spot_img
Home Blog Page 6316

ଜିଅନ୍ତା ପୋଡ଼ି ମାରି ଦିଆଯାଇଥିବା ପୁଜାରୀଙ୍କ ସତ୍କାରକୁ ପରିବାରର ପ୍ରତ୍ୟାଖ୍ୟାନ, ୫୦ ଲକ୍ଷ କ୍ଷତିପୂରଣ-ଚାକିରି ଦାବି

ଜୟପୁର: ରାଜସ୍ଥାନର କରୌଲିରେ ପୋଡ଼ି ମାରି ଦିଆଯାଇଥିବା ପୁଜାରୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଦେଇଛନ୍ତି ସମ୍ପର୍କୀୟ ଓ ପରିବାର ଲୋକ । ସେମାନଙ୍କ ଦାବି ପୁରଣ ନହେବା ଯାଏଁ ପୁଜାରୀ ବାବୁଲାଲଙ୍କ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି କହିଛନ୍ତି । ତେବେ ପୁଜାରୀଙ୍କୁ ପୋଡ଼ି ମାରିବା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ ।

Priest Murdered In Rajasthan Karauli For Temple Land

ଏହାରି ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୁଜାରୀ ବାବୁଲାଲଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଅନୁରାେଧ କରାଯାଇଥିଲା । ହେଲେ ଏଥିରେ ରାଜି ହୋଇନଥିଲେ ପରିବାର ଲୋକ । କରୌଲି ଏସ୍‌ଡିଜେଏମ୍‌ ଓମ୍‌ ପ୍ରକାଶ ମିଣା କହିଛନ୍ତି, ପରିବାର ପକ୍ଷରୁ ଚତୁର୍ଥ ଦାବି ରଖାଯାଇଛି । ସିନିଅର ଅଫିସ୍‌ରଙ୍କ ଦ୍ୱାରା ସରକାରଙ୍କ ନିକଟରେ ପରିବାର ଲୋକଙ୍କ ଦାବି ରଖିବାକୁ ଚେଷ୍ଟା କରାଯାଉଛି । ହେଲେ ଏହାରି ଭିତରେ ଦୁଇ ଦିନ ହେଲା ପୁଜାରୀଙ୍କ ମୃତଦେହ ପଡ଼ି ରହିଛି ତେଣୁ ପରିବାର ଲୋକ ଶୀଘ୍ର ସତ୍କାର କରିଦିଅନ୍ତୁ ।

Priest Murdered In Rajasthan Karauli For Temple Land

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ପୁରୋହିତଙ୍କ ସମ୍ପର୍କୀୟ ଲଲିତ କହିଛନ୍ତି ଯେ, ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଶବଦାହ କରିବୁ ନାହିଁ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସରକାରୀ ଚାକିରି ଦେବାକୁ ଆମେ ଦାବି କରୁଛୁ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଉଚିତ ଏବଂ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା ପୋଲିସ୍ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

karoli

ସୂଚନାଯୋଗ୍ୟ, ରାଜସ୍ଥାନର କରୌଲିରେ ଜମି ବିବାଦକୁ ନେଇ ଦୁଇଦିନ ତଳେ ଜଣେ ମନ୍ଦିର ପୂଜକଙ୍କୁ ହତ୍ୟା କରାଯାଇଥିଲା । ଜମି ପାଇଁ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଦେଇଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ପୂଜାରୀଙ୍କୁ ଜୟପୁରର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କୈଳାସ ମୀଣାଙ୍କୁ କରୌଲି ପୋଲିସ ଗିରଫ କରିସାରିଛି ।

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ଅପରାଜିତାଙ୍କ ଅଫିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ଉତ୍ସବ ପାଳିବା ମହଙ୍ଗା ପଡ଼ିଲା । ସିଲ୍ ହେଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ଅଫିସ । ପଳାଶପଲ୍ଲୀରେ ଥିବା ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍ କରିଛି ବିଏମ୍‌ସି । କମିଶନରେଟ୍ ପୋଲିସ ସହାୟତାରେ ଅଫିସ ସିଲ୍ ହୋଇଛି । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୫ ଦିନ ପାଇଁ ସିଲ୍ ହୋଇଛି ଅଫିସ । ଏଥିପାଇଁ ବିଏମ୍‌ସି ଜୋନାଲ ଡେପୁଟି କମିଶନର ରବି ନାରାୟଣ ଓ ଏସିପି ବିଷ୍ଣୁ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଫିସକୁ ସିଲ୍‌ କରିଛନ୍ତି ।

ସେପଟେ କୋଭିଡ୍ ନିୟମ ବାରମ୍ବାର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏନେଇ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଦାବି କରିଛନ୍ତି କୋଭିଡ୍‌ ଯୋଦ୍ଧା । ସାଂସଦ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିକଟରେ ଦାବି ହୋଇଛି । ଦାବିରେ ଉଲ୍ଲେଖ ରହିଛି କି, କୋଭିଡ ମହାମାରୀସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ତିଳେ ମାତ୍ର ଭୃକ୍ଷେପ କରୁନାହାଁନ୍ତି । ବାରମ୍ବାର କୋଭିଡ ଆଇନ ଭଙ୍ଗକରି ସମାବେଶ କରୁଛନ୍ତି । ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।

କେବଳ ଏତିକି ନୁହେଁ, ସମାଜରେ ବିଭିନ୍ନ ଅପରାଧରେ ସାମିଲ ଥିବା ଅପରାଧୀମାନଙ୍କ ସହ ସାଂସଦ ମଧ୍ୟ ଏକତ୍ରିତ ହେଉଛନ୍ତି । ଗୁରୁବାର ଜନ୍ମଦିନ ପାଳନବେଳେ ଦେବାଶିଷ ନାୟକ ଓ ତାଙ୍କର ୨୦ରୁ ଅଧିକ ସମର୍ଥକ ଉପସ୍ଥିତ ଥିଲେ । ସମସ୍ତେ ନାଚଗୀତରେ ମସଗୁଲ ଥିଲେ । ହେଲେ କେହି ସାମାଜିକ ଦୂରତା ପାଳନ କରିନଥିଲେ କି ମୁହଁରେ ମାସ୍କ ପିନ୍ଧିନଥିଲେ । କୋଭିଡ  ଯୋଦ୍ଧାଙ୍କ ଦିନରାତିର ଅକ୍ଲାନ୍ତ ପରିଶ୍ରମର ସେ ମଜାକ ଉଡାଇଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି ।

ଅପରାଜିତା ଷଡଙ୍ଗୀ ଗତ ଗୁରୁବାର ତାଙ୍କ ଜନ୍ମଦିନ ପାଳନ ଅବସରରେ କୋଭିଡ୍ ଆଇନ୍ ଭାଙ୍ଗିଥିଲେ । ପୂର୍ବରୁ ମଧ୍ୟ ଏକାଧିକ ବାର କୋଭିଡ୍‌ ନିୟମ ଭାଙ୍ଗିଥିଲେ ଅପରାଜିତା । ଏହାକୁ ନେଇ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରେ ଦାବି ଜୋର ଧରିଛି ।

ଦୁଷ୍କର୍ମ ମାମଲା ବୃଦ୍ଧି ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟର ରାଜ୍ୟଙ୍କୁ ପରାମର୍ଶ, ସବୁ ମାମଲାରେ ପଦକ୍ଷେପ ନିଅ

ନୂଆଦିଲ୍ଲୀ: ଦେଶରେ ମହିଳା ବିରୋଧୀ ଅପରାଧକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ପରାମର୍ଶ ଜାରି କରିଛି । ଗତ କିଛି ଦିନ ମଧ୍ୟରେ ଦେଶରେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ବୃଦ୍ଧି ଘଟିଛି । ବିଶେଷକରି ଉତ୍ତରପ୍ରଦେଶର ହାଥରସ ମାମଲା ଦେଶକୁ ଥରାଇ ଦେଇଛି । ହାଥରସ ମାମଲାରେ ପୋଲିସ ପ୍ରାରମ୍ଭିକ ତଦନ୍ତ ଓ ପଦକ୍ଷେପ ନେବାରେ ଯେଉଁଭଳି ହେଳା ଦେଖାଇଥିଲା ତାକୁ ନେଇ ଉତ୍ତର ପ୍ରଦେଶ ସରକାରକୁ ଚାରି ଆଡୁ ସମାଲୋଚନା କରାଯାଉଛି । ଅଧିକାଂଶ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ଥାନାର ଚକ୍କର କାଟିବାକୁ ପଡିଥାଏ । ଏହାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି ଯେ, ଏତଲା ରଖିବାରେ ପୋଲିସ ବାହନାବାଜି ନକରୁ । ଏତଲା ଦାଏର କରିବା ଅନିବାର୍ଯ୍ୟ । ମନ୍ତ୍ରଣାଳୟ ତରଫରୁ ଆଇପିସି ଓ ସିଆରପିସିର ପ୍ରାବଧାନର ଉଲ୍ଲେଖ କରି କୁହାଯାଇଛି ଯେ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏହାର ପାଳନକୁ ସୁନିଶ୍ଚିତ କରନ୍ତୁ । ଦାୟିତ୍ୱହୀନ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଲାଗି ଏଥିରେ ସୁପାରିସ କରାଯାଇଛି ।

MHA ପରାମର୍ଶରେ କ’ଣ ଅଛି ?

ଦୁଷ୍କର୍ମ ମାମଲାର ଏତଲା ଦାଏର କରିବା ଅନିବାର୍ଯ୍ୟ । ଆଇନରେ ଜିରୋ ଏଫଆଇଆରର ବ୍ୟବସ୍ଥା ରହିଛି । (ଯଦି ଅପରାଧ ଥାନା ପରିସୀମା ବାହାରେ ହୋଇଥାଏ, ତେବେ ଜିରୋ ଏଫଆଇଆର ଦାଏର କରାଯାଇ ପାରିବ ।)

  • IPC ଧାରା ୧୬୬ ଏ(ସି) ଅନ୍ତର୍ଗତରେ ଏଫଆଇଆର ଦାଏର ନକଲେ ଅଧିକାରୀଙ୍କ ବିରୋଧରେ ଦଣ୍ଡର ବ୍ୟବସ୍ଥା ରହିଛି ।
  • ସିଆରିପିସି ଧାରା ୧୭୩ରେ ଦୁଷ୍କର୍ମ ସମ୍ବନ୍ଧିତ ମାମଲାର ତଦନ୍ତ ୨ ମାସ ମଧ୍ୟରେ କରାଯିବାର ପ୍ରାବଧାନ ରହିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏଥିପାଇଁ ଅନଲାଇନ୍ ପୋର୍ଟାଲ ତିଆରି କରିଛନ୍ତି । ଏହା ସବୁ ମାମଲାରେ ମନିଟରିଂ କରିଥାଏ ।
  • ସିଆରିପିସିର ଧାରା ୧୬୪-୧ ଅନୁସାରେ ଦୁଷ୍କର୍ମ,ଯୌନଶୋଷଣ ମାମଲା ସାମ୍ନାକୁ ଆସିଲେ ପୀଡିତାଙ୍କ ସହମତିରେ ମେଡିକାଲ ଯାଂଚ କରାଯିବ ।
  • ଭାରତୀୟ ପ୍ରମାଣ ଆଇନର ଧାରା ୩୨(୧) ଅନୁସାରେ ମୃତ ବ୍ୟକ୍ତିଙ୍କ ବୟାନ ତଦନ୍ତର ମହତ୍ୱପୂର୍ଣ୍ଣ ତଥ୍ୟ ହେବ ।
  • ଫରେନସିକ୍ ସାଇନ୍ସ ସର୍ଭିସେସ୍ ଡାଇରେକ୍ଟୋରେଟ୍ ଦୁଷ୍କର୍ମ ମାମଲାରେ ଫରେନସିକ୍ ପ୍ରମାଣ ସଂଗ୍ରହ ଓ ଜମା କରିବା ପାଇଁ ଗାଇଡଲାଇନ୍ ତିଆରି କରିଛନ୍ତି । ତାହାର ପାଳନ ହେଉ ।
  • ଯଦି ପୋଲିସ ଏହି ପ୍ରାବଧାନକୁ ପାଳନ କରୁନାହିଁ ତେବେ ନ୍ୟାୟ ମିଳିବ ନାହିଁ । ଯଦି କୌଣସି ପ୍ରକାରର ଦାୟିତ୍ୱହୀନତାର ପ୍ରମାଣ ସାମ୍ନାକୁ ଆସେ ତେବେ ଏଭଳି ଅଧିକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । 

କଣ ପାଇଁ ଜାରି ହେଲା ଆଡଭାଇଜରୀ ?
ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଅନେକ ସମୟରେ ପୋଲିସର ସମ୍ବେଦନହୀନତା ସାମ୍ନାକୁ ଆସିଥାଏ । ଏତଲା ଦାଏର କରିବାକୁ ନେଇ ପୋଲିସର ବାହନାବାଜୀକୁ ନେଇ ଅନେକ ସମୟରେ ଅଭିଯୋଗ ଆସେ । ଏହାସହ ଠିକ୍ ସମୟରେ ଡାକ୍ତରୀ ଯାଞ୍ଚ ନହେବା କାରଣରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହୁଏ କିମ୍ବା ମିଳିନଥାଏ । ଗୃହମନ୍ତ୍ରଣାଳୟ ଯେଉଁଭଳି ଭାବେ ଏହି ଆଡଭାଇଜରୀ ଜାରି କରିଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସନ୍ତୁଷ୍ଟ ନାହିଁ ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ହଜାର ଟପିଲା, ଜାଣନ୍ତୁ ଦିନକରେ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । କରୋନା ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ବଢୁଛି ସୁସ୍ଥତା ହାର । କିନ୍ତୁ ପୂର୍ବ ରିପୋର୍ଟ ତୁଳନାରେ ରାଜ୍ୟରେ କରୋନା ମୃତ୍ୟୁ ହାରରେ କୌଣସି ପରିବର୍ତ୍ତନ ଆସୁ ନାହିଁ । ପୂର୍ବରୁ କରୋନା ମୃତ୍ୟୁ ସଂଖ୍ୟା ୯ରୁ ୧୦ ଭିତରେ ସମିତ ଥିବା ବେଳେ ଏବେ କିନ୍ତୁ କରୋନା ମୃତ୍ୟୁ ହାର ବଢିଛି । ରାଜ୍ୟରେ ଲଗାତାର କିଛି ଦିନ ହେବ ୧୫ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହେଉଛି । ଗତକାଲି ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାରରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

୧୪ଜିଲ୍ଲାରୁ ୧୫ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ବାଲେଶ୍ୱରର ୪୪ବର୍ଷୀୟ ପୁରୁଷ, ବଲାଙ୍ଗୀରର ୩୬ବର୍ଷିୟ ପୁରୁଷ, ଜଗତସିଂହପୁରର ୫୦ ବର୍ଷିୟା ମହିଳା, ଯାଜପୁରର ୪୦ ବର୍ଷିୟ ପୁରୁଷ, କେନ୍ଦ୍ରାପଡ଼ାର ୬୦ ବର୍ଷିୟ ପୁରୁଷ, ଖୋର୍ଦ୍ଧାର ୫୧ ବର୍ଷିୟ ଓ ୬୨ ବର୍ଷିୟ ପୁରୁଷ, ମୟୁରଭଞ୍ଜର ୩୭ ବର୍ଷିୟ ପୁରୁଷ ଓ ସୁନ୍ଦରଗଡ଼ର ୬୯ବର୍ଷିୟ ପୁରୁଷ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ରାଜ୍ୟରେ ହଜାରେ ଟପିଛି ସମୁଦାୟ କରୋନା ମୃତ୍ୟୁସଂଖ୍ୟା । କରୋନାରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ହଜାରେ ୬ରେ ପହଞ୍ଚିଛି । ଅନ୍ୟପଟେ ଶନିବାରରେ ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୨୮୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୫୯, ଲୋକାଲ କେସ୍ ୧୧୯୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨ଲକ୍ଷ ୪୯ହଜାର ୬୯୩ରେ ପହଞ୍ଚିଥିବା ବେଲେ ଆକ୍ଟିଭ କେସ୍ ୨୮ହଜାର ୨୪୬ ସୁସ୍ଥ ସଂଖ୍ୟା ୨ଲକ୍ଷ ୨୦ହଜାର ୩୮୮ ରହିଛି  ।

ମୋରାଟୋରିୟମ୍‌‌ ଉପରେ ଆଉ ଅଧିକ କୋହଳ ସମ୍ଭବ ନୁହେଁ, ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ରଖିଲେ କାରଣ

ନୂଆଦିଲ୍ଲୀ: ମୋରାଟୋରିୟମ୍ ବା ସୁଧ ଦେବା ଅବଧି ସମୟରେ ଇଏମ୍ଆଇ ଉପରେ ଆଉ ଅଧିକ କୋହଳ ସମ୍ଭବ ନୁହେଁ । ଦୁଇ କୋଟି ପର୍ଯ୍ୟନ୍ତ କୃଷି ଋଣ ଉପରେ ଚକ୍ରବୃଦ୍ଧି ସୁଦ୍ଧ ଛାଡ କରିବା ବ୍ୟତିତ ଅନ୍ୟ କୋଣସି କ୍ଷେତ୍ରରେ କୋହଳ କରିବା ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ କ୍ଷତିକାରକ ହୋଇପାରେ । ସୁପ୍ରିମକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ସତ୍ୟପାଠରେ କୁହାଯାଇଛି ଯେ, ପୂର୍ବରୁ ସରକାର ଏନେଇ ଋଣ ଗ୍ରହିତାଙ୍କୁ ସୁଯୋଗ ଦେଇ ସାରିଛନ୍ତି । ଏବେ ଏହି ପ୍ୟାକେଜରେ ଆଉ ଅଧିକ ଛାଡ କରିବା ସମ୍ଭବ ନୁହେଁ । ସରକାରଙ୍କ ଆର୍ଥିକ ବ୍ୟବସ୍ଥାରେ ଏକ ଡୋମିନି ରହିଛି ।

ଋଣ ନେଉଥିବା କମ୍ପାନୀ ଋଣ ନେବା ପୂର୍ବରୁ ସେମାନଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥାନ୍ତି । କେନ୍ଦ୍ର ଓ ଆରବିଆଇ ଏହା ଉପରେ ହସ୍ତକ୍ଷେପ କରେନାହିଁ । ତେବେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବା ବ୍ୟବସ୍ଥା କ୍ୟାବିନେଟ ଦ୍ୱାରା ମଞ୍ଜୁରି ମିଳିବା ପରେ ଜାରି କରାଯିବ । ପୂର୍ବରୁ ୩ ଲକ୍ଷ କୋଟିରେ ଏମଏସଏମଇ ଏମର୍ଜେନ୍ସି କୋଭିଡ୍ ପଲିସି ଘୋଷଣା ହୋଇଛି । ଏହାଦ୍ୱାରା ଋଣ ଗ୍ରହିତା ଉପକୃତ ହେବା ସହ ସେମାନଙ୍କ ଋଣ ପରିଷୋଧ କରିବାରେ ସହାୟକ ହେବ ।

ସୂଚନା ଅନୁଯାୟୀ, ମୋରାଟୋରିୟମ୍ ବା ସୁଧ ଦେବା ଅବଧି ସମୟରେ ଇଏମ୍ଆଇ ଦେଇ ନଥିବା ଗ୍ରାହକଙ୍କୁ ଆଶ୍ୱସ୍ତି । କୌଣସି ବ୍ୟାଙ୍କ ବା ଫାଇନାନ୍ସ ସଂସ୍ଥା ସୁଧ ଉପରେ ସୁଧ ନେଇପାରିବେ ନାହିଁ । ଏ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ର ସରକାର । ୨ କୋଟି ଟଙ୍କା ପର୍ଯ୍ୟନ୍ତ MSME ଋଣ, ବ୍ୟକ୍ତିଗତ, ଶିକ୍ଷା , ଗୃହ , କାର , କଞ୍ଜୁମର ଡ୍ୟୁରେବଲ, କ୍ରେଡିଟ୍ କାର୍ଡ ବକେୟା ଆଦି କ୍ଷେତ୍ରରେ ଏହି ନିୟମ ଲାଗୁ  ହେବ ବୋଲି କୁହାଯାଇଥିଲା ।

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୪ଶହ ତଳେ ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । କରୋନାକୁ ରୋକିବାରେ ସଫଳ ହେଉଛି ଓଡ଼ିଶା । ଦିନକୁ ଦିନ ତଳକୁ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାରରେ ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୨୮୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୫୯, ଲୋକାଲ କେସ୍ ୧୧୯୫ଜଣ ଚିହ୍ନଟ ହୋଇଛନ୍ତି । ଏବଂ ଲଗାତାର ଦୁଇ ଦିନ ହେବ ଖୋର୍ଦ୍ଧାରେ ଖସୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ତଳେ ଥିବା ବେଳେ ଆଜି ୪ଶହ ତଳକୁ ଖସିଛି ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧାରୁ ଆଜି ଦିନକରେ ସର୍ବାଧିକ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୨୪୪, ସୁନ୍ଦରଗଡ଼ରୁ ୧୪୩, ଅନୁଗୁଳରୁ ୧୩୧, ମୟୂରଭଞ୍ଜରୁ ୧୨୭, ବାଲେଶ୍ବରରୁ ୧୧୬, ପୁରୀରୁ ୧୧୪, କଳାହାଣ୍ଡିରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୯୯, ବଲାଙ୍ଗୀରରୁ ୯୭, ବରଗଡ଼ରୁ ୯୫, ନବରଙ୍ଗପୁରରୁ ୯୨, କେନ୍ଦ୍ରାପଡାରୁ ୯୧, ନବଆପଡାରୁ ୮୩, ସୋନପୁରରୁ ୭୯, ଜଗତସିଂହପୁର ଓ ଝାରସୁଗୁଡାରୁ ୬୮ଜଣ ଲେଖାଏଁ, କେନ୍ଦୁଝରରୁ ୬୭, ଭଦ୍ରକରୁ ୬୬, ନୟାଗଡ଼ରୁ ୬୫, ମାଲକାନଗିରିରୁ ୬୧, କୋରାପୁଟରୁ ୪୬, କନ୍ଧମାଳରୁ ୪୫, ଢେଙ୍କାନାଳରୁ ୪୩, ଗଞ୍ଜାମରୁ ୩୯, ରାୟଗଡା଼ରୁ ୨୯, ବୌଦ୍ଧରୁ ୨୦, ଗଜପତିରୁ ୧୯, ଦେଓଗଡ଼ରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ରାଜ୍ୟରେ ହଜାରେ ଟପିଛି ସମୁଦାୟ କରୋନା ମୃତ୍ୟୁସଂଖ୍ୟା । କରୋନାରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ହଜାରେ ୬ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨ଲକ୍ଷ ୪୯ହଜାର ୬୯୩ରେ ପହଞ୍ଚିଥିବା ବେଲେ ଆକ୍ଟିଭ କେସ୍ ୨୮ହଜାର ୨୪୬ ସୁସ୍ଥ ସଂଖ୍ୟା ୨ଲକ୍ଷ ୨୦ହଜାର ୩୮୮ ରହିଛି  ।

ଅମାନିଆ ଅପରାଜିତାଙ୍କ ନାମରେ ଫେରାଦ, କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସିଲ ହେବ ଅଫିସ

ଭୁବନେଶ୍ୱର: ସିଲ ହେବ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ଅଫିସ । ପଳାସପଲ୍ଲୀ ଅଞ୍ଚଳରେ ଥିବା ଅଫିସ ହେବ ସିଲ । ଘଟଣାସ୍ଥଳରେ ପହଁଚିଲା ବିଏମସି । କମିଶନରେଟ ପୋଲିସ ସହାୟତାରେ ହେବ ସିଲ । ଉକ୍ତ ଅଫିସରେ ସାଂସଦ କୋଭିଡ଼ କଟକଣା ଉଲଂଘନ କରି ପାଳନ କରିଥିଲେ ଜନ୍ମଦିନ । ଏଭଳି ଜନ୍ମଦିନ ପାଳନ ପରେ ଅପରାଜିତାଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ କରୋନା ସମୟରେ ସାମାଜିକ ଦୂରତାକୁ ଅବଲମ୍ବନ ପାଇଁ ବାରମ୍ବାର ସଚେତନ କରାଉଛନ୍ତି । ସେହି ସମୟରେ ଅପରାଜିତା ବାରମ୍ବାର ଆଇନ ଭାଙ୍ଗୁଛନ୍ତି । ଥରେ କି ଦୁଇଥର ନୁହେଁ । ତିନି ତିନି ଥର ଭାଙ୍ଗିଛନ୍ତି କରୋନା କଟକଣା । ଥରେ ଏଥିପାଇଁ ଫାଇନ ମଧ୍ୟ ଦେଇଛନ୍ତି । ତଥାପି ସୁଧୁରୁ ନାହାନ୍ତି । ସେଥିପାଇଁ ଆଉ ଅପରାଜିତାଙ୍କ ପାଇଁ ଫାଇନ ଦଣ୍ଡ ନକରାଯାଉ । ତାଙ୍କୁ ଆରେଷ୍ଟ କରିବା ସହ ତାଙ୍କୁ ତାଙ୍କ ପଦବିରୁ ବହିସ୍କାର କରାଯାଉ ବୋଲି ଦାବି ହୋଇଛି ।

ଦୁର୍ଘଟଣାରୁ ମିଳିଥିବା ମାଂସ ଟୁକୁଡ଼ାର କରାଯିବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ପୋରଣ ଘଟଣାରେ କମିଶନ୍‌ରେଟ୍ ପୋଲିସର ତଦନ୍ତ ଜାରି ରହିଛି । ଫରେନ୍‌ସିକ୍‌ ଟିମ୍ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛନ୍ତି । ମିଳିଥିବା ମାଂସ ଟୁକୁଡା ଓ ହାଡ଼କୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି । ଡିଏନ୍‌ଏ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ନିଖୋଜ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ସାମ୍ପୁଲ ଅଣାଯିବ ଏବଂ ମାଂସ ଟୁକୁଡ଼ାର ଡିଏନ୍‌ଏ ଟେଷ୍ଟ କରି ସାମ୍ପୁଲ ମିଳାଯିବ ।

ଖଣ୍ଡ ବିଖଣ୍ଡିତ ମାଂସ ଓ ହାଡ଼ ମଣିଷ ନା ଜୀବଜନ୍ତୁଙ୍କର ତାହା ଜାଣିବାକୁ ପୋଷ୍ଟମର୍ଟମ୍‌ କରାଯାଇଛି । ଦାୟିତ୍ୱହିନତା ପାଇଁ ବିସ୍ଫୋରଣ ଘଟିଛି। ଅବହେଳା ପାଇଁ ଦାୟୀ କିଏ ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୋଲିସ ।  ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଦେଶରେ ଦିନକରେ ୭୩ହଜାର ୨୭୨ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୭୩ହଜାର ୨୭୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୨୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ଲକ୍ଷ ୭୯ହଜାର ୪୨୪ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ୮ଲକ୍ଷ ୮୩ହଜାର ୧୮୫, ସୁସ୍ଥ ହୋଇଛନ୍ତି ୫୯ଲକ୍ଷ ୮୮ହଜାର ୮୨୩ଜଣ  । ଆଜି କରୋନା ମୃତ୍ୟୁକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୭ହଜାର ୪୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆୟାଇଛି ।

ମହାରାଷ୍ଟ୍ରରୁ ସର୍ବାଧିକ ୧୫ଲକ୍ଷ ୬ ହଜାର ୧୮ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩୯ ହଜାର ୭୩୨ରେ ପହଞ୍ଚିଛି । ସେହିଭଳି ଆନ୍ଧ୍ରପ୍ରଦେଶରୁ ୭ଲକ୍ଷ ୪୪ହଜାର ୮୬୪ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ହଜାର ୧୫୯ରେ ପହଞ୍ଚିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ତାମିଲନାଡୁରେ ମୃତ୍ୟୁସଂଖ୍ୟା ୧୦ହଜାର ୧୨୦ ଓ କର୍ଣ୍ଣାଟକରେ ୯ହଜାର ୭୮୯ରହିଛି ।

ICMR Says Population Far From Developing Herd Immunity Against Covid 19 Harshvardhan

ଅକ୍ଟୋବର ୯ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ ୮ କୋଟି ୫୭ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ୬୯ ହଜାର ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ପଜିଟିଭ ହାର ପ୍ରାୟ ସାତ ପ୍ରତିଶତ ରହିଛି ।

ଜାମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର, ନିପାତ ହେଲେ ଆଉ ଦୁଇ ଆତଙ୍କୀ

କୁଲଗାମ: ଜାମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର । ଚେତୁ ନାହାଁନ୍ତି ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ପୁଣି ମୁହାଁମିହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । କୁଲୁଗାମ ଜିଲ୍ଲା ଚିଙ୍ଗମ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଆହୁରି ୨ରୁ ୩ଆତଙ୍କୀ ଲୁଚିରହିଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ ଶନିବାର ସକାଳୁ ସକାଳୁ ଚିଙ୍ଗମ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ଗୁଇନ୍ଦା ସୂଚନା ମିଲିଥିଲା । ଖବର ପାଇ ସଙ୍ଗେସଙ୍ଗେ ପୋଲିସ ଓ ସୁରକ୍ଷା କର୍ମୀ ମିଳିତ ଭାବେ ପୂରା ଅଞ୍ଚଳକୁ ଘେରି ଥିଲେ । ତାପରେ ଆରମ୍ଭ ହୋଇଥିଲା କ୍ରସ ଫାୟାରିଂ । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ଗୁଳିବିନିମୟରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ସେନାର ଜଣେ ଅଧିକରୀ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ ଏବଂ ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ନିହତ ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି ଏବଂ ଏହି ଆତଙ୍କବାଦୀମାନେ କେଉଁ ସଂଗଠନର ସେନେଇ ମଧ୍ୟ ତନାଘନା ଚାଲିଛି ।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ଗଲା ୭ତାରିଖରେ ଜମ୍ମୁ-କାଶ୍ମୀର ସୋପିଆଁରେ ମଧ୍ୟ ଏନକାଉଣ୍ଟର ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଥିଲେ । ଏନେଇ ଜଣେ ସେନା ଅଧିକାରୀ କହିଥିଲେ ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗର ସୂଚନା ପରେ ୬ ତାରିଖରୁ ହିଁ ଯୋଜନା କରାଯାଇଥିଲା ।