spot_img
Home Blog Page 5261

ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା, ଏକା ସାଙ୍ଗରେ ଚାଲିଗଲେ ୭ ଜଣ

ନୂଆଦିଲ୍ଲୀ: ବେଙ୍ଗାଳୁରୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଳମ୍ବିତ ରାତିରେ କୋରମଙ୍ଗଳ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟର ପିଟିହେଲା ଅଡି କାର୍। କାର୍‌ରେ ଥିବା ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି । ଦୁର୍ଘଟଣାରେ କାର୍ ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ରାତି ପ୍ରାୟ ଗୋଟାଏ ୪୫ରେ ଦ୍ରୁତ ଗତିରେ କାରଟି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଦୁଗୋଡି ପୋଲିସର ତଦନ୍ତ ଜାରି ରହିଛି ।

ମୌସୁମୀ ଅଧିବେଶ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ଅଭୟ, ଡିସିପିଙ୍କ ସୁପରଭିଜନରେ ରହିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ। ଏନେଇ ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା ଗୃହ। ତେବେ ଆଜି ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ପୋଲିସ ଡିଜି ଅଭୟ। ବିଧାନସଭା ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥା ତନତନ କରି ଯାଞ୍ଚ କରିଛନ୍ତି ଡିଜିପି। ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଡିଜିପି।

ଡିସିପିଙ୍କ ସୁପରଭିଜନରେ ରହିବ ସୁରକ୍ଷା ବ୍ୟବସ୍ଥା। ୩୫ ପ୍ଲାଟୁନ ଫୋର୍ସ, ୧୫୦ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ୬ ଅତିରିକ୍ତ ଡିସିପି , ୧୨ ଏସିପି, ୧୩ ଇନସ୍ପେକ୍ଟର, ୬୪ଏସଆଇ ଓ ଏଏସଆଇ, ୨ ୟୁନିଟ୍ ଏସଓଜି ଯବାନ ନିୟୋଜିତ ହୋଇଛନ୍ତି। କୁଇକ୍ ରିଆକ୍ସନ ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୫ଟି କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଧାରଣାସ୍ଥଳ ଉପରେ ସ୍ୱତନ୍ତ୍ର ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର। ୯ ଦିନିଆ ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବ ବୋଲି କହିଛନ୍ତି ପୋଲିସ କମିଶନର। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ରାଜ୍ୟରେ ଖସିବାରେ ଲାଗିଛି କରୋନା ସଂକ୍ରମଣ, ଚିହ୍ନଟ ହେଲେ ୬୩୮ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୪୩ ଆକ୍ରାନ୍ତ। ୨୬ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୬୭, ଲୋକାଲ କେସ୍ ୨୭୧। ଖୋର୍ଦ୍ଧାରୁ ସର୍ବାଧିକ ୨୬୦, କଟକ ଓ ଷ୍ଟେଟପୁଲରୁ ୫୭ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୩୪, ବାଲେଶ୍ୱରରୁ ୨୩, କେନ୍ଦ୍ରାପଡା ଓ ପୁରୀରୁ ୨୧ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୦, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୧୯ଜଣ ଲେଖାଏଁ, ଅନୁଗୁଳରୁ ୧୬, ଭଦ୍ରକ ଓ ବୌଦ୍ଧରୁ ୧୨ଜଣ ଲେଖାଏଁ, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୧୦, ନୟାଗଡ଼, ନୂଆପଡା, ରାୟଗଡ଼ା ଓ ସମ୍ବଲପୁରରୁ ୭ଜଣ ଲେଖାଏଁ, ବରଗଡ଼ରୁ ୬, ଗଞ୍ଜାମ, ଝାରସୁଗୁଡାରୁ ୪ଜଣ ଲେଖାଏଁ, ମାଲକାନଗିରିରୁ ୩, କନ୍ଧମାଳ, କେନ୍ଦୁଝର ଓ ନୂଆପଡାରୁ ୨ଜଣ ଲେଖାଏଁ, ଗଜପତି, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ବଜ୍ରାଘାତରେ ଚାଲିଗଲା ୨୫ ଗାଇଙ୍କ ଜୀବନ

ସମ୍ବଲପୁର: ବଜ୍ରାଘାତରେ ୨୫ ଗାଈ ମୃତ। ଏମିତି ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସାଂଗକୁ ବଜ୍ରାଘାତ ହେବାରୁ ହୋଇଥିଲା। ଏହି ବଜ୍ରାଘାତ ସମୟରେ ଗାଈ ଗୋଠରେ ଥିବା ଗାଈ ମଧ୍ୟରୁ ୨୫ ଗାଈ ମୃତ ହୋଇଥିବା ବେଳେ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଜରେସିଙ୍ଘା ଗାଁରେ ଗାଈସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୫ଟି ଗାଈଙ୍କ ମୃତ୍ୟୁ ହୋଇଥିଲା।

ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷର ଆଧିପତ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ, ଶେଷ ହେଲା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା

କାବୁଲ: ଆଫଗାନିସ୍ତାନରୁ ଶେଷ ହେଲା ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା। ଦୀର୍ଘ ୨୦ ବର୍ଷର ଆଧିପତ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଫଗାନ ମାଟିରୁ ବିଦାୟ ନେଲା ଆମେରିକା। ଶେଷ ପର୍ଯ୍ୟାୟ ଉଦ୍ଧାର ପ୍ରକ୍ରିୟାରେ ଅବଶିଷ୍ଟ ସୈନ୍ୟଙ୍କୁ ଆମେରିକା ନେଇଯାଇଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲା କେନେଥ ମାକେନଜି ଶେଷ ଘୋଷଣାରେ କହିଛନ୍ତି, ଆଫଗାନିସ୍ତାନରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରାଯିବା ସହ ୨୦ବର୍ଷର ସାମରିକ ମିଶନର ଅନ୍ତ ଘଟିଛି।

ଗତକାଲି ଠିକ୍ ମଧ୍ୟରାତ୍ରୀରେ ସି୧୭ ସାମରିକ ବିମାନରେ ହମିଦ କାର୍ଜାଇ ଆନ୍ତର୍ଜାତିକ ବିମାନବନ୍ଦରରୁ ଅବଶିଷ୍ଟ ସୈନ୍ୟ ସ୍ୱଦେଶ ଫେରିଯାଇଥିଲେ। ଏହି ବିମାନରେ ମାର୍କିନ ସୈନ୍ୟ, କିଛି କମାଣ୍ଡର, ରାଷ୍ଟ୍ରଦୂତ ରସ୍ ଓ୍ୱିଲସନ ଓ ଅନ୍ୟ କିଛି କର୍ମଚାରୀ ଆଫଗାନ ମାଟି ଛାଡିଥିଲେ। ଏହା ସହ କାବୁଲସ୍ଥିତି ମାର୍କିନ ଦୂତାବାସରେ ମଧ୍ୟ ତାଲା ଝୁଲିବା ଦେଖାଯାଇଥିଲା। ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇଦେବା ପରେ ଆମେରିକାର ମିଶନ ଶେଷ ହୋଇଥିଲା। ଶେଷ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ୨୦ ବର୍ଷ ପରେ ଆମେରିକାର ଦାୟିତ୍ୱ ଶେଷ ହୋଇଛି।

ଏବେ ବଳକା ଲୋକଙ୍କୁ ନିରାପଦରେ ସେମାନଙ୍କ ନିଜ ନିଜ ଦେଶକୁ ଫେରାଇବା ଦାୟିତ୍ୱ ତାଲିବାନର। ଅଗଷ୍ଟ ୩୧କୁ ଡେଡଲାଇନ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଘୋଷଣା କରିଥିବା ବେଳେ, ଏହି ତାରିଖ ସୁଦ୍ଧା ଦେଶ ଛାଡିବା ଲାଗି ତାଲିବାନ ବି ଡେଡଲାଇନ ଶୁଣାଇଥିଲା। ପୂର୍ବରୁ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, କାନଡା ଆଦି ୨୦ରୁ ଅଧିକ ଦେଶ ପକ୍ଷରୁ ମିଶନ ଶେଷ ହୋଇଯାଇଥିଲା ଏବଂ ସେମାନଙ୍କ ଦେଶର ନାଗରିକମାନେ ସ୍ୱଦେଶ ଫେରିଯାଇଥିଲେ। ଗତ ୨୦୦୧ରେ ଆମେରିକାର ଟ୍ରେଡ ଟାଓ୍ୱାର ଉଡାଇ ଦେବା ପରେ ଅଲ କାଇଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆଫଗାନ ମାଟିକୁ ଯେପରି ଆମେରିକା ବିରୋଧରେ ଉପଯୋଗ କରାଯାଇପାରିବ ନାହିଁ ସେନେଇ ଆମେରିକା ଓ ନାଟୋ ସୈନ୍ୟ ସେଠାରେ ମୁତୟନ ହୋଇଥିଲେ। ଡେଡଲାଇନ ସରିବା ଆଗରୁ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ସହ ରକେଟ ଓ କ୍ଷେପଣାସ୍ତ୍ର ମାଡ ଘଟଣା ଦେଶର ଅସ୍ଥିରତାକୁ ଅଧିକ ଦୋହଲାଇ ଦେଇଥିଲା।

ଅଶ୍ଳିଳ ଭିଡ଼ିଓ ପଠାଇ ପ୍ରେମ ନିବେଦନ ଏବଂ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଛନ୍ତି ଅଧ୍ୟାପକ

ଯାଜପୁର: କଲେଜ ଛାତ୍ରଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଛନ୍ତି ଅଧ୍ୟାପକ। ରସିକିଆ ଅଧ୍ୟାପକ ପାଠ ପଢ଼ାଇବା ବଦଳରେ କରୁଛନ୍ତି ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ। ଯାଜପୁର ଚିତାଳୋ କଲେଜର ଅଧ୍ୟାପକ ନିରଂଜନ ପଣ୍ଡାଙ୍କ ବିରୋଧରେ  କଲେଜ ଛାତ୍ର ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।

ଅଭିଯୋଗ ମୁତାବକ ଅଧ୍ୟାପକ ଜଣକ ବିଭିନ୍ନ ଛାତ୍ରଙ୍କୁ ଅଶ୍ଳିଳ ଭିଡ଼ିଓ ପଠାଇ ପ୍ରେମ ନିବେଦନ କରିବା ସହିତ ନିଜ ରୁମକୁ ଡକାଇଥାନ୍ତି। ତାଙ୍କୁ ପ୍ରେମ କରିବା ସହିତ ରାତିରେ ତାଙ୍କ ରୁମରେ ରହିବା ପାଇଁ ବାଧ୍ୟ କରନ୍ତି। ଅମାନ୍ୟ ହେଲେ ପରିକ୍ଷାରେ ମାର୍କ କମାଇ ଦେବାର ଧମକ ଦେଇଥାନ୍ତି। ଏପରିକି ଅଧ୍ୟାପକଙ୍କ ଅଶ୍ଳିଳ ବାର୍ତାଳପ ଏବଂ ମୋବାଇଲ ସ୍କ୍ରିନ ସଟ ଏବେ ଭାଇରାଲ ହୋଇଛି। ଅଧ୍ୟାପକଙ୍କ ଏଭଳି କାରନାମା ବିରୋଧରେ ଅଭିଯୋଗ କରିବା ପରେ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଧ୍ୟାପକଙ୍କୁ ଅଟକ ରଢ଼ଖି ତଦନ୍ତ ଚଳାଇଛି।

ସଂସ୍କୃତି ବିଭାଗ ପୂର୍ବତନ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ସଂସ୍କୃତି ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କ ପରଲୋକ ହୋଇଛି । ୬୫ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । CHSEର ମଧ୍ୟ ଅଧ୍ୟକ୍ଷ ଥିଲେ ଅମରେନ୍ଦ୍ର ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଆସନ୍ତାକାଲି ଆସିବ ସେପ୍ଟେମ୍ୱର ଗାଇଡଲାଇନ୍: ହଟିପାରେ ସପ୍ତାହାନ୍ତ ସଟ୍‌ଡାଉନ୍

ବିଜେପି ଛାଡ଼ିଲେ ମିଳୁଛି ଧମକ ଚମକ: ଏସ୍‌ପିଙ୍କୁ ଦେଲେ ଲିଖିତ ଅଭିଯୋଗ

ବାରିପଦା: ମୟୂରଭଞ୍ଜରେ ବିଦ୍ରୋହୀ ବିଜେପି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନଙ୍କ ପରିବାରକୁ ରହିଛି ବିପଦ । ସେମାନଙ୍କୁ ସୁରକ୍ଷା ଦେବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭଯୋଗ ଜଣାଇଛନ୍ତି ଜିଲ୍ଲାର ବିଜେପିରୁ ଇସ୍ତଫା ଦେଇଥିବା କିଛି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା । ଗତ ୨୭ ତାରିଖରେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ୧୫ଜଣ ବିଜେପିର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ।

ଏନେଇ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ । ଇସ୍ତଫା ଦେବା ପରେ ଗତ ୨ ଦିନ ଧରି ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ପ୍ରକାର ଧମକ ଚମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲାର ବିଦ୍ରୋହୀ ବିଜେପି ଜିଲ୍ଲା ପରିଷଦ ସଭ୍ୟ ।

ଲିଖିତ ଅଭିଯୋଗ ଅନୁସାରେ ବିଜେପି ଦଳର ଗୁଣ୍ଡାମାନେ ପ୍ରାୟ ଶତାଧିକ ମୋଟର ସାଇକେଲରେ ଆସି ଇସ୍ତଫା ଦେଇଥିବା ସଭ୍ୟ ଓ ସଭ୍ୟମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ବଳପୂର୍ବକ ସାଧା କାଗଜରେ ଦସ୍ତଖତ ନେଉଛନ୍ତି । ଯଦି ଦଳକୁ ନ ଫେରିବେ ତେବେ ବିଦ୍ରୋହୀ ବିଜେପି ସଭ୍ୟ ସଭ୍ୟା ମାନଙ୍କ ପରିବାରର ସଦସ୍ୟମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ମୋବାଇଲରେ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ବିଜେପିରେ ବିରାଟ ଫାଟ, ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ

ଏଥିସହିତ ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ: ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

 

ପାକିସ୍ତାନୀ NSAଙ୍କ ବୟାନ୍, ତାଲିବାନକୁ ସମର୍ଥନ ଦିଅ ନଚେତ ହୋଇପାରେ ୯/୧୧ ଭଳି ଆକ୍ରମଣ

ଇସଲାମାବାଦ: ପାକିସ୍ତାନ ବର୍ତ୍ତମାନ ବିଶ୍ୱ ସମ୍ମୁଖରେ ଖୋଲାଖୋଲି ଭାବେ ତାଲିବାନକୁ ସମର୍ଥନ କରୁଛି। ସୋମବାର ପାକିସ୍ତାନୀ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫଙ୍କ ବିବୃତ୍ତିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଅବଶ୍ୟ ବର୍ତ୍ତମାନ ନିଜର ଏହି ବିବୃତ୍ତିକୁ ବଦଳାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମୋଇଦ ୟୁସୁଫ କହିଛନ୍ତି ଯେ ଯଦି ଆଫଗାନିସ୍ତାନର ନୂତନ ନେତୃତ୍ୱକୁ ସ୍ୱୀକୃତି ନ ଦିଆଯାଏ ତେବେ ପାଶ୍ଚାତ୍ୟ ଦେଶମାନେ ପୁଣି ଥରେ ୯/୧୧ ଭଳି ଆକ୍ରମଣର ଶିକାର ହୋଇପାରନ୍ତି। ଏଭଳି କହି ୟୁସୁଫ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଖୋଲାଖୋଲି ଆକ୍ରମଣରଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ‘ଯଦି ୯୦ ଦଶକର ଭୁଲ ପୁନରାବୃତ୍ତି ହୁଏ ଏବଂ ଆଫଗାନିସ୍ତାନ ଏକୁଟିଆ କରିଦିଆଯାଏ, ତେବେ ଏହାର ପରିଣାମ ମଧ୍ୟ ସେହିଭଳି ହୋଇପାରେ। ଯଦି ସୁରକ୍ଷା ବ୍ୟବସ୍ଥାରେ ଟିକେ ବି ତ୍ରଟି ହୁଏ, ତେବେ ଏହାର ପରିଣାମ ପାକିସ୍ତାନ ହେଉ କି ପାଶ୍ଚାତ୍ୟ ଦେଶ ସମସ୍ତଙ୍କ ପାଇଁ ବିପଦଜନକ ହେବ।’

ତେବେ ଏହି ବିବାଦିୟ ବୟାନକୁ ନେଇ ସମାଲୋଚୋନା ହେବା ପରେ ୟୁସୁଫ ବର୍ତ୍ତମାନ ଖବରକାଗଜକୁ ସାକ୍ଷାତକାର ପ୍ରତ୍ୟାହାର କରିବାକୁ କହିଛନ୍ତି। ବାର୍ତ୍ତାଳାପକୁ ବିକୃତ କରାଯାଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବି ତାଲିବାନକୁ କରିଛନ୍ତି ପ୍ରଶଂସା:

ଜଣାଇଦେବାକୁ ଚାହୁଁ ଯେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ବିଶ୍ୱର ସେହିସବୁ ଦେଶ ମଧ୍ୟରେ ଅଛି ଯେଉଁମାନେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ତାଲିବାନକୁ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ତାଲିବାନର କ୍ଷମତାକୁ ‘ଦାସତ୍ୱର ଶିକୁଳି ଭାଙ୍ଗିବା’ ଭଳି ପଦକ୍ଷେପ ବୋଲି ସେ କହିଥିଲେ। ତାଙ୍କ ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନ ମଧ୍ୟ ତାଲିବାନକୁ ସମର୍ଥନ କରି ରାଲି କରିଥିଲେ। ଏହି ସମାବେଶର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପାକିସ୍ତାନ ବ୍ୟତୀତ ରୁଷ, ଚୀନ୍ ଏବଂ ତୁର୍କୀ ଭଳି ଦେଶ ମଧ୍ୟ ଆରମ୍ଭରୁ ତାଲିବାନ ସହିତ ଭଲ ସମ୍ପର୍କରେ ଥିବା ଦେଖିବାକୁ ମିଳୁଛି।

 

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ: ଆଉ ୧୦ଟି ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ହିଞ୍ଜିଳି: 5-T ସଂସ୍କାର ଅନୁଯାୟୀ ଚାଲିଥିବା ସ୍କୁଲ ରୂପାନ୍ତରଣର କାର୍ଯ୍ୟକ୍ରମର ପଞ୍ଚମ ପର୍ଯ୍ୟାୟରେ ଆଉ ୧୦ଟି ସ୍କୁଲର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହିଞ୍ଜିଳି ଓ ଶେରଗଡରେ ୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ସ୍କୁଲର  ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି । ସେମାନଙ୍କ ମନୋଭାବକୁ ଲକ୍ଷ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ଏ ରୂପାନ୍ତର କାର୍ଯ୍ୟକ୍ରମ ଦୃଢ ଆତ୍ମବିଶ୍ୱାସ ସୃଷ୍ଟି କରିଛି ବୋଲି ସେ ଅନୁଭବ କରିଛନ୍ତି । ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ସେ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି ।

ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ତୁମ ମାନଙ୍କ ଉପରୋ ମୋର ପୂରା ଭରସା ଅଛି । ତୁମେମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡ଼ିଆ ଜାତିର ଗୌରବ ବଢାଇବ, ଏ ବିଶ୍ୱାସ ଆମ ସମସ୍ତଙ୍କ ଭିତରେ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ, “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି ।”

ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର କାର୍ଯ୍ୟକ୍ରମ  ଶିକ୍ଷକ ମାନଙ୍କ ଦାୟିତ୍ୱ ବଢାଇଛି । ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ   ପିଲାମାନଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ  ପରାମର୍ଶ ଦେଇଥିଲେ।  ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବାପାଇଁ  ଶିକ୍ଷକମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଞ୍ଚାୟତ, ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଞ୍ଚାୟତ, ଖରିଡା ହାଇସ୍କୁଲ, ଖରିଡା ପଞ୍ଚାୟତ, ରାମଚନ୍ଦ୍ରପୁର ହାଇସ୍କୁଲ,  ରାମଚନ୍ଦ୍ରପୁର, ଶେରଗଡ଼,  ମକରଝୋଳ ହାଇସ୍କୁଲ, ମକରଝୋଳ ପଞ୍ଚାୟତ, ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି  ପଞ୍ଚାୟତ, କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଞ୍ଚାୟତ, ବାଳିକା ହାଇସ୍କୁଲ, ପିତ୍ତଳ ପଞ୍ଚାୟତ,   ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଞ୍ଚାୟତ, ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି ଶେରଗଡ ପଞ୍ଚାୟତ,  ।

ଏହି ପାଞ୍ଚ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମନର ଖୁସି ବ୍ୟକ୍ତ କରିଥିଲେ । ଭବିଷ୍ୟତରେ ତୁମେ କଣ ହେବାକୁ ଚାହୁଁଛ ବୋଲି ମୁଖ୍ୟମନ୍ତ୍ରୀ ଯେତେବେଳେ ପଚାରିଥିଲେ, ସେମାନେ ସମସ୍ତେ କିଏ ଡାକ୍ତର, କିଏ ଇଞ୍ଜିନିୟର ତ ଆଉ କିଏ ଶିକ୍ଷକ, ଆଇ.ଏ.ଏସ୍‌. ଆଇ.ପି.ଏସ୍‌ ଓ ସାମ୍ବାଦିକ ତଥା ବିଚାରପତି ହେବେ ବୋଲି କହିଥିଲେ । ସେମାନଙ୍କ ମନରେ ଆତ୍ମବିଶ୍ୱାସର ଝଲକ ଭରି ରହିଥିଲା । ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ଆଣିପାରିଛି । ସେମାନେ କହିଥିଲେ ଯେ ଆମେ ସମସ୍ତେ ବର୍ତ୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମରେ କାବେରୀ, ସ୍ୱୟଂ ସମ୍ପୁର୍ଣ୍ଣା, ସୋନାଲି, କାଜଲ, ଶିଳ୍ପା, ଖୁସି, ମାମାଲି, ଶୁଭସ୍ମିତା ପ୍ରମୁଖ ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରୁପାନ୍ତର କାର୍ଯ୍ୟ କ୍ରମ ପାଇଁ ସେମାନେ ଶିକ୍ଷା ଲାଭରେ ବହୁତ ଆଗକୁ ଯାଇପାରି ଛନ୍ତି ବୋଲି ପ୍ରକାଶ କରିଥିଲେ । ଶିକ୍ଷକ ମାନେ ଅଂଶ ଗ୍ରହଣ କରି ଡିଜିଟାଲ ମାଧ୍ୟମରେ ଶିକ୍ଷା ଦାନ ପାଠପଢ଼ାକୁ ଅଧିକ ଆକର୍ଷଣୀୟ କରି ପାରିଥିବା କହିଥିଲେ।

ଏହି ଅବସରରେ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟାନ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରିମଣ୍ଡଳ ସଦସ୍ୟ ଗଣ, ସାଂସଦ, ବିଧାୟକ ମାନେ ସମସ୍ତେ ହିଞ୍ଜିଳି ରେ 5T school transformation ସମ୍ପର୍କରେ ନିଜର ଅନୁଭବ ବର୍ଣନା କରିଥିଲେ। ଏହାଦ୍ବାରା ଓଡ଼ିଶାର ଭବିଷ୍ୟତ ପାଇଁ ଉଜ୍ବଳ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେମାନେ କହିଥିଲେ।