spot_img
Home Blog Page 503

ଆତ୍ମହତ୍ୟା ନିବାରଣ ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ

ଆତ୍ମହତ୍ୟା ନିବାରଣ ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ । ରାଜ୍ୟରେ ଲଗାତାର ବିଭିନ୍ନ ବୟସ ବର୍ଗର ଲୋକେ ଏବଂ କଲେଜରେ ଯୁବବର୍ଗ ନିଜ ଜୀବନ ନେବା ଘଟଣାରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ କଳିଙ୍ଗ ଷ୍ଟାଡ଼ିୟମ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ସାରା ବିଶ୍ବରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାଳନ ହେଉଛି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ । ବିଭିନ୍ନ ନାଟକ ମାଧ୍ୟମରେ ଲୋକଙ୍କ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରତି ଜିଲ୍ଲା ଓ ପ୍ରତି ବ୍ଲକରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ପୋଲିସ କମିଶନର , ମୁଖ୍ୟ ଶାସନ ସଚିବଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ମେଡିକାଲ ଛାତରୁ ଖସିଲା କଂକ୍ରିଟ: ଅଳ୍ପକେ ବର୍ତ୍ତିଲେ ରୋଗୀ

ମେଡିକାଲ ଛାତରୁ ଖସିଲା କଂକ୍ରିଟ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ମହିଳା ବିଭାଗରେ ଅଘଟଣ । ଚିକିତ୍ସିତ ହେଉଥିବା ଜଣେ ମହିଳା ଙ୍କ ମୁଣ୍ଡ ଉପରେ କଂକ୍ରିଟ ଖଣ୍ଡ ଖସିଥିଲା । ଅଚାନକ କଂକ୍ରିଟ ଖସିବାରୁ ନିଜ ବେଡ଼ ଛାଡି ଧାଇଁଥିଲେ ରୋଗୀ । ମେଡିକାଲ ଘର ଗୁଡିକ ଅନେକ ପୁରୁଣା ହୋଇଯାଇଥିବା ବେଳେ ପ୍ରତ୍ୟେକ ବର୍ଷ ଆସୁଥିବା ମରାମତି ଖର୍ଚ୍ଚ ସଠିକ ଭାବେ ବିନିଯୋଗ ହୋଇ ପାରୁନାହିଁ । ଫଳରେ କଂକ୍ରିଟ ଖସୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ୩୦ ବର୍ଷ କାରାଦଣ୍ଡ

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ୩୦ ବର୍ଷ କାରାଦଣ୍ଡ । ଦଣ୍ଡାଦେଶ ଦେଲେ ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ କୁଆଖିଆ ଥାନା ଅଞ୍ଚଳର ପ୍ରଦୀପ ମଳିକ । ୨୦୨୪ କୁଆଖିଆ ଥାନା ଅଞ୍ଚଳର ୧୩ ବର୍ଷୀୟ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । ନାବାଳିକା ୫ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରଦୀପଙ୍କୁ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ୧୫ ଜଣ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତକୁ ୩୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜୋରିମାନା ଅନାଦୟ ୫ ମାସ ଅଧିକ କାରାଦଣ୍ଡାଦେଶ ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ ।

ଏସିଆ କପ : ଟିମ ଇଣ୍ଡିଆର ବଡ଼ ବିଜୟ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ବଡ଼ ବତଜୟ । ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ  । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫୮ ରନ୍‌ ବିଜୟ ଲକ୍ଷ୍ୟକୁ ୪.୩ ଓଭରରେ ପୂରା କରିଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାର ୟୁଏଇକୁ ୯ ୱିକେଟ୍‌ରେ ପରାସ୍ତ କରିଛି ।

ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଭାରତ ପାଇଁ ସଠିକ୍‌ ସାବ୍ୟସ୍ତ ହୋଇଥିଲା। ୟୁଏଇ ଟିମ୍‌ ୧୩.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୭ ରନ୍‌ ସଂଗ୍ରହ କରିଥିଲା।

ଉପାନ୍ତ ଶିକ୍ଷା ବ୍ଯବସ୍ଥାକୁ ଅବହେଳା

0

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଶିକ୍ଷା ବ୍ଯବସ୍ଥାକୁ ଅବହେଳା । ୟୁଜିସି 2-F ମାନ୍ଯତା ସତ୍ତ୍ବେ ଭିତ୍ତିଭୂମି ପାଇଁ ସଂଘର୍ଷ କରୁଛି ଜୟପୁର ବିକ୍ରମଦେବ ବିଶ୍ବବିଦ୍ଯାଳୟ । ଜମି ହସ୍ତାନ୍ତର ହୋଇପାରୁ ନଥିବା ବେଳେ ନାହାନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ । ବିଶ୍ବବିଦ୍ଯାଳୟ ଘୋଷଣା କରିବା ସହ ଶିକ୍ଷା ବ୍ଯବସ୍ଥାର ଉନ୍ନତି ଆଣିଥିଲେ ପୂର୍ବ ସରକାର । ହେଲେ ଏବେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ଛାତ୍ର ସଂସଦ ଆଲୁମିନି ।

ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟକୁ ଅଣଦେଖା । ଜମି ହସ୍ତାନ୍ତ ନହେବାରୁ ବିକାଶ ହେଉନି ଭିତ୍ତିଭୂମି । ନାହାନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ଯାହାତ । ଦୁଇବର୍ଷ ତଳେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶ୍ବବିଦ୍ୟାଳୟରେ ଘୋଷଣା କରିଥିଲେ । ଏହାରି ଭିତରେ ବିଶ୍ବବିଦ୍ଯାଳୟ ଅନୁଦାନ ଆୟୋଗ ପକ୍ଷରୁ ମିଳିଛି ୨-ଏଫ୍ ମାନ୍ୟତା । କିନ୍ତୁ ନା ଏଠାରେ ଅଛନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ ନା ମିଳିଛି ବିଶ୍ବ ବିଦ୍ୟାଳୟ ପାଇଁ ଜମି । ସ୍ଥାୟୀ କୁଳପତି ବି ନାହାନ୍ତି । ଅତିଥି ଅଧ୍ଯାପକରେ ଚାଲିଛି ପାଠପଢା । ବିଶ୍ବବିଦ୍ୟାଳୟ ପାଇଁ  ୭୨ ଏକର ଜମି ଦେବାକୁ ସ୍ଥିର କରିଥିବା ବେଳେ ମାତ୍ର ୪୦ ଏକର ଜମି ଦେବାକୁ RDC ନିକଟକୁ ଯାଇଛି ଫାଇଲ୍ । ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ଯବସ୍ଥାକୁ ଅବହେଳା କରାଯାଉଥିବା ଅଭିଯୋଗ କରିଛି ଛାତ୍ର ସଂସଦ ଆଲୁମିନି ।

ପୂର୍ବରୁ ବିକ୍ରମଦେବ ଓଡ଼ିଶା ସରକାରଙ୍କ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ତାଲିକାରେ ଥିଲା । ବର୍ତ୍ତମାନ ୟୁଜିସି ୨ ଏଫ ମାନ୍ୟତା ମିଳିବା ପରେ ବିଶ୍ଵବିଦ୍ୟାଳୟର ଡିଗ୍ରୀଧାର ଛାତ୍ରଛାତ୍ରୀ ଦେଶ ବିଦେଶର ଯେକୌଣସି ବିଶ୍ଵବିଦ୍ୟାଳୟର ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ ହେବେ । ହେଲେ ତୁରନ୍ତ ଜମି ହସ୍ତନ୍ତର ହେଲେ ବିଶ୍ବ ବିଦ୍ୟାଳୟ କାର୍ଯ୍ୟ ଆଗକୁ ବଢିବା ସହିତ ସ୍ଥାୟୀ ଅଧ୍ଯାପକ ମଧ୍ଯ ନିଯୁକ୍ତି ହେବା ନେଇ ବାଟ ଫିଟିପାରିବ ବୋଲି କହିଛନ୍ତି ଦାୟିତ୍ବରେ ଥିବା କୁଳପତି ।

ବିକ୍ରମଦେବ ବିଶ୍ବ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ଓ ସ୍ଥାୟୀ ଅଧ୍ଯାପକ ସହିତ ସ୍ଥାୟୀ କର୍ମଚାରୀ ଯୋଗାଇଦେବାରେ ବହୁ ବିଳମ୍ବ ହୋଇଥିବା ବେଳେ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଧରାକୁ ଛୁଇଁଛି ପାର୍ବଣ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର

0

ନନ୍ଦିଘୋଷ ବ୍ୟୁରୋ: ଶରତ ଆଗମନରେ ହସୁଛି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର । ଧବଳ କାଶତଣ୍ଡୀ ପ୍ରକୃତିର ଏକ ନୈସର୍ଗିକ ସୃଷ୍ଟି । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଇ ଖିଲିଖିଲି ହସୁଛି କାଶତଣ୍ଡୀ । କଳାହାଣ୍ଡି ଜିଲ୍ଲାର ନଦୀ ପଠାରେ କାଶତଣ୍ଡୀର ସମ୍ଭାର । କାଶତଣ୍ଡୀକୁ ଦେଖି ଆନମନା ହୋଇଉଠୁଛନ୍ତି ପଥିକ ।

ଧରାକୁ ଛୁଇଁଛି ପାର୍ବଣ। ସଜେଇ ହୋଇଛି ପ୍ରକୃତି ରାଣୀ । ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର । କଳାହାଣ୍ଡି ଜିଲ୍ଲାର ନଦୀ ପଠାରେ ଲହଡି ଭାଙ୍ଗୁଛି କାଶତଣ୍ଡୀ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ଖାଲି କାଶତଣ୍ଡୀ କାହିଁକି ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଜଗତଜନନୀ ମା ଦୁର୍ଗାଙ୍କୁ କରୁଛନ୍ତି ଆମନ୍ତ୍ରଣ । ଆଉ ଦିନ କେଇଟା ପରେ ଧରା ପୃଷ୍ଠକୁ ଆଗମନ କରିବେ ଜଗତଜନନୀ ମା ଦୁର୍ଗୀ । ମାଆଙ୍କ ନବଦିନାତ୍ମକ ପୂଜାରେ କମ୍ପିବ ପୁରପଲ୍ଲୀ ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର କଲମପୁର, ଗୋଲାମୁଣ୍ଡା, ଜୟପାଟଣା, କୋକସରା ଜୁନାଗଡ଼ ବ୍ଲକରେ ପାଖାପାଖି ଶହେରୁ ଉର୍ଦ୍ଧ୍ବ ସ୍ଥାନରେ ଦୁର୍ଗା ପୂଜା ହୋଇଥାଏ । ମାଆଙ୍କ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ତୋରଣ ସାଜସଜ୍ଜାରେ ଲାଗି ପଡିଛନ୍ତି କାରିଗର । ଧର୍ମଗଡ ଦୁର୍ଗାପୂଜାର ରହିଛି ସ୍ଵତନ୍ତ୍ରତା । ବୀର ବାଦ୍ୟ ଘୁମୁରା, ନାଟକ, ମେଲୋଡି ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ପୂଜା କମିଟି ।

 

ଛାତ୍ରଙ୍କ କାମରେ ଲାଗୁନି ଶହେ ଶଯ୍ୟା ବିଶିଷ୍ଟ ନୂତନ ହଷ୍ଟେଲ

ନନ୍ଦିଘୋଷ ବ୍ୟୁରୋ: ନୂତନ ହଷ୍ଟେଲ କାହା ପାଇଁ ? ଦୁଇ କୋଟି ଦଶ ଲକ୍ଷ ଟଙ୍କାରେ ଶହେ ଶଯ୍ଯା ବିଶିଷ୍ଟ ନୂତନ ହଷ୍ଟେଲ ନିର୍ମାଣ କରାଗଲା । ହେଲେ ତାହା କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉନି । ଫଳରେ କିଏ ପୁରୁଣା ହଷ୍ଟେଲରେ ରହୁଛନ୍ତି ତ କିଏ ବାହାର ମେସରେ ରହିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମହାବିଦ୍ୟାଳୟରେ ହଷ୍ଟେଲ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ଛାତ୍ର ।

ଛାତ୍ରଙ୍କ କାମରେ ଲାଗୁନି ଶହେ ଶଯ୍ୟା ବିଶିଷ୍ଟ ନୂତନ ହଷ୍ଟେଲ । କୋଠା ନିର୍ମାଣ ପରେ ବି କଲେଜ କର୍ତ୍ତୃପକ୍ଷଙ୍କୁ କରାଯାଉନି ହସ୍ତାନ୍ତର । ଭଙ୍ଗାଦଦରା ପୁରୁଣା ହଷ୍ଟେଲରେ ରହୁଛନ୍ତି ପିଲା । ଅନେକ ବାହାର ମେସରେ ରହି ହେଉଛନ୍ତି ଅଯଥା ଖର୍ଚ୍ଚାନ୍ତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘୋର ଅବ୍ୟବସ୍ଥା । କଲେଜରେ ବର୍ତ୍ତମାନ ୧୨ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅନେକ ଛାତ୍ର ବାହାରୁ ଆସି ଏଠାରେ ପଢୁଛନ୍ତି । ହେଲେ ଦୁଃଖର ବିଷୟ ଏଠାରେ ଛାତ୍ର ମାନଙ୍କ ନିମନ୍ତେ ମାତ୍ର ୪୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ ଅଛି । ଯାହା ବହୁ ପୁରୁଣା ହୋଇଥିବା ବେଳେ ହଷ୍ଟେଲ ରୁମ ଭାଙ୍ଗିରୁଜି ଗଲାଣି । ବର୍ଷା ହେଲେ ରୁମ ଭିତରେ ପାଣି ପଡୁଛି । ହଷ୍ଟେଲରେ ଖାଇବା ରୁମ ମଧ୍ୟ ନାହିଁ । ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ପିଲାଙ୍କ ପାଇଁ ଦୁଇ କୋଟି ଦଶ ଲକ୍ଷ ଟଙ୍କାରେ ଶହେ ଶଯ୍ଯା ବିଶିଷ୍ଟ ନୂତନ ହଷ୍ଟେଲ ନିର୍ମାଣ ହୋଇଛି । ହେଲେ ଏଯାବତ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାହା ହସ୍ତାନ୍ତର କରାଯାଉନାହିଁ । ମହାବିଦ୍ୟାଳୟ ଅଧ୍ୟକ୍ଷ ହଷ୍ଟେଲ ହସ୍ତାନ୍ତର କରିବାକୁ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି । ତେବେ ଅସୁବିଧା କଣ,  କାହିଁକି ହଷ୍ଟେଲ ହସ୍ତାନ୍ତର କରାଯାଉନାହିଁ ? ସେ ସଂପର୍କରେ ଉପଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

ପାଠ ପଢିବା ପାଇଁ ବିପଜ୍ଜନକ ଭାବେ ପୁରୁଣା ହଷ୍ଟେଲରେ ଛାତ୍ର ମାନେ ପଡି ରହିଥିବା ବେଳେ ତୁରନ୍ତ ନୂତନ ଭାବେ ନିର୍ମିତ ହଷ୍ଟେଲକୁ ମହାବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ଦାବି ଜୋର ଧରିଛି ।

ରାସ୍ତା ପାଲଟିଛି ମୃତ୍ୟୁର ପଥ, ମରଣଯନ୍ତା ପାଲଟିଛି ନୟାହାଟରୁ ଶିଖରଘାଟ ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ମରଣଯନ୍ତା ପାଲଟିଛି ନୟାହାଟରୁ ଶିଖରଘାଟ ରାସ୍ତା । ରାସ୍ତାଟି ୩ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ରାସ୍ତାରେ ଭରି ରହିଛି ବିରାଟ ବିରାଟ ଗର୍ତ୍ତ । ଖାଲରେ ପାଣି ଜମିରହୁଥିବାରୁ ଚାଲିବା ତ ଦୂରର କଥା ଗାଡିମୋଟର ଯିବାବି କଷ୍ଟକର ହୋଇପଡୁଛି । ରାସ୍ତା ଦୂରାବସ୍ଥା ପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଶୀଘ୍ର ରାସ୍ତା ମରାମତି ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ରାସ୍ତା ପାଲଟିଛି ମୃତ୍ୟୁର ପଥ । ପାଦେପାଦେ ବିପଦ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ଦେଖନ୍ତୁ କିପରି ରାସ୍ତା ଉପରେ ସୃଷ୍ଟି ହୋଇଛି ବଡବଡ ଗାତ । ତା ଭିତରେ ଜମି ରହିଛି ବର୍ଷା ପାଣି । ଏ ହେଉଛି ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳି ନୟାହାଟରୁ ଶିଖରଘାଟକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥା । ଏହି ରାସ୍ତାଟି ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଛି । ହେଲେ ମରାମତି ଅଭାବରୁ ରାସ୍ତାରେ ଶତାଧିକ ଗାତ ସୃଷ୍ଟି ହୋଇଛି । ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଜମିରହିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ । ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ନୟାହାଟରୁ ଶିଖରଘାଟ ରାସ୍ତାଟି କାକଟପୁର ମାଆ ମଙ୍ଗଳାଙ୍କ ପୀଠରୁ ଜଗତସିଂହପୁର ମା ଶାରଳାଙ୍କ ପୀଠକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡି ଯାତାୟତ କରୁଛି । ହେଲେ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ସରକାର ତୁରନ୍ତ ଏହି ରାସ୍ତାର ପୁନରୁଦ୍ଧାର ନକଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ ।

 

ଗଞ୍ଜାମ ଜିଲ୍ଲାରେ ବଢିବାରେ ଲାଗିଛି ଡ୍ରପ ଆଉଟ ସଂଖ୍ୟା, ଶିକ୍ଷାୟତନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବଢିବାରେ ଲାଗିଛି ଡ୍ରପ ଆଉଟ ସଂଖ୍ୟା । ଶିକ୍ଷାୟତନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ୧୫ ହଜାର ଟପିଲାଣି ସ୍କୁଲ ଡ୍ରପ ଆଉଟ ସଂଖ୍ଯା । କଣ ପାଇଁ ସ୍କୁଲକୁ ପିଲାମାନେ ଆସୁନାହାନ୍ତି ? ସରକାର ସବୁ କିଛି ମାଗଣାରେ ଯୋଗାଉଥିବା ବେଳେ ସ୍କୁଲ କାହିଁକି ଯିବାକୁ ଅମଙ୍ଗ ହେଉଛନ୍ତି ପିଲା ? ଯାହା ଏବେ ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଅନ୍ଯପଟେ ପିଲାଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଗଞ୍ଜାମରେ ଭୁଶୁଡିଗଲାଣି ଶିକ୍ଷା ବ୍ୟବସ୍ଥା । ଶିକ୍ଷାୟତନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ଆର୍ଥିକ ଅନଟନ ପାଇଁ ଅନେକ ପାଠପଢାରୁ ହେଉଛନ୍ତି ବଞ୍ଚିତ । ୧୫ ହଜାର ଟପିଲାଣି ଡ୍ରପଆଉଟ ସଂଖ୍ୟା । ବିଶେଷ କରି ୬ ରୁ ୧୪ ବର୍ଷ ବୟସ୍କ ମଧ୍ଯରେ ଛାତ୍ରୀଛାତ୍ରମାନେ ଅଧାରୁ ପାଠ ଛାଡି ଦେଉଛନ୍ତି । ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା । ଯେଉଁଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୫ ହଜାର ୬୦୭ ଜଣ ପିଲା ଅଧାରୁ ପାଠ ଛାଡିଥିବା ଜଣାପଡିଛି । ଡ୍ରପ ଆଉଟ ପିଲାଙ୍କ ମଧ୍ୟରେ ଝିଅଙ୍କ ହାର ସର୍ବାଧିକ ରହିଛି ଯାହା ବଡ ଚିନ୍ତାର କାରଣ ପାଲଟିଛି । କଣ ପାଇଁ ସ୍କୁଲକୁ ପିଲାମାନେ ଆସୁନାହାନ୍ତି ? ଅଧାରୁ କଣ ପାଇଁ ଛାଡୁଛନ୍ତି ପାଠପଢା ? ସରକାର ସବୁ କିଛି ମାଗଣାରେ ଯୋଗାଉଥିବା ବେଳେ ସ୍କୁଲ କାହିଁକି ଯିବାକୁ ଅମଙ୍ଗ ହେଉଛନ୍ତି ପିଲା ? ଏଭଳି ଅନେକ ପ୍ରଶ୍ନ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପଟେ ଡ୍ରପ ଆଉଟ୍ ପିଲାଙ୍କୁ ଠାବ କରି ସ୍କୁଲକୁ ଫେରାଇ ଆଣିବାକୁ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ସରକାରଙ୍କ ପକ୍ଷରୁ ଏସ୍ସି-ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା କମାଇବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ଏଥିସହ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ଦ୍ବାରା ଜିଲ୍ଲାରେ ଡ୍ରପଆଉଟ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକଙ୍କ ଅଭାବରୁ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସରକାର ଗଞ୍ଜାମ ଜିଲ୍ଲାରେ ଡ୍ରପ ଆଉଟ ହାର ହ୍ରାସ କରିବାରେ କେତେ ମାତ୍ରାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

NH କଡ଼ରେ ଚାଲିଥିଲା କ୍ଷୀର ଅପମିଶ୍ରଣ: ମାଡ଼ି ବସିଲା ପୋଲିସ

0

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ କଡରେ ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ। ମାଡ଼ି ବସିଲା ପୋଲିସ। ଗତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁସପଙ୍ଗୀ ନିକଟରେ ଏହି ଘଟଣା ଘଟିଥିଲା। ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ କରାଯାଉଥିଲା। ଏହି ସମୟରେ ମାଡ଼ି ବସିଲା ପୋଲିସ। ଡ୍ରାଇଭର, କ୍ଷୀର ଅପମିଶ୍ରଣ କରୁଥିବା ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସିଇ ଗା଼ଡ଼ି ଓ ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ଦୀର୍ଘ ଦିନ ଧରି ଏପରି ଅପମିଶ୍ରଣ ଚାଲିଥିଲା। ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି  କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ ଏକ କେମିକାଲ ମିଶାଯାଉଥିଲା। ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।