spot_img
Home Blog Page 6170

ନୂଆବର୍ଷରେ ମୋଦିଙ୍କ ନୂଆ ମନ୍ତ୍ର: ‘ଚିକିତ୍ସା ସହ କଠୋରତା’

0

 ରାଜକୋଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗୁଜୁରାଟର ରାଜକୋଟରେ AIIMSର ଶିଳାନ୍ୟାସ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବଶରରେ ମୋଦି ଦେଶରେ ଖୁବ୍‌ଶୀଘ୍ର କରୋନା ଟିକାକୁ ଜରୁରିକାଳୀନ ମଞ୍ଜୁରୀ ମିଳିଯିବ ଏବଂ ଏହାପରେ ସାରାଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି। ଏଥିସହ ଟୀକା ଆସିଗଲେ ଅବହେଳା ନ କରି ସତର୍ର୍କତାର ସହ କୋଭିଡ ନିୟମ ପାଳିବାକୁ ମଧ୍ଯ ସେ ବାର୍ତ୍ତା ଦେଇଛନ୍ତି। 

ମୋଦୀ ଆହୁରି କହିଛନ୍ତି ଯେ ନବବର୍ଷ ୨୦୨୧ ଚିକିତ୍ସାର ଏକ ନୂଆ ଆଶାର ସହିତ ଆସୁଛି। ଭାରତରେ ଏହାର ପ୍ରସ୍ତୁତି ଚାଲିଛି। ଟିକାକୁ ପ୍ରତ୍ୟେକ ବର୍ଗରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି। ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଚଳାଇବାକୁ ଜୋରଦାର ପ୍ରସ୍ତୁତି ଚାଲିଛି।

ମୋଦୀ କହିଛନ୍ତି ଯେ ୨୦୨୧ ସ୍ୱାସ୍ଥ୍ୟ ସମାଧାନର ବର୍ଷ ହେବାକୁ ଯାଉଛି। ଭାରତ ଏବେ ‘ଫ୍ୟୁଚର ଅଫ୍ ହେଲଥ୍’ ଓ ‘ହେଲଥ ଅଫ୍ ଫ୍ୟୁଚର’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଏଥିସହ ସେ ସାରା ବିଶ୍ୱକୁ ଏକାଠି ହୋଇ କରୋନାକୁ ମାତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ରୋଗ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ତେଣୁ ସାରା ବିଶ୍ୱକୁ ଏକାଠି ମିଶି ଏହାର ଚିକିତ୍ସା କରିବା ଉଚିତ୍। ଯଦି ଭିନ୍ନ ଭିନ୍ନ ପ୍ରୟାସ କରାଯାଏ, ତେବେ କୌଣସି ଲାଭ ହେବ ନାହିଁ।

ଫେବ୍ରୁଆରୀ ୧୫ ଯାଏ ବଢିଲା ଟୋଲ୍‌ ଆଦାୟ ସମୟ ସୀମା

ନୂଆଦିଲ୍ଲୀ: ଫାସ୍‌ଟାଗ ମାଧ୍ୟମରେ ଟୋଲ୍‌ ଆଦାୟ ସମୟ ସୀମାକୁ ବୃଦ୍ଧି କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଆସନ୍ତା ଫେବୃଆରୀ ୧୫ ଯାଏଁ ଏହାର ସମୟ ସୀମାକୁ ବଢ଼ାଇ ଦିଆଯାଇଛି ।

ପୂର୍ବରୁ ଜାନୁଆରୀ ୧ ସୁଦ୍ଧା ସବୁ ଟୋଲ୍‌ ପ୍ଲାଜାରୁ ଫାସ୍‌ଟାଗ ଯୋଗେ ଶହେ ପ୍ରତିଶତ ଟୋଲ୍ ଆଦାୟ ପାଇଁ କୁହାଯାଇଥିଲା । ବର୍ତ୍ତମାନ ସମୟରେ ୭୫ରୁ ୮୦ ପ୍ରତିଶତ ଟୋଲ୍ ଫାସଟାଗ୍‌ ଯୋଗେ ଆଦାୟ କରାଯାଉଛି। ଟୋଲ୍‌ ଆଦାୟକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ନଗଦ ଟଙ୍କା ଦେଣନେଣକୁ କମ୍ କରିବା ପାଇଁ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଆସନ୍ତା ଫେବୃଆରୀ ୧୫ ତାରିଖରୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଯିବ । ଏଥିସହିତ ଫାସ୍‌ଟାଗ ଥିବା ଗାଡ଼ି ଗୁଡ଼ିକୁ ଟୋଲ୍‌ଗେଟ୍‌ରେ ଦୁଇ ଗୁଣା ଅର୍ଥ ଦେବାକୁ ହେବ।

ସୂଚନାଯୋଗ୍ୟ, ସାରା ଦେଶରେ ଫାସଟାଗର ଆରମ୍ଭ ୨୦୧୬ ମସିହାରୁ ହୋଇଥିଲା । ସେସମୟରେ ସାମୁହିକ ଭାବେ ୪ଟି ବ୍ୟାଙ୍କ ଏକ ଲକ୍ଷ ଟ୍ୟାଗ୍ ଜାରି କରିଥିଲେ । ଯାହା ପରେ ୨୦୧୭ରେ ୭ ଲକ୍ଷ ଓ ୨୦୧୮ରେ ୩୪ ଲକ୍ଷ ଫାସଟାଗ୍ ଜାରି କରାଯାଇଥିଲା ।

ଟ୍ୱିନସିଟିରେ ହେବନି ନୂଆବର୍ଷ ସେଲିବ୍ରେସନ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଚଳିତ ଥର ନୂଆବର୍ଷ ଫିକା ପଡିବାକୁ ଯାଉଛି। ସାରା ରାଜ୍ୟରେ ସରକାର ନାଇଟ୍ କର୍ଫ୍ୟୁ ଘାେଷଣା କରିଥିବା ବେଳେ ଟ୍ୱିନସିଟିରେ ମଧ୍ୟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏପରିକି ଟ୍ୱିନସିଟିରେ ଡିସେମ୍ବର ୩୧ ତାରିଖ ରାତିରେ ୧୪୪ ଧାରା ଲାଗୁ ହେବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର। ଏପରିକି ସମସ୍ତେ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି ସିପି ।

ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ୧୪୪ ଧାରା ଲାଗୁ ହେଲେ ମଧ୍ୟ ଅତ୍ୟାବଶ୍ୟକ ସେବା, ଚିକିତ୍ସା ସେବା ଜାରି ରହିବ । ନାଇଟ୍ ପାଟ୍ରୋଲିଂ ସହ ବିଭିନ୍ନ ଛକରେ ନାକାବନ୍ଦୀ ହେବ । ରାତି ୯ଟା ପରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ୍ ପୋଲିସ ।

ଘରେ ରହି ନୂଆବର୍ଷକୁ ୱେଲକମ୍ କରିବା ସହ ସେଲିବ୍ରେଟ୍ କରନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର। ଏଭଳି କଟକଣାରେ ଜନସାଧାରଣ ସହଯୋଗ କରିବାକୁ ସିପି ଅନୁରୋଧ କରିଛନ୍ତି। ଗମନାଗମନ ଉପରେ କଟକଣା ଲଗାଇଛି ପୋଲିସ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ତେବେ ଲୋକମାନେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସିପି।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାତି ୧୦ଟାରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତିି । ଏହି ରାତ୍ରୀକାଳୀନ କର୍ଫ୍ୟୁ ଆଜି ରାତି ୧୦ରୁ ଲାଗୁ ହେବା ସହ ଆସନ୍ତାକାଲି ତଥା ଜାନୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ନାଇଟ କର୍ଫ୍ୟୁ ଜାରି ହୋଇଛି।

ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଓ ଯାତାୟତକୁ ଅନୁମତି ଦିଆଯାଇଛି । ଏଥିସହ ହୋଟେଲ୍‌, କ୍ଲବ୍, ପାର୍କ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ନୂଆ ବର୍ଷ ପାଳନକୁ ନିଷେଧ କରିଛନ୍ତି । ଘରେ ସେଲିବ୍ରେସନ୍ କରିବାକୁ ଏସଆରସି ନିବେଦନ କରିଛନ୍ତି । ଟେଲିଫୋନ୍, ହ୍ବାଟସ ଆପ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବା ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବନ୍ଧୁ ମିଳନ କରି ନୂଆ ବର୍ଷକୁ ଆନନ୍ଦ ଉଲ୍ଲାସ ସହ ସ୍ବାଗତ କରିବାକୁ ସେ କହିଛନ୍ତି । ସେହିପରି ଆସନ୍ତାକାଲି ସରକାରୀ ଅଫିସରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କର୍ମଚାରୀଙ୍କୁ ଏକାଠି ହେବାକୁ ମନା କରାଯାଇଛି।

ଚିନ୍ତା ବଢାଉଛି ବ୍ରିଟେନ୍‌ ଷ୍ଟ୍ରେନ୍, ଦେଶରେ ସମୁଦାୟ ୨୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ପରେ ଏବେ ଡରାଉଛି ବ୍ରିଟେନ୍‌ ଷ୍ଟ୍ରେନ୍ । ଦିନ ଗଡ଼ିବା ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦେଶର ବିଭିନ୍ନ ଲ୍ୟାବ‌ରୁ ଆଉ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ନିକଟରେ ବ୍ରିଟେନରୁ ଫେରିଥିବା ସୂଚନା । ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ରାଜଧାନୀ ଦିଲ୍ଲୀର ବୋଲି ସୂଚନା ରହିଛି । ଏହାକୁ ମିଶାଇ ଦେଶରେ ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।

ସମସ୍ତ ଆକ୍ରାନ୍ତଙ୍କୁ ସରକାରୀ କ୍ୱାରେଣ୍ଟାନରେ ରଖାଯାଇଛି । ପରିବାର ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଆଇସୋଲେସନରେ ରଖାଯାଇଛି । ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ଥିବାରୁ ନୂଆ ଯାତ୍ରୀ ଆସୁନାହାଁନ୍ତି । ପୂର୍ବରୁ ଆସିଥିବା ଯାତ୍ରୀମାନଙ୍କୁ ଟ୍ରେସ୍ କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ।  ସେପଟେ ଦେଶରେ କରୋନା ଟିକାକରଣ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଭାରତ ଆସିଥିବା ଲୋକଙ୍କ ଆରଟି ପିସିଆର ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ପଜିଟିଭ୍ ଆସିବା ପରେ, ନମୁନାକୁ ଲ୍ୟାବରେ ଜେନୋମ କ୍ରମ ପାଇଁ ପଠାଯାଇଥିଲା ଯେଉଁଥିରୁ ସ୍ପଷ୍ଟ ହେବ ଯେ, ଏହା କେଉଁ ଭାଇରସ୍ର ଷ୍ଟ୍ରେନ । ଏହାସହ ଜାନୁଆରୀ ୩୧ ପର୍ଯ୍ୟନ୍ତ ବ୍ରିଟେନର ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବନାନ୍ ଏବଂ ସିଙ୍ଗାପୁର ଦ୍ୱାରା ବ୍ରିଟେନ ଷ୍ଟ୍ରେନ ମିଳିଥିବା ଜଣାପଡ଼ିଛି ।

ICC Test Rankings: କେନ୍ ୱିଲିୟମସନ୍ ହେଲେ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର ଷ୍ଟିଭ ସ୍ମିଥ୍ ଓ ବିରାଟ କୋହଲିଙ୍କୁ ପଛରେ ପକାଇ ବିଶ୍ୱର ନମ୍ବାର ୱାନ୍ ବ୍ୟାଟ୍ସ ମ୍ୟାନ ହୋଇଯାଇଛନ୍ତି କେନ୍ ୱିଲିୟମସନ୍ । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବ୍ୟାଟ୍ସମ୍ୟାନ୍ ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ପ୍ରଥଛମ ସ୍ଥାନ ଅଧିକାର କରିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୱିଲିୟମସନ ୧୨୯ ଓ ୨୧ ରନ ସ୍କୋର କରିଥିଲେ ଯାହା ତାଙ୍କୁ ଶୀର୍ଷକୁ ନେଇଥିଲା। ପାଞ୍ଚ ବର୍ଷ ପରେ କେନ୍ ୱିଲିୟମସନ୍ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।

ଅନ୍ୟପଟେ ଭାରତ ବିପକ୍ଷ ଗତ ଚାରିଟି ଟେଷ୍ଟ ଇନିଂସରେ ମାତ୍ର ୧୦ ରନ୍ ସ୍କୋର କରିଥିବା ଷ୍ଟିଭ୍ ସ୍ମିଥ୍ ଶୀର୍ଷରୁ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଏଥି ସହିତ ମେଲବର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ ମଧ୍ୟ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ଦଶ ଜଣ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମାର୍ନୁସ୍ ଲାବୁଶେନ୍ ଚତୁର୍ଥ, ବାବର ଆଜାମ ପଞ୍ଚମ, ଅଜିଙ୍କ୍ୟ ରାହାନେ ଷଷ୍ଠ, ଡେଭିଡ ୱାର୍ଣ୍ଣର ସପ୍ତମ, ବେନ ଷ୍ଟୋକ୍ସ ଅଷ୍ଟମ, ଜୋଏ ରୁଟ୍ ନବମ ଏବଂ ଦଶମ ସ୍ଥାନରେ ଚେତେଶ୍ୱର ପୂଜାରା ରହିଛନ୍ତି।

ସେପଟେ ଆଡିଲେଡରେ ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ ଭାରତକୁ ବିଜୟ ଭେଟିଦେଇଛନ୍ତି । ତାଙ୍କ କ୍ୟାପଟେନ୍ସିରେ ଟିମ୍ ଇଣ୍ଡିଆ ଦମ୍ ଦେଖାଇଛି ଏବଂ ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି। ଏହି ମ୍ୟାଚ୍‌ରେ ଅଧିନାୟକ ରାହାଣେ ୧୧୨ ଏବଂ ନଟଆଉଟ୍ ୨୭ ରନ୍ ସ୍କୋର କରିଥିଲେ, ଯାହା ତାଙ୍କୁ ଷଷ୍ଠ ନମ୍ବରରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ଅନ୍ୟପକ୍ଷରେ ଟପ୍-୧୦ ବୋଲରଙ୍କ ମଧ୍ୟରେ ଭାରତର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର ଅଛନ୍ତି। ମେଲବର୍ଣ୍ଣ ଟେଷ୍ଟରେ ପାଞ୍ଚଟି ୱିକେଟ୍ ନେଇଥିବା ଅଶ୍ୱିନ୍ ର଼୍ୟାଙ୍କିଙ୍ଗରେ ସପ୍ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ଭାରତୀୟ ବୋଲର ଜସପ୍ରୀତ ବୁମ୍ରା ୯ ନମ୍ବର ଏବଂ ରବିନ୍ଦ୍ର ଜାଡେଜା ୧୪ ନମ୍ବର ସ୍ଥାନ ହାସଲ କରିଛନ୍ତି।

ଶ୍ରେଷ୍ଠ ୧୦ ବୋଲର ତାଲିକା: ପ୍ୟାଟ୍ କମିନ୍ସ , ଷ୍ଟୁଆର୍ଟ ବ୍ରଡ୍, ନିଲ୍ ୱାଗନର୍, ଟିମ୍ ସାଉଥୀ, ମିଚେଲ ଷ୍ଟାର୍କ, କାଗିଶୋ ରାବାଡା,

ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୋସ୍ ହେଜଲଉଡ୍, ଜସପ୍ରୀତ ବୁମ୍ରା, ଜେମ୍ସ ଆଣ୍ଡର୍ସନ୍।

 

କପିଳାଶକୁ ହାତୀ ଛୁଆ ସ୍ଥାନାନ୍ତରିତ, ୫କୁ ବଢିଲା କୁନି ହାତୀ ସଂଖ୍ୟା

ଗଞ୍ଜାମ: ଗଞ୍ଜାମର ଟିକିଟି ବାହୁଡା ହ୍ରଦରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଢେଙ୍କାନାଳସ୍ଥିତ କପିଳାଶକୁ ସ୍ଥାନାନ୍ତରିତ କରାଯାଉଛି ।

ଏସମ୍ପର୍କରେ ସୂଚନା ଦେଇ ନନ୍ଦିଘୋଷ ଟିମକୁ ଢେଙ୍କାନାଳ ଡିଏଫଓ କହିଛନ୍ତି ଯେ ହାତୀ ଛୁଆ ପାଇଁ ସ୍ୱତନ୍ତ୍ର ଘର ପ୍ରସ୍ତୁତ ହେଉଛି। ଏଥିସହିତ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଘରେ ସ୍ୱତନ୍ତ ବନ୍ଦୋବସ୍ତ କରାଯିବ। କପିଳାଶରେ ପୂର୍ବରୁ ଥିଲେ ୪ ଟି ହାତୀ। ଏହି ହାତୀ ଛୁଆକୁ ମିଶାଇଲେ ମୋଟ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଛୁଆ ହାତୀ ସହ କପିଳାଶରେ ରହିଛି ଆଉ ଏକ ଛୁଆ ହାତୀ । ତା’ର ନା ହିରୋ । ଏବେ ଏହି ଛୁଆ ହାତୀ ଓ ହିରୋ ୨ ବନ୍ଧୁ ହେବେ ।

ଆଜି ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ପଠାଯାଉଛି। ହାତୀ ଛୁଆକୁ ସ୍ଥାନାନ୍ତରିତ କରିବା ଲାଗି ୱାଇଲ୍ଡ ଲାଇଫ୍ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଥିଲେ । ଯାହାକୁ ଦୃଷ୍ଟିରେ ରଖି ହାତୀ ସିଫ୍ଟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯିବ। ଏନେଇ କପିଳାଶ ଚିଡିଆଖାନାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ଗଂଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଫସି ଯାଇଥିଲେ । ବହୁ କସରତ ପରେ ବନବିଭାଗର ହାତୀପଲ ହ୍ରଦରୁ ବାହାରିଥିଲେ। ମାତ୍ର ହାତୀ ଛୁଆଟିଏ ଫସିରହିଥିଲା। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା। ମଣିଷ ଛୁଇଁ ଦେଇଥିବାରୁ ହାତୀ ଛୁଆଟିକୁ ଛାଡି ଚାଲି ଯାଇଥିଲେ ହାତୀ ପଲ। ଯଦିଓ ଦଳର ନିଷ୍ପତ୍ତିରେ ମାଆ ସିନା ମମତାକୁ ଭୁଲିଗଲା, ହେଲେ ମାଆର ସେନେହଁକୁ ଭୁଲି ପାରୁନଥିଲା କୁନି ହାତୀ । ଗୁମୁରୁଗୁମୁରି ଚାରିକାନ୍ଥ ଭିତରେ ଖୋଜିଥିଲା ମାଆ କୋଳ ।  ମଣିଷ ଛୁଇଁଦେଲା ବୋଲି ମାଆ ପର କରି ଚାଲିଗଲା  । ଆଉ ଏବେ ଖୋଲା ଆକାଶ ତଳେ ନିଜ ଜାତି ସହ ବିତାଇଥିବା ପ୍ରତିଟି ମୁହୁର୍ତ୍ତକୁ ଏକପ୍ରକାର ଅଣ୍ଡାଳିଥିଲା ଏଇ ଛୁଆ ହାତୀ। ଯାହା ପରେ ହାତୀ ଛୁଆକୁ ଚିଡିଆଖାନା ପଠାଇବାକୁ ସ୍ଥିର କରିଥିଲା ବନବିଭାଗ ।

ସିନ୍ଥେଟିକ୍ ପନିରର ଚେର କୋଲକତା ପର୍ଯ୍ୟନ୍ତ ଲମ୍ବିଛି

କଟକ: ସିଲ୍‌ଭର ସିଟିରେ ସିନ୍ଥେଟିକ୍ ପନିର ଜବତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଭେଜାଲ ପନିରର ଚେର କୋଲକତା ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା । ଦିନକୁ କେଜିଏ କି ଦୁଇକେଜି ନୁହେଁ, କଟକ ସହରକୁ ପ୍ରତିଦିନ ୫ରୁ ୧୦ କୁଇଣ୍ଟାଲ ପନିର ଆସୁଥିବା ଜଣାପଡ଼ିଛି । ଏନେଇ ଏପର୍ଯ୍ୟନ୍ତ ସୁଦ୍ଧା ଜଣଙ୍କୁ ଗିରଫ କରିଛି ପୋଲିସ ।

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ଗୋଟିଏ ଟିମ୍ କୋଲକତାକୁ ପଠାଯାଇଛି । ଏବଂ ତଦନ୍ତରେ ଖାଦ୍ୟ ନିରାପତ୍ତା ବିଭାଗ ସହଯୋଗ କରୁଛି । ସବୁ ବଡ଼ ବଡ଼ ମାର୍କେଟରେ ତନାଘନା ଜାରି ରହିଛି । କେଉଁ କେଉଁ ସ୍ଥାନକୁ ଚାଲଣ ହେଉଥିଲା ସେନେଇ ସୂଚନା ମିଳିଛି । ସେହିପରି ପୋଲିସର ସ୍ୱତନ୍ତ୍ର ଟିମ୍ ଏମିତି ସାମଗ୍ରୀ ଉପରେ ନଜର ରଖିଛି, ଖବର ମିଳିବା ମାତ୍ରେ ପୋଲିସ ଚଢାଉ କରିବାନେଇ କହିଛନ୍ତି ଡିସିପି ।

ସିଟିରେ ସିନ୍ଥେଟିକ୍ ପନିର ବ୍ୟବସାୟ ଅଭିଯୋଗରେ ଶୁକଦେବ ସାହୁଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ଖୁଲମଖୁଲା ବିକ୍ରି କରାଯାଉଥିଲା ବିଷ । କୋଲକାତାରୁ କଟକ ଭାୟା ବାଲେଶ୍ୱର ଦେଇ ଆସୁଥିଲା ଏହି ଭେଜାଲ ପନିର । କଟକର ଓଏମ୍‌ପି ଛକରେ ଚଢ଼ଉ କରି ବିପୁଳ ପରିମାଣର ପନିର ଜବତ କରିଥିଲା ଚାଉଳିଆଗଞ୍ଜ  ଥାନା ପୋଲିସ  । ଘଟଣାରେ ବର୍ତ୍ତମାନ ଶୁକଦେବ ସାହୁ ନାମକ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ୪ଜଣ ଫେରାର ଅଛନ୍ତି ।

୨୦୨୦ରେ ବିଜ୍ଞାନର ଚମତ୍କାର

କୋଭିଡ-୧୯ ମହାମାରୀ ପାଇଁ ମାନବ ଇତିହାସରେ ୨୦୨୦ ସବୁଦିନ ମନେ ରହିବ । କିନ୍ତୁ ଚଳିତ ବର୍ଷ ବିଜ୍ଞାନ କରିଛି ଏକାଧିକ ଚମତ୍କାର । ଗୋଟିଏ ପକ୍ଷେ ୨୦୨୦ ଅନେକ କଷ୍ଟଦାୟକ ହୋଇଥିବା ବେଳେ ଅନ୍ୟପଟେ ଏହା ଖୁବ ଖାସ୍ । ୨୦୨୦ରେ ମହାକାଶ ଅନୁସନ୍ଧାନ, କୋଭିଡ-୧୯ ଭ୍ୟାକସିନକୁ ନେଇ ଏକାଧିକ ଗବେଷଣା ହୋଇଛି । ତେବେ ବିଶ୍ୱ ୨୦୨୦ରେ ବିଜ୍ଞାନ କ୍ଷେତ୍ରରେ କେଉଁ ପ୍ରକାରର ଉପଲବ୍ଧି ପାଇଛି ? ଅନୁସନ୍ଧାନରେ କେତେ ସଫଳତା ମିଳିଛ?

ମଙ୍ଗଳ ସମ୍ବଦ୍ଧୀୟ ମହାକାଶ ଅନୁସନ୍ଧାନ ଏ ବର୍ଷ ବିଜ୍ଞାନ ଜଗତରେ ଆଲୋଚନାର ବିଷୟ ସାଜିଥିଲା । ତିନୋଟି ଦେଶ ମଙ୍ଗଳକୁ ଅଭିଯାନ ପଠାଇଥିଲେ, ଯେଉଁଥିରେ ସାମିଲ ରହିଛି ଆମେରିକାର ନାସା । ନାସା ମଙ୍ଗଳକୁ ଏକ ଖାସ୍ ରୋଭର ପଠାଇଛି । ପର୍ସବିରେନ୍ସ ରୋଭର ମଙ୍ଗଳରେ ମାନବ ରହିବାକୁ ନେଇ କିଛି ଜରୁରୀ ପ୍ରୟୋଗ କରିବ । ଏହା ସହିତ ଏ ବର୍ଷ ମଙ୍ଗଳରେ ଜୀବନର ସମ୍ଭାବନା ଏବଂ ସେଠାରେ ରହିବାର ସମ୍ଭାବନାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି ।

ଖାଲି ଏତିକି ନୁହେଁ ଚଳିତ ବର୍ଷ ମହାକାଶରେ ଆଉ ଏକ ସଫଳତା ମିଳିଛି । ଆମେରିକାର ବୈଜ୍ଞାନିକ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ମୂଳା ଅମଳ କରିବାରେ ସଫଳ ହୋଇଛନ୍ତି । ନାସା ମହାମାଶ ଯାତ୍ରୀ କେଟ୍ ରୁବିସ୍ ISSରୁ ୨୦ଟି ମୂଳା ଗଛ ପୃଥିବୀକୁ ଆଣିବା ପାଇଁ ପ୍ରସ୍ତୁତି କରି ସାରିଲେଣି । ତେବେ ଏହା ପ୍ରଥମ ଥର ଯେତେବେଳେ ମାଇକ୍ରୋଗ୍ରାଭିଟିରେ ଏତେ ମାତ୍ରାରେ ଚାରା ଲଗାଯାଇଛି ଏବଂ ସଫଳତା ମିଳିଛି । ଗ୍ରହାନ୍ତର ଯାତ୍ରା ପାଇଁ ଏହି ଆବିଷ୍କାର ଆଗକୁ ବେଶ୍‌ କାମରେ ଆସିବ । କାରଣ ଇନ୍ଧନ ସହ ଖାଦ୍ୟ ମଧ୍ୟ ଜରୁରୀ ।

ଖାଲି ମଙ୍ଗଳ ନୁହେଁ ବୈଜ୍ଞାନିକଙ୍କ ଗବେଷଣାରେ ଚନ୍ଦ୍ର ମଧ୍ୟ ଏହି ବର୍ଷ ରହିଥିଲା । ଚୀନ୍ ଚନ୍ଦ୍ରରୁ ପୃଥିବୀକୁ ମାଟି ଆଣିବାରେ ସଫଳ ହୋଇଛି । ତାହା ପୁଣି ୪୪ ବର୍ଷ ପରେ । ଅନ୍ୟପଟେ ଚନ୍ଦ୍ରରେ ଜଳ ଥିବା କଥା ଚଳିତ ବର୍ଷ ହିଁ ସାମ୍ନାକୁ ଆସିଛି । ଆଉ ନିଜେ ନାସା ଏହା ଦାବି କରିଛି । ଅବଶ୍ୟ ନାସା ପୂର୍ବରୁ ଭାରତର ଇସ୍ରୋ ଏହି ଦାବି କରିସାରିଥିଲା,ନାସା କେବଳ ଭାରତର ଦାବି ଉପରେ ମୋହର ମାରିଛି । ମାନବ ଦୀର୍ଘଦିନ ଧରି ଚନ୍ଦ୍ରରେ କେମିତି ରହିପାରିବ ତାହାକୁ ନେଇ ୨୦୨୦ରେ ଅଧିକ ଗବେଷଣା ହୋଇଛି ।

ଚଳିତ ବର୍ଷ ପର୍ଯ୍ୟାବରଣକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ କକଟେଲ ନାମକ ଏନଜାଇମ୍ ଆବିଷ୍କୃତ ହୋଇଛି । ଯାହା ପ୍ଲାଷ୍ଟିକକୁ ଖାଇଯିବ,ମାନେ ନଷ୍ଟ କରିଦେବ । ଅର୍ଥାତ ପ୍ଲାଷ୍ଟିକ କବଳରୁ ଆଗକୁ ପୃଥିବୀ ମୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବୈଜ୍ଞାନିକ ପେଟେଜ୍ ଏବଂ ମେଟେଜ୍ ନାମକ ଏନଜାଇମକୁ ମିଶାଇ ପ୍ରସ୍ତୁତ କରିଛନ୍ତି ଏକ ଖାସ୍ ଏନଜାଇମ ।

କେବଳ ସେତିକି ନୁହେଁ ଏ ବର୍ଷ ଅଷ୍ଟ୍ରେଲିୟାର ଟେଲିସ୍କୋପ ମହାକାଶର ନକ୍ସାକୁ ଆଙ୍କିବାରେ ଏକ ପ୍ରକାରର ରେକର୍ଡ଼ କରିଛି । ଏହି ମାନଚିତ୍ରରେ ସାମିଲ ହୋଇଛି ଲକ୍ଷାଧିକ ଗ୍ୟାଲେକ୍ସି । ଏହା ମଧ୍ୟରେ ଏଭଳି କିଛି ଗ୍ୟାଲେକ୍ସି ରହିଛି, ଯାହାର ଆବିଷ୍କାର ପୂର୍ବରୁ ହୋଇନଥିଲା । ତେବେ ଏହି ସଫଳତା ହାସଲ କରିଛି ASKAP ବା ଅଷ୍ଟ୍ରେଲିୟାନ୍ SKA ପାଥ୍‌ଫାଇଣ୍ଡର ଟେଲିସ୍କୋପ୍ ।

କୋଭିଡ-୧୯ ଏ ବର୍ଷ ପୂରା ବିଶ୍ୱର ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଲକ୍ଷାଧିକ ଜୀବନ ଯିବାପରେ ମଧ୍ୟ ଦୁନିଆ ଏପର୍ଯ୍ୟନ୍ତ କୋଭିଡ ମହାମାରୀ ସହିତ ଲଢୁଛି । ଭ୍ୟାକସିନକୁ ଅପେକ୍ଷାର ଅନ୍ତ ଏଯାଏ ସରିନାହିଁ । ବର୍ଷ ଶେଷ ହେବା ପୂର୍ବରୁ ଏହାର କିଛି ଭ୍ୟାକସିନ ପ୍ରସ୍ତୁତ ମଧ୍ୟ ହୋଇ ସାରିଛି ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ଏମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି ଫାଇଜର, ମଡର୍ଣ୍ଣା ଏବଂ ସ୍ପୁଟନିକ ଭି । କିନ୍ତୁ ଏ ବର୍ଷ କରୋନା ଭୂତାଣୁକୁ ନେଇ ଅଧିକ ଗବେଷଣା କରାଯାଇଛି । ଏବେ ଶହ ଶହ ଭ୍ୟାକସିନ ପରୀକ୍ଷା ଅପେକ୍ଷାରେ ରହିଛି ।

GST ଠକେଇ ମାମଲାରେ ସିବିଆଇ ଏତଲା, ୧୦ ଲକ୍ଷ ବଦଳରେ ୫ କୋଟି ଟ୍ୟାକ୍ସକୁ କରିଥାନ୍ତେ ୫ ଲକ୍ଷ !

ଭୁବନେଶ୍ୱର: ଜିଏସଟି ଠକେଇ ମାମଲାରେ ସିବିଆଇ ଏତଲା ଦାଏର କରିଛି । ଏତଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଆର୍ଥିକ ମୁଖ୍ୟଙ୍କ ସମେତ ଭୁବନେଶ୍ୱର ଜିଏସଟି ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ନାମ ରହିଛି । ସିବିଆଇ ଏତଲା ଅନୁସାରେ ଜିଏସଟି ଅଧିକାରୀ ଏ ବି କର ବକେୟା ୫ କୋଟି ଜିଏସଟି ଟ୍ୟାକ୍ସ କମ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ଏତଲା ଅନୁସାରେ ଏହି ଶିକ୍ଷାନୁଷ୍ଠାନ ଉପରେ ଜିଏସଟି ବକେୟା ଥିଲା । ସେପ୍ଟମ୍ବର ୩,୨୦୨୦ରେ ଏ ବି କର ଏନେଇ ଅନୁଷ୍ଠାନକୁ ନୋଟିସ କରିଥିଲେ ।

ନୋଟିସ ଜାରି କରିବା ପରେ ଏ ବି କର ନିଜ ସହଯୋଗୀଙ୍କ ସହ ସେଞ୍ଚୁରିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଅଡିଟ୍ ପାଇଁ ଯାଇଥିଲେ । ଅଡିଟ୍ କାଳରେ ଜିଏସଟି ଆକାଉଣ୍ଟରେ ୨୦୧୭-୧୮ ମସିହାରେ ଅନିୟମିତତା ଥିବା ନଜରକୁ ଆସିଥିଲା । ୨୦୧୭-୧୮ ପୂର୍ବ ବର୍ଷ ଗୁଡିକରେ ମଧ୍ୟ ସଠିକ ଜିଏସଟି ପୈଠ କରାଯାଇ ନଥିବା ଜଣା ପଡିଥିଲା ।

ସିବିଆଇ ଅନୁସାରେ ଜିଏସଟି ଓ ଫାଇନ ବାବଦରେ ସେଞ୍ଚୁରିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ବାର୍ଷିକ ୫ କୋଟିରୁ ଅଧିକ ଦେବାକୁ ପଡିଥାନ୍ତା । ତେଣୁ ଶିକ୍ଷାନୁଷ୍ଠାନକୁ ଚଳାଉଥିବା ଟ୍ରଷ୍ଟ ପକ୍ଷରୁ ଏହାର ଆକାଉଣ୍ଟସ ମ୍ୟାନେଜର ଆଶୁତୋଶ ପାଢିଙ୍କୁ ଜିଏସଟି ଅଧିକାରୀଙ୍କ ସହ ଆଲୋଚନା କରି ମାମଲାର ସମାଧନ କରିବାକୁ କୁହାଯାଇଥିଲା ।

ସିବିଆଇ ଅନୁସାରେ ଜିଏସଟି ଅଧିକାରୀ ଏ ବି କର ଫାଇନ କମାଇବାକୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ୧୦ ଲକ୍ଷ ଟଙ୍କା ବଦଳରେ ଟ୍ୟାକ୍ସ ଓ ଫାଇନକୁ ୫ କୋଟିରୁ ୫ ଲକ୍ଷ କରି ଦିଆଯିବ ବୋଲି କର ପ୍ରତିଶ୍ରୁତି ଦେଇଥିବା ସିବିଆଇ ଏତଲାରେ ଉଲ୍ଲେଖ କରିଛି । କୌଣସି ସୂତ୍ରରୁ ସୂଚନା ପାଇବା ପରେ ସିବିଆଇ ୨୯ ତାରିଖ ଦିନ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଥିବା ଏକ ତାରକା ହୋଟେଲ ଉପରେ ଚଢଉ କରିଥିଲା । ଚଢଉ ସମୟରେ ନଗଦ ଟଙ୍କା ସହିତ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଥିଲା ।

ଏହାସହ ପଢନ୍ତୁ- ସିବିଆଇ ଜାଲରେ GSTର ୩ ଅଧିକାରୀ, ଠକିବା ପାଇଁ ହୋଟେଲରେ ଚାଲିଥିଲା ବ୍ଲୁ-ପ୍ରିଣ୍ଟ

ଓଡିଶାରେ ଆଜି ରାତି ୧୦ରୁ ସକାଳ ୫ ଯାଏଁ କର୍ଫ୍ୟୁ

ଭୁବନେଶ୍ୱର: ନୂଆବର୍ଷ ଲାଗି ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ହେଲେ କରୋନା ପାଇଁ ନ୍ୟୁ ଇୟର ସେଲିବ୍ରେସନ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାତି ୧୦ଟାରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତିି ।

ସୂଚନା ଅନୁଯାୟୀ ଏହି ରାତ୍ରୀକାଳୀନ କର୍ଫ୍ୟୁ ଆଜି ରାତି ୧୦ରୁ ଲାଗୁ ହେବା ସହ ଆସନ୍ତାକାଲି ତଥା ଜାନୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆବର୍ଷକୁ ଦୃଷ୍ଟିରେ ରଖି ଜାରି ହୋଇଛି  ଏହି ନାଇଟ କର୍ଫ୍ୟୁ ।

ନବବର୍ଷରେ ଅତ୍ୟଧିକ ଜନଗହଳି ତଥା କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘଦିନ ପରେ ନାଇଟ କର୍ଫ୍ୟୁ ଫେରିଥିବା ବେଳେ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ସୂଚନା ମୁତାବକ ସାରା ରାଜ୍ୟ ରାତି ସାରା କର୍ଫ୍ୟୁ ଭିତରେ ରହିବ । ଏହି କଟକଣା ଫଳରେ ଆଉ କେହି ଘରୁ ଗୋଡ କାଢି ପାରିବେନି। କାରଣ ଅଧିକ ଲୋକ ଏକାଠି ହେଲେ କରୋନା ବ୍ୟାପିବାର ଭୟ ରହିଛି । ଏହି ଭୟକୁ ବ୍ରିଟେନ୍ ଷ୍ଟ୍ରେନ୍ ଅଧିକ ଘନିଭୂତ କରିଛି । ତେଣୁ ଡିସେମ୍ବର ୩୧ ତାରିଖ ରାତି ୧୦ରୁ ପୁରା ରାଜ୍ୟକୁ କର୍ଫ୍ୟୁ ଭିତରେ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କର୍ଫ୍ୟୁ କାଳରେ ଜରୁରୀକାଳୀନ ସେବା ପୂର୍ବବତ ଜାରି ରହିବ।

ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଓ ଯାତାୟତକୁ ଅନୁମତି ଦିଆଯାଇଛି । ଏଥିସହ ହୋଟେଲ୍‌, କ୍ଲବ୍, ପାର୍କ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ନୂଆ ବର୍ଷ ପାଳନକୁ ନିଷେଧ କରିଛନ୍ତି । ଘରେ ସେଲିବ୍ରେସନ୍ କରିବାକୁ ଏସଆରସି ନିବେଦନ କରିଛନ୍ତି । ଟେଲିଫୋନ୍, ହ୍ବାଟସ ଆପ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବା ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବନ୍ଧୁ ମିଳନ କରି ନୂଆ ବର୍ଷକୁ ଆନନ୍ଦ ଉଲ୍ଲାସ ସହ ସ୍ବାଗତ କରିବାକୁ ସେ କହିଛନ୍ତି । ସେହିପରି ଆସନ୍ତାକାଲି ସରକାରୀ ଅଫିସରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କର୍ମଚାରୀଙ୍କୁ ଏକାଠି ହେବାକୁ ମନା କରାଯାଇଛି।

ସୂଚନାଯୋଗ୍ୟ ଯେ, କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ଦେଶର ଚିନ୍ତାକୁ ବଢାଇ ଦେଇଛି। ବ୍ରିଟେନରୁ ଆବିଷ୍କୃତ ହୋଇଥିବା ଏହି ଷ୍ଟ୍ରେନ୍ ଅଧିକ ସଂକ୍ରମକ। ବ୍ରିଟେନରୁ ଏହି ସମୟରେ ଓଡ଼ିଶାକୁ୧୮୮ ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୯ ଜଣଙ୍କୁ ଚିହ୍ନଟ କରାଯାଇଛି। ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇ ସାରିଛି । ବ୍ରିଟେନ୍ ଫେରନ୍ତା ଓ ସେମାନଙ୍କ ସଂପର୍କୀୟଙ୍କୁ ମିଶାଇ ମୋଟ ୨୦୪ ଜଣଙ୍କର RTPCR ଟେଷ୍ଟ୍ ହୋଇଛି । ବର୍ତ୍ତମାନ ସୁଧା ୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହି ୭ଜଣଙ୍କ ମଧ୍ୟରେ ୪ଜଣ ବ୍ରିଟେନ୍ ଫେରନ୍ତା ହୋଇଥିବା ବେଳେ ବାକି ୩ ଜଣ ସେମାନଙ୍କ ସଂପର୍କୀୟ । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବ୍ରିଟେନରୁ ୮୫ ଜଣ ଫେରିଛନ୍ତି ।