ସାଂଘାତିକ ହେଲାଣି କରୋନା ସଂକ୍ରମଣ, ହସ୍ପିଟାଲରେ ମିଳୁନି ଅକ୍ସିଜେନ୍‌ କି ବେଡ୍‌

1 min read

ନୂଆଦିଲ୍ଲୀ: କରୋନା ମହାମାରୀରେ ଅଣନିଶ୍ୱାସୀ ରାଜଧାନୀ। ଦିନକୁ ଦିନ ସଙ୍କଟ ବଢ଼ୁଛି ପଛେ କମିବା ନାଁ ଧରୁନି କରୋନା। ଦୈନିକ ସଂକ୍ରମଣ ବଢିବା ସାଙ୍ଗକୁ ହସ୍ପିଟାଲରେ ବେଡ୍‌ ନ ମିଳିବା ଅକ୍ସିଜେନ୍ ସିଲିଣ୍ଡରର ଅଭାବ ସ୍ଥିତିକୁ ଅତିରୁ ଅତି ସାଂଘାତିକ କଲାଣି। ହସ୍ପିଟାଲରେ ପଡ଼ିଥିବା ନିଜ ଆତ୍ମୀୟଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡରଟେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ଆଜି ସକାଳୁ ରାଜଧାନୀରୁ ଏକ ବିକଳ ଚିତ୍ର ସାମନାକୁ ଆସିଛି। ଅକ୍ସିଜେନ୍ ସିଲିଣ୍ଡର ଫିଲଅପ୍ କରିବାକୁ ଲୋକମାନେ ଲମ୍ବା ଧାଡ଼ିରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷାରେ ରହିଛନ୍ତି।

ଦିଲ୍ଲୀର ନାରାୟଣ ଅକ୍ସିଜେନ୍ ଫିଲିଂ ଫ୍ଲାଣ୍ଟ ଆଗରେ ଶତାଧିକ ଲୋକ ଅକ୍ସିଜେନ ସିଲିଣ୍ଡର ଧରି ଲାଇନରେ ଠିଆ ହୋଇ ରହିଛନ୍ତି। ଏହାଛଡ଼ା ଲମ୍ବାଲାଇନରେ ଆମ୍ବୁଲାନ୍ସଗୁଡ଼ିକ ମଧ୍ୟ ଅକ୍ସିଜେନ୍‌ ସିଲିଣ୍ଡର ନେବାକୁ ଅପେକ୍ଷା କରିଛନ୍ତି। ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ଏଭଳି ଅଛନ୍ତି ଯେଉଁମାନେ ୨ରୁ ୩ ଦିନ ହେବ ଲାଇନରେ ରହିଛନ୍ତି। ସେପଟେ ବହୁ ହସ୍ପିଟାଲରେ ଅକ୍ସିଜେନ ନଥିବାରୁ ସଙ୍କଟାପନ୍ନ ସ୍ଥିତିରେ ରହିଛନ୍ତି ରୋଗୀ। ଦିଲ୍ଲୀକୁ ସହାୟତା କରିବା ପାଇଁ ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ।

ଅନ୍ୟପଟେ ଦିଲ୍ଲୀର RML ହସ୍ପଟାଲରେ ରୋଗୀ ସଂଖ୍ୟା ଏତେ ବଢୁଛନ୍ତି ଯେ ଏବେ ଗୋଟିଏ ବି ବେଡ୍‌ ଫାଙ୍କା ନଥିବା ମେଡିକାଲ କର୍ତ୍ତୃପକ୍ଷ କହିଚନ୍ତି। କେବଳ RML ନୁହେଁ ଅନ୍ୟ ବହୁ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ସେପଟେ ଦିଲ୍ଲୀରେ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଆଜି ଦିଲ୍ଲୀର ସର୍ଦ୍ଦାର ପଟେଲ୍‌ କୋଭିଡ୍ ହସ୍ପିଟାଲ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କରୋନା ରୋଗୀଙ୍କ ପାଇଁ କରାଯାଇଥିବା ସୁବିଧା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

Leave a Reply