spot_img
Home Blog Page 610

ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି

ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ଚର୍ଚ୍ଚା ଜୋରଦାର। ଦିଲ୍ଲୀରୁ ଫେରିବା ପରେ ଆସିପାରେ ନିଗମ ଓ ବୋର୍ଡର ପ୍ରଥମ ତାଲିକା। ବଢୁଛି ଆଶାୟୀଙ୍କ ସଂଖ୍ୟା, ଚିନ୍ତାରେ ଟିମ୍ ବିଜେପି। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା ପ୍ରସ୍ତୁତ ହେଉଛି। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ ସହ ଖୁବଶୀଘ୍ର ଗଢ଼ାଯିବ ରାଜ୍ୟ ବିଜେପି ଟିମ୍। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଉଭୟ ନେତା ଦିଲ୍ଲୀରୁ ଫେରିବା ପରେ ଏଥିରେ ମୋହର ବାଜିବ। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦୀ ବୋର୍ଡ, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର।

ରାଜ୍ୟରେ ମୋଟ ୫୬ଟି ନିଗମ ଥିବା ବେଳେ, କିଛି ନିଗମରେ ଅଫିସର ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୪୦ଟି ନିଗମ ଏବଂ ବୋର୍ଡରେ ରାଜନୈତିକ ନିଯୁକ୍ତି ଦିଆଯିବ। ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ ଉପରେ ରହିଛି। ଯେଉଁମାନଙ୍କୁ ସରକାରୀ ବ୍ୟବସ୍ଥାରେ ଥିଇଥାନ କରାଯାଇ ନପାରିବ, ସେମାନଙ୍କୁ ରାଜ୍ୟ ଟିମରେ ଗୁରୁଦାୟିତ୍ବ ଦିଆଯିବ। ରାଜ୍ୟ ବିଜେପି ଟିମ୍, ନିଗମ ଓ ବୋର୍ଡ ନିଯୁକ୍ତି ପାଇଁ ଏକା ସାଙ୍ଗରେ ଚାଲିଛି ଅଙ୍କକଷା। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଲବି ମଧ୍ୟ ଆରମ୍ଭ କରିଛନ୍ତି। ପୁଣି ଥରେ ସଭାପତି ଦାୟିତ୍ବ ନେବା ପରେ ନିଜ ଟିମ୍ ଗଢିବା ସହ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ଦଳ ପାଇଁ ବଡ଼ ଆହ୍ବାନ। ଶୃଙ୍ଖଳିତ ଦଳ କଥା କହି ଆଶାୟୀମାନେ ନିଯୁକ୍ତି ନେଇ ମୁହଁ ଖୋଲୁନଥିବା ବେଳେ, ସମସ୍ତଙ୍କ ନଜର ରହିଛି ମୋହନ ଓ ମନମୋହନଙ୍କ ନିଷ୍ପତ୍ତି ଉପରେ।

ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର: ପୋର୍ଟ ଫୋଲିଓ କହିଲେ ବି ଚିହ୍ନି ପାରୁନାହାଁନ୍ତି ଅଧିକାରୀ

ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର । ପୋର୍ଟ ଫୋଲିଓ କହିଲେ ବି ଚିହ୍ନିପାରୁନାହାଁନ୍ତି ଅଧିକାରୀ । ସଙ୍ଗୀନ ଅଭିଯୋଗ ଆଣିଲେ ସରକାରୀ ଦଳ ଉପ ମୁଖ୍ୟସଚେତକ । ବିରୋଧୀ କହିଲେ, ରାଜ୍ୟରେ ଚାଲିଛି ବିଚିତ୍ର ଶାସନ । ସରକାରୀ ଅଫିସର ଜାଣୁନାହାନ୍ତି ନେତାଙ୍କ ପୋର୍ଟ ଫୋଲିଓ । ବିଜେପି ସରକାରର ୧୩ ମାସ ପରେ ବି ଶାସକ ଦଳର ବିଭିନ୍ନ ପୋର୍ଟ ଫୋଲିଓ ଥିବା ନେତାଙ୍କୁ ଜାଣିପାରୁନାହାନ୍ତି ସରକାରୀ ଅଧିକାରୀ । ଫୋନରେ ପରିଚୟ ଦେଲେ ବି ଉତ୍ତର ଆସୁଛି କିଏ କହୁଛନ୍ତି ? ସରକାରୀ ଅଧିକାରୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସରକାରୀ ଦଳ ଉପ ମୁଖ୍ୟସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ନିଜର କ୍ଷୋଭ ପ୍ରକାଶ କରି ଉପ ମୁଖ୍ୟସଚେତକ କହିଛନ୍ତି ‘ଉପମୁଖ୍ୟ ସଚେତକ’ କହିଲେ ଜାଣିପାରୁନାହାନ୍ତି ଅଫିସର। ପଦପଦବୀର ଗରିମା ବୁଝିପାରୁନାହାନ୍ତି । ବିଧାୟକ କହିଲେ ଜାଣୁଛନ୍ତି ଉପମୁଖ୍ୟ ସଚେତକ କହିଲେ ବୁଝି ପାରୁନାହାନ୍ତି । ବିଧାନସଭାର ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଯଦି ଅଫିସର ଜାଣିପାରୁନାହାନ୍ତି ତେବେ ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ଚାଲିଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଉପ ମୁଖ୍ୟସଚେତକ କହିଛନ୍ତି ଆମେ ଅଫିସରଙ୍କୁ କ୍ଷମା କରିଦେବୁ ।

ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଅଫିସର ଜାଣିନପାରିବା ଅଭିଯୋଗକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୩ ମାସ ଧରି ସରକାର ଚଳାଇବା ପରେ ସରକାରୀ ଦଳ ଉପ ମୁଖ୍ୟସଚେତକ ଏପରି କହିବା ବିଧାୟକମାନଙ୍କୁ ଅପମାନ । ଗୋବିନ୍ଦକୁ ପ୍ରଶ୍ନ କରି ପ୍ରମିଳା କହିଛନ୍ତି ଯେ ଏବେ ରାଜ୍ୟରେ କିଏ ଶାସନ କରୁଛି ? ନିଜ ଦଳରେ ପ୍ରଚାର ପ୍ରସାର, ଆତ୍ମଗରିମା ନ ଛାଡିଲେ କିଛି ହବନି । ଅଫିସରଙ୍କୁ ଚିଠି ଦିଆ ହୋଇଛି କିନ୍ତୁ କେମିତି ବିଧାୟକଙ୍କୁ ଚିହ୍ନି ପାରୁନାହାନ୍ତି ? ଯେହେତୁ ଶାସକ ଦଳ କିଛି କାମ କରିପାରୁନାହାନ୍ତି କେଉଁ ବାଟ ଦେଇକି ଖସିବେ ବୋଲି ଭାବୁଛନ୍ତି । ଯଦି ସରକାରୀ ଉପ ମୁଖ୍ୟସଚେତକଙ୍କୁ ଚିହ୍ନି ପାରୁନାହାନ୍ତି ତାହାଲେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସ ଚିହ୍ନି ପାରୁଛନ୍ତି ତ ବୋଲି ପ୍ରଶ୍ନ କରିଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଓଡିଶାରେ ବିଚିତ୍ର ଶାସନ ଚାଲିଛି । ଶାସକ ଦଳ କିଛି କାମ କରୁନି କି ବିଧାନସଭା ଆଲୋଚନାରେ ବିଧାୟକମାନେ ଠିକ ଢଙ୍ଗରେ ନିଜର ଦକ୍ଷତା ପ୍ରତିପାଦନ କରୁନାହାନ୍ତି । ଖାସ ସେଥିପାଇଁ ଶାସକ ଦଳକୁ ଅଫିସରମାନେ ଚିହ୍ନି ପାରୁନାହାନ୍ତି । ପୋର୍ଟ ଫୋଲିଓରେ ଥିବା ନେତାଙ୍କୁ ଯଦି ଅଫିସର ଚିହ୍ନିପାରୁନାହାନ୍ତି , ତେବେ ଗ୍ରାଉଣ୍ଡରେ ବିଧାୟକମାନଙ୍କ କାମ କିପରି ହେଉଥିବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ୧୩ମାସର ସରକାରରେ ଯଦି ବିଧାୟକ ନ୍ୟାୟ ମାଗୁଛନ୍ତି, ତେବେ ଲୋକଙ୍କ ସମସ୍ୟା କେମିତି ଦୂର ହେବ ତାକୁ ନେଇ ବିରୋଧୀ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ।

କମିଶନ ଓ କମିଟି ଗଠନରେ ଚାଲିଛି ଶାସନ: ମିଳୁନି ନ୍ୟାୟ, ସାର୍ବଜନୀନ ହେଉନି ରିପୋର୍ଟ

କମିଶନ ଓ କମିଟି ଗଠନରେ ଚାଲିଛି ଶାସନ । ମିଳୁନି ନ୍ୟାୟ, ସାର୍ବଜନୀନ ହେଉନି ରିପୋର୍ଟ । ବିଜେଡିର ଅଭିଯୋଗ ରାଜନୈତିକ ସଂପୃକ୍ତିକୁ ଘଣ୍ଟ ଘୋଡ଼ାଯାଉଛି । ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି  । ୧୩ ଜୁଲାଇ ୨୦୨୪-ଏଏସଓଙ୍କୁ ମାଡ ମାରିଲେ ପୂର୍ବତନ ରାଜ୍ୟପାଳଙ୍କ ପୁଅ। ଜିଲ୍ଲାପାଳସ୍ତରୀୟ ତଦନ୍ତ ରିପୋର୍ଟ ନିର୍ଦ୍ଦେଶ ଦେଲେ ସରକାର। ବର୍ଷେ ପରେ ବି ଫଳଶୂନ। ୧୫ ସେପ୍ଟେମ୍ବର ୨୦୨୪- ଭରତପୁର ଘଟଣା। ୯ ଜୁଲାଇ ୨୦୨୪ ରଥ ଉପରେ ବଡ ଠାକୁର ପଡିଗଲେ। ରିପୋର୍ଟ ଦିଆଗଲା ହେଲେ ସାର୍ବଜନୀନ ହେଲାନି। ୨୯ ଜୁନ ୨୦୨୫ରେ ରଥଯାତ୍ରା ଦଳାଚକଟା କମିଶନ ରିପୋର୍ଟ ସରକାରଙ୍କୁ ଦିଆଗଲା, ହେଲେ ସାର୍ବଜନୀନ ହେଲାନି । ମଣ୍ଡିପଙ୍କା, ଚିକିଟି ମଦମୃତ୍ୟୁ , ଜଗନ୍ନାଥ ଜମି କମିଟି, ଭୁବନେଶ୍ବର ମେଟ୍ରୋ କମିଟି, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ, କୋଟିଆ କମିଟି, ଦାଦନ ପରି ଅନେକ କମିଟି ଓ ତଦନ୍ତ ବସାଇଛନ୍ତି ୧୩ ମାସର ବିଜେପି ସରକାର। ହେଲେ କୌଣସି ଗୋଟିଏ କମିଶନ କି କମିଟି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଏପରିକି ତଦନ୍ତ ରିପୋର୍ଟ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାବି ଅଗୋଚରରେ ରହିଗଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି- ବିଭିନ୍ନ ଘଟଣାରେ ବିଜେପି ନେତାଙ୍କ ସଂପକ୍ତି ରହୁଥିବାରୁ ସରକାର ତଦନ୍ତ ଓ କମିଶନ ଆଳରେ ଘଣ୍ଟ ଘୋଡାଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି ।

କମିଶନ ଓ ତଦନ୍ତ ନିର୍ଦ୍ଦେଶ ନେଇ ଅଜବ ଯୁକ୍ତି ବାଢିଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ରିପୋର୍ଟ ସାର୍ବଜନୀନ କରାଯିବ କି ନାହିଁ ସରକାର ନିଷ୍ପତ୍ତି ନେବେ । ପୂର୍ବରୁ ବିଜେପି ବିଧାୟକ ଅଶ୍ବିନୀ ଷଢଙ୍ଗୀ ମଧ୍ୟ କହିଥିଲେ ସବୁ ରିପୋର୍ଟ ସାର୍ବଜନୀନ କରିବା ଆବଶ୍ୟକ ନୁହେଁ । କମିଶନ ଓ ତଦନ୍ତ ରିପୋର୍ଟ ନେଇ ବିରୋଧୀ ଶାସକ ଦଳକୁ ଘେରିବା ପରେ ଏପରି ଜବାବ ଦେଇଛି ବିଜେପି । ବିଜେପି ସରକାର ଆସିବା ଆରମ୍ଭରୁ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା, ଅସଦାଚରଣ ଓ ଆଇନଶୃଙ୍ଖଳା ସ୍ଥିତି। ସେପଟେ ତଦନ୍ତ କମିଶନ ରିପୋର୍ଟ କାହିଁକି ସାର୍ବଜନୀନ କରାଯାଉନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ।

କୁଆଡ଼େ ଗଲେ ନାବାଳିକା ? ୧୭ ଦିନ ପରେ ବି ଯୁବତୀଙ୍କ ମିଳୁନି ପତ୍ତା

୧୭ ଦିନ ପରେ ବି ଯୁବତୀଙ୍କ ମିଳୁନି ପତ୍ତା । ରାଉରକେଲା ତୁମକେଲା ଘାଟ ନିକଟ କୋଏଲ ନଦୀ ପିକଟରୁ ହୋଇଥିଲେ ନିଖୋଜ । କୂଳରୁ ସାଇକେଲ ଓ ଚପଲ ହୋଇଥିଲା ଉଦ୍ଧାର । କୋଏଲ ନଦୀରେ ବୁଡି ଯାଇଥିବା ସନ୍ଦେହ କରି ପୋଲିସ, ଅଗ୍ନିଶମ ବିଭାଗ ଏଵଂ ଓଡ୍ରାଫ ଟିମ ୪ ଦିନ କୋଏଲ ଓ ବ୍ରାହ୍ମଣୀ ନଦୀରେ ଖୋଜାଖୋଜି କରିଥିଲେ । କିନ୍ତୁ ନାବାଳିକାଙ୍କ ପତ୍ତା ମିଳିନାହିଁ । ନାବାଳିକାକୁ କେହି ଅପହରଣ କରି ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଖୋଜ ନାବାଳିକାଙ୍କ ପରିବାର ଲୋକେ ସେକ୍ଟର ୧୫ ଥାନାରେ ଅଭିଯୋଗ କରିବା ସହ ଉଦ୍ଧାର ପାଇଁ ଦାବି କରିଛନ୍ତି ।

ନାବାଳିକା କୁଆଡେ ଗଲେ ? ଅପହରଣ ଅଭିଯୋଗ ସତ ନା ନଦୀକୁ ଡେଇଁ ପଡିଛନ୍ତି ନାବାଳିକା ? ନାବାଳିକା କାହା ସହିତ ଆସିଥିଲେ ? ଏଭଳି ଅସୁମାହିତ ପ୍ରଶ୍ନକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଗତ ଜୁଲାଇ ମାସ ୨୧ ତାରିଖ ଅପରାହ୍ନରୁ 14 ବର୍ଷୀୟା ନାବାଳିକା ନିଖୋଜ ରହିଛନ୍ତି । ଏବେ ତାଙ୍କୁ ଉଦ୍ଧାର କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି ହୋଇଛି ।

ଦକ୍ଷ ହେବେ ବସ୍ତି ପିଲା: ନାମୀ ଦାମୀ କମ୍ପାନୀରେ ପାଇବେ ନିଯୁକ୍ତି

ଦକ୍ଷ ହେବେ ବସ୍ତି ପିଲା। ଦିଶା ଦେଖାଇବ ଲାଇଟ ହାଉସ୍। ଡାଟା ଏଣ୍ଟ୍ରିରୁ ୱେବ ଡିଜାଇନ୍। ନାମୀ ଦାମୀ କମ୍ପାନୀରେ ପାଇବେ ନିଯୁକ୍ତି । ଦକ୍ଷତା ବିକାଶ ଲାଗି ମାଗାଣାରେ ନେବେ ଟ୍ରେନିଂ। ଲାଇଟ ହାଉସରେ ସମୀକ୍ଷା କଲେ କମିଶନର । ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ। ବସ୍ତିର ପିଲାଏ ମାଗଣାରେ ପଢ଼ିବେ ଓ ଶିଖିବେ ଜ୍ଞାନକୌଶଳ। ନିଜର କଳା କୌଶଳ ଜରିଆରେ ରୋଜଗାର ପାଇଁ ବାଛିବେ ନୂଆ ପନ୍ଥା। ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ସହିତ ବିକାଶ ଧାରାରେ ସାମିଲ ହେବେ । ଲାଇଟ ହାଉସ ଜରିଆରେ ନିଜର କୌଶଳ ପରଖିବେ ଓ ପ୍ରଶିକ୍ଷଣ ନେବେ। ଲାଇଟ ହାଉସରେ ପିଲାଙ୍କୁ ଦିଆଯିବ କୁଶଳୀ ହେବା ପାଇଁ ୧୧ଟି ଟ୍ରେଡ଼ରେ ପ୍ରଶିକ୍ଷଣ। ଡାଟା ଏଣ୍ଟ୍ରି ଅପରେଟର, ଟାଲି, ଇଲେକ୍ଟ୍ରିସିଆନ, ଟେଲରିଂ, ବିପିଓ, ଫ୍ରଣ୍ଟଅଫିସ ଓ ବିଲିଂ, ଅଫିସ ପରିଚାଳନା, ବ୍ୟୁଟି ପାର୍ଲର, ନର୍ସିଂ ସହାୟିକା, ଜାଭା, ୱେବ ଡିଜାଇନ ଭଳି ୧୧ଟି ଟ୍ରେଡ଼ରେ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ। ଆଜି ଏହି ଲାଇଟ ହାଉସ ବୁଲି ସମୀକ୍ଷା କରିଛନ୍ତି ବିଏମସି କମିଶନର।

ଲାଇଟ ହାଉସରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀ ମାନେ ଏହି ଶିକ୍ଷାଦାନ ଗ୍ରହଣ କରିପାରିବେ। ଲାଇଟ ହାଉସରେ ବସ୍ତିର ଯୁବକ ଯୁବତୀ ମାନଙ୍କ ସହିତ ଅନ୍ୟ ମାନେ ବି ତାଲିମ ନେଇ ପାରିବେ । ଫାଉଣ୍ଡେସନ କୋର୍ସ ପ୍ରଥମେ ଦିଆଯିବ। ଏହି କୋର୍ସରେ ୨୨ ଦିନିଆ ସଫ୍ଟ ସ୍କିଲ ପ୍ରୋଗାମ ଦିଆଯିବାର ବ୍ୟବସ୍ଥା ରହିଛି । ପିଲାଙ୍କ ଭିତରେ ଥିବା ପ୍ରତିଭା ବା କୌଶଳକୁ ଦେଖିବା ପରେ ଟ୍ରେଡ଼ ବାଛିବାର ସୁଯୋଗ ମିଳିବ। ଏହା ଦ୍ୱାରା ସ୍ଥାନୀୟ ଯୁବକଙ୍କ ଆର୍ଥିକ ସ୍ଥିତି ସୁଧୁରୀ ପାରିବ ବୋଲି ସ୍ଥାନୀୟ କର୍ପୋରେଟର କହିଛନ୍ତି। ଏବେ ସୁଦ୍ଧା ରାଜଧାନୀ ରେ ଦୁଇ ହଜାର ପିଲାଙ୍କୁ ଟ୍ରେନିଂ ଦିଆଯାଇଛି । ସେଥି ମଧ୍ୟରୁ ୧୨୦୦ ଯୁବକ ଯୁବତୀ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି ।

ବିପଦରେ ଶ୍ରୀମନ୍ଦିର ସୁରକ୍ଷା: କେତେବେଳେ ଭିତରକୁ ଯାଉଛି ଫୋନ୍ ତ ଆଉ କେତେବେଳେ ଉପରେ ଉଡିଛି ଡ୍ରୋନ୍

ବିପଦରେ ଶ୍ରୀମନ୍ଦିର ସୁରକ୍ଷା । କେତେବେଳେ ଭିତରକୁ ଯାଉଛି ଫୋନ୍ ତ ଆଉ କେତେବେଳେ ଉପରେ ଉଡିଛି ଡ୍ରୋନ୍ । ଏବେ ବାରମ୍ବାର ସ୍ପାଏ କ୍ୟାମ ଚଷମା ଦ୍ବାରା ଭିତର ଚିତ୍ର ଉତ୍ତୋଳନ ମନ୍ଦିର ପ୍ରଶାସନର ବଢାଇଛି ଚିନ୍ତା । ଏନେଇ ଶ୍ରୀମନ୍ଦିର ଆଇନ ୧୯୫୫ର ଧାରା ୩୦A ଉପଧାରା ୬ରୁ୯ ପର୍ଯ୍ୟନ୍ତ ସଂଶୋଧନ କରି କଡା ପଦକ୍ଷେପ ନେଇ ପ୍ରସ୍ତାବ ପାରିତ ହୋଇଛି l ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଭିତରେ ଫଟୋ କିମ୍ଭା ଭିଡ଼ିଓ ଉତ୍ତୋଳନ ପାଇଁ ୩ବର୍ଷ ସଶ୍ରମ କାରାଦଣ୍ଡ ବା ୨୦ହଜାର ଟଙ୍କାର ପାଇଁ ବ୍ୟବସ୍ଥା ରହିଛି । ବେଆଇନ ଡ୍ରୋନ ଉଡାଣ ନେଇ ୭ବର୍ଷ ଜେଲ ଅଥବା ୫୦ହଜାର ଟଙ୍କାର ଫାଇନ ରହିଛି l ଏଭଳି କଡା ଫାଇନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି l ଏପରିକି ସାମାଜିକ ଗଣ ମାଧ୍ୟମରେ ମହାପ୍ରଭୁଙ୍କୁ ନେଇ ଧାର୍ମିକ ବିରୋଧୀ ମନ୍ତବ୍ୟ ବା କୌଣସି ଫୋଟୋ ବା ଭିଡ଼ିଓ ପ୍ରଦଶ୍ରନକୁ ନେଇ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜଣା ପଡ଼ିଛି l ଅନ୍ୟପକ୍ଷରେ ଏପରି ଆଇନ ବ୍ୟବସ୍ଥା ଶ୍ରୀମନ୍ଦିର ସୁରକ୍ଷା ନେଇ ପର୍ଯ୍ୟଟକ ଓ ଭକ୍ତ ମହଲରେ ସଚେତିତ ହେବା ସହ ଭୟ ରହିବ ବୋଲି ପୁରୀ ଏସ୍ପି ମତ ରଖିଛନ୍ତି  ।

ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକାତର ବିଷୟ । ଏହାକୁ ନେଇ ବହୁ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁଚିନ୍ତିତ ମତାମତ ପ୍ରଦାନ କରାଯାଇଥିବା ସତ୍ୱେ ଏହାର କାର୍ଯ୍ୟକାରିତା ନେଇ ପଦକ୍ଷେପ ହୋଇନାହିଁ  । ଶ୍ରୀମନ୍ଦିର ଉପରେ ନୋ ଫ୍ଲାୟିଙ୍ଗ ଜୋନ ଘୋଷଣା ସତ୍ୱେ ବେଆଇନ ଭାବେ ଡ୍ରୋନ ଉଡୁଥିବା ବେଳେ ଏହାକୁ ରୋକିବା ନେଇ ସେଭଳି କୌଣସି ଆଖି ଦୃଶିୟା ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଏଥିସହ ମନ୍ଦିର ଭିତରର ଫଟୋ ଓ ଭିଡ଼ିଓ ଭାଇରାଲ ସତ୍ୱେ କେବଳ ନୋଟିସ ଦେଇ ପୋଲିସ ଚୁପ ବସୁଥିବା ନଜରକୁ ଆସିଛି l ଅନ୍ୟ ପକ୍ଷରେ ଶ୍ରୀମନ୍ଦିରରେ ବର୍ତ୍ତମାନ ସୁଦ୍ଧା ପରିଚାଳନା କମିଟି ଗଠନରେ ରାଜ୍ୟସରକାର ବିଫଳ ହୋଇଛନ୍ତି । ଏବେ ମନ୍ଦିର ସୁରକ୍ଷା ନେଇ ଆଇନ ସଂଶୋଧନ ଏକ ପ୍ରହଳିକା ବୋଲି ମତ ପ୍ରକାଶ ପାଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ହୋଇନଥିବାବେଳେ ଏଥିରେ ଆହୁରି ଅଧିକ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବସ୍ଥାର ବ୍ୟବହାର ଆବଶ୍ୟକତା ରହିଛି l

କୋରାପୁଟ ଜିଲ୍ଲାରେ ଭୁଶୁଡି ପଡିଛି ସ୍ବାସ୍ଥ୍ୟସେବା: ଚିକିତ୍ସା ପାଇଁ ଆସି ନୟାନ୍ତ ହେଉଛନ୍ତି ଗରିବ ରୋଗୀ

କୋରାପୁଟ ଜିଲ୍ଲାରେ ଭୁଶୁଡି ପଡିଛି ସ୍ବାସ୍ଥ୍ୟସେବା । ରେଫେରାଲ ହସ୍ପିଟାଲ ପାଲଟିଲାଣି ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଚିକିତ୍ସା ପାଇଁ ଆସି ନ୍ୟାୟନ୍ତ ହେଉଛନ୍ତି ଗରିବ ରୋଗୀ । ଦୀର୍ଘ ଦିନରୁ ଖାଲି ପଡିଛି ଡାକ୍ତର ଓ ର୍କମଚାରୀ ପଦବୀ । ଫଳରେ ବାଧ୍ୟ ହୋଇ ଏବେ ଆନ୍ଧ୍ର ଉପରେ ଭରସା କରୁଛନ୍ତି ଲୋକେ । ଏଠି ୧୨୬ ଟି ଡାକ୍ତର ପଦବୀ ରହିବା କଥା । କିନ୍ତୁ ଅଛନ୍ତି ମାତ୍ର ୩୯ ଜଣ । ସେହିପରି ୪୩ ଜଣ ସ୍ପେଶାଲିଷ୍ଟ ଡାକ୍ଟର ରହିବା କଥା କିନ୍ତୁ ଅଛନ୍ତି ମାତ୍ର ୧୭ ଜଣ । ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆଇସିୟୁ । ସିଟିସ୍କାନ ସହିତ ଏମ.ଆର.ଆଇ ସୁବିଧା ମଧ୍ୟ ନାହିଁ । ଏମିତିରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା କେମିତି ମିଳିପାରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ଠାରେ ଏକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଏକ ଅତ୍ୟାଧୁନିକ କୋଠା ନିର୍ମାଣ କରିଥିଲେ । ହେଲେ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କରିଥିଲେ ନୂଆ ସରକାର ।  ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସଂଖ୍ଯା ଖୁବ୍ କମ ଥିବା ମାନିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । କିନ୍ତୁ ଡାକ୍ତର ଆସୁନାହାନ୍ତି । ଏହାସହ ମାତ୍ର ୧୭ ଜଣ ସ୍ପେଶାଲିଷ୍ଟ ଡାକ୍ତରରେ ଚାଲିଛି ଚିକିତ୍ସା ସେବା । ଯଥାସମ୍ଭବ ରୋଗୀ ସେବା କରାଯାଉଥିବା କହିଛନ୍ତି ଡିଏମଓ ।

ଭୁବନେଶ୍ୱର ପାଲଟିଛି ଆନ୍ତଃରାଜ୍ୟ ଲୁଟେରାଙ୍କ ସେଫ ପ୍ଲେସ: ଅଭିଯୁକ୍ତଙ୍କ ଭୟରେ ଥର ହର ରାଜଧାନୀ

ଭୁବନେଶ୍ୱର ପାଲଟିଛି ଆନ୍ତଃରାଜ୍ୟ ଲୁଟେରାଙ୍କ ସେଫ ପ୍ଲେସ । ଅଭିଯୁକ୍ତଙ୍କ ଭୟରେ ଥର ହର ରାଜଧାନୀ । ଗଳିକନ୍ଦି ରେ ବୁଲୁଛନ୍ତି ଦୁର୍ବୃତ୍ତଙ୍କ ଏଜେଣ୍ଟ । ବଡ଼ ବଡ଼ୁଅଙ୍କ ଘରକୁ କରୁଛନ୍ତି ସଫ୍ଟ ଟାର୍ଗେଟ । ଲୁଟୁଛନ୍ତି ହାଣୁଛନ୍ତି ଆବଶକ୍ୟତା ପଡିଲେ ହତ୍ୟା ବି କରୁଛନ୍ତି । ଟିକିଏ ମନେ ପକାନ୍ତୁ ସେ ଦିନର ଏୟାରଫିଲଡ଼ ଥାନାର ଛାତିଥରା ଘଟଣା  । ଲବଣଗିରିରୁ ଚେନ ଝାମ୍ପିଲା ବେଳେ, ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଆପର୍ଟମେଣ୍ଟ ରେ ଘର ଭଡ଼ା ନେଇ, ସାଇବର ଠକ ମାନେ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଟଙ୍କା ବୋହି ନେଲେ  । ପରେ ପରେ ବିବାହ ମଣ୍ଡପରୁ ଟଙ୍କା, ସୁନା ଗହଣା ମାରାଥନ ଚୋରି କରି ପୋଲିସକୁ ଘାଇଲା କଲେ । ଖାଲି ସେତିକି ନୁହେଁ କଂଗ୍ରେସର ହେଭିୱେଟ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସକୁ ନାକରେ ପାଣି ପିଆଇଲେ  । ଆଉ ଦିଲ୍ଲୀରୁ ବନ୍ଧା ହେଲେ ଏହି ହାଇ ପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗ  । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲା  ।

ରାଜଧାନୀ ଭିତରେ ଘଟୁଥିବା ବଡ଼ ବଡ଼ ଅପରାଧରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ଜଳ ଜଳ ଦିଶୁଛି  । ତେବେ ଅପରାଧ ଘଟାଇବା ପରେ, ଧରା ପଡ଼ୁଛନ୍ତି ଲୁଟେରା  । କିନ୍ତୁ ଆଡ୍ଡା ସ୍ଥଳୀ, ପ୍ରି ପ୍ଲାନ, ବେଳେ ଖସି ଯାଉ ଥିବାରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୋଲିସ  । ବାହାର ରାଜ୍ୟର ପୋଲିସ ସହ ଯୋଗାଯୋଗ କରୁଛି ସ୍ପେଶାଲ ସ୍କ୍ବାଡ  । ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ଖୋଜିବା ସହ ତାଲିକା ବି ପ୍ରସ୍ତୁତ କରୁଛି ସ୍ପେଶାଲ ଟିମ । ଓଡ଼ିଶାର କିଛି ହାର୍ଡକୋର ଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ର ପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ଲୋଡ଼ିଛି କମିଶନରେଟ ପୋଲିସ । କାହିଁକି ଭୁବନେଶ୍ୱରକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି ଅପରାଧୀ ? ବେଧଡ଼କ ଭାବରେ ଅପରାଧ କରି, ରାଜ୍ୟ ଭିତରୁ କେମିତି ବାହାରକୁ ଖସି ଯାଉଛନ୍ତି ? ସ୍ମାର୍ଟ ସିଟରେ ସ୍ମାର୍ଟ ପୋଲିସ ଅଛନ୍ତି I କୋଟି କୋଟି ଟଙ୍କାର କ୍ୟାମେରା ସହର ଜଗିଛି , ତଥାପି କେମିତି ଚକମା ଖାଇ ଯାଉଛି ପୋଲିସ ? ଏସବୁ ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।

ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୁଣି ଟାରିଫ୍ ଲଗାଇଛନ୍ତି । ପୂର୍ବରୁ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ ଟାରିଫ ଲଗାଇଥିବା ବେଳେ ଏବେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏହି କ୍ରମରେ ଟ୍ରମ୍ପ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଭାରତ କ୍ରମାଗତ ଭାବେ ରୁଷ ଠାରୁ ତେଲ କିଣୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଆମେରିକା ତରଫରୁ କୁହାଯାଇଛି । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିଥିବା ଘୋଷଣା କରାଯାଇଛି । ଏହା ପୂର୍ବରୁ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଓ ପେନାଲ୍ଟୀ ଘୋଷଣା କରିଥିଲା । ରୁଷ ଠାରୁ ତେଲ କିଣିବା ଏହା ପଛର କାରଣ ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପଙ୍କ ଦ୍ବାରା ଜାରି ଆଦେଶରେ କୁହାଯାଇଛି, ଏହି ଟାରିଫ ୨୧ ଦିନ ଭିତରେ ଲାଗୁ ହେବ । ଅର୍ଥାତ ଅଗଷ୍ଟ ୨୭ ଠାରୁ ଭାରତରୁ ଆମେରିକା ପଠାଯାଉଥିବା ଜିନିଷ ଉପରେ ଲାଗୁ ହେବ ।

କୂଳ ଖାଉଛି ନାଗାବଳୀ, ଖସୁଛି ମାଟି ଅତଡ଼ା: ଏବେ ଆତଙ୍କିତ ଅବସ୍ଥାରେ ନଈକୂଳିଆ

କୂଳ ଖାଉଛି ନାଗାବଳୀ । ଖସୁଛି ମାଟି ଅତଡ଼ା । ଏବେ ଆତଙ୍କିତ ଅବସ୍ଥାରେ ନଈକୂଳିଆ । ରାୟଗଡା ଜିଲ୍ଲା ସଦର ବ୍ଲକର ମାରିଗୁଡା, ଜଗନ୍ନାଥପୁର, ବେଡ଼େଲି, ଗୁସେଇଁକଣ୍ଟୁଆ ଓ ବେହେରାଗୁଡ଼ା ପରି ୧୦ ଖଣ୍ଡ ଗ୍ରାମବାସୀ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଲଗାଣ ବର୍ଷା ହେଲେ ନାଗାବଳୀ ନଦୀ ଫୁଲୁଥିବା ବେଳେ କୂଳ ଖାଇଖାଇ ଯାଉଛି । ବନ୍ଯା ଜଳ ଗାଁ ଭିତରେ ପଶି ଧନ ଜୀବନ ନଷ୍ଟ କରୁଥିବା ବେଳେ ଅନେକ ଫସଲ କ୍ଷେତ ନଷ୍ଟ ହୋଇଗଲାଣି । ହେଲେ ଏସବୁ ବିଷୟରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

୨୦୧୭ ମସିହାରେ ନାଗାବଳୀ ନଦୀ ବନ୍ୟା ଜଳ ରାତିରେ ଜଗନ୍ନାଥପୁର ଗାଁରେ ପ୍ରବେଶ କରିଥିଲା । ଆଉ ଲକ୍ଷାଧିକ ଟଙ୍କାର ସଂମ୍ପତ୍ତି ନଷ୍ଟ କରିଥିଲା । ଯାହାକୁ ନେଇ ପ୍ରତିବର୍ଷ ବର୍ଷା ଦିନେ ଆଶଙ୍କାରେ କାଳ କାଟୁଛନ୍ତି ଲୋକେ । ତେବେ କଲ୍ୟାଣସିଂହପୁର ବ୍ଲକରୁ ରାୟଗଡ଼ା ବ୍ଲକର କେରେଡ଼ା ମଧ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟରେ ଆଡ଼ିବନ୍ଧ ନିର୍ମାଣ କରାଯାଉଛି । ହେଲେ ନିର୍ମାଣ କାମ ବିଳମ୍ବ ହେଉଥିବାରୁ ଲୋକେ ଏବେବି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଜିଲ୍ଲାପ୍ରଶାସନ ନାଗାବଳୀ ନଦୀରେ ଶୀଘ୍ର ଆଡ଼ିବନ୍ଧ ନିର୍ମାଣ ଶେଷ କଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା ।