spot_img
Home Blog Page 5870

ଭାରତରେ ତିଆରି ହେଉଛି ବିଶ୍ୱର ସର୍ବ ବୃହତ୍ ତାଲା

ଅଲିଗଡ଼: ଉତ୍ତରପ୍ରଦେଶର ଅଲିଗଡକୁ ଲକ୍ ସିଟି ବା ତାଲା ନଗରୀ ମଧ୍ୟ କୁହାଯାଏ । ଏଠାରେ ତାଲା କାମକୁ କୁଟୀର ଶିଳ୍ପ ଭାବରେ ମଧ୍ୟ କରାଯାଏ। ଅଲିଗଡ଼ର ଏହି ତାଲା ବ୍ୟବସାୟ ବହୁତ ପୁରୁଣା । ଏଠାରେ ଜେଲରେ ବ୍ୟବହୃତ ହାତକଡ଼ିରୁ ଆରମ୍ଭ କରି ବିଭିନ୍ନ ଆତ୍ୟାଧୁନିକ ତାଲା ସବୁ ତିଆରି କରାଯାଇଥାଏ। ତେବେ ବର୍ତ୍ତମାନ ଅଲିଗଡ଼ରେ ରହୁଥିବା ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଛୋଟ ତାଲା ବ୍ୟବସାୟକୁ କିଛି ନୁଆ ପରିଚୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିପାଇଁ ସେ ତିଆରି କରୁଛନ୍ତି ଏକ ବଡ଼ ତାଲା । ଯାହାର ଓଜନ ପ୍ରାୟ ୩ ଶହ କିଲୋଗ୍ରାମରୁ ଅଧିକ । ତେବେ ଏହା ବିଶ୍ୱର ସବୁଠୁ ବଡ଼ ତାଲା ବୋଲି କୁହାଯାଉଛି।

ପାଖାପାଖି ୧୦୦ ବର୍ଷରୁ ଅଧିକ ଦିନ ହେଲାଣି ତାଙ୍କ ଏହି ତାଲା ବ୍ୟବସାୟ ଚାଲିଆସୁଛି। ତାଙ୍କ ପୂର୍ବରୁ ତାଙ୍କ ବାପା ଜେଜେବାପା ମଧ୍ୟ ଏହି କାମ କରୁଥିଲେ । ଆଉ ଏବେ ସେ ବି ଏହି କାମକୁ ଜାରି ରଖିଛନ୍ତି।  ଏହି ୩ଶହ କିଲୋଗ୍ରାମ ବିଶିଷ୍ଟ ତାଲା ତିଆରିରେ ତାଙ୍କୁ ତାଙ୍କ ପରିବାର ମଧ୍ୟ ସାହାଯ୍ୟ କରୁଛନ୍ତି । ତାଲାଟିର  ଲମ୍ବ  ୬ ଫୁଟ୍ ୨ ଇଞ୍ଚ ହୋଇଥିବାବେଳେ ଏହାର ଚଉଡ଼ା ୯:୫୦ ଇଞ୍ଚ୍। ଏହି ତାଲାରେ ପ୍ରାୟ ୬୦ କିଲୋ ପିତ୍ତଳର ବ୍ୟବହାର ହୋଇଛି । ତେବେ ଏହାକୁ ତିଆରି କରିବା ପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଲାଗୁଛି।

ଜୟପ୍ରକାଶ କହିଛନ୍ତି ଯେ ସେ ପିଲାଟିବେଳୁ ଏହି ତାଲା କାମ କରିଆସୁଛନ୍ତି । ଆଉ ତାଙ୍କର ସ୍ୱପ୍ନ ଥିଲା ଯେ ସମାଜରେ ନିଜ ପରିଚୟ ଓ ପ୍ରତିଷ୍ଠା ପାଇଁ ସେ ଦିନେ ଏମିତି ଜିନିଷ ତିଆରି କରିବେ ଯାହାଦ୍ୱାରା ପୂରା ଅଲିଗଡ଼ର ନାଁ ହେବ। ଆଉ ଏଥିପାଇଁ ସେ ଏହି ତାଲା ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ୧୦ ଲିଭର୍ ତାଲା । ଏହାର ଏକ ଚାବି ମଧ୍ୟ ରହିବ ଯେଉଥିରେ ଏହା ଖୋଲିବ। ତାଙ୍କ ପାଖରେ ଅର୍ଥ ଅଭାବ ଥିବାରୁ କିଛି ଲୋକ ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ ଦେଇଛନ୍ତି । ଜୟପ୍ରକାଶ କହିଛନ୍ତି ଯେ ଏହା ପରେ ସେ ଆଉ ଏକ ଏପରି ତାଲା ତିଆରି କରିବାକୁ ମଧ୍ୟ ଯୋଜନା ରଖିଛନ୍ତି।

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ନଜରରେ ପୁତିନ ହତ୍ୟାକାରୀ, କହିଲେ ଫଳ ଭୋଗିବାକୁ ପ୍ରସ୍ତୁତ ରୁହ

ଓ୍ୱାଶଂଟନ୍‌:  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ‘ହତ୍ୟାକାରୀ’ ବୋଲି କହିଥିଲେ । ଯାହାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା । ଋଷ ବିରୋଧ ପ୍ରକଟ କରି ୱାସିଂଟନରେ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ବାଇଡେନ୍ ଏବିସି ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ । ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ, ୨୦୧୬ ଓ ୨୦୨୦ ଆମେରିକା ନିର୍ବାଚନକୁ ପ୍ରଭାବିତ କରିବାକୁ ଋଷ ଚେଷ୍ଟା କରିଥିଲା । ଏଥିପାଇଁ ଏକ ଗୁପ୍ତ ଯୋଜନା ମଧ୍ୟ ହୋଇଥିଲା । ଏହି ମିଶନ ପୁତିନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା କିମ୍ବା ଅତିକମରେ ସେ ଏହାକୁ ମଂଜୁରୀ ଦେଇଥିଲେ ବୋଲି ଆମେରିକା ସିନେଟର ଏକ ରିପୋର୍ଟରେ ଦାବି କରାଯାଇଥିଲା । ଏହି ରିପୋର୍ଟକୁ ବାଇଡେନ ବିଶ୍ୱାସ କରନ୍ତି କି ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରପତି ହଁ ବୋଲି କହିଥିଲେ ।

ବାଇଡେନ କହିଥିଲେ ଯେ, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପୁତିନଙ୍କୁ ଫୋନ୍ କରିଥିଲେ । ଫୋନରେ କଥା ହେବା ବେଳେ ସେ ଋଷ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଥିଲେ ଯେ, ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ସେ ଉଦ୍ୟମ କରିଥିବା କଥା ଯଦି ପ୍ରମାଣିତ ହୁଏ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଇଡେନ୍,ପୁତିନଙ୍କୁ ଏହା ମଧ୍ୟ କହିଥିଲେ ଯେ, ତୁମେ ମୋତେ ଜାଣ ଓ ମୁଁ ତୁମକୁ ଜାଣେ । ତେଣୁ ଯଦି ଏହି କଥା ସତ ହୋଇଥାଏ ତେବେ ପରିଣାମ ଭୋଗ କରିବା ପାଇଁ ପ୍ରସ୍ତୁତ ରୁହ ।

 

ପୁତିନ ବିରୋଧୀ ନେତା ଆଲେକ୍ସି ନଭାଲିନି ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ହତ୍ୟା ପଛରେ ପୁତିନଙ୍କ ହାତ ଅଛି ନା ନାହିଁ । ପୁତିନଙ୍କ ଆଦେଶରେ ଏହି ନେତା ମାନଙ୍କୁ ବିଷ ଦିଆଯାଇଥିଲା କି ? ଆପଣ ପୁତିନଙ୍କୁ ହତ୍ୟାକାରୀ ବୋଲି ଭାବନ୍ତି କି ? ପ୍ରଶ୍ନର ଉତ୍ତର ଦେଇ ବାଇଡେନ୍ କହିଥିଲେ ଯେ, ହଁ ମୁଁ ତାଙ୍କୁ ହତ୍ୟାକାରୀ ବୋଲି ଭାବେ ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଫକ୍ସ ନ୍ୟୁଜକୁ ସାକ୍ଷାତକାର ବେଳେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାନ ପ୍ରଶ୍ନ ପଚରାଯାଇଥିଲା । ପୁତିନ ବିରୋଧୀଙ୍କୁ ବିଷ ଦେଇ ହତ୍ୟା କରୁଛନ୍ତି ଓ ସେ ହତ୍ୟାକାରୀ କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ପୁତିନଙ୍କୁ ମୁଁ ସମ୍ମାନ ଦିଏ । ଦୁନିଆରେ ଅନେକ ହତ୍ୟାକାରୀ ଅଛନ୍ତି । ଆପଣଙ୍କୁ କ’ଣ ଲାଗୁଛି ଆମ ଦେଶରେ କଣ ଖାଲି ନିରିହ ଲୋକ ଅଛନ୍ତି ?

ଟ୍ରମ୍ପଙ୍କ ଅମଳରେ ଆମେରିକା ଋଷ ନିକଟବର୍ତ୍ତି ହେବା ଭଳି ଲାଗୁଥିଲା । କିନ୍ତୁ ଏବେ ବାଇଡେନଙ୍କ ଅମଳରେ ଆମେରିକା ଓ ଋଷ ମଧ୍ୟରେ ସେଇ ଶିତଳ ଯୁଦ୍ଧ କାଳିନ ସନ୍ଦେହ ଓ ସ୍ପର୍ଦ୍ଧା ବୃଦ୍ଧି ପାଉଥିବା ଲାଗୁଛି । ବାଇଡେନଙ୍କ ସିଧା ଧମକ ଓ ଋଷର ରାଷ୍ଟ୍ରଦୂତ ପ୍ରତ୍ୟାହାର ପରେ ଦୁଇ ଦେଶ ଆଗକୁ ଅତିକମରେ କୂଟନୈତିକ ସ୍ତରରେ ମୁହାଁମୁହିଁ ହେବେ ଏଥିରେ ସନ୍ଦେହ ନାହିଁ ।

ବିଧାନସଭାରେ ଅଚଳାବସ୍ଥା ଜାରି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲେ ବିଜେଡି ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ ଯାଏ ମୁଲତବି ରଖିଲେ । ତେବେ ଗୃହରେ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଛନ୍ତି ବିଜେଡି ବିଧାୟକ ।

ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପିଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ମର୍ଯ୍ୟାଦାଜନକ ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ ୨୦୨୧ ପ୍ରଦାନ

ଭୁବନେଶ୍ୱର: ବିଶିଷ୍ଟ ସାରସ୍ୱତ ସାଧିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ମର୍ଯ୍ୟାଦାଜନକ ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହର ଶେଷ ସନ୍ଧ୍ୟାରେ ସମ୍ମାନ ପ୍ରଦାନ କରାଯାଇଛି । ଯୁବପିଢୀଙ୍କୁ ସାହିତ୍ୟ ଏବଂ ଓଡ଼ିଆ ଭାଷା ସଂସ୍କୃତି ପ୍ରତି ଆକୃଷ୍ଠ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ସମାରୋହର ଆୟୋଜନ କରାଯାଇଥିଲା ।

‘ଭାବପ୍ରବଣତା ହେଲେ ମୁଁ କବିତା ଲେଖେ । ଛେଚି ଛେଚି ଏକ ଆକାର ନେଉଥିବା ଯନ୍ତ୍ରଣାକୁ କବିତା ଆକାରରେ ପ୍ରକାଶ କରେ । କବିତା ହେଉଛି ମୋର କାନ୍ଦ, କ୍ରୋଧ ଏବଂ ତାଡ଼ନାର ଏକ ପ୍ରତିବିମ୍ବ । ନିଜ ଚାରିପଟେ ଘଟୁଥିବା ଘଟଣା ଏବଂ ସାମାଜିକ ସମସ୍ୟାକୁ କବିତା ମାଧ୍ୟମରେ ପ୍ରକାଶ କରିବା ଜଣେ କବିର କର୍ତ୍ତବ୍ୟ । ଆଉ ତାହା ମୁଁ କରୁଛି ।’ ସମ୍ମାନ ପାଇବା ଅବସରରେ ଏଭଳି କହିଛନ୍ତି ଡକ୍ଟର ଗାୟତ୍ରୀବାଳା ପଣ୍ଡା । ସମ୍ମାନୀତ ହୋଇ ଭାଷଣ ଦେବା ବେଳେ ଏମିତି ଭାବାତ୍ମକ ଭାଷାରେ ନିଜ ବକ୍ତବ୍ୟ ରଖିଥିଲେ ଡକ୍ଟର ଗାୟତ୍ରୀ । ଯୁବ କବି ଭାବରେ ଅନୁଷ୍ଠାନ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଥିବାରୁ ସେ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଛନ୍ତି ।

ସାହିତ୍ୟର ଅବକ୍ଷୟ ଧାରାକୁ ପୁନର୍ବାର ଯୁବପୀଢିଙ୍କ ନିକଟରେ ନୂଆକରି ପରିବେଷଣ କରିବା ପାଇଁ ଏଭଳି ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜନ କରିଥିଲା ଭୁବନେଶ୍ୱର ଭଞ୍ଜଭାରତୀ ଅନୁଷ୍ଠାନ । ଯୁକ୍ତି ସଂଗତ ଏବଂ ପ୍ରାସଙ୍ଗିକତା ଆଲୋଚନା କରି ସାହିତ୍ୟକୁ ଲୋକାଭିଭୁଖୀ କରିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି ସଂପାଦକ କୃଷ୍ଣକେଶବ ଶତପଥି କହିଛନ୍ତି । ଆଗାମୀ ଦିନରେ ଏଭଳି ସମାରୋହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ କରିବାକୁ ଲକ୍ଷ୍ୟ ରଖିଛି ଅନୁଷ୍ଠାନ । ତିନିଦିନ ଧରି ଚାଲିଥିବା ଓଡ଼ିଆ ସାହିତ୍ୟ ସମାରୋହର ଶେଷ ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ର ଯୋଗଦେଇ ସାହିତ୍ୟ ପ୍ରତି ଯୁବପୀଢିଙ୍କୁ ଉତ୍ସାହିତ କରିଥିଲେ ।

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପୋଷ୍ଟାଲ ଭୋଟ, ବାସନ୍ତୀ ପ୍ରଥମ ମତଦାତା

ପଶ୍ଚିମବଙ୍ଗରେ କ୍ୟାମ୍ପେନ୍ ଓ୍ୱାର୍ । ନିର୍ବାଚନର ୯ ଦିନ ପୂର୍ବରୁ ବିଜେପି-ଟିଏମ୍‌ସିର ହାଇଭୋଲଟେଜ୍ ପ୍ରଚାର । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୯ଦିନ ବାକି ଥିବା ବେଳେ ଜୋର୍ ଧରିଛି ପ୍ରଚାର ରାଜନୀତି । ବିଜେପିର ବହୁ ହାଇଭୋଲଟେଜ୍ ନେତାଙ୍କ ବିପକ୍ଷରେ ଏକାକି ମଇଦାନରେ ଲଢୁଛନ୍ତି ମମତା । ସେପଟେ ଧର୍ମ ନାଁରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଛି ବିଜେପି ବୋଲି ମମତା କରିଛନ୍ତି ସମାଲୋଚନା ।

ଗୁରୁବାର ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୁଲିଆଠାରେ ହେବାକୁ ଥିବା ଏକ ରାଲିରେ ମୋଦି ସାମିଲ ହେବେ । ସେପଟେ ନିର୍ବାଚନ ପାଇଁ ବୁଧବାର ପଶ୍ଚିମବଙ୍ଗରେ ଇସ୍ତାହାର ଜାରି କରିଛି ତୃଣମୁଳ କଂଗ୍ରେସ । ମା, ମାଟି, ମାନୁଷ ପାଇଁ ଏହି ଇସ୍ତାହାର ପ୍ରକାଶ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ସେହିପରି ଗୁରୁବାର ପଶ୍ଚିମବଙ୍ଗରେ ୩ଟି ରାଲିକୁ ସମ୍ବାଧିତ କରିବେ ଦିଦି । ରାଲିରେ ଯୋଗଦେବା ଅବସରରେ ଇସ୍ତାହାରରେ ଟିଏମ୍‌ସି ଦେଇଥିବା ପ୍ରତିଶ୍ରୁତିକୁ ମମତା ଦୋହରାଇବା ସହ ବିଜେପିକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ଭୋଟ ଥିବା ବେଳେ ପୋଷ୍ଟାଲ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଝରିଗ୍ରାମର ୮୦ ବର୍ଷିୟା ବୃଦ୍ଧା ବାସନ୍ତୀ ପ୍ରଥମ ଭୋଟ୍ ଦେଇଛନ୍ତି । ବାସନ୍ତୀଙ୍କ ସମେତ ଅନ୍ୟ ୬ଜଣ ବୃଦ୍ଧା ମଧ୍ୟ ବାଲାଟରେ ଭୋଟ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଏକ ଟିମ୍ ଓ ସିଆର୍‌ପିଏଫ୍ ଦଳ ସେମାନଙ୍କ ଘରେ ପହଞ୍ଚି ଭୋଟ ଗ୍ରହଣ କରିଥିଲେ । ଏ ସମସ୍ତ ପ୍ରକିୟାର ଭିଡିଓ ରେକର୍ଡ କରାଯାଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକାକରଣ, ଦିନକୁ ୫୦

ଭୁବନେଶ୍ୱର: ଗୁରୁବାରଠାରୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଟିକାକରଣ ଆରମ୍ଭ । ଦୈନିକ ୫୦ ଜଣ ସେବାୟତଙ୍କୁ ଟିକା ଦିଆଯିବା ନେଇ ହୋଇଛି ନିଷ୍ପତି । ସକାଳ ୧୦ଟାରୁ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଇଛି । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ହୋଇଛି । ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ଲିଙ୍ଗରାଜ ମନ୍ଦିର ପାଖ ବିଏମ୍‌ସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ ହେବ ।

ତେବେ ପ୍ରାୟ ୩ ଶହ ସେବାୟତ ଟିକା ନେବାର କାର୍ଯ୍ୟକ୍ରମ ରହିଛି । ୧୬ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧ଲକ୍ଷ ୭ହଜାର ୬୭୮ଜଣ ଟିକାକରଣ ସରିଛି । ସେଥିମଧ୍ୟରୁ ୪୪ ହଜାର ୨୪୪ ଜଣ ସ୍ୱାସ୍ଥ୍ୟକର୍ମୀ, ୨୩ ହଜାର ୩୫୫ ଜଣ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଏହା ସହ ୪୦ ହଜାର ୭୯ ଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି । ସେହିଭଳି ୩୧ଟି କେନ୍ଦ୍ରରେ ଦିଆଯାଉଛି ଟିକା । କ୍ୟାପିଟାଲ ହସ୍ପିଟାଲ ସମେତ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ AIIMSରେ ରବିବାର ଓ ଛୁଟି ଦିବସ ବ୍ୟତୀତ ଅନ୍ୟ ସବୁଦିନ ଟୀକାକରଣ କରାଯାଉଛି ।

ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର, ଗୁରୁବାର ଓ ଶନିବାର ଟିକାକରଣ କରାଯାଉଛି । ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି ।

ପଶୁ ଓ ମଣିଷ ଭିତରେ ଅନାବିଳ ପ୍ରେମ, ଢ଼ୁଡ୍‌କୁ ଛାଡ଼ି ରହିପାରୁ ନାହାନ୍ତି କୁନ୍ତଳା

କେନ୍ଦୁଝର: ପଶୁ ଓ ମଣିଷ ଭିତରେ ଅନାବିଳ ପ୍ରେମ । କୁହାଯାଏ ସାହାଯ୍ୟ-ସହଯୋଗ-ଭଲପାଇବା ଏସବୁକୁ ମଣିଷ ଭୁଲିଯାଇପାରେ । କିନ୍ତୁ ଗୋଟିଏ ପଶୁ କେବେ ଭୁଲେନା । କେନ୍ଦୁଝର ଜିଲ୍ଲାରେ ଠିକ୍‌ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି କାହାଣୀ । ଜଣେ ମହିଳା ଜଙ୍ଗଲରୁ ଏକ କୁନି ବାରହାକୁ ପାଇଥିଲେ । ସେହି ମହିଳା ଜଣଙ୍କ ହେଉଛନ୍ତି ତେଲକୋଇ ବ୍ଲକ ଶିରିଗିଡ଼ା ନିକଟ ପୁରୁଷୋତ୍ତମପୁର ଗାଁର କୁନ୍ତଳା ପେଣ୍ଠେଇ । ବାରହାକୁ ପ୍ରାୟ ୧୦ ମାସ ନିଜ ପାଖରେ ରଖିଥିଲେ କୁନ୍ତଳା । ଏହା ଭିତରେ ବାରହା ଆଉ କୁନ୍ତଳାଙ୍କ ମଧ୍ୟରେ ଏକ ସମ୍ପର୍କ ଗଢ଼ି ଉଠିଥିଲା । ନିଜ ଛୁଆକୁ ପାଳିବା ଭଳି କୁନ୍ତଳା ବାରହାକୁ ପାଳିଥିଲେ ।

ହେଲେ ହଠାତ୍ ଦିନେ ବନ ବିଭାଗ ପାଖରେ ଖବର ପହଞ୍ଚିଲା । ଆଉ ବନ ବିଭାଗ କର୍ମଚାରୀମାନେ ଆସି ମହିଳାଙ୍କ ଘରେ ପହଞ୍ଚିଲେ । ପରେ ଉକ୍ତ ମହିଳା ଓ ବାରହାକୁ ଅଲଗା ହେବାକୁ ପଡ଼ିଥିଲା । ବାରହାଠାରୁ ବିଚ୍ଛେଦ ହେବା ପରେ ମହିଳା ଜଣଙ୍କ ସତେ ଯେମିତି ଭାଙ୍ଗିପଡ଼ିଥିଲେ । ବାରହା ଆଉ ମହିଳା ଅଲଗା ହୋଇଥିଲେ ସତ, ହେଲେ‌ ସେମାନଙ୍କ ସମ୍ପର୍କରେ ପଡ଼ିନଥିଲା ପୁର୍ଣ୍ଣଛେଦ । ବାରହାକୁ କୁନ୍ତଳା ଅତି ଶ୍ରଦ୍ଧାରେ ଡାକୁଥିଲେ ଢ଼ୁଡ୍‌ ।

ଢ଼ୁଡ୍‌ଠାରୁ ଅଲଗା ହେବା ଦିନଠୁ କୁନ୍ତଳା ପ୍ରତ୍ୟେକ ଦିନ ଜଙ୍ଗଲକୁ ଯାଆନ୍ତି । ଆଉ ନିଜ ବାରହାକୁ ଖୋଜନ୍ତି । ଜଙ୍ଗଲ ସାରା ଢ଼ୁଡ୍‌-ଢ଼ୁଡ୍‌-ଢ଼ୁଡ୍‌ ବୋଲି ଡାକି ବୁଲନ୍ତି । କିନ୍ତୁ ଢ଼ୁଡ୍‌ ମିଳିଲାନି । ଏମିତି ପ୍ରାୟ ୯ ଦିନ ପରେ ମିଳିଲା ଢ଼ୁଡ୍‌ର ସନ୍ଧାନ । କିଛି ଗାଁ ଲୋକ ଜାଣିବାକୁ ପାଇଲେ ଜଙ୍ଗଲର ଅନ୍ୟ ଏକ ପାଖରେ ଏକ  ବାରହା ଆହତ ଅବସ୍ଥାରେ ପଡ଼ିଛି । ଏହି ଖବର କୁନ୍ତଳାଙ୍କ କାନରେ ପଡ଼ିଲା । ଆଉ ତୁରନ୍ତ ତାକୁ ଦେଖିବା ପାଇଁ ଦୌଡ଼ିଗଲେ । ସେଠାରେ ପହଞ୍ଚି ଢ଼ୁଡ୍‌ ବୋଲି ଥରେ ଡାକିଦେଲେ କୁନ୍ତଳା । ଆଉ ଢ଼ୁଡ୍‌ କୁନ୍ତଳାଙ୍କ ଶବ୍ଦକୁ ବାରି ତାଙ୍କ ପାଖକୁ ଧାଇଁ ଆସିଲା । ଢ଼ୁଡ୍‌କୁ ପାଇବା ପରେ କୁନ୍ତଳାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । କୁନ୍ତଳା ଓ ଢ଼ୁଡ୍‌ ମଧ୍ୟ ଏକାଠି ହୋଇ ବେଶ ଖୁସି ନଜର ଆସୁଥିଲେ । ତେବେ ଢ଼ୁଡ୍‌ ଆହତ ହୋଇଥିବାରୁ ତାର ଚିକିତ୍ସା କରାଇବେ ବୋଲି କହିଛନ୍ତି କୁନ୍ତଳା । ଆଉ ଢ଼ୁଡ୍‌କୁ ପାଖରେ ରଖିବା ପାଇଁ ଅନୁମତି ମାଗିବେ ।

କ୍ରୀଡା ଜଗତରେ ରୁଚି ରଖିଥିବା ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବ ବିଜୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଖୋର୍ଦ୍ଧା: ମୟୁରଭଞ୍ଜ , କଟକ ପରେ ଏବେ ଖୋର୍ଦ୍ଧାରେ ଆରମ୍ଭ ହୋଇଯାଇଛି ବିଜୁ ପ୍ରିମିୟର ଲିଗ୍ । କ୍ରୀଡା ଜଗତରେ ରୁଚି ରଖିଥିବା ପ୍ରତିଭାମାନଙ୍କୁ ଚୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ରୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି ବିଜୁ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଫଳରେ ଖେଳରେ ରୁଚି ରଖୁଥିବା ପ୍ରତିଭାମାନଙ୍କୁ ଚୟନ କରାଯାଇପାରିବ । ଖୋର୍ଦ୍ଧାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଉଦଘାଟନ ହୋଇଛି ।

ରାଜ୍ୟରେ କ୍ରୀଡ଼ାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଏହି ବିଜୁ ପ୍ରିମିୟର ଲିଗ୍ । ଖୋର୍ଦ୍ଧାରେ ଏହି ଟୁର୍ଣ୍ଣାମେଣ୍ଟକୁ ରାଜ୍ୟ ସମ୍ପାଦକ ଯୁବ ବ୍ୟପାର ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଡ଼ଃ ବ୍ୟୋମକେଶ ରାୟ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଏଲିନା ଦାସ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଏବଂ ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉଦଘାଟନ କରିଥିଲେ । ବିଜୁବାବୁଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୁରସ୍କାର ଉପରୁ ପରଦା ହଟାଇଥିଲେ ।

ଖୋର୍ଦ୍ଧାରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ, ଗଞ୍ଜାମ, ପୁରୀ, ଭୁବନେଶ୍ୱର , ଖୋର୍ଦ୍ଧା, ନୟାଗଡ ପ୍ରଭୂତି ୬ଟି ଜିଲ୍ଲାର ଖେଳାଳି ଖେଳିବେ । ତେବେ ଏହି ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହ୍ୟୁମାନ ସାଗରଙ୍କ ଟିମ ସଙ୍ଗୀତ ପରିବେଷଣ କରିଥିଲେ । ଖୋର୍ଦ୍ଧାରେ ଏହି ମ୍ୟାଚକୁ ଶାନ୍ତି ଶୃଙ୍ଖଳାର ଆୟୋଜନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଧାୟକ ଜିତୁ ମିତ୍ର । ୭ ଦିନ ଧରି ଖେଳାଯିବାକୁ ଥିବା ଏହି ବିଜୁ ପ୍ରିମିୟର ଲିଗର ଉଦଜାପନ ଉତ୍ସବ ଆସନ୍ତା ୨୪ ତାରିଖରେ ହେବାକୁ ଯାଉଛି ।

ଧିରେ ଧିରେ ଆରମ୍ଭ ହେଲାଣି ଲକ୍‌ଡାଉନ୍‌ ଆଉ ନାଇଟ୍‌ କର୍ଫ୍ୟୁ

ପୁଣି ଦେଶରେ କାୟା ମେଲାଉଛି କରୋନା । ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ହେଲେ ମହାରାଷ୍ଟ୍ରରେ ସ୍ଥିତି ହେଉଛି ସଙ୍ଗିନ୍‌ । ଗତ ୨୪ ଘଣ୍ଟାରେ ୨୩ ହଜାର ୧୭୯ ଜଣ କରୋନା ସଂକ୍ରମିତ ଚହ୍ନଟ ହୋଇଛନ୍ତି । ସେହିଭଳି ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।

କେବଳ ମହାରାଷ୍ଟ୍ର ନୁହେଁ ଗୁଜରାଟ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । କରୋନା ସଂକ୍ରମଣ ବଢୁଥିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ସମୟରେ ସତର୍କ ନରହିଲେ ସବୁ ପରିଶ୍ରମ ବୃଥା ହୋଇଯିବ କହିଛନ୍ତି ମୋଦି । ଆବଶ୍ୟକ ପଡିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି । ସବୁ ରାଜ୍ୟକୁ ଆରଟିପିସିଆର ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ନିର୍ଦ୍ଦେଶ ।

ସେପଟେ ଗୁଜରାଟର ୪ ସହରରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଅହମ୍ମଦାବାଦ, ବଡୋଦ୍ରା, ସୁରତ ଓ ରାଜକୋଟ୍‌ରେ ନାଇଟ୍‌ କର୍ଫ୍ୟୁ ଲଗାଇଛନ୍ତି ସରକାର । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଛି ନାଇଟକର୍ଫ୍ୟୁ । ମଧ୍ୟ ପ୍ରଦେଶର ଭୋପାଳ ଓ ଇନ୍ଦୋରରେ ମଧ୍ୟ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସେହିଭଳି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲକଡାଉନ୍ ଜାରି ହୋଇଥିବା ବେଳେ ପଞ୍ଜାବ ଓ ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଲୋକେ କରୋନା କଟକଣା ମାନୁ ନଥିବାରୁ କେତେକ ସହରରେ ଲକ୍‌ଡାଉନ୍ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜଧାନୀ ଦିଲ୍ଲୀରେ ବି ସଂକ୍ରମଣ ଉପରମୁହାଁ ରହିଛି । ପଞ୍ଜାବରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି ସରକାର ।

ସିଲଭର ସିଟି ବୋଟିଂ କ୍ଲବ୍‌ରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା

0

କଟକ: କଟକରେ ପ୍ରସ୍ତୁତ ହେଉଛି ଓ୍ୱାଟର ସ୍ପୋର୍ଟସ୍‌ ପାର୍କ । ଖୁବ୍‌ଶୀଘ୍ର ହେବ ଲୋକାର୍ପଣ । ସାଧାରଣ ଲୋକ ମହାନଦୀରେ ଆଡ୍‌ଭେଞ୍ଚର ୱାଟର ସ୍ପୋଟର୍ସ ସହ ମନୋରଞ୍ଜନର ସୁବିଧା ପାଇପାରିବେ । ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ତେଣୁ ପର୍ଯ୍ୟଟନସ୍ଥଳିଗୁଡ଼ିକର ବିକାଶ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।

OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଙ୍ଗଳବାର ଅପରାହ୍ନରେ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ସହ କଟକ ଗସ୍ତରେ ଯାଇଥିଲେ । ସେଠାରେ ସେ ମାତାମଠ ‘ୱାଟର ସ୍ପୋଟର୍ସ’ର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସମସ୍ତ କାର୍ଯ୍ୟ ବୁଲି ଦେଖିବାପରେ ତାଙ୍କ ସହ ଯାଇଥିବା ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କୁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବାବଦରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶ୍ରୀମତୀ ମିଶ୍ର କହିଛନ୍ତି ।

ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୱାଟରସ୍ପୋଟର୍ସ ବ୍ୟତୀତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯିବ । ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି । କଟକବାସୀ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ । ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏଠାରେ ଅତ୍ୟାଧୁନିକ ୱାଟର ସ୍ପୋଟର୍ସ ଓ ମନୋରଞ୍ଜନର ସୁବିଧା ଯୋଗାଇଦେବା ପାଇଁ ଓଟିଡିସି ଖୁବଶୀଘ୍ର ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଇବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।