ଏବେସୁଦ୍ଧା ୪ଲକ୍ଷ ୩୪ ହଜାର ବୟସ୍କଙ୍କୁ ସରିଲାଣି ଟିକାକରଣ

1 min read
Vaccination Of Elderly Population And Persons With Co-Morbidities Odisha Preparation

ତ୍ବରାନ୍ବିତ ହେବ କରୋନା ଟିକାକରଣ ପ୍ରକ୍ରିୟା। ଟିକାକରଣରେ ଆଉ ଅଧିକ ବେସରକାରୀ ହସ୍ପିଟାଲକୁ ସାମିଲ କରାଯିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ଆୟୁଷ୍ମାନ ଯୋଜନା ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇ ନଥିବା ମେଡିକାଲଗୁଡ଼ିକୁ ବି ଟିକାକରଣରେ ସାମିଲ କରାଯିବ। କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଦେଶର ବହୁ ଛୋଟ ଛୋଟ ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯିବ।

କୋ-ଓ୍ବିନ୍‌ ଆପ୍‌ରେ ଆଗ୍ରହୀ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ କରାଇବା ସହ ଏହି ଘରୋଇ ହସ୍ପିଟାଲଗୁଡ଼ିକ ଟିକା ଦେଇପାରିବେ। ଆଜି ତୃତୀୟ ଦିନରେ ଟିକା ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ମନ୍ତ୍ରୀ ଟିକା ନେଇସାରିଛନ୍ତି। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ଦୂରାରୋଗ୍ୟରେ ପୀଡ଼ିତଙ୍କୁ ଟିକା ଦିଆଯାଉଛି।

ଏବେସୁଦ୍ଧା ୪ଲକ୍ଷ ୩୪ ହଜାର ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ଦୁରାରୋଗ୍ୟରେ ପୀଡ଼ିତ ୬୦ହଜାର ୨୦ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି। ଦେଶରେ ଏବେ ସୁଦ୍ଧା ୬୭ ଲକ୍ଷ ୩୨ ହଜାର ସ୍ବାସ୍ଥ୍ୟକର୍ମୀ ଓ ୫୫ଲକ୍ଷ ୪୭ ହଜାରରୁ ଅଧିକ ଆଗଧାଡ଼ିର କର୍ମୀଙ୍କୁ ଟିକା ଦିଆଯାଇଛି। ସେପଟେ ରାଜ୍ୟର ମୋଟ୍ ୧୫୩ଟି କେନ୍ଦ୍ରରେ ଟିକା ଦିଆଯାଉଛି। ୧୩୨ଟି ସରକାରୀ ଓ ୨୧ଟି ବେସରକାରୀ ହସ୍ପିଟାଲରେ ଟିକାକରଣ ହେଉଛି।

ସରକାରୀ ହସ୍ପିଟାଲରେ ମାଗଣା ଟିକା ଦିଆଯାଉଥିବା ବେଳେ ବେସରକାରୀ ହସ୍ପିଟାଲରେ ଟିକା ପାଇଁ ୨୫୦ ଟଙ୍କା ନିଆଯାଉଛି। ଭୁବନେଶ୍ବରରେ ୧୨ଟି ସରକାରୀ ଓ ୧୦ଟି ବେସରକାରୀ ହସ୍ପିଟାଲ ସହ ମୋଟ୍ ୨୨ଟି କେନ୍ଦ୍ରରେ ଟିକାକରଣ ହେଉଛି। ସେଲ୍ଫ ରେଜିଷ୍ଟ୍ରେସନ ଓ ଅନ ଦି ସ୍ପଟ୍ ରେଜିଷ୍ଟ୍ରେସନ କରି ଲୋକ ଟିକା ନେଉଛନ୍ତି ।

Leave a Reply