spot_img
Home Blog Page 5301

‘ଆୟୁଷ୍ମାନ ଭାରତ ଇନ୍ସୁରାନ୍ସ କିନ୍ତୁ ବିଏସ୍‌କେଓ୍ୱାଇ ଏସୁରାନ୍ସ, ଆମେ କଲୁ ଆପଣ ବି କରିବେ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପ୍ରତି ବିଜେପିର ଅସହିଷ୍ଣୁତା ମନୋଭାବ ଦେଖିବାକୁ ମିଳିଛି। ରାଜ୍ୟବାସୀଙ୍କୁ ଉନ୍ନତ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପରେ ବିଚଳିତ ହୋଇପଡ଼ିଛି ବିଜେପି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତକୁ ଲାଗୁ କରିବା ପାଇଁ ପୁଣି ଟ୍ୱିଟ କରି ଦାବି ଦୋହରାଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହେଲେ ରାଜ୍ୟ ସରକାରଙ୍କ BSKY କାର୍ଡ ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ। ଏନେଇ ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ।

ଧର୍ମେନ୍ଦ୍ରଙ୍କ ଟ୍ୱିଟରେ ପ୍ରତିକ୍ରୟା ଦେଇ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ଆୟୁଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ, କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ୯୬ ଲକ୍ଷ ପରିବାର। ଯାହା ପ୍ରାୟ ଶତ ପ୍ରତିଶତ। ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ୍ ସମେତ ମାତ୍ର ୫ ଲକ୍ଷ ଟଙ୍କାରେ ସୀମିତ ରହୁଛି। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ। ଆୟୁଷ୍ମାନ ଭାରତରେ ନିର୍ଦ୍ଦିଷ୍ଟ ଭାବେ ମା’ମାନଙ୍କ କୌଣସି ସୁବିଧା ନଥିବା ବେଳେ, BSKYରେ ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି।

ପ୍ରଣବ ଆହୁରି ଲେଖିଛନ୍ତି ଯେ ଆୟୁଷ୍ମାନରେ ଆପୋଲୋ, ଫର୍ଟିଜ ଭଳି ହସ୍ପିଟାଲ ଅନ୍ତର୍ଭୁକ୍ତ ନୁହେଁ। କିନ୍ତୁ BSKYରେ ଆପୋଲୋ, ଫର୍ଟିଜ ସହ ପ୍ରାୟ ସମସ୍ତ ବଡ଼ ବଡ଼ ହସ୍ପିଟାଲ ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏସୁରାନ୍ସ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଭରସା। ଆଜିଠି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୩ ନାମଲେଖା ପାଇଁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସ୍ୱୟଂ ଶାସିତ ଓ ଡିଗ୍ରୀ ମହାବିଦ୍ୟାଳୟରେ ଇ- ଆଡ଼ମିଶନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଦିନ ୧୧ଟାରେ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେଶନ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧ ଟା ୪୫ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ।

ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏଥିପାଇଁ ସେପ୍ଟେମ୍ବର ୧୪ ସୁଦ୍ଧା ଛାତ୍ରଛାତ୍ରୀ ନାମ ଲେଖା ଫି ଦାଖଲ କରିପାରିବେ। ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟର ନାମଲେଖା। ସେପ୍ଟେମ୍ବର ୨୧ ତାରିଖ ଦିନ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଫି ଦାଖଲ ସହ ୨୨ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ। ୨୭ ତାରିଖ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ଏହି ନାମଲେଖା ଚାଲିବ। ଏହା ପରେ ବଳକା ସିଟ ପୂରଣ ନେଇ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରିହେବ।

ଆହତଙ୍କୁ ଭେଟିଲେ ଓଡ଼ିଶା-ମୋ ପରିବାର ଆବାହକ ଓ ଚିଲିକା ବିଧାୟକ

ଭୁବନେଶ୍ୱର:  ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଓଡ଼ିଶା-ମୋ ପରିବାର ଆବାହକ ଓ ଚିଲିକା ବିଧାୟକ । ଭୁବନେଶ୍ବର ଏମ୍ସରେ ଚିକତ୍ସିତ ହେଉଥିବା ସମସ୍ତ ଆହତଙ୍କ ନିକଟରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।  ଗୁରୁବାର ସାଢେ ୭ଟା ବେଳେ ଖୋର୍ଦ୍ଧା ବାଣପୁର ସ୍ଥିତ ଗମ୍ଭାରିମୁଣ୍ଡା ଗାଁରେ ଘଟିଥିଲା ଅଘଟଣ । କୌଣସି କାରଣରୁ ଗ୍ୟାସ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ୬ ଜଣ ଗୁରୁତ୍ତର ଭାବେ ଆହତ ହୋଇଥିଲେ ।

୪ଜଣ ବ୍ୟକ୍ତିଙ୍କ ୯୦ ଭାଗ ଓ ୨ ଜଣଙ୍କର ୭୦ ଭାଗ ଶରୀର ପୋଡ଼ି ହୋଇଯାଇଛି । ସେମାନଙ୍କ ମଧ୍ୟରୁ ୫ଜଣ ଭୁବନେଶ୍ୱର ଏମସ୍ ରେ ଚିକିତ୍ସିତ ହେଉଥିବାବେଳେ ଜଣେ କଟକ ବଡ଼ ମେଡ଼ିକାଲର ଭର୍ତ୍ତି ହୋଇଛନ୍ତି । ଏମସ୍ ଏବଂ କଟକ ମେଡ଼ିକାଲରେ ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସଂଚାଳକମାନେ ଆହତଙ୍କ ଆଡମିସନ ପ୍ରକ୍ରିୟାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ। ଏହି ଦୁଃଖଦ ଦୁର୍ଘଟଣା ଖବର ଶୁଣି ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟନାୟକ ଏବଂ ବିଧାୟକ ପ୍ରଶାନ୍ତ ଜଗଦେବ ଏମସ୍ ଯାଇ ଡାକ୍ତରଙ୍କୁ ଭେଟି ଆହତଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ସେମାନଙ୍କର କିପରି ଉତ୍ତମ ଚିକିତ୍ସା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ଆସିଲା ତୁଷାର ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ଶ୍ୱାସରୁଦ୍ଧ ହେବାରୁ ଘଟିଛି ମୃତ୍ୟୁ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର କାନ୍ତଙ୍କ ଆସିଲା ଵ୍ୟଵଛେଦ ରିପୋର୍ଟ। ପାଣିକୁ ଡେଇଁ ପଡିବାରୁ ଶ୍ୱାସରୁଦ୍ଧ ହୋଇ ତୁଷାରଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ । ଏନେଇ ପରିବାର କୁ ଜଣାଇଛି ପୋଲିସ । ହେଲେ ଏପର୍ଯ୍ୟନ୍ତ ରିପୋର୍ଟର କପି ପରିବାର ଲୋକଙ୍କୁ ଦେଇନାହିଁ ପୋଲିସ । ଏହାକୁ ନେଇ ତୁଷାର ବାପା ଗଣମାଧ୍ୟମକୁ ପତିକ୍ରିୟା ଦେଇଛନ୍ତି । ପୋଲିସ ଆରମ୍ଭରୁ ଘଟଣାକୁ ହାଲ୍କା ଭାବରେ ନେଇଛି ।

ତୁଷାରକୁ ମାନସିକ ଯନ୍ତ୍ରଣା ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଲିଖିତ ଏତଲାକୁ ଏପର୍ଯ୍ୟନ୍ତ ପୋଲିସ ରୁଜ୍ଜୁ କରିନାହିଁ । ତେଣୁ ବାଧ୍ୟ ହୋଇ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ଵାରସ୍ତ ହେବେ ବୋଲି କହିଛନ୍ତି ତୁଷାର ବାପା । ସେପଟେ ତୁଷାରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା କରିବାକୁ ଅନୁମତି ମାଗିବାକୁ ଯାଇଥିବା ସମ୍ପର୍କୀୟଙ୍କୁ ଏହି ମାମଲାରେ ମୁଣ୍ଡ ନପୁରାଇବାକୁ ପରୋକ୍ଷରେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରି କହିବା ଓ ପୁରା ମାମଲାକୁ ଖାମଖିଆଲି ଭାବରେ ଗ୍ରହଣ ନେଇ କାରଣ କଣ ଥାଇପାରେ ବୋଲି ପ୍ରଶ୍ନ କରିଛନ୍ତି ତୁଷାରଙ୍କ ପରିବାର ।

ମାଲକାନଗିରିରେ ମାଇଲଷ୍ଟୋନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବାସ୍ତବ ରୂପ ନେଉଛି ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା, ସୁଖୀ ଓଡ଼ିଶାର ସ୍ବପ୍ନ । ମାଲକାନଗିରି ମାଟିରୁ ଆରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିବ ନୂଆ ବିପ୍ଳବ । ହିତାଧିକାରୀଙ୍କୁ ସିଧାସଳଖ କାର୍ଡ ବାଣ୍ଟିବା ପାଇଁ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ।ସ୍ବାସ୍ଥ୍ୟ କ୍ଷେତ୍ରରେ ଜନତାଙ୍କ ପାଇଁ ସବୁଠୁ ବଡ଼ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ।

ଆସନ୍ତାକାଲି ଲୋକଙ୍କୁ ବଣ୍ଟାଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଡିଜିଟାଲ କାର୍ଡ । ଆଦିବାସୀ ଅଧିଷ୍ୟୁତ ମାଲକାନଗିରି ଜିଲ୍ଲାରେ ଶୁଭ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ସର୍ବମୋଟ 1 ଲକ୍ଷ 55 ହଜାର 823 କାର୍ଡ ବଣ୍ଟନ କରାଯିବ । କାର୍ଡଧାରୀଙ୍କ ପାଇଁ 5 ଲକ୍ଷରୁ 10 ଲକ୍ଷ ଯାଏଁ ସ୍ବାସ୍ଥ୍ୟ ବୀମା ରହିବ । କାଲିମେଳା ବ୍ଲକରେ ସର୍ବାଧିକ 36 ହଜାର 862 ଜଣ ହିତାଧିକାରୀ ଥିବା ବେଳେ ମାଲକାନଗିରି ବ୍ଲକରେ 26 ହଜାର 839, ମାଥିଲିରେ 22 ହଜାର 889, କୋରୁକୋଣ୍ଡାରେ 18 ହଜାର 550, ଚିତ୍ରକୋଣ୍ଡାରେ 16 ହଜାର 788, ଖଇରପୁଟରେ 14 ହଜାର 738, ପଡିଆ ବ୍ଲକରେ 11 ହଜାର 779, ମାଲକାନଗିରି ପୌରପରିଷଦରେ 5 ହଜାର 173 ଏବଂ ବାଲିମେଳା ଏନଏସିରେ 2 ହଜାର 205 ହିତାଧିକାରୀ ଏହି ସୁବିଧା ପାଇବେ ।

ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ମାଲକାନଗିରି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତା 21ରୁ 25 ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଗଞ୍ଜାମ ଗସ୍ତ କରିବେ ବିଧାୟକ ଓ ବିଧାୟିକା, ବୁଲି ଦେଖିବେ ସ୍ମାର୍ଟ କ୍ଲାସ

ଭୁବନେଶ୍ୱର: ଆସନ୍ତା ୨୧ରେ ଗଂଜାମ ଜିଲ୍ଲା ଗସ୍ତରେ ଆସିବେ ୧୦୮ ବିଧାୟକ ଓ ବିଧାୟିକା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳୀକାଟୁ ଓ ଶେରଗଡ଼ର ସ୍କୁଲ ମାନଙ୍କରେ କରାଯାଇଥିବା ସ୍ମାର୍ଟକ୍ଲାସ୍ ବୁଲିଦେଖିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଆସି ସ୍କୁଲ ବୁଲିବେ ବିଧାୟକ-ବିଧାୟିକା ।

ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ୫୦ଟି ହାଇସ୍କୁଲରେ ନିର୍ମାଣ କରାଯାଇଛି ସ୍ମାର୍ଟ କ୍ଲାସରୁମ୍ । ଏଥିସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, କମ୍ପୁଟର କ୍ଲାସ ଓ ଖେଳ ପଡିଆର ଉନ୍ନତିକରଣ କାର୍ଯ୍ୟ କରାଯାଉଛି । ଜିଲ୍ଲାର ମୋଟ ୧୩୩ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯାଉଛି ।

ପୁଣି ଆନ୍ଧ୍ରର ମନମାନି, ଫାଟୁସିନେରୀରେ ପଞ୍ଚାୟତରେ କାର୍ଯ୍ୟକ୍ରମ

କୋରାପୁଟ: ବିସ୍ତାରବାଦ ନୀତି ଛାଡିପାରୁନି ଆନ୍ଧ୍ର । ପୁଣି କୋଟିଆରେ ଅନୁପ୍ରବେଶ କରି ନିଜ ହୀନ ଚକ୍ରାନ୍ତକୁ ଫଳବତୀ କରିବାକୁ ଚେଷ୍ଟା କରିଛି ଆନ୍ଧ୍ର ପ୍ରଶାସନ । ଫାଟୁସିନେରୀ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଭୂମିପୂଜନ କରିଛନ୍ତି ଆନ୍ଧ୍ର ଅଧିକାରୀ । ଫାଟୁସିନେରୀରେ ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର ଓ ଫଗୁଣ ସିନେରୀରେ କୃଷକ ବନ୍ଧୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମିପୂଜନ କରିଛନ୍ତି ।

ପାର୍ବତୀପୁରମ ପିଏ ITDA ଆର. କୁର୍ମାନାଥ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସୂଚନା ମିଳିଛି । ଅଗଷ୍ଟ ୧୬ରେ ଭୂମିପୂଜନ ପାଇଁ ଯୋଜନା ରଖିଥିଲା ଆନ୍ଧ୍ର । ମାତ୍ର କୋଟିଆରେ ପହଞ୍ଚି ସର୍ବଦଳୀୟ ନେତା ପ୍ରବଳ ବିରୋଧ କରିବାରୁ ଆନ୍ଧ୍ର ଅଧିକାରୀଙ୍କ ଦେଖାନଥିଲା । ଏବେ ସୀମାନ୍ତରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବାରୁ ଏଭଳି ହୀନ ଉଦ୍ୟମ କରିଛି ଆନ୍ଧ୍ର ।

ଶିଶୁର ଅପରେସନ ପାଇଁ ମେଡାଲ ବିକିଲେ ପୋଲାଣ୍ଡର ପ୍ରସିଦ୍ଧ ଅଲମ୍ପିଆନ

ନୂଆଦିଲ୍ଲୀ: ନିଜ ଅଲମ୍ପିକ୍ସ ପଦକ ବିକ୍ରି କଲେ ପୋଲାଣ୍ଡର ମହିଳା ଜାଭେଲିନ୍ ଥ୍ରୋଅର୍ ମାରିଆ ଆଣ୍ଡ୍ରାଇଜ୍। ଯାହାପରେ ସେ ଏବେ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ। ଜଣେ ଆଠ ମାସର ଶିଶୁ ପାଇଁ ସେ ନିଲାମ କରିଛନ୍ତି ନିଜର ବଡ଼ ସଫଳତାର ସନ୍ତକ। ଟୋକିଓ ଅଲିମ୍ପିକ୍ସରେ ପାଇଥିବା ରୌପ୍ୟ ପଦକଙ୍କୁ ସେ ନିଲାମ କରି ଦେଇଛନ୍ତି ।

https://www.instagram.com/p/CSpLODRMFL4/?utm_source=ig_web_copy_link

ଟୋକିଓରେ ଖେଳାଯାଇଥିବା ଅଲମ୍ପିକ୍ସରେ ମାରିଆ ଏହି ପଦକ ଜିତିଥିଲେ । ସେ ପଦକ ନିଲାମରୁ ୨ ଦଶମିକ ୫ ମିଲିୟନରୁ ଅଧିକ ଟଙ୍କା ଆୟ କରିଛନ୍ତି । ଗୋଟିଏ ଶିଶୁର ଅସ୍ତ୍ରୋପଚାର ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି । ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ୨୫ବର୍ଷିୟା ମାରିଆ ସାହାଯ୍ୟ କରିବାକୁ ଚାହୁଁଥିଲେ।

ତାଙ୍କ ଫେସବୁକ୍ ପୃଷ୍ଠାରେ ଏହା ଲେଖିଥିଲେ । ସେ ଯାହା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚାହୁଁଥିଲେ, ସେ ଏବେ ଆମେରିକାର ଷ୍ଟାନଫୋର୍ଡ ହସ୍ପିଟାଲରେ ହାର୍ଟ ସର୍ଜରୀ ପାଇଁ ଭର୍ତ୍ତି ହୋଇଛନ୍ତି । ପୋଲାଣ୍ଡର ଷ୍ଟୋର ଜବକା ଏହି ପଦକ ପାଇଁ ଟେଣ୍ଡର କରିଛନ୍ତି । ଅର୍ଥ ପ୍ରଦାନ ପରେ ସେ ପଦକ ନେଇଛନ୍ତି।

 

ଚାଇନା ଟ୍ୟାଙ୍କ ଓ ଆମେରିକାର ବନ୍ଧୁକ ଦମରେ ଯୁଦ୍ଧ ଜିତିଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ନିଜ ହତିଆର ଦମରେ ପୂରା ଦେଶରେ ଆତଙ୍କ ଖେଳାଇଛି ତାଲିବାନ। ସାଧାରଣ ଲୋକଙ୍କୁ ମାରୁଥିବା ବେଳେ ଆଫଗାନ ସେନାଙ୍କ ଠାରୁ ଲୁଟି ନେଉଛନ୍ତି ଅସ୍ତ୍ରଶସ୍ତ୍ର। ଜାଣନ୍ତୁ ଆଫଗାନିସ୍ତାନରେ କିଭଳି ରହିଛି ସ୍ଥିତି ଓ ତାଲିବାନ ପାଖରେ କେଉଁସବୁ ଅସ୍ତ୍ରଶସ୍ତ୍ର ରହିଛି। କେଉଁଠୁ ଆସିଲା ଏସବୁ ହତିଆର ଓ କେତେ ଭୟାନକ ଏହା…

ୟୁଏନର ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆଫଗାନିସ୍ତାନରେ ତାଲିବାନୀ ସଂଘର୍ଷ ଯୋଗୁଁ ପାଖାପାଖି ୧୭ଶହ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତୀତ ୩୫୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ତାଲିବାନ ପାଖରେ ଯୁଦ୍ଧ କରିବା ଲାଗି ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ରହିଛି । ତାଲିବାନ ଆତଙ୍କବାଦୀଙ୍କ ପାଖରେ ରହିଛି ଏକେ-୪୭, ଏକେ-୫୬, ରକେଟ୍ ପ୍ରୋପେଲ୍ଡ ଗ୍ରେନେଡ୍, ଆଣ୍ଟି ଏୟାରକ୍ରାଫ୍ଟ ଗନ୍, ଲାଇଟ୍ ମେସିନ୍ ଗନ୍, ପିସ୍ତଲ୍, ହେଣ୍ଡଗ୍ରେନେଡ୍, ଟ୍ୟାଙ୍କ୍ ଓ ମୋର୍ଟାର ଆଦି ।

ଷ୍ଟେଟିଷ୍ଟା ନାମକ ୱେବସାଇଟ୍ ଅନୁଯାୟୀ, ତାଲିବାନ ୧୪ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନର ୩୦୩ HMMWV ଉପରେ କବଜା କରିନେଇଥିଲେ । ଏବଂ ପ୍ରାୟ ୪୧ଟିକୁ ବର୍ବାଦ କରିଦେଇଛନ୍ତି । ୨୫୬ ଫୋର୍ଡ ରେଞ୍ଜର ନାମକ ସୈନ୍ୟ ବାହିନୀକୁ କବଜା କରିବା ସହ ୨୧କୁ ନଷ୍ଟ କରିଦେଇଥିଲେ । ୧୩୩ ନେବିଷ୍ଟାର ଇଣ୍ଟରନ୍ୟାସନାଲ୍ ୭୦୦୦ ସିରିଜ ଟ୍ରକ୍ ଉପରେ କବଜା କରିଛନ୍ତି । ୩୩ ଟ୍ୟାଙ୍କ ଓ ମୋର୍ଟାସ ଏବଂ ୨୩ M117 ଆର୍ମର୍ଡ ସିକ୍ୟୁରିଟି ଭେହିକିଲ୍ ଉପରେ କବଜା କରିଛନ୍ତି । ତାଲିବାନୀର ୪ ଆଫଗାନୀ ହେଲିକାପ୍ଟର୍ସକୁ ରକେଟ୍ ପ୍ରାେପେଲ୍ଡ ଗ୍ରେନେଡକୁ ଖସାଇ ଦେଇଥିଲେ । ଏହା ବ୍ୟତୀତ ୩ ଆଣ୍ଟି-ଏୟରକ୍ରାଫ୍ଟ୍ ବନ୍ଧୁକ ଉପରେ କବଜା କରିବା ସହ 2ଟି-55 ଓ ଟି-62 ଟ୍ୟାଙ୍କକୁ ମଧ୍ୟ କବଜା କରାଯାଇଛି।

ଆମେରିକା ମଧ୍ୟ ଆଫଗାନିସ୍ତାନକୁ ଏପ୍ରିଲରୁ ଜୁଲାଇ ୨୦୨୧ ମଧ୍ୟରେ ଅନେକ ହତିଆର ଓ ଯାନବାହାନ ଦେଇଛି । ଯେଉଁଥିରେ ୬ଟି A-29 ଲାଇଟ୍ ଆଟାକ୍ ହେଲିକାପ୍ଟର୍ସ, ୧୭୪ ହାଇ ମୋବିଲିଟି ମଲ୍ଟିପର୍ପଜ୍ ହ୍ୱିଲ୍ଡ୍ ଭେହିକିଲ୍ (Humvees), ୨.୭୫ ମିମି. ର ୧୦ ହଜାର ହାଇ ଏକ୍ସପ୍ଲୋସିଭ୍ ରକେଟ୍ସ, ୪୦ ମିମି.ର ୬୧ ହଜାର ହାଇ ଏକ୍ସପ୍ଲୋସିଭ୍ ରାଉଣ୍ଡସ୍, ୦.୫୦ କେଲିବରର ୯ ଲକ୍ଷ ରାଉଣ୍ଡସ୍ ଓ ୭.୬୨ ମିମି.ର ୨୦.୧୫ ଲକ୍ଷ ଗୁଳି ଦେଇଥିଲା । ଯେଉଁଥିରୁ ଅଧିକାଂଶକୁ ତାଲିବାନୀ ମାନେ କବଜା କରିନେଇଛନ୍ତି ।

ଆଫଗାନ୍ ସେନା ପାଖରେ ୮ଟି ଆଣ୍ଟି-ଏୟାରକ୍ରାଫ୍ଟ ଗନ୍ ରହିଛି । ଯାହା ଚୀନ୍ ଦ୍ୱାରା ନିର୍ମିତ । ଏହି ୮ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ବର୍ତ୍ତମାନ ସମୟରେ ତାଲିବାନ ପାଖରେ ରହିଛି । ଏହାବ୍ୟତୀତ ତାଲିବାନୀ ମାନେ ଆଫଗାନ ସେନା ପାଖରେ ଥିବା ୨୩ ଏୟାରକ୍ରାଫ୍ଟ ଓ ୭ ହେଲିକାପ୍ଟରକୁ ନଷ୍ଟ କରିବା ସହ ୧୬କୁ ନଷ୍ଟ କରିଦେଇଛନ୍ତି। ଯେଉଁଥିରେ ରୁଷ ଦ୍ୱାରା ନିର୍ମିତ 13Mi-17 ହେଲିକାପ୍ଟର, ଚୀନ ଦ୍ୱାରା ନିର୍ମିତ 1 Mi-35 ହେଲିକାପ୍ଟର, ଆମେରିକାର UH-60A ବ୍ଲେକହକ୍ ଓ 2MD 530F ଏୟାରକ୍ରାଫ୍ଟ ସାମିଲ ରହିଛି ।

ତାଲିବାନୀ ଏତେ ଶକ୍ତିଶାଳୀ ହୋଇପଡିଛି ଯେ ଡୋନ୍ ବି ସେମାନଙ୍କ ଆଗରେ କିଛି ନୁହେଁ । ଆଫଗାନ ସେନା ପାଖରେ ଥିବା ୭ଟି ଡୋନରୁ ଗୋଟିଏ ଡ୍ରୋନକୁ ମାରି ଖସାଇ ଦିଆଯାଇଥିଲା। ଆଉ ବାକି ୬ଟି ଆମେରିକା ଡୋନ୍ ଏବେ ତାଲିବାନ କବଜାରେ ରହିଛି । ଏସବୁ ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ଇନସୁଟ୍ ସ୍କେନଇଗଲ୍ ଡ୍ରୋନ୍ ଅଟେ ।

ଡିଜିଟାଲି ଦକ୍ଷ ହେବେ ଶିକ୍ଷକ, ‘5T ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର- ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟଠାରେ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ୫୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକମାନଙ୍କୁ ଡିଜିଟାଲ ତଥା ସ୍ମାର୍ଟବୋର୍ଡ ମାଧ୍ୟମରେ କିଭଳି ଶିକ୍ଷାଦାନ କରିବେ ସେନେଇ ଅବଗତ କରାଯାଇଥିଲା ।

ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀ ସାହୁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବହାର କରି ଉତ୍ତମାମନର ଶିକ୍ଷାଦାନ ଲାଗି ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେବା ଉଚିତ୍ ବୋଲି ସେ କହିବା ସହ ସ୍ମାର୍ଟକ୍ଲାସ୍ରେ ‘ବ୍ଲେଣ୍ଡେଡ୍ ଲର୍ଣ୍ଣିଂ’ର ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟର ପାସ୍ହାର ଯେପରି ଶତ ପ୍ରତିଶତ ରହିବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ‘ଏ-୧’ ଗ୍ରେଡ୍ରେ କୃତକାର୍ଯ୍ୟ ହେବେ ତାହାଉପରେ ଗୁରୁତ୍ୱ ଦେବାକୁ ପ୍ରମୁଖ ସଚିବ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକଙ୍କୁ ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ କରିବା ଆମ ଲକ୍ଷ୍ୟ । ଆଗାମୀଦିନରେ ନିରନ୍ତର ଭାବରେ ପର୍ଯ୍ୟାୟକ୍ରମେ ସମସ୍ତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ପାଠ୍ୟଖସଡ଼ା ଅନୁଯାୟୀ ସ୍ମାର୍ଟବୋର୍ଡରେ ପାଠ ପଢାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରେଣୀଗୃହରେ ନୂତନ ଜ୍ଞାନକୌଶଳ ଆପଣାଇବାକୁ ଭୟ ନକରି ଏହା ସହ ଧୀରେ ଧୀରେ ଅଭ୍ୟସ୍ତ ହେବାକୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସମସ୍ତ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ତରଫରୁ ‘୫ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟକୁ ଖୁବ୍ଶୀଘ୍ର ଇ-କଣ୍ଟେଣ୍ଟ୍ ପ୍ରଦାନ କରାଯିବ ଏବଂ ଶିକ୍ଷକମାନେ ନିଜେ ଯେପରି କଣ୍ଟେଣ୍ଟ୍ ପ୍ରସ୍ତୁତ କରିପାରିବେ ସେଥିଲାଗି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ଶିକ୍ଷକମାନେ ପିଲାମାନଙ୍କ ସକ୍ରିୟ ସହଭାଗିତାରେ ସ୍ମାର୍ଟ କ୍ଲାସ୍ରୁମ୍ରେ ଶିକ୍ଷାଦାନ କରିବାକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଷୟର ପ୍ରଶିକ୍ଷକମାନେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀଦିନରେ ଅନ୍ୟ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ।