ଭୁବନେଶ୍ୱର: ପାଗଳ ପ୍ରେମୀର ଉନ୍ମତ୍ତକାଣ୍ଡ । ଥାନା ଭିତରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି ଉନ୍ମତ୍ତ ଯୁବକ । ନୂଆପଲ୍ଲୀ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଅଜୟ ଦୋରା(୨୦) । ସେ ନୂଆପଲ୍ଲୀ ନାବାର୍ଡ ବ୍ୟାଙ୍କ ପଛରେ ଥିବା ଗଣପତିନଗର ବସ୍ତିରେ ରହୁଥିଲେ । ପୋଲିସ ସୂଚନା ଅନୁଯାୟୀ, ଅଜୟ ସେହି ବସ୍ତିରେ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ପ୍ରାୟ ବର୍ଷେ ହେବ ସେ ନାବାଳିକାକୁ ସବୁବେଳେ ବାଟଘାଟରେ ଦେଖି ପ୍ରେମ ନିବେଦନ କରୁଥିଲା । ଏପରିକି ନାବାଳିକାଙ୍କ ବାପା-ମା’ଙ୍କୁ ଝିଅ ସହ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଲୋକେ ରାଜି ନଥିଲେ । ବାରମ୍ୱାର ଅଜୟ ଆସି ବିବାହ ପ୍ରସ୍ତାବ ଦେବାରୁ ନାବାଳିକାକୁ ପରିବାର ଲୋକେ ୨ ମାସ ହେବ ରାଜସ୍ଥାନ ପଠାଇ ଦେଇଥିଲେ । ସେବେଠାରୁ ଅଜୟ ପାଗଳପ୍ରାୟ ହୋଇ ବୁଲୁଥିଲେ । ଶେଷରେ ସେ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ । ରାଜସ୍ଥାନରୁ ନାବାଳିକାକୁ ଆଣି ମୋ ସହ ବିବାହ କରିଦିଅ ବୋଲି ଥାନାରେ ଯାଇ ବାରମ୍ୱାର କହୁଥିଲେ । ନିରାଶ ହୋଇ ଗତକାଲି ରାତିରେ ଅଜୟ ପେଟ୍ରୋଲ ଓ ଦିଆସିଲି ଧରି ଥାନାରେ ପଶିଥିଲେ । ସିଧା ଡିସିଓଙ୍କ ଟେବୁଲ ନିକଟରରେ ପହଞ୍ଚି କାହିଁକି ମୋ ମାମଲାରେ ହସ୍ତକ୍ଷେପ କରୁନାହିଁ ବୋଲି କହି ପୁଲିସଙ୍କୁ ଗାଳିଗୁଲଜ କରିଥିଲେ । ଶେଷରେ ଦେହରେ ପେଟ୍ରୋଲ ଢାଳି ଦିଆସିଲି ମାରିବାକୁ ଉଦ୍ୟମ କରୁଥିବା ବେଳେ ଡିସିଓ ଏଏସ୍ଆଇ ସୁଧାକର ପାତ୍ର ଓ ଅନ୍ୟ କର୍ମଚାରୀମାନେ ଅଜୟଙ୍କୁ କାବୁ କରି ନେଇଥିଲେ । ତାଙ୍କ ହାତରୁ ପେଟ୍ରୋଲ ବୋତଲ ଓ ଦିଆସିଲି ଛଡ଼ାଇ ନେଇଥିଲେ । ଏ ନେଇ ଏଏସ୍ଆଇ ଶ୍ରୀ ପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଅଜୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ଅଜୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
୫ ଜିଲ୍ଲାରେ ଘଡ଼ିଘଡ଼ି ବର୍ଷା ଆଶଙ୍କା
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା । ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ବରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ଆଶଙ୍କା । ତେବେ ବର୍ଷା ଆଶଙ୍କାକୁ ନଜରରେ ରଖି ଘରୁ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସୂଚନା ଯୋଗ୍ୟ ଯେ, ଗତ ୪୮ ଘଣ୍ଟା ମଧ୍ୟରେ ପାଣିପାଗ ବଦଳିଛି । ଉପାନ୍ତରୁ ଉପକୂଳ ସବୁଠି କମିଲା ତାପମାତ୍ରା । ବର୍ଷା ପାଇଁ ଥଣ୍ଡା ହେଲା ବାୟୁମଣ୍ଡଳ । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକରର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ନବରଙ୍ଗପୁରରେ ଘଡ଼ିଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲାଗୁଡିକରେ ତାପମାତ୍ରା ସ୍ୱାଭାବିକ ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
BSF ଯବାନଙ୍କ ସାଇକେଲ ଶୋଭାଯାତ୍ରା: ରାଷ୍ଟ୍ରୀୟ ଏକତା ରକ୍ଷା ଓ ପରିବେଶ ସୁରକ୍ଷା ବାର୍ତ୍ତା
ଭୁବନେଶ୍ୱର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ସାଇକେଲ ଶୋଭାଯାତ୍ରା ଓ ପଦଯାତ୍ରା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଏସଏଫ ଆଇଜି ମଧୁସୂଦନ ଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଏସଏଫ ଡିଆଇଜି ଅର୍ଜୁନ ସିଂ ରାଠୋରଙ୍କ ସମେତ ବହୁ ସଂଖ୍ୟକ ବିଏସଏଫ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ରାଷ୍ଟ୍ରୀୟ ଏକତା ରକ୍ଷା କରିବା ଓ ପରିବେଶ ସୁରକ୍ଷା ପାଇଁ ସମାଜକୁ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି। ଗଜପତିନଗର ସ୍ଥିତ ବିଏସଏଫ ମୁଖ୍ୟାଳୟରୁ ବାହାରିଥିବା ଏହି ସାଇକେଲ ଶୋଭାଯାତ୍ରା ୫ କିଲୋମିଟର ଦୂରତା ଅତିକ୍ରମ କରିଥିଲା । ସେହିପରି ୧ କିଲୋମିଟର ପଦଯାତ୍ରା ରହିଥିଲା ।
ଏଥିସହିତ ପଢ଼ନ୍ତୁ: ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ, ଲାଗିଲା ନାଇଟ୍ କର୍ଫ୍ୟୁ
ମହାନଦୀ ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି
ନୂଆଦିଲ୍ଲୀ:ବାହାରୁନି ଓଡ଼ିଶା-ଛତିଶଗଡ଼ ଜଳ ବିବାଦର ସମାଧାନ । ଟ୍ରିବ୍ୟୁନାଲକୁ ୩ବର୍ଷ ପୁରୁଥିଲେ ମଧ୍ୟ ଆଲୋଚନା ସଫଳ ହୋଇପାରିନାହିଁ । ଆଜି ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି ହେବ । ପୂର୍ବରୁ ୧୯ ଥର ଶୁଣାଣି ହୋଇଥିବା ବେଳେ କୌଣସି ସମାଧାନ ହୋଇନାହିଁ । ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ସବୁ ତଥ୍ୟ ପ୍ରଦାନ କରିସାରିଛନ୍ତି । କିନ୍ତୁ ରାୟ ଆସିବା ଯାଏଁ ଅଣ ମୌସୁମୀରେ ମହାନଦୀରେ କେମିତି ଜଳ ପ୍ରବାହ ପ୍ରଭାବିତ ହେବନି ସେନେଇ ଟ୍ରିବ୍ୟୁନାଲ୍ ପଦକ୍ଷେପ ନେବା ଉଚିତ । କାରଣ ଧିରେ ଧିରେ ଅଣମୌସୁମୀରେ ମହାନଦୀରେ ଜଳ ପ୍ରବାହ କମୁଛି । ସେପଟେ ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସବୁ ରାଜନୈତିକ ଦଳ ନିଜର ରାଜନୈତିକ ସ୍ବାର୍ଥରୁ ଊର୍ଦ୍ଧ୍ୱ ଯାଇ ଦାୟିତ୍ବ ତୁଲାଇବା ଉଚିତ ବୋଲି ମତପ୍ରକାଶ ପାଇଛି । ମହାନଦୀ ଉପରେ ଉଭୟ ଛତିଶଗଡ ଏବଂ ଓଡ଼ିଶା ଲୋକଙ୍କ ସମାନ ଅଧିକାର ରହିଛି । ଏଥପାଇଁ ସମସ୍ତେ ସ୍ବର ଉଠାଇବା ଦରକାର । ଟ୍ରିବୁନାଲର ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଯିବାକୁ ଘୋଷଣା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ଏଥିସହିତ ପଢ଼ନ୍ତୁ: କେନ୍ଦ୍ରର ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ! ଧାରଣାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ
୩ ଘର ଭାଙ୍ଗିଲେ ୧୫ ଟିକିଆ ହାତୀପଲ, ଲୋକେ ଆତଙ୍କିତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନରେ ହାତୀ ଆତଙ୍କ । ଗୋଟିଏ ପଟେ ଜଙ୍ଗଲ ଜଳୁଥିବା ବେଳେ ବନ୍ୟଜନ୍ତୁ ଜନବସତି ମୁହାଁ ହେବାରେ ଲାଗିଛନ୍ତି । ଗୁରୁବେଡ଼ା ବୈତରଣୀ ସଂରକ୍ଷିତ ଜଙ୍ଗଲ ନିକଟରେ ୧୫ ଟିକିଆ ହାତୀପଲ ବୁଲୁଛନ୍ତି । ଏହି ହାତୀପଲ ଶୁକ୍ରବାର ଅପରାହ୍ଣରେ କ୍ରେଚ୍ ହଟିଂ ନିକଟରେ ୩ଟି ଘର ଭାଙ୍ଗି ଦେଇଛନ୍ତି ।

ହାତୀପଲଙ୍କୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡରୁଛନ୍ତି । ସୂଚନା ଅନୁଯାୟୀ, ଅନ୍ୟ ଜଙ୍ଗଲରେ ନିଆଁ ଲାଗିଥିବା କାରଣରୁ ବୈତରଣୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହାତୀପଲ ଗତ ଦେଢ଼ ମାସ ହେଲା ଅଛନ୍ତି ।

ବୈତରଣୀ ନଦୀକୂଳ ଅଞ୍ଚଳରେ ହାତୀ ମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ମିଳୁଥିବାରୁ ହାତୀମାନେ ଏଠାରେ ଚଳପ୍ରଚଳ କରୁଛନ୍ତି । ବନ ବିଭାଗ ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।
ଆକାଶ ପଥରେ ଚେନ୍ନାଇ ସହ ଯୋଡ଼ି ହେବ ଝାରସୁଗୁଡ଼ା
ଝାରସୁଗୁଡ଼ା: ଯୋଡ଼ି ହେଉଛି ଝାରସୁଗୁଡ଼ା । ଉଡ଼ାଣ ଯୋଜନାରେ ଗୋଟିଏ ପରେ ଦେଶର ଗୋଟିଏ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ଼ାରୁ ଆସନ୍ତ ୨୮ ତାରିଖରୁ ଝାରସୁଗୁଡା ଚେନ୍ନlଇକୁ ବିମାନ ଉଡ଼ିବ । ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡ଼ାଣରେ ୨ ମାସର ସଫଳତାକୁ ଆଖି ଆଗରେ ରଖି ପୁଣି ଆଉ ଏକ ସେକ୍ଟରକୁ ଆରମ୍ଭ ସେବା କରୁଛି ସ୍ପାଇଟ ଜେଟ୍ । ଏନେଇ ସ୍ପାଇସ୍ ଜେଟ୍ ଅନଲାଇନ୍ ଟିକେଟ ବୁକିଂ ଆରମ୍ଭ କରି ସାରିଛି । ସ୍ପାଇସ୍ ଜେଟ୍ ବିମାନ ମଧ୍ୟାହ୍ନ ଗୋଟାଏ ଦଶରେ ଚେନ୍ନlଇରୁ ବାହାରି ଅପରାହ୍ଣ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିଭଳି ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡ଼ାରୁ ବାହାରି ସନ୍ଧ୍ୟା ୫ଟାରେ ଚେନ୍ନlଇରେ ପହଞ୍ଚିବ ବିମାନ ।
ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ
ଭୁବନେଶ୍ବର: ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ । ଏନେଇ ‘ଓଡ଼ିଶା ଇଲେକ୍ଟ୍ରିକ୍ ଯାନ’ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ବର୍ଷ ପାଇଁ ଯୋଜନା ହୋଇଥିବା ବେଳେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେଇ ପ୍ରଦୂଷଣ କମାଇବା ସହ ଇନ୍ଧନ ବ୍ୟବହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ରାଜ୍ୟରେ ବର୍ତ୍ତମାନ ୮୨ ପ୍ରତିଶତ ମୋଟର ସାଇକେଲ ବ୍ୟବହାର ହେଉଛି ।

ତେବେ ଆଗାମୀ ଦିନରେ ଲୋକଙ୍କୁ ଇନ୍ଧନମୁକ୍ତ ଗମନାଗମନ ପନ୍ଥା ଆପଣାଇବାକୁ ବ୍ୟାପକ ସଚେତନ କରାଯିବ । ପରିବହନ ବିଭାଗ ପକ୍ଷରୁ ଗଠିତ ଟାସ୍କ ଫୋର୍ସ ଓ ଷ୍ଟିଅରିଂ କମିଟି ଏହାର ତଦାରଖ କରିବେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହେବାକୁ ଥିବା ବେଳେ ବିଭିନ୍ନ ବିଭାଗର ସଚିବ ଏହାର ସଦସ୍ୟ ରହିବେ ।

ସେହିପରି ଗ୍ରାହକଙ୍କୁ ଇଲେକ୍ଟ୍ରିକ୍ ଯାନ ପ୍ରତି ଆକୃଷ୍ଟ କରିବାକୁ ଆକର୍ଷଣୀୟ ସ୍କିମ୍ ଓ ଋଣର ବ୍ୟବସ୍ଥା କରାଯିବ । ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ତାଲିମ ଦେବାକୁ ମଧ୍ୟ କରାଯିବ ବ୍ୟବସ୍ଥା । ସେହିପରି ବ୍ୟାପକ ମାତ୍ରାରେ ଚାର୍ଜିଂ ସେଣ୍ଟର ଖୋଲିବା ପାଇଁ ଘରୋଇ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗତ କିଛି ଦଶନ୍ଧି ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ପାଲଟିଛି । ତେବେ ଏହାର ପ୍ରତିକାର ସ୍ବରୂପ ଇଲେକ୍ଟ୍ରକ ଯାନକୁ ପ୍ରୋତ୍ସାହନ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।
ରାଉରକେଲା ପରେ ଭୁବନେଶ୍ବରରେ ଜିଏସଟି ଠକେଇ
ଭୁବନେଶ୍ବର: ରାଉରକେଲା ପରେ ଭୁବନେଶ୍ବରରେ ଜିଏସଟି ଠକେଇ । ରବି ଟକିଜ୍ ଲୁଇସ୍ ରୋଡସ୍ଥିତ ଡିଡି ବିଲ୍ଡର କାର୍ଯ୍ୟାଳୟରେ ଚଢ଼ାଉ କରିଛି ଜିଏସଟି ବିଭାଗ । ବର୍ତ୍ତମାନ ସୁଦ୍ଧା ୬ କୋଟିର ଊର୍ଦ୍ଧ୍ବ ଟଙ୍କା ଠକେଇର ପ୍ରମାଣ ମିଳିଛି ।

ତେବେ ଠକେଇର ପରିମାଣ ଆହୁରି ବଢ଼ିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ମିଛ ଡିଲରଙ୍କ ନାଁରେ ବିଲ୍ କରି କୋଟି କୋଟି ଠକେଇ ହୋଇଥିବା ରେଡ୍ ବେଳେ ଜଣାପଡ଼ିଛି । ୩୦ ଜଣ ଅଫିସର ଅନ୍ୟ ୫ଟି ସ୍ଥାନରେ ରେଡ୍ କରୁଛନ୍ତି ।

