spot_img
Home Blog Page 508

ଆଜି ବୁଲାକୁକୁରଙ୍କ ଉପରେ ଆସିବ ସୁପ୍ରିମ ରାୟ

ନନ୍ଦିଘୋଷ ବ୍ୟୁରୋ : ଆଜି ବୁଲାକୁକୁରଙ୍କ ଉପରେ ଅସିବ ସୁପ୍ରିମ ରାୟ। ଦିଲ୍ଲୀର NCR ରାସ୍ତାରୁ ବୁଲା କୁକୁରମାନଙ୍କୁ ହଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟଏବେ ଚୂଡ଼ାନ୍ତ ରାୟ ଦେବେ । ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ତାଙ୍କ ରାୟ ଆଜି ଶୁଣାଇବେ । ଏହି ମାମଲାରେ ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ। ସୁପ୍ରିମକୋର୍ଟ ଗତ ୧୧ ତାରିଖର ମାମଲାର ବିଚାର କରି ରାୟକୁ ସଂରକ୍ଷିତ ରଖିଥିଲେ । ବୁଲା କୁକୁରଙ୍କୁ ଧରିବା ଓ ସୁରକ୍ଷିତ ସ୍ଥାନରେ ରଖିବା  ପ୍ରସଙ୍ଗରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପାଇଁ ଭର୍ତ୍ସନା କରିଥିଲେ ଅଦାଲତ। ପୂର୍ବ ଆଦେଶରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ-ଏନସିଆରର କର୍ତ୍ତୃପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପରେ ପ୍ରବଳ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୁଇ ଜଣିଆ ଖଣ୍ଡପୀଠରୁ ମାମଲା ପ୍ରତ୍ୟାହାର କରିନେଇଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ଯାହା କରିବା ଉଚିତ ତାହା କରୁନାହାଁନ୍ତି ବୋଲି କହିଥିଲେ ଅଦାଲତ। ସେମାନେ ଏଠାରେ ଦାୟିତ୍ୱ ନେବା ଉଚିତ ବୋଲି ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହା କହିଥିଲେ । ଦିଲ୍ଲୀ ଏନସିଆରର ବିଭିନ୍ନ ସଂଗଠନକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ସହ  ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ, ଦିଲ୍ଲୀ ସରକାର, ଦିଲ୍ଲୀ ନଗର ନିଗମ, NDMC, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁକୁର ଆଶ୍ରୟସ୍ଥଳ ତିଆରି ସହ ଏନେଇ କୋର୍ଟକୁ ରିପୋର୍ଟ ଦେବାକୁ କହିଥିଲେ। ଆଶ୍ରୟସ୍ଥଳଗୁଡ଼ିକରେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ କରିବା, ରାସ୍ତା, କଲୋନୀ କିମ୍ବା ସାର୍ବଜନୀନ ସ୍ଥାନରେ ନଛାଡି ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ମୁତୟନ କରିବାକୁ କହିଥିଲେ ଅଦାଲତ। ସମସ୍ତ ଆଶ୍ରୟସ୍ଥଳଗୁଡ଼ିକ ସିସିଟିଭି ଦ୍ୱାରା ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଭଳି ସ୍ଥାନାନ୍ତର ଦ୍ବାରା କୁକୁରଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଥିଲେ ପଶୁପ୍ରେମୀ । ପୁଣି ଥରେ ଅଦାଲତ ବିଚାର କରନ୍ତୁ ବୋଲି ନିବେଦନ କରିଥିଲେ । ଫଳରେ ଅଦାଲତ ର୍ପୂବ ରାୟ ସଂରକ୍ଷିତ ରଖିଥିଲେ ।

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର ;  ଆଇପିଏସ ସ୍ତରରେ ଅଦଳବଦଳ। ୧୮ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଂ ଦାୟିତ୍ଵ ଦିଆଯାଇଛି । ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ସତ୍ୟଜିତ ନାୟକଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ପଦରେ ନିଯୁକ୍ତି ମିଳିଛି। ପିନାକ ମିଶ୍ରଙ୍କୁ ପୂର୍ବାଞ୍ଚଳ ଡିଆଇଜି ଅବସ୍ଥାପିତ କରାଯାଇଛି। ସ୍ମିଥ ପରମାର ହେଲେ କ୍ରାଇମବ୍ରାଞ୍ଚ ଏସପି  । ପ୍ରତୀକ ସିଂଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ପ୍ରତ୍ୟୁଷ ଦିବାକର ବାଲେଶ୍ବର ଏସପି, ବିନୀତ ଅଗ୍ରଓ୍ଵାଲଙ୍କୁ  କଟକ ଗ୍ରାମାଞ୍ଚଳ ଏସପି, ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସପି, ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସପି, ଅମିତ୍ରପାଲ ସିଂ ନୂଆପଡ଼ା ଏସପି, ଅମିତ୍ରପାଲ କୌରଙ୍କୁ ସୁନ୍ଦରଗଡ଼ ଏସପି ଭାବେ ବଦଳି କରାଯାଇଛି। ଭବାନୀ ଶଙ୍କର ଉଦଗାତାଙ୍କୁ କଟକ ଏସପି ଭାବେ ନିଯୁକ୍ତ କରାଯାଇଛି।

ଚୀନ ଠାରୁ ୨୭ କି.ମି. ଦୂରରେ ଉତ୍ତର କୋରିଆ ମୁତୟନ କଲା ପରମାଣୁ କ୍ଷେପଣାସ୍ତ୍ର…

ନନ୍ଦିଘୋଷ ବ୍ୟୁରୋ : ଉତ୍ତର କୋରିଆ ଏକ ଗୁପ୍ତ ଘାଟି ନିର୍ମାଣ କରିଛି । ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ଅନୁଯାୟୀ, କିମ୍ ଜୋଙ୍ଗ ଉନଙ୍କ ସରକାର ଏହି ଘାଟିରେ ୯ଟି ପରମାଣୁ କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚର ରଖିଛନ୍ତି । ଯେଉଁଠାରୁ ଜରୁରୀକାଳୀନ ପରିସ୍ଥିତିରେ ଶତ୍ରୁ ଦେଶଗୁଡ଼ିକ ଉପରେ ଆକ୍ରମଣ କରାଯିବ। ଏହି ଘାଟିର ନାମ ସିନପୁଙ୍ଗ-ଡୋଙ୍ଗ, ଯାହା ଚୀନ ସୀମାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ।

ଏହି ଘାଟି ସମ୍ପର୍କରେ ଉତ୍ତର କୋରିଆ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏକ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ପାଖରେ ବର୍ତ୍ତମାନ ୫୦ଟି ପରମାଣୁ ଅସ୍ତ୍ର ଅଛି, ଯାହା ବିଶ୍ୱରେ ବିନାଶ ଆଣିପାରେ। ଏହି ଘାଟି ଉତ୍ତର ପ୍ୟୋଙ୍ଗୟାଙ୍ଗର ଏକ ଦ୍ୱୀପ ନିକଟରେ ଅବସ୍ଥିତ। ଏଠାରୁ ଚୀନର ଦୂରତା ୨୭ କିଲୋମିଟର। ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଏହି ଘାଟିଟି ବହୁତ ବଡ଼। ଏଠାରେ ଅତି କମରେ ୧୫ଟି କ୍ଷେପଣାସ୍ତ୍ର ରଖାଯାଇପାରିବ। ଉତ୍ତର କୋରିଆ ଏପର୍ଯ୍ୟନ୍ତ ଏହି ଘାଟି ବିଷୟରେ କିଛି କହିନାହିଁ ।

ପର୍ବତ ଉପରେ ଅବସ୍ଥିତ ଏହି ଘାଟି ଚୀନ ନିକଟରେ ଅବସ୍ଥିତ। ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଏହି ଘାଟି ନିର୍ମାଣ କରିବାରେ ବହୁତ ସତର୍କତା ଅବଲମ୍ବନ କରିଛନ୍ତି। ଉତ୍ତର କୋରିଆ ବିଶ୍ୱାସ କରେ ଯେ ଯୁଦ୍ଧ ହେଲେ ମଧ୍ୟ ଆମେରିକା ଏହି ଘାଟି ଉପରେ ଆକ୍ରମଣ କରିବ ନାହିଁ। କାରଣ ଏହି ଘାଟି ଉପରେ ଆକ୍ରମଣର ସିଧାସଳଖ ପ୍ରଭାବ ଚୀନ୍ ଉପରେ ପଡ଼ିବ। ଏପରି ପରିସ୍ଥିତିରେ, ଚୀନ୍ ମଧ୍ୟ ଆମେରିକା ବିରୋଧରେ ଯୁଦ୍ଧରେ ସାମିଲ ହୋଇପାରେ, ଯାହା ଏକ ବଡ଼ ଯୁଦ୍ଧରେ ପରିଣତ ହେବ। ଏହି କାରଣରୁ ଉତ୍ତର କୋରିଆ ସିନପୁଙ୍ଗ-ଡୋଙ୍ଗରେ ଏକ ଗୁପ୍ତ ଘାଟି ନିର୍ମାଣ କରିଛି।

ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି ଅନଲାଇନ ଗେମିଂ ବିଲ୍

ନନ୍ଦିଘୋଷ ବ୍ୟୁରୋ ; ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି ଅନଲାଇନ ଗେମିଂ ବିଲ୍। ଫଳରେ ଡ୍ରିମ 11, ଗେମସ 24X7 ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅଗଷ୍ଟ ୨୦ରେ ଲୋକସଭାରେ ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ସମ୍ମତି ମିଳିଲେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଯୋଗୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଗାଇଡଲାଇନ ପ୍ରସ୍ତୁତ କରିବ ଏବଂ ଦେଶରେ ଇ-ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବା ଲାଗି ଗାଇଡଲାଇନ ପ୍ରସ୍ତୁତ କରିବ। ଏହା ସହ ବୃହତ କ୍ରୀଡ଼ା ନୀତି ବି ପ୍ରସ୍ତୁତ ହେବ। ନୂଆ ନିୟମ ବଳରେ ଅନଲାଇନ ସୋସିଆଲ ଗେମକୁ ସରକାର ସ୍ବୀକୃତି ଦେବା ସହ ଏହାର ଶ୍ରେଣୀ ବିଭକ୍ତ ଓ ପଞ୍ଜିକରଣ କରାଯିବ। ନିରାପଦ, ବୟସ ଅନୁସାରେ ସାମାଜିକଓ ଶିକ୍ଷାଭିତ୍ତିକ ଗେମ୍ ଲାଗି ବ୍ୟବସ୍ଥା କରାଯିବ। ଭାରତୀୟ ମୂଲ୍ୟବୋଧ ସମ୍ପର୍କିତ ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଗେମର ପ୍ରସାରଣ କରାଯିବ। ଅନଲାଇନ ଗେମିଂ ବିଲରେ ଅଫରିଂ, ଅପରେଟିଂ ବା ମନି ଗେମକୁ ନିଷିଦ୍ଧ କରାଯାଇଛି। ମିଡିଆର କୌଣସି ପ୍ଲାଟଫର୍ମରେ ଅନଲାଇନ ଗେମିଂର ବିଜ୍ଞାପନ ଓ ପ୍ରମୋସନ କରାଯାଇପାରିବ ନାହିଁ। ଟଙ୍କା କାରବାର କ୍ଷେତ୍ରରେ ବ୍ୟାଙ୍କ ଓ ପେମେଣ୍ଟ ସିଷ୍ଟମ ଜରିଆରେ ଅର୍ଥ ନେଣଦେଣ ନିଷିଦ୍ଧ କରାଯାଇଛି। ଆଇଟି ଆଇନ ୨୦୦୦ ଅନୁସାରେ ଅନଲାଇନ ଗେମଗୁଡ଼ିକୁ ବ୍ଲକ କରାଯିବ। ବିଲ୍ ଅନୁସାରେ ଦେଶରେ ଅନଲାଇନ ଗେମିଂ ଅଥରିଟି ଗଠନ କରାଯିବ। ବିଲର ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଂଘନ ହେଲେ ୩ ବର୍ଷ ଜେଲଦଣ୍ଡ କିମ୍ବା ୧କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ଅନଲାଇନ ଗେମର ବିଜ୍ଞାପନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଯଦି କୌଣସି ଆର୍ଥିକ କାରବାର ହୁଏ ତେବେ ୩ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଦଣ୍ଡ ପରେ ଯଦି ପୁନର୍ବାର ଅପରାଧ ଘଟାଯାଏ ତେବେ ୩ରୁ ୫ ବର୍ଷ ଜେଲଦଣ୍ଡ ଓ ୨ କୋଟି ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।

ସେପ୍ଟେମ୍ବର ୧୮ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୧୮ରେ ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସରେ ଆସିବ ବିଲ ଓ ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଜେଡିର ଅସ୍ତ୍ର । ଅନାସ୍ଥା ଆଣି ସରକାରଙ୍କୁ ଘେରିବ କଂଗ୍ରେସ । କାଉଣ୍ଟର ପାଇଁ ପ୍ରସ୍ତୁତ ହେବ ଶାସକ ଦଳ । ବିଳମ୍ବ ଘଟିଲା, ଭୟ ଦୂର ହେଲା। ସେପ୍ଟେମ୍ବର ୧୮ ତାରିଖରୁ  ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ ।  ୭ଟି କାର୍ଯ୍ୟଦିବସ ସହ ୨୫ ତାରିଖ ଯାଏ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ତୟାର ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ୧୪ ମାସରେ ବିଜେପି ସରକାର ବିଫଳତାକୁ ବିଧାନସଭାରେ ଉଠାଇ ବିଜେଡି ଜବାବ ମାଗିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ ସରକାର ବିଳମ୍ବରେ ଡାକିଛନ୍ତି ମୌସୁମୀ ଅଧିବେଶନ । ସ୍ଵଳ୍ପ ସମୟର ଅଧିବେଶନ ବସିବ । ଗୃହରେ କଂଗ୍ରେସ ରାଜ୍ୟବାସୀଙ୍କ କଥା ଉଠାଇବ । ଦଳ ଅଭିଯୋଗ କରିଛି ସରକାରଙ୍କ ନିୟନ୍ତ୍ରଣ ବାହାରେ ପ୍ରଶାସନ । ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା , ସୀମା ଓ ଜଳ ସମସ୍ୟାର ଜବାବ ମାଗିବୁ । ଏନେଇ ଆସନ୍ତା ୧୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ ।

ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି ।  ମୌସୁମୀ ଅଧିବେଶନରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ବିଫଳ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଓଡିଶା ଆଗେଇବା ପରିବର୍ତ୍ତେ ପଛେଇ ଯାଇଛି । ଦୁଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିବା ପରେ ଜବାବ ଦେଇଛି ଶାସକ ଦଳ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୌସୁମୀ ସରିଲା ବେଳକୁ ମୌସୁମୀ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି ।

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ବର ; ଶ୍ରାବଣ ସରି ଅଧା ହେଲାଣି ଭାଦ୍ରବ । ଲଗାତାର ଦୁଇ ଦୁଇଟି ଲଘୁଚାପ ବି ହେଲା । ହେଲେ ରାଜ୍ୟରେ ବର୍ଷାର ଅଭାବ ଦେଖା ଦେଇଛି । ୭ ଜିଲ୍ଲାରେ ସ୍ଥିତି ଉତ୍କଟ । ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ୭୬୪.୦ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକ ବର୍ଷା । ମାତ୍ର ୭ଟି ଜିଲ୍ଲାରେ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । କଳାହାଣ୍ଡି ଓ ରାୟଗଡାରେ ସର୍ବାଧିକ ୩୦ ପ୍ରତିଶତ ବର୍ଷା କମ୍ ହୋଇଥିବା ବେଳେ ଗଜପତିରେ ୨୧ ପ୍ରତିଶତ କମ,  ବଲାଙ୍ଗୀରରେ ୨୮ ପ୍ରତିଶତ, ପୁରୀରେ ୨୮ ପ୍ରତିଶତ, ଖୋର୍ଦ୍ଧାରେ ୨୧ ପ୍ରତିଶତ ଓ ଯାଜପୁରରେ ୨୧ ପ୍ରତିଶତ କମ୍ ବର୍ଷା ହୋଇଛି । ସାରା ରାଜ୍ୟରେ ଏଯାଏଁ ୬ ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସ୍ବୀକାର କରିଛି । ଏଥିସହ ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୨୧ ଜିଲ୍ଲାରେ ବର୍ଷା ସ୍ବାଭାବିକ ରେକର୍ଡ ହୋଇଛି ।  ତେବେ ପାଣିପାଗ ବିଜ୍ଞାନି ଡ. ସୁରେନ୍ଦ୍ର ନାଥ ପଶୁପାଳକ ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ କହିଛନ୍ତି । ସୃଷ୍ଟି ହୋଇଥିବା ଦୁଇଟିଯାକ ଲଘୁଚାପ ବ୍ୟାପକ ଅଞ୍ଚଳରେ ବର୍ଷା କରିପାରିନି । ପ୍ରଥମ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ଝାଡ଼ଖଣ୍ଡ ଆଡ଼କୁ ଚାଲିଗଲା । ଯେଉଁଥିପାଇଁ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହୋଇଛି । ଦ୍ବିତୀୟ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗର ହୋଇଥିବାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଲା । ଜଳବାୟୁ ପରିବର୍ତ୍ତନ ବି ସ୍ବଳ୍ପ ବୃଷ୍ଟିପାତ ଏକ ବଡ଼ କାରଣ । ମଧ୍ୟପ୍ରାଚ୍ୟ ଓ ଆରବ ସାଗରରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆର୍ଦ୍ରତା ବଢୁଛି । ବଗତ କିଛି ବର୍ଷ ହେବ ଠିକ୍ ସମୟରେ ବି ମୌସୁମୀ ଆସୁନି । ଯେଉଁଥି ପାଇଁ ଚାଷ ସମୟ, ପଦ୍ଧତି ଓ କିସମରେ ପରିବର୍ତ୍ତନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏପଟେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବରଗଡ଼, ଝାରସୁଗୁଡା, ସମ୍ବଲପୁର,ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ବାକି ୨୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ । ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ୭ ଜିଲ୍ଲାର ତାଲିକାରେ କୃଷି ପ୍ରଧାନ କଳାହାଣ୍ଡି ଓ ବଲାଙ୍ଗୀର ବି ରହିଛି । ବର୍ଷାର ଲୁଚକାଳି ଯୋଗୁଁ ସେସବୁ ଜିଲ୍ଲାର ଚାଷୀ ପ୍ରଭାବିତ ହେବାର ଆଶଂକା ରହିଛି ।

ବାଟବଣା ଶିଶୁବାଟିକା ଯୋଜନା, ନାହିଁ ଭିତ୍ତିଭୂମି ଓ ଆବଶ୍ୟକ ମାନବସମ୍ବଳ

ଭୁବନେଶ୍ୱର : ବିଶେଷଜ୍ଞଙ୍କ ସହ ଆଲୋଚନା ନ କରି ସ୍କୁଲଗୁଡିକରେ ଖୋଲିଚାଲିଲେ ଶିଶୁ ବାଟିକା। ପ୍ରାଥମିକ ଶିକ୍ଷକମାନେ ଶିଶୁ ବାଟିକା ପିଲାଙ୍କୁ ପଢ଼ାଇ ପାରିବେ ନାହିଁ ବୋଲି କହିବା ପରେ ଏବେ ଶିଶୁ ସେବିକା ନିଯୁକ୍ତି ହେଉଛନ୍ତି। ଏହାକୁ ଜୋରଦାର ବିରୋଧ କରିଛି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିଶୁ ବାଟିକାରେ ପଢ଼ାଇବା ପାଇଁ ଡିଇସିଇ, ଇସିସିଇ ବା ଏନଟିଟି ଭଳି ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷା ଆବଶ୍ୟକ। ଏହି ଶିକ୍ଷା ଗ୍ରହଣ କରି ଓଡ଼ିଶାରେ ହଜାର ହଜାର ତାଲିମପ୍ରାପ୍ତ ପ୍ରାକ ପ୍ରାଥମିକ ଶିକ୍ଷକ ବେକାର ବସିଛନ୍ତି। କିନ୍ତୁ ସେମାନଙ୍କୁ ଶିଶୁ ବାଟିକା ପାଇଁ ନିଯୁକ୍ତି ନ ଦେଇ ଶିଶୁ ସେବିକା ନିଯୁକ୍ତି ଦେଲେ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ। ଏହା ସରକାରଙ୍କ କି ପ୍ରକାର ନୀତି ବୋଲି ପ୍ରଶ୍ନ କରିବା ସହ ରାଜ୍ୟର ଶିକ୍ଷାକୁ ଏହା କେଉଁ ସ୍ତରକୁ ନେବ ତାହା ଜଣାପଡୁଛି ବୋଲି ସେମାନେ କହିଛନ୍ତି।

ଓଡିଶା ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କ ଏଭଳି ଦିଶାହୀନ ନୀତିକୁ କଡା ସମାଲୋଚନା କରିଛି। ପ୍ରାକ ପ୍ରାଥମିକ ପିଲାଙ୍କୁ ଯେଉଁମାନେ ଶିକ୍ଷା ଦେବା ପାଇଁ ତାଲିମପ୍ରାପ୍ତ ସେମାନଙ୍କୁ ନିଯୁକ୍ତି ଦିଆଯାଉନି। ତେଣେ ଯେଉଁମାନେ ସହଯୋଗୀ ହେବା କଥା ତାଙ୍କୁ ନିଯୁକ୍ତି ଦେଲେ କଣ ଲାଭ ହେବ ବୋଲି ପ୍ରଶ୍ନ କରିଛି ମହାସଂଘ। କେବଳ ଜାତୀୟ ଶିକ୍ଷା ନୀତି ଲାଗୁ ନ କରି ସେଥିରେ ଥିବା ନିୟମାବଳୀକୁ ପାଳନ କରିବାକୁ ଦାବି ହୋଇଛି। ସେପଟେ ଶାସକ ଦଳ ଏ କଥାକୁ ଗ୍ରହଣ କରିଛି। ପ୍ରଥମେ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି ଓ ପରେ ଶିଶୁ ସେବିକା ନିଯୁକ୍ତ ହେବା କଥା ବୋଲି ସ୍ୱୀକାର କରିଛି ଶାସକ ଦଳ।ରାଜ୍ୟରେ ଭିତ୍ତିଭୂମି ଓ ଆବଶ୍ୟକ ମାନବସମ୍ବଳ ନାହିଁ। ହେଲେ ମନଇଚ୍ଛା ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି। ଏହାକୁ ନେଇ ଜାରି ରହିଛି ଅସନ୍ତୋଷ।

ସତ ମାନିଲେ ସରକାର, ଏଫସିଆଇରେ ଅଛି ସମସ୍ୟା

ଭୁବନେଶ୍ବର : ସତ ମାନିଲେ ସରକାର। ବିରୋଧୀ ଦଳରେ ଥିବା ବେଳେ ଯେଉଁ ସମସ୍ୟାକୁ ମାନୁନଥିଲେ, କ୍ଷମତାକୁ ଆସିବା ପରେ ତାହାକୁ ମାନିନେଲେ। ଚାଉଳ ଉଠାଉନାହିଁ ଏଫସିଆଇ। ଗୋଦାମରେ ଧାନ ପଡ଼ିବା ସହ ଖରିଫ ଫସଲ ପାଇଁ ସମସ୍ୟା ସୃଷ୍ଟି ହେଉଛି। କେନ୍ଦ୍ରମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀରେ ଭେଟି ଆଲୋଚନା କରିବା ପରେ ଏଫସିଆଇ ସମସ୍ୟା କଥାକୁ ମାନିଛନ୍ତି। ମନ୍ତ୍ରୀ କହିଛନ୍ତି, ଖରିଫ ଋତୁରେ ଧାନ ମିଲ ଗୋଦାମ ଖାଲି ନହେଲେ ଅସୁବିଧା ହେବ। ଏଫସିଆଇ ପାଇଁ ଧାନ ଉଠାଣରେ ସମସ୍ୟା ଦେଖାଦେବ। ଓଡ଼ିଶାରୁ କିପରି ଏଫସିଆଇ ଚାଉଳ ନେବ ତାହା ଉପରେ କରାଯାଇଛି ଆଲୋଚନା। ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଯେଉଁମାନେ ବିରୋଧୀରେ ଥିଲେ ସେମାନେ ଏବେ ସରକାରରେ। କ୍ଷମତାକୁ ଆସିବା ପରେ ଏଫସିଆଇରେ ସମସ୍ୟା ଅଛି ବୋଲି ମାନୁଛନ୍ତି। ୧ କୋଟି ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଚାଉଳ ଉଠାଇଲା ବେଳକୁ ଟାଳଟୁଳ ନୀତି ଅବଲମ୍ବନ ହେଉଛି। ଯାହାକୁ ନିଜେ ମାନିଛନ୍ତି ମନ୍ତ୍ରୀ। ଏହାସହ ଗୋଦାମ ଫୁଲ ରହୁଥିବାରୁ ଅଧିକାଂଶ ମିଲରେ ପଡି ରହୁଛି ଚାଉଳ। ସେହିପରି ଇନପୁଟ ସବସିଡି ବଢ଼ାଇବା ପରେ ଅନ୍ୟ ଫସଲ ପ୍ରତି ଚାଷୀଙ୍କର ଆଗ୍ରହ କମୁଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଯାହା ସରକାରଙ୍କୁ ଅଡୁଆରେ ପକାଇଛି।

ଏଫସିଆଇରେ ସମସ୍ୟା ଥିବା କଥା ରାଜସ୍ବ ମନ୍ତ୍ରୀ ମାନିବା ପରେ କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ଏଫସିଆଇ ଚାଉଳ ଉଠାଉନଥିବା କଥାକୁ ମନ୍ତ୍ରୀ ସ୍ବୀକାର କରିଥିବାରୁ ଧନ୍ୟବାଦ। ଚାଉଳ ଉଠା ଯାଉନଥିବାରୁ ମିଲରେ ଚାଉଳ ପଡ଼ି ରହିଛି। ଅନ୍ୟପଟେ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛି ବିଜେଡି। ଧାନରେ ସରକାର ସବସିଡି ଦେବା ପରେ ତେଜିଛି ରାଜନୀତି । ଇନପୁଟ ସହାୟତା ପାଇଁ ଚାଷୀମାନେ କେବଳ ଧାନ ଚାଷ ସହ ଅନ୍ୟ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହା ଏବେ ରାଜ୍ୟ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି।

ତୃଟିପୂର୍ଣ୍ଣ ବ୍ୟବସ୍ଥା ବଢାଉଛି ହାତୀ ମଣିଷ ଲଢେଇ, ସଂଘର୍ଷରେ ଯାଉଛି ଉଭୟଙ୍କ ଜୀବନ

ଭୁବନେଶ୍ୱର ; ତୃଟିପୂର୍ଣ୍ଣ ବ୍ୟବସ୍ଥା ବଢାଉଛି ହାତୀ ମଣିଷ ଲଢେଇ । ସଂଘର୍ଷରେ ଟଳିପଡୁଛନ୍ତି ହାତୀ, ବର୍ତ୍ତି ପାରୁନାହାନ୍ତି ଲୋକ । ଡ୍ରାଇଭିଂ ଆଉଟ ଅପରେସନ ଦ୍ୱାରା ହିଂସ୍ର ହେଉଛନ୍ତି ଗଜରାଜ । ହାତୀ ଯେତିକି ବିଶାଳକାୟ ସେତିକି ବୁଦ୍ଧିଆ । ମଣିଷର ବ୍ୟବହାର ବି ହାତୀ ଜାଣେ । ଫଳରେ ହାତୀର ମାନସିକତାକୁ ପ୍ରଭାବିତ କରଯାଉଥିବାରୁ ହାତୀ ଆକ୍ରମଣରେ ମଣିଷଙ୍କ ଜୀବନ ଯାଉଛି ବୋଲି କହିଛନ୍ତି ବିଶେଷଜ୍ଞ। ହାତୀ ପଲଙ୍କୁ ଘଉଡ଼ାଇବାକୁ ଯେଉଁ ପଦ୍ଧତି ଜଙ୍ଗଲ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଛି ତାହା ହିଁ ହାତୀ-ମଣିଷ ଯୁଦ୍ଧର କାରଣ ସାଜୁଛି । ତେଣୁ ଏହି ନୀତିରେ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କୁହାଯାଇଛି। ଏଥିସହିତ ହାତୀ କରିଡର ମଧ୍ୟ ଆଉ ଏକ ପ୍ରମୁଖ କାରଣ । ବିଭିନ୍ନ ସ୍ଥାନକୁ ମାଇଗ୍ରେଟ କରନ୍ତି ହାତୀପଲ। ତେଣୁ ସରକାର ଅଞ୍ଚଳ ଚିହ୍ନଟ କରି କରିଡର ସୁରକ୍ଷିତ ରଖନ୍ତୁ । ଏଥିସହିତ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁନି । ଯେଉଁଥିପାଇଁ ହାତୀ ମୃତ୍ୟୁ ବଢୁଛି । ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି । ଭୁବନେଶ୍ୱରରେ ଅନୁଷ୍ଠିତ ମଣିଷ-ହାତୀ ସହାବସ୍ଥାନ, ଆହ୍ୱାନ ଓ ଭବିଷ୍ୟତ ପନ୍ଥାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ମଧ୍ୟ ହାତୀ ମଣିଷ ମଧ୍ୟରେ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ମଡେଲ ଉପସ୍ଥାପନ କରିଛନ୍ତି।

ହାତୀଙ୍କ ରହଣିସ୍ଥଳ ଜଙ୍ଗଲକୁ ଅତି ନିଷ୍ଠୁର ଭାବେ କଟାଯାଉଛି । ତେଣୁ ହାତୀ ମଣିଷ ଲଢେଇ ବଢୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତୀର ସୁରକ୍ଷା ଜରୁରୀ ବୋଲି କହିବା ସହ ଶିମିଳିପାଳ, ଢେଙ୍କାନାଳ, କେନ୍ଦୁଝରରେ ଓ ଅନ୍ୟ ଅଞ୍ଚଳରେ ଡେଡିକେଟେଡ କରିଡର ଓ ଜଳାଶୟ କରାଯିବ । ଜଙ୍ଗଲରୁ ହାତୀ କିଭଳି ଆସିବେ ନାହିଁ ସେଥିପାଇଁ ଜଙ୍ଗଲରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା ହେବ।  ଜଙ୍ଗଲ ଭିତରେ ଧାନ ଚାଷ ହେବ । ଯାହାକୁ ହାତୀ ସହଜରେ ଖାଇପାରିବେ । ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ପଲିସି ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ କହିବା କଥା କଟିଙ୍ଗ ଏଜ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏହି ଆଧାରରେ ହାତୀ ମୃତ୍ୟୁ ପାଇଁ ବ୍ୟକ୍ତି କିମ୍ବା ବିଭାଗ ଦାୟୀ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ମଣିଷ ହାତୀ ଲଢେଇ ବନ୍ଦ ପାଇଁ ଆଞ୍ଚଳିକ ଡିପିଆର ପ୍ରସ୍ତୁତ ହେବ । ବିଭିନ୍ନ ଅଞ୍ଚଳର ଭୌଗୋଳିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ସମାଧାନ ବାଟ କଢାଯିବ । ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଅଂଚଳରେ ହାତୀ ଅଧିକ କ୍ଷତି କରୁଛନ୍ତି। ତେଣୁ ସହାବସ୍ଥାନକୁ ନେଇ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବିଶେଷଜ୍ଞ ତଥା ଅନ୍ୟାନ୍ୟ ଅଂଶୀଦାରଙ୍କ ମିଳିତ ଆଲୋଚନା ପରେ ରାଜ୍ୟରେ ଏକ ବଡ଼ ପଲିସି ଆସିବ ବୋଲି କୁହାଯାଇଛି।

କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି

କଟକ ; ଆଦ୍ୟପୂଜ୍ୟଙ୍କ ଆବାହନ ପରେ ଉତ୍ସବମୁଖର ହେବ ସହର । କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ବିଭିନ୍ନ ମଣ୍ଡପରେ ମୂର୍ତ୍ତି ସହ ମେଢ ନିର୍ମାଣ ଜୋରସୋର ଆଗେଇ ଚାଲିଛି । ସେପଟେ ପୂଜା ପୂର୍ବରୁ ପ୍ରଶାସନିକ ସ୍ତରରେ ମଧ୍ଯ କରାଯାଇଛି ପ୍ରସ୍ତୁତି । ପୂଜା ପରେ ମୂର୍ତ୍ତି ସବୁ କାଠଯୋଡ଼ିରେ ବିସର୍ଜନ କରାଯିବ । ଏଥିପାଇଁ କଟକ ମେୟର ସୁବାସ ସିଂ, ପୂଜା କମିଟି ସଭାପତି, ସଂପାଦକ ଓ ସଦସ୍ଯମାନେ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଧରି କାଠଯୋଡି ନଦୀର ଦେବୀ ଗଡା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଦେବୀ ଗଡାରେ ଦୁଇଟି ଅସ୍ଥାୟୀ ପୁଷ୍କରିଣୀ ସହ ଦୁଇଟି ସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିବାକୁ ମେୟର ପ୍ରସ୍ତାବ ଦେଇଛନ୍ତି । ଏହାସହ ପୁଷ୍କରଣୀକୁ ଅନବରତ ପାଣି ଯୋଗାଇବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ମଧ୍ଯ ଦିଆ ଯାଇଛି ।

ଦେବୀଗଡାର ରାସ୍ତାକୁ ମରାମତି କରିବା ଓ ଅଳିଆ ସଫାର ସବୁ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି । ସେହିପରି ଏଠାରେ ଅଳିଆ ପକାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ଅନ୍ଯ ପକ୍ଷରେ ପିଇବା ପାଣି ଓ ଆଲୋକର ସମସ୍ତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମେୟର । ଆସନ୍ତା ବୁଧବାର ଗଣେଶ ପୂଜା । ଅଗଷ୍ଟ ୩୦ ସେପ୍ଟେମ୍ବର ୭ ଓ ୧୪ ତାରିଖରେ ହେବ ଭସାଣ । ଅକ୍ଟୋବର ୩ ତାରିଖରେ ଦୁର୍ଗା ପୂଜା ଭସାଣ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରାଯାଇଛି ।