spot_img
Home Blog Page 5828

ସେନା ଭଳି କୃଷକଙ୍କ ଲାଗି ଏହି ରାଜ୍ୟ ସରକାର କରିବେ କ୍ୟାଣ୍ଟିନ୍

ଭୋପାଳ: ବିଜେପିକୁ ଡରାଉଛି କୃଷକ ଆନ୍ଦୋଳନ । ଦୀର୍ଘ ୫ ମାସରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ପୂରା ଦେଶକୁ ଡେଇଁଛି । କେନ୍ଦ୍ରର ତିନିଗୋଟି କୃଷି ଆଇନକୁ ପ୍ରତ୍ୟାହାର କରିନେବା ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ ଜୟ ଯବାନ, ଜୟ କିଷାନ ନାରା ଦେଉଛନ୍ତି ସମସ୍ତେ । ହେଲେ କୃଷକଙ୍କ ପ୍ରତି କାହାରି ଦରଦ ନଥିବା ଭଳି ମନେ ହେଉଛି । ଏସବୁ ଭିତରେ ଚାଷୀଙ୍କ ପାଇଁ କିଛି ଚିନ୍ତା କରିଛନ୍ତି ମଧ୍ୟପ୍ରଦେଶର ବିଜେପି ସରକାର ।

ମଧ୍ୟପ୍ରଦେଶରେ ଆର୍ମି କ୍ୟାଣ୍ଟିନ୍ ଭଳି କୃଷକ କ୍ୟାଣ୍ଟିନ୍ ଖୋଲିବ । କୃଷକ କ୍ୟାଣ୍ଟିନରେ ଚାଷୀଙ୍କୁ ରପ୍ତାନୀ ଗୁଣର ସାମଗ୍ରୀ ଶସ୍ତା ଦାମରେ ମିଳିବ । କୃଷକ କ୍ୟାଣ୍ଟିନରୁ କିଣା ଯାଉଥିବା ସାମଗ୍ରୀ ଉପରେ କୌଣସି ପ୍ରକାରର ଟିକସ ରହିବ ନାହିଁ । ସମସ୍ତ ସାମଗ୍ରୀ କୃଷକଙ୍କ ଟିକସ ମୁକ୍ତ ରହିବ । ଦେଶରେ କୃଷି ଆନ୍ଦୋଳନକୁ ନେଇ କେନ୍ଦ୍ରର ବିଜେପି ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ ମଧ୍ୟପ୍ରଦେଶ ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତି ଆନ୍ଦୋଳନକୁ କିଛି ମାତ୍ରାରେ ପ୍ରଶମିତ କରିପାରେ ।

MP Government To Open kisan Canteen Just Like Army Canteen

ମଧ୍ୟପ୍ରଦେଶ କୃଷି ବିଭାଗ ଅନୁସାରେ, ୨୫୯ ଗୋଟି ମଣ୍ଡିରେ ଏହି କୃଷକ କ୍ୟାଣ୍ଟିନ୍ ଖୋଲିବ । କ୍ୟାଣ୍ଟିନ୍ ସର୍ଭିସ୍ ଡିଫେନ୍ସ (CSD) ଯୋଗୁଁ କୃଷକଙ୍କ ସମ୍ମାନ ବଢ଼ିବ ବୋଲି ରାଜ୍ୟ କୃଷି ମନ୍ତ୍ରୀ କମଲ ପଟେଲ କହିଛନ୍ତି । ଆମ କୃଷକ ସେନାର ଯବାନ ଭଳି । ଲକଡାଉନରେ ସବୁକିଛି ବନ୍ଦ ଥିବାବେଳେ କୃଷକ ଜନତାଙ୍କୁ ସାହାଯ୍ୟ କରିଥିଲେ । ଆମେ କୃଷକଙ୍କ ଲାଗି ପ୍ରତିଟି ମଣ୍ଡିରେ ଆର୍ମି ଭଳି କ୍ୟାଣ୍ଟିନ୍ ଖୋଲିବୁ । ଫଳରେ କୃଷକ ରପ୍ତାନୀ ଗୁଣବତ୍ତା ମାନର ସାମଗ୍ରୀ ସେନା ଭଳି ଶୁଲଭ ମୂଲ୍ୟରେ ପାଇ ପାରି ବୋଲି ମନ୍ତ୍ରୀ କହିଛନ୍ତି ।

ମଣ୍ଡିରେ କେବଳ କୃଷକ କ୍ୟାଣ୍ଟିନ୍ ନୁହେଁ ଏଥିସହ କୃଷକଙ୍କ ଲାଗି ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଅଟଳ କ୍ଲିନିକ୍ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନ କ୍ରୟ ବେଳେ କୃଷକଙ୍କୁ ସମ୍ମାନ ଦେବା ପାଇଁ ଅଧିକାରୀ ଫାଟକ ନିକଟରେ ଅଭିବାଦନ ଜଣାଇବେ । ଏଥିସହ ମଣ୍ଡିକୁ ଆସୁଥିବା କୃଷକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଅଟଳ କ୍ଲିନିକରେ ଡାକ୍ତର କୃଷକଙ୍କ ଚିକିତ୍ସା କରିବେ । କୃଷକଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସରକାର ମାଗଣା ଚିକିତ୍ସା କରିବେ ।

ପୁଣି କୋଭିଡ ମୃତ୍ୟୁ; କରୋନାରେ ୮୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ରାଜ୍ୟରେ କୋଭିଡରେ ମୃତ୍ୟୁ । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକ କୋଭିଡ ରୋଗୀ ଜଣେ ପୁରୁଷ ହୋଇଥିବାବେଳେ ତାଙ୍କ ବୟସ ୮୬ ବର୍ଷ ।

ପୂର୍ବରୁ ସେ ମଧୁମେହ ରୋଗରେ ମଧ୍ୟ ପିଡୀତ ରହିଥିଲେ । କିଛି ଦିନ ତଳେ ତାଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବା ପରେ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ କୋଭିଡ ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ ଆସିଥିଲା । ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟରେ ପୁନର୍ବାର କରୋନା ଆତଙ୍କ ଖେଳାଇଛି । ସେପଟେ କୋଭିଡ କଟକଣା ଅନେକ ସ୍ଥାନରେ ଲାଗୁ କରୁଛନ୍ତି ସ୍ଥାନୀୟ ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳଳେ ଦୈନିକ ସଂକ୍ରମଣ ୨୦୦ ପରେ ରହୁଛି । ସେପଟେ ସୁନ୍ଦରଗଡ ଜିଲ୍ଲାରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ୨୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

ଝାରସୁଗୁଡ଼ା: ରାଜ୍ୟରେ ମାଡ଼ି ଚାଲିଛି କରୋନା । ବିଶେଷକରି ଶିକ୍ଷାନୁଷ୍ଠାନ ଖୋଲିବା ପରେ କରୋନା ସଂକ୍ରମଣର ଏକାଧିକ ମାମଲା ମିଳୁଛି । କଟକ, ଢେଙ୍କାନାଳ ପରେ ଝାରସୁଗୁଡ଼ାରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏକାଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

21 Students And Staff Of Jharsuguda Engineering School Tested Covid-19 Positive

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କୁ ମିଶାଇ ମୋଟ ୨୧ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ବେଳେ ଇଞ୍ଜିନିୟରିଂ ସ୍କୁଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସମ୍ଭାବନା ରହିଛି ।

ଆସାମରେ ମତଦାନ ଜାରି, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦୃଢ଼ୋକ୍ତି ପୁଣି ସରକାର ଗଢ଼ିବ ବିଜେପି

ଗୌହାଟି: ବିଜେପି ଶାସିତ ଆସାମରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟିଂ । ୧୨ଟି ଜିଲ୍ଲାର ୪୭ଟି ଆସନ ପାଇଁ ଭୋଟିଂ ଜାରି ରହିଛି । ସକାଳୁ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ । ଅପରାହଣ ୨ଟା ସୁଦ୍ଧା ଆସାମରେ ୪୫.୨୪ ପ୍ରତିଶତ ମତଦାନ ହୋଇଛି । ୪୭ଟି ଆସନ ପାଇଁ ୨୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୨୩ ଜଣ ମହିଳା ପ୍ରାର୍ଥୀ । ୧୨ଟି ଜିଲ୍ଲାର ୮୧ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

ମାଜୁଲିରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ନିର୍ବାଚନ ଲଢ଼ୁଥିବା ବେଳେ ପିସିସି ଅଧ୍ୟକ୍ଷ ରିପୁନ ବୋରା ଗୋହପୁରରୁ ପ୍ରାର୍ଥୀ ହୋଇଛନ୍ତି । ବିଧାନସଭା ବାଚସ୍ପତି ହିତେନ୍ଦ୍ର ନାଥ ଗୋସ୍ୱାମୀ ଜୋରହାତରୁ ନିର୍ବାଚନ ଲଢ଼ୁଛନ୍ତି । ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ନାଜିରା ଆସନରୁ ଲଢୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଭୋଟ୍ ଦେଇ କହିଛନ୍ତି- ଏଥର ରାଜ୍ୟରେ ପୁଣିଥରେ ବିଜେପି ସରକାର ଆସିବ ଏଥିରେ କୌଣସି ସନ୍ଦେହ ନାହିଁ । ଆସାମରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ମେ’୨ରେ ରେଜଲ୍ଟ ଆସିବ ।

ରାଜଧାନୀରେ ଏକ ଆପାର୍ଟମେଣ୍ଟରେ ୨ ଜଣଙ୍କୁ କରୋନା

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମଣ । ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୋଖରୀପୁଟ କୋକିଳା ଗ୍ରୀନ ଆପାର୍ଟମେଣ୍ଟରୁ ଦୁଇଜଣଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ଆପାର୍ଟମେଣ୍ଟର ସବୁ ଲୋକଙ୍କର କୋଭିଡ୍ ଟେଷ୍ଟ କରାଯିବ । ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ବିଏମ୍‌ସି ପକ୍ଷରୁ ସୂଚନା ଦେଇଛି ।

 Two Covid-19 Positive Cases Found In Kokila Green Apartment Bhubaneswar

୨୬ ତାରିଖ ସୁଦ୍ଧା ବିଏମସି ଅଞ୍ଚଳରୁ ମୋଟ ୩୨ ହଜାର ୨୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୧ ହଜାର ୮୫୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୩୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୨୫୦ ଜଣ କରୋନାରେ ଜୀବନ ହାରିଛନ୍ତି ।

କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯାଇଛି । ପୋଲିସ ବିଭିନ୍ନ ଛକ ସ୍ଥାନରେ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଦିଗରେ ସଚେତନ କରାଇବା ସହ ଆଇନ୍ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁଛି ।

ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ମାରି ଦେଇଥିବା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ସଁସା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ମାରି ଦେଇଥିବା ଅଭିଯୋଗ । ମୃତ ମହିଳା ହେଉଛନ୍ତି ସୁଦାମ ସାହୁଙ୍କ ସ୍ତ୍ରୀ ଦଶମୀ ସାହୁ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦଶମୀଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ସୁଦାମ ଓ ଦଶମୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

Husband Killed Wife In Bolangir

ଏଥିରେ ସୁଦାମ ଉତ୍ତ୍ୟକ୍ତ ହୋଇ ଦଶମୀର ତଣ୍ଟି ଚିପି ହତ୍ୟା କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ ସୁଦାମଙ୍କ ପରିବାର ଲୋକ ଫେରାର ହୋଇ ଯାଇଛନ୍ତି । ଏହି ହତ୍ୟା ମାମଲାରେ ପରିବାର ଲୋକଙ୍କର ସମ୍ପୃକ୍ତି ଥିବା ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି । ଅଭିଯୋଗ ପରେ ଲୋଇସିଂହା ଥାନା ଅଧିକାରୀଙ୍କ ନେତୃତ୍ୱରେ ଆଗଲପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୃହରେ ମଣ୍ଡି ତାତି, ବିଧାନସଭା ଅପରାହ୍ଣ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ପୁଣି ଧାନ କିଣା ତାତିରେ ହଟ୍ଟଗୋଳ । ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି କଲେ ବାଚସ୍ପତି । କେତେ ଧାନ ଉଠିଛି ପ୍ରଶ୍ନ କରିବା ସହିତ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଜେପି ସଦସ୍ୟ ଦାବି କରିଥିଲେ । ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ହୋ ହଲ୍ଲା କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଆଜି ଖାଦ୍ୟ ଓ ଯୋଗାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ଅଛି । ଆଲୋଚନା ବେଳେ କେତେ ଧାନ ଉଠିଛି, ସେ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେବେ । ତେଣୁ ହୋ ହଲ୍ଲା କରିବାର ଆବଶ୍ୟକତା ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ।

Odisha Assembly Adjourned Till 4 Pm

କିନ୍ତୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ବାଚସ୍ପତି ମୁଲତବି ରଖିଛନ୍ତି । ବିଧାନସଭାରେ ଏଭଳି ସ୍ଥିତି ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଜାଣିଶୁଣି ଗୃହକୁ ଅଚଳ କରିବା ଠିକ୍ ନୁହେଁ । ଅଯଥାରେ ଗୃହର ସମୟକୁ ଅପଚୟ କରାଯାଉଛି ବୋଲି ଅମର ଶତପଥୀ କହିଛନ୍ତି । ଧାନ କିଣା ନେଇ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୁଇ ଦୁଇ ଥର ବିବୃତି ଦେବା ସତ୍ତ୍ୱେ ବିଜେପି ବାରମ୍ବାର ସମାନ ଦାବି କରି ଆସୁଛି । ହଟ୍ଟଗୋଳ ଯୋଗୁଁ ବାରମ୍ବାର ମୁଲତବି ହେଉଛି ବିଧାନସଭା ।

ଆମେ ACBରୁ ଆସିଛୁ, ଏମିତି କହି ଲୁଟିନେଲେ ୨୩ ଲକ୍ଷ

ଜୟପୁର: ରାଜସ୍ଥାନରେ ଆଣ୍ଟି କରପସନ୍ ବ୍ୟୁରୋର ମାରାଥନ ରେଡ୍ ଚାଲିଛି । ଚଢ଼ଉରେ ବଡ ବଡ ମାଛ ଧରା ପଡୁଛନ୍ତି । ନିକଟରେ ଜଣେ ଭ୍ରଷ୍ଟ ବାବୁ ଧରାପଡ଼ିବା ଭୟରେ ଗ୍ୟାସ ଚୁଲାରେ ୧୫ ଲକ୍ଷ ଟଙ୍କା ପୋଡ଼ି ଦେଇଥିଲେ । ଏହାରି ଭିତରେ ଚୋର ମଧ୍ୟ ଏସିବିର ସକ୍ରିୟତାର ଫାଇଦା ଉଠାଇବାରେ ଲାଗିଛନ୍ତି । ବଲିଉଡ୍ ଫିଲ୍ମ ସ୍ପେଶାଲ ୨୬ରେ ଯେମିତି କିଛି ଠକ ନିଜକୁ ଭିଜିଲାନ୍ସ ଅଧିକାରୀ କହି ଲୁଟ୍ କରୁଥିଲେ ସେହିଭଳି ତିନି ଜଣ ଲୁଟେରା ଜୟପୁରରେ ନିଜକୁ ଏସିବି ଅଧିକାରୀ କହି ଫାଇନାନ୍ସ କମ୍ପାନୀର ଜଣେ ଅଧିକାରୀଙ୍କ ଘରୁ ୨୩ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ।

ଏମିତି ହୋଇଥିଲା ଲୁଟ୍

ମିଳିଥିବା ସୂଚନା ଅନୁସାରେ ତିନି ଜଣ ଲୁଟେରା ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କ ଘରେ ପହଂଚିଥିଲେ । ସେତେବେଳେ ଘରେ କେବଳ ଅଧିକାରୀଙ୍କ ପୁଅ ବିଦିତ୍ ଥିଲେ । ସେଠାରେ ପହଂଚିବା ପରେ ତିନି ଲୁଟେରା ନିଜକୁ ଏସିବି ଅଧିକାରୀ ବୋଲି ପରିଚୟ ଦେଇଥିଲେ । ପରିଚୟ ଦେଇ ନିଜ ଆଇଡି ମଧ୍ୟ ଦେଖାଇଥିଲେ । ଏହାପରେ ସେମାନେ ଅଧିକାରୀଙ୍କ ପୁଅ ବିଦିତଙ୍କୁ ଅନେକ ପ୍ରଶ୍ନ ଗୁଡେଇ ତୁଡାଇ ପଚାରିଥିଲେ । ଯାଂଚ ନାଁରେ ଆଲମାରି ଖୋଲିବାକୁ କହିଥିଲେ । ଆଲମାରିରେ ଥିବା ୨୨ ଲକ୍ଷ ୯୮ ହଜାର ଟଙ୍କାର ହିସାବ ମାଗିଥିଲେ । ଏତେ ଟଙ୍କା ଘରେ କାହିଁକି ରଖିଛ ? କେଉଁଠୁ ଆଣିଛ ବୋଲି ପଚାରିଥିଲେ । ବିଦିତ ଏନେଇ ନିଜ ପିତାଙ୍କୁ ଫୋନ୍ କରିଥିଲେ କିନ୍ତୁ ଲୁଟେରା ଫୋନ୍ ଛଡାଇ ନେଇ ଯାହା କଥା ହେବା କଥା ଏସିବି ଅଫିସରେ ହେବ ସେଠାକୁ ଆସ କହି ଫୋନ୍ କାଟି ଦେଇଥିଲେ ।

ଜବତ ରାଶି ପାଇଁ କାଗଜରେ ଦସ୍ତଖତ ମଧ୍ୟ ନେଇଥିଲେ

ଟଙ୍କା ଲୁଟ୍ କରିବା ପରେ ଲୁଟକୁ ଅସଲି ରେଡ୍ ଦେଖାଇବା ପାଇଁ ଲୁଟେରା ଏସିବି ଲେଟରପ୍ୟାଡରେ ବିଦିତଙ୍କଠାରୁ ଦସ୍ତଖତ ମଧ୍ୟ ନେଇଥିଲେ । ଲେଟରପ୍ୟାଡରେ କେତେଟଙ୍କା ତାଙ୍କ ଘରୁ ଲୁଟ୍ ହୋଇଥିଲା ସେ ବାବଦରେ ଲେଖା ଯାଇଥିଲା । ଲୁଟ୍ କରି ସାରି ଏହି ତିନି ନକଲି ଅଧିକାରୀ ସେଠାରୁ ଚାଲି ଯାଇଥିଲେ ।

ବାଇକରେ ଆସିଥିଲେ ଲୁଟେରା

ମାମଲା ପୋଲିସ ପାଖରେ ପହଂଚିବା ପରେ ଜଣା ପଡିଥିଲା ଯେ, ତିନି ଲୁଟେରା ବାଇକରେ ଆସିଥିଲେ । ସେମାନେ ହେଲମେଟ୍ ପିନ୍ଧିଥିଲେ । ସିସିଟିଭି ଫୁଟେଜରୁ ଜଣା ପଡୁଛି ଯେ, ଲୁଟେରା ଘରେ ପହଂଚିବା ପରେ ହେଲମେଟ୍ କାଢିଥିଲେ ଓ ଘରୁ ବାହାରିବ ବେଳେ ହେଲମେଟ୍ ପିନ୍ଧି ଯାଇଥିଲେ ।

ଘର କିଣିବା ପାଇଁ ଟଙ୍କା ରଖିଥିଲେ

ଲୁଟ୍ ୨୩ ଲକ୍ଷ ଟଙ୍କା ଘର କିଣିବା ପାଇଁ ଅଧିକାରୀ ଜଣକ ସଂଚୟ କରିଥିବା ଜଣା ପଡିଛି । ପୋଲିସ ମାମଲାର ତଦନ୍ତ କରୁଛି । ଖୁବଶୀଘ୍ର ଅପରାଧୀ ଧରା ପଡିବ ବୋଲି ପୋଲିସ କହିଛି ।

ବାଂଲାଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କହିଲେ, ମା’କାଳୀ କରୋନାରୁ ଆମକୁ ରକ୍ଷା କରିବେ

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଦିନ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦ୍ୱିତୀୟ ତଥା ଅନ୍ତିମ ଦିନର ଗସ୍ତ ରାଜନୈତିକ ମହତ୍ୱ ବହନ କରୁଛି । ଅନ୍ତିମ ଦିନରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକାର ଜୋଶେରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ହିନ୍ଦୁ ବିଶେଷକରି ପଶ୍ଚିମବଙ୍ଗର ହିନ୍ଦୁଙ୍କ ପାଇଁ ଗୁରୁତ୍ୱ ରଖେ । ଏହା ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ।

ଶନିବାର ସକାଳେ ମୋଦି ଜୋଶେରେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ସେ ପୂଜର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ସେ କହିଥିଲେ ଯେ, କାଳୀଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କରୋନାରୁ ଦୁନିଆକୁ ମୁକ୍ତି ଦେବା ପାଇଁ ମା’ କାଳୀଙ୍କୁ ପ୍ରାର୍ଥନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କାଳୀ ମନ୍ଦିରରେ ଏକ କମ୍ୟୁନିଟି ହଲ ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ସେ କହିଛନ୍ତି । ଏହି କମ୍ୟୁନିଟି ହଲ ଦ୍ୱାରା ଭକ୍ତ ଉପକୃତ ହେବା ସହ ବାତ୍ୟା ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରର ପୂଜା କରିବା ପରେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ସମାଧୀସ୍ଥଳକୁ ଯାଇଥିଲେ । ସେଠାରେ ସେ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ବଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ଓରାକାଣ୍ଡି ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଓରାକାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ହୋଇଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ହେଉଥିବା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେସ ଗୁରୁତ୍ୱ ରଖେ । କାରଣ ଦେଶ ବିଭାଜନ ପରେ ମତୁଆ ସମ୍ପ୍ରଦାୟର ଅନେକ ଭାରତ ଚାଲି ଆସିଥିଲେ । ମତୁଆ ସମ୍ପ୍ରଦାୟର ଭୋଟ ପଶ୍ଚିମବଙ୍ଗରେ ଗୁରୁତ୍ୱ ରଖିଥାଏ

୨୪ ଘଣ୍ଟା ମଧ୍ୟରେ ୬୨ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବଢାଉଛି କିଲର କରୋନା । ୨୪ ଘଣ୍ଟାରେ ୬୨ହଜାର ୨୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣଙ୍କ ମୃତ୍ୟୁ ହୋଇଛି । ୨୪ଘଣ୍ଟାରେ ସୁସ୍ଥ ହେଲେ ୩୦ହଜାର ୩୮୬ଜଣ କରୋନା ଆକ୍ରାନ୍ତ । ଆକ୍ଟିଭ କେସ୍ ରହିଛି ୪ଲକ୍ଷ ୫୨ହଜାର ୬୪୭ । ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୨୪୦ ଛୁଇଁଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସେପଟେ ଟିକାକରଣ ପ୍ରକ୍ରିୟା ବି ଜୋରଦାର ଚାଲିଛି ।

ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ  ୨୧ଜିଲ୍ଲା ଓ ଷ୍ଟେଟପୁଲରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୨୪, ଲୋକାଲ କେସ୍ ୮୬ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୧, ନୂଆପଡାରୁ ୨୩, କଟକରୁ ୧୯, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼଼ ଓ ଷ୍ଟେଟପୁଲରୁ ୧୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୧୧, ବରଗଡ଼, ଯାଜପୁର, ମୟୂରଭଞ୍ଜରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭, ବାଲେଶ୍ବରରୁ ୬, ପୁରୀରୁ ୫, , ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡା, ନୟାଗଡ଼ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଓ ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୯୦୪ଥିବା ବେଳେ ଆକ୍ଟିଭ କେସ୍ ରହିଛି ୧୪୪୯ । ଏଯାଏ କରୋନାରେ ୧୯୨୦ଜଣଙ୍କ ମୃତ୍ୟୁ  ହେଲାଣି । ସୁସ୍ଥ ହେଲେଣି ୩ଲକ୍ଷ ୩୬ହଜାର ୪୮୨ଜଣ କୋଭିଡ ଆକ୍ରାନ୍ତ ।