spot_img
Home Blog Page 619

ଆଜି ଶ୍ରାବଣ ଶୁକ୍ଳ ଦଶମୀ; ପୁରୀରେ ପାଳିତ ହେବ ଝୁଲଣ ଯାତ୍ରା

ପୁରୀ: ଆଜି ଶ୍ରାବଣ ଶୁକ୍ଳ ଦଶମୀ । ପୁରୀରେ ପାଳିତ ହେବ ଝୁଲଣ ଯାତ୍ରା । ଆଜିଠାରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ୭ଦିନଧରି ପାଳନ ହେବ ଝୁଲଣ ପର୍ବ । ପ୍ରତିବର୍ଷ ପରେ ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ିରେ ଧୁମଧାମରେ ପାଳିତ ହେବ ଉତ୍ସବ । ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ କାଠରେ ପାରମ୍ପରିକ ସୋଲ ଜରି ଜମ୍ବୁରା ସହ ଭିନ୍ନଭିନ୍ନ ପଶୁ-ପକ୍ଷୀ, କଳାକୁଞ୍ଜ ନିର୍ମାଣ କରାଯାଇଛି । ଝୁଲଣ କୁଞ୍ଜରେ ବିଜେ କରିବେ ଶ୍ରୀଦେବୀ, ଭୂଦେବୀଙ୍କ ସହ ମଦନ ମୋହନ । ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳିୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଛି ।

ଭିନ୍ନଭିନ୍ନ ପଶୁ-ପକ୍ଷୀ ସହ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାକୁ ଦେଖିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସମେତ ପୁରୀର ପ୍ରସିଦ୍ଧ ମଠ ବାଡ଼ିରେ ମଧ୍ୟ ଝୁଲଣ ଉତ୍ସବ ପାଳନ ହେବ । ବିଭିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣର ରାସ ଗୀତ ପରିବେଷଣ କରାଯିବ  । ଶ୍ରୀଜଗନ୍ନାଥ ବଲ୍ଳଭ ମଠରେ ଚଳିତବର୍ଷ ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପ ପ୍ରସ୍ତୁତି କରାଯାଇଛି । କୁଞ୍ଜରେ ଶୁଆ ସାରି, ବଣି, ପାରା, ଗୁଣ୍ଡୁଚି ମୂଷା, ଗାଈ, ମାଙ୍କଡ଼ ଆଦି ଖଞ୍ଜାଯାଇଛି  ।

ଆଜି ଶ୍ରାବଣ ମାସ ଶେଷ ସୋମବାର ; ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ । ମହାଦେବଙ୍କୁ ଜଳଲାଗି କରୁଛନ୍ତି ଶ୍ରଦ୍ଧାଳୁ । ଶେଷ ସୋମବାର ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବପୀଠରେ ଜଳଲାଗି କରିଛନ୍ତି । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି । ଭୋର ୩ ଟାରୁ ଦ୍ୱାର ଫିଟା ଯାଇ ପୂଜର୍ଚ୍ଚନା ଆରମ୍ଭ ହୋଇଥିଲା । ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି ଏହାବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି ।

ଛେଣ୍ଡିପଦା ପ୍ରଭୁ ବାଣେଶ୍ୱରଙ୍କ ମସ୍ତକରେ ଜଳ ଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଗତକାଲି ଛେଣ୍ଡିପଦା ଟାଙ୍ଗିରି ପଞ୍ଚାୟତ ଆଉଁଳି ନଦୀରୁ କାଉଡିଆମାନେ ପାଣି ଉଠାଇଥିଲେ । ଶତାଧିକ କାଉଡ଼ିଆଙ୍କ ହର ହର ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ନଦୀ ପଠା । ଆଉଁଳି ଘାଟରେ କାଉଡିଆ ମାନେ ପୂଜାପାଠ କରିବା ପରେ କଳସରେ ଜଳ ଭରି ଶୈବପୀଠ ମୁହାଁ ଯାଇଥିଲେ  । ପ୍ରାତଃ ୪ଟା ସମୟରେ ମନ୍ଦିର ସେବାୟତ ମାନେ ମହାଦେବଙ୍କ ମଙ୍ଗଳ ଆରତୀ କରିବା ପରେ ନିତ୍ୟଃ ପୂଜାବିଧି ସାରିବା ପରେ କାଉଡ଼ିଆ ମାନେ ଧାଡ଼ିରେ ଆସି ଦେବଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରିଛନ୍ତି ।

ବିଶ୍ୱାସ କରାଯାଏ ଯେ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ । ଶ୍ରାବଣ ମାସରେ ବେଲପତ୍ର, ଭାଙ୍ଗ ସହିତ ପୂଜା କରିବା ଏବଂ ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ଏବଂ ଶୁଭ ଅଟେ ।

ଆନ୍ଧ୍ରପ୍ରଦେଶର ଓଡ଼ିଆଙ୍କ ମୃତ୍ୟୁ ଘଟଣା ; ଆଜି ଦିଗପହଣ୍ଡିରେ ପହଞ୍ଚିବ ସମସ୍ତଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବାଲିକୁରମା ଠାରେ ପଥର କୁଆଁରିରେ ଦୁର୍ଘଟଣା ପ୍ରସଙ୍ଗ । ଆଜି ଦିଗପହଣ୍ଡିରେ ପହଞ୍ଚିବ ସମସ୍ତଙ୍କ ମୃତଦେହ । ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ଆତ୍ମୀୟମାନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଘଟଣାର ତଦନ୍ତ ପାଇଁ ସେଠାକୁ ଯାଇଥିଲେ ଜିଲ୍ଲା ପ୍ରଶାସନର ତିନି ଜଣିଆ ଟିମ୍ । ତିନି ଜଣିଆ ଟିମରେ ରହିଛନ୍ତି ଦିଗପହଣ୍ଡିର ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡ଼ା ଓ ଦିଗପହଣ୍ଡିର ରାଜସ୍ୱ ନିରୀକ୍ଷକ ଉପେନ୍ଦ୍ର ବେହେରା । ଏହି ତିନି ଜଣିଆ ଟିମ୍ ପହଞ୍ଚି ସେଠାରେ ଘଟଣାର ତଦନ୍ତ କରିଛନ୍ତି ।

ତେଣେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ମୃତ ସନ୍ତୋଷ ଗୌଡ଼ଙ୍କ ଗ୍ରାମ ନୂଆଁ କଂସେଇ ଠାରେ ପହଞ୍ଚି ପରିବାରକୁ ସାକ୍ଷାତ କରିଛନ୍ତି  । କାମ କରୁଥିବାବେଳେ ବିରାଟ ଗ୍ରାନାଇଟ ପଥର ଖସିବାରୁ ଏହି ମର୍ମନ୍ତୁଦ ଅଘଟଣ ଘଟିଥିଲା । ମୃତକମାନେ ହେଲେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଓ ଗଜପତି ଜିଲ୍ଲା ମୋହନାର ଟୁକୁନା ଦଳାଇ ଓ ମୁସା ଜାନ। ବାପାଟଲା ପଥର ଖାଦାନରେ କାମ କରୁଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ୧୫ ଜଣ ଶ୍ରମିକ କାମ କରୁଥିଲେ।

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା : ଗିରଫ ହେଲେ ଦୁଇ ଛାତ୍ର

ବାଲେଶ୍ବର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା। ୨୦ ଦିନ ପରେ ଆକ୍ସନରେ କ୍ରାଇମବ୍ରାଞ୍ଚ। ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀ ମୃତ୍ୟୁ ଘଟଣାରେ ଷଡଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ଦୁଇ ଛାତ୍ର । ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । SDJMଙ୍କ ନିକଟରେ ହାଜର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଉଭୟ ଛାତ୍ର ।

ଶୁଭ୍ରସମ୍ବିତ ABVPର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ କିଛି ଛାତ୍ର । ନିକଟରେ ମୋବାଇଲ ଭିଡ଼ିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ କରିଥିଲେ ସହଯୋଗ ।

ସରିଗଲା ପ୍ରତୀକ୍ଷା ହେଲେ ସରିଲାନି ସସପେନ୍ସ ; ଅନେକ ପ୍ରଶ୍ନ ଦେଇଗଲେ ବଳଙ୍ଗା ପୀଡ଼ିତା

ପୁରୀ: ସରିଗଲା ପ୍ରତୀକ୍ଷା, ହେଲେ ସରିଲାନି ସସପେନ୍ସ । ଅନେକ ପ୍ରଶ୍ନ ଦେଇଗଲେ ବଳଙ୍ଗା ପୀଡ଼ିତା । ବଳଙ୍ଗା ନୂଆ ଗୋପାଳପୁରରୁ ଭୁବନେଶ୍ବର, ଭୁବନେଶ୍ବରରୁ ଦିଲ୍ଲୀ । ଦିଲ୍ଲୀରୁ ପୁଣି ଜନ୍ମମାଟି । ଏହା ଥିଲା ପୀଡ଼ିତାଙ୍କକ ଜୀବନ ମରଣର ସଂଗ୍ରାମ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଯେତିକି ଦୁଃଖ ଆଣିଛି ତାଠାରୁ ଅଧିକ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ବିମାନରେ ଭୁବନେଶ୍ବର ଅଣଯାଇଥିଲା । ସେଠାରୁ ମରଶରୀରକୁ ନିଆଯାଇଥିଲା ଜନ୍ମମାଟି । ଏବେ ବି ସ୍ପଷ୍ଟ ହୋଇପାରିନି ପୀଡ଼ିତାଙ୍କ ମୃତ୍ୟୁର ରହସ୍ୟ।

ବଳଙ୍ଗା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ କରୁଛନ୍ତି ଟାର୍ଗେଟ । ଏପରିକି ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଉପ ମୁଖ୍ୟମନ୍ତ୍ରୀ, ଓଡିଶା ପୋଲିସ ଓ ନାବାଳିକାଙ୍କ ବାପାଙ୍କ ବୟାନ କିପରି ଏକ ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଏପରିକି ବିଜେପି ଅଫିସରେ ସ୍କ୍ରିପ୍ଟ ଲେଖା ହୋଇ ଅଣାଯାଇନିତ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ। ସେହିପରି ମୃତ୍ୟୁ ପରେ ପରେ ପୋଲିସର ତରବରିଆ ଟୁଇଟ ବି ସୃଷ୍ଟି କରିଛି ସନ୍ଦେହର ବଳୟ । ଓଡ଼ିଶା ପୁଲିସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦେଇଥିବା ସୂଚନାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ନାବାଳିକା ପୋଡ଼ି ଘଟଣାରେ କାହାର ସମ୍ପୃକ୍ତି ନାହିଁ। ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ। ତେବେ ଅଭିଯୁକ୍ତ କିଏ ? ପୀଡ଼ିତା କ’ଣ ଆତ୍ମହତ୍ୟା  ଉଦ୍ୟମ କରିଥିଲେ, ନା କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା? ତଦନ୍ତର ଶେଷ ପର୍ଯ୍ୟାୟରେ ଏହି ସବୁ ଲୋକଙ୍କୁ ପୁଲିସ ଖୋଜିବ ବୋଲି ଆଶା କରାଯାଉଛି ।

 

 

ଆଜି ବଳଙ୍ଗା ପୀଡ଼ିତାଙ୍କ ହେବ ଶେଷକୃତ୍ୟ;ସଂପୂର୍ଣ୍ଣ ରୀତିନୀତିରେ ଦିଆଯିବ କବର

ପୁରୀ: ଆଜି ହେବ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ । ରୀତିନୀତି ଅନୁଯାୟୀ ନିଜ ଗାଁ ଗୋପାଳପୁରରେ ଶେଷକୃତ୍ୟ ହେବ। ଗତ ରାତିରେ ହିଁ ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଁକୁ ଅଣାଯାଇଥିଲା। ଦିଲ୍ଲୀ ଏମସରେ ପୋଷ୍ଟମର୍ଟମ ସରିବା ପରେ ମରଶରୀରକୁ ବିମାନ ଯୋଗେ ଅଣାଯାଇଥିଲା ଭୁବନେଶ୍ବର । ସେଠାରୁ ପୋଲିସ ସୁରକ୍ଷାରେ ଜନ୍ମମାଟିକୁ ନିଆଯାଇଥିଲା ମୃତଦେହ । ସେଥିଲାଗି ଏକ କାରକେଡ ବି ପ୍ରସ୍ତୁତ ହୋଇଥିଲା । ରାତି ପ୍ରାୟ ୧୧ଟାରେ ମର ଶରୀର ପହଞ୍ଚିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ବିଭିନ୍ନ ଦଳର ନେତାମାନେ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ସେଠାରୁ ଭୁବନେଶ୍ବର ପୋଲିସ କାରକେଡରେ ତାଙ୍କ ମୃତଦେହ ନିଆଯାଇଥିଲା ଉତ୍ତରା ଛକ ଯାଏ। ସେଠାରୁ ପୁରୀ ପୋଲିସର କାରକେଡ ନେଇଥିଲା ବଳଙ୍ଗା।

ମରଶରୀର ଗାଁରେ ପହଞ୍ଚିବା ପରେ ସେଠାରେ ସମ୍ପର୍କୀୟ, ବିଭିନ୍ନ ଦଳର ନେତା, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ମରଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଗାଁରେ ବିଭିନ୍ନ ରୀତିନୀତି ସଂପନ୍ନ ହୋଇଥିଲା । ଏହା ପରେ ଆଜି ସକାଳୁ କବର ଦିଆଯିବା ଲାଗି ସ୍ଥିର ହୋଇଛି ।

ଭୁବନେଶ୍ବରରେ ପହଞ୍ଚିବା ପରେ ଗାଁକୁ ଗଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଏଥିପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବିମାନ ବନ୍ଦରରୁ ମରଶରୀର ନେବାକୁ ସ୍ବର୍ଗଦ୍ବାର ଗାଡି ପ୍ରସ୍ତୁତ ହୋଇ ରହିଥିଲା । ଏହାପରେ ବିମାନ ବନ୍ଦରରୁ ସିଧା ମୃତ ପୀଡ଼ିତାଙ୍କ ଗାଁ ଅଭିମୁଖେ ବାହାରିଥିଲା ସ୍ବର୍ଗଦ୍ବାର ଗାଡି ।

ଏହା ପୂର୍ବରୁ ବିମାନ ବନ୍ଦର ବାହାରେ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୋଲିସର ସୁରକ୍ଷା ବଳୟ ଭିତରେ ସ୍ବର୍ଗଦ୍ବାର ଗାଡି ନୂଆ ଗୋପାଳପୁର ଗାଁ ଅଭିମୁଖେ ବାହାରିଥିଲା ।

ଗ୍ରାନାଇଟ ପଥର ଖସି ୬ ଓଡ଼ିଆ ଶ୍ରମିକ ମୃତ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବାପାଟଲାରେ ଥିବା ଗ୍ରାନାଇଟ ଖାଦନରେ ଅଘଟନ । ବିରାଟକାୟ ଗ୍ରାନାଇଟ ପଥର ଖସି ୬ ଜଣ ଓଡ଼ିଶ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ୧୫ ଜଣ ଶ୍ରମିକ ଉପସ୍ଥିତି ଥିବା ଜଣାପଡିଛି । ଏବେ ବି ପଥର ତଳେ କିଛି ଶ୍ରମିକ ଫସି ରହିଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜୋରସୋରରେ ଚାଲିଛି ।

ମିଳିଥିବା ଖବର ଅନୁସାରେ, ଆନ୍ଧ୍ରର ବାପାଟଲାରେ ଥିବା ବିଲିକୁରୂପା ପଥର ଖାଦନରେ ଏହି ଅଘଟଣ ଘଟିଛି । ଶ୍ରମିକମାନେ ଖାଦନରେ ଗ୍ରାନାଇଟ୍ ପଥର ଖନନ କରୁଥିବା ବେଳେ ଏକ ବିଶାଳକାୟ ପଥର ସେମାନଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

କେଉଁ ଦେଶ ଉପରେ କେତେ ଟାରିଫ ଲାଗିବ, କେମିତି ସ୍ଥିର କରିଥାଏ ଆମେରିକା? ଜାଣନ୍ତୁ ଟ୍ରମ୍ପଙ୍କ ଟାରିଫ ହିସାବ

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ଥର ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ସାରା ବିଶ୍ବ ଉପରେ ଟାରିଫ ଲଦି ଦେଇଛନ୍ତି । ଭାରତ ହେଉ କି ଚୀନ ଅଥବା ଆମେରିକାର ସହଯୋଗୀ କେହି ଟ୍ରମ୍ପଙ୍କ ଟାରିଫ ଆଟାକରୁ ବର୍ତ୍ତି ନାହାନ୍ତି । ଟ୍ରମ୍ପ ଚୀନ ଉପରେ ବାରମ୍ବାର ଟାରିଫ ଲଗାଇ ଚାଲିଥିବା ବେଳେ ଭାରତ ଉପରେ ୨୫ ପ୍ରତିଶତ ଲଗାଇଛନ୍ତି । ହେଲେ କେବେ ଚିନ୍ତା କରିଛନ୍ତି କି କୌଣସି ଦେଶ ଉପରେ ଆମେରିକା କେମିତି ଟାରିଫ ଲଗାଉଛି ? ଟ୍ରମ୍ପ ନିଜ ଇଚ୍ଛାରେ ଯାହା ଉପରେ ଯେତେ ଚିନ୍ତା କଲେ ଟାରିଫ ଲଗାଇ ଦେଉଛନ୍ତି ନା ଏହାର କିଛି ଫର୍ମୁଲା ରହିଛି ? ଆମେରିକାର କେଉଁ ହିସାବରେ କେଉଁ ଦେଶ ଉପରେ କେତେ ଟାରିଫ ଲଗାଉଛି ଆସନ୍ତୁ ଜାଣିବା ।

କିଛିଦିନ ପୂର୍ବରୁ ହ୍ବାଇଟ ଡାଉସ୍ ପକ୍ଷରୁ ଏକ ରିପୋର୍ଟ ସାର୍ବଜନୀନ କରାଯାଇଥିଲା । ଟାରିଫ କେମିତି ଲାଗୁ କରାଯାଉଛି ଏଥିରେ ଉଲ୍ଲେଖ କରାଯାଇଥିଲା । ଏହା ଟ୍ରମ୍ପଙ୍କ କୌଣସି ମନମାନି ନୁହେଁ, ବରଂ ଏକ ସାଧାରଣ ଫର୍ମୁଲା ଅନୁସାରେ କେଉଁ ଦେଶ ଉପରେ କେତେ ଟାରିଫ ଲାଗିବ ତାହା ସ୍ଥିର କରାଯାଉଥିବା ଏହି ରିପୋର୍ଟରେ କୁହାଯାଇଛି । ଭାରତ ଓ ଚୀନ ସମେତ ଅନ୍ୟ ଦେଶମାନଙ୍କ ଉପରେ ଏହି ଟାରିଫ କାଲକ୍ୟୁଲେସନ ଫର୍ମୁଲା ଅନୁସାରେ ଟ୍ରମ୍ପ ଟାରିଫ ଲଗାଇଛନ୍ତି ।

କେମିତି ସ୍ଥିର ହେଉଛି ଟ୍ରମ୍ପଙ୍କ ଟାରିଫ ?

ଗତ ଏପ୍ରିଲ ୨ ତାରିଖରେ ଟ୍ରମ୍ପ ଯେତେବେଳେ ସମସ୍ତ ଦେଶଙ୍କ ଉପରେ ଟାରିଫ ସ୍ଥିର କରିଥିଲେ ସେତେବେଳେ ସେ ଏକ ତାଲିକା ଦେଖାଇଥିଲେ । ଏଥିରେ କେଉଁ ଦେଶ ଉପରେ କେତେ ଟାରିଫ ଲାଗିଛି ତାହା ଉଲ୍ଲେଖ ଥିଲା । ଆଉ ଏହି କାଲକ୍ୟୁଲେଶନକୁ ନେଇ ଆମେରିକା ଏକ ଫର୍ମୁଲା ମଧ୍ୟ ସେୟାର କରିଥିଲା । ଯାହା ଦେଖିବାକୁ ଏକ ଜଟିଳ ଗଣିତ ପରି ମନେ ହେଉଥିଲା । ହେଲେ ଏହା ବାସ୍ତବରେ ଏକ ସାଧାରଣ ଗାଣିତିକ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ଏକ ଦେଶ ସହ ଆମେରିକାର ବାଣିଜ୍ୟିକ କ୍ଷତିକୁ ନେବେ । ଏହାକୁ ଉକ୍ତ ଦେଶରୁ ଆମଦାନୀ ସହ ବିଭାଜନ କରିବେ । ଏହାପରେ ଯାହା ଫଳ ଆସିବ ତାହାକୁ ଦୁଇରେ ଭାଗ କରିଦେବେ । ଆଉ ଶେଷରେ ଯାହା ବାହାରିଲା ତାହା ଉକ୍ତ ଦେଶ ଉପରେ ଟାରିଫ ଆକାରରେ ଲାଗୁ ହୋଇଥିଲା ।

ଉଦାହରଣ ଭାବେ ଚୀନ ଓ ଆମେରିକା ମଧ୍ୟରେ ବ୍ୟବସାୟକୁ ନିଆଯାଇପାରେ । ଚିନ୍ତା କରନ୍ତୁ ଆମେରିକାର ବ୍ୟବସାୟିକ କ୍ଷତି ୨୯୫ ଅରବ ଡଲାର । ଚୀନ ପାଖରୁ ଆମେରିକା ୪୪୦ ଅରବ ଡଲାରର ଦ୍ରବ୍ୟ କିଣୁଛି । ଏବେ ୨୯୫କୁ ୪୪୦ ସହ ବିଭାଜିତ କଲେ ୬୭ ପ୍ରତିଶତ ଆସୁଛି ।  ଏବେ ଏହାକୁ ଦୁଇରେ ଭାଗ କରିବା ଦ୍ବାରା ୩୪ ପ୍ରତିଶତ ହେଉଛି । ଏହି ହିସାବରେ କାଲକ୍ୟୁଲେଶନ କରି ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛି ।

ଅଧିକ ଲଗେଜ ପାଇଁ ଅଧିକ ଚାର୍ଚ୍ଚ ମାଗିବାରୁ ୪ ବିମାନ କମର୍ଚାରୀଙ୍କୁ ନିର୍ଧୁମ ପିଟିଲେ ସେନା ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀନଗରରୁ ଦିଲ୍ଲୀ ଆଓୁଥିବା ସାଇଜେଟ୍ ଫ୍ଲାଇଟ SG-386ର ବୋର୍ଡିଂ ଗେଟ ନିକଟରେ ଜଣେ ବରିଷ୍ଠ ସେନା ଅଧିକାରୀ ୪ ଜଣ ବିମାନ କର୍ମଚାରୀଙ୍କୁ ନୁର୍ଧୁମ ମାଡ଼ ମାରିଛନ୍ତି । ଏୟାରଲାଇନ୍ ପ୍ରବକ୍ତାଙ୍କ ଅନୁସାରେ ଘଟଣା ଜୁଲାଇ ୨୬ ତାରିଖରେ ଘଟିଛି । ନିୟମଠାରୁ ଅଧିକ ଲଗେଜ ନେଉଥିବାରୁ ସେନା ଅଧିକାରୀଙ୍କୁ ଅଧିକ ଚାର୍ଚ୍ଚ ମାଗିଥିଲେ । ଯାହାକୁ ନେଇ ସେନା ଅଧିକାରୀ ଜଣଙ୍କ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଦେଇଥିଲେ ।

ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି, ସେନା ଅଧିକାରୀଙ୍କ ପାଖରେ ଦୁଇଟି କ୍ୟାବିନ ବ୍ୟାଗ ଥିଲା । ଯାହାର ଓଗନ ୧୬ କେଜି ଥିଲା । ନିୟମ ଅନୁସାରେ ଜଣେ ଯାତ୍ରୀ ସର୍ବାଧିକ ୭ କେଜି ଓଜନ ସାଙ୍ଗରେ ନେଇପାରିବେ । ବିମାନ କମର୍ଚାରୀ ଏବାବଦରେ ତାଙ୍କୁ ଜଣାଇବା ସହ ଅଧିକ ଓଜନ ପାଇଁ ଚାର୍ଚ୍ଚ ଦେବାକୁ କହିଥିଲେ । ହେଲେ, ସେନା ଅଧିକାରୀ ଅଧିକ ଚାର୍ଚ୍ଚ ଦେବାକୁ ମନା କରିଦେଇଥିଲେ । ଏହାପରେ ବୋର୍ଡିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରି ବିମାନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ଏହାପରେ  CISF ଅଧିକାରୀ ତାଙ୍କୁ ପୁଣି ଥରେ ଗେଟ ପାଖକୁ ନେଇ ଆସିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସେନା ଅଧିକାରୀ ଜଣଙ୍କ ୪ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଆକ୍ରମଣ କରିଦେଇଥିଲେ । ଏପରିକି ଜଣେ କର୍ମଚାରୀଙ୍କୁ ଏକାଧିକ ଥର ଗୋଇଠା, ବିଧା ଏବଂ ଷ୍ଟିଲ ଷ୍ଟାଣ୍ଡରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ଫ୍ୟାକ୍ଚର ହୋଇଥିଲା । ଅନ୍ୟ ଜଣେ କର୍ମଚାରୀ ଉକ୍ତ ଅଚେତ କର୍ମଚାରୀଙ୍କୁ ଉଠାଇବାକୁ ଯିବା ବେଳେ ତାଙ୍କ ମୁହଁକୁ ଏକ ଲାତ ମାରିଥିଲେ । ଯାହା ଫଳରେ ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରିବାକୁ ଲାଗିଥିଲା ।

ଆହତ କର୍ମଚାରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଯେଉଁଠି ସେମାନଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି । ଘଟଣାକୁ ନେଇ ସ୍ପାଇସଜେଟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହାସହ ସମ୍ପୃକ୍ତ ସେନା ଅଧିକାରୀଙ୍କୁ ନୋ ଫ୍ଲାଇଂ ଲିଷ୍ଟରେ ପକାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏୟାରଲାଇନ୍ସ ପକ୍ଷରୁ ଘଟଣା ସମ୍ପର୍କରେ ଲିଖିତ ଭାବେ ବିମାନ ଚଳାଚଳ ମନ୍ତ୍ରାଳୟକୁ ଦିଆଯିବା ସହ ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ଏହାସହ କମ୍ପାନୀ ପକ୍ଷରୁ ସିସିଟିଭି ଫୁଟେଜ ପୋଲିସକୁ ପ୍ରଦାନ କରାଯାଇଛି ।