spot_img
Home Blog Page 5355

ପେଗାସସ ପ୍ରସଙ୍ଗରେ ଭିନ୍ନମୋଡ, ତିନି ଜଣ ସାମ୍ବାଦିକଙ୍କ ଫୋନରେ ଠାବ ହେଲା ସ୍ପାଇୱେୟାର

ନୂଆଦିଲ୍ଲୀ: ପେଗାସସ ପ୍ରସଙ୍ଗରେ ଭିନ୍ନ ମୋଡ । ଫ୍ରାନ୍ସର ତିନି ଜଣ ସାମ୍ବାଦିକଙ୍କ ଫୋନରେ ସ୍ପାଇୱେୟାର ଠାବ ହୋଇଛି ବୋଲି କହିଛି ଫ୍ରାନ୍ସର ଗୁଇନ୍ଦା ସଂସ୍ଥା । ପେଗାସସ ଜରିଆରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇରାକ ରାଷ୍ଟ୍ରପତି ବାରହମ ସାଲି ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାଇରିଲ ରାମୋଫାସାଙ୍କୁ ଟାର୍ଗେଟ କରାଯାଇଥିଲା । ଏହା ସହ ଦେଶ ବିଦେଶର ଅନେକ ରାଜନେତା, ମନ୍ତ୍ରୀ, ବିଚାରପତି, ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଥିବା ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।

କିଛି ଦିନ ଧରି ପେଗାସସ ମାମଲା ତମ୍ବି ତୋଫାନ ସୃଷ୍ଟି କରିବା ପରେ ପ୍ରଥମ ଥର ଲାଗି ଫ୍ରାନ୍ସ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୩ ଜଣ ସାମ୍ବାଦିକଙ୍କ ଫୋନରୁ ଏହି ସ୍ପାଇୱେୟାର ଠାବ ହୋଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଫ୍ରାନ୍ସର ଆନ୍ତର୍ଜାତିକ ଟେଲିଭିଜନ ଷ୍ଟେସନ ଫ୍ରାନ୍ସ ୨୪ର ଜଣେ ବରିଷ୍ଠ ସଦସ୍ୟ । ଫ୍ରାନ୍ସର ନ୍ୟାସନାଲ ଏଜେନ୍ସି ଫର ଇନଫର୍ମେସନ ସିଷ୍ଟମସ ସିକ୍ୟୁରିଟି ବା ଆନସି ପକ୍ଷରୁ କରାଯାଇଥିବା ଡିଜିଟାଲ ଟ୍ରେସିଂରୁ ଜାସୁସୀ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଛି ।

ଫ୍ରାନ୍ସ ୨୪ର ସାମ୍ବାଦିକ, ଫ୍ରାନ୍ସର ଅନୁସନ୍ଧାନଧର୍ମୀ ୱେବସାଇ ମିଡିଆ ପାର୍ଟର ସାମ୍ବାଦିକ ଲେନେଗ ବ୍ରେଡକ୍ସ ଓ ଏହି ୱେବସାଇଟର ନିର୍ଦ୍ଦେଶକ ଏଡି ପ୍ଲେନେଲଙ୍କ ଫୋନରୁ ଏହି ସ୍ପାଇ ୱେୟାର ଠାବ ହୋଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲେନେଗ ବ୍ରେଡକ୍ସ । ସେ କହିଛନ୍ତି ଏହା ମିଥ୍ୟା ଏବଂ ସେ ଜାସୁସୀ କରିଥିବା ନେଇ ପ୍ରମାଣ ଆବଶ୍ୟକ । ଜାସୁସୀଗିରି କରୁଥିବା ସନ୍ଦେହରେ ଫ୍ରାନ୍ସ ୨୪ ସାମ୍ବାଦିକଙ୍କ ଫୋନକୁ ମେ ୨୦୧୯,  ସେପ୍ଟେମ୍ବର ୨୦୨୦ ଓ ଜାନୁଆରୀ ୨୦୨୧ରେ ଟାର୍ଗେଟ କରାଯାଇଥିଲା ।

ଗଜପତି ଆସି ତଦନ୍ତରେ ସହଯୋଗ କରିବାକୁ ବିଦ୍ୟାଙ୍କୁ ନୋଟିସ୍‌ କରିବ ପାରଳା ପୋଲିସ୍‌

ବାଲେଶ୍ୱର: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରିବ ପାରଳା ପୋଲିସ। ଗଜପତି ଯାଇ ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ନୋଟିସ୍‌ କରାଯିବ। ସେପଟେ ପୁଣି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରୁଛି ପାରଳାଖେମୁଣ୍ଡି ପୋଲିସ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପାରଳା ପୋଲିସର ୪ ଜଣିଆ ଟିମ୍‌ ବିଦ୍ୟାଙ୍କୁ ଜେରା କରୁଛି। କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା? ଗୋଟେ ଘରେ ଥାଇ ମଧ୍ୟ କେମିତି ଜାଣିପାରିଲେନି ବିଦ୍ୟା ? ସୌମ୍ୟଙ୍କ ସହ ତାଙ୍କ ସମ୍ପର୍କ କେମିତି ଥିଲା ? ଚାକିରି ଓ ପାରିବାରିକ କାରଣରୁ ଚାପରେ ଥିଲେ କି ସୌମ୍ୟ ? ଭଳି ପ୍ରଶ୍ନ ବିଦ୍ୟାଙ୍କୁ ପୋଲିସ ପଚାରିଥିବା ଶୁଣିବାକୁ ମିଳୁଛି । ଏହା ଭିତରେ ଉଭୟ ବିଦ୍ୟା ଓ ସୌମ୍ୟଙ୍କ ଅନେକ ହାତଲେଖା ସାମନାକୁ ଆସିଛି।

ଏଥିରୁ ଉଭୟଙ୍କ ସଂପର୍କ ଠିକ୍‌ ନଥିବା ଅନୁମାନ କରାଯାଉଛି। ତେବେ ସୌମ୍ୟ ମୃତ୍ୟୁ ସହ ଏହାର କିଛି ସଂପର୍କ ରହିଛି କି, ସେନେଇ ଖୋଳତାଡ଼ କରିପାରେ ପାରଳା ପୋଲିସ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମାମଲା ସହ ଜଡିତ ଲୋକଙ୍କୁ ଜେରା କରିବା ସହିତ ସିଡିଆର ଯାଞ୍ଚ କରିଛି ପୋଲିସ। ଡ୍ରାଇଭରଙ୍କୁ ମଧ୍ୟ ଟିମ୍ ପଚରା ଉଚରା କରିବ। ଡ୍ରାଇଭର ଘଟଣା ଦିନ ଓ ପୂର୍ବରୁ ବିଦ୍ୟାଭାରତୀଙ୍କ ପରିବାରକୁ ଭଡା ଗାଡିରେ ନେବା ଆଣିବା କରିଥିଲେ। ସେପଟେ ସୌମ୍ୟଙ୍କ ମୃତ୍ୟୁର ୩ ସପ୍ତାହ ପରେ ପୋଲିସ ପ୍ରାୟ ୨୫ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି। ୬ ଜଣଙ୍କୁ ଜେରା କରାଯାଇଛି ତଥାପି ରହସ୍ୟର ଗୁମର ଖୋଲିନି।

ବନ୍ୟା ଜଳରେ ଭାସୁଛି ଚୀନ: କାର୍ ପାର୍କିଂରୁ ମିଳିଲା ୩୯ ମୃତଦେହ, ଡ୍ରେନରେ ବୁଡ଼ି ୬ ମୃତ

ଚୀନ: ଚୀନରେ ଭୟହ୍କର ରୂପ ନେଉଛି ବନ୍ୟା । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବାବେଳେ ଶହ ଶହ ଲୋକଙ୍କ ଜୀବନ ଗଲାଣି । ଗତ କିଛି ଦିନ ହେବ ଚୀନର ହେନାନ୍ ଅଞ୍ଚଳରେ ବନ୍ୟା ତାଣ୍ଡବ ରଚିଛି । ମୂଷଳଧାରାରେ ହୋଇଥିବା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

ସରକାରୀ ଖବର ଅନୁସାରେ, ହେନାନର ରାଜଧାନୀ ଝାଙ୍ଗଜୋ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୨୯୨ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୪୭ ଜଣ ଏବେବି ନିଖୋଜ ଅଛନ୍ତି । ଏଠାରେ ଥିବା ଏକ କାର ପାର୍କିଂରେ ୩୯ ଜଣଙ୍କ ମୃତଦେହ ମିଳିଛି । ସହରର କିଛି ଡ୍ରେନରେ ମଧ୍ୟ ୬ଜଣ ବୁଡି ପ୍ରାଣ ହରାଇଛନ୍ତି । ଜିନଜିଆଙ୍ଗ୍ ସହରରେ ୭ ଜଣ ପ୍ରାଣ ହରାଇବା ବେଳେ ୩ ଜଣ ନିଖୋଜ ଅଛନ୍ତି ।

ଶୁକ୍ରବାର ସ୍ଥାନୀୟ ଅଧିକାରୀ ମୃତକଙ୍କ ସଂଖ୍ୟା ୯୯ କହିଥିଲେ । ଯାହା ୪୦୦କୁ ବୃଦ୍ଧି ପାଇଛି । ଏବେବି ୫୦ ଜଣ ନିଖୋଜ ଅଛନ୍ତି । ତେବେ ବର୍ଷା ଓ ବନ୍ୟା କାରଣରୁ ୧ କୋଟି ୪୫ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ୯୦ ହଜାର ହେକ୍ଟରରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୦୬୦୦ରୁ ଅଧିକ ଘର ଭାଙ୍ଗି ଯାଇଛି ।

ଜୁଲାଇ ୧୬ ପରେ ହେନାନ ପ୍ରାନ୍ତରେ ଅଧିକ ବର୍ଷା ହୋଇଥିଲା । ଝୋଙ୍ଗଝୋରେ ୩ ଦିନରେ ୬୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସହରର ବାର୍ଷିକ ବର୍ଷାର ପରିମାଣ ସହ ସମାନ । ଅର୍ଥାତ ଘଣ୍ଟା ପ୍ରତି ୨୦୧.୯ ମିମି ବର୍ଷା ହେଉଥିଲା । ଏହି କ୍ଷୟକ୍ଷତି ପାଇଁ ସ୍ଥାନୀୟ ପ୍ରଶାସନକୁ ସମସ୍ତେ ଦାୟୀ କରିଛନ୍ତି ।

ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ ବିକ୍ରମଜିତ୍ ଭୌମିକ

ଭୁବନେଶ୍ୱର:ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ। ଓଡ଼ିଶା ହେଡ୍‌ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା। ଗିରଫ ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲ୍ୟୁ। ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ୬ କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା। ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗର ମଇନାରୁ ଗିରଫ କରାଯାଇଥିବାବେଳେ ସେ ୨୦୧୩ ମସିହାରୁ ସେ ଫେରାର ଥିଲେ।

ଏହି ମାମଲାରେ ୨୦୧୯ ନଭେମ୍ବର ୨୯ରେ ଶୁଭ୍ରାଙ୍କୁ ଇଡି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଏହା ପରେ ୨୦୨୧ରେ ଜାନୁଆରି ୧୫ରେ ରୋଜଭ୍ୟାଲିର ମୁଖ୍ୟ ଗୌତମକୁଣ୍ଡୁଙ୍କ ସ୍ତ୍ରୀକୁ ଗିରଫ କରାଯାଇଥିଲା। ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କ ଗିରଫ କରିଥିଲା। ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି। ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା। ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା।

ଜାମ୍ମୁ କାଶ୍ମୀର: କଠୁଆ ଅଞ୍ଚଳରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ କାଶ୍ମୀର: ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଜାମ୍ମୁ-କାଶ୍ମୀରର କଠୁଆ ଅଞ୍ଚଳରେ ମଙ୍ଗଳବାର ସକାଳୁ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର କ୍ରାସ୍ ହୋଇଛି । ହେଲିକାପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ରଣଜିତ ସାଗର ଡ୍ୟାମରେ ଖସିପଡ଼ିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦିନ ପ୍ରାୟ ୧୦ଟା ୨୦ରେ ବାୟୁସେନାର ହେଲିକାପ୍ଟର-୨୫୪ ଆର୍ମି ସ୍କ୍ୱାର୍ଡନ ମାମୁନ କ୍ୟାଣ୍ଟରୁ ଉଡାଣ ଭରିଥିଲା । ଡ୍ୟାମ ଆଖପାଖ ଅଞ୍ଚଳରେ କମ୍ ଉଚ୍ଚତାରେ ହେଲିକାପ୍ଟରଟି ଚକ୍କର ମାରୁଥିବା ବେଳେ ହଠାତ୍ ଏହା କ୍ରାସ୍ ହୋଇଯାଇଥିଲା ।

 (ପ୍ରତିକାତ୍ମକ ଚିତ୍ର)

ଘଟଣାସ୍ଥଳରେ NDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ହେଲିକାପ୍ଟରରେ କେତେ ଲୋକ ଥିଲେ ଓ କ’ଣ କ୍ଷତି ହୋଇଛି, ସେ ସମ୍ପର୍କରେ ଏଯାଏ ସୂଚନା ମିଳିନାହିଁ । କଠୁଆ ଜିଲ୍ଲା ଏସଏସପି ଆରସି କୋଟୱାଲଙ୍କ ଅନୁଯାୟୀ, ଡାଇଭରମାନେ ବର୍ତ୍ତମାନ ହ୍ରଦରେ ପଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲିକପ୍ଟରରେ କେତେ ଲୋକ ଥିଲେ, କେତେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସୂଚନା ମିଳିପାରିନି ।

ପ୍ରକାଶ ପାଇଲା CBSE ୧୦ମ ଶ୍ରେଣୀ ପରୀକ୍ଷା ଫଳ, ପାସ ହାର ରହିଛି ୯୯.୦୪ ପ୍ରତିଶତ

ନୂଆଦିଲ୍ଲୀ: ବାହାରିଲା ସିବିଏସଇ ଦଶମ ପରୀକ୍ଷା ଫଳ। କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଛି। cbseresults.nic.in ଓ http://cbse.gov.inରେ ରେଜଲ୍ଟ ପ୍ରକାଶ ପାଇଛି। ପୂର୍ବ ନିର୍ଧାରିତ ସମୟ ଅନୁଯାୟି ଆଜି ଦିନ ବାରଟାରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ପ୍ରାର୍ଥୀମାନେ ମଧ୍ୟ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ମଧ୍ୟ ସେମାନଙ୍କର ରେଜଲ୍ଟ ଜାଣିପାରିବେ।

ମୋଟ ୨୦ ଲକ୍ଷ ୯୭ ହଜାର ୧୨୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଲକ୍ଷ ୭୬ ହଜାର ୯୯୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ ହାର ରହିଛି ୯୯.୦୪ ପ୍ରତିଶତ।  ଏଥିରେ ପ୍ରତ୍ୟେକ ବିଷୟ ପାଇଁ ୨୦ ମାର୍କ ଲେଖାଏଁ ଏବଂ ଆଗରୁ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କ ଆଧାରରେ ୮୦ ମାର୍କର ମୂଲ୍ୟାୟନ କରାଯାଇଛି। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଛି।

ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। କୋଭିଡ ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ ହୋଇଥିଲା। ତେବେ ତେବେ ଯେଉଁ ଛାତ୍ରଛାତ୍ରୀମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି। ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ। COVID-19 ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ।

ସଂସଦରେ ବିରୋଧୀଙ୍କ ଉତ୍ତେଜନା ସମ୍ବିଧାନ ଏବଂ ଗଣତନ୍ତ୍ରର ଅପମାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ଉତ୍ତେଜନାକୁ ସମ୍ବିଧାନ ଏବଂ ଗଣତନ୍ତ୍ରର ଅପମାନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଏବଂ ଦଳର ସାଂସଦମାନେ ପ୍ରତ୍ୟେକଟି ପଦକ୍ଷେପ ନେବା ଉଚିତ ଯାହା ଦ୍ୱାରା ଗୃହ ସୁରୁଖୁରୁରେ ଚାଲିପାରିବ। ଏହା ପୂର୍ବରୁ ବିଜେପି ସଂସଦୀୟ ଦଳର ବୈଠକରେ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓବିସି ବର୍ଗରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ଏବଂ ଅର୍ଥନନୈତିକ ରୂପରେ ଦୁର୍ବଳ ଥିବା ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

 

ବୈଠକ ପରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଭି ମୁରଲାଧରମ କହିଛନ୍ତି ଯେ, ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ସମ୍ବୋଧନର ଆରମ୍ଭ ଭଲ ଖବରରୁ ଆରମ୍ଭ କରିଛନ୍ତି । ଦେଶରେ ଜିଏସଟି ସଂଗ୍ରହ ୧.୧୬ ଲକ୍ଷ କୋଟିରେ ପହଞ୍ଚିଛି । ଟୋକିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କ ବ୍ରୋଞ୍ଜ ପଦକ ଜିତିବା ଏବଂ ହକି ଦଳର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଥିଲେ।

ମୁରଲୀଧରନ୍ କହିଛନ୍ତି ଯେ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ଉତ୍ତେଜନା ସଂସଦ ପାଇଁ ଅପମାନ। ଯେଉଁ ବ୍ୟକ୍ତି କାଗଜ ଛଡ଼ାଇ ନେଇ ତାକୁ ଚିରିଦେଇଛନ୍ତି, ତାଙ୍କୁ ଏହି କାର୍ଯ୍ୟକଳାପ ପାଇଁ ଟିକେ ବି ଅନୁତାପ ନାହିଁ । ବିଲ୍ ପାସ୍ ନେଇ ଜଣେ ବରିଷ୍ଠ ସାଂସଦଙ୍କ ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ବୋଲି ସେ କହିଛନ୍ତି । ଅଧିବେଶନରେ ପ୍ରଧାନମନ୍ତ୍ରୀ ଇ-ଟଙ୍କା ବିଷୟରେ ମଧ୍ୟ କହିଛନ୍ତି ଏବଂ ଏଥିରୁ ଲୋକମାନେ ବିଶେଷ ଲାଭ ପାଇବେ ବୋଲି କହିଛନ୍ତି  ।

ଗ୍ଲୋବାଲ ଓ୍ୱାର୍ମିଂ ପାଇଁ ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର ଜୁଆର

ପୁରୀ: ଗ୍ଲୋବାଲ ୱାର୍ମିଂ ପାଇଁ ବିପଦରେ ପୁରୀ ଜିଲ୍ଲା ଉପକୂଳ। ଧିରେ ଧିରେ ଭୟଙ୍କର ହେଉଛି ପୁରୀ ଜିଲ୍ଲାରେ ଉପରେ ଗ୍ଲୋବାଲ ଓ୍ୱାର୍ମିଂର ପ୍ରଭାବ। କାରଣ ଗାଁ ଭିତରକୁ ମାଡି ଆସୁଛି ସମୁଦ୍ର ଜୁଆର। ଫଳରେ ଚାଷ ଜମିରେ ପଶିଯାଉଛି ଲୁଣି ପାଣି। ତେବେ ଚାଷ ଜମିରେ ଲୁଣିପାଣି ପଶିଯିବା ଫଳରେ ନଷ୍ଠ ହେଉଛି ଏକର ଏକର ଜମି। ଏବେ ଭୟବିତ ଅବସ୍ଥାରେ ଅସ୍ତରଙ୍ଗ ବ୍ଲକର ଛେନୁଅ, ତଣ୍ଡାହର, ଉଦୟକନି ,କେଉଟଜଙ୍ଗା,ଦାଳୁଅକଣି ଭଳି ଅନେକ ଗ୍ରାମବାସୀ। ସବୁଦିନ ଭୟରେ ରାତି କଟୁଛି। ଜୁଆର ପୂର୍ବାପେକ୍ଷା ବଡ଼ ହୋଇଥିବାରୁ ସମୁଦ୍ର ମାଡ଼ିଆସିବାର ଭୟ ସବୁବେଳେ ରହୁଛି। ସେପଟେ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ମଧ୍ୟ ସମୁଦ୍ର ଜୁଆର ମାଡ ହେଉଥିବା ଦେଖିବାକୁ ମିଳିଛି। ଜୁଆର ବଡ଼ ହେବା କାରଣରୁ ବିଶେଷକରି ଇକୋ ରିଟ୍ରିଟ ହେଉଥିବା ସ୍ଥାନ ସମୁଦ୍ର ଗର୍ଭରେ ମିସିଗଲାଣି। ଏବେ ଏହି ଉପକୂଳର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଦାବି କରିଛନ୍ତି। ଅନ୍ୟପଟେ ଉପକୂଳର ଅବକ୍ଷୟ ରୋକିବା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ ବିଜେଡି ପାର୍ଟି ଅଫିସରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅରୁଣ ଦେଙ୍କୁ ଆଜି ବିଜେଡି ଅଫିସରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବିଜେଡିର ନେତାମନ୍ତ୍ରୀମାନେ ଆଜି ବିଜେଡି ପାର୍ଟି ଅଫିସରେ ଅରୁଣ ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ସମୀର ଦାଶ, ସୁଶାନ୍ତ ସିଂହ, ଜ୍ୟୋତି ପାଣିଗ୍ରାହୀ, ବିଜେଡ଼ି ମହିଳା ସଭାନେତ୍ରୀ ସେହାଙ୍ଗିନୀ ଛୁରିଆ, ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।  ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଅରୁଣ ଦେଙ୍କ ଦେହାନ୍ତ ହୋଇଥିଲା। ବାମପନ୍ଥୀ ଚିନ୍ତାଧାର ସହ ଜଡ଼ିତ ଅରୁଣ ଦେ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ। ସିପିଆଇ ଦଳ ସହ ୧୯୯୪ ସହ ଜଡ଼ିତ ଥିଲେ। ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ।

୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ୱ କରି ବିଧାୟକ ହୋଇଥିଲେ । ୧୯୯୫ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ । ପରେ ୨୦୦୪ରେ ସେ ଓଡିଶା ଗଣ ପରିଷଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୪୬ ଏପ୍ରିଲ ୩୦ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଅରୁଣ ଦେ ବୃତ୍ତିରେ ଜଣେ ଆଇନଜୀବୀ । ୨୦୦୯ରେ ସେ ଓଡିଶା ଗଣ ପରିଷଦରୁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ । ୨୦୦୯ ପରେ ସେ ଆଉ ନିର୍ବାଚନ ଜିତି ପାରିନାହାଁନ୍ତି । ୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ ନପାଇବାରୁ ସେ ବିଜେଡି ଛାଡି କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ୱର ବିଧାନସଭା ଆସନରୁ ଲିଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ଠାରୁ ହାରିଯାଇଥିଲେ । ୨୦୨୦ରେ ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ସେ ପୁଣି ଥରେ ବିଜେଡି ଫେରିଥିଲେ ।

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ। କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଥିଲା। ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ସକାଶେ ୨୦ ଲେଖାଁଏ ମାର୍କ ଏବଂ ସମ୍ପନ୍ନ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ଆଧାର କରି ୮୦ ମାର୍କର ମୂଲ୍ୟାୟନ କରାଯାଇଥିଲା। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। କୋଭିଡ ନେଇ ପରୀକ୍ଷା ହୋଇଥିଲା ବାତିଲ। ଗତ ଜୁଲାଇ ୩୦ ତାରିଖରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପରୀକ୍ଷା ହୋଇପାରି ନଥିବାରୁ ଦ୍ୱାଦଶ ପରୀକ୍ଷା ଫଳ ବିକଳ୍ପ ମୂଲ୍ୟାୟନ ଭିତ୍ତିରେ ହୋଇଥିଲା।
cbseresults.nic.in, cbse.gov.in. ୱେବସାଇଟରେ ପ୍ରକାଶ ପାଇବ ପରୀକ୍ଷା ଫଳ। କରୋନା ପାଇଁ ବାତିଲ ହୋଇଥିଲା ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ।