ନୂଆଦିଲ୍ଲୀ: ଭାରତରେ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିୟା ବା ଆଇଏସଆଇଏସ ସଂଗଠନ ଲାଗି ପାଣ୍ଠି ସଂଗ୍ରହ ଓ କ୍ୟାଡର ଚୟନ ଘଟଣାରେ ୪ ଜଣ ଗିରଫ। ଏହା ସହ ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଜାମ୍ମୁ ଓ କାଶ୍ମୀରର ତିନିଟି ସ୍ଥାନରେ ଓ କର୍ଣ୍ଣାଟକର ମାଙ୍ଗାଲୁରୁ ଓ ବେଙ୍ଗଳୁରୁର କିଛି ସ୍ଥାନରେ ଏହି ଚଢାଉ ହୋଇଛି। ଆଇଏସଆଇଏସ ଆତଙ୍କବାଦୀ ସଂଗଠନର କିଛି କର୍ମୀ ନୂଆ ସଦସ୍ୟଙ୍କୁ ଚୟନ କରୁଥିବା ଅଭିଯୋଗ କ୍ରମେ ଏନଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ସେମାନଙ୍କ ନିକଟରୁ ଡିଜିଟାଲ ଯନ୍ତ୍ରପାତି, ମୋବାଇଲ, ହାର୍ଡଡିସ୍କ, ପେନଡ୍ରାଇଭ, ବହୁ ସିମ୍ କାର୍ଡ ଜବତ ହୋଇଛି। ଦେଶରେ ଆଇଏସଆଇଏସ ସଂଗଠନ ସକ୍ରିୟ ଥିବା ଖବର ପାଇ ଏନଆଇଏ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ ମାର୍ଚ୍ଚରେ ଏନେଇ ମାମଲା ରୁଜୁ ହୋଇଥିଲା। କେରଳର ମହମ୍ମଦ ଅମିନ ନାମକ ଜଣେ ବ୍ୟକ୍ତି ଓ ତାଙ୍କର ସହଯୋଗୀ ଟେଲିଗ୍ରାମ, ହୁପ୍, ଇନଷ୍ଟାଗ୍ରାମ ଆଦି ଜରିଆରେ ଆଇଏସ କାର୍ଯ୍ୟକଳାପର ପ୍ରସାର କରୁଥିଲେ ଏବଂ ନୂଆ ଯୁବକମାନଙ୍କୁ ସଂଗଠନରେ ସାମିଲ କରିବା ଲାଗି ଯୋଜନା କରୁଥିଲେ। ମହମ୍ମଦ ଅମିନ ଗତବର୍ଷଠାରୁ ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟରେ ଲିପ୍ତ ଥିଲା।
ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟର ସୁପାରିଶ
ନୂଆଦିଲ୍ଲୀ: ବଢିଲା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଅଡୁଆ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ସେବା ନିୟମ ଉଲ୍ଲଂଘନ ଓ ପଦବିର ଅପବ୍ୟବହାର ଅଭିଯୋଗ କ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏହି ସୁପାରିଶ ହୋଇଛି। ବିଭିନ୍ନ ଅଭିଯୋଗ କ୍ରମେ ତାଙ୍କୁ ଗତ ୨୦୧୯ ଜାନୁଆରୀରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇଦିିଆଯାଇଥିଲା। ଯଦି ତାଙ୍କ ବିରୋଧରେ ହୋଇଥିବା ସୁପାରିଶକୁ ୟୁପିଏସସି ଗ୍ରହଣ କରେ ତେବେ ତାଙ୍କର ପେନସନ ହ୍ରାସ ହେବ ବା ସ୍ଥାୟୀ ଭାବେ ଏହାକୁ ରଦ୍ଦ କରାଯିବ।
ଏହା ସହ ସେ ପାଇବାକୁ ଥିବା ଅବସରକାଳୀନ ସୁବିଧା ବି ବନ୍ଦ ହେବ। ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପରେ ତାଙ୍କୁ ଅଗ୍ନିସେବା ବିଭାଗ ଡିଜି ଭାବେ ଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ଗୃହମନ୍ତ୍ରାଳୟ ପକ୍ଷରୁ ପର୍ସୋନେଲ ବିଭାଗକୁ କୁହାଯାଇଥିଲା। ମାତ୍ର ଶ୍ରୀ ବର୍ମା ଏହି ପଦବିରେ ଯୋଗ ଦେଇନଥିଲେ। ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଜେଆଇ ନୋମିନି ଜଷ୍ଟିସ ଏ.କେ. ସିକ୍ରି ଓ ଲୋକସଭାରେ ତତକାଳୀନ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସ୍ୱୀକୃତି ଦେଇଥିଲେ।
କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ବା ସିଭିସି ବର୍ମାଙ୍କ ବିରୋଧରେ ଅନେକ ପ୍ରମାଣ ପାଇବା ପରେ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବା ଲାଗି ପଦକ୍ଷେପ ନିଆଯାଇଥିଲା। ସିବିଆଇ ମୁଖ୍ୟ ପଦରୁ ହଟିବା ପୂର୍ବରୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ବର୍ମା କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ।
ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିଶନ ପାଇଁ ଜାରି ହେଲା ଆଡମିଶନ ସଂକ୍ରାନ୍ତ ମାର୍ଗଦର୍ଶିକା
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିଶନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଇଚ୍ଛୁକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ଆଡମିଶନ ସଂକ୍ରାନ୍ତ ମାର୍ଗଦର୍ଶିକା। ଆଡମିଶନ ପାଇଁ କେବଳ ସାମ୍ସ ପୋର୍ଟାଲରେ ଅନଲାଇନରେ ଆବେଦନ ଗ୍ରହଣ ହେବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଆବେଦନ ସମୟରେ କୌଣସି ଘରୋଇ ଏଜେଣ୍ଟ କିମ୍ବା ଏଜେନ୍ସିକୁ ଛାତ୍ରଛାତ୍ରୀମାନେ ଡକୁମେଣ୍ଟ ନଦେବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଇଦିଆଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଷ୍ଟ୍ରିମରେ ଆଡମିଶନ ଲାଗି https://samsodisha.gov.in ଓ୍ୱେବସାଇଟ ଜରିଆରେ ଅନଲାଇନରେ ଆବେଦନ କରାଯିବ। ଅନଲାଇନ କମନ ଆପ୍ଲିକେସନ ଫର୍ମ ବା ସିଏଏଫ ପୂରଣ ଓ ଦାଖଲ ପୂର୍ବରୁ ଛାତ୍ର ଏବଂ ଅଭିଭାବକଙ୍କୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ଅନଲାଇନ ଆବେଦନ କରିବାକୁ ହେଲେ ମୋବାଇଲ ଫୋନ ନମ୍ବର ସହିତ ସାମସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ।
ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଦିଲୀପ ତିର୍କି
ଭୁବନେଶ୍ୱର: ଅଲମ୍ପିକ୍ରେ ଇତିହାସ ରଚିଲା ଭାରତ। ଟିମ୍ ଇଣ୍ଡିଆ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଆଣିଛି। ବ୍ରୋଞ୍ଜ ପଦକ ମ୍ୟାଚ୍ରେ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଭାରତ ୩-୧ ଗୋଲରେ ପଛରେ ଥିଲା। କିନ୍ତୁ ଏହା ପରେ ଭାରତୀୟ ଟିମ୍ ପଦକ ଜିତିବା ଟ୍ରାକ୍କୁ ପୁଣି ଫେରିଥିଲା। ଜବରଦସ୍ତ ଗେମ୍ ପ୍ଲାନ୍ରେ ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତାକୁ ପରାସ୍ତ କରିଛି। ଏହା ପରେ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆ ପାଇଁ ଅଭିନନ୍ଦନ ବାର୍ତ୍ତା ଆସିବାରେ ଲାଗିଛି।
Historic! A day that will be etched in the memory of every Indian.
Congratulations to our Men’s Hockey Team for bringing home the Bronze. With this feat, they have captured the imagination of the entire nation, especially our youth. India is proud of our Hockey team. 🏑
— Narendra Modi (@narendramodi) August 5, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତିହାସିକ ଲେଖିଛନ୍ତି! ଏହା ହେଉଛି ଏମିତି ଏକ ଦିନ ଯାହା ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଲିପିବଦ୍ଧ ରହିବ। ବ୍ରୋଞ୍ଜ ପଦକ ଜିତିବା ପାଇଁ ଆମ ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହି ସଫଳତା ସହିତ ସେ ସମଗ୍ର ଦେଶର ବିଶେଷ କରି ଆମର ଯୁବକମାନଙ୍କ ଆଶା ପୂରଣ କରିଛନ୍ତି। ଏଭଳି ହକି ଦଳ ପାଇଁ ଭାରତ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛି ଜଣାଇଛନ୍ତି।
ସେପଟେ ପୂର୍ବତନ ହକି ଖେଳାଳି ତଥା ସାଂସଦ ଦିଲୀପ ତିର୍କି ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି। ତିର୍କି ଟ୍ୱିଟ୍ କରି ଐତିହାସିକ ବିଜୟ କହିଛନ୍ତି! ଭାରତୀୟମାନଙ୍କ ପାଇଁ ବହୁଦିନର ସ୍ୱପ୍ନ ସାକାର ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ବୋଲ ଦିଲୀପ କହିଛନ୍ତି ।
ଆଜି କଟକରେ କରୋନା କଟକଣା ସହ ଖୋଲୁଛି ସମସ୍ତ ଧର୍ମାନୁଷ୍ଠାନ
କଟକ: କରୋନାରୁ ଧିରେ ଧିରେ ମୁକୁଳୁଛି ଓଡ଼ିଶା। କରୋନାର ଦ୍ୱିତୀୟ ଲହରରେ ବନ୍ଦ ଥିବା ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାକୁ ଲାଗିଛି। ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରାଶାସନକୁ ସ୍ଥାନୀୟ ସ୍ଥିତି ଦେଖି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ଦେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ବହୁ ଦିନ ପରେ ଆଜିଠାରୁ ଖୋଲିବ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ । ସକାଳ ୬ରୁ ରାତି ୮ ଯାଏ ଖୋଲା ରହିବ ଧର୍ମାନୁଷ୍ଠାନ । ୫୦ ଜଣ ଭକ୍ତ କିମ୍ବା ଧର୍ମାନୁଷ୍ଠାନରେ ୫୦ ପ୍ରତିଶତ ଭକ୍ତଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି। ଶନିବାର ଏବଂ ରବିବାର ସର୍ଟଡାଉନ ପାଇଁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ମନ୍ଦିର ଭିତରେ ଭୋଗ, ପ୍ରସାଦ ବଣ୍ଟନ ବାରଣ ହୋଇଛି । ବହୁଦିନ ପରେ ଧର୍ମାନୁଷ୍ଠାନ ଖୋଲୁଥିବାରୁ ଭକ୍ତମାନେ ଖୁସି ଜାହିର କରିଛନ୍ତି ।
ରିମାଣ୍ଡର ତୃତୀୟ ଦିନରେ ବିରଞ୍ଚି ସାହୁଙ୍କୁ କାରାଥନ ଜେରା
ଭୁବନେଶ୍ୱର: ଖୋଲିବ କୁବେର ପିଏସଙ୍କ କଳାଧନର କୁହୁକ ପେଡ଼ି। କୋଟିପତି ବିରଞ୍ଚି ସାହୁଙ୍କୁ ମାରାଥନ୍ ଜେରା କରୁଛି ଭିଜିଲାନ୍ସ। ଆଜି ତୃତୀୟ ଦିନରେ ବିରଞ୍ଚି ସାହୁଙ୍କୁ କରାଯିବ ଜେରା। ବିରଞ୍ଚିଙ୍କ ୧୦ ଦଶ ବର୍ଷର ଫାଇଲ ଖୋଲିଛି ଭିଜିଲାନ୍ସ। ବିରଞ୍ଚିଙ୍କ ପାଖକୁ କେମିତି ଆସିଲା ଏତେ ନଗଦ ଟଙ୍କା। ବେଆଇନ ଆୟର ଉତ୍ସ କଣ, ପ୍ଲଟ ଓ ସୁନା କେଉଁ ଟଙ୍କାରେ କିଣା ହୋଇଛି ? ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁଙ୍କ ନାଁରେ କେତେ ସମ୍ପତ୍ତି ରହିଛି, ଏସବୁର ଟିକିନିଖି ତଥ୍ୟ ସଂଗ୍ରହ କରୁଛନ୍ତି ଭିଜିଲାନ୍ସ ଟିମ୍। ଦୁର୍ନୀତିର ଗୁମର ଫିଟାଇବା ପାଇଁ ବିରଞ୍ଚିଙ୍କ ପତ୍ନୀ ଓ ସଢୁଙ୍କ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଯୋଜନା ରହିଛି। ତଦନ୍ତ ପରେ ବିରଞ୍ଚିଙ୍କ ଦୁର୍ନୀତିର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ଭିଜିଲାନ୍ସ ଆଶା ରଖିଛି। ସେପଟେ କୋଟିପତି ବିରଞ୍ଚିଙ୍କ ଟଙ୍କାର ଉତ୍ସ ଦେଖି ମନି ଲଣ୍ଡରିଂ ଆକ୍ଟରେ ନିଜ ଆଡୁ ମାମଲା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

