ହନି ଓ ମନି ଚକ୍କରରେ ଦେଶକୁ ଦେଉଥିଲେ ଦଗା, ଅଶ୍ଲୀଳ ଚାଟ୍ ଦ୍ୱାରା ହୋଇଥିଲେ ଟ୍ରାପ୍

1 min read

ଭୁବନେଶ୍ୱର: ଆଇଟିଆରରୁ କେମିତି ଯାଉଥିଲା ଗୁପ୍ତତଥ୍ୟ ? ଗୁପ୍ତତଥ୍ୟ ଯୋଗାଣର ପୂରା ନେଟୱର୍କ କଣ ? ୪ ଅଭିଯୁକ୍ତଙ୍କ ବାଦ ଆଉ କିଏ କିଏ ଏହି ରାକେଟରେ ସାମିଲ ? କାହିଁକି ଶତ୍ରୁଙ୍କ ଟାର୍ଗେଟରେ ତଳିଆ କର୍ମଚାରୀ ? ନେଟୱର୍କ ସଂପର୍କରେ ଅଧିକାରୀ ଜାଣିଥିଲେ କି ନାହିଁ ? ଏମିତି ସବୁ ପ୍ରଶ୍ନ ପ୍ରସ୍ତତ କରି ବାଲେଶ୍ୱରରେ ପହଞ୍ଚିଛି ୪ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍। ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ୍ ମାମଲା ମାନେ ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି। ଶତ୍ରୁ ଦେଶ ପାଇଁ ସୁନ୍ଦରୀ ନେଉଥିଲେ ସିକ୍ରେଟ୍ ଡାଟା। ହନିଟ୍ରାପରେ ଫସିଥିଲେ ଡିଆର୍ଡିଓର ୪ ଅସ୍ଥାୟୀ କର୍ମଚାରୀ। ଏନେଇ ଫୋନ୍ କଲ୍ ବଢାଇଥିଲା ସନ୍ଦେହ। ଯାଞ୍ଚ ପରେ ପୁରା ଘଟଣା ଉପରୁ ପରଦା ଉଠିଥିଲା। ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଂଗୀନ୍ ଦଫାରେ ମାମଲା ରୁଜୁ ହୋଇଛି।

ଅଶ୍ଲିଳ ଚାଟ୍ ଦ୍ୱାରା ଟ୍ରାପ୍

ଏହି ଚାରି ଠିକା କର୍ମଚାରୀଙ୍କୁ ପାକିସ୍ତାନରେ ବସିଥିବା ଆଇଏସଆଇ ଏଜେଣ୍ଟ୍ ଟ୍ରାପ୍ କରିଥିଲେ । ସେମାନଙ୍କ ସହିତ ଏହି ଏଜେଣ୍ଟ୍ ନିୟମିତ ଭାବେ ଅଶ୍ଲିଳ ଚାଟ୍ କରୁଥିବା ମଧ୍ୟ କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ହନିଟ୍ରାପ୍ରେ ଫସି ସୁନ୍ଦରୀଙ୍କୁ ଦେଉଥିଲେ ଭିଡିଓ, ଫୋନ୍ କଲ, ସୋସିଆଲ୍ ମିଡିଆ ଓ ମେସେଜ୍ ମାଧ୍ୟମରେ ବିଭିନ୍ନ ଗୁପ୍ତ ତଥ୍ୟ। ଫେସବୁକ୍ ଆକାଉଣ୍ଟର ତଦନ୍ତ ହେବା ପରେ ଜଣା ପଡ଼ିଥିଲା ୪ ଜଣ ଅଭିଯୁକ୍ତିଙ୍କ ଆକାଉଣ୍ଟରେ ରହିଛନ୍ତି ବାହାର ଦେଶର ଶତାଧିକ ବନ୍ଧୁ ଏବଂ ତନ୍ମଧ୍ୟରୁ ପାକିସ୍ତାନର ଜଣେ ମହିଳା। ପାକିସ୍ତାନରେ ମହିଳା ସାଙ୍ଗ ଥିଲେ ହନିଟ୍ରାପର ମାୟା ସୁନ୍ଦରୀ। ମାୟା ସୁନ୍ଦରୀ ଜଣକ ମିଠା ମିଠା କଥାରେ ଫସାଇ ଆଦାୟ କରୁଥିଲେ ସବୁ ଗୁପ୍ତ ତଥ୍ୟ। ଅଭିଯୁକ୍ତମାନେ ତାଙ୍କ ମାୟାବିନୀ ଜାଲର ଶିକାର ହୋଇ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ତାଙ୍କୁ ପ୍ରଦାନ କରିଥିଲେ। ଏପରିକି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟ ସଂପର୍କରେ ତଥ୍ୟ ପାଇବା ଲାଗି ଉକ୍ତ ପାକିସ୍ତାନୀ ମହିଳା ଏହି ୪ ଠିକା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ସେପଟେ ପରସ୍ପର ସହ ମିଶିବା ପାଇଁ ଅଭିଯୁକ୍ତମାନେ ସଂପୃକ୍ତ ମହିଳାଙ୍କୁ କୋଲକାତା ଆସିବାକୁ କହିଥିବା ସ୍ୱୀକାର ମଧ୍ୟ କରିଛନ୍ତି। ଆଇଏସ୍ଡି କଲ୍ ମାଧ୍ୟମରେ ଏହି ସବୁ ତଥ୍ୟ ଆଦାନ ପ୍ରଦାନ ଚାଲିଥିବା ବେଳେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏମାନଙ୍କ ମୋବାଇଲ ବାର୍ତ୍ତାଳାପକୁ ଟ୍ରାକିଂ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରିଥିଲା। ଭଏସ୍ କଲ ରେକର୍ଡରେ ଉକ୍ତ ମହିଳାଙ୍କ ସ୍ୱର ଓ ବାର୍ତ୍ତାଳାପକୁ ଗୁଇନ୍ଦା ଏଜେନ୍ସି ରେକର୍ଡିଂ କରିଥିବା ଜଣାଯାଇଛି।

କେମିତି ଧରା ପଡିଥିଲେ ?

୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍ ଦ୍ୱାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ। ପାକିସ୍ତାନ ଏଜେଣ୍ଟଙ୍କୁ ବାରୁଦ କାରଖାନା ଠାରୁ ଆରମ୍ଭ କରି ମିଲିଟାରୀ ବ୍ଲୁ-ପ୍ରିଣ୍ଟ ପଠାଉଥିଲେ ଅସ୍ଥାୟୀ କର୍ମଚାରୀ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଲିକ୍ ହେଉଥିଲା ଏହି ସବୁ ଗୁପ୍ତ ତଥ୍ୟ। ଏହି ଚାରି ଜଣଙ୍କ ନିକଟକୁ ନିୟମିତ ଭାବେ ପାକିସ୍ତାନରୁ ଫୋନ୍ କଲ୍ ଏବ˚ ଟଙ୍କା ଆସୁଥିବା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ ପ୍ରଥମେ ସୂଚନା ପାଇଥିଲା। ଏହାପରେ ଡିଆରଡିଓର ଏହି ଚାରି କର୍ମଚାରୀଙ୍କୁ ଟ୍ରାକ୍ କରିବାକୁ ଓଡ଼ିଶା ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାପରେ ସାମ୍ନାକୁ ଆସିଥିଲା ପୁରା ଘଟଣା। କେମିତି ହନିଟ୍ରାପରେ ଫସିଲେ କେମିତି ଦେଉଥିଲେ ଗୁପ୍ତ ତଥ୍ୟ ତାହା ଧିରେ ଧିରେ ଖୋଲିବାକୁ ଆରମ୍ଭ କରିଥିଲା।

Leave a Reply