ଯୁବକଙ୍କୁ ଅପହରଣ ପରେ ହତ୍ୟା ଧମକ, ଭିଡିଓ ହେଲା ଭାଇରାଲ

ସୋର: ପ୍ରଥମେ ଅପହରଣ ଏବଂ ପରେ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ୍‌। ୪ ଲକ୍ଷ ଟଙ୍କା ପାଇଁ ଯୁବକ ହୋଇଛନ୍ତି ପଣବନ୍ଦି। ଟଙ୍କା ନଦେଲେ ହାତ ଗୋଡ ବାନ୍ଧି ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ ହୋଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ କୁମାର ମହାନ୍ତି ୮ ବର୍ଷ ଧରି ବାଙ୍ଗଲୋରର ଏକ କ୍ୟାଣ୍ଟିନରେ କାମ କରୁଥିଲେ। ୧୦ ଦିନ ତଳେ ଘରକୁ ଫେରିଥିଲେ।

ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା କଲିକତା ଯିବାକୁ। ସେହିଦିନ ତାପସ ତୁରନ୍ତ କଲିକତା ଚାଲିଯାଇଥିଲେ। ତାପରେ ତାପସଙ୍କୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀଙ୍କୁ ଆସିଥିଲା ଫୋନ୍। ଅପହରଣକାରୀ ଅଜଣା ଫୋନରୁ କଲ କରି ୪ ଲକ୍ଷ ଟଙ୍କା ଦେଲେ ସ୍ବାମୀଙ୍କୁ ଛାଡିବୁ ନଚେତ୍ ମାରିଦେବୁ ବୋଲି ଧମକ୍ ଦେଇଥିଲେ। ମାର୍ଚ ୨ ତାରିଖ ରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଭିଡିଓ ପଠାଇଥିଲେ ଅପହରଣକାରୀ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପରିବାର ଲୋକ ଅପହରକାରୀଙ୍କୁ ୫୦ହଜାର ଦେଇଛନ୍ତି। ବାକି ୩ଲକ୍ଷ ୫୦ହଜାର ଦେବା ପାଇଁ ବ୍ୟାଙ୍କରେ ଲାଇନରେ ଠିଆ ହୋଇଛନ୍ତି ପରିବାର। ତାପସଙ୍କ ସ୍ତ୍ରୀ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply