ୧୧ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।

ପ୍ରବଳ ଜାଡ଼ରେ ଥରୁଛି ଗାଁଠୁ ସହର, ୧୧ସହରରେ ୧୫ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ । ପ୍ରବଳ ଜାଡ଼ରେ ଥରୁଛି ଗାଁଠୁ ସହର । ୧୧ସହରରେ ୧୫ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ସୋନପୁରରେ ୯ ଡ଼ିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ଦାରିଙ୍ଗବାଡ଼ିରେ ୯.୫, ଅନୁଗୁଳରେ ୧୦.୬, ଫୁଲବାଣୀରେ ୧୧.୩ , କେନ୍ଦୁଝର ୧୨.୦, ବାରିପଦାରେ ୧୨.୪ , ଭବାନୀପାଟଣାରେ ୧୨.୮, କୋରାପୁଟରେ ୧୩.୦, ଝାରସୁଗୁଡ଼ାରେ ୧୩.୨,ବଲାଙ୍ଗୀରରେ ୧୪ ଓ କଟକରେ ୧୪.୮ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।

ସେହିଭଳି ଭୁବନେଶ୍ୱରରେ ୧୬.୦ଡ଼ିଗ୍ରୀ ରହିଛି ତାପମାତ୍ରା । ସେପଟେ ରାଜ୍ୟରେ ଆହୁରି ୩ରୁ ୪ଡିଗ୍ରୀ କମିବ ପାରଦ, ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି । ସେପଟେ ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ । ଓଡିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ । ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କୋହଲା ପାଗ ସହ କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

କରୋନା ମହାମାରୀ ବେଳେ ଭୁଲିଯାଇଥିଲେ ଦାୟିତ୍ୱ, ଭାବି ଜ୍ୱାଇଁଙ୍କ ସହ କରୁଥିଲେ ମଉଜ

ଗଞ୍ଜାମ: ଲକ୍‌ଡାଉନ୍‌ରେ ଅୟସ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମ କରୋନା କବଳରେ ଥିବା ବେଳେ ପାଠକ ପରିବାର ସହ ମିଶି ଅୟାସୀ କରୁଥିଲେ ପ୍ରଦୀପ । ଧିରେ ଧିରେ ପାଠକ ପରିବାର ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିଳାସପୂର୍ଣ୍ଣ ଜୀବନର ଫର୍ଦ୍ଦ ଉପରୁ ପରଦା ହଟୁଛି । ସାମନାକୁ ଆସୁଛି ଚମକାଇବା ଭଳି ତଥ୍ୟ । ଦେଖନ୍ତୁ ଗୋଟିଏ ଦିନରେ ପ୍ରଦୀପ ପାଣିଗ୍ରାହୀଙ୍କ ହୋଟେଲ ରହଣି ଖର୍ଚ୍ଚ ।

ଦିନକରେ ଷ୍ଟାର ହୋଟେଲରେ ରହିବାକୁ ୨ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ତଦନ୍ତରୁ ଏଭଳି ଚମକପ୍ରଦ ତଥ୍ୟ ସାମନାକୁ ଆସିଛି । ଅଗଷ୍ଟ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ତାଜ୍‌ ପ୍ୟାଲେସରେ ରହିଥିଲେ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । କରୋନା ସଙ୍କଟରେ ଯେତେବେଳେ ସାରା ଦେଶ ସଂଘର୍ଷ କରୁଥିଲା, ସେତେବେଳେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ ପ୍ରଦୀପ । ତିନି ଦିନ ତାଜ ହୋଟେଲରେ ରହିବା ପାଇଁ ଖର୍ଚ୍ଚ ହୋଇଥିଲା ୯ଲକ୍ଷରୁ ଅଧିକ ଟଙ୍କା ।

ହୋଟେଲ୍ ବିଲ୍‌ ସାମନାକୁ ଆସିବା ପରେ ସ୍ପଷ୍ଟ ହୋଇଛି, କିଭଳି ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ ପ୍ରଦୀପ । ତେବେ ଏଭଳି ଖର୍ଚ୍ଚ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାଜକୀୟ ଜୀବନ ଯାପନ କରୁଥିଲେ ପ୍ରଦୀପ ଓ ପାଠକ ପରିବାର ? ଗଞ୍ଜାମ ଲୋକଙ୍କ ଆଖିରେ ଧୁଳି ଦେଇ କୋଭିଡ୍ ସଙ୍କଟରେ ବିଳାସମୟ ଜୀବନ ଯାପନ କରୁଥିଲେ । ଅର୍ଥର ସ୍ରୋତ, ଖର୍ଚ୍ଚର ହିସାବ କରୁଛି ଭିଜିଲାନ୍‌ସ ।

ଭାରତରେ କମୁଛି ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୩୧,୧୧୮ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୧,୧୧୮ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୨ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ କରୋନା ମାମଲା ୯୪ ଲକ୍ଷ ୬୨ ହଜାର ୮୧୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୩୫ ହଜାର ୬୦୩ଟି ମାମଲା ସକ୍ରିୟ ରହିଛି ଏବଂ ୮୮ ଲକ୍ଷ ୮୯ ହଜାର ୫୮୫ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦେଶରେ କରୋନା ପାଇଁ ୧ ଲକ୍ଷ ୩୭ ହଜାର ୬୨୧ ଲୋକ ପ୍ରାଣ ହରାଇଛନ୍ତି।

ଶୁଭାରମ୍ଭ ହେଲା ଦୈନିକ ଖବର କାଗଜ ‘ସକାଳ’, ରାଜ୍ୟଠୁ ଦେଶ ବିଦେଶ କାଗଜରେ ରହିବ ପ୍ରତିଟି ଖବର

ଭୁବନେଶ୍ୱର: କାହାକୁ ଡରିବାର ନାହିଁ କିମ୍ବା କେଉଁଠି ହାରିବାର ନାହିଁ । ରଙ୍ଗ ବଦଳାଇବାର ନାହିଁ କିମ୍ବା କାହା ହାତ ଛାଡିବାର ନାହିଁ । କେବଳ ନିର୍ଭୁଲ ଓ ସଠିକ ଖବର ଦେଖାଇ ଅଗଣିତ ପାଠକଙ୍କ ଆସ୍ଥା ଜିତିବ । ରାଜ୍ୟଠୁ ନେଇ ଦେଶ ବିଦେଶର ରାଜନୀତି, ଅର୍ଥନୀତି, ଅପରାଧ, କ୍ରୀଡ଼ା, ମନୋରଂଜନ ଆଦି କ୍ଷେତ୍ରରେ ପାଠକଙ୍କୁ ସତେଜ ଖବର ଭେଟି ଦେବ । ବଦଳୁଥିବା ଯୁଗ ସହ ତାଳ ଦେଇ ଲୋକଙ୍କ ରୁଚି ମୁତାବକ ଖବର ପ୍ରକାଶ କରିବ ସକାଳ । ଶାସନ ଓ ପ୍ରଶାସନ ସହିତ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିବାକୁ ସକାଳ ପ୍ରତିଶ୍ରୁତି ବଦ୍ଧ ।

ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ଘଟଣାର ସାଜିବ ଜାଗତ ପ୍ରହରୀ । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସ୍ୱରକୁ ଶାଣିତ କରିବ । ସାଜିବ ସାଧାରଣ ଲୋକଙ୍କ ସ୍ୱର । ଏପରି ପ୍ରତିଶ୍ରୁତି ଦେଇ ଆତ୍ମପ୍ରକାଶ କରିଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ ।

ଗତକାଲି ହୋଟେଲ ମାରିଅନରେ ‘ସକାଳ’ର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଛି । ଉଦଘାଟନ ଉତ୍ସବରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ତଥା ସକାଳର ମୁଖ୍ୟ ସମ୍ପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ କୁମାର ମଲ୍ଲିକ, ସକାଳର ନ୍ୟୁଜ ଏଡିଟର ସମରେନ୍ଦୁ ଦାସ, ନନ୍ଦିଘୋଷ ଟିଭିର ସିଇଓ ଜବରସିଂ ପନୱର , ସଂପାଦକ ଶିଶିର ଭଟମିଶ୍ର ଉପସ୍ଥିତ ରହି ସକାଳ ଖବରକାଗଜକୁ ଉନ୍ମୋଚନ କରିଛନ୍ତି । ନିର୍ଭୁଲ, ସଠିକ ଓ ସତେଜ ଖବର ପ୍ରସାରଣ କରି ସକାଳ ଜନାଦୃତ ଲାଭ କରିବ ବୋଲି ଅତିଥି ମାନେ ଆଶା ପୋଷଣ କରିଛନ୍ତି ।

୧୯୭୦ରେ ନେପାଳି ରେଡ଼ିଓରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ ଉଦିତ

ମୁମ୍ବାଇ: ଉଦିତ ନାରାୟଣ ଝା । ଜଣେ ନେପାଳି ଗାୟକ ଅଟନ୍ତି ବଲିଉଡ ଓ ନେପାଳୀ ଫିଲ୍ମରେ ସେ ଖୁବ୍ ଜଣାଶୁଣା । ସେ ନେପାଳୀ, ଭୋଜପୁରୀ, କନ୍ନଡ଼, ମରାଠୀ, ତାମିଲ, ତେଲୁଗୁ, ମାଲୟାଲମ, ସିନ୍ଧି, ପଞ୍ଜାବୀ, ଓଡ଼ିଆ, ଅସମୀୟା, ମଣିପୁରୀ, ମୈଥିଳୀ ଓ ବଙ୍ଗାଳୀ ପ୍ରଭୃତି ଭାଷାରେ କଣ୍ଠ ଦାନ କରିଛନ୍ତି । ସେ ତିନି ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ଓ ପାଞ୍ଚ ଥର ଫିଲ୍ମ ଫେୟାର ପୁରସ୍କାର ଜିତିଛନ୍ତି । ୨୦୦୧ରେ ଉଦିତ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କୁ ଏହି ଉପାଧି ନେପାଳର ଭୂତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହା ଦେବ ଦେଇଥିଲେ । ୨୦୦୯ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାର ତାଙ୍କୁ ସମ୍ମାନିତ କରିଥିଲେ ।

କେବେଠୁ ଆରମ୍ଭ ହେଲା ସଂଗୀତର ଏହି ଯାତ୍ରା

୧ ଡିସେମ୍ବର ୧୯୫୫ରେ ଭାରଦାହ, ନେପାଳଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରେ କୃଷ୍ଣ ଝା ଓ ମାଙ୍କ ନାମ ଭୁବନେଶ୍ୱରୀ ଦେବୀ । ସେ ପି॰ବି ସ୍କୁଲରୁ ଦଶମ ଶ୍ରେଣୀ ପାସ କରିଥିଲେ । ବଲିଉଡ ଜଗତରେ ଉଦିତଙ୍କ ସ୍ୱର ପ୍ରାୟ ସମସ୍ତ ହିରୋ ଯଥା ଅମିର ଖାନ୍, ଶାହାରୁଖ ଖାଁ, ଅକ୍ଷୟ କୁମାର, ହ୍ରିତିକ ରୋଶନ ଓ ଅଜୟ ଦେବଗନଙ୍କ ସ୍ୱର ସହ ଖାପ ଖାଏ । ୧୯୭୦ରେ ସେ ପ୍ରଥମେ ନେପାଳ ରେଡିଓ ପାଇଁ ଗାଇ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

୧୯୮୦ରେ ସେ ପ୍ରଥମେ ‘ଉନିସ ବିସ ‘ ହିନ୍ଦୀ ଫିଲ୍ମ ପାଇଁ କଣ୍ଠଦାନ କରିଥିଲେ । ଏହି ଗୀତ ସେ ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ସହ ଗାଇଥିଲେ । ୧୯୮୩ରେ ‘ବଡେ ଦିଲ ୱାଲା’ ଫିଲ୍ମରେ ଆର॰ଡ଼ି ବର୍ମନ ରଚିତ ଏକ ଗୀତ ଲତା ମଙ୍ଗେସକରଙ୍କ ସହ ଗାଇବାର ସୁଯୋଗ ପାଇଥିଲେ । ସେହି ବର୍ଷ ସେ କିଶୋର କୁମାରଙ୍କ ସହ ମଧ୍ୟ ଗୀତ ଗାଇଥିଲେ । ୧୯୮୮ରେ ଆନନ୍ଦ-ମିଳିନ୍ଦ ତାଙ୍କୁ ‘କୟାମତ ସେ କୟାମତ ତକ ‘ ଫିଲ୍ମର ସମସ୍ତ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଆଲ୍କା ୟାଗ୍ନିକ୍ଙ୍କ ସହ ଗାଇଥିବା ଏହି ଫିଲ୍ମର ଗୀତ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।୨୦୧୫ରେ ଦାଦା ସାହେବ ଫାଲକେ ଆୱାର୍ଡ଼, ଡ଼କ୍ଟର ଆମ୍ବେଦକର ଆୱାର୍ଡ଼, ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ.ପଦ୍ମଶ୍ରୀ ସହ ସେ ଅନେକ ସମ୍ମାନରେ ସମ୍ମାନିତ ହେଇଛନ୍ତି ।

କିଛି ଏହିଭଳି ଥିଲା ଉଦିତ୍ ନାରାୟଣଙ୍କର ସଙ୍ଗୀତ ଯାତ୍ରା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କର ଆଜି ହେଉଛି ୬୫ତମ ଜନ୍ମଜୟନ୍ତୀ । ତାଙ୍କର ସୁମଧୁର କଣ୍ଠ ଏବଂ ହସହସ ଚେହେରା ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

୧୯୭୦ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ଉଦିତ ଅମିତାଭ ବଚ୍ଚନ, ଶାହରୁଖ ଖାନ, ରାଜେଶ ଖନ୍ନା, ଦେବ ଆନନ୍ଦ, ଅକ୍ଷୟ କୁମାର, ସଲମାନ ଖାନ, ଅଜୟ ଦେବଗନଙ୍କ ଭଳି ତାରକାଙ୍କ ପାଇଁ ଗୀତ ଗାଇଛନ୍ତି। ପ୍ରଥମେ ପ୍ରଥମେ ସେ ରେଡିଓ ନେପାଳ ପାଇଁ ମୈଥଲି ଫୋକ୍ ସିଙ୍ଗର ଏବଂ ପରେ ଆଧୁନିକ ନେପାଳୀ ଗୀତ ଗାଇବା ଆରମ୍ଭ କରିଥିଲେ ।

ଏହାର ୮ ବର୍ଷ ପରେ ସେ ମୁମ୍ବାଇ ଆସିଥିଲା ବେଳେ ତାଙ୍କର ବଲିଉଡ କ୍ୟାରିୟର ୧୯୮୦ରୁ ଆରମ୍ଭ ହୋଇଥିଲା ।

ନେପାଳୀ ମ୍ୟୁଜିକ୍ ସ୍କଲାରସିପ୍ ନେଇ ସେ ମୁମ୍ବାଇ ଆସିଥିଲେ। ଭାରତୀୟ ବିଦ୍ୟା ମଣ୍ଡପରେ ଶାସ୍ତ୍ରୀୟ ସଙ୍ଗୀତ ଅଧ୍ୟୟନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ୧୯୮୦ରେ ଉଦିତ୍ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲା ବେଳେ ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନଙ୍କ ଚଳଚ୍ଚିତ୍ର ‘ଉନିଶ-ବିଶ’ରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ। ସେ ସମୟରେ ଗାୟକ ମହମ୍ମଦ ରାଫିଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଥିଲେ ଉଦିତ୍। ଆଉ ତା’ ପରେ ସେ ଲତା ମଙ୍ଗେଶକର, ଆରଡି ବର୍ମନ, କିଶୋର କୁମାର, ଆନନ୍ଦ ମିଲିନ୍ଦ, ବପି ଲହିରିଙ୍କ ସହ କାମ କରି ସଙ୍ଗୀତ ଦୁନିଆରେ ଏକ ପରିଚୟ ସୃଷ୍ଟି କରିଥିଲେ।

ସଫଳତାର ପାହାଚ ଚଢିଥିବା ଉଦିତ ଏକଦା ବିବାଦ ଘେରରେ ରହିଥିଲେ-

୨୦୦୬ରେ ରଂଜନା ନାରାୟଣ ଦାବି କରିଥିଲେ ଯେ ସେ ଉଦିତଙ୍କ ପତ୍ନୀ ବୋଲି । ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ଉଦିତ । ତେବେ ପରବର୍ତ୍ତୀ ସମୟରେ ସେ ରଂଜନାଙ୍କୁ ଗ୍ରହଣ କରିଥିଲେ । କିନ୍ତୁ ୧୯୮୫ ମସିହାରେ ଦୀପାଙ୍କ ସହ ବୈବାହିକ ବନ୍ଧନରେ ଆବଦ୍ଧ ହୋଇଥିଲେ ସେ । ଦୁହିଁଙ୍କର ଆଦିତ୍ୟ ନାରାୟଣ ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି । ଆଦିତ୍ୟ ମଧ୍ୟ ବାପାଙ୍କ ଭଳି ଜଣେ ଗାୟକ ।

ତାଙ୍କର କିଛି ଶ୍ରେଷ୍ଠ ଗୀତ-

ବଲିଉଡରେ ଉଦିତଙ୍କୁ ପରିଚୟ ଆଣିଦେଇଥିଲା ‘କୟାମତସେ କୟାମତ୍’ ଚଳଚ୍ଚିତ୍ର । ଏହା ପରେ ସେ ୯୦ ଦଶକରେ ବଲିଉଡ ସଙ୍ଗୀତ ଜଗତର କିଙ୍ଗ ବୋଲାଇଥିଲେ ।

ଜୋ ଜିତା ଓହି ସିକେନ୍ଦର, ଯାଦୁ ତେରି ନଜର, ଚାନ୍ଦ ଛୁପା ବାଦଲ ମେଁ, ମେ ୟାହାଁ ହୁଁ, ପାପ କେହେତେ ହେଁ ଆଦି ।

ଜଣେ ସଙ୍ଗୀତକାର ହେବା ସହ ଉଦିତ୍ ଅଭିନେତା ମଧ୍ୟ। ୧୯୮୫ ମସିହାରେ ଉଦିତ୍ ନେପାଳୀ ଫିଲ୍ମ କୁସୁମେ ରୁମାଲରେ ଅଭିନୟ କରିଥିଲେ, ଯାହା ହିଟ୍ ମଧ୍ୟ ହୋଇଥିଲା ।

ଜମିବାଡ଼ିକୁ କେନ୍ଦ୍ର କରି ତୁମୁଳ କାଣ୍ଡ, ମହିଳାଙ୍କ ଚୁଟି ଘୋଷାଡ଼ି ନିର୍ଧୁମ ପିଟିଲେ

ଡ଼େଲାଙ୍ଗ: ଜମିବାଡ଼ି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ମହିଳାଙ୍କୁ ପିଟିଲେ । ତଳେ ପକାଇ ଚୁଟି ଟାଣି ଘୋଷାଡ଼ି ମାଡ଼ ମାରିଲେ । ଏଭଳି ଏକ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଦେଖିବାକୁ ମିଳିଛି । ପଡ଼ିଶା ଘରର ଲୋକା ଆକ୍ରମଣ କରିଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନୟାଗଡ଼ ଘଟଣା ଥମି ନଥିବା ବେଳେ ଡେଲାଙ୍ଗରେ ଜଣେ ମହିଳାଙ୍କୁ ଯୁବକ ମାନେ ମିଳିତ ହୋଇ ମାଡ଼ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପୋଲିସ ସୁତ୍ରରୁ ପ୍ରକାଶ ଯେ ହରିରାଜପୁର ଗାଁର କବିତା ପ୍ରଧାନ, ସ୍ୱାମି କାଳନ୍ଦି ପ୍ରଧାନ ଓ ତାଙ୍କ ପୁଅ ,ଝିଅଙ୍କ ଉପରେ ସକାଳ ୮.୩୦ରେ ପଡ଼ିଶା ଘରର ପୁରଷ , ମହିଳା ମାନେ ଆକ୍ରମଣ କରିଥିଲେ । ମିଳିତ ହୋଇ କବିତାଙ୍କ ଘର ପାଚୋରୀ ଡେଇଁ କିଛି ବୁଝିବା ଆଗରୁ ସେମାନେ ଲୁହାଛଡ, ପାଣିପାଇପ, ସାବଳ, କଟୁରୀରେ କବିତା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଥିଲେ ।

ତେବେ କବିତାଙ୍କୁ ମାଡ ମାରୁଥିବା ବେଳେ ତାଙ୍କ ଝିଅ ଭିଡିଓ ରେକଡିଂ କରୁଥିବା ଦେଖି ଝିଅକୁ ମାଡ ମାରିବା ସହିତ ମୋବାଇଲି ଛଡାଇ ନେଇଛନ୍ତି । ଏପରିକି କବିତାଙ୍କୁ ମାଡ଼ ମାରି ଗୋଡ ହାତ ଭାଙ୍ଗିଦେଇଥିବା ଜଣାପଡ଼ିଛି । ରତିକାନ୍ତ ପାତ୍ର, ପ୍ରସାନ୍ତ ପାତ୍ର, ସୁଶାନ୍ତ ପାତ୍ର, ମାନସୀ ପାତ୍ର ପ୍ରମୁଖଙ୍କ ନାମରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।  କବିତା ମେଡିକାଲରେ ଚିକିତ୍ସା ହୋଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷେ ଡେଲାଙ୍ଗ ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି । ଏହାକୁ ନେଇ ମହିଳା ସଂଗଠନ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି ।

ଚିକିତ୍ସା କ୍ଷେତ୍ରରେ ସଫଳ ହେଉଛି ଓଡ଼ିଶା, ପୁଣିଥରେ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ହେଲା ସଫଳ

ଭୁବନେଶ୍ୱର: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ଏହି ଅପରେସନରେ ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ, ହେପାଟୋଲଜି, ଆନାସ୍ଥେସିଆ, କାର୍ଡିଓଲୋଜି, ୟୁରୋଲୋଜି, ନେଫ୍ରୋଲୋଜି, ରେଡିଓଲୋଜି, ଓଟି, ଇନଫେକସନ କଣ୍ଟ୍ରୋଲ, ସେଣ୍ଟ୍ରାଲ ଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ସ ମାନଙ୍କୁ ମିଶାଇ ୪୦ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ ।

ସମ୍ବଲପୁର ଅଞ୍ଚଳର ଉମେଶ କୁମାର ରାଉତଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ ତାଙ୍କ ଯକୃତର ୬୦ ପ୍ରତିଶତ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ତାଙ୍କ ଜୀବନ ବଞ୍ଚାଇବାପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲାବୋଲି ପ୍ରଫେସର ସାହୁ କହିଛନ୍ତି ।

ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା । ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ । ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।

କୃଷକ ସଂଗଠନ ଗୁଡ଼ିକୁ ଆଲୋଚନା ପାଇଁ ଡାକିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା । ପୂର୍ବରୁ ୩ ତାରିଖରେ ଆଲୋଚନା ପାଇଁ ସ୍ଥିର କରାଯାଇଥିବା ବେଳେ ଚାଷୀ ଆନ୍ଦୋଳନ ଚାପରେ ଆଜି ସରକାର ବୈଠକ ଡାକିଛନ୍ତି । ଅପରାହ୍ନ ୩ଟାରେ ବିଜ୍ଞାନ ଭବନରେ ବୈଠକ ହେବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।

ସେପଟେ ଦିଲ୍ଲୀ ସୀମା ସିନ୍ଧୁରେ ଚାଷୀଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ବିନା ସର୍ତ୍ତରେ ସମସ୍ୟାର ସମାଧାନ ଜିଦ୍‌ରେ ଅଟଳ ରହିଛନ୍ତି ଚାଷୀ । ଏଥିସହ ବିନା କୌଣସି ଆଲୋଚନାରେ ତିନୋଟି ଯାକ କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି  । ନହେଲେ ଦିଲ୍ଲୀକୁ ସଂଯୋଗ କରୁଥିବା ୫ଟି ଯାକ ରାସ୍ତାକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଚାଷୀଙ୍କ ଏଭଳି ଚେତାବନୀକୁ ଗୁରୁତ୍ବର ସହ ନେଇଛନ୍ତି କେନ୍ଦ୍ର ସରକାର ।

ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିବାବେଳେ କୃଷିମନ୍ତ୍ରୀଙ୍କ ସହ ଅମିତ ଶାହା ବୈଠକ କରିଛନ୍ତି । ପୂର୍ବରୁ ବୁରାଡିରେ ଆନ୍ଦୋଳନ କଲେ ଚାଷୀଙ୍କ ସହ ସରକାର ଆଲୋଚନା କରିବେ ବୋଲି ସର୍ତ୍ତ ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  । ବୁରାଡିକୁ ଖୋଲା ଜେଲ ବୋଲି କହି ଚାଷୀ ଏହି ସର୍ତ୍ତକୁ ଖଣ୍ଡନ କରିଥିଲେ  ।