ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡ ରାଞ୍ଚିରୁ ଗିରଫ ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କୀ ଅସର ଦାନିସ। ଗିରଫ ହେବା ପରେ ତାକୁ ଜେରା କରିଛି ଝାଡ଼ଖଣ୍ଡ ଏଟିଏସ ଓ ରାଞ୍ଚି ପୋଲିସ। ତାକୁ ଧରିବା ଲାଗି ଏଟିଏସ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ଜାରି ରହିଥିଲା। ଦାନିସର ପ୍ରକୃତ ଘର ବୋକାରା ଜିଲ୍ଲା ପେଟୱାରରେ। ରାଞ୍ଚିସ୍ଥିତ ଇସଲାମ ନଗରର ଅଞ୍ଚଳରୁ ତାକୁ ଧରିଥିଲା ଦିଲ୍ଲୀର ସ୍ବତନ୍ତ୍ର ସେଲ, ଝାଡଖଣ୍ଡ ଏଟିଏସ ଓ ରାଞ୍ଚି ପୋଲିସ। ଦାନିସ ନାମରେ ଦିଲ୍ଲୀରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ତାକୁ ଦୀର୍ଘ ଦିନ ଧରି ଖୋଜୁଥିଲେ ଟିମ୍। ଆଇଏସଆଇଏସ ଲାଗି ସେ କାମ କରୁଥିବା ନେଇ ଅଭିଯୋଗ ହୋଇଥିଲା। ସେପଟେ ଦିଲ୍ଲୀରୁ ଅନ୍ୟ ଜଣେ ସନ୍ଦିଗ୍ଧ ଆଇଏସଆଇଏସ କର୍ମୀକୁ ଗିରଫ କରାଯାଇଛି। ସ୍ପେସାଲ ସେଲ ଓ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ୧୨ଟି ସ୍ଥାନରେ ରେଡ ପରେ ତାକୁ ଗିରଫ କରାଯାଇଛି।
ନେପାଳରେ ଥମୁନି ରାଜନୈତିକ ଅସ୍ଥିରତା। ଜେନ ଜେଡ ଆନ୍ଦୋଳନକାରୀଙ୍କ ନୂଆ ଦାବି
ନନ୍ଦିଘୋଷ ବ୍ୟୁରୋ : ନେପାଳରେ ଥମୁନି ରାଜନୈତିକ ଅସ୍ଥିରତା। ଜେନ ଜେଡ ଆନ୍ଦୋଳନକାରୀଙ୍କ ନୂଆ ଦାବି। ସଂଗଠନ ଉପସ୍ଥାପିତ କରିଛି ନୂଆ ରାଜନୈତିକ ଓ ସାମାଜିକ ଦାବି। ଗତ ତିନି ଦଶନ୍ଧି ଧରି ରାଜନୀତିଜ୍ଞଙ୍କ ଦ୍ବାରା କରାଯାଇଥିବା ଲୁଟର ତଦନ୍ତ ଦାବି କରିଛି ସଂଗଠନ। ଏହା ସହ ପ୍ରଶାସନିକ ସଂସ୍କାର, ଚଳିତ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ବ୍ଯକ୍ତିମାନଙ୍କୁ ସହିଦ ଭାବେ ଆଖ୍ୟା ଦେବା, ସେମାନଙ୍କ ପରିବାରକୁ ସହାୟତା, ନିଯୁକ୍ତି, ଅନ୍ୟଦେଶକୁ ଲୋକେ ଚାଲିଯାଉଥିବାରୁ ତାହାକୁ ରୋକିବା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ଲାଗି ଦାବି ହୋଇଛି। ତେଣେ ନେପାଳରେ ଅସ୍ଥିରତା ପରେ ପଶ୍ଚିମବଙ୍ଗ ଦାର୍ଜିଲିଂସ୍ଥିତ ପେନିତାଙ୍କିରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ସେପଟେ ରାଜଧାନୀ କାଠମାଣ୍ଡୁରେ ଜାରି ରହିଛି କର୍ଫ୍ୟୁ। ଅପରାହ୍ନ ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି ନେପାଳର ସେନା। ସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି। ରାଜଧାନୀ କାଠମାଣ୍ଡୁରେ ପ୍ରବଳ ମାତ୍ରାରେ ସେନାର ଯବାନ ମୁତୟନ ହୋଇଛନ୍ତି।ପୂରା ନେପାଳରେ କର୍ଫ୍ୟୁ ଜାରି କରାଯାଇଛି। ଶାନ୍ତି ପ୍ରତିଷ୍ଠା ଲାଗି କର୍ଫ୍ୟୁ ଜାରି କରାଯାଇଥିବା କହିଛି ସେନା। ସେପଟେ ସ୍ଥିତି ଉପରେ ନଜର ରଖିଛି ଭାରତ। ଭାରତ ସୀମାନ୍ତରେ କ଼ଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନେପାଳରେ ରହୁଥିବା ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଡଭାଇଜାରୀ କରିଚି ଭାରତୀୟ ବୈଦେଶିକ ବିଭାଗ। ଗତକାଲି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ଶାସନ ଭାର ନିଜ ହାତକୁ ନେଇଛି ସେନା । ସେନା ମୁଖ୍ୟ ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ ଲୁଟପାଟ, ପୋଡ଼ାଜଳା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ପାଇଁ ସେନା ଗତକାଲି ରାତି ୧୦ଟାରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନିଜ ହାତକୁ ନେଇଛି । ସେପଟେ ସରକାର ଗଠନ ସମ୍ପର୍କରେ ରବି ଲାମିଛାନେ, ବାଲେନ୍ ଶାହ, ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଏବଂ ପ୍ରଦର୍ଶନକାରୀଙ୍କ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ, ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଉଥିବା ସୂଚନା ରହିଛି। ସୁଶୀଳା କାର୍କି ନେପାଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ।
ଗାଁ ମୁହାଁ ୨୯ ଟିକିଆ ହାତୀପଲ , ଚିନ୍ତାରେ ଚାଷୀକୂଳ
ନନ୍ଦିଘୋଷ ବ୍ୟୁରୋ : ଗାଁ ମୁହାଁ ୨୯ ଟିକିଆ ହାତୀପଲ । ଗତକାଲି କେନ୍ଦୁଝର ସଦର ରେଞ୍ଜ ରତନପୁର ଜଙ୍ଗଲରେ ରହିଥିବା ବେଳେ ଆଜି ସଦର ରେଞ୍ଜ ଅଞ୍ଚଳର ସଲରାପେଣ୍ଠ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବନବିଭାଗ ଓ ଗଜସାଥି । ବ୍ୟାପକ ଧାନ ଫସଲ ଖାଇଵା ସହିତ ନଷ୍ଟ କରିଛନ୍ତି ହାତୀପଲ। କ୍ଷୟକ୍ଷତି ଯୋଗୁଁ ଚାଷୀକୂଳ ଚିନ୍ତାରେ ଅଛନ୍ତି। ଲୋକେ ଭୟଭୀତ ଥିବାବେଳେ ରାତି ସାରା ଉଜାଗର ରହି ହାତୀକୁ ଜଗି ରହିଥିଲେ । ଗତକାଲି ହାତୀ ପଲ ରତନପୁର ଆସିବା ବେଳେ ଖପରାଖାଇ ଗାଁରେ ଦୁଇଟି ଘର ଭାଙ୍ଗିଛନ୍ତି। । ଆଜି ଏହି ୨୯ ଟିକିଆ ହାତୀପଲ ସଲରାପେଣ୍ଠ ଜଙ୍ଗଲକୁ ପ୍ରବେଶ କରିଛନ୍ତି । ହତୀପଲରେ ୧୨ଟି ଦନ୍ତା ହାତୀ, ୧୧ଟି ମାଈ ହାତୀ ଓ ୬ଟି ଛୁଆହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଲକ୍ଷେ ଟପିଲା ସୁନା ଦର , ଚିନ୍ତାରେ ମଧ୍ୟବିତ୍ତ
ନନ୍ଦିଘୋଷ ବ୍ୟୁରୋ : ଲକ୍ଷେ ଟପିଲା ୨୨ କ୍ୟାରେଟ ସୁନା ଦର। ଭୁବନେଶ୍ଵରରେ ୨୨ କାରେଟ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ପାର କରିଛି। ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ 1 ହଜାର ୧ସହ ହୋଇଛି। ସେପଟେ ହୁ ହୁ ହୋଇ ବଢୁଥିବା ସୁନା ଦରକୁ ନେଇ ଚିନ୍ତାରେ ମଧ୍ୟବିତ୍ତ। ରେକର୍ଡ ଭାଙ୍ଗିଛି ସୁନା ଦର । ଗତ ୧୫ ଦିନ ଭିତରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫ରୁ ୯ ହଜାର ଟଙ୍କା ମହଙ୍ଗା ହେଲାଣି।୧୫ ଦିନ ତଳେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦର ୯୩ ହଜାର ଟଙ୍କା ରହିଥିଲା
କାହିଁକି ବଢୁଛି ସୁନା ଦର ?
ସୁନା ଦର ବଢିବାର ଅନେକ କାରଣ ରହିଛି । ପ୍ରଥମ କାରଣ ହେଉଛି ଟ୍ରମ୍ପଙ୍କ ଟାରିଫ ପାଇଁ ବିଶ୍ବ ବଜାରରେ ଅନିଶ୍ଚିତତା ଦେଖା ଦେଇଛି । ସେୟାର ମାର୍କେଟର ନିବେଶକ ମାନେ ସୟାର ବିକ୍ରି କରୁଛନ୍ତି । ସୁନା ଭଳି ସୁରକ୍ଷିତ ନିବେଶ ଉପରେ ଧ୍ୟାନ ଦେଉଛନ୍ତି ନିବେଶକ । ଚୀନ ଓ ରୁଷ ଭଳି ବଡ ବଡ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ଅଧିକ ମାତ୍ରାରେ ସୁନା କ୍ରୟ କରୁଛନ୍ତି । ଫଳରେ ଏହାର ଚାହିଦା ବଢିବାରେ ଲାଗିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବାରୁ ସୁନାର ମୁଲ୍ୟ ଉପର ମୁହାଁ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଗରିବ ଓ ମଧ୍ୟବିତ୍ତ ଲୋକ ମାନଙ୍କ ପାଇଁ ସୁନା କିଣିବା ସ୍ବପ୍ନ ପାଲଟିଗଲାଣି ।
ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି , ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଗର୍ଭବତୀ
ନନ୍ଦିଘୋଷ ବ୍ୟୁରୋ : ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି, ଚାଲି ଚାଲି ମେଡ଼ିକାଲ ଗଲାବେଳେ ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲାରୁ ଆସିଛି ଏ ଅଭାବନୀୟ ଚିତ୍ର। ରାସ୍ତାରେ କାଦୁଅ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଅଧା ବାଟରେ ପ୍ରସବ କଲେ ପ୍ରସୂତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଚାଞ୍ଚଡା ଗାଁରେ। ସୁନିଲ ପ୍ରାସ୍କାଙ୍କ ସ୍ତ୍ରୀ ବନିତା ରାତି ୩.୧୫ ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚି ଥିଲେ ସୁଦ୍ଧା ଗାଁକୁ ରାସ୍ତା ନଥିବାରୁ ଆସିପାରିନଥିଲା। ଆମ୍ବୁଲାନ୍ସ ନିକଟକୁ ଚାଲି ଚାଲି ଯିବା ବେଳ ବାଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତମାନ ଶିଶୁ ଓ ମାଆକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ଜଣା ପଡ଼ିଛି। ଛାଞ୍ଚଡା ସାହିରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାପାଇଁ ମାତ୍ର ୩ କିଲୋମିଟର। ରାସ୍ତା ନଥିବାରୁ ଲୋକେ ବିଲ ହୁଡ଼ା ଦେଇ ଯାତାୟତ କରିଛନ୍ତି।
ସମବାୟ ବିଭାଗର ଅଜବ ନୀତି । ହେରଫେର କରିଥିବା ଏମଡିଙ୍କୁ ପୁନଃ ଦାୟିତ୍ବ
ନନ୍ଦିଘୋଷ ବ୍ୟୁରୋ : ସମବାୟ ବିଭାଗର ଅଜବ ନୀତି । ହେରଫେର କରିଥିବା ଏମଡିଙ୍କୁ ପୁନଃ ଦାୟିତ୍ବ । ମାଲକାନଗିରି ଜିଲ୍ଲାର ବହୁଚର୍ଚ୍ଚିତ ମାଥିଲି ଲ୍ୟାମ୍ପସ ଘୋଟାଲର ସମବାୟ ବିଭାଗର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ । ୩ ବର୍ଷ ଧରି ପରିଚାଳନା କମିଟି ସହ ରହି ଆସିଥିବା ପରିଚାଳନା ନିର୍ଦ୍ଦେଶିକା ସନ୍ତୋଷୀ ପରିଡାଙ୍କୁ ପୁନଃ ଭାରପ୍ରାପ୍ତ ଏମଡି ଦାୟିତ୍ବ ଦେଇଛି ବିଭାଗ । ଯାହାଙ୍କ ସମୟରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବିଭାଗକୁ ଲିଖିତ ଅଭିଯୋଗ ହୋଇଥିଲା । ସାର ଦୁର୍ନୀତି ଠାରୁ ଆରମ୍ଭ କରି ଚାଷ ଋଣ , ଭୂତ ଚାଷୀଙ୍କ ନାଁରେ ଋଣ , ମୃତ ବ୍ୟକ୍ତିଙ୍କ ନାଁରେ ଅର୍ଥ ଆତ୍ମସାତ , ଶିକ୍ଷକଙ୍କ ନାଁରେ ଲ୍ୟାମ୍ପସରେ କାର୍ଯ୍ୟ କରୁଥିବା ନେଇ ମାସିକ ଅର୍ଥ ହଡପ ଆଦି ଅଭିଯୋଗ ହୋଇଥିଲା । ତେବେ ପରିଚାଳନା କମିଟିକୁ ମାଲକାନଗିରି ଡିଆରସିଏସ୍ ସସପେଣ୍ତ କରିଥିବାବେଳେ ଜଣେ ସଦସ୍ୟଙ୍କ ସ୍ତ୍ରୀ ତଥା ପୂର୍ବତନ ଏମଡିଙ୍କୁ ପୁନଃ ନିଯୁକ୍ତି ଦେବା ସମବାୟ ତଦନ୍ତର ପ୍ରକ୍ରିୟାକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମହଙ୍ଗା ପଡ଼ିଲା ପରକୀୟା…ସ୍ତ୍ରୀ ଓ ପୁରୁଷ ବନ୍ଧୁଙ୍କୁ ନିର୍ଧୁମ ମାଡ଼ ମାରିଲେ ସ୍ବାମୀ
ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ସ୍ବାମୀ ଘରେ ନଥିବା ସମୟରେ ପର ପୁରୁଷ ସହିତ ରଖୁଥିଲେ ଅନୈତିକ ସମ୍ପର୍କ। ଧରାପଡ଼ିବା ପରେ ଉଭୟ ସ୍ତ୍ରୀ ଓ ପୁରୁଷ ବନ୍ଧୁଙ୍କୁ ନିର୍ଧୁମ ମାଡ଼ ମାରିଲେ ସ୍ବାମୀ। ସର୍ବ ସମ୍ମୁଖରେ ନିଜ ସ୍ତ୍ରୀ ଆଉ ତାଙ୍କ ପୁରୁଷ ବନ୍ଧୁଙ୍କୁ ଫୁଲମାଳ ପିନ୍ଧାଇ ରାସ୍ତା ଉପରେ ଚଲେଇ ଚଲେଇ ଆଣିଲେ। ସ୍ତ୍ରୀଙ୍କୁ ରାସ୍ତାରେ ମୁଁହ ବାନ୍ଧି ଆଣିବା ସହିତ ପୁରୁଷ ବନ୍ଧୁଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ଆଣି ଥାନାରେ ଜିମା ଦେଲେ।ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ତେବେ ସ୍ତ୍ରୀ ଆଉ ତାଙ୍କ ପୁରୁଷ ବନ୍ଧୁ ଦୁଇଜଣ ଯାକ ଅଲଗା ଅଲଗା ସ୍କୁଲରେ ଜଣେ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଯେଉଁଥିପାଇଁ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏପଟେ ଥାନା ଠାରୁ ମାତ୍ର ୨୦୦ମିଟର ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଜାଣି ପାରିଲାନି କିଭଳି ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଉଭୟଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ସିଂହଦ୍ଵାର ଠାରେ ଅଭାବନୀୟ ଦୃଶ୍ୟ , ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ
ନନ୍ଦିଘୋଷ ବ୍ୟୁରୋ : ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଅଭାବନୀୟ ଦୃଶ୍ୟ। ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଜଣେ ଯୁବକ କରିଛନ୍ତି ଉଦ୍ୟମ। ଶ୍ରୀମନ୍ଦିର ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ କରିଛନ୍ତି ଏଭଳି ଉଦ୍ୟମ। ତେବେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଓ ଜେଟିପି କର୍ମଚାରୀ ଯୁବକଙ୍କୁ ଅଟକାଇବା ବେଳେ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଆଜି ଭୋରରୁ ଘଟିଛି ଏଭଳି ଘଟଣା। ଶ୍ରୀମନ୍ଦିର ସିଂହଦ୍ଵାର ଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲ। ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଓ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ଵାର ଥାନାରେ ଜିମା ଦେଇଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣକ ଢେଙ୍କାନାଳ ଗନ୍ଦିଆ ଗ୍ରାମର ଲାଲୁ ପ୍ରସାଦ ସାହୁ ବୋଲି ଜଣାପଡିଛି। କଣ ପାଇଁ ସେ ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଂହଦ୍ଵାର ଥାନା ପୋଲିସ କହିଛି।
ସୋସିଆଲ ମିଡିଆ ନିଆଁରେ ଜଳୁଛି ନେପାଳ , କଣ ହେବ ନେପାଳର ଭବିଷ୍ୟତ ?
ନନ୍ଦିଘୋଷ ବ୍ୟୁରୋ : ନେପାଳରେ ଜେନ୍-ଜେଡ୍ ବିପ୍ଳବ କେପି ଶର୍ମା ଓଲିଙ୍କୁ କ୍ଷମତାରୁ ବାହାର କରିଦେଇଛି। ଜେନ୍-ଜେଡ୍ଙ୍କ ଝଡ଼ରେ ଓଲିଙ୍କ ପ୍ରଧାନମନ୍ତ୍ରୀ ପଦ ଚାଲିଯାଇଛି । ଏବେ ସେନା ନେପାଳକୁ ନିୟନ୍ତ୍ରଣ କରିନେଇଛି। ସୋମବାର ଦିନ ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ରକ୍ତାର ହୋଲି ଖେଳେ ଯାଇଥିଲା । ସଂସଦରୁ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ସବୁକିଛି ପୋଡ଼ି ଦିଆଯାଇଥିଲା। ଜେନ-ଜେଡ୍ ପ୍ରତିବାଦ ଏତେ ଭୟଙ୍କର ରୂପ ନେଇଥିଲା ଯେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ରାଷ୍ଟ୍ରପତିଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ପଡିଲା। ଏବେ ମଧ୍ୟ ଲୋକଙ୍କ କ୍ରୋଧ ଶାନ୍ତ ହୋଇନାହିଁ। ଏବେ ପ୍ରଶ୍ନ ହେଉଛି ନେପାଳର ପରବର୍ତ୍ତୀ ଅବସ୍ଥା କ’ଣ ହେବ? ସେନା ସର୍ବଦା ନିୟନ୍ତ୍ରଣରେ ରହିବ ନା ନୂତନ ସରକାର ଗଠନ ହେବ?
ଜେନେରେସନ ଜେଡ୍ ର ଗର୍ଜନ ନେପାଳରେ ରାଜନୈତିକ ବିପ୍ଳବ ସୃଷ୍ଟି କରିଛି। ସୋସିଆଲ ମିଡିଆ ଉପରେ ରୋକ ଲଗାଇବା ସହିତ ଆରମ୍ଭ ହୋଇଥିବା ପ୍ରତିବାଦ ଦୁର୍ନୀତି ଓ ବେକାରୀ ବିରୋଧରେ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି କାରଣରୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା। ଏବେ ସେନା ମୁତୟନ ହେବା ସହିତ ଦେଶରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି। କାଠମାଣ୍ଡୁରୁ ଆରମ୍ଭ କରି ଏହା ସାରା ଦେଶରେ ବ୍ୟାପିଗଲା। ସଂସଦ ପରିସରରେ ବିକ୍ଷୋଭକାରୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ, ଆମ୍ବୁଲାନ୍ସ, ପୋଲିସ ଗାଡ଼ି ସହ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ।
ମଙ୍ଗଳବାର ଦିନ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହିଂସାତ୍ମକ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ଦେଇଛନ୍ତି। ସୋମବାର ଠାରୁ ବିକ୍ଷୋଭକାରୀ ଓ ବିରୋଧୀ ନେତାମାନେ ତାଙ୍କ ଇସ୍ତଫା ଦାବି କରୁଥିଲେ। ଓଲି ମାତ୍ର ୧ ବର୍ଷ ୨ ମାସ ପାଇଁ ପଦବୀରେ ରହିପାରିଲେ। ସେ ୧୫ ଜୁଲାଇ ୨୦୨୪ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ବିକ୍ଷୋଭକାରୀ ସଂସଦ ଭବନ, ନେତାଙ୍କ ବାସଭବନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ପରେ ଓଲି ଗାଦି ଛାଡିଥିଲେ ।
ତାଙ୍କର ସ୍ପଷ୍ଟବାଦୀ ଶୈଳୀ ଏବଂ ଜାତୀୟତାବାଦୀ ନୀତି ପାଇଁ ଜଣାଶୁଣା, ଓଲି ସ୍ଥିରତା ଏବଂ ସମୃଦ୍ଧିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ, କିନ୍ତୁ ବଢ଼ୁଥିବା ଅଶାନ୍ତିର ଅଭିଯୋଗ ମଧ୍ୟରେ ସେ କ୍ଷମତା ଛାଡି ଦେଇଥିଲେ। ତାଙ୍କ ପୂର୍ବରୁ ଦେଶର ଗୃହମନ୍ତ୍ରୀ ଓ କୃଷିମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହା ପରେ, ନେପାଳରେ ମନ୍ତ୍ରୀମାନଙ୍କ ଇସ୍ତଫାର ଧାରା ଆରମ୍ଭ ହୋଇଥିଲା।
ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ପରେ ଆରମ୍ଭ ହୋଇଥିବା ପ୍ରତିବାଦରେ ଏପର୍ଯ୍ୟନ୍ତ ୨୨ ଜଣ ବିକ୍ଷୋଭକାରୀ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ୪୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ସହିତ ଆରମ୍ଭ ହୋଇଥିବା ଉତ୍ତେଜନା ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। କେବଳ ଏତିକି ନୁହେଁ, ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ।
ନେପାଳରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ, ବିକ୍ଷୋଭକାରୀଙ୍କ କ୍ରୋଧ ଅର୍ଥମନ୍ତ୍ରୀଙ୍କ ଉପରେ ଫୁଟି ଉଠିଲା ଓ ଲୋକମାନେ ଅର୍ଥମନ୍ତ୍ରୀ ବିଷ୍ଣୁ ପାଉଡେଲଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। କେବଳ ଏତିକି ନୁହେଁ, ଲୋକମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନିଆଁରେ ମୃତ୍ୟୁବରଣ କରିଥିଲେ।
ନେପାଳରେ ହିଂସାତ୍ମକ ପ୍ରତିବାଦ ସମୟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନକାରୀମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ଉଡ଼ାଉଥିବାର ଦେଖାଯାଇଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀ ନେପାଳର ସର୍ବବୃହତ ମିଡିଆ ହାଉସ୍ କାନ୍ତିପୁର ପ୍ରକାଶନର କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ସୂତ୍ର ଅନୁସାରେ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଏକ ନିରାପଦ ଗୃହରେ ରଖାଯାଇଛି। ସେ ଏପର୍ଯ୍ୟନ୍ତ ଦେଶ ଛାଡି ପଳାଇ ନାହାଁନ୍ତି। ତଥାପି, ତାଙ୍କର ପତ୍ତା ବହୁତ ଗୁପ୍ତ।
ଆଜି ନେପାଳ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ନେପାଳ ରାଷ୍ଟ୍ରପତି, ସେନା ମୁଖ୍ୟ ଏବଂ ପୋଲିସ ମୁଖ୍ୟଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇପାରେ। ଏଥିରେ, ବର୍ତ୍ତମାନର ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ବିକ୍ଷୋଭକାରୀଙ୍କ ସହ ଆଲୋଚନାର ଯୋଜନା କିପରି ପ୍ରସ୍ତୁତ କରାଯିବ ସେ ବିଷୟରେ ଆଲୋଚନା ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ, ଆନ୍ଦୋଳନର ମୁଖ୍ୟଙ୍କ ସହ ଆଲୋଚନା ପରେ କାଠମାଣ୍ଡୁର ପରିସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି। ବିଶ୍ୱାସ କରାଯାଉଛି ଯେ ନେପାଳରେ ଏକ ଅନ୍ତରୀଣ ସରକାର ଗଠନ କରାଯାଇପାରେ ଏବଂ ଜେନେରାଲ ଜେଡଙ୍କୁ ଏଥିରେ ସାମିଲ କରାଯାଇପାରିବ। କାଠମାଣ୍ଡୁର ମେୟର ବାଲେନ ଶାହ ଜଣେ ନୂତନ ନେତା ଭାବରେ ଉଭା ହେଉଛନ୍ତି। ବିଶ୍ୱାସ କରାଯାଉଛି ଯେ ବାଲେନ ଶାହ ଅନ୍ତରୀଣ ସରକାରଙ୍କ କମାଣ୍ଡ ପାଇପାରିବେ। ତଥାପି, ନେପାଳରେ ଅସ୍ଥିରତା ରହିବ। ଏବେ ଆଜି ଜଣାପଡିବ ଯେ ନୂତନ ନିର୍ବାଚନ ହେବ ନା ନୂତନ ଅନ୍ତରୀଣ ସରକାର ଗଠନ ହେବ।
ଭାରତ ଆମେରିକା ଭଲ ବନ୍ଧୁ … ଟ୍ରମ୍ପଙ୍କୁ ମୋଦୀଙ୍କ ଉତ୍ତର
ନନ୍ଦିଘୋଷ ବ୍ୟୁରୋ : ସୁଧୁରିବ କି ଭାରତ ଏବଂ ଆମେରିକା ସମ୍ପର୍କ? ବାଣିଜ୍ୟ ଚୁକ୍ତି ଏବେ ପୁଣି ଥରେ ଟ୍ରାକକୁ ଆସିବା ପରି ମନେ ହେଉଛି। ଭାରତ-ଆମେରିକା ମଧ୍ୟରେ ବହୁତ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହୋଇପାରେ। ଏଥିପାଇଁ, ପ୍ରଧାନମନ୍ତ୍ରୀ ମୋଦି ଓ ଡୋନାଲ୍ଡ ଟ୍ରମ୍ପ ଉଭୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟରେ ଭାରତକୁ ମହାନ ବୋଲି କହିଛନ୍ତି । ଟ୍ରମ୍ପଙ୍କ ସେହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତର ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ମଧ୍ୟ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ଇଚ୍ଛୁକ ଅଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବାଣିଜ୍ୟ ଚୁକ୍ତି ଉପରେ କାମ ଚାଲିଛି ଓ ଫଳାଫଳ ଭଲ ହେବ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ । ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅପାର ସମ୍ଭାବନାକୁ ମୁକ୍ତ କରିବାର ପଥ ପ୍ରଶସ୍ତ କରିବ। ଆମର ଟିମ ଏହି ଆଲୋଚନାଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବାକୁ କାମ କରୁଛନ୍ତି। ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ ଅପେକ୍ଷା କରିଛି। ଆମେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଏକାଠି କାମ କରିବୁ।’
ଡୋନାଲ୍ଡ ଟ୍ରମ୍ପ କଣ କହିଥିଲେ ?
ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଘୋଷଣା କରି ଖୁସି ହେଉଛି ଯେ ଭାରତ ଓ ଆମେରିକା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ମୁଁ ଆଗାମୀ ଦିନ ଗୁଡିକରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିବାକୁ ଅପେକ୍ଷା କରିଛି। ମୁଁ ନିଶ୍ଚିତ ଯେ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ।’
ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବ
ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢାଇବା ପାଇଁ, ଭାରତ – ଆମେରିକା ଆସନ୍ତା ସପ୍ତାହରେ ବାଣିଜ୍ୟ ପ୍ରତିନିଧିମଣ୍ଡଳୀ ଆଦାନପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସପ୍ତାହ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିକୁ ସଫଳତାର ସହ ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

