୪୩ କିଲୋର ସୁନା ବିସ୍କୁଟ ଜବତ, ଚୋରାଚାଲଣ ପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର କାର

ନୂଆଦିଲ୍ଲୀ: ଆସାମରେ ବଡ ଧରଣର ସୁନା ରାକେଟ ଠାବ । ରାଜସ୍ବ ବିଭାଗ ଗୁଇନ୍ଦା କର୍ମଚାରୀଙ୍କ ହାତରେ ଧରାପଡିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ । ଜବତ ସୁନାର ଓଜନ ପ୍ରାୟ ୪୩ କିଲୋଗ୍ରାମ । କୌଣସି ସୂତ୍ରରୁ ଖବର ପାଇ ରାଜସ୍ବ ବିଭାଗ ଗୁଇନ୍ଦା କର୍ମଚାରୀମାନେ ଏକ କାର ଉପରେ ନଜର ରଖିଥିଲେ । କାରରେ ୨ ଜଣ ବ୍ଯକ୍ତି ଥିଲେ । ପ୍ରଥମେ ସେମାନଙ୍କୁ ଜେରା କରାଯାଇଥିଲା । ମାତ୍ର ସେମାନେ କୌଣସି ସଠିକ୍ ଉତ୍ତର ଦେଇ ନଥିଲେ । ପରେ ଯାଞ୍ଚ ପରେ କାରରୁ ବିପୁଳ ସୁନା ବିସ୍କୁଟ ଜବତ କରାଯ଼ାଇଥିଲା ।

ଆଶ୍ଚର୍ଯ୍ଯକର କଥା ହେଉଛି ଏହି ବିସ୍କୁଟଗୁଡିକୁ ଏପରି ଭାବେ ଲୁକ୍କାୟିତ କରି ରଖାଯାଇଥିଲା ଯେ ସମସ୍ତ ବିସ୍କୁଟକୁ ପାଇବା ଲାଗି କର୍ମଚାରୀଙ୍କୁ ୧୮ ଘଣ୍ଟା ଲାଗିଯାଇଥିଲା । କାରରୁ ମୋଟ ୨୬୦ଟି ସୁନା ବିସ୍କୁଟ ଜବତ କରାଯାଇଛି ଯାହାକି ବିଦେଶରେ ତିଆରି ହୋଇଛି । କେବଳ ସୁନା ଚୋରାଚାଲାଣ ଲାଗି ଏହି କାର୍ ବ୍ଯବହୃତ ହୋଇଥିଲା ଏବଂ କାର୍ ଭିତରେ ସୁନା ରଖିବା ଲାଗି ଅତି ସତର୍କତା ଭାବେ ୩ଟି ଗୋପନ ସ୍ଥଳୀ ତିଆରି ହୋଇଥିଲା । ପୂର୍ବରୁ ମଧ୍ଯ ଏହି କାର୍ ସୁନା ଚୋରାଚାଲାଣରେ ବ୍ଯବହୃତ ହୋଇଥିଲା ବୋଲି ଜେରାରୁ ସ୍ପଷ୍ଟ ହୋଇଛି ।

ତେବେ କରୋନାଜନିତ ଲକଡାଉନ ସତ୍ତ୍ବେ ମିଆଁମାର ସୀମାନ୍ତ ଅନ୍ତର୍ଗତ ମଣିପୁରର ବିଭିନ୍ନ ଅଞ୍ଚଳରେ ଚୋରା ସୁନାକାରବାର ଚାଲିଥିବା ଜଣାଯାଇଛି । ମିଆଁମାର ସେକ୍ଟରରେ ଗୁଆହାଟି ଜୋନାଲ ୟୁନିଟରେ ଗତ ୩ ମାସରେ ପ୍ରାୟ ୬୭ କେଜି ସୁନା ଜବତ ହୋଇଛି ଯାହାର ମୂଲ୍ଯ ୩୩ କୋଟି ଟଙ୍କା ହେବ । ଲକଡାଉନର ସୁଯୋଗ ନେଇ ଏହି କାରବାର ନିର୍ବିଘ୍ନରେ ଚାଲିଆସୁଥିଲା ।

Leave a Reply