ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ। ଜଳେଶ୍ବରରୁ ରାଜଧାନୀ ଆସୁଥିବା ବେଳେ ଧରିଲା ସ୍କ୍ବାଡ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ବ୍ରାଉନସୁଗାର କାରବାର ଘଟଣାରେ ୨ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଘଟଣାରେ କିଙ୍ଗପିନ ପାଖରେ ପହଞ୍ଚିବା ପାଇଁ ଅନ୍ୟ ସ୍ଥାନରେ ଚଢ଼ାଉ ଚାଲିଛି। କେଉଁଆଡ଼େ ଏତେ ପରିମାଣର ବ୍ରାଉନ ସୁଗାର ଚାଲାଣ ହେଉଥିଲା ସେ ନେଇ ଚାଲିଛି ତଦନ୍ତ। ଏହି କାରବାର ପଛରେ କିଛି ଇଞ୍ଜିନିୟରିଂ ପିଲାଙ୍କ ସଂପୃକ୍ତି ନେଇ ଖୋଳତାଡ଼ କରୁଛି ପୋଲିସ।
ଆଜି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍, ସାଉଥମ୍ପଟନରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ: ଆଜି ବିଶ୍ବ ଟେଷ୍ଟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଟାଇଟଲ୍ ପାଇଁ ହେବ କଡା ମୁକାବିଲା। ଜୁନ୍ ୧୮ରୁ ସାଉଥମ୍ପଟନର ହାମ୍ପସାୟାର ବାଉଲରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍। ବିଶ୍ବ ଟେଷ୍ଟର ଶ୍ରେଷ୍ଠ ୯ଟି ଦଳ ମଧ୍ୟରେ ଅଗଷ୍ଟ ୧, ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପରେ ଫାଇନାଲ୍ ସ୍ପଟ୍ ପାଇଁ ହୋଇଥିଲା ଜୋରଦାର ସଂଘର୍ଷ। ଦୁଇ ବର୍ଷ ଧରି କଡା ଟକ୍କର ଦେଖିବାକୁ ମିଳିଥିଲା। ଖେଳାଯାଇଥିବା ସିରିଜର ପଏଣ୍ଟ ବେସିସ୍ରେ ଫାଇନାଲ୍ ଲଢେଇ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଯୋଗ୍ୟତା ହାସଲ କରିଛନ୍ତି। ଭାରତ ସର୍ବାଧିକ ୫୨୦ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ କିଓ୍ବି ଦଳ ୪୨୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡକୁ ମାତ ଦେବାକୁ ବିରାଟ ବାହିନୀ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗେମପ୍ଲାନ୍।
ଟାଇଟଲ୍ ହାତେଇବା ପାଇଁ ଫାଇନାଲ୍ ମ୍ୟାଚରେ ଦୁଇ ଦଳ ନିଜର ବେଷ୍ଟ ଅପସନ୍ ସହ ପଡିଆକୁ ଓହ୍ଲାଇବେ। ଉଭୟ ଦଳରେ ବ୍ୟାଟିଂ ଓ ବୋଲିଂ ଲାଇନଅପ୍ ମଜଭୁତ ରହିଛି। ତେଣୁ ଭାରତ କ୍ବିଓ୍ବି ଦଳକୁ ପରାସ୍ତ କରିବାକୁ ହେଲେ ଅଧିନାୟକ ବିରାଟ କୋହଲି , ରୋହିତ ଶର୍ମା, ଚେତେଶ୍ବର ପୁଜାରା, ଜସପ୍ରିତ୍ ବୁମରା, ଓ ମହମ୍ମଦ ସାମିଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ଓ୍ବିକେଟ କିପର ରିଷଭ୍ ପନ୍ଥ ଅଷ୍ଟ୍ରେଲିଆ ସିରିଜରୁ ଚମତ୍କାର ଫର୍ମରେ ଅଛନ୍ତି। ସେହିପରି ଦଳର ବୋଲିଂ ଲାଇନ୍ ବୁମରା, ସାମି, ଇଶାନ୍ତଙ୍କ ଉପରେ ନିର୍ଭର କରିବ। ସ୍ପିନ୍ ଭାର ସମ୍ଭାଳିବେ ଅଶ୍ବିନୀ ଓ ଜାଡେଜା। ସେପଟେ ଟାଇଟଲ୍ ଦଖଲ କରିବା ପାଇଁ ଜୋର ଲଗାଇବ ନ୍ୟୁଜିଲାଣ୍ଡ। ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଦଳ। ନ୍ୟୁଜିଲାଣ୍ଡ ତାର ‘ଫାଇନାଲ୍’ ଦୁର୍ଭାଗ୍ୟ ଦୂର କରିବା ଆଶାରେ ରହିବ। ଏକଦିବସୀୟ ବିଶ୍ବକପ୍ ଭଳି ଫାଇନାଲ୍ ଲଢ଼େଇରେ ନଝୁଣ୍ଟି ବିଜେତା ହେବାକୁ ନିଶ୍ଚିତ ଆପ୍ରାଣ ଉଦ୍ୟମ କରିବ ଦଳ।
ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ବିଜେତା ଦଳକୁ ଭାରତୀୟ ମୁଦ୍ରାରେ ପ୍ରାୟ ୧୧.୭୨ କୋଟି ଟଙ୍କା ଏବଂ ଉପବିଜେତା ଦଳକୁ ପାଖାପାଖି ୫.୮୬ କୋଟି ଟଙ୍କା ମିଳିବ।
ଦେଶରେ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ କମ
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ଘଣ୍ଟାରେ ଦେଶରେ ୨ହଜାର ତଳକୁ ମୃତ୍ୟୁ ସଂଖ୍ୟା ଖସିଥିବା ଦେଖିବାକୁ ମିଳିଛି । ଦେଶରେ ଗତ ୨୪ଘଣ୍ଟାରେ ଏକ ହଜାର ୫୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୬୨ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୮୮ହଜାର ୯୭୭ ଜଣ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୭ଲକ୍ଷ ୬୨ହଜାର ୭୯୩କୁ ବୃଦ୍ଧି ପାଇଛି । ତେବେ ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି । ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୯୮, ୬୫୬କୁ ହ୍ରାସ ପାଇଛି।
ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୯ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି । ସେହିପରି ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଛି । କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ପରେ ବ୍ରାଜିଲ ରହିଥିବା ବେଳେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି।
ସେହିପରି ଗତକାଲି ମହାରାଷ୍ଟ୍ରରେ ୯,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୯,୪୪,୭୧୦କୁ ବୃଦ୍ଧି ପାଇଛି । ଏବଂ ୨୪ଘଣ୍ଟାରେ ୨୩୬ ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୧,୧୬,୦୨୬ ରେ ପହଞ୍ଚିଛି। ଅନ୍ୟପଟେ ବିହାରରେ ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ କାରଣରୁ ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଛି, ଏହାକୁ ମିଶାଇ ବାହାରରେ ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୯୫୨୭କୁ ବୃଦ୍ଧି ପାଇଛି।
ତୃତୀୟ ଲହରରେ ଅଧିକ ସଂକ୍ରମିତ ହେବେନି ଶିଶୁ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଏବେ ଏହାର ତୃତୀୟ ଲହରୀକୁ ନେଇ ଚିନ୍ତା ଦେଖା ଦେଇଛି । କିନ୍ତୁ ଏମଧ୍ୟରେ ଆସିଛି ଏକ ଆଶ୍ୱସ୍ଥିକର ଖବର । ତୃତୀୟ ଲହର ରାଜ୍ୟ ପାଇଁ ସେତେଟା ଘାତକ ହେବନି ବୋଲି ଏକ ଗବେଷଣାରେ କୁହାଯାଇଛି । ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେନି ବୋଲି ଏହି ଗବେଷଣାରେ ସ୍ପଷ୍ଟ କରାଯାଇଛିଷ । ନିକଟରେ ଏମସ ଓ ଡବ୍ଲୁଏଚଓର ମିଳିତ ହାଇସେରୋ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।
ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାର ସଂକ୍ରମିତ ହେବାର ସମ୍ଭାବନା କମ୍ ବୋଲି ଏହି ଗବେଷଣାରୁ ଜଣାପଡିଛି । ବୟସ୍କଙ୍କ ତୁଳନାରେ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି । ମାର୍ଚ୍ଚ ୧୫ରୁ ଜୁନ୍ ୧୦ ମଧ୍ୟରେ ହୋଇଥିଲା ସର୍ଭେ । ୫ଟି ରାଜ୍ୟରେ ୧୦ହଜାର ସାମ୍ପୁଲ ନେଇ ସର୍ଭେ କରାଯାଇଥିଲା । ଏଲିସା କିଟ୍ରେ ହାଇ ସେରୋ ପଜିଟିଭିଟି ଟେଷ୍ଟ କରାଯାଇଥିଲା । ଯେଉଁଥିରେ ଶିଶୁଙ୍କ ଦେହରେ ଆଣ୍ଟିବଡି ଅଧିକ ଥିବା ଗବେଷଣାରୁ ଜଣାପଡିଛି । ସେପଟେ ଦ୍ବିତୀୟ ଲହରରେ ଗ୍ରାମା଼ଞ୍ଚଳ ମାନଙ୍କରେ ଲୋକ ଅଧିକ ସଂକ୍ରମିତ ହୋଇଥିଲେ । ହେଲେ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ପାଖାପାଖି ୬୩.୫ ପ୍ରତିଶତ ଦେଖାଦେଇଛି ବୋଲି ଗବେଷଣାରୁ ଜଣାପଡିଛି ।
ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ । ଏହାସହ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ଜୋର୍ ଦେଇ କହିଛନ୍ତି, ରାଜ୍ୟକୁ ବ୍ରିଟେନ୍ ଭଳି ସ୍ଥିତିର ସାମନା କରିବାକୁ ପଡ଼ିପାରେ । ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାର ୪ ସପ୍ତାହ ଭିତରେ କରୋନାର ତୃତୀୟ ଲହର ଆସିବ । ଏଥିରେ ନିମ୍ନ ଓ ମଧ୍ୟମ ବର୍ଗ ଲୋକ ଅଧିକ ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ ଆଶଙ୍କା କରିଛି ।
ଏବେ ଘରେ ଘରେ ଡ୍ରୋନ୍ରେ ହୋମ ଡେଲିଭରୀରେ ପହଞ୍ଚିବ ଖାଦ୍ୟ
ଭୁବନେଶ୍ୱର: ନୂଆ ତରିକାରେ ଘରେ ଘରେ ଖାଦ୍ୟ ପହଞ୍ଚାଇବ ସ୍ବିଗି। ଏଣିକି ଡେଲିଭରି ବୟ ନୁହେଁ ଡ୍ରୋନ୍ ଯୋଗେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛି ଖାଦ୍ୟ ଯୋଗାଣ ସଂସ୍ଥା ସ୍ବିଗି। ଏନେଇ କମ୍ପାନୀକୁ ଜରୁରିକାଳୀନ ଅନୁମତି ମିଳିଥିବା ବେଳେ ଖୁବ୍ଶୀଘ୍ର ଏହାର କାର୍ଯ୍ୟକରିବ ସ୍ବିଗି। ଏହି ବ୍ୟବସ୍ଥା ପାଇଁ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ବିଗି ଏନ୍ଆରଏ ଟେକ୍ନୋଲୋଜିଷ୍ଟ କମ୍ପାନୀ ସହ ପାର୍ଟନରସିପ କରିଛି। ତାହା ସହ ଡ୍ରୋନ୍ରେ କେବଳ ଖାଦ୍ୟ ନୁହେଁ ମେଡିକାଲର କିଛି ସାମଗ୍ରୀ ମଧ୍ୟ ଯୋଗାଯାଇପାରିବ। ଏନେଇ ସ୍ବିଗିକୁ DGCA ଓ MOCAର ଅନୁମତି ମିଳିସାରିଛି। ତେବେ ଏହି କାମପାଇଁ ଏନ୍ଆରଏର ଦୁଇଟି ଡ୍ରୋନ୍ ନିୟୋଜିତ ହୋଇଛି। ଗୋଟିଏ ଡ୍ରୋନ୍ ସ୍ବିଗିର ଡେଲିଭରି କାମପାଇଁ ନିୟୋଜିତ ଥିବା ବେଳେ ଅନ୍ୟଟି ମେଡିକାଲ ସରଞ୍ଜାମ ଯୋଗାଇବ। ତେବେ ଡ୍ରୋନ୍ରେ ୧କେଜି ଯାଏ ଖାଦ୍ୟ ଯୋଗାଣ ହୋଇପାରିବା ସହ ୩ରୁ ୪ କେଜି ଯାଏ ମେଡିକାଲ ସରଞ୍ଜାମ ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଉଛି।
ଉପରମୁଣ୍ଡରେ ବର୍ଷା କାରଣରୁ ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର
ସମ୍ବଲପୁର: ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା। ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା। ତେବେ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪୪ ୮୮୦ କ୍ୟୁସେକ ଜଳ। ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି ୧୭ ୫୩୨ କ୍ୟୁସେକ ଜଳ। ୬୩୦ ଫୁଟ ସର୍ବାଧିକ ଜଳ ଧାରଣ କ୍ଷମତା ହୋଇଥିବାବେଳେ ବର୍ତମାନ ୬୦୧.୩୧ ରେ ପହଂଚିଛି ଜଳସ୍ତର। ସୂଚନା ଦେଲେ ହୀରାକୁଦ ଡ୍ୟାମ୍ କତୃପକ୍ଷ।
ଆଜି ହୋଇଥାନ୍ତା ବାହାଘର, ପୁଅର ମୃତ୍ୟୁରେ ପୂରା ଘର ସ୍ତବ୍ଧ
ଭଦ୍ରକ: ସବାରୀ ବଦଳରେ ଉଠିଲା ଶବ। ଗଲା ୧୫ତାରିଖରେ ଥିଲା ଜନ୍ମଦିନ, ୩ଦିନ ପରେ ଅର୍ଥାତ୍ ଆଜି ଥିବା ବାହାଘର। ବିଧିର ବିଧାନ ଥିଲା ଅଲଗା। ଜନ୍ମଦିନର ଗୋଟେ ଦିନ ପୂର୍ବରୁ ଗଲା ପୁଅର ଜୀବନ। ସବାରୀ ବଦଳରେ ଘରୁ ଉଠିଲା ଶବ। ପୁଅର ବିବାହ ପାଇଁ ଘରେ କୋଳାହଳ ବନ୍ଧୁବାନ୍ଧବଙ୍କର, ପୁଅର ଲଗ୍ନ ସରିଛି , ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି , ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା। ହେଲେ କରୋନା ରୂପି ରାକ୍ଷସ ଛଡେଇନେଲା ମା ଠାରୁ ପୁଅକୁ। ଘରେ ଏଵେ ଶୋକର ଛାୟା।
ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀନାଥ ସାହିରେ। ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କର ଗତ ଜୁନ ୧୧ ତାରିଖରେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଥିଲା। ଏହାର ୩ଦିନ ପୂର୍ବରୁ ଲଗ୍ନ ମଧ୍ୟ ହୋଇଥିଲା ହେଲେ ତାପରଦିନ ସେ କରୋନା ପଜିଟିଭ ଚିହ୍ନଟ ହେଲ। ବିବାହ ତାରିଖ ଘୁଞ୍ଚାଇ ଜୁନ ୧୮ ଅର୍ଥାତ୍ ଆଜିକୁ ଫାଇନାଲ ହୋଇଥିଲା। ହେଲେ କରୋନା ନେଇଗଲା ଚନ୍ଦ୍ରମଣିଙ୍କ ପ୍ରାଣ। ଜନ୍ମଦିନର ଗୋଟେ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୪ରେ ଚାଲିଗଲେ ଚନ୍ଦ୍ରମଣି। ଗ୍ରାମବାସୀ ଭୟରେ ପାଖ ମାଡିଲେନି। ସରପଞ୍ଚ, ବ୍ଲକ୍ ପ୍ରଶାସନ ଓ ମେଡିକାଲ କର୍ମଚାରୀ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଛନ୍ତି।
ଭୂକମ୍ପ ଝଟକାରେ ଥରିଲା ଉତ୍ତରପୂର୍ବ ଭାରତର ୩ ରାଜ୍ୟ
ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତରପୂର୍ବ ଭାରତର ୩ ରାଜ୍ୟ। ଶୁକ୍ରବାର ସକାଳୁ ଉତ୍ତରପୂର୍ବ ଭାରତର ଆସାମ, ମେଘାଳୟ ଓ ମଣିପୁରରେ ଭୂମିକମ୍ପ ଝଟକା ଅନୁଭବ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ସୂଚନା ମୂତାବକ, ଆସାମର ସୋନିତପୁର ଜିଲ୍ଲାରେ ଭୂମିକମ୍ପ ହୋଇଥବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା। ମଣିପୁରର ଚନ୍ଦେଲ ଓ ମେଘାଳୟାର ଓ୍ବେଷ୍ଟଖାସି ହିଲସରେ ଯଥାକ୍ରମେ ୩.୦ ଓ ୨.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତ ୩ ଦିନ ଭିତରେ ଆସାମର ସୋନିତପୁର ଜିଲ୍ଲାକୁ ଦ୍ବିତୀୟ ଥର ଭୂକମ୍ପ ଝଟକା ଲାଗିଛି। କିଛିଦିନ ବ୍ୟବଧାନରେ ଭୁକମ୍ପ ଅନୁଭୂତ ହେଉଥିବାରୁ ସତର୍କ ରହିବା ପାଇଁ ଗାଇଡଲାଇନ ଜାରି କରିଛି ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା NDMA।




