spot_img
Home Blog Page 5695

ରେମଡେସିଭିର ଇଞ୍ଜେକସନ୍ ଅସଲି କି ନକଲି, କେମିତି ଜାଣିବେ…

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ବେଡ୍, ଅକ୍ସିଜେନ୍ ଓ ଔଷଧ ଆଦିର ସଙ୍କଟ ଦେଖାଦେଇଛି । ଯାହା ଫଳରେ ଆଣ୍ଟିବାଏରାଲ୍ ମେଡିସିନ ରେମଡେସିଭିର ଚାହିଦା ବଢିବାରେ ଲାଗିଛି। ଅଧିକାଂଶ ରାଜ୍ୟରେ ସହଜରେ ଏହି ଇଞ୍ଜେକସନ୍ ମିଳୁନଥିବା ବେଳେ ଲୋକ ଏହାକୁ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। କେହିକେହି ଏହାକୁ ୨୦ ହଜାରରୁ ୪୦ ହଜାର ଟଙ୍କା ମୂଲ୍ୟରେ କିଣିବାକୁ ପଛାଉ ନାହାଁନ୍ତି ।

ଏଭଳି ସମୟରେ ବଜାରରେ ନକଲି ରେମଡେସିଭିର ମିଳୁଥିବା ନେଇ ଚର୍ଚ୍ଚା ହେଉଛି । କରୋନା ସମୟରେ ଲୋକ ନିଜ ନିଜ ସମ୍ପର୍କୀୟଙ୍କୁ ହରାଇ ଭାଙ୍ଗି ପଡୁଥିବା ବେଳେ କିଛି ଖଳ ପ୍ରକୃତି ଲୋକ ଫାଇଦା ଉଠାଇବାକୁ ପଛାଉ ନାହାଁନ୍ତି । ଲୋକମାନେ ବାଧ୍ୟ ବଶତଃ ଅଧିକ ଦରରେ ଏହାକୁ କିଣୁଥିବା ବେଳେ ନକଲି ରେମଡେସିଭିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦିଲ୍ଲୀର ଏନସିଆର୍ ଅଞ୍ଚଳରୁ ନକଲି ରେମଡେସିଭିର ତିଆରି ଓ ବିକ୍ରି ମାମଲା ନଜରକୁ ଆସିଛି। ଏଭଳି ସ୍ଥଳେ କିପରି ଜାଣିବେ ରେମଡେସିଭିର ନକଲି ନା ଅସଲି…

ରେମଡେସିଭିରର ପ୍ୟାକେଟ୍ ଉପରେ କିଛି ଲେଖାକୁ ପଢି ଆପଣ ତାହାକୁ ଅସଲି କି ନକଲି ବୋଲି ଜାଣିପାରିବେ। ୧୦୦ ମିଲିଗ୍ରାମର ଇଞ୍ଜେକସନ୍ ପାଉଡର ରୂପରେ ଶିଶି ବୋତଲରେ ରହିଥାଏ । ଇଞ୍ଜେକସନର ସବୁ ଶିଶି ଉପରେ Rxremdesivir ଲେଖା ହୋଇଥାଏ । ଏମତିକି ଇଞ୍ଜେକସନ ବକ୍ସ ପଛରେ ଗୋଟିଏ ବାର୍ କୋଡ୍ ରହିଥାଏ । ଏସମ୍ପର୍କରେ ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚର ଡିସିପି ମୋନିକା ଭରଦ୍ୱାଜ୍ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏଥିସହିତ କିପରି ଅସଲି ଓ ନକଲି ମଧ୍ୟରେ ଫରକ ଜାଣିବେ ସେନେଇ ସେ ସମ୍ୟକ୍ ସୂଚନା ଦେଇଛନ୍ତି । ଅସଲି ରେମଡେସିଭିର ପ୍ୟାକେଟ୍ ଉପରେ ଇଂରାଜୀରେ For use in ଲେଖାଯାଇଥାଏ । ଯେତେବେଳେକି ନକଲିରେ for use in.. ଲେଖା ବଡ଼ ଅକ୍ଷରରେ ଲେଖା ଆରମ୍ଭ ହୋଇନଥାଏ । ଅସଲି ପ୍ୟାକେଟରେ ଚେତାବନୀ ଗୁଡିକ ଲାଲ୍ ରଙ୍ଗରେ ଲେଖା ହୋଇଥିବା ବେଳେ ନକଲିରେ କଳା ରଙ୍ଗରେ ଲେଖା ହୋଇଥାଏ ।

କରୋନା ମହାମାରୀ ସମୟରେ ରେମଡେସିଭିର ଇଞ୍ଜେକସନର କଳାବଜାରୀ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୩ ଅଭିଯୁକ୍ତଙ୍କ ଗିରଫ କରାଯାଇଛି । ଯେଉଁମାନେ ରେମଡେସିଭିର ଇଞ୍ଜେକସନକୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । କ୍ରାଇମ୍ ବ୍ରାଞ୍ଚ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ରେମଡେସିଭିରର ୩ଟି ଇଞ୍ଜେକସନ୍, ୧୦୦ ଅକ୍ସିମିଟର ଓ ୪୮ଟି ଛାେଟ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଜବତ କରାଯାଇଛି ।

ଅଧିକ ପଢନ୍ତୁ- ୧୭ ନକଲି ରେମଡେସିଭିର ଇଞ୍ଜେକ୍ସନ ଜବତ, ୨ ଗିରଫ

‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲକେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏକାଦଶ ଦାଦା ସାହେବ ଫାଲ୍‍କେ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅବସରରେ ଜୁରୀ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିସ୍‍ର ୧୨ଜଣ ଛାତ୍ରଙ୍କୁ ନେଇ ଗଠିତ କିସ୍‍ ରଗ୍‍ବୀ ଦଳ ୨୦୦୭ରେ ଇଂଲଣ୍ଡରେ ଯେଭଳି ୧୪ବର୍ଷରୁ କମ୍‍ ଆନ୍ତର୍ଜାତୀୟ ରଗ୍‍ବୀ ଚାମ୍ପିଅନ୍‍ ହେଲେ ତା ଉପରେ ଏକ ନିଛକ ପ୍ରେରଣାଦାୟୀ ସତ୍ୟ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ଜଙ୍ଗଲ କ୍ରାଏ’ ।

୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା କିସ୍‍ ଅନୁଷ୍ଠାନ ଶିକ୍ଷା, କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତ ଦେଖାଇ ଆସିଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । କିସରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କିସରେ କ୍ରୀଡ଼ା ସହିତ ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ୨୦୦୫ ମସିହାରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ୍ ସାମନ୍ତ କିସରେ ରଗବୀକୁ ସୁଯୋଗ ଦେଇଥିଲେ । ୨୦୦୭ରେ କିସ୍‍ର ୧୨ ଛାତ୍ରଙ୍କୁ ନେଇ ଗଠିତ ଭାରତୀୟ ୧୪ବର୍ଷରୁ କମ୍‍ ରଗ୍‍ବୀ ଦଳ ଆନ୍ତର୍ଜାତିକ ରଗ୍‍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଏକ ଚ୍ୟାଲେଞ୍ଜ ନେଇ ଏହି ରଗ୍‍ବୀ ଦଳକୁ ଲଂଲଣ୍ଡ ପଠାଇଥିଲେ । ଲଂଲଣ୍ଡରେ କିସ୍‍ ରଗ୍‍ବୀ ଦଳ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍‍ ହୋଇଥିଲା । ଏହା ଥିଲା କିସ୍‍ ରଗ୍‍ବୀ ସଫଳତାର ପ୍ରଥମ ସୋପାନ । ସେଦିନର ଶ୍ରୀ ସାମନ୍ତଙ୍କ ସେହି ଦୂରଦୃଷ୍ଟିକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି ।

ମୋଟାମୋଟି ଉପରେ ସୁଯୋଗ ମିଳିଲେ କୌଣସି କାର୍ଯ୍ୟ ଅସାଧ୍ୟ ରହିଯିବ ନାହିଁ ଏବଂ କ୍ରୀଡ଼ା ଓ ଶିକ୍ଷା ଜରିଆରେ ଦାରିଦ୍ର‌୍ୟ ଦୂରୀକରଣ ସହ ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ବ୍ରତୀ କରିଥାଏ ବୋଲି ‘ଜଙ୍ଗଲ କ୍ରାଏ’ ଚଳଚ୍ଚିତ୍ର ପ୍ରମାଣ କରିଥାଏ । ଯାହା କିସ୍‍ ଜରିଆରେ ହିଁ ସମ୍ଭବ ହୋଇପାରୁଛି ବୋଲି ପ୍ରଯୋଜକ ପ୍ରଶାନ୍ତ ସାହ ଓ ନିର୍ଦ୍ଦେଶକ ସାଗର ବାଲାରି ଅନୁଭବ କରିଥିଲେ । ଜଙ୍ଗଲ କ୍ରାଏର ସଫଳତାରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଯୋଜକ ପ୍ରଶାନ୍ତ ସାହ ଓ ନିର୍ଦ୍ଦେଶକ ସାଗର ବାଲାରିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ସେମାନେ କିସ୍‍ର ସ୍ୱପ୍ନକୁ ସାକାର କରି ଏହା ଉପରେ ଏକ ଚଳଚ୍ଚିତ୍ର ନର୍ମାଣ କରିପାରିଛନ୍ତି । ଏହା ସହିତ ଚଳଚ୍ଚିତ୍ର ଚୟନକାରୀଙ୍କୁ ମଧ୍ୟ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇ କହିଛନ୍ତି ୨୦୦୭ରେ ଇଂଲଣ୍ଡରେ କିସ୍‍ ରଗ୍‍ବୀ ଦଳ ଯେଭଳି ସମସ୍ତ ଭୌଗୋଳିକ, ସାଂସ୍କୃତିକ ଓ କୌଶଳଗତ ବାଧାବିଘ୍ନକୁ ସାହସର ସହ ଅତିକ୍ରମ କରି ବିଶ୍ୱ ଚାମ୍ପିଅନ୍‍ ହେବା ସହ ଜନଜାତି ପିଲାମାନେ ଯେଭଳି ନାଁ କମେଇଥିଲେ ତାହା ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଯୋଗୀଙ୍କ ଦାବିକୁ ପ୍ରଶ୍ନ କରୁଛନ୍ତି ଦଳର ବିଧାୟକ ଏବଂ ସାଂସଦ

ଲକ୍ଷ୍ନୌ: ରାଜ୍ୟରେ ଅମ୍ଲଜାନର ଅଭାବ ନାହିଁ । ଔଷଧ ଯଥେଷ୍ଟ ଅଛି । ମୋଟାମୋଟି ଭାବେ ସବୁ ଠିକ୍ ଅଛି । ଏମିତି ଦାବି କରୁଛନ୍ତି ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କିନ୍ତୁ ସତ ଆଉ କିଛି । ସତ ହେଲା ସତ ସହ ସାମ୍ନାସାମ୍ନି ହେବାକୁ ଡରୁଛନ୍ତି ଯୋଗୀ । ଯୋଗୀରାଜରେ ଏବେ କରୋନା ରାଜ୍ ଚାଲିଛି କହିଲେ ଭୂଲ୍ ହେବନି । ରାମ ରାଜ୍ୟ ବଦଳରେ ଏବେ ସେଠାରେ ଚାଲିଛି ଯମଙ୍କ ରାଜ୍ । ମୁଖ୍ୟମନ୍ତ୍ରୀ ଯୋଗୀ ଯେତେ ଯାହା କହିଲେ ବି ସତ ସାମ୍ନାକୁ ଆସୁଛି । ଆଉ ଯୋଗୀଙ୍କ ମୁଖା ଖୋଲୁଛନ୍ତି ତାଙ୍କରି ବିଧାୟକ ଓ ସାଂସଦ ।

BJP MLA, MP Questioning On Up CM Yogi Adityanath Corona Management

ଯୋଗୀ ସରକାରଙ୍କ କରୋନା ମୁକାବିଲା ରଣନୀତିକୁ ନେଇ ଖୋଦ ତାଙ୍କର ଦଳର ସାଂସଦ ଓ ବିଧାୟକ ଖୁସି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଲେଖୁଥିବା ପତ୍ରରୁ ଏହା ଜଣା ପଡୁଛି । ସବୁଠୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଉଥିବା ଚିଠି ସବୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ ହେଉଛି । ଅର୍ଥାତ ନିଜ ଅସନ୍ତୋଷକୁ ଜାହିର୍ କରିବା ପାଇଁ ବିଜେପି ନେତା ଚିଠି ଖାଲି ଇଣ୍ଡିଆ ପୋଷ୍ଟରେ ପୋଷ୍ଟ୍ କରୁନାହାନ୍ତି, ସେମାନେ ମଧ୍ୟ ଚାପ ପ୍ରୟୋଗ ପାଇଁ ସୋସିଆଲ ମିଡିଆରେ ଏହାକୁ ଜାଣିଶୁଣି ପୋଷ୍ଟ କରୁଛନ୍ତି । କିନ୍ତୁ ଯୋଗୀ ତ’ ଯୋଗୀ । ସେ କହୁଛନ୍ତି.. କିଛି ହେଇନି.. ଉତ୍ତର ପ୍ରଦେଶର ସବୁ ଠିକ୍ ଅଛି । ମାନେ ଯୋଗୀଙ୍କ ଉତ୍ତର ପ୍ରଦେଶ ଉତ୍ତମ ପ୍ରଦେଶ ।

BJP MLA, MP Questioning On Up CM Yogi Adityanath Corona Management

ବିଜେପିର ଗୋଲା ବିଧାୟକଙ୍କ ପତ୍ରକୁ ନିଅନ୍ତୁ । ବିଧାୟକ ଅରବିନ୍ଦ ଗିରି ଲକ୍ଷ୍ମୀପୁର ଖିରିର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ, ତାଙ୍କର ୨୪ ଜଣ ସମର୍ଥକଙ୍କର ଅମ୍ଲଜାନ ଅଭାବରୁ ମୃତ୍ୟୁ ହୋଇଛି । ସମର୍ଥକଙ୍କ ବ୍ୟତୀତ ଆହୁରି ୧୦୦ରୁ ଅଧିକ ଅମ୍ଲଜାନ ଅଭାବରୁ ପ୍ରାଣ ହରାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧାସଳଖ ଆରୋପ ନଲଗାଇ ସେ କହୁଛନ୍ତି ମୁଖ୍ୟମନ୍ତ୍ରୀ ବହୁତ କିଛି କରୁଛନ୍ତି କିନ୍ତୁ ପ୍ରଶାସନ କିଛି କରୁନି । ଏବେ ପ୍ରଶ୍ନ ଉଠୁଛି ପ୍ରଶାସନ ଯଦି ଅକର୍ମା ତେବେ ଦାୟୀ ହେବେ କିଏ ?

BJP MLA, MP Questioning On Up CM Yogi Adityanath Corona Management

ଯୋଗୀ ସରକାରରେ ମନ୍ତ୍ରୀ ଥିବା ବୃଜେଶ ପାଠକ ମଧ୍ୟ ଏମିତି ଅଭିଯୋଗ ଆଣିଛନ୍ତି । ଲକ୍ଷ୍ନୌ ପ୍ରଶାସନ ନିକମା ବୋଲି  ଅଭିଯୋଗ କରି ସେ ପତ୍ର ଲେଖିଥିଲେ । ଲକ୍ଷ୍ନୌରେ କେମିତି ବେଡ୍, ଅମ୍ଲଜାନର ଅଭାବ ଅଛି ସେ କଥା ସେ ଉଠାଇଥିଲେ । କିନ୍ତୁ ଲାଗୁଛି ଯୋଗୀ ତାଙ୍କ ମନ୍ତ୍ରୀ ମଣ୍ଡଳର ସହଯୋଗୀଙ୍କଠାରୁ ମଧ୍ୟ ବହୁଦୂରରେ । କାରଣ ଯୋଗୀଙ୍କ ହିସାବରେ ଉତ୍ତର ପ୍ରଦେଶରେ ସବୁ ଠିକ୍ ଅଛି ।

BJP MLA, MP Questioning On Up CM Yogi Adityanath Corona Management

ମୋହନଲାଲଗଞ୍ଜର ବିଜେପି ସାଂସଦ କୌଶଲ କିଶୋର ମଧ୍ୟ ଅମ୍ଲଜାନ ଅଭାବକୁ ନେଇ ପତ୍ର ଲେଖିଛନ୍ତି । ସେହିଭଳି ମିରଟ ସାଂସଦ ରାଜେନ୍ଦ୍ର ଅଗ୍ରୱାଲ, ଭଦୋହି ବିଧାୟକ ଦିନାନାଥ ଭାସ୍କର ମଧ୍ୟ ପତ୍ର ଲେଖି ପ୍ରଶାସନ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

କରୋନାରେ ଅଭିନେତା ବିକ୍ରମଜିତ୍ କନୱାରପାଲଙ୍କର ମୃତ୍ୟୁ

ମୁମ୍ବାଇ: ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଏବେ ୪ ଲକ୍ଷ ପାର୍ କରିଛି। କରୋନାର ଯୋଗୁ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି। ଗତ 24 ଘଣ୍ଟାରେ ଦେଶରେ ୩ ହଜାର ୫୨୩ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି। ଏହାରି ଭିତରେ ସିନେମା ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି। ବଲିଉଡ ଓ ଟେଲିଭିଜନର ଲୋକପ୍ରିୟ ଅଭିନେତା ତଥା ଅବସରପ୍ରାପ୍ତ ସେନାଅଧିକାରୀ ବିକ୍ରମଜିତ୍ କନୱାରପାଲଙ୍କର 52ବର୍ଷରେ କରୋନା ଯୋଗୁ ମୃତ୍ୟୁ ହୋଇଛି। ଗତ କିଛ ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।

ବିକ୍ରମଜିତ୍ ଅନେକ ଟିଭି ସିରିଏଲ ଏବଂ ହିଟ୍ ଫିଲ୍ମରେ ସପୋର୍ଟିଂ ରୋଲରେ କାମ କରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି।

https://twitter.com/ashokepandit/status/1388328529318666247?s=20

ଅଶୋକ ପଣ୍ଡିତ ତାଙ୍କ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି, ‘କୋଭିଡ କାରଣରୁ ମେଜର ବିକ୍ରମଜିତ୍ କନୱାରପାଲଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ତାଙ୍କ ପରିବାର ପ୍ରତି ମୋର ସମବେଦନା ଓମ୍ ଶାନ୍ତି। ‘

ବିକ୍ରମଜିତ୍ କନୱାରପାଲଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଅନେକ ଟେଲିଭିଜନ ଏବଂ ବଲିଉଡ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।

ବିକ୍ରମଜିତ୍ କନୱାରପାଲ ହିମାଚଳ ପ୍ରଦେଶର ଜଣେ ସେନା ଅଧିକାରୀଙ୍କ ଘରେ ଜନ୍ମ ହୋଇଥିଲେ। ଭାରତୀୟ ସେନାବାହିନୀରୁ ଅବସର ନେବା ପରେ ବିକ୍ରମଜିତ୍ 2003ରେ ଅଭିନୟ କରିବା ଆରମ୍ଭ କରିଥିଲେ। ସେ ଫିଲ୍ମ ‘ପେଜ୍ 3’, ‘ରକେଟ୍ ସିଂ; ସେଲ୍ସମ୍ୟାନ୍ ଅଫ୍ ଦି ଇୟର’, ‘ଆରକ୍ଷଣ’, ମର୍ଡର ୨’, ‘ଟୁ ଷ୍ଟେଟ୍ସ’ ଏବଂ ‘ଦ ଗାଜି ଆଟାକ୍’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ‘ଦିୟା ଅର ବାତି ହମ’, ‘ୟେ ହେ ଚାହାତେ’, ‘ଦିଲ ହି ତୋ ହୈ’ ଏବଂ ‘ଅନିଲ କପୁର 24’ ଭଳି ଲୋକପ୍ରି ଟିଭି ସିରୟଲରେ ମଧ୍ୟ କରିଛନ୍ତି।

ଝାରପଡ଼ା ଜେଲରେ ଚଢ଼ାଉ, ଦୁର୍ଦ୍ଦାନ୍ତ ଅପରାଧୀର ସେଲ ପଛପଟୁ ମୋବାଇଲ୍ ଜବତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରେ ଅଚାନକ ଚଢ଼ାଉ । ଜେଲ୍ ବିଭାଗ ଆଇଜି ଓ ଡିଆଇଜିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଝାରପଡ଼ା ଜେଲର ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ୍ ପଛପଟୁ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି ମାମଲା ।

Raid In Jharapada Jail Bhubaneswar

ଟିଟୋ ଓ ଡି. ବ୍ରଦର୍ସ ସହଯୋଗୀଙ୍କୁ ପୋଲିସ ତାଗିଦ୍ କରିଥିବା ଜଣାପଡ଼ିଛି । ଜେଲର ନିୟମ ମାନିବା ପାଇଁ ତାଗିଦ୍ କରାଯାଇଛି । ଝାରପଡ଼ା ସମେତ ବାଲେଶ୍ବର ଓ ଚୌଦ୍ୱାର ଜେଲରେ ରେଡ୍ କରାଯାଇଥିବା ଜଣାପଡ଼ିଛି ।

ବାଲେଶ୍ୱରରୁ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ, ୨ ଜଣଙ୍କୁ ଗିରଫ କଲା STF

ଭୁବନେଶ୍ୱର: ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)କୁ ବଡ଼ ସଫଳତା ମିଳିଛି । ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରେଡ୍ ବେଳେ ପୋଲିସ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଚୋରା ବାଇକରେ ବ୍ରାଉନସୁଗର ଚାଲାଣ ବେଳେ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୨ ଜଣ ନିଶା ମାଫିଆ । ମାମଲାରେ ଏସଟିଏଫ୍ ଏକ ନମ୍ବର ବିହୀନ ବାଇକକୁ ଜବତ କରିଛି ।

ବ୍ରାଉନସୁଗର ବ୍ୟବସାୟ କରୁଥିବା ଅରଡ଼ବଜାରର ମାନସ ମୁଖୀ ଏବଂ ହରିପୁରର କମଳାକାନ୍ତ ଦାସଙ୍କୁ ଏସଟିଏଫ୍ ଗିରଫ କରିଛି । ସେମାନଙ୍କ ଠାରୁ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ଏସଟିଏଫ୍ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ । ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ଅନ୍ୟ ଅପରାଧିକ କାର୍ଯ୍ୟ କଳାପରେ ଜଡ଼ିଥିବା ଥିବା ଜଣାପଡ଼ିଛି । ତାର ତଦନ୍ତ ଚାଲିଛି ।

୨୦୨୦ରୁ ଏଯାବତ୍ ଏସଟିଏଫ୍ ୩୦ କେଜିରୁ ଅଧିକ ବ୍ରାଉନସୁଗର ଏବଂ ହେରୋଇନ୍ ସହ ୬୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି ।

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ

ଅହମ୍ମଦାବାଦ: ଦେଶରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ମାମଲା ନିଦ ହଜାଇଥିବାବେଳେ ଗୁଜୁରାଟରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଜରାଟର ଭାରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାବେଳେ ଭାରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଭାରୁଚ ଏସପି ରାଜେନ୍ଦ୍ର ସିଂ ଚୁଡାସାମା କହିଛନ୍ତି ଯେ ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ ଥିବାରୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଡାକ୍ତରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରାଯିବା ସହ ରୋଗୀଙ୍କୁ ଡାକ୍ତରଖାନାରୁ ବାହାର କରାଯିବା ବେଳକୁ ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକଙ୍କ ମଧ୍ଯରେ ୧୨ ଜଣ ରୋଗୀ ଓ ଦୁଇଜଣ ନର୍ସ ଅଛନ୍ତି। ତେବେ ଅନ୍ୟ ୪ ଜଣ ମୃତକଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିମାରି ନାହିଁ।

ଡାକ୍ତରଖାନାରେ ନିଆଁ ଲାଗିବା ସମୟରେ ସେଠାରେ ୫୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁଁ ଆଇସିୟୁ ୱାର୍ଡରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ତଦନ୍ତ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ନିଆଁରେ ଜଳିଗଲା ୬ ଦୋକାନ, ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ

ଭଦ୍ରକ: ଭଦ୍ରକ ରାଣୀତାଲ ବଜାରରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ୬ଟି ଦୋକାନ । ଏଥିରେ ପ୍ରାୟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି । ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ରାଣୀତାଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ କିଛି ଜିନିଷ ଦୋକାନରୁ ବାହାର କରି ପାରିନଥିଲେ ।

Six Shop Blazed In Ranital Market Of Bhadrak

ନିଆଁ ଆଁରେ ୬ଟି ଦୋକାନ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ନିଆଁକୁ ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ଆୟତ୍ତ କରିଛି । ଲୁଗା ଦୋକାନ, ମୋବାଇଲ ଦୋକାନ, ଷ୍ଟେସନାରୀ ଦୋକାନ, ଟେଲର ଦୋକାନ ସମେତ ୬ଟି ଦୋକାନ ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଏଥିସହ ପଢ଼ନ୍ତୁ- ବାସ ଛାରଖାର୍ କରିଦେଲା ବଜ୍ରପାତ, ଶୋଇଥିବା ବେଳେ ଜଳିଗଲା ୧୧ ପରିବାରର ବାସଗୃହ

ହାଟରେ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲ ପଞ୍ଚାୟତରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଲସି ପିଇ ଶତାଧିକ ଲୋକ ଅସୁସ୍ଥ ହୋଇଥିବା କୁହାଯାଉଛି । ଶୁକ୍ରବାର କୁର୍ତ୍ତି ହାଟ ଥିଲା । ସେଠାରେ ଅସୁସ୍ଥ ଲୋକେ ଲସି ପିଇଥିବା ଜଣା ପଡ଼ିଛି ।

 More Than 100 People Unhealthy After Drinking Lassi In Haat Malkangiri

ଶୁକ୍ରବାର ବିଳମ୍ବିତ ରାତିରୁ ଲସି ପଇଥିବା ଲୋକଙ୍କ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା । ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ ଟିମ୍ ଅସୁସ୍ଥ ମାନଙ୍କୁ ପଡ଼ିଆ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ପ୍ରାୟ ୬୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ବ୍ୟବସାୟୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘର ଦାବି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବ୍ୟବସାୟୀ ମହାସଂଘ ଦିନ ଦୁଇଟା ପର୍ଯ୍ୟନ୍ତ ବ୍ୟବସାୟ ସମୟକୁ ସଙ୍କୁଚିତ କରିବା ପାଇଁ ନିଷ୍ପତ୍ତି ନେଇଛି ।

ତେବେ ମାଲ ପରିବହନ, ଲୋଡିଂ, ଅନଲୋଡିଂ ଇତ୍ୟାଦି ଦିନ ଦୁଇଟା ପରେ ବି ଜାରି ରହିବ । ଯଦ୍ୱାରା ରାଜ୍ୟରେ ବ୍ୟବସାୟୀ ମାନଙ୍କୁ କିମ୍ବା ଜନସାଧାରଣଙ୍କୁ ଓ ଖାଉଟି ମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ରାଜ୍ୟରେ ବ୍ୟବସାୟୀ ମାନଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ଗଚ୍ଛିତ ଅଛି । ତେଣୁ ଦରବୃଦ୍ଧିର କୌଣସି ସମ୍ଭାବନା ହିଁ ନାହିଁ ।

ଏହି ପଦକ୍ଷେପକୁ ସହଯୋଗ କରିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛି ମହାସଂଘ । ଏଥିସହ ବ୍ୟବସାୟୀ ମାନଙ୍କୁ ସପ୍ତାହାନ୍ତ ସଟଡାଉନରେ ବି ଦିନ ୨ଟା ଯାଏ ବ୍ୟବସାୟ ପାଇଁ ଅନୁମତି ଦେବାକୁ ମହାସଂଘ ଦାବି କରିଛି । ବ୍ୟବସାୟୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାସହ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହା ସଚିବ ସୁଧାକର ପଣ୍ଡା ।