ଦୁଷ୍କର୍ମ ମାମଲା ବୃଦ୍ଧି ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟର ରାଜ୍ୟଙ୍କୁ ପରାମର୍ଶ, ସବୁ ମାମଲାରେ ପଦକ୍ଷେପ ନିଅ

1 min read
Amit Shah

ନୂଆଦିଲ୍ଲୀ: ଦେଶରେ ମହିଳା ବିରୋଧୀ ଅପରାଧକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ପରାମର୍ଶ ଜାରି କରିଛି । ଗତ କିଛି ଦିନ ମଧ୍ୟରେ ଦେଶରେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ବୃଦ୍ଧି ଘଟିଛି । ବିଶେଷକରି ଉତ୍ତରପ୍ରଦେଶର ହାଥରସ ମାମଲା ଦେଶକୁ ଥରାଇ ଦେଇଛି । ହାଥରସ ମାମଲାରେ ପୋଲିସ ପ୍ରାରମ୍ଭିକ ତଦନ୍ତ ଓ ପଦକ୍ଷେପ ନେବାରେ ଯେଉଁଭଳି ହେଳା ଦେଖାଇଥିଲା ତାକୁ ନେଇ ଉତ୍ତର ପ୍ରଦେଶ ସରକାରକୁ ଚାରି ଆଡୁ ସମାଲୋଚନା କରାଯାଉଛି । ଅଧିକାଂଶ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ଥାନାର ଚକ୍କର କାଟିବାକୁ ପଡିଥାଏ । ଏହାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି ଯେ, ଏତଲା ରଖିବାରେ ପୋଲିସ ବାହନାବାଜି ନକରୁ । ଏତଲା ଦାଏର କରିବା ଅନିବାର୍ଯ୍ୟ । ମନ୍ତ୍ରଣାଳୟ ତରଫରୁ ଆଇପିସି ଓ ସିଆରପିସିର ପ୍ରାବଧାନର ଉଲ୍ଲେଖ କରି କୁହାଯାଇଛି ଯେ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏହାର ପାଳନକୁ ସୁନିଶ୍ଚିତ କରନ୍ତୁ । ଦାୟିତ୍ୱହୀନ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଲାଗି ଏଥିରେ ସୁପାରିସ କରାଯାଇଛି ।

MHA ପରାମର୍ଶରେ କ’ଣ ଅଛି ?

ଦୁଷ୍କର୍ମ ମାମଲାର ଏତଲା ଦାଏର କରିବା ଅନିବାର୍ଯ୍ୟ । ଆଇନରେ ଜିରୋ ଏଫଆଇଆରର ବ୍ୟବସ୍ଥା ରହିଛି । (ଯଦି ଅପରାଧ ଥାନା ପରିସୀମା ବାହାରେ ହୋଇଥାଏ, ତେବେ ଜିରୋ ଏଫଆଇଆର ଦାଏର କରାଯାଇ ପାରିବ ।)

  • IPC ଧାରା ୧୬୬ ଏ(ସି) ଅନ୍ତର୍ଗତରେ ଏଫଆଇଆର ଦାଏର ନକଲେ ଅଧିକାରୀଙ୍କ ବିରୋଧରେ ଦଣ୍ଡର ବ୍ୟବସ୍ଥା ରହିଛି ।
  • ସିଆରିପିସି ଧାରା ୧୭୩ରେ ଦୁଷ୍କର୍ମ ସମ୍ବନ୍ଧିତ ମାମଲାର ତଦନ୍ତ ୨ ମାସ ମଧ୍ୟରେ କରାଯିବାର ପ୍ରାବଧାନ ରହିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏଥିପାଇଁ ଅନଲାଇନ୍ ପୋର୍ଟାଲ ତିଆରି କରିଛନ୍ତି । ଏହା ସବୁ ମାମଲାରେ ମନିଟରିଂ କରିଥାଏ ।
  • ସିଆରିପିସିର ଧାରା ୧୬୪-୧ ଅନୁସାରେ ଦୁଷ୍କର୍ମ,ଯୌନଶୋଷଣ ମାମଲା ସାମ୍ନାକୁ ଆସିଲେ ପୀଡିତାଙ୍କ ସହମତିରେ ମେଡିକାଲ ଯାଂଚ କରାଯିବ ।
  • ଭାରତୀୟ ପ୍ରମାଣ ଆଇନର ଧାରା ୩୨(୧) ଅନୁସାରେ ମୃତ ବ୍ୟକ୍ତିଙ୍କ ବୟାନ ତଦନ୍ତର ମହତ୍ୱପୂର୍ଣ୍ଣ ତଥ୍ୟ ହେବ ।
  • ଫରେନସିକ୍ ସାଇନ୍ସ ସର୍ଭିସେସ୍ ଡାଇରେକ୍ଟୋରେଟ୍ ଦୁଷ୍କର୍ମ ମାମଲାରେ ଫରେନସିକ୍ ପ୍ରମାଣ ସଂଗ୍ରହ ଓ ଜମା କରିବା ପାଇଁ ଗାଇଡଲାଇନ୍ ତିଆରି କରିଛନ୍ତି । ତାହାର ପାଳନ ହେଉ ।
  • ଯଦି ପୋଲିସ ଏହି ପ୍ରାବଧାନକୁ ପାଳନ କରୁନାହିଁ ତେବେ ନ୍ୟାୟ ମିଳିବ ନାହିଁ । ଯଦି କୌଣସି ପ୍ରକାରର ଦାୟିତ୍ୱହୀନତାର ପ୍ରମାଣ ସାମ୍ନାକୁ ଆସେ ତେବେ ଏଭଳି ଅଧିକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । 

କଣ ପାଇଁ ଜାରି ହେଲା ଆଡଭାଇଜରୀ ?
ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଅନେକ ସମୟରେ ପୋଲିସର ସମ୍ବେଦନହୀନତା ସାମ୍ନାକୁ ଆସିଥାଏ । ଏତଲା ଦାଏର କରିବାକୁ ନେଇ ପୋଲିସର ବାହନାବାଜୀକୁ ନେଇ ଅନେକ ସମୟରେ ଅଭିଯୋଗ ଆସେ । ଏହାସହ ଠିକ୍ ସମୟରେ ଡାକ୍ତରୀ ଯାଞ୍ଚ ନହେବା କାରଣରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହୁଏ କିମ୍ବା ମିଳିନଥାଏ । ଗୃହମନ୍ତ୍ରଣାଳୟ ଯେଉଁଭଳି ଭାବେ ଏହି ଆଡଭାଇଜରୀ ଜାରି କରିଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସନ୍ତୁଷ୍ଟ ନାହିଁ ।

Leave a Reply