ଭୁବନେଶ୍ୱର: ଘରୋଇ ସ୍କୁଲରେ ଫି ନିର୍ଧାରଣକୁ ନେଇ ହାଇକୋର୍ଟଙ୍କ ନିର୍ଦେଶ ପରେ ବି ଘରୋଇ ସ୍କୁଲର ଅବମାନନା। ଏନେଇ ଅଭିଯୋଗ କରିଛନ୍ତି ଓଡ଼ିଶା ଅଭିଭାବକ ମହାସଙ୍ଘ। ସ୍କୁଲରେ ପିଲାଙ୍କୁ ମାନସିକ ନିର୍ଯ୍ୟାତନା ଅର୍ଥାତ ସ୍କୁଲ ଫି ନଦେବା ନେଇ ଅନଲାଇନ କ୍ଳାସରୁ ବାରଣ କରିବା ସହ ପରୀକ୍ଷାରୁ ବଞ୍ଚିତ କରିଛନ୍ତି। ଡି.ଏ.ଭି ସ୍କୁଲ, ଲୟଲା ସ୍କୁଲ, ନାରାୟଣ ସ୍କୁଲ ଓ ସେଣ୍ଟ ଜୋସେଫ ସ୍କୁଲ ନାଁ ରେ ଏଭଳି ଅଭିଯୋଗ ଆସିଥିବାବେଳେ ଅଭିଭାବକ ସଙ୍ଘ ସ୍କୁଲ ଏବଂ ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ମାମଲା ରୁଜୁ କରିବେ ବୋଲି ଅଭିଭାବକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜୁଭେନାଇଲ ଆକ୍ଟର ଧାରା ୭୫ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଲେ ୩ବର୍ଷ ଜେଲ ଦଣ୍ଡ ସହ ୧ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ହେବ। ଏଣୁ ବିଦ୍ୟାଳୟ ଗୁଡିକ ସୁଧୁରି ଜାଆନ୍ତୁ ନଚେତ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ। ଏନେଇ ପୋଲିସ କମିଶନରଙ୍କ ସହ କଥା ହେବା ସହ ଗଣଶିକ୍ଷା ବିଭାଗକୁ ଜଣାଇଛୁ।
ଏବେସୁଦ୍ଧା ୪ଲକ୍ଷ ୩୪ ହଜାର ବୟସ୍କଙ୍କୁ ସରିଲାଣି ଟିକାକରଣ
ତ୍ବରାନ୍ବିତ ହେବ କରୋନା ଟିକାକରଣ ପ୍ରକ୍ରିୟା। ଟିକାକରଣରେ ଆଉ ଅଧିକ ବେସରକାରୀ ହସ୍ପିଟାଲକୁ ସାମିଲ କରାଯିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ଆୟୁଷ୍ମାନ ଯୋଜନା ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇ ନଥିବା ମେଡିକାଲଗୁଡ଼ିକୁ ବି ଟିକାକରଣରେ ସାମିଲ କରାଯିବ। କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଦେଶର ବହୁ ଛୋଟ ଛୋଟ ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯିବ।
କୋ-ଓ୍ବିନ୍ ଆପ୍ରେ ଆଗ୍ରହୀ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ କରାଇବା ସହ ଏହି ଘରୋଇ ହସ୍ପିଟାଲଗୁଡ଼ିକ ଟିକା ଦେଇପାରିବେ। ଆଜି ତୃତୀୟ ଦିନରେ ଟିକା ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ମନ୍ତ୍ରୀ ଟିକା ନେଇସାରିଛନ୍ତି। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ଦୂରାରୋଗ୍ୟରେ ପୀଡ଼ିତଙ୍କୁ ଟିକା ଦିଆଯାଉଛି।
ଏବେସୁଦ୍ଧା ୪ଲକ୍ଷ ୩୪ ହଜାର ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ଦୁରାରୋଗ୍ୟରେ ପୀଡ଼ିତ ୬୦ହଜାର ୨୦ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି। ଦେଶରେ ଏବେ ସୁଦ୍ଧା ୬୭ ଲକ୍ଷ ୩୨ ହଜାର ସ୍ବାସ୍ଥ୍ୟକର୍ମୀ ଓ ୫୫ଲକ୍ଷ ୪୭ ହଜାରରୁ ଅଧିକ ଆଗଧାଡ଼ିର କର୍ମୀଙ୍କୁ ଟିକା ଦିଆଯାଇଛି। ସେପଟେ ରାଜ୍ୟର ମୋଟ୍ ୧୫୩ଟି କେନ୍ଦ୍ରରେ ଟିକା ଦିଆଯାଉଛି। ୧୩୨ଟି ସରକାରୀ ଓ ୨୧ଟି ବେସରକାରୀ ହସ୍ପିଟାଲରେ ଟିକାକରଣ ହେଉଛି।
ସରକାରୀ ହସ୍ପିଟାଲରେ ମାଗଣା ଟିକା ଦିଆଯାଉଥିବା ବେଳେ ବେସରକାରୀ ହସ୍ପିଟାଲରେ ଟିକା ପାଇଁ ୨୫୦ ଟଙ୍କା ନିଆଯାଉଛି। ଭୁବନେଶ୍ବରରେ ୧୨ଟି ସରକାରୀ ଓ ୧୦ଟି ବେସରକାରୀ ହସ୍ପିଟାଲ ସହ ମୋଟ୍ ୨୨ଟି କେନ୍ଦ୍ରରେ ଟିକାକରଣ ହେଉଛି। ସେଲ୍ଫ ରେଜିଷ୍ଟ୍ରେସନ ଓ ଅନ ଦି ସ୍ପଟ୍ ରେଜିଷ୍ଟ୍ରେସନ କରି ଲୋକ ଟିକା ନେଉଛନ୍ତି ।
ଶିମିଳିପାଳ ଜଙ୍ଗଲରେ କେମିତି ଲାଗିଲା ନିଆଁ, ଅନୁଧ୍ୟାନ ପାଇଁ ଗଲେ ୱାଇଲ୍ଡ ଲାଇଫ PCCF
ଶିମିଳିପାଳ ଜଙ୍ଗଲରେ କେମିତି ଲାଗିଲା ନିଆଁ ? ଅନୁଧ୍ୟାନ ପାଇଁ ଶିମିଳିପାଳ ଯାଉଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ୍। ନିଆଁ କେମିତି ଲାଗିଛି, କାହିଁକି ଲାଗିଲା, ୱାଇଲ୍ଡ ଲାଇଫ୍ ପିସିସିଏଫ ତାହା ଅନୁଧ୍ୟାନ କରିବେ। ଏନେଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆସନ୍ତକାଲି ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍ ରିପୋର୍ଟ ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଥରୀ ଆରୁଖ କହିଛନ୍ତି । ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲେ ଲାଗିଛି ନିଆଁ। କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା, ଶରତ, ପୋଡ଼ାଡ଼ିହା, ଉଦଳା, କପ୍ତିପଦା ଆଦି ଜଙ୍ଗଲ ଜଳୁଛି । ଜଙ୍ଗଲରେ ଥିବା ପଶୁପକ୍ଷୀ ତଥା ମୂଲ୍ୟବାନ ବୃକ୍ଷ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି । ଗ୍ରୀଷ୍ମପ୍ରବାହ ତଥା ସ୍ଥାନୀୟ ଲୋକଙ୍କର ଅସାବଧାନତା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି । ଶିମିଳିପାଳରେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ।
ବିବାହ ଭୋଜି ଖାଇ ଝାଡାବାନ୍ତିରେ ୩୮ ଜଣ ଅସୁସ୍ଥ
ନବରଙ୍ଗପୁର: ନବରଙ୍ଗପୁର ଉମରକୋଟ ବ୍ଲକ ତୋହରା ଗ୍ରାମରେ ବିବାହ ଭୋଜି ଖାଇ ୩୮ ଜଣ ଅସୁସ୍ଥ । ଭୋଜି ଖାଇବା ପରେ ୩୮ ଜଣ ଝାଡାବାନ୍ତି ହେବାରୁ ସମସ୍ତଙ୍କୁ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ, ପାଞ୍ଚ ଜଣ ମହିଳା, ୬ ଜଣ ପୁରୁଷଙ୍କୁ ଚିକିତ୍ସା କରାଯାଉଛି ।

ସେହିପରି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଶିଶୁ, ୧୦ ଜଣ ମହିଳା, ୭ ଜଣ ପୁରୁଷଙ୍କୁ ଚିକିତ୍ସା କରାଯାଉଛି । ଏମାନଙ୍କ ମଧ୍ୟରୁ କୌଣସି ଆକ୍ରାନ୍ତ ଗୁରୁତର ନଥିବା ଜଣାପଡିଛି । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା କହିଛନ୍ତି ଉମରକୋଟ ମେଡିକାଲ୍ ଅଫିସର ।

