କଟକ: ମହଙ୍ଗା ପଡ଼ିଲା ଦବଙ୍ଗଗିରି । ଗିରଫ ହେଲେ ସମାଜସେବୀ ଓ ତାଙ୍କ ସହଯୋଗୀ । ଗତ ବୁଧବାର କଟକ କାଳିଆ ବୋଦା ଶ୍ମଶାନରେ କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ସମାଜସେବୀ ବିଭୁତି ରାୟ ହଠାତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଶବ ସତ୍କାର କରୁଥିବା ଲୋକେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଥାନା ବାହାରେ ଛକିଥିବା ସମାଜସେବୀଙ୍କ ସହଯୋଗୀ ପୁଣି ସେମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ଚଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ଶ୍ମଶାନର ପରିଚାଳକ ବିଶ୍ୱ ବିଜେତା ପାତ୍ର । ଘଟଣାର ତଦନ୍ତ କରି ବିଭୁତି ଓ ତା’ର ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ଆଉ ଯେଉଁମାନେ ବି ସମ୍ପୃକ୍ତ ଥିବେ ସେମାନଙ୍କୁ ବି ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚାଉଳିଆଗଞ୍ଜ ଥାନା ଅଧିକାରୀ ।
ଦୁଷ୍ମନ୍ତକୁ ଭୁବନେଶ୍ୱର ଡାକି ଆତ୍ମହତ୍ୟା ନେଇ ପ୍ରବର୍ତ୍ତାଇଥିବା ଲୋକଙ୍କୁ ଧରିବାକୁ ପରିବାର ଲୋକଙ୍କ ଦାବି
ପାରାଦୀପ: କେବେ ଧରାହେବେ ଦଷ୍ମନ୍ତଙ୍କ ଦୁଶମନ୍ । କୁଜଙ୍ଗ ଥାନାରେ ଏତଲା ଦିଆଯିବା ପରେ ଦୁଷ୍ମନ୍ତଙ୍କୁ କିଏ ପ୍ରବର୍ତ୍ତାଇଥିଲା, ସେହି ଖଳନାୟକମାନଙ୍କୁ ଖୋଜୁଛି ପୋଲିସ। ଚାଲିପାରୁନଥିବା ଦୁଷ୍ମନ୍ତଙ୍କୁ କିଏ ବିଧାନସଭା ଆଗକୁ ନେଲା? ସେ ବିଷ କେଉଁଠୁ ପାଇଲେ ? ଘଟଣା ପଛରେ କିଏ, ସେମାନଙ୍କୁ ଧରି ଫାଶୀ ଦେଲେ ନ୍ୟାୟ ପାଇବେ ବୋଲି ଦୁଷ୍ମନ୍ତଙ୍କ ମାଆ କହିଛନ୍ତି । କଟକ ଏସସିବି ମେଡିକାଲରେ ପୁଅର ଚିକିତ୍ସା ଚାଲିଥିଲା, ଭଲ ହେବାକୁ ସମୟ ଲାଗିବ ଏବଂ ଫିଜିଓଥେରାପି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ତାଙ୍କୁ ଭୁବନେଶ୍ୱର ଡାକି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଯୁବକଙ୍କୁ ଧରିବାକୁ ଦୁଷ୍ମନ୍ତଙ୍କ ପରିବାର ଦାବି କରିଛନ୍ତି ।
ଦୁଇବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ କୁଜଙ୍ଗ ଓ ପରେ କଟକରେ ଚିକିତ୍ସିତ ହୋଇଥିଲେ ଦୁଷ୍ମନ୍ତ । ସେଠାରେ ତାଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅପରେସନ ମଧ୍ୟ କରାଯାଇଥିଲା। କିନ୍ତୁ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସା ସମୟ ସାପେକ୍ଷ ଥିଲା। ସବୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଇଥିଲା। ତେବେ ତାଙ୍କ ମାନସିକତା ସହ ଖେଳି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସମାଜସେବୀ। ଦୁଷ୍ମନ୍ତଙ୍କ ମାଆ ଏତଲା ଦେବା ପରେ କୁଜଙ୍ଗ ଥାନା ପକ୍ଷରୁ ମାମଲା ରୁଜୁ କରି ମଙ୍ଗଳାବାଗ ଥାନାକୁ ହସ୍ତାନ୍ତର କରାଯାଇଛି।
ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା: ସମଗ୍ର ଶରୀର ଆବୃତ ହୋଇପାରୁନଥିବାରୁ ନିଆଯାଇପାରେ ନିଷ୍ପତ୍ତି
କାବୁଲ: ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା । ମହିଳା କ୍ରିକେଟ ସମେତ ଅନ୍ୟାନ୍ୟ ଖେଳକୁ ନିଷିଦ୍ଧ କରିବା ଲାଗି ଯୋଜନା ପ୍ରସ୍ତୁତ । ଖୁବଶୀଘ୍ର ଏନେଇ ତାଲିବାନ ସରକାର ଘୋଷଣା କରିବେ ବୋଲି କହିଛନ୍ତି ସାଂସ୍କୃତିକ କମିଶନର ଉପମୁଖ୍ୟ ଅହମ୍ମଦୁଲ୍ଲା ଓ୍ୱାସିକ୍ । ସେ କହିଛନ୍ତି, କ୍ରିକେଟ ସମେତ ଅନ୍ୟାନ୍ୟ କ୍ରୀଡାରେ ମହିଳାଙ୍କ ମୁହଁ ଦିଶିବା ସହ ସମଗ୍ର ଶରୀର ଆବୃତ୍ତ ରହୁ ନଥିବାରୁ ଏହା ଇସଲାମ ଧର୍ମର ଅବମାନନା କରୁଛି । ଏଣୁ କ୍ରୀଡାକୁ ନିଷିଦ୍ଧ କରିବା ଲାଗି ସରକାର ଚିନ୍ତା କରୁଛନ୍ତି । ବର୍ତ୍ତମାନ ମିଡିଆ ଯୁଗରେ ମହିଳା କ୍ରୀଡାବିତଙ୍କ ବିଭିନ୍ନ ଫଟୋ ଓ ଭିଡିଓ ନିଆଯିବ ଏବଂ ତାହାକୁ ଲୋକେ ଦେଖିବେ ।
ଇସଲାମ ଧର୍ମରେ ଏହା ନାହିଁ । ଇସଲାମ ଓ ଇସଲାମିକ ଏମିରେଟରେ କ୍ରିକେଟ ଓ ଅନ୍ୟାନ୍ୟ ଖେଳକୁ ଏଥିଲାଗି ଅନୁମତି ଦିଆଯିବ ନାହିଁ । ଗତମାସରେ ଓ୍ୱାସିକ କହିଥିଲେ ପୁରୁଷ କ୍ରିକେଟ ଟିମକୁ ଖେଳିବା ଲାଗି ଅନୁମତି ଦିଆଯିବ । ଆସନ୍ତା ନଭେମ୍ବରରେ ଆଫଗାନ ଟିମ୍ ଏକ ଟେଷ୍ଟ ମ୍ୟାଚ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯଦି ମହିଳା କ୍ରୀଡାକୁ ନିଷିଦ୍ଧ ଲାଗି ତାଲିବାନର ଯୋଜନା ସତ ହୋଇଥାଏ ତେବେ ଟେଷ୍ଟ ମ୍ୟାଚ ଯୋଜନା ବାତିଲ ହୋଇପାରେ । ଉଭୟ ମହିଳା ଓ ପୁରୁଷ କ୍ରିକେଟ ଲାଗି ବେଶ୍ ପ୍ରୋତ୍ସାହନ ଯୋଗାଇ ଆସୁଛି ଅଷ୍ଟ୍ରେଲିଆ । ବିଶେଷ କରି ମହିଳା କ୍ରିକେଟର ପ୍ରସାର ଯେପରି ସାରା ବିଶ୍ୱରେ ହୋଇପାରିବ ସେଥିଲାଗି ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଆସୁଛି । ଯଦି ଆଫଗାନିସ୍ତାନ ସରକାର ମହିଳା କ୍ରିକେଟକୁ ନିଷିଦ୍ଧ କରେ ତେବେ ଅଷ୍ଟ୍ରେଲିଆ ଭିନ୍ନ ନିଷ୍ପତ୍ତି ନେଇପାରେ । ମହିଳା କ୍ରିକେଟ ନେଇ ତାଲିବାନ ସରକାରର ସମ୍ଭାବ୍ୟ ନିଷ୍ପତ୍ତି ଅତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରୀଡ଼ାମନ୍ତ୍ରୀ ରିଚାର୍ଡ କୋଲବେକ । ତାଲିବାନର ଏହି ନିଷ୍ପତ୍ତି ଗ୍ରହଣୀୟ ହୋଇପାରିବ ନାହିଁ । ଏହା ବିରୋଧରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଭାରତୀୟ ଖେଳାଳିଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍: ମ୍ୟାଚ୍ ଖେଳିବାକୁ ଅନିଚ୍ଛା ପ୍ରକାଶ କଲେ ଖେଳାଳି
୩ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ
ପୁରୀ: ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଗଣେଶ ପୂଜାଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଛି । ପୂର୍ବର ଏସ୍ଓପି ଅନୁସାରେ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ତେଣୁ ଲଗାତର ୩ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପରେ ସୋମବାରଠୁ ମନ୍ଦିର ଖୋଲିବା ପରେ ନୂଆ ଏସ୍ଓପି ଅନୁଯାୟୀ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ନୂଆ ଏସଓପିରେ କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ ମନ୍ଦିରକୁ ବନ୍ଦ ରଖିବା ସହ ମନ୍ଦରର ବାହାର ଓ ଭିତର ପାର୍ଶ୍ୱକୁ ସାନିଟାଇଜ କରିବ ଶ୍ରୀମନ୍ଦିର ପ୍ରଶାସନ । ଏହି ନୂଆ ଏସଓପି ଅନୁଯାୟୀ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ସପ୍ତାହର ୬ ଦିନ ମନ୍ଦିର ଖୋଲାରହିବ । ସକାଳ ୬ଟାରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନୁମତି ମିଳିଛି । ସବୁଠୁ ବଡ଼ କଥା ହେଉଛି ଏଣିକି ସପରିବାର ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାକୁ ଅନୁମତି ରହିଛି । ତାହା ସହ ଶ୍ରୀମନ୍ଦିର ଭିତରକୁ ଏଣିକି ଭକ୍ତମାନେ ସମସ୍ତ ପୂଜା ସାମଗ୍ରୀ ନେଇପାରିବେ ।




