spot_img
Home Blog Page 5897

ସମୀକ୍ଷା ପାଇଁ ଶିମିଳିପାଳରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା

ଶିମିଳିପାଳ: ଶିମିଳିପାଳରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା । ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ସ୍ଥିତି ଅନୁଧ୍ୟାନ ପାଇଁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି ମୋନା ଶର୍ମା । ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କ ସମେତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଏମ ଯୋଗମାୟା ନନ୍ଦ, ବାରିପଦା ବନଖଣ୍ଡ ଅଧିକାରୀ ସାମିଲ ହୋଇଛନ୍ତି ।

ଦୁଇ ଦିନିଆ ଗସ୍ତରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହିତ ନିଆଁ ନିୟନ୍ତ୍ରଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ ମଧ୍ୟ ସମୀକ୍ଷା କରିଛନ୍ତି ମୋନା ଶର୍ମା । ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଣିଆବସା ଗେଟ୍ ଦେଇ ପ୍ରବେଶ କରିଥିଲେ ଏହି ଟିମ୍ । ଆଜି ବାରହାକାମୁଡା, ଚହଲା, ନଅଣା ଆଦି ଅଂଚଳରେ ସ୍ଥିତି ଅନୁଧ୍ୟାନ କରି ଅଗ୍ନି ନିୟନ୍ତ୍ରଣ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଗୁରୁବାର ରାତ୍ରିଯାପନ କରି ଶୁକ୍ରବାର ଯଶୀପୁର ଦେଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ବାରିପଦାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ସମୀକ୍ଷା କରିଥିଲେ ।

ସେପଟେ ଅଭୟାରଣ୍ୟରେ ନିଆଁ ଲିଭା ଅଭିଯାନରେ ସାମିଲ ହେଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ନିଆଁ ଲିଭା । ପ୍ରଣବ ପ୍ରକାଶଙ୍କ ସହିତ ବିଧାୟକ ରାଜକିଶୋର ଦାସ, ବାସନ୍ତି ହେମ୍ବ୍ରମ, ଏଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସ୍ଥାନୀୟ ଲୋକେ ସାମିଲ । ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସାମିଲ, ରାଜ୍ୟସଭା ସାଂସଦ ମମତା ମହାନ୍ତ ସାମିଲ, କାଳିକାପ୍ରସାଦ ଗେଟ୍ ଦେଇ ପୁରା ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍ ନେଲେ ଟିକା

ନୂଆଦିଲ୍ଲୀ: ଦେଶରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ। ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଗମ୍ଭୀର ରୋଗରେ ପିଡ଼ୀତ ଥିବା ବ୍ୟକ୍ତିମାନଙ୍କ ଟିକା ଦିଆଯାଉଛି । ଗୁରୁବାର ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦିଙ୍କ ମାତା ହୀରାବେନଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି ‘ମୋତେ ଖୁସି ଲାଗୁଛି ଯେ ମୋ ମା’ଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ମୁଁ ଆପଣ ସମସ୍ତଙ୍କୁ ଅପିଲ କରୁଛି ଯେ ଯେ କେହି ବି ଟିକାକରଣ ପାଇଁ ଯୋଗ୍ୟ ତାଲିକାରେ ଆସୁଛନ୍ତି, ସେ ସମସ୍ତେ ଟିକା ନିଅନ୍ତୁ । ଏବଂ ଅନ୍ୟଙ୍କୁ ବି ପ୍ରେରିତ କରନ୍ତୁ।’

ମୋଦିଙ୍କ ମା’ ହୀରାବେନ୍ ଗୁଜୁରାଟରେ ରୁହନ୍ତି ତାଙ୍କୁ ବର୍ତ୍ତମାନ ପାଖାପାଖି ୧୦୦ ବର୍ଷ ହେଲାଣି । ହେଲେ ଏବେ ବି ସେ ପୁରା ଆକ୍ଟିଭ ଅଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।

ମମତାଙ୍କୁ ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ମମତାଙ୍କୁ ଆକ୍ରମଣ ଘଟଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଅଖିଳେଶ ୟାଦବ, ତେଜସ୍ୱୀ ଯାଦବ ପ୍ରମୁଖ ନିନ୍ଦା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଖିଳେଶ । ହେଲେ ସହାନୁଭୂତି ପାଇବା ଆଶାରେ ମମତା ଡ୍ରାମା କରୁଛନ୍ତି ବୋଲି କହିଛି ବିଜେପି ।

ସେପଟେ ପଶ୍ଚିମବଙ୍ଗରେ ଚରମ ସୀମାରେ ପହଞ୍ଚିଛି ରାଜନୀତି ତାତି । ନନ୍ଦିଗ୍ରାମରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ କରାଯିବା ଘଟଣା ରାଜନୀତିକୁ ଆହୁରି ସରଗରମ କରିଛି । ଏହା ଭିତରେ ମମତାଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତୁରନ୍ତ ତଦନ୍ତ କରି ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ନନ୍ଦିଗ୍ରାମ ଡିଏମ୍ ଓ ଏସ୍‌ପି ଘଟଣାର ପ୍ରତ୍ୟେକ୍ଷଦର୍ଶୀଙ୍କୁ ଭେଟି ପଚରାଉଚରା ଚଳାଇଛନ୍ତି ।

ବୁଧବାର ନନ୍ଦିଗ୍ରାମରେ ଆକ୍ରମଣ ଘଟଣା ପରେ ମମତା ଆହତ ହୋଇ SSKM ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଗୋଡ଼, କାନ୍ଧ, ବେକରେ ଗଭୀର ଆଘାତ ଲାଗିଛି । ମମତା ମେଡିକାଲରେ ଭର୍ତ୍ତି ହୋଇଥିବାରୁ ଦଳୀୟ ଇସ୍ତାହାର ଉନ୍ମୋଚନ ସ୍ଥଗିତ କରିଛି ଟିଏମ୍‌ସି । ଆଜି ଦଳ ପକ୍ଷରୁ ଇସ୍ତାହାର ରିଲିଜ୍ ହେବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ମମତା ଅସୁସ୍ଥ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଅନ୍ୟକୌଣସି ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନ ଥିବା ବେଳେ ମମତା ସୁସ୍ଥ ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ SSKM ହସ୍ପିଟାଲ ବାହାରେ ଟିଏମସି ସମର୍ଥକମାନେ ନାବାରାଜି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଆକ୍ରମଣ ସମୟରେ ନନ୍ଦିଗ୍ରାମର ବାରୁଲିଆ ବଜାରରେ ସ୍ଥାନୀୟ ପୋଲିସ ଅଧିକାରୀ ନଥିବା ଅଭିଯୋଗ କରିଛନ୍ତି ମମତା ।

ଶିମିଳିପାଳ ବର୍ଷାରେ ମହିଳା ବନ କର୍ମଚାରୀଙ୍କ ନାଚ ଭିଡିଓ ଭାଇରାଲ, କ’ଣ କହିଲେ ମହିଳା ଶୁଣନ୍ତୁ

0

ଶିମିଳିପାଳ: ଅଗ୍ନି ଦେବତାଙ୍କ ପ୍ରକୋପରେ ଶିମିଳିପାଳ ଜଳୁଥିଲା । ନିଆଁର କରାଳ ରୂପକୁ ପ୍ରକୃତି ମା’ ଆଉ ସହ୍ୟ କରିପାରିନଥିଲା । ହଠାତ୍‌ ଚାରିଦିଗ ଅନ୍ଧାର କରି ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ । ନିଆଁକୁ ଶାନ୍ତ କରିବା ପାଇଁ ଝରିପଡ଼ିଥିଲା ଅଦିନିଆ ବର୍ଷା । ଆଉ ନିଆଁକୁ ବଢ଼ିବାରେ ଏହି ବର୍ଷା ଲାଗାଇଥିଲା ବ୍ରେକ୍‌ ।

ଏହି ଅଦିନିଆ ବର୍ଷାକୁ ଦେଖି ଜଣେ ମହିଳା ବନ କର୍ମଚାରୀ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି । ଆଉ ସେ ଖୁସି ହୋଇ ବର୍ଷାରେ ଭିଜି ଭିଜି ସେହି ଜଙ୍ଗଲ ଭତରେ ହିଁ ନୃତ୍ୟ ଆରମ୍ଭ କରିଥିଲେ । ମହିଳା ବନ କର୍ମଚାରୀ ଜଣଙ୍କ ହେଉଛନ୍ତି ସ୍ନେହା ଧଳ । ସ୍ନେହା ପିଠାବଟା ବନାଞ୍ଚଳରେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ । ହଠାତ୍‌ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା । କେବଳ ଏହି ନିର୍ଦ୍ଧିଷ୍ଟ ଅଞ୍ଚଳ ନୁହେଁ ପୁରା ଶିମିଳିପାଳରେ ବର୍ଷା ହୋଇଥିଲା । ସେହି ସ୍ଥାନରେ ବର୍ଷା ହୋଇ ନିଆଁ ଲିଭି ଯାଇଥିବାରୁ ସେ ଅଧିକ ଖୁସି ହୋଇଯାଇଥିଲେ । ନିଜ ଖୁସିକୁ ଆଉ ଅଟକାଇ ପାରିନଥିଲେ ସ୍ନେହା । ଆଉ ତାପରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନୃତ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ଜଙ୍ଗଲକୁ କେତେ ଭଲ ପାଆନ୍ତି । ଆଉ ଜଙ୍ଗଲ ପ୍ରତି ତାଙ୍କର କେତେ ଆତ୍ମୀୟତା ରହିଛି ।

ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇ ସ୍ନେହା କହିଛନ୍ତି, ନିଆଁ ଲିଭାଇବାକୁ ଯାଇଥିଲୁ କିନ୍ତୁ ବର୍ଷା ହେଲା । ହଠାତ୍ ବର୍ଷା ହେବାରୁ ଆତ୍ମବିଭୋର ହୋଇ ନାଚି ଉଠିଥିଲି । ବର୍ଷାରେ ନିଆଁ ଲିଭିଯାଇଥିବାରୁ ବହୁତ ଖୁସି ଲାଗୁଛି । ଆଗକୁ ଅଧିକ ବର୍ଷା ନେଇ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ସ୍ନେହା । ଭାବ ବିହ୍ୱଳ ହୋଇ ସ୍ନେହା କହିଛନ୍ତି, ମୋ ଜଙ୍ଗଲକୁ କିଏ କ୍ଷତି ପହଞ୍ଚାଇଲେ ସହିପାରିବିନି । ଜଙ୍ଗଲରେ ନିଆଁ ନ ଲଗାଇବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ନିଆଁ ନ ଲଗାଇବାକୁ ଲୋକଙ୍କୁ ସଚେତନ କରାଇବି ବୋଲି କହିଛନ୍ତି ସ୍ନେହା ।

କଟକଣା ଭିତରେ ବାଲି କପିଳେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ପୁରୀ: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କୋଣାର୍କର ବାଲି କପିଳେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ ହୋଇଛି । ବିଶେଷକରି କାକଟପୁରର ପ୍ରାଚୀ ଉପତ୍ୟକା ଜୀଉନ୍ତି ଗ୍ରାମର ପ୍ରସିଦ୍ଧ ଈଶ୍ୱରନାଥ ଦେବ ପୀଠ ସମେତ, ବିଭିନ୍ନ ଶୈବ ପୀଠ ସହ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କୋଣାର୍କର ବାବା ବାଲି କପିଳେଶ୍ୱର ପୀଠରେ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି ।

ଭୋର ୩ଟାରୁ ମହାପ୍ରଭୁଙ୍କ ସ୍ନାନ ମାର୍ଜନା, ସୂର୍ଯ୍ୟ ପୂଜା, ବଲ୍ଲବ ପରେ ଭୋର ୪ଟା ରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ପାଇଁ ଚଳିତ ବର୍ଷ ଦୋକାନ ବଜାର, ବନ୍ଦ ରହିଥିବା ବେଳେ ଭକ୍ତ ମାନେ ବାରିକେଟ ମଧ୍ୟରେ ମହାପ୍ରଭୁଙ୍କୁ ଧାଡି ଦର୍ଶନ କରୁଛନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଶ୍ରଢାଳୁଙ୍କ ଭିଡ଼ ଜମୁଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟ କମ ରହିଛି । ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେହିଭଳି ବରଗଡ଼ ଗାଇସୀମାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ବରାଡ଼ ବାଲୁଙ୍କେଶ୍ଵର ଧାମରେ ଭକ୍ତ କରୋନା କଟକଣା ଭିତରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ପଶ୍ଚିମ ଓଡିଶାର ଅଷ୍ଟଶମ୍ଭୁ ମଧ୍ୟରେ ଗାଇସିମାର ବରାଡ଼ ବାଲୁଙ୍କେଶ୍ଵର ଧାମ ହୋଇଥିବାରୁ ବିଗତ ଦିନ ମାନଙ୍କରେ ହଜାର ହାଜର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା କମିଛି । କରୋନା ପାଇଁ ଫିକା ପଡିଛି ଜାଗର ଉତ୍ସବ ।

ଦୁଇ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ୱର/ମୟୂରଭଞ୍ଜ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧିନ ବଡ଼ପୋଖରୀ ଗ୍ରାମର ବିଲ ମଝିରେ ଥିବା ଏକ ବର ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୋର ଥାନା ଅଧିନ ଛତରା ଗ୍ରାମର କମ୍ଭୁନାଥ ବେହେରାଙ୍କ ୩୨ବର୍ଷୀୟ ପୁଅ ଭାବଗ୍ରାହୀ ବେହେରା ବୁଧବାର ରାତ୍ରିରେ ବିଲ ମଝିରେ ଥିବା ଏହି ବର ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଘରକୁ ବହୁ ସମୟ ଧରି ଭାବଗ୍ରାହି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ବରଗଛରେ ତାଙ୍କ ମୃତଦେହ ଝୁଲୁଥିବା ନେଇ ସେ ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଓ ଗ୍ରାମବାସୀ ଔପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଭାବଗ୍ରାହୀଙ୍କ ମୃତ୍ୟୁ ହୋଇଛି, ସେନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

ସେହିଭଳି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରଘୁନାଥଗଞ୍ଜ ନଦୀ କୂଳ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ହେଲେ ସେହି ଗ୍ରାମର ଜଗନ୍ନାଥ ପଲେଇଙ୍କ ପୁଅ ଆନନ୍ଦ ପଲେଇ(୩୦) । ପେଷାରେ ସେ ଜଣେ ମଟର ସାଇକେଲ ମିସ୍ତ୍ରୀ । ତାଙ୍କର ଝାଡ଼ଖଣ୍ଡ ଠାରେ ଏକ ଗ୍ୟାରେଜ ଅଛି । ସୂଚନା ଅନୁସାରେ ବୁଧବାର ରାତିରେ ସେହି ଗ୍ରାମର କିଛି ଯୁବକମାନଙ୍କ ସହ ନଦୀ କୂଳରେ ଭୋଜି କରିଥିଲେ । ସେଠାରେ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ ।

ଅନ୍ୟପଟେ ଉକ୍ତ ଯୁବକଙ୍କର ଦୁଇଟି ସ୍ତ୍ରୀ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ସହ ପାରିବାରିକ କହଳ ଯୋଗୁଁ ଯୁବକଙ୍କ ନାମରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । କିଛି ଦିନ ପୂର୍ବରୁ ସେ ଜେଲରେ ମଧ୍ୟ ଥିଲେ । ଗତ ମାସ ୧୬ତାରିଖରେ ପ୍ରଥମ ସ୍ତ୍ରୀ ତାଙ୍କୁ ବେଲ୍‌ରେ ମୁକୁଳାଇଥିଲେ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି ।

ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ କଟକଣା, ମନ୍ଦିରରେ ଜାଗର ଦୀପ ଜାଳିପାରିବେନି ଭକ୍ତ

ସୁବର୍ଣ୍ଣପୁର: ଅଷ୍ଟଶମ୍ଭୁଙ୍କ ସହର ସୁବର୍ଣ୍ଣପୁରରେ ଆଜି କୋଭିଡ କଟକଣା ମଧ୍ୟରେ ପାଳିତ ହେଉଛି ମହାଶିବରାତ୍ରୀ । ଶ୍ରଦ୍ଧାଳୁମାନେ ତେଲନଦୀ ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ କରିବା ସହିତ ଇଷ୍ଟଦେବ ସୁବର୍ଣ୍ଣମେରୁ ବାବା ଓ ରାମେଶ୍ୱର ବାବାଙ୍କୁ ଦର୍ଶନ କରିଛନ୍ତି । ସହରର ଅନ୍ୟତମ ଶୈବ ପୀଠ ଗୋକର୍ଣ୍ଣେଶ୍ୱର, ସୋମନାଥ, ଲୋକନାଥ ଆଦି ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କ ଆଗମନ ହେଉଛି ।

କରୋନା କଟକଣାକୁ ଆଖି ଆଗରେ ରଖି ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କର ଦର୍ଶନ ପାଇଁ ବ୍ୟାପକ ସୁବିଧା କରାଯାଇଛି । ଏହାସହ ସଂଧ୍ୟାରେ ଭକ୍ତମାନେ ନିଜ ଘରେ ରହି ଜଗାର ଦୀପ ଜାଳନ୍ତୁ ବୋଲି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମନ୍ଦିରରେ ଦୀପ ଜାଳିବାକୁ ହେଲେ ସେବାୟତମାନଙ୍କ ଦ୍ୱାରା ଜାଳିବା ପାଇଁ କୁହାଯାଇଛି ।

ସେହିପରି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚରଦାର କପିଳେଶ୍ୱର, ବୈଦ୍ୟନାଥର କୋଶଳେଶ୍ୱର, ଚମ୍ପାମାଳର ଚମ୍ପେଶ୍ୱର, ବିଶିପଡାର କପିଳେଶ୍ୱର, ବୀରମହାରାଜପୁରର ଗୋଧନେଶ୍ୱର ଆଦି ପୀଠରେ ମଧ୍ୟ କୋଭିଡ୍‌ କଟକଣା ମଧ୍ୟରେ ମହା ଶିବରାତ୍ରି ପାଳିତ ହେଉଛି । ଆଜି ରାତି ଦ୍ୱିତୀୟ ପ୍ରହରରେ ବାବା ସୁବର୍ଣ୍ଣମେରୁଙ୍କ ପୀଠରେ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିଶେଷ ଭକ୍ତଙ୍କ ସମାଗମ ହେଉ ନ ଥିବା ଦେଖିବାକୁ ମିଳିଛି ।

Farmer Protest: ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ

ନୂଆଦିଲ୍ଲୀ:  ୪ମାସ ହେଲାଣି ହକ୍ ପାଇଁ ରାଜରାସ୍ତାରେ ବସିଛନ୍ତି ଚାଷୀ । ଚାଷୀଙ୍କ  ଦାବିକୁ  କେନ୍ଦ୍ର ସରକାରଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ଚାଷୀ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ଆନ୍ଦୋଳନସ୍ଥଳରେ ଖରା ବଢ଼ୁଥିବା ଯୋଗୁ ସିଂଘୁ ବର୍ଡରରେ ପିଚୁ ରାସ୍ତା ଉପରେ ଚାଷୀମାନେ ପକ୍କା ଘର ନିର୍ମାଣ କରୁଥିବା ଦେଖଯାଇଛି। ଗତକାଲି ସିଂଘୁ ସୀମାରେ କୃଷକ ସଂଗଠନର ବୈଠକ ପରେ ୨୬ ତାରିଖରେ ଭାରତ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ୧୭ ତାରିଖରେ ଟ୍ରାନ୍ସପୋର୍ଟ ସଂଗଠନ ସହ ଚାଷୀ ବୈଠକ କରିବେ।

ଏହାବ୍ୟତୀତ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଚାଷୀ ରେଳଧାରଣା ଜାମ କରିବେ। ଆସନ୍ତା ୧୫ ତାରିଖରେ ରେଳ ଧାରଣା ଉପରେ ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀମାନେ ଆହ୍ୱାନ ଦେଇଛନ୍ତି । ସେହିପରି ୨୩ ତାରିଖରେ ଆନ୍ଦୋଳନସ୍ଥଳରେ ସହିଦ ଭଗତ ସିଂ, ରାଜଗୁରୁଙ୍କ ସହିଦ ଦିବସ ପାଳନ କରାଯିବା ସହ ୨୮ ମାର୍ଚ୍ଚ ହୋଲିରେ ୩ କୃଷି ଆଇନ କପି ଜାଳିବାକୁ ନିଷ୍ପତ୍ତି ହୋଇଛି।

ଭକ୍ତଙ୍କ ପାଇଁ ଖୁସି ଖବର, ମନ୍ଦିରରେ ଜାଗର ଦୀପ ଜାଳିବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ବଡ଼ ଖବର । ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବା ନେଇ ଭକ୍ତଙ୍କୁ ମିଳିଲା ଅନୁମତି । ତେବେ ଅଧିକ ଭିଡ ଜମିଲେ ପୁଣି ଲଗୁ କରାଯାଇପାରେ କଟକଣା । ଏନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଭକ୍ତଙ୍କୁ ମନ୍ଦିରରେ ଦୀପ ଜାଳିବା ନେଇ ଅନୁମତି ରହିଛି । ସାମାଜିକ ଦୂରତା ନ ମାନିଲେ ବାତିଲ ହୋଇପାରେ ଅନୁମତି ବୋଲି ସିଧାସଳଖ କୁହାହାଯାଇଛି । ମନ୍ଦିର ବୁଲିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ । ଏବେ ସକାଳୁ ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ବିଶେଷ ଭିଡ଼ ଦେଖାଯାଇ ନାହିଁ । ସମସ୍ତେ କରୋନା କଟକଣା ଭିତରେ ରହି ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖାଯାଇଛି ।

ସେପଟେ ଜାଗର ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ଯଥା ବିଧି ନୀତିକାନ୍ତି ସମ୍ପନ୍ନ ହୋଇଛି । ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହୋଇଛି । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିଛନ୍ତି ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହୋଇଛି ।

ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ ରହିଛି । ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ମଧ୍ୟାହ୍ନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ସମ୍ପନ୍ନ ହେବ । ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ, ସାହାଣ ମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ  ୪ଟା ୪୫ ଯାଏ କରି ହେବ ।

ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ । ମହାଦୀପ ଦର୍ଶନ ରାତି ୧୦ଟାରେ ହେବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

ସହାନୁଭୂତି ଆଶାରେ ଡ୍ରାମା କରୁଛନ୍ତି ମମତା: ବିଜେପି

ପଶ୍ଚିମବଙ୍ଗରେ ଚରମ ସୀମାରେ ପହଞ୍ଚିଛି ରାଜନୀତି ତାତି । ନନ୍ଦିଗ୍ରାମରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ କରାଯିବା ଘଟଣା ରାଜନୀତିକୁ ଆହୁରି ସରଗରମ କରିଛି । ଆକ୍ରମଣରେ ମମତା ଆହତ ହୋଇ SSKM ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସହାନୁଭୂତି ପାଇବା ଆଶାରେ ମମତା ଡ୍ରାମା କରୁଛନ୍ତି ବୋଲି କହିଛି ବିଜେପି ।

ସେପଟେ ମମତାଙ୍କୁ ଆକ୍ରମଣ ଯୋଗୁ ଟିଏମ୍ସି ଦଳୀୟ ଇସ୍ତାହାର ଉନ୍ମୋଚନ ସ୍ଥଗିତ କରିଛି । ଆଜି ଦଳ ପକ୍ଷରୁ ମେନିଫେଷ୍ଟୋ ରିଲିଜ୍ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ମମତା ଅସୁସ୍ଥ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଅନ୍ୟକୌଣସି ତାରିଖ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନ ଥିବା ବେଳେ ମମତା ସୁସ୍ଥ ହେବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ SSKM ହସ୍ପିଟାଲ ବାହାରେ ଟିଏମସି ସମର୍ଥକମାନେ ନାବାରାଜି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆକ୍ରମଣ ସମୟରେ ନନ୍ଦିଗ୍ରାମର ବାରୁଲିଆ ବଜାରରେ ସ୍ଥାନୀୟ ପୋଲିସ ଅଧିକାରୀ ନଥିବା ମମତା ଅଭିଯୋଗ କରିଛନ୍ତି।

ମମତାଙ୍କୁ ଆକ୍ରମଣ ଘଟଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ୟାଦବ, ତେଜସ୍ୱୀ ଯାଦବ ପ୍ରମୁଖ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମମତାଙ୍କ ଆଶୁଆରୋଗ୍ୟ କାମନାକରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଖିଳେଶ । ହେଲେ ମମତା ଡ୍ରାମା କରୁଛନ୍ତି ବୋଲି କହିଛି ବିଜେପି।