spot_img
Home Blog Page 5827

ରାଜଧାନୀରେ ସାପ ବିଷ ସ୍ମଗଲିଂ, ବଲାଙ୍ଗୀରରୁ ଆସି ଭୁବନେଶ୍ୱରରେ ବେପାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସାପ ବିଷ ସ୍ମଗଲିଂ । ବଡ଼ଧରଣର ସାପ ବିଷ ରାକେଟ୍ ଠାବ କରିଛି ବନ ବିଭାଗ । ସାପ ବିଷ କାରବାର ଅଭିଯୋଗରେ ୩ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ବନବିଭାଗର ଟିମ ।

ସୂଚନା ଅନୁଯାୟୀ ପାତ୍ରପଡ଼ା ରେଞ୍ଜ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଧରିଛି ବନବିଭାଗ । ଗିରଫ ୩ଜଣଙ୍କ ଘର ବଲାଙ୍ଗୀରରେ ହୋଇଥିବାବେଳେ ବଲାଙ୍ଗୀରରୁ ଆସି ଭୁବନେଶ୍ୱରରେ ଡିଲ୍ କରୁଥିଲେ ସାପ ବିଷ । ସାପ ବିଷ ଚାଲାଣ ପାଇଁ ଲକ୍ଷାଧିକ ଟଙ୍କା ଡିଲ୍ ବେଳେ ଧରାପଡ଼ିଥିବା ଜଣାପ଼ଡିଛି ।

ଭୁବନେଶ୍ୱର, କଟକରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀର ତାଣ୍ଡବ । ଅପରାହ୍ନରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଏନ ପବନ ହୋଇଥିବା ସୂଚନା । ସେପଟେ କାଳବୈଶାଖୀ ସହ ବଜ୍ରପାତ ମଧ୍ୟ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉପକୂଳ ଅଞ୍ଚଳରେ କାଳ ବୈଶାଖୀ ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଛି ।

ବିଶେଷକରି କୋରାପୁଟ, ଗଜପତି , ଗଞ୍ଜାମ, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧାରେ କାଳବୈଶାଖୀ ହେବା ନେଇ ଆଶଂକା ରଖିଥିଲା ପାଣିପାଗ ବିଭାଗ । ଏହା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରଖିଥିଲା ବିଭାଗ । ପ୍ରଭାବରେ ଆଜି ଭୁବନେଶ୍ବର, କଟକରେ ପ୍ରବଳ ବର୍ଷା ସହ ପବନ ହୋଇଛି ।

ସେପଟେ କାଳବୈଶାଖୀ ପ୍ରଭାବରେ ଫଳରେ ତାତିରେ ଶିଝୁଥିବା ରାଜଧାନୀବାସୀ ସମାନ୍ୟ ଆଶ୍ବସ୍ତ ହୋଇଛନ୍ତି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ରହିଛି । ଆଜି ଭୁବନେଶ୍ବର, ନୟାଗଡ, ବୌଦ୍ଧ, ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଭୋପାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାନ୍ଧି ନଗରରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୩ଜଣ ପାଇଲଟ୍ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ପ୍ରଶିକ୍ଷଣ ବିମାନଟି ଭୋପାଳରୁ ଗୁନା ଯାଉଥିଲା । କୌଣସି ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଏରୋସିଟି ନିକଟରେ ବିଶନଖେଡ଼ି ଗାଁ ନିକଟ ଏକ ବିଲରେ ବିମାନଟି ଖସି ପଡ଼ିଥିଲା ।

କୁହାଯାଉଛି ଏହି ବିମାନଟି କେନ୍ଦ୍ର ସରକାରଙ୍କ ଏକ ସର୍ଭେରେ ମୁତୟନ ହୋଇଥିଲା ଏବଂ ଏହାକୁ କ୍ୟାପଟେନ୍ ଅବିନାଶ ଶର୍ମା ଉଡ଼ାଉଥିଲେ । ବିମାନରେ ସମୀ ଓ ରାଜ ଥିଲେ । ତିନିଜଣ ଯାକ ଆହତ ହୋଇଛନ୍ତି । ସୂତ୍ର ଅନୁସାରେ, ବିମାନଟ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଜମିରେ ଖସି ପଡ଼ିଥିଲା ।

ଭଡ଼ାଟିଆଙ୍କୁ ଆକ୍ରମଣ ମାମଲା; ହାଇକୋର୍ଟ ଗଲେ ବିଜେପି ନେତ୍ରୀ ଉପାସନା

ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ଭଡ଼ାଟିଆଙ୍କୁ ଆକ୍ରମଣ ମାମଲାରେ ଛଦି ହୋଇଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର । ସେପଟେ ପୋଲିସ ଉପାସନଙ୍କୁ ଖୋଜୁଥିବାବେଳେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉପାସନା ମହାପାତ୍ର । ଉପାସନାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ମଧ୍ୟ ହାଇକୋର୍ଟ ଯାଇଥିବା ଜଣାପଡିଛି । ଭଡ଼ାଟିଆଙ୍କୁ ଆକ୍ରମଣ ନେଇ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିଲା ମାମଲା ।

ଭୁବନେଶ୍ୱର ନୟାପଲ୍ଲୀରେ ଭଡ଼ାଟିଆଙ୍କ ଘରେ ପଶି ବିଜେପି ନେତ୍ରୀ ଓ କିଛି ନେତା ଭଙ୍ଗାରୁଜା କରିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଉପାସନାଙ୍କ ସମେତ ବିଜେପି ନେତା ଶାରଦା ପ୍ରଧାନ ମଧ୍ୟ ସଂଶ୍ଲିଷ୍ଟ ରହିଥିଲେ । ସେପଟେ ଉପାସନା ମହାପାତ୍ରଙ୍କୁ ଧରିବାକୁ ରାଜ୍ୟ ବାହାରେ କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲା ୩ଟି ଟିମ୍ ।

Filmfare Awards-2021: ତାନାଜୀ-ଥାପ୍ପଡ଼ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ୬୬ତମ ଫିଲ୍ମ ଫେୟାର ଆୱାର୍ଡ ନାମାଙ୍କିତ ତାଲିକା ପ୍ରକାଶ ପାଇଛି । ଗତବର୍ଷ କରୋନା ମହାମାରୀ ପାଇଁ କେତେକ ଚଳଚ୍ଚିତ୍ର ରିଲିଜ୍ ବନ୍ଦ ହୋଇ ଯାଇଥିଲା । ତେବେ ନିର୍ଦ୍ଦେଶକ ଓ ଅଭିନେତା ଚଳଚ୍ଚିତ୍ରକୁ ଓଟିଟି ମାଧ୍ୟମରେ ପ୍ରସାରିତ କରିଥିଲେ । ନେଟଫ୍ଲିକ୍ସ, ଆମାଜନ ପ୍ରାଇମରେ ବଡ଼ ବଡ଼ ତାରକାଙ୍କ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଆସନ୍ତୁ ଚଳିତଥର ଫିଲ୍ମ ଫେୟାର ଆୱାର୍ଡରେ କାହାକୁ କେଉଁ ପୁରସ୍କାର ମିଳିବ ।

ଗତବର୍ଷ ଜାନୁଆରୀ ୧୦ ତାରିଖରେ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ-ଦ ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ ଅଭିନେତା, ଟେକ୍ନିକାଲ ଆୱାର୍ଡ, ଶ୍ରେଷ୍ଠ କୋରିଓଗ୍ରାଫି, ଶ୍ରେଷ୍ଠ ସିନେମୋଟୋଗ୍ରାଫି, ଶ୍ରଷ୍ଠ ଆକ୍ସନ ସହ ଅନ୍ୟ ବର୍ଗରେ ଚୟନ ହୋଇଛି । ସେହିଭଳି ଶ୍ରେଷ୍ଠ ଅଭିନେତା ବର୍ଗରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ଦିଲ୍ ବେଚାରା ଫିଲ୍ମ ଲାଗି ନାମାଙ୍କିତ ହୋଇଛି । ଅନ୍ୟପଟେ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ଥାପ୍ପଡ଼ ମଧ୍ୟ ସମସ୍ତ ବର୍ଗରେ ସ୍ଥାନ ଅକ୍ତିଆର କରିଛି । ପଙ୍ଗା ପାଇଁ କଙ୍ଗନା ରଣାୱତଙ୍କୁ ବେଷ୍ଟ ଆକ୍ଟର ବର୍ଗରେ ଚୟନ କରାଯାଇଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର

ଗୁଲାବୋ ସିତାବୋ

ଗୁଞ୍ଜନ ସକ୍ସେନା- ଦ କାର୍ଗିଲ୍ ଗାର୍ଲ

ଲୁଡୋ

ତାନାଜୀ- ଦ ଅନସଙ୍ଗ ୱାରିୟର

ଥାପ୍ପଡ଼

ଶ୍ରେଷ୍ଠ ନିର୍ଦ୍ଦେଶକ

ଅନୁରାଗ ବସୁ (ଲୁଡୋ)

ଅନୁଭବ ସିହ୍ନା (ଥାପ୍ପଡ଼)

ଓମ୍ ରାଉତ (ତାନାଜୀ- ଦ ଅନସଙ୍ଗ ୱାରିୟର)

ଶରଣ ଶର୍ମା (ଗୁଞ୍ଜନ ସକ୍ସେନା- ଦ କାର୍ଗିଲ୍ ଗାର୍ଲ)

ସୁଜିତ ସରକାର (ଗୁଲାବୋ ସିତାବୋ)

ଶ୍ରେଷ୍ଠ ଅଭିନେତା

ଅଜୟ ଦେବଗନ (ତାନାଜୀ)

ଅମିତାଭ ବଚ୍ଚନ (ଗୁଲାବୋ ସିତାବୋ)

ଆୟୁଷ୍ମାନ ଖୁରାନା (ଶୁଭ ମଙ୍ଗଳ ଜ୍ୟାଦା ସାବଧାନ)

ଇରଫାନ ଖାନ (ଅଙ୍ଗ୍ରେଜି ମିଡିୟମ୍)

ରାଜକୁମାର ରାଓ (ଲୁଡୋ)

ସୁଶାନ୍ତ ସିଂହ ରାଜପୁତ (ଦିଲ୍ ବେଚାରା)

ଶ୍ରେଷ୍ଠ ଅଭିନେତ୍ରୀ

ଦୀପିକା ପାଦୁକୋନ (ଛପ୍ପାକ)

ଜାହ୍ନବୀ କପୁର (ଗୁଞ୍ଜନ ସକ୍ସେନା- ଦ କାର୍ଗିଲ୍ ଗାର୍ଲ)

କଙ୍ଗନା ରଣାୱତ (ପଙ୍ଗା)

ତାପସୀ ପନ୍ନୁ (ଥାପ୍ପଡ଼)

ବିଦ୍ୟା ବାଲାନ (ଶକୁନ୍ତଳା ଦେବୀ)

ଭାରତକୁ ଖରା ବିପଦ, ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ଏଯାଏଁ ମୁକ୍ତି ମିଳିନି । ସେପଟେ ମାଡ଼ି ଆସୁଛି ଏକ ବିପଦ । ଚଳିତବର୍ଷ ଖରା ସାଜିପାରେ ଜୀବନ ଘାତକ । ଗବେଷଣାରୁ ବୈଜ୍ଞାନିକ ପାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଭୟାନକ ଗରମ ହେବ । ଦକ୍ଷିଣ ଏସିଆ ଦେଶ ଗୁଡ଼ିକରେ ଜୀବନନାଶକ ଲୁର ପ୍ରକୋପ ଦେଖା ଦେବ । ଆମେରିକା ସ୍ଥିତ ଓକ୍ ରିଜ୍ ନ୍ୟାସନାଲ ଲ୍ୟାବରେଟୋରୀ ସହିତ ବିଭିନ୍ନ ସଂସ୍ଥାର ବୈଜ୍ଞାନିକ କରିଥିବା ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି । ଏପରିକି ଭାରତରେ ଖାଦ୍ୟ ସାମଗ୍ରୀ ଅମଳ କରୁଥିବା ବଡ଼ ଅଞ୍ଚଳ ଉପରେ ଏହାର ପ୍ରଭାବ ପଡ଼ିବ । ଅତ୍ୟଧିକ ଗରମ ଯୋଗୁଁ କାମ କରିବାରେ ଅସୁବିଧା ହେବ ।

ଗବେଷଣାରୁ ଜଣାପଡ଼ିଛି- ଅତ୍ୟଧିକ ଗରମ ଯୋଗୁଁ ବେଶି ପ୍ରଭାବିତ ହେବ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ । ୟୁପି ଓ ପଶ୍ଚିମବଙ୍ଗ ସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କୋଲକାତା, ମୁମ୍ବାଇ ଏବଂ ହାଇଦ୍ରାବାଦ ଭଳି ସହରରେ ତାତି ଅଧିକ ରହିବ । ଏସବୁ ସ୍ଥାନରେ ଗରମ ଯୋଗୁଁ କାମ କରିବା ବେଳେ ଅସୁବିଧା ସୃଷ୍ଟି ହେବ ।

 Deadly Heat Waves In India Scientists Warn In Spite Of Climate Goals

ଦାବି କରାଯାଇଛି- ଦକ୍ଷିଣ ଏସିଆର ଦେଶ ଗୁଡ଼ିକ ପ୍ରତି ସବୁବର୍ଷ ସଂକଟ ବଢ଼ିବାରେ ଲାଗିଛି । ବଡ଼ ବିପଦରୁ ବର୍ତ୍ତିବା ଲାଗି ତାପମାତ୍ରା ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରିବାକୁ ଜୋର ଦେଇଛନ୍ତି ବିଶେଷଜ୍ଞ । ତାପମାତ୍ରା ନିୟନ୍ତ୍ରଣ ନହେବା ଯାଏ ଏଭଳି ବିପଦରୁ ରକ୍ଷା ପାଇହେବ ନାହିଁ ।

ଏବେର ତାପମାତ୍ରା ଠାରୁ ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଉକ୍ତ ଅଞ୍ଚଳ ଗୁଡ଼ିକ ଉପରେ ଗମ୍ଭୀର ପ୍ରଭାବ ପକାଇବ । ଏଥିପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତକୁ କମାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ହେଲେ ଜୀବନଘାତକ ଲୁ ପ୍ରବାହିତ ହେବ ।

ମାର୍ଚ୍ଚ ୩୦ରେ ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ରପ୍ରତାପ ମହାରଥୀ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ବିଜେଡି ପକ୍ଷରୁ ଏହି ଘୋଷଣା କରାଯାଇଛି । ରୁଦ୍ରଙ୍କ ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଏକ ବୈଠକ ବସିଥିଲା । ଭୁବନେଶ୍ବରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବାସଭବନରେ ବସିଥିବା ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପିପିଲି ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଧ୍ରୁଵ ସାହୁ, ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

ବୈଠକରେ ନିର୍ବାଚନୀ ରଣନୀତି ନେଇ ଆଲୋଚନା ହୋଇଛି । ପିପିଲି ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତ ପାଇଁ କମିଟି ଗଠନ କରିଛି ବିଜେଡି । ରୁଦ୍ର ମହାରଥୀଙ୍କୁ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବା ନେଇ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ପ୍ରତିକ୍ରିୟା ଦେଇଛନ୍ତି । ରୁଦ୍ରଙ୍କ ପ୍ରାର୍ଥିତ୍ବ ନେଇ ମହାରଥୀ ପରିବାରରେ କୌଣସି ଦ୍ବିମତ ନାହିଁ । ଏହା କେବଳ ଗଣମାଧ୍ୟମର ସୃଷ୍ଟି ବୋଲି ପ୍ରତାପ ଦେବ କହିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ମହାରଥୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲେ ।

ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିପୁଳ ଭୋଟ୍‌ ବ୍ୟବଧାନରେ ପିପିଲି ଉପନିର୍ବାଚନ ଜିତିବେ ବୋଲି ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ, ଲୋକପ୍ରିୟତା ଓ ଲୋକାଭିମୁଖୀ କାମ ରୁଦ୍ରଙ୍କୁ ବହୁ ଭୋଟ୍ ବ୍ୟବଧାନରେ ଜିତାଇବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ତା’ପରେ ବିଜେଡି ଗଠନ ପରେ ପିପିଲିରେ ଦଳର ପ୍ରଭାବ ରହିଆସିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଏମ୍ସ ରେଫର୍

ନୂଆଦିଲ୍ଲୀ: ସ୍ଥିର ରହିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା । ଏଥିସହ ରାଷ୍ଟ୍ରପତିଙ୍କୁ ଅଧିକ ଚିକିତ୍ସା ଲାଗି ଏମ୍ସ ରେଫର୍ କରାଯାଇଛି । ସେନାର ରିସର୍ଚ୍ଚ ଓ ରେଫରାଲ୍ ହସ୍ପିଟାଲ ଶନିବାର ଏନେଇ ସୂଚନା ଦେଇଛି । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ସେନାର ରିସର୍ଚ୍ଚ ଓ ରେଫରାଲ୍ ହସ୍ପିଟାଲ ନିଆଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଡାକ୍ତର ହାର୍ଟର ବାଇପାସ୍ ସର୍ଜରୀ ଲାଗି ପରାମର୍ଶ ଦେଇଛନ୍ତି । ଆସନ୍ତା ୩୦ରେ ସର୍ଜରୀ ହୋଇପାରେ ।

ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି- ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଧିକ ଯାଞ୍ଚ ପାଇଁ ଏମ୍ସ ରେଫର କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା- ରାଷ୍ଟ୍ରପତିଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେଡିକାଲ ଯାଇ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ନେଇଥିଲେ ।

ବିଜେପି ନେତାଙ୍କ ଦାବି, ଫୋନ୍ କରି ନନ୍ଦିଗ୍ରାମରେ ସାହାଯ୍ୟ ମାଗୁଛନ୍ତି ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଉତ୍ସାହର ସହ ପଶ୍ଚିମବଙ୍ଗର ଭୋଟର ମତଦାନ କରୁଛନ୍ତି । ଆଉ ଏହାରି ଭିତରେ ନନ୍ଦିଗ୍ରାମର ବିଜେପି ନେତା ପ୍ରଳୟ ପାଲ ଏକ ବଡ଼ ଦାବି କରିଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜେ ଫୋନ୍ କରି ଟିଏମସିକୁ ଜିତାଇବା ଲାଗି ସାହାଯ୍ୟ ମାଗୁଥିବା ବିଜେପି ନେତା ପ୍ରଳୟ ଅଭିଯୋଗ କରିଛନ୍ତି ।

ବିଜେପି ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ପ୍ରଳୟଙ୍କ ଦାବି ଅନୁସାରେ, ଶନିବାର ସକାଳେ ମମତା ବାନାର୍ଜୀ ଫୋନ୍ କରି ନନ୍ଦିଗ୍ରାମରେ ଟିଏମସକୁ ସାହାଯ୍ୟ କରିବାକୁ କହିଥିଲେ । ତେବେ, ଟିଏମସି ଅଭିଯୋଗକୁ ଅସ୍ୱୀକାର କରିବା ଅଡିଓରେ ଶୁଣା ଯାଉଥିବା ସ୍ୱର ଭେରିଫାଏଡ୍ ନୁହେଁ ବୋଲି କହିଛି । ତେବେ, ବିଜେପି ପକ୍ଷରୁ ଜାରି ଏହି ଅଡିଓ ଓ ଭିଡିଓରେ କୌଣସି ସତ୍ୟତା ନନ୍ଦିଘୋଷ ଟିଭି ଦାବି କରୁନାହିଁ ।

ପ୍ରଳୟଙ୍କ ଅନୁସାରେ, ମମତା ଚାହୁଁଛନ୍ତି ମୁଁ ତାଙ୍କ ପାଇଁ କାମ କରେ ଏବଂ ଟିଏମସିକୁ ପୁଣି ଫେରି ଆସେ । କିନ୍ତୁ ମୁଁ ଦୀର୍ଘ ଦିନ ଧରି ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପରିବାର ସହ ଜଡ଼ିତ । ମୁଁ ଏବେ ବିଜେପି ପାଇଁ କାମ କରୁଛି । ବାମଦଳର ମାକପାଙ୍କ ଶାସନ ବେଳେ ଅଧିକାରୀ ପରିବାର ନନ୍ଦିଗ୍ରାମରେ ଜନତାଙ୍କ ସହ ଛିଡ଼ା ହୋଇଥିଲା । ମୁଁ କେବେ ଅଧିକାରୀ ପରିବାର ବିରୋଧରେ ଯାଇନାହିଁ କି ଏଥିପାଇଁ ସାହାସ କରିବି ନାହିଁ ବୋଲି ସେ କହିଛନ୍ତି ।

BJP Releases Audio Tape Of West Bengal CM Mamata Asking BJP leader To Help Her Party In Nandigram

ନନ୍ଦିଗ୍ରାମରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହାଇପ୍ରୋଫାଇଲ୍ ଆସନ ନନ୍ଦିଗ୍ରାମକୁ ନେଇ ବିଜେପିର ଏଭଳି ଅଡିଓ ପଶ୍ଚିମବଙ୍ଗର ଉଷ୍ଣ ରାଜନୀତିକୁ ଆହୁରି ତତେଇ ଦେଇଛି । ତେବେ, ଏହି ଅଡିଓର ସତ୍ୟତା ନେଇ ନନ୍ଦିଘୋଷ ଟିଭି କୌଣସି ଦାବି କରୁନାହିଁ । ଏହି ଅଡିଓ ବିଜେପି ପକ୍ଷରୁ ଜାରି କରାଯାଇଛି ।

ଏପ୍ରିଲ ୪ରୁ ବର୍ଦ୍ଧିତ ବିଦ୍ୟୁତ ଦର; ଜାଣନ୍ତୁ ଥିଲା କେତେ, ହେଲା କେତେ ?

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ଘଟିଲା ବିଦ୍ୟୁତ ଦର ।  ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ କଲେ OERC । ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ବଢିଲା ୟୁନିଟ ପିଛା ବିଦ୍ୟୁତ ଦର । ସର୍ବନିମ୍ନ ୩୦ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି । ସେପଟେ ଏପ୍ରିଲ ୪ରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁହେବା ନେଇ ମଧ୍ୟ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ସେପଟେ ପ୍ରିପେଡ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ରହିବ । ବଢିଥିବା ନୂଆ ବିଲରୁ ବାଦ ପଡିବେ କୃଷି ଏବଂ ବିପିଏଲ ପରିସରଭୁକ୍ତ ଲୋକେ । ଅର୍ଥାତ କୃଷି ଏବଂ ବିପିଏଲ ଶ୍ରେଣୀ ପରିସରଭୁକ୍ତ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବନାହିଁ । ବିତରଣ ତାରିଫରେ ୩ ପଇସା ବୃଦ୍ଧି କରାଯାଇଛି । ୨୫ ପଇସାରୁ ୨୮ ପଇସା ହୋଇଛି ବିତରଣ ତାରିଫ ଦର । ନୂଆ ବୃଦ୍ଧି ନେଇ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ସୂଚନା ମୁତାବକ ପୂର୍ବରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ରହିଥିଲା ୨ଟଙ୍କା ୭୦ ପଇସା । ନୂଆ ଦର ଲାଗୁ ପରେ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ହେବ ୩ ଟଙ୍କା ହେବ । ସେହିପରି ୨୦୦ ୟୁନିଟ ପର୍ଯ୍ୟନ୍ତ ୪ଟଙ୍କା ୫୦ ପଇସା ଥିଲାବେଳେ ଏହା ବୃଦ୍ଧି ଘଟି ୪.୮୦ ହେବ । ବର୍ତ୍ତମାନ ୨୦୧-୪୦୦ ୟୁନିଟ ପିଛା ଦର ରହିଛି ୫.୫୦ ପଇସା ଏବଂ ନୂଆ ଦର ଲାଗୁହେଲେ ୫.୮୦ ପଇସା ହେବ । ସେହିପରି ୪୦୦ ୟୁନିଟରୁ ଅଧିକ ୟୁନିଟ ପିଛା ଦର ୫.୯୦ ପଇସା ରହିଥିବା ବେଳେ ବର୍ଦ୍ଧିତ ଦର ଅନୁଯାୟୀ ଏହା ୬.୨୦ ପଇସା ହେବ ବୋଲି ସୂଚନା ଦେଇଛି OERC ।