ଓଡ଼ିଶା ପୂର୍ବ ଭାରତର ଏଜୁକେସନ୍ ହବ୍ ଭାବେ ଉଭା ହୋଇଛି: ମୁଖ୍ୟମନ୍ତ୍ରୀ

1 min read

ସମ୍ୱଲପୁର: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ସମ୍ୱଲପୁର ୨୦୧୫ରେ ପ୍ରତିଷ୍ଠା ହୋଇଥିଲା । ଇତିମଧ୍ୟରେ ଏହି ଅନୁଷ୍ଠାନ ଦେଶର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ନିଜ ଖ୍ୟାତି ଅର୍ଜନ କରିପାରିଛି । ମାତ୍ର ୫ ବର୍ଷ ମଧ୍ୟରେ ଏହା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଏକ ସକାରାତ୍ମକ ଛାପ ଛାଡ଼ିପାରିଛି । ପ୍ରଚୀନ କାଳରୁ ହିଁ ଓଡ଼ିଶାରେ ଶିକ୍ଷାର ଉତ୍କୃଷ୍ଠ ପରମ୍ପରା ରହିଛି । ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି ।ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଦ୍ରୁତଗତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM), ସମ୍ୱଲପୁର କ୍ୟାମ୍ପସର ଶିଳାନ୍ୟାସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ  ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ନୀତିଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ ।

         ଶିକ୍ଷା କ୍ଷେତ୍ରରେ ରାଜ୍ୟ ନିଜ ପ୍ରଭାବ ବଜାୟ ରଖିବା ସହ ରାଜ୍ୟ ପୂର୍ବ ଭାରତର ଏଜୁକେସନ୍ ହବ୍‌ରେ ପରିବର୍ତ୍ତନ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଆଇଆଇଏମ୍, ଆଇଆଇଟି, ନାଇଜର, ଏମ୍ସ, ଏନ୍‌ଏଲ୍‌ୟୁ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହ ଏହା ପ୍ରମାଣିତ କରିପାରିଛି  । ଓଡ଼ିଶା ଦେଶର ନୂଆ ଗବେଷଣାର ହବ୍ ଭାବେ ଉଭା ହୋଇପାରିଛି । ଏ  ନେଇ ଭାରତ ସରକାରଙ୍କ ସହଯୋଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାନବ ସମ୍ୱଳ ବିକାଶ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍କିଲ୍ଡ ଇନ୍ ଓଡ଼ିଶା ଏବେ ଅନ୍ତର୍ଜାତୀୟ ବ୍ରାଣ୍ଡ ହୋଇସାରିଥିବା ସେ  କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: IIM ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଲେ, ମ୍ୟାନେଜମେଣ୍ଟ୍ କେବଳ କମ୍ପାନୀଙ୍କୁ ସମ୍ଭାଳିବା ନୁହେଁ, ଜୀବନକୁ ବି ସମ୍ଭାଳିବା

Leave a Reply