କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ଅପରାଜିତାଙ୍କ ଅଫିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ଉତ୍ସବ ପାଳିବା ମହଙ୍ଗା ପଡ଼ିଲା । ସିଲ୍ ହେଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ଅଫିସ । ପଳାଶପଲ୍ଲୀରେ ଥିବା ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍ କରିଛି ବିଏମ୍‌ସି । କମିଶନରେଟ୍ ପୋଲିସ ସହାୟତାରେ ଅଫିସ ସିଲ୍ ହୋଇଛି । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୫ ଦିନ ପାଇଁ ସିଲ୍ ହୋଇଛି ଅଫିସ । ଏଥିପାଇଁ ବିଏମ୍‌ସି ଜୋନାଲ ଡେପୁଟି କମିଶନର ରବି ନାରାୟଣ ଓ ଏସିପି ବିଷ୍ଣୁ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଫିସକୁ ସିଲ୍‌ କରିଛନ୍ତି ।

ସେପଟେ କୋଭିଡ୍ ନିୟମ ବାରମ୍ବାର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏନେଇ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଦାବି କରିଛନ୍ତି କୋଭିଡ୍‌ ଯୋଦ୍ଧା । ସାଂସଦ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିକଟରେ ଦାବି ହୋଇଛି । ଦାବିରେ ଉଲ୍ଲେଖ ରହିଛି କି, କୋଭିଡ ମହାମାରୀସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ତିଳେ ମାତ୍ର ଭୃକ୍ଷେପ କରୁନାହାଁନ୍ତି । ବାରମ୍ବାର କୋଭିଡ ଆଇନ ଭଙ୍ଗକରି ସମାବେଶ କରୁଛନ୍ତି । ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।

କେବଳ ଏତିକି ନୁହେଁ, ସମାଜରେ ବିଭିନ୍ନ ଅପରାଧରେ ସାମିଲ ଥିବା ଅପରାଧୀମାନଙ୍କ ସହ ସାଂସଦ ମଧ୍ୟ ଏକତ୍ରିତ ହେଉଛନ୍ତି । ଗୁରୁବାର ଜନ୍ମଦିନ ପାଳନବେଳେ ଦେବାଶିଷ ନାୟକ ଓ ତାଙ୍କର ୨୦ରୁ ଅଧିକ ସମର୍ଥକ ଉପସ୍ଥିତ ଥିଲେ । ସମସ୍ତେ ନାଚଗୀତରେ ମସଗୁଲ ଥିଲେ । ହେଲେ କେହି ସାମାଜିକ ଦୂରତା ପାଳନ କରିନଥିଲେ କି ମୁହଁରେ ମାସ୍କ ପିନ୍ଧିନଥିଲେ । କୋଭିଡ  ଯୋଦ୍ଧାଙ୍କ ଦିନରାତିର ଅକ୍ଲାନ୍ତ ପରିଶ୍ରମର ସେ ମଜାକ ଉଡାଇଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି ।

ଅପରାଜିତା ଷଡଙ୍ଗୀ ଗତ ଗୁରୁବାର ତାଙ୍କ ଜନ୍ମଦିନ ପାଳନ ଅବସରରେ କୋଭିଡ୍ ଆଇନ୍ ଭାଙ୍ଗିଥିଲେ । ପୂର୍ବରୁ ମଧ୍ୟ ଏକାଧିକ ବାର କୋଭିଡ୍‌ ନିୟମ ଭାଙ୍ଗିଥିଲେ ଅପରାଜିତା । ଏହାକୁ ନେଇ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରେ ଦାବି ଜୋର ଧରିଛି ।

Leave a Reply